ରୋହିତର ଡାଏରୀ (ତୃତୀୟ ପର୍ବ)

 

 

 

 

 

 

 

 

 

ରୋହିତର ଡାଏରୀ

(ତୃତୀୟ ପର୍ବ)

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

 

 

 

ଡେନ୍‍ମାର୍କ୍‌ର ଇନା, ପିଟର୍ ଓ ୟର୍ଗନ—

ଏବଂ

ଫିନ୍‌ଲାଣ୍ଡର ତାପିଓ ଓ ଟିମୋଙ୍କ,

 

ପାଠ ପଢ଼ିବାଲାଗି ଡେନ୍‌ମାର୍କ ଯାଇଥିଲି । ଡେନ୍‌ମାର୍କରୁ ଫିନ୍‌ଲାଣ୍ଡ ଗଲି । ନାନା କାରଣରୁ ଏହି ଦୁଇଟିଯାକ ଦେଶର ପ୍ରେମରେ ପଡ଼ିଗଲି । ଅନେକ ମଣିଷଙ୍କୁ ଆତ୍ମୀୟ କଲି, ଅନେକ ମଣିଷଙ୍କର ଆତ୍ମୀୟ ହେଲି । ପୃଥିବୀର ସେହି ଅଞ୍ଚଳଟି ମୋ’ର ଦ୍ଵିତୀୟ ଘର ହୋଇ ରହିଲା । ଏବେ ମଧ୍ୟ ରହିଛି ।

 

ଇନା, ଆଉ ପିଟର୍ ଡେନ୍‍ମାର୍କରୁ ଦୁଇଜଣ ସୁବିଦିତ ମଣିଷ । ପିଟର୍ ପଣ୍ଡିତ, ଲେଖକ-। ଅନେକ ବହି ଲେଖିଛନ୍ତି । ଭାରତର ସ୍ଵାଧୀନତା ସଂଗ୍ରାମ ବିଷୟରେ ମଧ୍ୟ ବହି ଲେଖିଛନ୍ତି । ସିଏ ଆଉ ସଂସାରରେ ନାହାନ୍ତି । ପିଟର୍‌ଙ୍କ ସ୍ତ୍ରୀ ଇନା,-ତାଙ୍କ ନିଜ ପିଲାଙ୍କ ପରି ମୋ’ର ବି ମାଆ-। ଅନେକ ମା ସନ୍ତାନମାନଙ୍କୁ କେବଳ ନିଜ କୋଳଟି ପାଇଁ ଯୋଗ୍ୟ କରନ୍ତି, ବାନ୍ଧି ରଖନ୍ତି । ଇନା ଠିକ୍ ଓଲଟା ପ୍ରକାରର ମଣିଷ । ସିଏ ଏବେ ମଧ୍ୟ ଅଛନ୍ତି । ଏବେ ମଧ୍ୟ ତାଙ୍କ ସହିତ ସମ୍ପର୍କ ରହିଛି-। ଡେନ୍‌ମାର୍କରେ ପାଠ ପଢ଼ିଲାବେଳେ ମୁଁ ୟର୍ଗନଙ୍କ ଘରେ ଥିଲି । ୟର୍ଗନ ମୋର ସମବୟସୀ, ସାଙ୍ଗ । ସିଏ ମଧ୍ୟ ବିଶ୍ଵବିଦ୍ୟାଳୟରେ ପଢ଼ୁଥିଲା । ବର୍ତ୍ତମାନ ଜଣେ ଖ୍ୟାତନାମା ଇଞ୍ଜିନିଏର୍ । ଖାଲି ଇଞ୍ଜିନିୟର୍ ହୋଇ ପଇସା କମାଇବାକୁ ଭଲ ଲାଗିଲା ନାହିଁ ବୋଲି ପ୍ରାୟ ପ୍ରୌଢ଼ ବୟସରେ ସିଏ ଆଉଥରେ ସମୟ ବାହାର କରି ବିଶ୍ଵବିଦ୍ୟାଳୟକୁ ପଢ଼ିବାକୁ ଗଲା । ଏଥର ସେ ଅନ୍ତରୀକ୍ଷବିଜ୍ଞାନ ପଢ଼ିଲା । ସେହି ବିଜ୍ଞାନ ବିଷୟରେ ଏକାଧିକ ବହି ଲେଖି ସାରିଲାଣି । ତା’ର ପୁଅଟିଏ, ଝିଅଟିଏ,–ଏରିକ୍ ଆଉ ଅନିତା ।

 

ଫିନ୍‌ଲାଣ୍ଡର ଦୁଇଟି ସୁଦୂର ସାନ ଗାଆଁର ତାପିଓ ଓ ଟିମୋ । ତାପିଓ ଭାରି ଅଳ୍ପ ବୟସରେ ସଂସାରରୁ ବିଦାୟ ହୋଇ ଚାଲିଗଲା । ଟିମୋ ବର୍ତ୍ତମାନ ପୂରା ଘରୁଆ । ପାଖରେ ଏକ ସାନ ସହରରେ କାରଖାନାରେ କାମ କରେ । ପିଲାବେଳେ ସେ ମତେ ଫିନିଶ୍ ଭାଷା ଶିଖାଇଥିଲା-। ଅନ୍ୟ ଦ୍ଵିତୀୟ କୌଣସି ଭାଷା ନଜାଣି ମଧ୍ୟ ସିଏ ତାହା କରିପାରିଥିଲା । ମୁଁ ତାଙ୍କ ଗାଆଁରେ ଥିଲାବେଳେ ମତେ ସ୍କିଇଙ୍ଗ (Skiing) ମଧ୍ୟ ଶିଖାଇଥିଲା । ତାହାରି ପ୍ରେରଣାରେ ମୁଁ ସ୍କିଇଙ୍ଗକୁ ଭଲ ପାଇ ଶିଖିପାରିଲି ।

 

ଏମାନେ ସମସ୍ତେ ମୋ’ ଜୀବନର ଘନିଷ୍ଠ ଅଳିନ୍ଦଟି ମଧ୍ୟରେ ଅନେକ ଥାନ ଅଧିକାର କରି ରହିଛନ୍ତି ।

 

ଲେଖକ

Image

 

୧୯୫୧

୧ । ୧ । ୫୧

 

ଆଜି ନୂଆ ବରଷର ପ୍ରଥମ ଦିନରେ ମୁଁ ଅନ୍ତର ଦେବତାକୁ ସାକ୍ଷୀ ରଖି ଜୀବନ ଆରମ୍ଭ କରିବାର ପଣ ନେଉଚି । ଦିନ ଦିନ ଧରି ମୁଁ କେତେ ବୁଲିଲିଣି, କେତେ ସ୍ଥଳର କେତେପ୍ରକାର ଅଭିଜ୍ଞତା ପଛରେ ଗୋଡ଼ାଇ ଗୋଡ଼ାଇ ମନଘରେ କେତେ ଭେକର ଆସବାବ ପତ୍ର ଜମା କରି ରଖିଲିଣି । ତଥାପି ଆଜି ଭାରି ଶୂନ୍ୟ ଲାଗୁଚି । ସକଳ ଖେଳ ସରଞ୍ଜାମକୁ ପଥ ଗହନରେ ହଜାଇ ଦେଇ ଆସିଥିବା ନିଃସ୍ଵ ନିଃସମ୍ବଳ ଶିଶୁଟି ପରି ମୁଁ ଯେପରି ପୁଣି ଆସି ଏହି କାଳରୂପୀ ଜନନୀର ଦୁଆରେ ଠିଆ ହୋଇ ରହିଚି । ମନରେ ଅନେକ କଳ୍ପନା, ପ୍ରାଣରେ ଅନେକ ଆଶା ଓ ଆଖିରେ ଅଶେଷ କାକୁତି ।

 

ଅନେକ ଜୀବନକୁ ବାଲ୍ୟ, ଯୌବନ ଓ ବାର୍ଦ୍ଧକ୍ୟ ପ୍ରଭୃତି କେତୋଟି ପର୍ଯ୍ୟାୟରେ ବିଭକ୍ତ କରି ଏହାର ବିଚାର କରନ୍ତି । ଜୀବନଟା ସତେ ଅବା ଗୋଟାଏ ନିର୍ଦ୍ଦିଷ୍ଟ-ପଥଗାମୀ ରେଳଗାଡ଼ି, ଯେପରି ମାନ୍ଦ୍ରାଜଠାରୁ ହାବଡ଼ା ଷ୍ଟେସନ ଯାଏ ଯିବା ହେଉଚି ତାର ଏକମାତ୍ର କାର୍ଯ୍ୟ । ମୁଁ ପଛରେ କେତେ ଥଳ ଓ କେତେ ଘାଟକୁ ପକାଇ ଦେଇ ଆସିଚି, କିନ୍ତୁ ଅନ୍ତର ମଧ୍ୟରେ ମୁଁ ପ୍ରତ୍ୟେକ ଥଳ ଓ ପ୍ରତ୍ୟେକ ଘାଟରେ ଏହି ଯାତ୍ରାର ସର୍ବ ପରମ ଉଦ୍ଦେଶ୍ୟ ସ୍ଥଳଟିର ଆଭାସ ମଧ୍ୟ ପାଇ ଆସିଚି । ପଛରେ ମୁଁ ଯେତେ ବରଷର ସଂଚୟ ଓ ଅପଚୟର ଜୀବନ ବିତାଇ ଆସିଚି ପ୍ରତ୍ୟେକଟିର ବିଚିତ୍ର ପରିଚୟ-ସମ୍ପଦରେ ସେଗୁଡ଼ିକ ଯେପରି ଛୋଟ ଛୋଟ ନକ୍ଷତ୍ର ପରି ମୋର ଜୀବନକାଶକୁ ଧନ୍ୟ ଓ ପରିପୂର୍ଣ୍ଣ କରି ଦେଇଚନ୍ତି । ମୁଁ ସବୁ ଥଳରେ ଧନ୍ୟ ହୋଇଚି, ପୂର୍ଣ୍ଣ ହୋଇଚି, ସବୁ ତୀର୍ଥର ସ୍ନାନ ଜଳରେ ମୋର ସମସ୍ତ ଗାତ୍ର ପରିପୂତ ହୋଇ ଉଠିଚି । ପ୍ରତ୍ୟେକ ବର୍ଷ ନାନା ବିଚିତ୍ର ରୂପରେ ମୁଁ ଜୀବନ ଦେବତାର ଦର୍ଶନ ଲାଭ କରିଚି । ୧୯୫୦ ପରେ ୧୯୫୧ ଆସୁଚି, ପୃଥିବୀ ଉପରେ କୁଆଡ଼େ ଯୁଦ୍ଧର ଘନଘଟା ମାଡ଼ି ଆସୁଚି, ଆଉ ଇଉରୋପର ଏହି ଛୋଟିଆ ରାଜ୍ୟରେ ଆଜି ମନଟା ଯେପରି କେଉଁ ପୁରୁଣା ଶିଶୁର ଉତ୍ସାହ ନେଇ ମାତି ଉଠୁଚି । ସିଏ ଆହୁରି ଉଡ଼ିବ, ଆହୁରି ମୁଗ୍‌ଧ ହେବ ଓ ଆହୁରି ପରିପୂର୍ଣ୍ଣ ହେବ ।

 

୨ । ୧ । ୫୧

 

ଏଠାରେ ପହଞ୍ଚିବା ପ୍ରାୟ ଦଶଦିନ ହୋଇଗଲାଣି । ଏହା ଭିତରେ ମୁଁ ନାନା ପ୍ରସଙ୍ଗରେ ଡେନ୍‍ମାର୍କର ସାଧାରଣ ଜୀବନର କିଞ୍ଚିତ୍ ସମ୍ପର୍କରେ ଆସିବାର ସୁଯୋଗ ପାଇଚି । କଲିକତା ବା ଦିଲ୍ଲୀ ଦେଇ ଭାରତର ବିଚାର କରି ହେବ ନାହିଁ, ଠିକ୍ ସେହିପରି ରାଜଧାନୀ କୋପେନହେଗେନ୍ ଦେଇ ଡେନ୍‍ମାର୍କର ବିଚାର କରି ହେବ ନାହିଁ । ଏ ଦେଶକୁ ବୁଝିବାକୁ ହେଲେ ମୋତେ ଆହୁରି ଅନେକ ଜାଗା ବୁଲିବାକୁ ହେବ, ଆହୁରି ଅନେକ ସ୍ତରରେ ମଣିଷର ସମ୍ପର୍କରେ ଆସିବାକୁ ହେବ । ଡେନ୍‍ମାର୍କର ଚାଷୀ, ଡେନ୍‍ମାର୍କର କବି, ସର୍ବୋପରି ଡେନ୍‍ମାର୍କର ବିଦ୍ୟାପୀଠ ମତେ ମୋର ଆପଣା ଦେଶଠାରୁ ଏତେ ଦୂରକୁ ଟାଣି ଆଣିଚି । ସେହିମାନଙ୍କ ସହିତ ଅଧିକରୁ ଅଧିକ ପରିଚିତ ହୋଇ ମୁଁ ଏ ଦେଶକୁ ଜାଣିବି, ଏ ଦେଶରୁ ସାର ନେଇ ଭାରତର ଜମିରେ ବିଞ୍ଚି ଦେଇ ପାରିବି । ଏ ଦେଶରୁ Table Manners ଓ ପରିଚ୍ଛଦ-ପରିପାଟୀ ଶିଖିବାକୁ ଏବଂ ତାହାର ପ୍ରଶଂସା ବା ନିନ୍ଦା କରିବାକୁ ପରର ପଇସା ନେଇ ମୁଁ ଏଠାକୁ ଆସିନାହିଁ । My activities are to be limited to my commitments.

 

ଏହି ଅଳପ ଦିନର ପରିଚୟରେ ମୁଁ ଏକଥା ଜାଣି ଆଶ୍ଚର୍ଯ୍ୟ ହୋଇଚି ଯେ ଏ ଯୁଗର ଏତେ ଧନ ସମ୍ପଦର ଖଣି ଏହି ରାଜଧାନୀରେ ମଧ୍ୟ ମଣିଷ ଉପାସ ରହୁଚି, ଏଠାରେ ମଧ୍ୟ ବେକାର ଯୁବକ ଗଳି ଗଳି ଓ ରାସ୍ତା ରାସ୍ତା ବୁଲି ରାତି କଟାଉଚି । ଶୀତ ରାତିରେ ମୁଣ୍ଡ ଗୁଞ୍ଜିବାକୁ ସିଏ ଖଣ୍ଡେ ଘର ଯୋଗାଡ଼ କରି ପାରୁନାହିଁ, ଦେହ ଘୋଡ଼ାଇବାର କପଡ଼ା ଲାଗି ତା’ ହାତରେ ପଇସା ନାହିଁ । ତାଳୁରୁ ତଳିପା ଯାଏ ସୁନା ଛାଉଣି ହୋଇଥିବା ଓ ସମସ୍ତ ପ୍ରାପ୍ତ ଭୂମିକୁ ପ୍ରମୋଦ ଉଦ୍ୟାନ କରି ସଜାଇଥିବା ଇଉରୋପୀୟ ସଭ୍ୟତାର ସୌଖୀନ୍ ସାଜସଜ୍ଜା ପଛରେ ଏପରି ଦୈନ୍ୟ ରହିଚି କିପରି ? କେତେ ପ୍ରକାର ଡିମୋକ୍ରାସି ଓ କେତେ ପ୍ରକାର ସାମ୍ୟବାଦରେ ଏହି ଭୂଇଁର ପ୍ରାଣ ଜୁଆ ହୋଇ ରହିଚି, ତଥାପି ଏଠି ଥିଲାବାଲାଙ୍କର ଅବଜ୍ଞା ଓ ହତାଦରକୁ ବହନ କରି ମଣିଷ ପ୍ରାଣୀ ସର୍ବହରା ହୋଇ ବୁଲୁଚି କିପରି ?

 

୩ । ୧ । ୫୧

 

ଆଜି ଏଠି ବିଶ୍ଵବିଦ୍ୟାଳୟର ଛାତ୍ର ହୋଇ ଭର୍ତ୍ତି ହେଲି । ଏକ ପାଠଚକ୍ରରେ ମୌଳିକ ଶିକ୍ଷା ବିଷୟରେ ଭାଷଣ ଦେଲି । ଆଜି ବିଦେଶରେ ଜୀବନ ଯାପନ କରିବାର ପ୍ରଥମ ନିଅଁ ପଡ଼ିଲା-। ବିଦେଶୀ ସମାଜରେ ଚଳିବା ବେଳେ ଭାରି ସତର୍କ ରହିବାକୁ ଭାରତରେ ବନ୍ଧୁମାନେ ମତେ ଭାରି ସାବଧାନ କରି ଦେଇଥିଲେ । ଏଠିକାର ଆଦବକାଇଦା ଓ ଚାଲିଚଳନ ବିଷୟରେ କୁଆଡ଼େ ଭାରି ଜଗି ରଖି ଚଳିବାକୁ ହୁଏ । ଏସବୁ ସାମାଜିକ ଓ ରୀତିଗତ ସତର୍କତାର ପାଠ ଅଭ୍ୟାସ କରିବାରେ ମୁଁ କେବେହେଲେ ମନୋନିବେଶ କରି ନାହିଁ । ମୁଁ ଜଣେ ମଣିଷ, ମୋର ସମ୍ମୁଖରେ ନାନା ସ୍ଵପ୍ନ ଓ ନାନା ନିର୍ମାଣର ଚିତ୍ର ମତେ ସତ ତତ୍ପର କରି ରଖିଚି । ପାଶ୍ଚାତ୍ୟ ଜଗତର ପରିପାର୍ଶ୍ଵ ଭାରତର ପରିପାର୍ଶ୍ଵ ଠାରୁ ଯେତେ ଭିନ୍ନ ହେଲେ ମଧ୍ୟ ଏଠାରେ ବି ମଣିଷ ସେହିପରି ସ୍ଵପ୍ନ ଦେଖୁଚି, ଜଗତକୁ ସୁଖୀ କରି ଗଢ଼ିବାକୁ ଯଥାଶକ୍ତି ତତ୍ପର ହେଉଚି । ସେଇଠାରେ ହିଁ ପାଶ୍ଚାତ୍ୟ ଜଗତ ସହିତ ମୋର ଅନ୍ତରର ମିଳନ ହେବ । ସତ୍ୟପଥରେ ଜଣେ ଅନୁସନ୍ଧାନୀ ପଥିକ ହିସାବରେ ମୁଁ ମୋ’ ଦୁଆରଟିକୁ ସର୍ବଦା ମୁକ୍ତ ରଖିଥିବି, ଦରକାର ପଡ଼ିଲେ ଯାବତୀୟ କ୍ଷେତ୍ରରେ ଯେ କୌଣସି ଉତ୍ସାହୀ ସହଯାତ୍ରୀର ସାହାଯ୍ୟ ଗ୍ରହଣ କରିବି, ମୋର ନିଜ ଅଭିଜ୍ଞତା ଦ୍ଵାରା ମୁଁ ତାକୁ ମଧ୍ୟ ଉପକୃତ କରିବି, ସତ୍ୟପଥର ଜଣେ ସହକର୍ମୀ ହିସାବରେ ମୁଁ ତା’ ସହିତ ସମ୍ମିଳିତ ହେବି । ମୋର ବିଶ୍ଵାସ, ଏହି ଦୂର ବିଦେଶରେ ମଧ୍ୟ ମୁଁ ଆପଣାର ମନୋମତ କେତେଜଣ ବନ୍ଧୁ ଓ ସାଥୀ ନିଶ୍ଚୟ ପାଇବି । ମୋ’ ଲାଗି ସେତିକି ହେଉଚି ବଡ଼ ସୌଭାଗ୍ୟର କଥା-। ମୁଁ ଠିକ୍ କାଇଦା ଅନୁସାରେ ସମ୍ଭାଷଣ ବା ଅଭିବାଦନ କରି ପାରୁନାହିଁ ବୋଲି ଯେଉଁ ଅଭିମାନୀ ଆପଣାର ଦ୍ଵାରକୁ ମୋ’ ଲାଗି ବନ୍ଦ କରି ରଖିବ, ତା’ ଲାଗି ମୁଁ ମଧ୍ୟ ଖୁବ୍ ବେଶି ଦୁଃଖିତ ହେବି ନାହିଁ । ସିଏ ତା’ ବିଶେଷ ସମାଜଟିର କାଇଦାକୁ ନେଇ ସୁଖରେ ଥାଉ, ମୁଁ ମୋ’ ନିଜ ବାଟରେ ମଧ୍ୟ ଚାଲିଥାଏ ।

 

୪ । ୧ । ୫୧

 

ନୂଆ ଜିନିଷ ଦେଖି ଓ ନୂଆ ମଣିଷ ସହିତ ପରିଚିତ ହୋଇ ଏଠାରେ ଦିନ ପରେ ଦିନ ଯେ କେଡ଼େ ଚଞ୍ଚଳ ଚାଲିଯାଉଚି, ସେ କଥା ଭାବିଲା ବେଳକୁ ଭାରି ଆଶ୍ଚର୍ଯ୍ୟ ଲାଗୁଚି । ମୁଁ ଏପର୍ଯ୍ୟନ୍ତ ପାଠପଢ଼ାର ଧାର ଧାରି ନାହିଁ କହିଲେ ଖୁବ୍ ବେଶି ଭୁଲ୍‍ ହେବ ନାହିଁ । କୌଣସି ନୂଆ ଜାଗାରେ ମଣିଷର ମନ ଏଡ଼େ ଶୀଘ୍ର ନିବିଷ୍ଟ ଭାବରେ ନିଜ କାମରେ ନିୟୋଜିତ ହୋଇପାରେ ନାହିଁ । ପ୍ରଥମେ ନାନା ସ୍ଥାନରେ ଓ ନାନା ଅନ୍ତରରେ ଆପଣା ଲାଗି ଏକ ଚିହ୍ନା ଆସନ ତିଆରି ନକଲା ପର୍ଯ୍ୟନ୍ତ ତା’ର ଉତ୍ସାହ ଯେପରି କୌଣସି ମତେ ଶାନ୍ତ ହୋଇପାରେ ନାହିଁ । ନୂଆ ନୂଆ ଆସି ଆଖ ପାଖର ମଣିଷ, ଗଛ, ପଥର, ଏପରିକି ପାଣି ପବନ ସହିତ ମଧ୍ୟ ପରିଚିତ ହେବା ଲାଗି ସେ ଅଭିଳାଷ ରଖିଥାଏ ।

 

ଆଜିଠାରୁ ନିୟମିତ ଭାବେ ମୁଁ ଡେନ୍‍ମାର୍କର ଭାଷା ଶିଖିବା ଆରମ୍ଭ କଲି । ଏ ଦେଶକୁ ଜାଣିବାକୁ ହେଲେ ଏହି ଦେଶର ଭାଷାକୁ ମୋତେ ଭଲ କରି ଜାଣିବାକୁ ହେବ । ପ୍ରତ୍ୟେକ ଦେଶର ଭାଷା ସେହି ଦେଶର ଏକ ଜୀବନ୍ତ ଜଳବାୟୁ ପରି । ହଠାତ୍ ମାତ୍ର କେତେଦିନ ଲାଗି ରେଲ ମଟରରେ ବୁଲି ଦେଶ ଦେଖି ଆସିଲି ବା ଦେଶର ପାଠ ପଢ଼ି ଆସିଲି ବୋଲି କହିବାର ଦମ୍ଭ ମୁଁ କରିବି ନାହିଁ ।

 

ମନର କଳ୍ପନା ଅନୁସାରେ ମୁଁ ଏପର୍ଯ୍ୟନ୍ତ ସମୟକୁ ବାଣ୍ଟି କାମ କରିବା ଆରମ୍ଭ କରି ନାହିଁ । ନୂଆ କୁଣିଆ ପରି ଖାଲି ଅନ୍ୟମାନଙ୍କର ବରାଦ ଓ ଆୟୋଜନ ମୁତାବକ ଆପଣାର ସମୟକୁ ଠିକ୍ କରିବାକୁ ପଡ଼ୁଚି । ତେଣୁ ଏହି ଅଗତ୍ୟାଘଟିତ ଛିନ୍ନ ଶୃଙ୍ଖଳତା ବେଳେବେଳେ ଭାରି ଖରାପ ଲାଗୁଚି । କିନ୍ତୁ ସେଥିଲାଗି ମୁଁ ଅନୁଶୋଚନା କରିବି ନାହିଁ । ସମୟକ୍ରମେ ସବୁ ଠିକ୍ ହୋଇଯିବ । ଭିତରର ଅସଲ ମଣିଷ କ୍ରମେ ସମସ୍ତ କ୍ଷେତ୍ରରେ ଅତି ସହଜରେ ଆପଣାକୁ ପ୍ରତିଷ୍ଠିତ କରିନେବ ।

 

୫ । ୧ । ୫୧

 

ସମୟ ମୋ’ ଆଗେ ଆଗେ ଦଉଡ଼ି ଚାଲିଚି, ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ତାକୁ ଧରି ପାରୁନାହିଁ । ଶାନ୍ତିନିକେତନରେ ରାତି ଦଶଟା ବାଜୁ ନ ବାଜୁଣୁ ମୋତେ ନିଦମାଡ଼ି ଆସୁଥିଲା, ଏବେ ଏପାଖ ସେପାଖ ହେଉ ହେଉ ପ୍ରାୟ ସବୁଦିନେ ଗୋଟିଏ ଦୁଇଟା ବାଜୁଚି, ସକାଳକୁ ଉଠିଲାବେଳକୁ ଆଠ କି ନଅ ! ସୂର୍ଯ୍ୟୋଦୟ ହେବା ସଙ୍ଗେ ସଙ୍ଗେ ଖରା ପଡ଼ୁଥିଲା ଅବା ଉଠିବାର ଅନିୟମିତତା ବିଷୟରେ ମନ ଆପେ ଆପେ ସତର୍କ ହୋଇଯାଆନ୍ତା । କିନ୍ତୁ ପୃଥିବୀର ଏହି ଅଂଶରେ ଯେପରି ସଦାସର୍ବଦା ଏକ ଅସ୍ପଷ୍ଟତା ହିଁ ଆବୋରି ରହିଚି, ସମୟକାଳ ମୋଟେ ରହୁ ନାହିଁ । କେତେବେଳେ ଦିନ ଆସି ପୁଣି କେତେବେଳେ ଯେ ରାତି ହୋଇଯାଉଚି କିଛି ଧରାପଡ଼ୁ ନାହିଁ । ଏଠିକା ପାଗ ଅନୁସାରେ ମୁଁ କିପରି ସର୍ବୋକୃଷ୍ଟ ଭାବେ ନିଜର ଦିନଚର୍ଯ୍ୟାଟି ଠିକ୍ କରିନେଇ ପାରିବି, ମୋ’ ଲାଗି ତାହା ଏକ ସମସ୍ୟା ହୋଇପଡ଼ିଚି ।

 

ନୂଆଦେଶକୁ ଆସୁ ଆସୁ ଏଠାରେ ମୁଁ କେତେ ବନ୍ଧୁ ବାନ୍ଧିଲିଣି, କେତେ ସ୍ଥାନରେ ଆଦର ଶ୍ରଦ୍ଧା ପାଇଲିଣି । ସବୁଠାରୁ ବଡ଼ ସୌଭାଗ୍ୟର କଥା, ଏଦେଶର ଆଚାର ଓ ଆଚରଣରେ ଖୁବ୍ ବେଶି ପଟୁତା ଅର୍ଜନ କରିନଥିଲେ ମଧ୍ୟ ମୁଁ ଏତେ ଲୋକଙ୍କର ସ୍ନେହଭାଜନ ହୋଇପାରିଲିଣି, କେତେ ସ୍ଥାନରୁ ସରଳ ଓ ଅଯାଚିତ ଆଦର ପାଇଲିଣି ।

 

ବେଳେବେଳେ ମନ ଘରମୁହାଁ ହୋଇ ଅସ୍ଥିର ହୋଇ ଉଠୁଚି । ସେଇ ମାଟି, ପାଣି, ପବନ, ସେଇ ଚିହ୍ନା ନଈ, ନାଳ, ବାଟ, ଘାଟ, ନାନାଭଳି ସମ୍ବନ୍ଧରେ ମତେ ବାନ୍ଧିରଖିଥିବା ସେ ଦେଶର ଦରିଦ୍ର ମଣିଷ ଏଠାରେ ମତେ ଯେପରି ତାହାରି ଅଭାବରେ ବଡ଼ ବିକଳ କରି ପକାଉଚି । ସେହି ଦେଶଠାରୁ ବର୍ତ୍ତମାନ ତିନିଚାରି ବର୍ଷଲାଗି ସାତହଜାର ମାଇଲ ଦୂରରେ ରହିବାକୁ ହେବ, ମୁଁ ହଠାତ୍ ଏକଥା କଳ୍ପନା ସୁଦ୍ଧା କରି ପାରୁନାହିଁ । ଏହି ମାସକ ଭିତରେ ମତେ କେତେ ପରିବର୍ତ୍ତନ ଘଟିନଗଲା, ବ୍ୟବସ୍ଥିତ ଜୀବନର ସବୁ ବ୍ୟବସ୍ଥା ସତେ କେଡ଼େ ଚଞ୍ଚଳ ଭାଙ୍ଗି ନପଡ଼ିଲା ।

 

୬ । ୧ । ୫୧

 

‘Everything is well with this world’–ଏହିପଋ ଗୋଟିଏ ଅତିରିକ୍ତ deterministic ଯୁକ୍ତିରେ ଯେଉଁମାନେ ଜଗତରେ ସମସ୍ତ ଦାୟିତ୍ଵକୁ ଭଗବାନଙ୍କର ପୂର୍ଣ୍ଣକର୍ତ୍ତୃତ୍ଵ ଉପରେ ଲଦିଦେଇ ନିଶ୍ଚିନ୍ତ ହୋଇଯାଆନ୍ତି, ସେମାନଙ୍କର ବିଚାର ଓ ଯୁକ୍ତିରେ କେଉଁଠି ଗୋଟିଏ ମୌଳିକ ଭ୍ରାନ୍ତି ରହିଗଲାପରି ଲାଗେ । ଜଗତର ଚରମ ମଙ୍ଗଳ ଓ କଲ୍ୟାଣ ଉପରେ ବିଶ୍ଵାସ ରଖିବା ଅବଶ୍ୟ ଏକ ସୁସ୍ଥ ଧର୍ମଦୃଷ୍ଟିର ନିଦର୍ଶନ, ଏହି ଯୁଗର ନାନା ଦ୍ଵନ୍ଦ୍ଵ, ଦ୍ଵେଷ ଓ ଜଟିଳତା ସତ୍ତ୍ଵେ ଯେଉଁମାନେ ତଥାପି ସତ୍ୟ ଓ ଶ୍ରଦ୍ଧାର ଅନ୍ତିମ ବିଜୟ ଉପରେ ଆସ୍ଥା ରଖିଚନ୍ତି, ସେମାନେ ମୋର ନମସ୍ୟ । ସେମାନଙ୍କର ଏହି ଆସ୍ଥା ମୋତେ ତଥାପି ଯେପରି ପୂର୍ଣ୍ଣ ହୃଦବୋଧ ଦେଇ ପାରେନାହିଁ-

 

ହୁଏତ ପୂର୍ବଜନ୍ମର ସୁକୃତ ଫଳରୁ ମୋର ପେଟ ଭାରି ସହଜରେ ଓ ବିନା ଶ୍ରମରେ ପୂରିଯାଉଚି, ହୁଏତ ଭାଗ୍ୟବଳରୁ ମୁଁ ମୋ’ ଘରେ ଦୈନନ୍ଦିନ ଜୀବନର ଯାବତୀୟ ଆରାମ ଆବଶ୍ୟକ ମତେ ପାଇପାରୁଚି । କିନ୍ତୁ ସଂସାରରେ ଆଜି ମଧ୍ୟ ବହୁସଂଖ୍ୟକ ମଣିଷ ବାସ ପାଉନାହାନ୍ତି, ବହୁସଂଖ୍ୟକ ମଣିଷ ପେଟ ଶାନ୍ତି କରି ପାରୁନାହାନ୍ତି । ଧନୀ ମନର ନାନା କୁଟିଳ ଆବର୍ତ୍ତ ଭିତରେ ଆପଣାର ସ୍ଵାଭାବିକତାକୁ ହଜାଇଦେଇ ଜଗତ ଆଜି ଶେଷ ହେବାକୁ ବସିଲାଣି । ସାଧୁ ପରିଶ୍ରମଦ୍ଵାରା ସୁଖୀ ସଂସାର ଗଢ଼ିବାରେ ବ୍ୟାପୃତ ଥିବା ସାଧାରଣ ମଣିଷ ସବୁ କଳ୍ପନାକୁ ପୋଡ଼ିଜାଳି ସଂସାର ଉପରକୁ ଗୋଟାକ ପରେ ଗୋଟାଏ ଯୁଦ୍ଧ ମାଡ଼ିଆସୁଚି । ତଥାପି ଦେଶ, ଜାତି, ଗଣତନ୍ତ୍ର ଓ ନୈରାଜ୍ୟତନ୍ତ୍ର ପ୍ରଭୃତି ନାନା ମାର୍କାର ପ୍ରହସନ ଦେଖାଇ ଭଣ୍ଡାରଘରକୁ ଆତ୍ମସାତ୍ କରିଥିବା ଶାସକ ଏବେ ମଧ୍ୟ ଅଭିନୟ କରୁଚି । ସତ୍ୟ, ଶାନ୍ତି, ଦୟା, କ୍ଷମା ସବୁ ଯେପରି ଆଜି ତାହାରି ହୀରାରେ ତିଆରି ହୋଇଥିବା ଦାନ୍ତ ଉପରର ହସ ଦ୍ଵାରା ନିତି ଦାଣ୍ଡରେ ବେଜିତ୍ ହେଉଚି । ସବୁଠାରେ ଯେପରି ସକଳ ପ୍ରକାର ଶୁଭକୁ challenge ଦେଇ ଅଶୁଭ, ଅଧର୍ମ ଓ ଅପ୍ରାକୃତିକ ଆପଣାକୁ ପ୍ରତିଷ୍ଠିତ କରି ରଖିଚି । ତଥାପି ହୁଏତ ମୁଁ କହିବି ଯେ ସବୁ ଠିକ୍ ହୋଇଯିବ, ଅଚିରେ ଭଗବାନଙ୍କର ରାଜ୍ୟ ସଂସ୍ଥାପିତ ହେବ, ଶାନ୍ତି ବିରାଜମାନ କରିବ । ଏହି ଲୋଭନୀୟ ସାମ୍ରାଜ୍ୟଟି ପ୍ରତିଷ୍ଠିତ ହେବାଲାଗି ଅନ୍ଦାଜ ଆଉ କେତେବର୍ଷ ଲାଗିବ, ସେପରି ଗୋଟିଏ ଚାରିସଂଖ୍ୟା ବିଶିଷ୍ଟ ସମୟସୀମାର ଘୋଷଣା କରିଦେବାକୁ ମଧ୍ୟ ମୁଁ ହୁଏତ ପଛେଇବି ନାହିଁ । ଆପେ କୌଣସି ପ୍ରକାର challengeର ଉତ୍ତର ନଦେଇ ସବୁ ସେହ ଅଦୃଶ୍ୟ ନିୟନ୍ତାର କାନ୍ଧଉପରକୁ ଟେକିଦେଇ ଭକ୍ତବୃନ୍ଦ ପରିବେଷ୍ଟିତ ହୋଇ ରହିବାର ଏହି ନିଶ୍ଚିନ୍ତ ଆଶାବାଦ ଭିତରେ ଯେପରି ଅନେକ ଭ୍ରମ ଓ ଭୁଲ୍‍ ରହି ଗଲାପରି ମନହୁଏ ।

 

ଅଧର୍ମ ନାଶ କରି ଧର୍ମର ସଂସ୍ଥାପନ ଲାଗି ଭଗବାନ ବାରବାର ଏହି ସଂସାର ଚକ୍ରରେ ହସ୍ତକ୍ଷେପ କରନ୍ତି, ବାରବାର ପ୍ରାଣ ବିନାଶି ପୁଣ୍ୟର ରାଜ୍ୟ ପ୍ରତିଷ୍ଠା କରନ୍ତି । କିନ୍ତୁ ଏହି ମନୁଷ୍ୟ ସମାଜର ବରପୁତ୍ରମାନଙ୍କର ଜୀବନ ମଧ୍ୟଦେଇ ହିଁ ସେ ଆପଣାର ଇଚ୍ଛା ପୂର୍ଣ୍ଣ କରନ୍ତି । ପାପ ବ୍ୟବସ୍ଥାର ସଂତ୍ରାସ ସଂଘଟିତ ମୌନକୁ ଭାଙ୍ଗିଦେଇ ସେହି ଧର୍ମପୁତ୍ରମାନେ ହିଁ ପ୍ରଥମେ ଅନାଗତର ବାଣୀ ଘୋଷଣା କରନ୍ତି, ବୀର ପରି ପ୍ରଥମେ ସେହିମାନେ ହିଁ ଯୁଗର ଦଂଶନକୁ ବହନ କରିନିଅନ୍ତି-। ସେଯୁଗର ଯୀଶୁଖ୍ରୀଷ୍ଟ ପରମପିତାଙ୍କର ଉଦ୍ଦେଶ୍ୟ ଅବଶ୍ୟ ପୂରଣ ହେବାର ଦ୍ଵାହିଦେଇ ଆଦୌ ନିଶ୍ଚିନ୍ତ ହୋଇ ବସିନାହାନ୍ତି । ଅନ୍ୟାୟର ପ୍ରତିରୋଧ କରିବାର ଦୃଷ୍ଟାନ୍ତ ଦେଖାଇ ତାଙ୍କୁ ମଧ୍ୟ ଦେବାଳୟ ବେଢ଼ାଭିତରେ ବସିଥିବା ବେପାରୀଙ୍କର ବିପଣିକୁ ଭାଙ୍ଗି ଦେବାକୁ ପଡ଼ିବ, ନୂତନ ସାମ୍ରାଜ୍ୟର ପଥ ଦେଖାଇଦେବାକୁ ଯାଇ ପୁରାତନର challengeକୁ ପ୍ରଥମ ସେଇ ଆପଣର ଜୀବନ ଦେଇ ଗ୍ରହଣ କରିଚନ୍ତି । ଏ ଯୁଗର ଗାନ୍ଧୀ ଜୀବନର କାର୍ଯ୍ୟକଳାପ ଏପର୍ଯ୍ୟନ୍ତ ଆମ ମନରୁ ଲିଭି ନାହିଁ । ଜଗତର ଅସଂଖ୍ୟ ପ୍ରାଣ ବିକଳ ଓ ଦୈନ୍ୟଗ୍ରସ୍ତ ହୋଇ ପଡ଼ିଥିଲା ପର୍ଯ୍ୟନ୍ତ ମଣିଷ ସମାଜର ପ୍ରତିନିଧିକୁ କିପରି ସକଳ ନିର୍ମାଣ ସଂଗ୍ରାମରେ ଆଗୁଆ ହୋଇ ରହିବାକୁ ପଡ଼ିବ, ଆପଣାର ଜୀବନ ଓ ମୃତ୍ୟୁ ଦ୍ଵାରା ଗାନ୍ଧୀ ତାହାହିଁ ପ୍ରମାଣ କରିଚନ୍ତି । ଭଗବାନଙ୍କର ସାମ୍ରାଜ୍ୟଲାଗି ସକଳ ପ୍ରତିକୂଳତା ଓ ସକଳ ଦଂଶନର ସମ୍ମୁଖୀନ ହେବାଭଳି ଜଣେ Prophet ଲାଗି ଆଜି ଜଗତ ତଥାପି ଅନାଇ ରହିଚି ।

 

୭ । ୧ । ୫୧

 

ନାନାପ୍ରକାର ବିନୋଦନରେ ଦିନ ପରେ ଦିନ ଚାଲିଯାଉଚି । ନୂଆ ଦେଶ ଓ ନୂଆ ସମାଜର ବିଭିନ୍ନ ଦିଗକୁ ଭଲ କରି ଦେଖିବାଲାଗି ମୁଁ ବି ବନ୍ଧୁମାନଙ୍କର ସକଳ ପ୍ରସ୍ତାବରେ ହଁ ଭରି ଦେଉଚି । ବେଶ୍ କଟୁଚି ଏଇ ଦିନ ଗୁଡ଼ିକ । ଯେପରି ଏହି କେତେଦିନ ହେଲା ଜୀବନର ଝରଣା ଅଧା ବାଟରେ ଗୋଟାଏ ହ୍ରଦ ଭିତରେ ଆସି ପଡ଼ିଯାଇଚି । ଏହି ଝରଣାର ସମସ୍ତ ବେଗ, ସକଳ ଉତ୍ସାହ ଓ ସକଳ ଜୀବନ ଯେପରି ହ୍ରଦର ଆଶ୍ରୟ ଭିତରେ ହିଁ କୁଆଡ଼େ ହଜିଯାଇଚି । ପୁଣି ବନ୍ଧ ଡେଇଁ, ଏହି ଆଧାରର ଜଳ ଉଛୁଳାଇ ଆର ପାଖକୁ ଯିବାକୁ ପଡ଼ିବ, ଟାଣୁଆ ମାଟିରେ ଆପଣା ଗତି ପଥର ଗାର କାଟିବାକୁ ପଡ଼ିବ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ପରିପୂର୍ଣ୍ଣ ରୂପେ ବଞ୍ଚିବାକୁ ପଡ଼ିବ ।

 

ଏଠିକାର ରେଳ ଓ ମଟର ପରି ଏଠିକା ମଣିଷ’ ମଧ୍ୟ ଚଞ୍ଚଳ, ତା’ର କାର୍ଯ୍ୟକଳାପ ଯେପରି ମୁହୂର୍ତ୍ତ ପରେ ମୁହୂର୍ତ୍ତ ସହିତ ଏକାଠି ଗୁନ୍ଥା ହୋଇ ତିଆରି ହୋଇଥିବା ଏକ ରଜ୍ଜୁ ପଥରେ ସତତ ଧାବମାନ । କାହାରି ଲାଗି ଟିକିଏ ହେଲେ ଅବସର ନାହିଁ । ଅଧିକ ପାଇବା ଆଶାରେ, ଅଧିକ ସରଞ୍ଜାମ ଉପଭୋଗ କରିବା ଲାଗି ସମର୍ଥ ହେବାର ଅଭିଳାଷରେ ଏମାନେ ଏଠି କି ଖଟଣି ଖଟୁନାହାନ୍ତି । ଛୋଟିଆ କୋଠରୀ କେଇଟିରେ ଚଉକି, ଟେବୁଲ, ବାଜା, ଗାଲିଚା, ଚିତ୍ର ଓ ଅନ୍ୟାନ୍ୟ ସୌଖୀନ ପଦାର୍ଥମାନ ଭର୍ତ୍ତି କରିବାରେ ସବୁ ଗୃହସ୍ଥ ଓ ଘରଣୀ ଏଠି ଯେପରି ସବୁବେଳେ ସ୍ଵପ୍ନ ଦେଖୁଚନ୍ତି । କୌଣସି ଛୋଟିଆ ଗଳିର ପାଞ୍ଚତାଲା ଉପରେ ହୁଏତ ବଖରାଏ ଦି’ବଖରା ଘର ନେଇ ଗୋଟିଏ ଗୋଟିଏ ପରିବାର ଆପଣା ଆପଣାର ସଂସାରକୁ ତିଆରି କରିବାରେ ସଦାସର୍ବଦା ବ୍ୟସ୍ତ ରହିଚନ୍ତି । ଆକାଶ ଆଲୋକ ଓ ପବନ ବୋଲି କୌଣସି ଜିନିଷ ଏହି ସଂସାରରେ ଅଛି କି ନାହିଁ, ହୁଏତ ଏମାନେ କେବେ ଭାବିବାକୁ ବି ସମୟ ପାଇନାହାନ୍ତି ।

 

୧୦ । ୧ । ୫୧

 

ଦୁଇ ଦିନ ଆପଣାର ଦିନଚର୍ଯ୍ୟାକୁ ଫାଙ୍କି ଦେଇ ମୁଁ ଆଜି ଆପେ ଆପେ ବଡ଼ ଲଜ୍ଜିତ ହୋଇପଡ଼ିଚି । ସଂସାରରେ ମୁଁ କେବେହେଲେ କୌଣସି ପ୍ରକାରର idol ବା ପୁତୁଳାକୁ ସ୍ଵୀକାର କରି ନାହିଁ । କୌଣସି ପ୍ରକାର କଳ୍ପନା ପାଖରେ ମୁଁ ଆପଣାର ସକଳ ଆନୁଗତ୍ୟକୁ ବିକି ଦେଇ ପାରିନାହିଁ । କିନ୍ତୁ କେବଳ ଏହି ଖାତାଟି ପାଖରେ ଯେ ମୁଁ କିପରି ଶପଥ ବଦ୍ଧ ହୋଇରହିଚି, ସେକଥା କେବଳ ମୁଇଁ ଜାଣେ । ଦିନେ ଆପଣାର କର୍ତ୍ତବ୍ୟ କରି ନପାରିଲେ ଯେପରି ଏହି ଖାତାର ଖାଲି ପୃଷ୍ଠା ଉପରୁ କିଏ ତାର ବିନ୍ଧିଲା ପରି ସତର୍କବାଣୀରେ ଅସ୍ଥିର କରିପକାଏ । ମୋର ସକଳ ଆବେଗ ଓ ଉତ୍ପାଦର ଆଧାରଭୂତ Taboo ପରି ଏହି ଖାତା କେଉଁଦିନ ଠାରୁ ଯେ ମୋତେ ବାଟ ଚଲାଇ ଓ ଜୀବନ ବଞ୍ଚି ଶିଖାଇଲାଣି, ତାହା ମୁଁ କହି ପାରିବି ନାହିଁ । ପିଲାଦିନେ ଗୋଟାଏ ପିଲାଳିଆ କୌତୁହଳ ନେଇ ମୁଁ ଦୈନିନ୍ଦିନ ଲିପି ରଖିବା ଆରମ୍ଭ କରିଥିଲି, ବାଛି ବାଛି ନାନା କବିତ୍ଵମୟ ନିରର୍ଥକତାରେ କାଗଜ ପୂର୍ଣ୍ଣ କରିବାକୁ ସେହି କିଶୋର ବୟସରେ ଭାରି ଭଲ ଲାଗୁଥିଲା । କିନ୍ତୁ ଏଇ କେତେଟା ବର୍ଷ ଭିତରେ ସେହି ପିଲାଳିଆ କୌତୁହଳଟି ଯେପରି ମୋର ପ୍ରାଣନାଟିକା ପରି ହୋଇଯାଇଚି । ସତେ ଯେପରି ଅଧାବାଟରେ ସବୁ ପ୍ରକାର ସୁଖ, ଦୁଃଖ, ବ୍ୟର୍ଥତା ଓ ସଫଳତାର ଗୋଟିଏ ସ୍ତୂପୀକୃତ କାହାଣୀ ଏହି ଖାତାରେ ପ୍ରାଣ ପାଇ ଉଠିଚି । ଜୀବନର କେତେ ଅବସନ୍ନ ମୁହୂର୍ତ୍ତରେ ଏହି ଖାତା ଭିତରୁ ମୁଁ ଯେପରି କେଉଁ ପରମ ମିତ୍ରର ଆଶ୍ଵାସବାଣୀ ଶୁଣିବାକୁ ପାଇଚି । ଦୁଃଖ ବେଳେ କୋଳରେ ଧରି ଓ ମୋହ ବେଳେ ଧିକ୍‌କାର ଦେଇ ସେହି ମିତ୍ର ମୋତେ ସବୁବେଳେ ଜାଗରୁକ କରି ରଖିଚି । ଏପରି ଏକ ମିତ୍ର ପାଇ ନଥିଲେ, ଏପରି ଏକ ସ୍ଵାଭାବିକ ଉପାୟରେ ମୁଁ ଆପଣାର କଳ୍ପନାକୁ ଠୁଳ କରି ଦେଖି ପାରୁ ନଥିଲେ ମୁଁ ସତେ ଅବା ଜନ୍ମ ଲାଭ ହିଁ କରି ପାରୁନଥାନ୍ତି ଆଜି ଅତି କ୍ଷୋଭରେ ଓ ଅତି ଅନୁତାପରେ ଗତ ଦିବସର ବିସ୍ମରଣ ସକାଶେ କ୍ଷମା ମାଗି ଯାଉଚି । ମୋର ପ୍ରଭୁ ମୋତେ ପୁଣି ଉତ୍ତୋଳିତ କରି ଧରି ରଖୁ !

 

୧୧ । ୧ । ୫୧

 

These friends of India ! ଭାରତ ବର୍ଷର ପରମ ବନ୍ଧୁ ବୋଲାଉଥିବା ଜଣେ ଭଦ୍ର ମହିଳାଙ୍କ ଘରେ ଆଜି ସଞ୍ଜବେଳଟା ବ୍ୟର୍ଥ କରି ଆସିଲି । ଦୀର୍ଘ ପାଞ୍ଚ ଘଣ୍ଟା କାଳ ସିଗାରେଟ ଓ ଚୁରୁଟର ଧୂଆଁ ଭିତରେ ମୁଁ ସତେ ଯେପରି ଅଣନିଃଶ୍ଵାସୀ ହୋଇ ପଡ଼ୁଥିଲି । ଏହି ଭଦ୍ର ମହିଳା କୁଆଡ଼େ କୋଡ଼ିଏ ବର୍ଷ ତଳେ ଗାନ୍ଧୀଙ୍କ ସହିତ କଥାବାର୍ତ୍ତା କରିଚନ୍ତି, ମୋତିଲାଲ ନେହେରୁଙ୍କ ଘରେ ଅତିଥି ହୋଇଚନ୍ତି । ତେଣୁ ଏଠାକୁ ଆସି ତାଙ୍କ ସହିତ ସାକ୍ଷାତ କରିବାକୁ ଯିବା ମୋର ପରମ କର୍ତ୍ତବ୍ୟ ବୋଲି ବନ୍ଧୁ ମାନେ ପରାମର୍ଶ ଦେଲେ ।

 

ନିରକ୍ଷର, ନିରନ୍ନ ଓ ନିଷ୍ପ୍ରାଣ ଭାରତ; ସିଏ ଯେ କିପରି ଏହି ଗାଲିଚା ପରା, ସିଗାରେଟ ଧୂଆଁର ବିଳାସରେ ରୋମାଣ୍ଟିକ୍ ହୋଇ ରହିଥିବା ଘର ସହିତ ବନ୍ଧୁ ବାନ୍ଧିବ, ସେକଥା ମୁଁ କଳ୍ପନା କରି ପାରିଲି ନାହିଁ । ଭାରତର ମଣିଷକୁ ମଣିଷ ପରି ଚିହ୍ନିବାକୁ ଏ ଦେଶରେ କଣ ଜଣେ ହେଲେ ମଣିଷ ନାହିଁ ? ସେଠି ମୋ’ରି ଚାରିପାଖରେ ମୁଁ ଶହ ଶହ ଭାଇ ଭଉଣୀଙ୍କର ରୁକ୍ଷ ନୀରସ ଜୀବନଯାତ୍ରା ଦେଖିକରି ଆସିଚି, ବର୍ଷେ ବା ମାସେ ଲାଗି ଦିଲ୍ଲୀ ଓ ବମ୍ବେର ଟାଟା-ବିର୍ଲାମାନଙ୍କ ସହିତ ପରିଚିତ ହୋଇ ଆସିଥିବା ତଥାକଥିତ ଭାରତ ପ୍ରେମୀମାନଙ୍କୁ ମୁଁ ବନ୍ଧୁ ବୋଲି ସ୍ଵୀକାର କରିବି କିପରି ? ଦୁଇ ପରସ୍ତ ଚାହା ଖିଆହେଲା ତାଙ୍କ ଘରେ, ଫଳ ଓ ମିଷ୍ଟାନ୍ନର କୌଣସି ତ୍ରୁଟି ହୋଇନଥିଲା ।

 

And a doctor of psychology from India sewed the drinks ! ସେଇ ଭାରତର ପଇସାରେ ବିଲାତରୁ ଡିଗ୍ରୀ ନେଇ ସେ ଫେରନ୍ତା ପଥରେ ଇଉରୋପ ବୁଲି ବାହାରିଚନ୍ତି । ଦିନକୁ କୁଆଡ଼େ ଶହେ ସିଗାରେଟ ଖାଇଲେ ମଧ୍ୟ ତାଙ୍କର ଆପତ୍ତି ନାହିଁ । ପାଶ୍ଚାତ୍ୟ ସଭ୍ୟତାର ଗୋଟିଏ ନକଲି specimen ହୋଇ ସେ ନିଜେ ଦେଶକୁ ଫେରୁଚନ୍ତି । ସେଠି କୌଣସି ବିଶ୍ଵବିଦ୍ୟାଳୟରେ ମୋଟା ଦରମାରେ ଚାକିରୀ କରିବେ । ଦୁଇ ବରଷର ବିଦେଶୀ ପାଣି ତାଙ୍କୁ ବେଶ୍ smart କରିପାରିଚି ।

 

୧୨ । ୧ । ୫୧

 

ଦିନମାନ ମଣିଷ ଭିଡ଼ରେ ଆପଣାକୁ ଇତସ୍ତତଃ କରି ମୁଁ ରାତି ଗୋଟାଏ ବେଳେ ଘରକୁ ଫେରୁଚି । ଅବିରାମ ତତ୍ପରତାରେ ଯେ ଏପରି କ୍ଳାନ୍ତି ରହିଚି, ମୁଁ ଆଗରୁ ତାହା ଅନୁଭବ କରିନଥିଲି । କେତେ ଗପିଲି, କେତେ ଧନ୍ୟବାଦ ପାଇଲି ଓ ଧନ୍ୟବାଦ ଦେଇଆସିଲି, ତଥାପି ମୁଣ୍ଡ ଭିତରଟା ଖାଲି ଖାଲି ଲାଗୁଚି । ଗୋଟାଏ ଅତି କ୍ଳାନ୍ତିକର ତପ୍ତ ବାଷ୍ପ ଯେପରି ମୋ’ ଚିତ୍ତର ସକଳ ଆଧାରକୁ ଆଚ୍ଛାଦିତ କରି ରହିଚି । ଦିନମାନର କୌଣସି ସମସ୍ୟା ସମାହିତ ହୋଇପାରି ନଥିଲା ପରି ଲାଗୁଚି, ଏତେ ଏପାଖ ସେପାଖ ହୋଇ ମଧ୍ୟ ଦିନଟା ଖାଲି ନିକିମା ହୋଇ ଚାଲି ଯାଇଥିବା ପରି ମନେ ହେଉଛି । ମୁଁ ଏଥିଲାଗି କାହାକୁ ଦୋଷ ଦେବି ?

 

କର୍ମଠତା ଓ କର୍ମତତ୍ପରତା, ଶକ୍ତି ଓ ଚଳନଶୀଳତା, ପାଶ୍ଚାତ୍ୟ ସଭ୍ୟତାରେ ଏଗୁଡ଼ିକ ବିଶେଷ ବିଶେଷ ସ୍ଵଭାବ ବୋଲି ମୁଁ ବହିରେ ପଢ଼ିଥିଲି । କିନ୍ତୁ କେଉଁଥିପାଇଁ ଏ ତତ୍ପରତା, ଏହି ଶକ୍ତି-ଖରଚ କେଉଁ ଦେବତାର ଆପ୍ୟାୟନ ଲାଗି କରାଯାଉଚି ? ଦୂର ଆଗ ଲାଗି ଏଠି ମଣିଷର ଯେପରି କୌଣସି ଭାବନା ନାହିଁ, ଦୈନନ୍ଦିନ ଜୀବନର ନାନା ଜଟିଳ ଆଚାର ବିଚାରରେ ଏଠିକାର ସହଜ ମନ ନଷ୍ଟ ହୋଇ ଯାଉଥିବା ପରି ମନେ ହେଉଛି । ସହସ୍ର ପ୍ରକାର ରୀତିରେ ସେହି ଆଚାର ବିଚାରକୁ ବଜାୟ ରଖିବା ଲାଗି ଏହି ସଭ୍ୟତା ଯେପରି ଇତସ୍ତତଃ ହୋଇ ଧାଇଁଚି । ଧାରଣା ଉପରୁ ଖସି ଓଲଟି ପଡ଼ିଥିବା ଗାଡ଼ିର ଚକ ପରି ଏଠାକାର ଜୀବନ କେବଳ ବୁଲୁଚି । କେବଳ ବେଗ ହିଁ ଏହାର ଧର୍ମ, କିନ୍ତୁ ମୁଁ ଏହାକୁ ପ୍ରଗତି ବୋଲି କହିବି ନାହିଁ । ଜୀବନର ଯାବତୀୟ କ୍ଷେତ୍ରକୁ ଗ୍ରାସ କରି ସେହି ବେଗ ହିଁ ଏଠି ସଭ୍ୟତାର ମୂଳ ପ୍ରବୃତ୍ତି ପରି ହୋଇଗଲାଣି । ଅଧିକରୁ ଅଧିକ ବେଗ ହାସଲ କରିବାର ଏହି ଉଦବେଗର ଶେଷ କେଉଁଠି ?

 

ସକାଳ, ସଞ୍ଜ ବା ରାତି କୌଣସିଟିକୁ ମୁଁ ଅନ୍ତର ଭିତରେ ଧରି ରଖି ପାରୁନାହିଁ । ପ୍ରକୃତିର ପ୍ରାଙ୍ଗଣରେ ନିତ୍ୟ ଏହି ବେଶବଦଳା ଚାଲିଥିବା ବେଳେ ମୁଁ ଆପଣାକୁ ଯଥାର୍ଥ ଭାବରେ ତିଆରି କରି ସେହି ଅଭିଷେକ-ଉତ୍ସବର ଦୁଆରେ ବସାଇ ଦେଇ ପାରୁନାହିଁ । କ୍ରମେ ପ୍ରାଣ ଭିତରର ସୂର୍ଯ୍ୟଟା ଯେପରି ଶୀତଳ ଓ କର୍ମହୀନ ହୋଇପଡ଼ୁଚି । ଜାଣେନା, ତିନି ବରଷ ପରେ ତା’ର କିରଣ ବି ବଞ୍ଚି ରହିଥିବ କି ନାହିଁ ।

 

୧୩ । ୧ । ୫୧

 

ସକାଳ ନିତି ସଞ୍ଜ ହେଉଚି, ରାତି ପୁଣି ସକାଳ ହୋଇ ଆପଣାକୁ ପ୍ରକାଶିତ କରୁଚି । କିନ୍ତୁ ତାହାରି ସଙ୍ଗେ ସଙ୍ଗେ ମୁଁ ଯେପରି ଆପଣାକୁ ପ୍ରକାଶିତ କରି ପାରୁନାହିଁ । ଅମୁକ ଭଦ୍ରଲୋକ ବା ଭଦ୍ରମହିଳାଙ୍କ ଘରେ ଅମୁକ ସମୟରେ ଅତିଥି ହେବାକୁ ହେବ, ଏତେଟା ଏତେ ମିନିଟରେ ଅମୁକ ଗଳିରେ ଅମୁକ ବନ୍ଧୁଙ୍କୁ ଭେଟିବାକୁ ହେବ, ଏହି ସବୁର ବରାଦ ମେଣ୍ଟାଉ ମେଣ୍ଟାଉ ମୋର ଦିନ ଗଡ଼ିଯାଉଛି । ରାତିରେ ସଂସାରରୁ ବିଦାୟ ନେଲାବେଳେ ମୁଁ ଯେପରି ସବୁଦିନେ ଆପଣା ଶୂନ୍ୟତାର ଲାଜରେ ଅପରାଧୀ ହୋଇପଡ଼ୁଚି ।

 

ଏ ଜୀବନରେ ସ୍ୱାଭାବିକତା ନାହିଁ, ଏଠିକାର ନାନା କୃତ୍ରିମ ବାଡ଼ ସକଳ ପ୍ରକାର ଅପାର୍ଥିବ ସଂଯୋଗକୁ ଅସମ୍ଭବ କରି ରଖିଚି । ଏଠାରେ ସବୁକ୍ଷେତ୍ରରେ ଜୀବନର ବ୍ୟବସାୟଗତ ଦିଗଟା ହିଁ ରାଜତ୍ଵ କରୁଚି । କେତୋଟି ନିର୍ଦ୍ଦିଷ୍ଟ ନିୟମର ଧାରଣା ସୀମା ମଧ୍ୟରେ ଏଠି ପୃଥିବୀ ଯାକର କାରବାର ଚାଲିଚି । ମଣିଷର ଉତ୍ତମ ପାଖଟାକୁ ଦେଖିବା ଲାଗି କାହାରି ତର ନାହିଁ । ଏହି ଆଧ୍ୟାତ୍ମିକ ଭୂମିଟିର ଅଭାବରେ ଏଠିକାର କଳା, ସାହିତ୍ୟ ଓ ସଙ୍ଗୀତ ମଧ୍ୟ ଯେପରି ଅନେକ ପରିମାଣରେ ନୀରସ ଓ ନିପାତନ ସିଦ୍ଧ ହୋଇ ରହିଚି ।

 

ଇଉରୋପର ଆଧ୍ୟାତ୍ମିକ ଇତିହାସକୁ ନିରୀକ୍ଷଣ କଲେ ଗୋଟାଏ ବିଶେଷ କଥା ଆଖିରେ ପଡ଼ିଯାଏ । ଏଠି ସମାଜରେ ଧର୍ମର ଅଭ୍ୟାସ ହୋଇଥିବାର ଦୃଷ୍ଟାନ୍ତ ଅତି ବିରଳ । ଏଠିକାର ଧର୍ମଚର୍ଯ୍ୟା ପ୍ରଧାନତଃ Church ବା Monasteryର କୁଳବଧୂ ହୋଇ ରହିଚି । ହୁଏତ ସେଇଥିଲାଗି ସାଧାରଣ ଜୀବନରେ ସପ୍ତାହକେ ଦିନଟିଏ ଭଗବାନଙ୍କର ପ୍ରାର୍ଥନାରେ ସମବେତ ହେବା ବ୍ୟତୀତ ଏଠି କୌଣସି ଧାର୍ମିକ ସୂଚନା ହିଁ ନାହିଁ । ଇଉରୋପକୁ ବୁଝିବାକୁ ହେଲେ ଏଠିକା ଜୀବନର ଏହି Compartmentalismଟିକୁ ମନେ ରଖିବାକୁ ହେବ ।

 

୧୪ । ୧ । ୫୧

 

ଦିନ ପରେ ଦିନ ଚାଲିଯାଉଚି, ତଥାପି ଯେପରି ମୋ’ ପ୍ରାଣର Canvas ଉପରେ ମୁଁ ଜୀବନଶିଳ୍ପୀର ତୁଳୀସ୍ପର୍ଶ ହିଁ ଅନୁଭବ କରି ପାରୁନାହିଁ । ଖାଉଚି, ଶୋଉଚି, ପଢ଼ୁଚି, ବନ୍ଧୁ ବାନ୍ଧୁଚି; ତଥାପି କୌଣସିଥିରେ ଯେପରି କୌଣସି ଆସ୍ଵାଦ ନାହିଁ । କୌଣସି ପ୍ରସଙ୍ଗରେ ବି ଅନ୍ତର ଉଦ୍‌ଭାସି ଉଠୁ ନାହିଁ ।

 

ଅଭାବଟା ଠିକ୍ କେଉଁଠି ରହୁଚି କେଜାଣି ? ମୁଁ ନୂଆ ଜାଗାକୁ ଆସିଚି, ଏଠିକା ଜୀବନର ନୂଆ ନୂଆ Conceptsର ସମ୍ମୁଖରେ ଏପର୍ଯ୍ୟନ୍ତ ମୁଁ ଆପଣାକୁ ହୁଏତ ଖାପ ଖୁଆଇ ଠିଆ କରି ପାରିନାହିଁ । ସ୍ରୋତ ମୁହଁର କୁଟାଖଣ୍ଡେ ପରି ମୁଁ ଯେପରି ଅନ୍ୟ କାହାର ଇଚ୍ଛାରେ ଅନ୍ୟ କାହାର ବାଟରେ ଅନିଶ୍ଚିତ ଭାବରେ ଧାଇଁଚି । ମଝିରେ ମଝିରେ ହୁଏତ ଛୋଟବଡ଼ ଘଟଣାବର୍ତ୍ତରେ ପଡ଼ି ଘୂରିଲା ବେଳେ ଜଳାବର୍ତ୍ତରେ ପଡ଼ି ଯାଇଥିବା କୁଟାପରି ମୁଁ ଆପଣାର ଶୋଚନୀୟ ଅବସ୍ଥାରେ ଶଙ୍କିତ ହୋଇଉଠୁଚି । ଏପରି ଏକ କ୍ଷେତ୍ରରେ ଆପଣାର ସାରଟିକକୁ ରକ୍ଷା କରିବାର ସଂଘର୍ଷରେ ବଳ ଖରଚ କରିବା ଲାଗି ହୁଏତ କୌଣସି ଆବଶ୍ୟକତା ନଥିଲା । ହୁଏତ ଆପଣା ଦେଶ ବା ଆପଣା ଅଞ୍ଚଳର କ୍ଷୁଦ୍ର କ୍ଷେତ୍ରରେ ମୁଁ ଆପଣାକୁ ଅଧିକ ସ୍ଵାଭାବିକ ଓ ସଜୀବ ଭାବରେ ପ୍ରତିଷ୍ଠିତ କରି ପାରିଥାନ୍ତି, ସେଠି ପ୍ରତ୍ୟେକ ଦିନର ଉଦୟ ପର୍ବ ସଙ୍ଗେ ସଙ୍ଗେ ହୁଏତ ମୋ’ ଜୀବନରେ ବି ଗୋଟିଏ ଗୋଟିଏ ପାଖୁଡ଼ା ଖୋଲି ଯାଉଥାନ୍ତା, ଜୀବନର ସକଳ ଅଭିଜ୍ଞତା ଓ ଅନ୍ତରଙ୍ଗତାର ମଧୁକୁ ସାଇତି ରଖିବା ଲାଗି ମୁଁ ନିତି ନୂଆ ପାତ୍ର ବଢ଼ାଇ ଦେଇ ପାରୁଥାନ୍ତି । ବୃହତ୍ତର ସଂସାରକୁ ଦେଖିବାର ଲୋଭରେ ପଡ଼ି ମୁଁ ଯେପରି ଏଠି ଅଥଳ ଶୂନ୍ୟରେ ଆସି ପଡ଼ିଚି । ଏଠିକାର ପ୍ରଚଣ୍ଡ ତାପରେ ଆପଣାର ରସ ଟିକକ ତଥାପି ବଞ୍ଚାଇ ରଖିବାକୁ ମୋତେ ଯେପରି ଏଠି ଅନେକ ସଂଗ୍ରାମ କରିବାକୁ ପଡ଼ିବ !

 

ଜାଣେନା, ନୂଆ ଦେଶରେ ଏହି ସବୁ ପ୍ରଥମ ପ୍ରତିକ୍ରିୟାଗୁଡ଼ିକ କେତେଦୂର ସ୍ଥାୟୀ ହୋଇ ରହିବ । ସମୟ ହିଁ ସକଳ ଆବେଗର ମୂଲ୍ୟ ନିର୍ଦ୍ଧାରଣ କରିପାରିବ ।

 

୧୫ । ୧ । ୫୧

 

ମୋଗଲ ଅମଳରେ କୁଆଡ଼େ ସାଙ୍ଗରେ ସ୍ତ୍ରୀମାନଙ୍କୁ ନନେଲେ କେହି ଯୁଦ୍ଧକୁ ଯାଉନଥିଲେ । ସବୁ ପ୍ରକାର ଶୁଭ ଓ ସାମୂହିକ ଅନୁଷ୍ଠାନରେ ସେ ଯୁଗର ପୁରୁଷ ଆପଣାର ସବୁଠାରୁ ବଡ଼ ସମ୍ଭୋଗ ସାମଗ୍ରୀ ରୂପେ ସ୍ତ୍ରୀକୁ ଆପଣାର ପାଖେ ପାଖେ ରଖୁଥିଲା । ସ୍ଵାଧିନ ଭାରତ ଏବେ ମଧ୍ୟ ଅନ୍ୟ ଏକ ଉପାୟରେ ସେହିପରି ଏକ Vestigeକୁ ବହନ କରିଆସୁଚି । ଇଉରୋପରେ କେତେ ଖ୍ରୀଷ୍ଟାବ୍ଦରୁ କିଏ ଶୁଭ ଅନୁଷ୍ଠାନମାନଙ୍କରେ ସୁରାର ସଂଯୋଗ ଘଟାଇଲା, ଇତିହାସରେ ତାହାର ପତ୍ତା ମିଳେ ନାହିଁ । କିନ୍ତୁ ନୂଆ ଭାରତର ବୈଦେଶିକ ଦୂତମାନେ ଯେପରି ସୁରାର ଅଭାବରେ କୌଣସି ମାଙ୍ଗଳିକ ଅନୁଷ୍ଠାନରେ ଯୋଗ ଦେବାକୁ ହିଁ ନାରାଜ । ସୁରାର ଗନ୍ଧ ଓ ସିଗାରେଟର ଦୁର୍ଗନ୍ଧ ମଧ୍ୟରେ ଯେ ତାର ଗୋଟିଏ ଦୂର ଦେଶର ଦୂତ ହିସାବରେ ନିଜର ମୁଖା ଦେଖାଇବାକୁ ସେମାନେ ଭାରି ଉତ୍ସାହ ପାଆନ୍ତି । ତେଣେ ଭାରତ ବର୍ଷରେ ଆଇନ୍ ଗଢ଼ାହୋଇ ନିଶାନିବାରଣ କରାଇବାକୁ ଭାରି ଧୂମ୍‍ ଲାଗିଚି, ଦିଲ୍ଲୀ ରାଜମହଲର ରାଜ୍ୟପାଳମାନେ ସେବାଗ୍ରାମର ଗୁଣ ବାହୁନି ଅକ୍ଳାନ୍ତ ଭାବରେ ବକ୍ତୃତା ଦେବାରେ ଲାଗିଚନ୍ତି, ତଥାପି ଭାରତ ରାଷ୍ଟ୍ର ତରଫରୁ ହେଉଥିବା ଯାବତୀୟ ଅନୁଷ୍ଠାନରେ ସେହି ନିଶାନିବାରଣର ସନ୍ତକ ଦେଖାଇବା ଉପରେ ଜୋର ଦିଆଯାଉ ନାହିଁ କାହିଁକି ?

 

ଭାରତ ବାହାରେ ଭାରତର ସମ୍ମାନ ବଜାୟ ରଖିବା ଦୃଷ୍ଟିରୁ ରାଷ୍ଟ୍ରଦୂତମାନଙ୍କର ଖିଆଲକୁ ବଜାୟ ରଖିବାରେ ମୁଠା ମୁଠା ଟଙ୍କା ଖରଚ ହେଉଚି । ସୁରା ଓ ସିଗାରେଟରେ ଆପଣାକୁ ହରାଇ ଦେଇଥିବା ପାଶ୍ଚାତ୍ୟ ସମାଜରେ ଅନ୍ତତଃ ସାଧାରଣ ଆନୁଷ୍ଠାନିକ ସମ୍ମିଳନୀମାନଙ୍କର ସୁରା ଓ ସିଗାରେଟର କିଞ୍ଚିତ୍ ଚର୍ଚ୍ଚା ନକଲେ ସାହେବମାନଙ୍କ ଆଖିରେ ଭାରତ ସମ୍ଭବତଃ ସୁନ୍ଦର ଦିଶୁନଥାନ୍ତା, ହୁଏତ ସାହେବମାନଙ୍କ ତରଫରୁ ଭାରତର ମହୁଡ଼ମଣିଙ୍କ ଦପ୍ତରକୁ ଗୋଟାକ ପରେ ଗୋଟାଏ ଦେଶ ଆବିଷ୍କାର କରିବା ଲାଗି ଚିଟାଉ ଆସୁ ନଥାନ୍ତା । ଜଗତଗୋଟାକୁ ଆପଣାର କରିବାର ଲାଳସାରେ ପଡ଼ି ଯିଏ ଦାଣ୍ଡରେ ଆସି ବସେ, ସିଏ ଆପଣାର ଘରକୁ ହରାଇ ବସେ ସିନା, କିନ୍ତୁ ଦୁନିଆ ଦାଣ୍ଡର ନଜର ତା’ ଉପରେ ଅଲବତ୍ ପଡ଼େ ।

 

୧୬ । ୧ । ୫୧

 

ବାପା ବୋଉଙ୍କର ଚିଠି ଆଜି ମୋର ସକଳ ମନକୁ ଘର ମୁହାଁ କରି ରଖିଚି । Heredity ଏବଂ Environmentର ବିବାଦ ମେଣ୍ଟାଇବାକୁ ଯାଇ ମନଃଶାସ୍ତ୍ରର ପଣ୍ଡିତମାନେ ଆପଣା ଭିତରେ ଏବେ ବି ବିବାଦ ଲଗାଇଚନ୍ତି । ଅଥଚ ପ୍ରତ୍ୟେକ ମଣିଷର ଜୀବନରେ ନିକଟତମ ମହତ୍ତ୍ଵ ରଖୁଥିବା ପିତା ଓ ମାତା ଏହି ଦୁଇଟି ଅନୁଷ୍ଠାନ ବିଷୟରେ ସଠିକ୍ ଆଲୋଚନା ଏପର୍ଯ୍ୟନ୍ତ ହୋଇନାହିଁ । ଅଥଚ ମଣିଷ ତା’ର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେହି ଦୁହିଁଙ୍କ ଦ୍ଵାରା ପ୍ରଭାବିତ ହୋଇ ତା’ର life styleକୁ ସୃଷ୍ଟି କରି ଚାଲିଚି ।

 

ବୋଉକୁ ମୁଁ ଯେତିକି ଜାଣୁଚି, ସେତିକି ବିସ୍ମିତ ହେଉଚି । ଆଉ ସେହି ବିସ୍ମୟର ପଟ୍ଟଭୂମି ଉପରେ ମାତୃତ୍ଵର ମହିମା ଓ କାନ୍ତିର କଳନା କରୁ କରୁ ମୋର ମୁଣ୍ଡ ବାରବାର ନଇଁ ପଡ଼ୁଚି । ନିଃସ୍ଵାର୍ଥ ପ୍ରେମ ସମ୍ବନ୍ଧରେ ମୁଁ ଅନେକ ବହି ପଢ଼ିଚି, ଅନେକ ଉପଦେଶ ପଇଟେଇ ରଖିଚି; କିନ୍ତୁ ଆପଣାକୁ ଏପରି ସ୍ଵାଭାବିକ ଓ ନିଖୁଣ ଭାବରେ ଭୁଲି ସନ୍ତାନର ମଙ୍ଗଳ କାମନା କରିବା, ସନ୍ତାନର ସୁଖ କାମନାରେ ଆପଣା ସୁଖର ବାସନାକୁ ବିଲୀନ କରିଦେବା ମୁଁ କେବଳ ଜନନୀ ଠାରେ ହିଁ ଦେଖିଚି । ସବୁ ମଣିଷର ଉଚ୍ଚ ସ୍ଵପ୍ନଗୁଡ଼ିକ ସଫଳ କଲା ଭଳି ଆଦର୍ଶ କ୍ଷେତ୍ର ଓ ଆଦର୍ଶ ସମାଜ ଏପର୍ଯ୍ୟନ୍ତ ସଂସାରରେ ପ୍ରତିଷ୍ଠିତ ହୋଇ ପାରିନାହିଁ । ମୋର ବୋଉ ବଡ଼ଲୋକ ଘରେ ଜନ୍ମ ହୋଇଥିଲେ ଓ ବଡ଼ ପାଠ ପଢ଼ିଥିଲେ କଣ ହୋଇଥାନ୍ତା, ମୁଁ ସେକଥା ମଧ୍ୟ ଅନୁମାନ କରିବାକୁ ଯାଉନାହିଁ । ମାତ୍ର ମୁଁ ତା’ଠାରୁ ଯେତେଥର ଚିଠି ପାଇଚି, ପ୍ରତ୍ୟେକଟିରେ ସେ ମୋ’ ପାଖକୁ ପାଞ୍ଚ ଦଶ ପଦ ଲେଖାଏଁ କବିତା ଲେଖି ପଠାଇଚି, ତା’ର ପ୍ରାଣ ଭିତରୁ ସେହି ପଦ ଗୁଡ଼ିକ ଯେପରି ଅତି ସ୍ଵାଭାବିକ ଭାବରେ ବାହାରି ଆସିଚି । ଏହି ଦୂର ଦେଶରେ ଥାଇ ମଧ୍ୟ ସେହି ପଦଗୁଡ଼ିକ ପଢ଼ିବାବେଳକୁ ମୁଁ ଯେପରି ତା’ର ଅନ୍ତର କବାଟର ଖୋଲିବା ଶବ୍ଦକୁ ପ୍ରାଣେ ପ୍ରାଣେ ଅନୁଭବ କରିପାରୁଚି । ପ୍ରାଣର ଆବେଗ କିପରି ଏକାଧାରରେ ଅତ୍ୟନ୍ତ ଉନ୍ମୁକ୍ତ ଅଥଚ ନିଃସ୍ଵାର୍ଥ ହୋଇପାରେ, ଆଜିର ଛୋଟ ଚିଠିଟିରୁ ମୁଁ ତାହାରି ପରିଚୟ ପାଉଚି । ଏତେ ଜଣଙ୍କୁ କିଏ ଗୋଟିଏ ପରିବାରରେ ଏକାଠି ଆଣି ଥୋଇଲା, ସେକଥା ମୁଁ ଜାଣେ ନାହିଁ; ତଥାପି କ୍ଷଣକ୍ଷଣର ଏହି ସ୍ଵର୍ଗୀୟ ଅନୁଭୂତି ମୋ’ ଜୀବନର ସତେ ଅବା ଗୋଟାଏ ଗୋଟାଏ ଗାର ଟାଣି ରଖିଲା ପରି ରଖୁଚି ।

 

୧୭ । ୧ । ୪୧

 

ଆଜି ସଞ୍ଜବେଳେ ବାଟରେ ଆସୁ ଆସୁ ବରଫ ଝଡ଼ରେ ପଡ଼ି ଗୋଟା ସୁଦ୍ଧା ଓଦା ହୋଇଗଲି । ପବନର ସେ କି ପ୍ରଚଣ୍ଡ ଗର୍ଜନ, ଆକାଶ ଉପରୁ ବିନ୍ଦୁ ବିନ୍ଦୁ ବରଫ ବିଦାରି ଆଣି ସିଏ କି ବେଗରେ ରାସ୍ତାଘାଟ ବୁଡ଼ାଇ ଦେଉଥାଏ । ଜୀବନରେ ଏପରି ଅଭିଜ୍ଞତା ଆଜି ପ୍ରଥମେ ହେଲା-

 

ଏଠିକାର ମଣିଷକୁ ମୁଁ କ୍ରମେ ଘନିଷ୍ଟ ଭାବରେ ଚିହ୍ନିବାକୁ ଆରମ୍ଭ କରୁଚି, ପାଦର ଅଗଟିପ ଉପରେ ଠିଆହୋଇ ଥିଲାପରି ଟଳଟଳ ହେଉଥିବା ମୋର ଅତିଥି ମନଟା କ୍ରମେ ମାଟି ବାରି ପାଦ ପକାଇ ଶିଖୁଚି । ଭାରତ ବର୍ଷରୁ ହିଁ ମୁଁ ଏ ଦେଶ ବିଷୟରେ କେତେ ସ୍ଵପ୍ନ ଦେଖିଥିଲି, ଏହି ଦେଶକୁ ନେଇ ମୁଁ କେତେ କେତେ ପ୍ରହର ଖୋଲି କଳ୍ପନାରେ ଭାସିଥିଲି । ଇଚ୍ଛାମତୀ ଜନନୀ ମୋର ଇଚ୍ଛା ପୂର୍ଣ୍ଣ କରିଚି, ମୋତେ ଆଣି ମୋର ଇପ୍‌ସିତ ତୀର୍ଥରେ ପହୁଞ୍ଚାଇ ଦେଇଚି । ଯୋଗ୍ୟ ଯାତ୍ରୀପରି ଦେବତା ଦେଖିବାରେ ହିଁ ମୁଁ ଯେପରି ସକଳ ଦୃଷ୍ଟି ଓ ଉତ୍ସାହକୁ ନିବନ୍ଧ କରି ରଖିଥାଏ । ଏଠିକାର ଜୀବନରେ ବି ଦୋଷ ରହିଚି, ପୃଥିବୀର ଯାବତୀୟ କ୍ଷେତ୍ରରେ ଦୋଷ ରହିଚି । କିନ୍ତୁ ନୂଆ ଜାଗାରେ ଆସି ଗୋଡ଼ ନଦେଉଣୁ ମୁଁ ସେଗୁଡ଼ାକ ନିକୁଟିବାକୁ ଯାଇ ଆପଣାର ଆଗ୍ରହୀ ମନଟାକୁ କ୍ଷୁଣ୍ଣ କରି ଦେବି ନାହିଁ । ଏଠିକା ମଣିଷର ଯେଉଁ ସାଧୁ ଉଦ୍ୟମ ଓ ତତ୍ପରତାମାନ ମୋତେ ଏହି ଦୂର ଦେଶକୁ ଆକୃଷ୍ଟ କରି ଆଣିଚି, ମୁଁ ସେହିଗୁଡ଼ିକ ହିଁ ଆଗ ଦେଖିବି, ଆଗ ସେଇ ଗୁଡ଼ିକରୁ ଅଭିଜ୍ଞତା ଲାଭ କରିବି । ଭବିଷ୍ୟତର କର୍ମକ୍ଷେତ୍ର ଲାଗି ମୁଁ ଏଇଠୁ ଶିକ୍ଷା ନେଇ ଯିବି ।

 

ଆଜି ଆମର ଏକ ଛୋଟିଆ ପାଠଚକ୍ରରେ ଇଉରୋପ ଓ ଭାରତର ପାରିବାରିକ ଜୀବନ ବିଷୟରେ ଆଲୋଚନା ହୋଇଥିଲା । ଏହି ଦେଶରେ ପରିବାରର ସଂସ୍ଥା କ୍ରମେ ଭାଙ୍ଗି ପଡ଼ୁଚି । ଇଉରୋପୀୟ ସଭ୍ୟତାର କ୍ଷୟମୁଖ ଇତିହାସ ପଛରେ ଏହି ପରିବାର ଭାଙ୍ଗି ପଡ଼ିବାର ହୁଏତ ଏକ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ରହିଚି ।

 

୧୯ । ୧ । ୫୧

 

ଦିନ ଦୁଇଟା ବେଳୁ ବାହାରି ଥିଲି, ରାତି ବାରଟା ବେଳେ ଘରକୁ ଫେରୁଚି । ଆପଣାର ମନ ଓ ଆପଣାର ସମୟକୁ ମୁଁ ଏପର୍ଯ୍ୟନ୍ତ ଆୟତ୍ତରେ ରଖି ପାରିଲି ନାହିଁ । ନାନା କାମ ଓ ନାନା ପ୍ରକାର ବ୍ୟସ୍ତତାରେ ସମୟ କୁଆଡ଼େ ଉଡ଼ି ପଳାଉଚି, ଅଥଚ ସବୁବେଳେ ବଡ଼ ଖାଲି ଖାଲି ଲାଗୁଚି-। ମନେ ହେଉଚି, ଯେପରି ମୁଁ କିଛି କରି ପାରିଲି ନାହିଁ, ନିଜକୁ ଏତେ ଟିକିଏ ବି ପ୍ରକାଶ କରି ପାରିଲି ନାହିଁ । ଶାନ୍ତି ନିକେତନର କର୍ମଠ ଶାନ୍ତି କୁଆଡ଼େ କେତେ ଦୂରକୁ ଚାଲି ଯାଇଥିଲା ପରି ଲାଗୁଚି । ଜୀବନରେ ଯେ ଏଥର କେଡ଼େବଡ଼ ଗୋଟାଏ ମୋଡ଼ଭଙ୍ଗ ହୋଇଗଲା, ଏହି ସବୁ ଅନିୟମିତତାରୁ ମୁଁ ବେଶ୍ ଅନୁମାନ କରିପାରୁଚି । ନୂତନ ପରିବେଶରେ ଆପଣାକୁ ଅନୁକୂଳିତ କରି ନେବା ପାଇଁ ଜୀବର ନୂଆ ଶାରୀରିକ ବିବର୍ତ୍ତନ ହେଲାପରି ଏଠିକା ନୂଆ ଦିନଯାତ୍ରାରେ ପରିପୂର୍ଣ୍ଣ ଓ ପରିତୁଷ୍ଟ ହୋଇ ବଞ୍ଚିବା ଲାଗି ମୋତେ ମଧ୍ୟ ନୂତନ ଶକ୍ତି ସୃଷ୍ଟି କରିବାକୁ ହେବ-। ଆପଣାଙ୍କୁ ଏକ ସ୍ଵନିର୍ଦ୍ଦିଷ୍ଟ ପଦରେ ପକାଇ ଯାତ୍ରା କାଳର ସ୍ଵାଭାବିକତା ଓ ପ୍ରସନ୍ନତା ଅନୁଭବ କରିବାକୁ ହେବ ।

 

ସକାଳେ ଉଠୁ ଉଠୁ ଭାରି ଡେରି ହୋଇଯାଇଚି । ଅବଶ୍ୟ ଶୋଇବାବେଳକୁ କୋଉଦିନ ବାରଟା ବା ଗୋଟାକରୁ କମ୍ ହେଉ ନାହିଁ । ଅଧରାତିରେ କ୍ଳାନ୍ତ ହୋଇ ଘରକୁ ଫେରି ପ୍ରତିଦିନ ଏକ ଅସାର୍ଥକ ଦିବସର ବୋଝ ନେଇ ମୁଁ ଶୋଇବାକୁ ଯାଉଚି । ମୋର ପ୍ରାର୍ଥନାରେ ମୁଁ ତୃପ୍ତି ପାଉନାହିଁ । ମୋର ସମସ୍ତ ମନକୁ ଏକତ୍ର କରି ମୁଁ ଆପଣାଙ୍କୁ ରାତ୍ରିର ଜନନୀ ହାତରେ ସମର୍ପଣ କରି ପାରୁନାହିଁ । ଜାଣେନା, ମୋ ପ୍ରାଣରେ ପୁଣି ନୂତନ ଆରମ୍ଭର ଉତ୍ସାହ ଭରିଦେବାକୁ ବିଧାତାର କ୍ଷେତ୍ର ମୋ’ଲାଗି କେଉଁ ରୂପ ଓ କେଉଁ ବର୍ଣ୍ଣରେ ସୂଚିତ ହୋଇଆସିବ ! ଦିନଶେଷର ପ୍ରାଣଭରା ପ୍ରାର୍ଥନା ଜୀବନରେ ସେହି ଅପେକ୍ଷା କରି ରହିବାର ବ୍ୟାକୁଳତାକୁ ପ୍ରକାଶ କରି ଯାଉଚି-

 

୨୦ । ୧ । ୫୧

 

ମୁଁ ଦିନକୁଦିନ ଏଠି ପୁରୁଣା ହୋଇଯାଉଚି । ଏଠିକାର ଗଛ, ପତର, ପବନ ଓ ମଣିଷ ସହିତ ମୋର ପରିଚୟ କ୍ରମେ ଘନିଷ୍ଟ ହୋଇଆସୁଛି । ମୁଁ ନାନା ଜାଗାରୁ ଅଜସ୍ର ଶ୍ରଦ୍ଧା ଓ ସ୍ନେହ ପାଇଚି, ଆପଣାକୁ ପୂର୍ଣ୍ଣକରି ଦେଇ ପାରିବାଲାଗି କେତେଜଣ ବନ୍ଧୁଙ୍କର ଭରସା ମଧ୍ୟ ପାଇଚି । ଜୀବନର ଚରମ ଓ ଶାଶ୍ଵତ ନୀତି ଅନୀତିକୁ ନେଇ ଦର୍ଶନଶାସ୍ତ୍ରରେ ସିନା ଚିରଦିନ ନାନା ବିବାଦ ଓ ବିଷମତା ଲାଗିରହିଚି, କିନ୍ତୁ ଜୀବନର ରସସାଗରରେ ଆପେ ବୁଡ଼ି ଜୀବନ ବଞ୍ଚିଲାବେଳେ ଏସବୁ ବିବାଦର ବିଚାରଲାଗି କୌଣସି ଅପେକ୍ଷା କରିବାକୁ ପଡ଼େ ନାହିଁ । କ୍ଷଣକର କଥାରେ, ଘଡ଼ିଏ ଚାହିଁବାରେ ଓ ମୁହୂର୍ତ୍ତେ ଚିହ୍ନିବାରେ ଯେପରି ପ୍ରାଣର ଶୂନ୍ୟ ପାତ୍ରଗୁଡ଼ିକ ଏକାବେଳେକେ ପରିପୂର୍ଣ୍ଣ ହୋଇଯାଏ, ଆପଣାର ସକଳ ଅସ୍ତିତ୍ଵ ଯେପରି ଚରମ ଓ ଶାଶ୍ଵତ ଜୀବନ ଧର୍ମର ଅଦୃଶ୍ୟ ସାମ୍ରାଜ୍ୟକୁ ଆପେ ଆପେ ଉତ୍ତୋଳିତ ହୋଇଯାଏ । ନିଜର ପାପପାତନଗୁଡ଼ାକ କୁଆଡ଼େ ଛାଡ଼ି ପଳାଏ, ଦିନମାନର ଭୁଲ୍‍ଭ୍ରାନ୍ତି କୁଆଡ଼େ ପାସୋରି ହୋଇଯାଏ । ମନେ ହୁଏ, ଯେପରି ମୁଁ କେବେହେଲେ ମାଟି ହୋଇ ପଡ଼ିନଥିଲି, କେବେ ମୁଁ କୀଟ ପରି ଆବଦ୍ଧ ଜଳାଶୟରେ ଅହଙ୍କାରର ଖୋସା ବାନ୍ଧିନଥିଲି । କେବଳ କଣିକାଏ, ଆଲୋକ ବା କଣିକାଏ ସୌରଭ ପରି ସେତେବେଳେ କେଉଁ ପୂର୍ଣ୍ଣ ଆଲୋକ ଓ ସୌରଭର ମହଦାଶ୍ରୟ ଭିତରେ ପରିପୂର୍ଣ୍ଣ ହୋଇ ରହିଥିଲା ପରି ମନେହୁଏ ।

 

ମୁହୂର୍ତ୍ତକର ଏହି ବିଚିତ୍ର ଅନୁଭୂତି ମୋତେ ପ୍ରହର ପ୍ରହରର ପାପଚିନ୍ତାରୁ ଉତ୍ତୋଳିତ କରିଆଣେ । କଠୋର ଶ୍ରମ ଓ ଶୋଚନା ସତ୍ତ୍ୱେ ମୁଁ ପାରି ହୋଇ ପାରିନଥିବା ପ୍ରତିକୂଳ ସ୍ରୋତକୁ ମୁଁ ଯେପରି କ୍ଷଣକେ ଅତିକ୍ରମ କରି ଚାଲିଯାଏ । ଅନେକ ଦିନରୁ ମୁଦାହୋଇ ପଡ଼ିଥିବା ଓ ଅନେକ ପ୍ରକାରର ଚାବି ପରଖା ହୋଇଥିବା ଦୁଆରଟି ସତେ ଯେପରି କାହାର ଇଙ୍ଗିତ ପାଇଲା ପରି ଆପେ ଖୋଲି ହୋଇଯାଏ । ମୋର ସବୁ ଭୟ ମୋତେ ଛାଡ଼ି ପଳାଏ । ଧର୍ମ ଅଧର୍ମ, ପାପ ପୁଣ୍ୟ ନୀତି, ଅନୀତିର ଶାସନ ମୋ’ ଉପରୁ କୁଆଡ଼େ ଅପସରି ଯାଏ ।

 

୨୧ । ୧ । ୫୧

 

ଆଜି ମୁଁ ଦିନଟାଯାକ ଗପିଚି । ଅନ୍ୟକୁ ଆପଣାଆଡ଼କୁ ଦୀକ୍ଷିତ କରି ଆଣିବାର ଲୋଭରେ ଅନେକ ବକ୍ତୃତା ଦେଇଚି । ମାତ୍ର ବକି ବକି କ୍ଳାନ୍ତ ହୋଇ ନପଡ଼ିବାଯାଏ ମୁଁ ନିଜର ଏହି ନିର୍ବୋଧତାକୁ ବୁଝିପାରି ନଥିଲି କେବଳ କଥାରେ ହିଁ ସାରା ଦୁନିଆଟାକୁ ଜିଣି ଆସିବାଲାଗି ହଠାତ୍ ବେଳେବେଳେ ଗୋଟାଏ ପ୍ରକାର ଦମ୍ଭ କୁଆଡ଼ୁ ଆସେ କେଜାଣି ? ପୁଣି ଶୁଣିବାବାଲା ଯଦି ଚୁପ୍ ହୋଇ ଶୁଣୁଥାଏ, ତେବେ ତା’ ଉପରେ ଆହୁରି ଅଧିକରୁ ଅଧିକ କଥାକୁ ନେଇ ଅଜାଡ଼ି ପକାଇବାକୁ ଯେପରି ଅଧିକ ଉତ୍ସାହ ଲାଗେ ! ନାନାପ୍ରକାର ସଜ୍ଜିତ ଶବ୍ଦରେ କଥାକୁ କଥା ଯୋଖି ପୋଥି ବଖାଣିବାକୁ ମୋଟେ ଲାଜ ମାଡ଼େ ନାହିଁ । ସମ୍ଭବତଃ ଯେତେବେଳେ କର୍ମଭୂମିର ଆହ୍ୱାନକୁ ଏଡ଼ାଇ ଦେଇ ମନ ନାନା ନୂଆ ନୂଆ କ୍ଷେତ୍ରର ଚତୁର ଆଶ୍ରୟ ଖୋଜି ବୁଲୁଥାଏ, ସେତିକିବେଳେ ତା’ର ଦୁର୍ବଳତା ଗୁଡ଼ାକୁ ଡେରିଦେଇ ଠିଆକରି ରଖିବାକୁ କୋଉ ଅପଦେବତା ଯେପରି କଥାପରେ କଥାର ବୋଝ ଆଣି ଜୁଟାଇଦିଏ । ସମୟ ବେଶ୍ କଟିଯାଏ ଏପରି ଆତ୍ମାଭୋଳା ହୋଇ ବକିଯିବାରେ !

 

ଆଜି ଲେଲିନଙ୍କର ମୃତ୍ୟୁ ଦିବସ । ହୁଏତ ରୁଷିଆର କମୁନିଷ୍ଟବାଦ ସହିତ ମିଳାଇ ଦେଖି ଏପାଖର ଜଗତ ଲେନିନ୍‍ଙ୍କର ବୀରତ୍ଵପୂର୍ଣ୍ଣ ଜୀବନପ୍ରତି ସମ୍ମାନ ଦେଖାଇବାକୁ ଭୁଲିଯାଉଚି-। ରୁଷିଆରେ ମଧ୍ୟ ସେହି ବିପ୍ଳବୀର ସ୍ମରଣସ୍ତମ୍ଭ ସମ୍ମୁଖରେ ହୁଏତ କେଉଁ କ୍ଷମତାଲୋଭୀ ଶାସକ ଆଜି ହଜାର ହଜାର ଲୋକଙ୍କର ପ୍ରଣାମ ନେଇ ଆଜି ଭାରି ଗର୍ବ ଅନୁଭବ କରୁଚି । ଲେନିନ୍‍ଙ୍କ ନାଆଁରେ ହୁଏତ ଆଜି ଆହୁରି କେତେ ଲୋକଙ୍କୁ ଅକାରଣ ଯୁଦ୍ଧଲାଗି ଉତ୍ତେଜିତ କରାଯାଉଚି-। ତଥାପି ପୃଥିବୀର ଇତିହାସରେ ସେହି ନାଆଁଟି ଚିରସ୍ମରଣୀୟ ହୋଇ ରହିଥିବ । ସେହିଭଳି ସଂକଳ୍ପ, ସେହିପରି ତ୍ୟାଗ ଓ ଆଦର୍ଶପ୍ରତି ସେହିଭଳି ଶ୍ରଦ୍ଧା ନଥିଲେ ସଂସାରରେ କୌଣସି ବଡ଼ କାମ ହାସଲକରି ହୁଏ ନାହଁ, ଆପଣାର ଜୀବନଦ୍ଵାରା ଲେନିନ୍ ଏହି କଥା ଶିଖାଇଦେଇ ଯାଇଚନ୍ତି-। ହିଂସା ଅହିଂସାର ବିଚାର କରିବା ଆଗରୁ ଅକର୍ମଣ୍ୟ ବିଚାରବାଦୀ ପ୍ରଥମେ ସେହି ବୀର ଜୀବନର ଇତିହାସକୁ ଭକ୍ତି କରି ଶିଖୁ !

 

୨୨ । ୧ । ୫୧

 

ମାସେ ହୋଇଗଲା ଏହି ଦୂରଦେଶର ନୂଆ ଚାରଣଭୂମିରେ ତମ୍ବୁ ପକାଇବା । ସମୟ ଦୃଷ୍ଟିରୁ ମାସଟିଏ ପୂର୍ଣ୍ଣ ହୋଇଗଲାଣି, ମାତ୍ର ଏହି ଅନ୍ତର ଭିତରଟା ଯେପରି ତା’ ସଙ୍ଗେ ସଙ୍ଗେ ପୂର୍ଣ୍ଣ ହୋଇ ପାରିନାହିଁ । ଆପଣାର ସମୟକୁ ଯିଏ ସୁସାର୍ଥକ ଭାବରେ ବଞ୍ଚିପାରୁଚି, କେବଳ ସେଇ ସମୟର ଗତିକୁ ମଧ୍ୟ ସ୍ପଷ୍ଟଭାବରେ ଅନୁଭବ କରିପାରୁଚି । ଏହି ମାସଟିର ଅଧିକାଂଶ ସମୟ ମୁଁ ସ୍ରୋତମୁଖରେ କୁଟାଖିଅ ପରି ଭାସିଯାଇଚି । ଖାଲିପାତ୍ରର ଏକ ଅପରିତୃପ୍ତ ଅନ୍ତର ନେଇ ମୁଁ ସବୁଦିନେ ଶୋଇବାକୁ ଯାଇଚି, ଭଗବାନଙ୍କ ପାଖରେ ମୋର ଦିନମାନର ଜବାବଦେହୀ ମୁଁ କେବେ ଦେଇପାରି ନାହିଁ । ଜାଣେନା, ଏଥିଲାଗି ମୁଁ ନିଜେ କେତେଦୂର ଦାୟୀ ।

 

ପରର ପଇସା ନେଇ ମୁଁ ଦୂର ଦେଶରେ ପାଠ ପଢ଼ିବାକୁ ଆସିଚି । ଦରିଦ୍ର ଦେଶର prodigal ପୁଅ ହିସାବରେ ଖାଲି ବାର ଘାଟ ଓ ତେର ଘାଟରେ ପାଣି ପିଇ ଆସିଚି ଏପର୍ଯ୍ୟନ୍ତ । କିନ୍ତୁ ଆଉ ଏପରି ଜୀବନ ଭଲ ଲାଗୁନାହଁ । ଜ୍ଞାନଲାଭ କରି ଅଧିକ ଉପଯୁକ୍ତ ହେବାର ବାହାନାରେ ମୁଁ କଣ ଖାଲି କର୍ମକ୍ଷେତ୍ରର ଆହ୍ଵାନକୁ ଫାଙ୍କି ଦେଇ ଆସିଛି କି ? କଟକ ଜେଲରେ ମୁଁ ଯେଉଁ ସ୍ଵାଭାବିକ ସ୍ଵଭାବତତ୍ପର ମନଟି ଅର୍ଜନ କରି ପାରିଥିଲି, ଗତ ସାତବର୍ଷର କପଟ ସଞ୍ଚୟର ମୋହ ଦୋଷରୁ ମୁଁ ତାକୁ ଯେପରି କୁଆଡ଼େ ହରାଇ ସାରିଲିଣି । ମୋ’ର ଦୀନ ମନର ଅଭିସନ୍ଧି ଜାଣିପାରି ଜୀବନଦେବତା ସତେଅବା ଆପଣାର ଆଲୋକକୁ ମୋ’ଠାରୁ ଉଢ଼ୁଆଳ କରି ରଖିଚି । ବକ୍ର ବାଟରେ ମୁଁ ତାକୁ ଯେତିକି ବୁଝିବାର ପରିଶ୍ରମ କରିଚି, ସିଧାବାଟରେ ତାକୁ ସେତିକି ହରାଇଚି-। ମସ୍ତିଷ୍କକୁ ଭୋଜ ଯୋଗାଇବାର ଯେତିକି ଆୟୋଜନ କରିଚି, ହୃଦୟର ଭଣ୍ଡାର ସେତିକି ତା’ର, କବାଟକୁ କିଳି ଦେଇଚି । ମୁଁ ଏହାକୁ ଲାଭ କହିବି ନା କ୍ଷତି କହିବି ?

 

ମୋର ତଥାପି ବିଶ୍ୱାସ ରହିଚି ଯେ, ମୁଁ ପୁଣି ହଜା ବାଟଟିକୁ ଫେରି ପାଇବାର ଦୃଷ୍ଟି ଅବଶ୍ୟ ଲାଭ କରିବି । ସବୁପ୍ରକାର ପ୍ରଲୋଭନକୁ ଅତିକ୍ରମ କରି ମୁଁ ଭିତରେ ରହିଥିବା ସତ୍ୟସ୍ଵରୂପର ନିର୍ଦ୍ଦେଶ ଅବଶ୍ୟ ଶୁଣିପାରିବି । ମୋ’ ଜୀବନକୁ ନେଇ ଆପଣାର ଲୀଳାପୂର୍ଣ୍ଣ କରିବାର ଯୋଜନା କରିଥିବା ବିଧାତା ମୋତେ ସବୁ ଭୁଲାବାଟରୁ ନିଶ୍ଚୟ ଫେରାଇ ନେଇଆସିବ, ମୋର ଜୀବନଚକ ପୁଣି ଆପଣାର ସ୍ଵାଭାବିକ ବାଟରେ ପଡ଼ିବ । ମୁଁ ଏଇ ଆଶାରେ ହିଁ ବଞ୍ଚିବି ଏହି ଆଶାରେ ହିଁ ମୁଁ ପ୍ରତ୍ୟେକ ରାତ୍ରିର ପ୍ରାର୍ଥନାକୁ ପ୍ରତ୍ୟେକ ଦିନର କର୍ମବ୍ରତ ଦ୍ଵାରା ପୂର୍ଣ୍ଣ କରିଦେବି ।

 

୨୩ । ୧ । ୫୧

 

ସେବାଗ୍ରାମର ସାନ ଭାଇମାନଙ୍କଠାରୁ ଚିଠି ପାଇ ସକଳ ମାନସ ଆଜି ସେହି ପୁଣ୍ୟ ପ୍ରୟୋଗ କ୍ଷେତ୍ରରେ ଜାଗି ଉଠିଚି । ଜେଲରୁ ମୁକୁଳିବା ପରେ ମୁଁ ଅନ୍ୟ କେଉଁଠି ଏତେ ଅଧିକ ମୁକ୍ତଭାବରେ ଆପଣାକୁ ସ୍ଵଶାସନରେ ବାନ୍ଧି ସ୍ଵପଥରେ ଚଳାଇ ପାରିନଥିଲି । ସେଠି ମୋର ଜୀବନପଥ କ୍ରମେ ଆପଣାର ସ୍ଵାଭାବିକ ବାଟକୁ ଫେରି ଆସୁଥିବାପରି ଲାଗୁଥିଲା । ଏତେ ଅଳ୍ପଦିନରେ ସେଠି ମୁଁ କିପରି ଯେ ଆପଣାର ସର୍ବୋତ୍କୃଷ୍ଟ ସମ୍ପଦତକ ସଭିଁଙ୍କଲାଗି ବାଢ଼ିଦେଇ ପାରିଥିଲି, ମୁଁ ନିଜେ ମଧ୍ୟ ସେହି ପ୍ରକ୍ରିୟାଟି ବୁଝି ପାରିନଥିଲି । ଲୋଭସକ୍ତ ହୋଇ ପ୍ରଚୁର ଅଭିଜ୍ଞତା ଲାଭ କରିବାର ରୁଗ୍‌ଣ କ୍ଷିପ୍ରତାରେ ଏଣେ ତେଣେ ଧାଇଁ ମୁଁ କେବଳ ଆପଣାର ଶକ୍ତି ନଷ୍ଟ କରୁଚି ବୋଲି ଅନେକ ବନ୍ଧୁ ମତେ ଅନେକଥର ସତର୍କବାଣୀ ଶୁଣାଇଚନ୍ତି । ଅଧା ହଁ ଏବଂ ଅଧା ନାହିଁରେ ମୁଁ ଜୀବନର ସକଳ ନିଷ୍ପତ୍ତିକୁ ଟାଳି ଟାଳି ଆସିଚି । ଭାରି ବିଶ୍ଵାସ ହେଉଛି, ଏଥର ଆପଣା କ୍ଷେତ୍ରକୁ ଫେରିଆସି ସକଳ ଭାବରେ ଆପଣାକୁ ସମର୍ପଣ କରିବାର ବେଳ ନିକଟ ହୋଇଗଲାଣି । ଭାରି ମଜାର କଥା, ଏହି ସରଳ ପଥଟିକୁ ଫେରି ଆସିବାଲାଗି ଏତେ ସମୟ ଓ ଏତେ ମୋଡ଼ଭଙ୍ଗ ଦରକାର ଥିଲା ! ଭଲ ମନ୍ଦ ଓ ହାନି ଲାଭ ନବାରି ମୁଁ ଏହାକୁ କେବଳ ବିଚିତ୍ର ବୋଲି କହିବି ।

 

ଗତମାସ ତେଇଶି ତାରିଖରେ ଏହି ନୂଆ ସହରରେ ପ୍ରଥମେ ପାଦ ପକାଇଥିଲି । ଆଜି ମୋର ଦ୍ଵିତୀୟ ମାସ ଆରମ୍ଭ ହେଲା । ଜାଣେନା, ଆପଣା କାର୍ଯ୍ୟରେ ମୁଁ ଆପଣାକୁ କେବେ ସାର୍ଥକ ଭାବରେ ନିୟୋଜିତ କରି ପାରିବି । ବର୍ତ୍ତମାନର ଦିନଚର୍ଯ୍ୟାରେ ମୁଁ ଯେ ଆଦୌ ସନ୍ତୁଷ୍ଟ ନୁହେଁ । ଏହା ଦିନକୁଦିନ ଅତି ସ୍ପଷ୍ଟ ହୋଇଯାଉଚି । ତଥାପି ମୋତେ ଏହି ଆବଦ୍ଧ ଆଳସ୍ୟରୁ ବାହାରିବାକୁ ପଡ଼ିବ, ତଥାପି ମତେ ସକଳ Environmentକୁ ଟପି ଆପଣାର ନୂଆ Environment ତିଆରି କରିବାକୁ ହେବ । ମଣିଷ ଲାଗି adaptation ବା ଅନୁକୂଳନର ରୀତି ଏହିପରି !

 

୨୪ । ୧ । ୫୧

 

ଆଜି ଦିନଟାଯାକ ପାଗ ଭାରି ନିର୍ମଳ ରହିଚି । ଗତ ମାସଟା ଭିତରେ ଏତେସମୟ ପର୍ଯ୍ୟନ୍ତ ଖରା ପଡ଼ିବାର ଏଠି ମୁଁ କେବେ ଦେଖିନଥିଲି । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ସମସ୍ତ ଆକର୍ଷଣକୁ ଏଠାରେ ବାଧ୍ୟହୋଇ ଭୁଲିଯିବାକୁ ପଡ଼ୁଚି । ତେଣୁ ମଝିରେ ଦିନେ ଦୁଇଦିନ ସଫା ଆକାଶ ଓ ସୂର୍ଯ୍ୟକିରଣ ଦେଖିଲେ ସତେ ଯେପରି କୋଟିନିଧି ପାଇଲାପରି ଲାଗୁଚି । ଆଶା କରି ବସିଚି, ଆଉ ମାସେ ଦୁଇମାସ ପରେ ଶୀତଋତୁ କଟିଗଲେ ମୁଁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ମନତୋଷରେ ଉପଭେଗ କରିପାରିବି । ଆଜି ବୋଧହୁଏ ପୂର୍ଣ୍ଣିମା, ଆକାଶ ସଫା ନଥିଲେ ହୁଏତ ପୂର୍ଣ୍ଣଚନ୍ଦ୍ରକୁ ଦେଖିବାର ଆଦୌ ସୁଯୋଗ ମିଳିନଥାନ୍ତା । ଯେଉଁ ଦେଶରେ ଦିନରାତି ଖାଲି ସମୁଦ୍ରପରି କୁହୁଡ଼ି ଆକାଶକୁ ଉପରୁ ତଳୁ ଆବୋରି ରହିଥାଏ, ସେ ଦେଶରେ ସୂର୍ଯ୍ୟ ଚନ୍ଦ୍ରର ମହତ୍ତ୍ଵ ବୁଝିହେବ କିପରି-?

 

ଅତି ଧୈର୍ଯ୍ୟର ସହିତ ଆପଣାର ଉଦ୍ଦେଶ୍ୟ ପଥରେ ଅଗ୍ରସର ହେବାକୁ ହେବ । ଯିଏ ସବୁଠାରେ କେବଳ ଭଲ ଓ କେବଳ ପରିପୂର୍ଣ୍ଣତା ଆଶା କରିଥାଏ, ତାକୁ ସବୁବେଳେ ହତାଶ ହେବାକୁ ପଡ଼େ । ମୁଁ ଅନେକ ଆଶା କରି ଏହି ଦେଶକୁ ଆସିଚି । ହୁଏତ କଳ୍ପନାର ଡେନ୍‍ମାର୍କଠାରୁ, ବାସ୍ତବତାର ଡେନ୍‍ମାର୍କକୁ ମୁଁ ଅନେକ ଫରକ ଦେଖିବି । କିନ୍ତୁ ସେଥିରେ ହତାଶ ହେବାର କଣ ଅଛି ? ଯେଡ଼େ ସୀମାବଦ୍ଧ ସ୍ତରରେ ହେଉ ପଛକେ, ଏଦେଶରେ ଲୋକ ନିର୍ମାଣର ଏକ ନୂତନ ପରୀକ୍ଷାର ମୂଳଦୁଆ ପଡ଼ିଚି । ଯଦି ମୁଁ ସେହି ପରୀକ୍ଷାଟିକୁ ଫଳପ୍ରଦ ବୋଲି ବିଚାରୁଚି, ତେବେ ଏଇଠୁ ସାର ନେଇ ଆପଣା ପରୀକ୍ଷାଦ୍ଵାରା ସେଥିରୁ ନୂଆ ନୂଆ ସମ୍ଭାବନା ଉପୁଜାଇବାର ରାସ୍ତା ମୋ’ଲାଗି ମୁକ୍ତ ରହିଚି । ପୃଥିବୀର ସବୁ ସାର ଜିନିଷରେ ସଭିଙ୍କର ଅଧିକାର ରହିଛି । ଯିଏ ଏହାର ମହତ୍ଵ ଚିହ୍ନିବ, ସିଏ ତା’ ଦ୍ଵାରା ଉପକୃତ ହୋଇପାରିବ, ସେଥିରେ ଆପଣାର ଅବଦାନଟି ମିଶାଇ ଧନ୍ୟ ହୋଇପାରିବ ।

 

୨୫ । ୧ । ୫୧

 

ଭାରି ଖୁସିରେ ଦିନ କଟିଚି । ଆଜି ମୁଁ ପଢ଼ିଚି, ଲେଖିଚି, ବୁଲିବାକୁ ଯାଇଚି, ବନ୍ଧୁ ଗହଣରେ ନାନାପ୍ରକାର ନିଦା ଓ ହାଲୁକା ଆଲୋଚନା କରିଚି, ସୂର୍ଯ୍ୟାଲୋକରେ ଉଦ୍‌ଭାସିତ ହୋଇ ଉଠିଥିବା ଶୀତଦିନର ଦିନମାନଟିକୁ ମର୍ମପ୍ରବେଶ କରି ଦେଇପାରିଚି । ଆଜି ପ୍ରଥମ କରି ବିଶ୍ଵାସ ହେଉଚି, ଏଠାରେ କ୍ରମେ ବଢ଼ିଯାଇଥିବା ମୋର ଶରୀର ଓ ମନର ସକଳ ଅନିୟମିତତା ଆପଣାକୁ ଧୀରେ ଧୀରେ ଅବଶ୍ୟ ସଜାଡ଼ିନେବ । ଆପଣାକୁ ରଚନାତ୍ମକ ଓ ସୃଜନଶୀଳ ଭାବରେ ଅନୁକୂଳିତ କରିନେବାର ସ୍ଵାଭାବିକ ପ୍ରବୃତି ନେଇ ଜନ୍ମହୋଇ ନଥିଲେ ମଣିଷ ଯେ କିପରି ଶାନ୍ତି ପାଇ ପାରୁଥାନ୍ତା, ମୁଁ ସେଇଆ ବସି ଭାବୁଚି । ଦେହର କୌଣସି କଟା ଜାଗାକୁ ଶରୀର ଆପଣାର ସ୍ଵାଭାବିକ ଉପାୟରେ ପୂରଣ କରି ନେଲାପରି ମନ ମଧ୍ୟ ନିଜର ସକଳ ଅଭାବକୁ ସମୟକ୍ରମେ ପୂରଣ କରିନିଏ । ନୂଆ କ୍ଷେତ୍ରରେ ଆପଣାର ସ୍ଥାନ ନିର୍ଣ୍ଣୟ କରିନେଇ ସେ କ୍ଷେତ୍ରର ମାଲିକ ହୁଏ । ଆତ୍ମଶାସନର ନିୟନ୍ତ୍ରଣରେ ମୁକ୍ତି ପାଏ ।

 

ସ୍ତରକୁ ସ୍ତର ଉଠିଯିବା ଲାଗି ମନଭିତରେ କେତେ ଉତ୍ସାହ ଜମାହୋଇ ରହିଥିଲା ପରି ଲାଗୁଚି । ଗତ କେଇମାସର ଅବ୍ୟବସ୍ଥିତତା ଫଳରେ ତଳକୁ ଦବିଯାଇଥିବା ଶିଶୁମନର ସ୍ପନ୍ଦନକୁ ମୁଁ ପୁଣି ଅନୁଭବ କରୁଚି । ସେହି ମନଟିକୁ ମନେ ରଖିଥିଲେ ହାରିବାରେ ବା ଝୁଣ୍ଟିବାରେ ଦବିଯିବାର କୌଣସି ଆଶଙ୍କା ନାହଁ । ବୁଢ଼ା ହେଲା ମାତ୍ରକେ ହିଁ ସବୁ ଭୟ ଆସି ମନକୁ ଇତସ୍ତତଃ କରିପକାଏ-। ଅନୀତିର ଭୟ, ବାଟରୁ ଖସିପଡ଼ିବାର ତ୍ରାସ ଓ ପାପରେ ବୁଡ଼ିଯିବାର ଛନକା ଜୀବନର ସରଳ ନୀତି ଓ ବାଟ ଚାଲିବାର positive ଆନନ୍ଦରୁ ମନକୁ ବଞ୍ଚିତ କରି ରଖେ ।

 

୨୬ । ୧ । ୫୧

 

ଗଲାବର୍ଷ ଭାରତ ସରକାରଙ୍କ ତରଫରୁ ଆଜି ଦିନଟିକୁ ଗଣତନ୍ତ୍ର-ଦିବସ ବୋଲି ପାଳିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଗଷ୍ଟ ନଅରୁ ଅଗଷ୍ଟ ପନ୍ଦର, ପୁଣି ଅଗଷ୍ଟ ପନ୍ଦରରୁ ଜାନୁୟାରୀ ଛବିଶିକୁ ପର୍ବ ବୋଲି ଘୋଷଣା କରାଯାଇ ଗଲାବର୍ଷ ଅନେକ ଜାଗାରେ ବାଣ ମରାହୋଇଥିଲା, ପୋଲିସଥାନା ଓ ଅନ୍ୟାନ୍ୟ ସରକାରୀ ଦପ୍ତରମାନଙ୍କରେ ମେଳାମଉଛବ ହୋଇଥିଲା । ଗତବର୍ଷ ଏହି ଦିନଟିକୁ ଓଡ଼ିଶାର ମାଣିଆବନ୍ଧଠାରେ କଟାଇଥିଲି । ସ୍ପଷ୍ଟ ଅନୁଭବ କରିଥିଲି ଯେ ସ୍ଵାଧୀନତାର ଦ୍ଵାହିଦେଇ ବରଷର ଗୋଟାଏ ଦିନକୁ fetish କରି ପକାଇଲେ ଜନଗଣର ଉତ୍ସାହ ଓ ଶକ୍ତିକୁ ଜାଗୃତ କରାଯାଇ ପାରିବ ନାହିଁ । ଆଗ ମଣିଷର ପେଟ ପୂରାଇବାକୁ ହେବ, ଜବରଦସ୍ତି ନିକିମା ହୋଇ ବସିବାର ଜାତୀୟ ଆଳସ୍ୟକୁ ଭାଙ୍ଗିବାକୁ ହେବ । ଏହି ବରଷକ ଭିତରେ ଭାରତବର୍ଷର ପେଟ ପୂରିବାର ସଂସ୍ଥାନ ଆହୁରି ଶୋଚନୀୟ ହୋଇପଡ଼ିଚି ।

 

ଦୂରବିଦେଶର ଦୂତାବାସ ତରଫରୁ ଆୟୋଜନ କରାଯାଇଥିବା ଅନୁଷ୍ଠାନରେ ଚାହା ଓ ମିଷ୍ଟାନ୍ନ ଖାଇ, ସିଗାରେଟ ଧୂଆଁରେ ଭର୍ତ୍ତି ହୋଇଥିବା ଘରେ ଚିହ୍ନା ଅଚିହ୍ନା କେତେଜଣଙ୍କ ସହିତ କରମର୍ଦ୍ଦନ କରି ଆସିଲି । ଦୀର୍ଘ ତିନିଘଣ୍ଟା କମିଗଲା ଗୋଟାଏ ଦେଶର ସ୍ଵାଧୀନତାର apology ଦେଇ ପ୍ରମୋଦ କରିବାରେ । ବକ୍ତୃତାଗୁଡ଼ିକରେ ଭାରତବର୍ଷର ଦାରୁଣ ଦାରିଦ୍ର୍ୟ ବିଷୟରେ ଶୁଣି କେତେଲୋକ ହୁଏତ ମନେ ମନେ ଦୟାରେ ଜଡ଼ସଡ଼ ହୋଇଗଲେ । ଭାରତରେ ବିଦେଶୀ ଆଧିପତ୍ୟର ନଷ୍ଟାବଶେଷ ରୂପେ ଏପର୍ଯ୍ୟନ୍ତ ବଞ୍ଚି ରହିଥିବା ଇଉରୋପୀୟ ପାଦ୍ରୀଦଳ ତରଫରୁ ବଣ୍ଟାଯାଇଥିବା ଛୋଟିଆ ପ୍ରଚାର ପତ୍ରଟିରେ ମଧ୍ୟ ସେହି ନିକୃଷ୍ଟ ଦୟା ଦେଖାଇବାର-ଅହଂଭାବ ପ୍ରକାଶ ପାଉଥିଲା । ଏହି ଦୟାର ଉପଯୁକ୍ତ ହେବାଭଳି ଅକିଞ୍ଚନ ହେବାକୁ ନୂତନ ଭାରତ ଦୀନହୀନ ହୋଇ ପରଦୁଆରେ କଦାପି ଠିଆ ହେବ ନାହିଁ । ଭାରତ ବନ୍ଧୁ ଭାବରେ ସଭିଙ୍କ ସହିତ ମିଶିବ, କିନ୍ତୁ ତଳ ପାହାଚରୁ କାହାର ଦୟାଲାଗି ଉପରକୁ ହାତ ବଢ଼ାଇବ ନାହିଁ ।

 

୨୭ । ୧ । ୫୧

 

ଗୋଟିଏ ଛୋଟିଆ ଧର୍ମସଭାରେ ଧର୍ମ ବିଷୟରେ କିଞ୍ଚିତ୍ ଆଲୋଚନା କରି ଫେରୁଚି । ଜୀବନରେ ଯେତିକି ଯେତିକି ଜାଣୁଚି, ହୃଦୟଙ୍ଗମ କରିବାର ଶକ୍ତି ଯେତିକି ଯେତିକି ବଢ଼ୁଚି, ଏହିସବୁ ଆଲେଚନା ଉପରୁ ସେତିକି ସେତିକି ମୋହ ତୁଟିଯାଉଚି । ଅନ୍ତରର ସୂକ୍ଷ୍ମତମ ଅନୁଭୂତିର ସାରସମ୍ପଦ ଏହି ଧର୍ମଭାବନା ବିଷୟରେ ଏପାଖ ସେପାଖ ଶିରା ଘାଣ୍ଟି ଯୁକ୍ତି କରିବାକୁ ମୋତେ ଏବେ କାହିଁକି ସ୍ଵତଃ ଗୋଟାଏ ପ୍ରକାର ସଙ୍କୋଚ ଆସି ମାଡ଼ିବସୁଚି । ମୁଁ ମନକୁ ମନ ଭାବୁଚି, ବିଶ୍ଵଜୀବନର ଜ୍ୟୋତିକୁ ଆପଣା ଭଣ୍ଡାରରେ ସଞ୍ଚୟ କରି ଜୀବନର ସକଳ କ୍ଷେତ୍ରରେ ତାହାକୁ ହିଁ ବିତରିତ କରି ପାରିବା ହେଉଚି ଧର୍ମର ସାରକଥା । ମୁହଁର କଥା, ଆଖିର ଭାଷା ଓ ଚରଣର ଚାଲିରେ ମଧ୍ୟ ଯଦି ଧର୍ମ ପ୍ରକାଶିତ ନହୋଇପାରିଲା, ତେବେ କୋଡ଼ିଏ ରକମର ଚମତ୍କାର କଥାରେ ସେଇ ଗୋଟାଏ ଜିନିଷକୁ ଗୁରେଇ ତୁରେଇ ବୁଝିବାରେ କି ଲାଭ ?

 

ବେଙ୍ଗ ଓ ମୂଷା କାଟି ପ୍ରୟୋଗଶାଳାରେ ପରୀକ୍ଷା କରିବାପରି ଆମେ ଏବେ ଧର୍ମକୁ ମଧ୍ୟ ପରୀକ୍ଷା କରିବାକୁ ଆରମ୍ଭ କଲୁଣି । ସତେଯେପରି ଧର୍ମ ହେଉଚି ଆମ ଜୀବନର ବାହାରେ ଗୋଟାଏ ପଦାର୍ଥ ଯାହାକୁ ବି physics ଓ chemistryର objective ଉପାୟରେ ମପାଯାଇ ପାରିବ ଓ ଯାହାର ରୂପ ଓ ପ୍ରକୃତିର ନିରୂପଣ କରାଯାଇ ପାରିବ । ନାନା ଅସ୍ଵାଭାବିକ limitations ମଧ୍ୟରେ ଧର୍ମକୁ ଆଣି ଥୋଇବାର ଅସ୍ଵାଭାବିକ ଫଳ ମଧ୍ୟ ଫଳିଚି । ମନୋବିଜ୍ଞାନ ବା ନୃତତ୍ତ୍ଵବିଜ୍ଞାନ ଦୃଷ୍ଟିରୁ ଯେଡ଼େ ବଡ଼ ଥିଓରି ବାହାରି ଆମ ଗବେଷଣା-ଶ୍ରମରେ ଆମକୁ ଯଥେଷ୍ଟ ସାନ୍ତ୍ୱନା ଆଣି ଦେଲେ ମଧ୍ୟ ଧର୍ମ ଆମ ଜୀବନ-ପରିସରରୁ କ୍ରମଶଃ ଅପସରି ଯାଉଚି । ବିଶ୍ଵବିଧାନର ଐକ୍ୟତାନରୁ ବିଚ୍ୟୁତ ହୋଇ ଆମେ ବଡ଼ ବିକଳ ହୋଇ ପଡ଼ିଲୁଣି । ଆଗରୁ କେବେ ବୋଧହୁଏ ମଣିଷ ଆପଣାକୁ ଏତେଦୂର ଏକାକୀ ଅନୁଭବ କରିନଥିଲା । ଆଜି ଗୋଟିକପରେ ଗୋଟିଏ କରି ତା’ର ସବୁ ବିଶ୍ଵାସ ଭୁଷୁଡ଼ି ପଡ଼ୁଚି, ସହସ୍ର କଥାର କୋଳାହଳ ମଧ୍ୟରେ ତା’ର ସବୁ ଭରସା ବି ତୁଟିଯାଉଚି । ଜୀବନର ଲାବୋରେଟରି ଛାଡ଼ି ଲାବୋରେଟରିର induction ମଧ୍ୟରେ ଆପଣା ଶକ୍ତିର ଅପଚୟ କରିବାର ଏହି ନିର୍ବୋଧତାକୁ କଣ ମଣିଷ ବେଳ ଥାଉଁ ଥାଉଁ ବୁଝିବ ନାହିଁ ?

 

୨୮ । ୧ । ୫୧

 

Genius is one percent inspiration and ninety nine percent perspiration : ଏହି ଉକ୍ତିଟିକୁ ଅକ୍ଷରେ ଅକ୍ଷରେ ମାନି ନ ନେଲେ ମଧ୍ୟ ଏଥିରେ ଯେ ଅନେକ ସତକଥା ରହିଚି, ମୁଁ ଏକଥା ନିଶ୍ଚୟ ସ୍ଵୀକାର କରିବି । ଏକଥା ସତ ଯେ ଖାଲି ଝାଳ ବୁହାଇ ବା ବହି ପଢ଼ି କେହି କୌଣସି ପ୍ରକାର ମୌଳିକ ସୃଷ୍ଟି କରି ପାରିବ ନାହିଁ । ମଣିଷ ମନର ଶିଳ୍ପ ଆରମ୍ଭ ହେବା ପୂର୍ବରୁ ବିଶ୍ଵଶିଳ୍ପୀର ସ୍ପର୍ଶ ଅବଶ୍ୟ ବାଜିବା ଉଚିତ୍ । ଏଥିରୁ କଣାଏ କୌଶଳକୁ ଆପଣାର କରି ନପାରିଲେ, ଆପଣାର ଆଖି ଭିତରେ କଣାଏ ଦୃଷ୍ଟି ଭରି ନପାରିଲେ ମଣିଷ କିଛି ସୃଷ୍ଟି କରି ପାରିବ ନାହିଁ । ହୁଏତ କ୍ଷଣକର inspiration ମଧ୍ୟ କବିର ଶ୍ରେଷ୍ଠ କାବ୍ୟ, ଶିଳ୍ପୀର ଶ୍ରେଷ୍ଠ କାରିଗରି ଓ mysticର ଉପଲବ୍‌ଧି ଲାଗି ଯଥେଷ୍ଟ ଭୂମି ତିଆରି କରିଦେଇ ପାରିବ । କିନ୍ତୁ ଏଇ କ୍ଷଣକର ପ୍ରସାଦ ପାଇବାଲାଗି ହୁଏତ ସାରାଜୀବନର ସାଧନା ଓ ଶ୍ରମ ଦରକାର । ଏହି ସାଧନାକୁ ମୁଁ perspiration ଅର୍ଥରେ ଗ୍ରହଣ କରିବି । ମୁହୂର୍ତ୍ତେ ଲାଗି ଆପଣାର ମନକୁ ଉନ୍ମୋଚିତ କରି ପାରିବାକୁ ହୁଏତ ମଣିଷକୁ ସାରାଜୀବନ ସତର୍କ ଭାବରେ ଆଲୋକ ମୁହାଁ ହୋଇ ବାଟ ଚାଲିବାକୁ ପଡ଼ିବ । ବିନ୍ଦୁଏ ବରଷା ପଛରେ କେତେ ଦୀର୍ଘ ପ୍ରସ୍ତୁତିର ଇତିହାସ ରହିଚି, ସେହିପରି ଇତିହାସରେ ସକଳ ପ୍ରେରଣାରୁ କାହାଣୀ ପଛରେ କେତେ ପ୍ରସ୍ତୁତିର ଦୀର୍ଘ ସାଧନା ରହିଚି । ହୁଏତ ଏହି ସାଧନାକୁ ହିଁ ଏଡ଼ିସନ୍ perspiration ବୋଲି କହିଚନ୍ତି ।

 

ଏଠି ଟିକକରେ ମନ ଭାରି ଚଞ୍ଚଳ ହୋଇପଡ଼ୁଚି, ସତେଅବା ସୃଷ୍ଟି ବିଗିଡ଼ି ଗଲାପରି ସେ ଟିକିକ କଥାରେ ବିଦ୍ରୋହ କରି ଉଠୁଚି । ତେଣୁ ଅନେକ ସମୟରେ କେବଳ ଆପଣା ଉଦବେଗଗୁଡ଼ାକ ଦ୍ଵାରା ଦହିହେବା ହିଁ ସାର ହେଉଚି । ପାରିପାର୍ଶ୍ୱିକ ଅବସ୍ଥାକୁ ସ୍ଵୀକାର କରିନେଇ ମୋତେ ଶାନ୍ତ ଅଥଚ ସଂକଳ୍ପ ସବଳ ଚିତ୍ତରେ ଜୀବନର ବିଚିତ୍ର କ୍ଷେତ୍ରମାନଙ୍କରେ ପ୍ରବେଶ କରିବାକୁ ହେବ । ବଞ୍ଚିବାର ଓ ବଞ୍ଚିବା ସଙ୍ଗେ ସଙ୍ଗେ ସୃଷ୍ଟି କରିବାର ଆନନ୍ଦ ହିଁ ସବୁକ୍ଷେତ୍ରରେ ମୋ’ ଜୀବନର ମାନଦଣ୍ଡ ହୋଇ ରହୁ, ମୁଁ ଆଜି ଏହି ପ୍ରାର୍ଥନାରେ ମୋ’ ଦିନଟି ଶେଷ କରୁଚି ।

 

୨୯ । ୧ । ୫୧

 

ଗୋଟିଏ ଛୋଟିଆ ଆଲୋଚନାରେ ଯୋଗ ଦେଇ ରାତି ସାଢ଼େ ବାରଟାରେ ଘରକୁ ଫେରୁଚି । ଅନୁନ୍ନତ ଦେଶମାନଙ୍କରୁ ନିରକ୍ଷରତା ଦୂର କରିବା ପୃଥିବୀରେ କୁଆଡ଼େ ସବୁଠାରୁ ବଡ଼ ସମସ୍ୟା ହୋଇ ପଡ଼ିଲାଣି, ତେଣୁ ସେଥିଲାଗି କିଞ୍ଚିତ୍ ଦୟା ଦେଖାଇ ମୁମୂର୍ଷୁ ଜାତିସଂଘର ଗୋଟିଏ ଶାଖା ଇଉନେସ୍କୋକୁ ଏକ ସମୂହସାକ୍ଷରତାର ଯୋଜନା ଦେବାକୁ ଏହି ଆଲୋଚନା ସଭା ଡକା ଯାଇଥିଲା । To help the underdeveloped countries of the world to be literate : ଉଦ୍ୟୋକ୍ତାମାନଙ୍କର ଭାଷାରେ କଥାଟାକୁ ନ କହିଲେ କଥାର ସମସ୍ତ ଅର୍ଥ ବୁଝି ହେବନାହିଁ । ଯୋଜନାଟି ବି ଭାରି ଅଦ୍‌ଭୂତ; ସମସ୍ତ ପୃଥିବୀର ଯୁବକ ଓ ପ୍ରୌଢ଼ମାନଙ୍କୁ ସାକ୍ଷର କରିବାଲାଗି ଗୋଟିଏ ପାଠ୍ୟପୁସ୍ତକର ନମୁନା ତିଆରି କରିବା ଉଦ୍ଦେଶ୍ୟରେ ଆମକୁ ଡକାଯାଇଥିଲା । ଉଦ୍ୟୋକ୍ତାମାନଙ୍କର ନିଷ୍ଠା ଓ ସରଳ ବିଶ୍ୱାସ ଉପରେ ମୋର ଯଥେଷ୍ଟ ଶ୍ରଦ୍ଧା ରହିଚି । ଦୂରଦୁରନ୍ତର ଭାଗ୍ୟହୀନ ମଣିଷମାନଙ୍କର ପ୍ରତି ସେମାନଙ୍କର ଦୟାର୍ଦ୍ରତାକୁ ମୁଁ ଧନ୍ୟବାଦ ଦେଉଚି । କିନ୍ତୁ କୋପେନହେଗେନ୍ ସହରର ଗୋଟିଏ ଛୋଟିଆ ଘରେ ବସି ଯଦି ପୃଥିବୀକୁ ସତକୁ ସତ ସାକ୍ଷର କରି ହେଉଥାନ୍ତା, ତେବେ ମୁଁ ମଧ୍ୟ ଭାରି ଖୁସୀ ହୁଅନ୍ତି । ଇଉନେସ୍ଵୋର ବଡ଼ଲୋକୀ ସଭାରେ କେତେ ପଇସା ଖରଚ ହୋଇ କେତେ ଯୋଜନା ଗଢ଼ାହେଲାଣି, କିନ୍ତୁ ଖାଲି ଯୋଜନାରେ ଯଦି ରାସ୍ତା ଆଗକୁ ଯାଇ ହେଉଥାନ୍ତା !

 

ସଂସାରରେ ଯୋଜନାର ଅଭାବ ନାହିଁ, କର୍ମୀର ଅଭାବ ଅଛି । କର୍ମୀର ଅଭାବରୁ କେତେ ଯୋଜନା ସରକାରୀ ଅଫିସର ପୁରୁଣା କାଗଜ ଗଦାରେ ମଉଳି ଯାଉଚି । ଯଦି ଏଦେଶରେ ଏତେ ଲୋକ ଅନୁନ୍ନତ ଅଞ୍ଚଳଗୁଡ଼ିକର ସାକ୍ଷରତାଲାଗି ଏତେ ବ୍ୟାକୁଳ, ତେବେ ମୁଁ ସେମାନଙ୍କୁ ପ୍ରତ୍ୟେକଙ୍କୁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଆବୋରି ଆଗେ ଶିକ୍ଷକ ହେବାକୁ କହିବି । ଅନ୍ତତଃ ଦଶବରଷ ଶିକ୍ଷକତା କରିସାରିବା ପରେ ସେମାନେ ସଂସାରଲାଗି କିଛି ଯୋଜନା କରିବାର ଅଧିକାର ଅର୍ଜନ କରିପାରିବେ ।

 

୩୦ । ୧ । ୫୧

 

ମୋଟେ ତିନିବର୍ଷ ତଳର କଥା, କିନ୍ତୁ ଭାବିଲା ବେଳକୁ ତିରିଶି ବର୍ଷ ତଳପରି ଲାଗୁଚି । ଦିନେ ସିଏ ଆମରି ଭିତରେ ଜଣେ ହୋଇ ରହିଥିଲା, ଆମରିଠାରୁ ନିନ୍ଦା ପ୍ରଶଂସା ପାଇ ଆମକୁ ସବୁକ୍ଷେତ୍ରରେ ଅଭୟ ଦେଇ ଆସିଥିଲା, କିନ୍ତୁ ଆମେ କେଡ଼େ ଚଞ୍ଚଳ ତାକୁ ପଛରେ ପକାଇ ହୁଡ଼ି ଆସିଲୁଣି ! ତା’ର ସ୍ଵପ୍ନର ନିର୍ମାଣ ଏପର୍ଯ୍ୟନ୍ତ ପୂରା ହୋଇ ନାହିଁ, ତଥାପି ତାହାରି ଉତ୍ତରାଧିକାର ପାଇଥିବା କାରିଗରମାନେ ସତେ ଅବା ଆଉ କେଉଁ ଅନ୍ୟ ମୋହରେ ପଡ଼ି ଆପଣାର ସବୁ କାରିଗରୀ ଭୁଲି ସାରିଲେଣି । ପରକୁ ଦେଖି ପରଠାରୁ ଅନୁକରଣ କରିବା ଛଡ଼ା ଯେପରି ସେମାନଙ୍କ ଆଖିକୁ ଆଉ କୌଣସି ଭଲ ବାଟ ହିଁ ଦିଶୁନାହଁ । ଦୁନିଆ ଦୃଷ୍ଟିରେ ଭଲ ଦେଖାଯିବାକୁ ଚେଷ୍ଟା କରିବା ଛଡ଼ା ଭାରତବର୍ଷ ଯେପରି ଆଉ ସବୁ କାମକୁ ପାସୋରି ଦେଲାଣି !

 

ସମୟ ପୁରୁଣା ହେବା ସଙ୍ଗେ ସଙ୍ଗେ ଗାନ୍ଧୀ ମଧ୍ୟ ଆମ ମନରେ ପୁରୁଣା ହୋଇଯାଉଚି-। ନୂଆର ଲାଳସାରେ ପଡ଼ି ଆମେ ତାହାରି ହାତରେ ବସିଥିବା ପୁରୁଣା ଖୁଣ୍ଟଗୁଡ଼ାକୁ ମଧ୍ୟ ଉପାଡ଼ି ଫୋପାଡ଼ିଦେବାକୁ ବାହାରି ପଡ଼ିଲୁଣି । ସାରା ଦେଶଟାକୁ କେଉଁ ରାକ୍ଷାସ ଗ୍ରାସ କରି ବସିଚି କେଜାଣି ?

 

ତଥାପି ତାହାର ମୃତ୍ୟୁ ଦିବସରେ ମୁଁ ଆଜି ଖାଲି ତାହାରି କୀର୍ତ୍ତିର ସ୍ଵପ୍ନଗୁଡ଼ାକୁ ଦେଖି ଚାଲିଚି । ମୋର ଅନ୍ତରାକାଶରେ ଯେପରି ତାହାରି କଳ୍ପନାମାନ ମୂର୍ତ୍ତିମନ୍ତ ହୋଇଯାଉଚି । ମନ କହୁଚି, ଆପଣା ମୂର୍ଖତାରେ, ଆମେ ଭାଙ୍ଗି ପକାଇଥିବା ପ୍ରାସାଦର ଧ୍ଵଂସାବଶେଷ ଧୂଳିମାଟିରୁ ଏଦେଶରେ ପୁଣି ମଣିଷ ବାହାରିବେ, ସହସ୍ର, ମନର ସଂକଳ୍ପ ମଧ୍ୟରେ ଗାନ୍ଧୀ ପୁଣି ଅବତାର ଗ୍ରହଣ କରିବା ସବୁପ୍ରକାର ପ୍ରତିକୂଳତା ସତ୍ତ୍ୱେ ସେହି ଆଶାଟିକକ ମନଭିତରେ ସତେଅବା ଭାରି ସାହସ ଓ ଭାରି ଭରସା ଯୋଗାଇଦେଇ ଯାଉଚି । ଦିନେ ଅତି ଅଖ୍ୟାତ ଓ ଅଜ୍ଞାନ୍ତ ଭାବରେ ସେହି ମହାତ୍ମା ଦକ୍ଷିଣ ଆଫ୍ରିକାରେ ଆପଣାର ସୌଧନିର୍ମାଣ ଆରମ୍ଭ କରିଥିଲା । ହୁଏତ, ସେହିପରି ଅଜ୍ଞାତରେ ପୁଣି କେଉଁ ସୈନିକର ହାତରେ ଯେ ହୁଏତ ଆଗାମୀ ଯୁଗର ମୂଳଦୂଆ ପଡ଼ିବା ଆରମ୍ଭ ହେଲାଣି, ସେକଥା କିଏ କହିପାରିବ ?

 

୧ । ୨ । ୫୦

 

ଭଦ୍ର ସମାଜର ଆତିଥ୍ୟ ରକ୍ଷାକରିବାର ଖାତିରିରେ କାଲି ରାତିରେ ଘରକୁ ଫେରିବାବେଳକୁ ଗୋଟାଏ ବାଜି ଯାଇଥିଲା । ସେତେବେଳେ ମନକୁ ସ୍ଥିର କରି ଆପଣାର ସ୍ଵାଭାବିକ ଦିନଚର୍ଯ୍ୟାଟିକୁ ପୂରଣ କରିବାଲାଗି ଯେଉଁ ଶ୍ରମପ୍ରଯତ୍ନିତ ସଂଯମର ଲୋଡ଼ା ସେହି ସଂଯମକୁ କାମରେ ଲଗାଇବାର ଶକ୍ତି ମୋର ଆଦୌ ନାହିଁ । ତେଣୁ କାଲି ମୁଁ ବାଧ୍ୟ ହୋଇ ବଡ଼ ଅପୂର୍ଣ୍ଣ ମନରେ ଶୋଇବାକୁ ଯାଇଥିଲି । କାହାର ଅଭିଶାପ ପଡ଼ିଥିଲା ପରି ଭଲକରି ଶୋଇ ମଧ୍ୟ ପାରିଲି ନାହିଁ । ସକାଳେ ଉଠିଲା ବେଳକୁ ମନେ ହେଲା, ରାତିଯାକ ମୁଁ ସତେଅବା କେଉଁ ରାକ୍ଷସ ସହିତ ଯୁଝି ଯୁଝି ଫେରୁଚି । ରାତିଟା ଆଗରୁ ବ୍ୟର୍ଥ ହୋଇ ଯାଇଥିଲା, ସକାଳ ମଧ୍ୟ ମୋତେ ସୁନ୍ଦର ଓ ସହଜ ଭାବରେ ଜାଗୃତ କରିଦେଇ ପାରିଲା ନାହିଁ । ଜାଣେନା, ମୁଁ ଏଥିଲାଗି କାହାକୁ ଦୋଷ ଦେବି ! ନିଜର ସକଳ ପ୍ରବୃତ୍ତିକୁ ଅତି ନିର୍ମମ ଭାବରେ ବାନ୍ଧିରଖି ବନ୍ଧା ନିୟମର ଜୀବନାଚରଣ କରିବାରେ ମୁଁ ଖୁବ୍ ବେଶି ଅଭ୍ୟସ୍ତ ହୋଇ ନାହଁ । ସତେଯେପରି ସେହି ବାଟ ମୋର ସ୍ଵାଭାବିକ ବାଟ ହିଁ ନୁହେଁ । ମୁଁ ଜାଣେ, ସରଳ ବାତାବରଣ ଓ କର୍ମମୟ ଦାୟିତ୍ଵ ମଧ୍ୟରେ ଜୀବନ ଅତି ସହଜରେ ତା’ ଆପଣ ବାଟରେ ପଡ଼ିଯାଇ ପାରିବ । ମୋ’ ଜୀବନରେ ମୁଁ ଅନେକବାର ଏହି ଅଭିଜ୍ଞତାଟି ଲାଭ କରିଚି । ଦିନପରେ ଦିନ ଅନୁଶୋଚନା ଓ ପରିଶ୍ରମ ଦ୍ଵାରା ଯାହା କରିପାରିନାହିଁ, ଗୋଟାଏ ସକାଳ ବା ଗୋଟାଏ ସନ୍ଧ୍ୟା ସମ୍ମୁଖରେ ହଠାତ୍ ଆପଣାକୁ ବ୍ୟାପ୍ତ କରିଦେଇ ମୁଁ ତାହା ପାରିଚି, ଆପଣାର ଜୀବନକ୍ଷେତ୍ରରେ ମୁଁ ସତେଅବା ପରିପୂର୍ଣ୍ଣ ଆଲୋକପରି ପୂରି ଉଠିଚି । ଏଠାରେ ମୋତେ ତିନିବର୍ଷ କଟାଇବାକୁ ହେବ, ଜାଣେନା, ଯେଉଁ ଶୁଭ ମୁହୂର୍ତ୍ତରେ ମୁଁ ଆପଣାକୁ ଆପଣା ବାଟକୁ ଫେରାଇ ଆଣିପାରିବି ।

 

୨ । ୨ । ୫୧

 

ଏହି ସହରରେ ମାସକରୁ ଅଧିକ ବିତିଗଲାଣି, ଅଥଚ ମୁଁ ଏପର୍ଯ୍ୟନ୍ତ ଜୀବନର ଗତିକୁ ଅବଧାରଣ କରି ରଖି ପାରି ନାହିଁ । ମୁଁ ଯେପରି ଆଉ କାହାର ନିର୍ଦ୍ଦେଶରେ ଯନ୍ତ୍ରପରି ବୋଲ ମାନି ଦିନପରେ ଦିନ ଗଡ଼ାଇ ଚାଲିଚି । କାନ୍ଥରେ ଗାର ପକାଇ ରଖିଲାପରି କେବଳ ଦିନପରେ ଦିନ ଗଣିବାଛଡ଼ା ମୁଁ ସମୟ ଓ ଜୀବନର କୌଣସି ସ୍ଵାଦ ପାଇପାରୁନାହଁ । ଗଲାମାସଟା ମୋତେ ଖାଲି ପ୍ରହସନ ପରି ମନେହେଲା, ମୋର କ୍ଷେତ୍ର ଉପରେ କିଏ ଯେପରି ତା’ ନିଜର ମଞ୍ଚା ବାନ୍ଧି ଖାଲି ତାମସା କରିବାରେ ହିଁ ଲାଗିଥିଲା । ବେଳେବେଳେ ମନେ ହେଉଚି, ମୁଁ ସତେଅବା କେବଳ ରେଳ ବା ମଟରରେ ବସି କୁଆଡ଼େ ଯିବାରେ ଲାଗିଚି । କୁଆଡ଼େ ଯାଉଚି ସେ ବିଷୟରେ ମୋର କୌଣସି ସଚେତନା ନାହିଁ; ଆପଣା ଗତିର ଦିଗ ଓ ଦୃଷ୍ଟିକୁ ବାରି ରଖିବାକୁ ମୁଁ ଯେପରି କୌଣସି ଆବଶ୍ୟକତା ହିଁ ଅନୁଭବ କରି ପାରୁନାହିଁ । ଏହି ମଧ୍ୟବର୍ତ୍ତୀ କାଳର ହାଲୁକା ନିଶା ଏ ପର୍ଯ୍ୟନ୍ତ ଭାଙ୍ଗି ନାହିଁ । ମୁଁ ନିଜକୁ ଏତେଦୂର ଆବଦ୍ଧ ଓ ଅସହାୟ ଭାବରେ ଆଗରୁ କେବେ ଅନୁଭବ କରିଚି କି ନାହିଁ ସେକଥା ମନେ ପଡ଼ୁନାହିଁ । ବାହାରେ ସବୁ ଖଞ୍ଜାହୋଇ ରହିଚି; ଆରାମ, ଅୟସ ଓ ଅଳସ ବିନୋଦନ ଚାତୁରୀରେ ଘଣ୍ଟାପରେ ଘଣ୍ଟା କଟିଯାଉଛି, ଘଡ଼ିକଲାଗି କେତେ ଲୋକଙ୍କ ସହିତ ବନ୍ଧୁ, ବାନ୍ଧି ମୁଁ ଘଡ଼ିକେ କେତେ ବନ୍ଧୁଙ୍କୁ ଭୁଲୁଛି । ତଥାପି ଭିତରେ ଥାଇ କିଏ ଯେପରି କାଣିଚାଏ ମୁକ୍ତିଲାଗି ଆର୍ତ୍ତନାଦ କରି ଉଠୁଚି । ଏଯୁଗର ମନୋବୈଜ୍ଞାନିକ ବିଶେଷଜ୍ଞ ଏହି ପ୍ରକୃତିଟିକୁ କେଉଁ ରୋଗର ଅନ୍ତର୍ଭୁକ୍ତ କରନ୍ତା କେଜାଣି ? କିନ୍ତୁ ବେଶ୍ ଜାଣିପାରୁଚି ଯେ ଆତ୍ମନିୟନ୍ତ୍ରଣର ଅଭାବ ହେଉଚି ଏହି ଅନ୍ତର୍ଦହନର ମୂଳ କାରଣ, ଏବଂ ତାହାରି ଫଳରେ ମୁଁ ଆତ୍ମବ୍ୟାପ୍ତିର ଏହି ଅଭାବଟିକୁ ଅନୁଭବ କରି ଏପରି ମରୁଚି ।

 

୩ । ୨ । ୫୧

 

ଦିନୁଁ ଦିନ ଆପଣାକୁ ଅତି ବିକଳ ମନେହେଉଚି, ଅପଣାର ଗତି ଓ ପ୍ରବୃତ୍ତିପଥ ଗୁଡ଼ାକ ଅତି ସହାୟହୀନ ଲାଗୁଚି । ଆପଣାର ସକଳ integrityକୁ ଜଳାଞ୍ଜଳି ଦେଇ ଯେ କୌଣସି ପରିବେଶରେ ନିଜକୁ ଖାଲି ଅନୁକୂଳିତ କରିନେବାକୁ ହିଁ ଯଦି ସୁସ୍ଥ ଜୀବନର ମାନଦଣ୍ଡ ବୋଲି ଧରାଯାଏ, ତେବେ ମୁଁ ସେହି ମାନଦଣ୍ଡଟିକୁ ମାନିବାକୁ ହିଁ ଚାହେଁନାହଁ । ବିଭିନ୍ନ ପରିବେଶର ସୀମାୟତନ ଗୁଡ଼ିକୁ outgrow କରି ଯିଏ ଆପଣାର ସବଳ ପଥରେ ଆପଣାକୁ ପ୍ରତିଷ୍ଠିତ କରିପାରେ, ସେଇ ହେଉଚି ସୁସ୍ଥ । Normal କହିଲେ ମୁଁ ତାହାକୁ ହଁ ବୁଝିଥାଏ । ନାନା ପାରିବେଶିକ ନିୟନ୍ତ୍ରଣ ଭିତରେ ପରିବେଶର ଖିଆଲ ମୁତାବକ ହିଁ ଆଚରଣ କରିବାର ଯାନ୍ତ୍ରିକ normalityକୁ ମୁଁ କଦାପି normality ବୋଲି କହିବି ନାହିଁ ।

 

ପ୍ରାଣ ଏଠି ଆଦୌ ଖୋଲି ପାରୁ ନାହିଁ । ଏଠିକାର ଆରାମ ଓ ନିରୁଦ୍ଦେଶ୍ୟ ଆଳାପସଂଳାପ ଭିତରେ ମୁଁ ଯହୁଁ ଯହୁଁ ଅଧିକ ପଶୁଚି, ଅନ୍ତର ମନଟା ତହୁଁ ତହୁଁ ଅଧିକ ଛଟପଟ କରି ଉଠୁଚି । ଆଗରୁ ଅନ୍ୟ କୌଣସି କ୍ଷେତ୍ରରେ ମୁଁ ଆପଣାକୁ ଏତେ restrained ଅନୁଭବ କରିନଥିଲି ।

 

ବିଦେଶକୁ ବୁଲିଆସିବା ବା ବିଦେଶରେ ପାଠ ପଢ଼ିବାର ସୁଯୋଗ ପାଇଲେ ତାହାକୁ ଅନେକ ଲୋକ ମହାଭାଗ୍ୟ ବୋଲି ମନେକରନ୍ତି । ହୁଏତ ଗୋଟାଏ ନୂଆ adventureର ସ୍ଵପ୍ନରେ ମୁଁ ମଧ୍ୟ ଦିନେ କେତେ କଳ୍ପନାରେ ଭାସୁଥିଲି । କିନ୍ତୁ ନାନା ଲାଭର ଲୋଭ ଦେଖାଇ ମୋର ଜୀବନଦେବତା ମତେ ଏହି ଶୁଷ୍କ ପ୍ରାନ୍ତରଭିତରେ ଆଣି ଥୋଇଦେଲା କାହିଁକି ? ନୂତନରୁ ନୂତନତର ଅଭିଜ୍ଞତା ପାଇଲେ ଜୀବନ ସିନା ଆହୁରି ଅଧିକ ପ୍ରଫୁଲ୍ଲ ହୋଇ ଉଠୁଥାନ୍ତା, ଜୀବନ ବଞ୍ଚିବାର ଭାରଟା ମୋତେ ଆହୁରି ଅଧିକ ହାଲୁକା ଲାଗୁଥାନ୍ତା, ଜୀବନ ବିଧାତାର ନିର୍ମାଣସୂତ୍ର ଭିତରେ ସମର୍ପିତ ଓ ସ୍ଵେଚ୍ଛାପ୍ରଣୋଦିତ ଅନ୍ତରରେ ଆପଣାକୁ ଗଅଁଠାଇ ଦେଇ ମୁଁ ହୁଏତ ନିତି ଜୀବନର ଗତି ଓ ବଞ୍ଚିବାର ବେଗଟିକୁ ଅନୁଭବ କରୁଥାନ୍ତି ! କିନ୍ତୁ କାହିଁ ? ଏହି ନୂତନ ପରିବର୍ତ୍ତନଟି ସେପରି କୌଣସି ଗୋଟିଏ ମାତ୍ର ଅନୁଭବ ସଂଘଟିତ କରାଇ ପାରୁନାହଁ କାହିଁକି ?

 

୪ । ୨ । ୫୧

 

ମନୋମତ ମୁକ୍ତି ଓ ପ୍ରସାର ନପାଇଲେ ମଣିଷର ପ୍ରାଣଶକ୍ତି ଯେ କିପରି ମରିମରି ଯାଏ, ମୁଁ ଏହି କେତେଦିନ ହେଲା ଆପଣାର ଜୀବନରେ ଠିକ୍ ତାହାହିଁ ଅନୁଭବ କରୁଚି । ମୁଁ ଯେପରି ମରିମରି ଯାଉଚି, ଅନ୍ତରର ସମସ୍ତ ଶକ୍ତି, ସଂକଳ୍ପ ଓ ଅର୍ଜିତ ସମ୍ପଦ ଯେପରି ଯଥାର୍ଥ କାମରେ ଲାଗିନପାରି କ୍ରମେ କଳଙ୍କି ଧରିଯାଉଚି । କେବଳ ସେତିକି ନୁହେଁ । ଦୁନିଆଯାକର କଦର୍ଯ୍ୟ ଭାବନା ଓ କଦର୍ଯ୍ୟ ଖୋଇଗୁଡ଼ାକ ମଧ୍ୟ କ୍ରମେ ମନକୁ ଅଧିକାର କରିବାକୁ ବସିଲାଣି । ନିକିମା ହୋଇ ଏକ ବୀର୍ଯ୍ୟହୀନ vacuum ଭିତରେ ପଡ଼ିଥିଲାବେଳେ ଅପଦେବତା କିପରି ମଣିଷକୁ ଆପଣାର ବଶବର୍ତ୍ତୀ କରିନିଏ, ମୁଁ ବର୍ତ୍ତମାନ ସେହି ଦୁର୍ଯ୍ୟୋଗ ଭୋଗୁଚି, ଏ ପୁଣି ଜୀବନ-ବିଧାତାର କେଉଁଭଳି ପରୀକ୍ଷା ?

 

ଏଠାରେ ମୁଁ ଏପର୍ଯ୍ୟନ୍ତ ଦିନେ ସୁଦ୍ଧା ପୂର୍ଣ୍ଣହୋଇ ଜୀବନ ବଞ୍ଚିବାର ଆସ୍ଵାଦ ପାଇନାହିଁ । ବାର ଉପଲକ୍ଷ୍ୟରେ ବାରଥର ସଜ ହୋଇ, ବାର ବାହାନାରେ ଆପଣାର ଅସଲ ରୂପଟିକୁ ଆବୃତ କରି ରଖିବାରେ ମୋର ଦିନପରେ ଦିନ ଚାଲିଯାଉଚି, ଅଥଚ ଆତ୍ମଦର୍ଶନର ସ୍ଵଚ୍ଛ ଦର୍ପଣ ଆଗରେ ଘଡ଼ିଏ ଶାନ୍ତସମାହିତ ହୋଇ ଠିଆହୋଇ ପାରିବାଭଳି ମନର ଶାନ୍ତି ମୁଁ ଏପର୍ଯ୍ୟନ୍ତ ପାଇଲି ନାହଁ । ଜୀବନର ନାନା କ୍ଷେତ୍ରରେ ମଣିଷକୁ ନିରୀକ୍ଷଣ କରୁକରୁ ମୋର ପ୍ରାଣ କେବେ ଥରେ ହେଲେ ଏକ ଅବିଚ୍ଛିନ୍ନ ଆତ୍ମୀୟତାରେ ଉଦ୍‌ଭାସିତ ହୋଇ ଉଠି ନାହିଁ । ଖିଆ ପିଆ, ଗପ, ଗରିମା ସବୁ ଚାଲିଚି, ଅଥଚ ମୁଁ ନିଜେ ଯେପରି ଜଡ଼ ହୋଇ ପଡ଼ିରହିଚି ! ଜୀବନଯନ୍ତ୍ରର ସକଳ ସଞ୍ଚାଳନ ଯେପରି ବନ୍ଦ ହୋଇ ଆସୁଚି ! ଜୀବନରେ ଏପରି ଶୋଚନୀୟ ଭାବରେ ମୁଣ୍ଡ ନୁଆଁଇବାର ଲଜ୍ଜାକୁ ମୁଁ କେବେହେଲେ ଆଦରି ନେଇନଥିଲି । କେଡ଼େ ବଡ଼ ଲୋଭ ଦେଖାଇ କିଏ ଯେପରି ମତେ ଗୋଟାଏ କେଡ଼େ ବଡ଼ ଜାଲରେ ଛନ୍ଦି ଦେଇଥିଲା ପରି ଲାଗୁଛି ! ପରର ପ୍ରସାଦରେ ଏହି ନୂଆ କ୍ଷେତ୍ରରେ ପ୍ରବେଶ କରି ମୁଁ ସତେଅବା ବଞ୍ଚିବାର ସମସ୍ତ ପ୍ରସାଦକୁ ହିଁ ହରାଇ ବସିଚି । ଏହି ଦଣ୍ଡଭୋଗର ପରିଣାମ ପୁଣି କେଉଁଠି ?

 

୫ । ୨ । ୫୧

 

ଦିନମାନର ସମସ୍ତ ଜୀବନଯାପନ-କ୍ଷେତ୍ରରେ ମୁଁ ଅହରହ ଯେଉଁ ଆତ୍ମଦହନ ଓ ମନଃସଂଘର୍ଷ ଅନୁଭବ କରୁଚି, ମନୋବୈଜ୍ଞାନିକ ଗୁଣୀମାନେ ହୁଏତ ତାହାକୁ frustration ବୋଲି କହିବେ । କୌଣସି ଏକ ନିର୍ଦ୍ଦିଷ୍ଟ ଶବ୍ଦ ନେଇ ମୁଁ କଜିଆ କରିବାକୁ ଯାଉ ନାହିଁ । ଯହୁଁ ଯହୁଁ ମୁଁ ବେଶିବେଶି ପୋଥି ପଢ଼ୁଚି, ତହୁଁ ତହୁଁ ବିଭିନ୍ନ ଶବ୍ଦର ତାତ୍ପର୍ଯ୍ୟ ବିଷୟରେ ମୁଁ ଟିକିଏ disillusioned ହୋଇଯାଉଚି । ଆପଣାର ଦୃଷ୍ଟି ଓ ଧ୍ୟାନକୁ ବାହାରର ଜ୍ଞାନଗହନରୁ ଅନ୍ତର ଭିତରକୁ ଆକୃଷ୍ଟ କରି ଆଣିବା ସକାଶେ ମୋ’ ଲାଗି ଏପରି ଏକ disillusionmentରେ ଆବଶ୍ୟକତା ରହିଥିଲା । ଦାର୍ଶନିକ କାଣ୍ଟଙ୍କର critique of Pure Reason ପରି Reason ବା ଅନ୍ତସ୍କରଣ-ଧାରଣାର ସୀମା ସମ୍ବନ୍ଧରେ ମଣିଷକୁ ସଚେତ କରିଦେବା ଏହାର ପ୍ରଧାନ ଉଦ୍ଦେଶ୍ୟ ।

 

ଏହି ସଂଘର୍ଷ ମତେ ମଣିଷ କରି ଆଣିଚି, ଏହି ଅପରିତୃପ୍ତି ମୋତେ ନବନବ ପରିତୃପ୍ତିର କ୍ଷେତ୍ର ଭିତରକୁ ଅବିରତ ଉତ୍ତୀର୍ଣ୍ଣ କରି ଆଣିଚି । ମନର ଏହି ପ୍ରତିକ୍ରିୟା ଗୁଡ଼ିକ ମୋତେ ପ୍ରାଣର Creative Evolutionରେ ସବୁଠାରୁ ଅଧିକ ବାଟ ଦେଖାଇଚି । ଏହି ରୀତି ହେଉଚି ଜୀବନର ନବଜନ୍ମ ଲାଗି ଶ୍ରେଷ୍ଠ ବିବର୍ତ୍ତନର ରୀତି । ଶ୍ରୀଯୁକ୍ତ ଆଡ଼୍‌ଲର୍‌ଙ୍କ ଭାଷାରେ କହିବାକୁ ଗଲେ ଏହି ପ୍ରତିକ୍ରିୟା ଓ ସଂଘର୍ଷ ହିଁ ମୋତେ ଜୀବନ କ୍ଷେତ୍ରର ପ୍ରସ୍ତୁତ ପରିବେଶଗୁଡ଼ିକୁ ଅତିକ୍ରମ କରିବାର ଶିକ୍ଷା ଦେଇଚି । ଏହି ରୀତିରେ ହିଁ ମୋ’ ଜୀବନର ବୃତ୍ତ କ୍ରମେ ଅଧିକରୁ ଅଧିକ ପ୍ରସରି ଚାଲିଚି ।

 

ମୁଁ ପ୍ରତ୍ୟେକ ଦିନ ଅବସ୍ଥା ପାଖରେ ହାର ମାନୁଚି । କେତେ କାନ୍ଦୁଚି, ମନସ୍ତାପରେ କେତେ ସମୟ କଟୁଚି ! କିନ୍ତୁ ଭିତରୁ ରାଣ ପକାଇ ଓ ହୃଦବୋଧ କରାଇ କେଉଁ ଜନନୀ ମୋତେ ସତେ ଜାଗୃତ ଓ ଉତ୍ତିଷ୍ଠିତ କରି ରଖିଚି । ସକଳ ଦହନର ଶେଷରେ କେବଳ ଆପଣାକୁ ହିଁ ପ୍ରସାରିତ ଓ ପ୍ରତିଷ୍ଠିତ କରାଉଥିବା ଶାନ୍ତ ଜ୍ୟୋତିର ହିଁ ଜୟ ହେବ, ସକଳ କଣ୍ଟାକୁ ଧନ୍ୟ କରି ସ୍ଵାଭାବିକ ଜୀବନ ପୁଣି ଫୁଲ ହୋଇ ଫୁଟି ଉଠିବ ।

 

୬ । ୨ । ୫୧

 

ବୋଉର ଶୁଭକାମନା ଘେନି ଗାଆଁରୁ ଚିଠି ଆସି ପହଞ୍ଚିଲା । ଘଡ଼ିକେ ସେହି ଦୂର ପବନର ଆଶୀର୍ବାଦରେ ମନର ଦୁର୍ବଳତା ଗୁଡ଼ାକୁ ମୁଁ କୁଆଡ଼େ ପାସୋରି ପକାଇଲି । ଅଳପ ଜାଣିଥିବା ଓ ଅଳପ ସଂସାରରେ ଜୀବନର ଜାଲଟିକୁ ପ୍ରସାରି ରଖିଥିବା ବୋଉ ମୋର, ତଥାପି ତାହାରି ହାତର ଲେଖା ଅକ୍ଷର କେତୋଟିରେ ସତେଅବା ସକଳ ବିଶ୍ୱର ଜନନୀ ମୋତେ ଅଭୟ ଦେଇ ଯାଉଚି । ସବୁ ସଂଘର୍ଷ ଓ ସବୁ ସଙ୍କଟରେ ଯେପରି ମୋ’ ଆଗେଆଗେ ତାହାରି ବିରାଟ ଅନୁଷ୍ଠାନ ଚାଲିଚି । ସଂସାରର biological ସମ୍ବନ୍ଧକୁ ସେହି ଅଭୟ ଆଶ୍ରୟ ଏକ spiritual ସମ୍ବନ୍ଧରେ ରସାଣିତ କରିଦେଉଚି । ମୁଁ ଜାଣେନା ବଡ଼ଲୋକର ପୁଅ ହୋଇ ଜନ୍ମ ହୋଇଥିଲେ ମୁଁ ଏ ବୋଉକୁ ପାଇଥାନ୍ତି କି ନାହିଁ । ହୁଏତ ଧନୀ ନେତାର ସହଧର୍ମିଣୀ ରୂପେ ନାନା କର୍ମ ଓ କର୍ମଠତା ଭିତରେ ସେ ମୁହୂର୍ତ୍ତେ ହେଲେ ତର ପାଉନଥାନ୍ତା, ହୁଏତ ନାନାପ୍ରକାର ଆଳାପ ଓ ସମ୍ପର୍କ ଭିତରେ ଆପଣାକୁ ଜନନୀ ବୋଲି ଭାବିବାକୁ ମଧ୍ୟ ତାକୁ ସମୟ ମିଳୁନଥାନ୍ତା । କିନ୍ତୁ ଆମର ସେହି ଛୋଟିଆ ସଂସାରର ବୋଉ, ଆମ ଛଅ ଓ ତିନି ଭଉଣୀଙ୍କ ଭିତରେ ସିଏ ଯେପରି ତାର ସକଳ ଆବେଗ ବା ଆକାଂକ୍ଷାକୁ ପ୍ରସାରିତ କରିଦେଇଚି; ଆମରି ଭିତର ଦେଇ ଯେପରି ତାର ଦେବତା, ତାର ଆରାଧନା ଓ ତାର ଜୀବନ ମୂର୍ତ୍ତିମନ୍ତ ଓ ଅର୍ଥବନ୍ତ ହୋଇ ଉଠିଚି । ସ୍ନେହ ଲାଗି, ସଂସାର ଲାଗି ବିଶୁଦ୍ଧ ଆତ୍ମସମର୍ପଣର ଦୃଷ୍ଟାନ୍ତ ରୂପେ ମୁଁ ବୋଉ କଥା ଯେତିକି ଭାବିଚି, ସେତିକି ବେଶି ବିସ୍ମିତ ହୋଇଚି । କେବଳ ଆତ୍ମଦାନ ଓ ଆତ୍ମନିବେଦନରେ ଯେପରି ସେ ଆପଣା ଜୀବନର ସବୁ ସମସ୍ୟାର ସମାଧାନ କରିଦେଇଚି, ସବୁ complexitiesକୁ ସେ ଗୋଟିଏ ସ୍ନେହର ପାତ୍ରରେ ମିଳାଇ ଦେଇଚି ।

 

୭ । ୨ । ୫୧

 

ଏଦେଶକୁ ଆସିବା ଦେଢ଼ମାସ ହୋଇଗଲା । ଅଥଚ ମୁଁ ଏପର୍ଯ୍ୟନ୍ତ ଏଠି positive ଜୀବନର ସ୍ଵାଦ ପାଇ ପାରିଲି ନାହିଁ । ବଞ୍ଚିବାର ଓ ବଢ଼ିବାର ବେଗକୁ ଏପର୍ଯ୍ୟନ୍ତ ମନଃପୂତ କରି ଅନୁଭବ କରି ପାରିଲି ନାହିଁ । ଜୀବନକୁ ସୁଖ ସ୍ଵୀକାରର ସହଜ ରୀତିରେ ଗ୍ରହଣ କରିନେବାର ମନଟିକୁ ମୁଁ ଯେପରି ଆଉ କେଉଁଠି ଛାଡ଼ିଦେଇ ଆସିଚି । ଏପର୍ଯ୍ୟନ୍ତ କେବଳ ଏକ ନକାରାତ୍ମକ ଅପରିତୃପ୍ତି ଗ୍ରସ୍ତ ପରିପାର୍ଶ୍ଵ ସହିତ ସଂଘର୍ଷ କରି ‘ନେତି ନେତି’ ର ଶୂନ୍ୟଜୀବନ ବଞ୍ଚି ମୋର ଦିନ କଟିଯାଉଚି । ଏହି ନିୟତ ଯୁଝିବାରେ ଭାରି କ୍ଳାନ୍ତ ହୋଇ ଗଲାପରି ଲାଗୁଚି । ମାନ ଓ ମସ୍ତିଷ୍କରେ ପୋକ ଲାଗିଯିବାର ଭୟ ହେଉଚି । ମୋତେ ଗୋଟାଏ ପ୍ରକାର ଅବସାଦ ମାଡ଼ି ବସିଥିଲା ପରି ଲାଗୁଚି । ମନେ ହେଉଚି ଯେପରି ଏହି ସଂଘର୍ଷରେ ହିଁ ମୋର ସକଳ ସଞ୍ଚୟର ବଳ ଚୂନା ହୋଇଯିବ, ଏହି ଅସ୍ଵୀକାର ଓ ବର୍ଜନମୂଳକ ସତର୍କତା ଯେପରି ମତେ ଶେଷକୁ ନିଷ୍ପ୍ରାଣ କରି ପକାଇବ । ଏହିପରି ନାନା ଦୁର୍ବଳ ଭାବନାରେ ମୁଁ ନିଜ ହାତରେ ହିଁ ନିଜର ଜୀବନକୁ ବ୍ୟର୍ଥ କରି ଚାଲିଚି ।

 

ଏଣେ କାହାର ଅଭିଶାପ ପଡ଼ିଥିବାପରି ପ୍ରାର୍ଥନା କରିବାର ସମସ୍ତ ମନୋଭୂମି ମଧ୍ୟ ନଷ୍ଟ ହୋଇ ଯାଉଚି । ଶାନ୍ତିନିକେତନରେ କଟିଥିବା ମୁକ୍ତ ଦିନ ଗୁଡ଼ିକର ପ୍ରଶାନ୍ତି ଓ ପ୍ରାର୍ଥନାମୟ ଦିନଯାପନର ଚିତ୍ରଗୁଡ଼ିକ ମନେପଡ଼ି ମୁଁ ଆହୁରି ବିକଳ ହୋଇପଡ଼ୁଛି । ସତେଅବା ହୀରା ପାଇବାର ଅଧ୍ରୂବ ପ୍ରଲୋଭନରେ ପଡ଼ି ମୁଁ କାଙ୍ଗାଳ ପରି ପ୍ରାପ୍ତ ଧ୍ରୂବକୁ ପଛରେ ପକାଇ ଦେଇ ଆସିଲି, ମୋର ଆପଣାର ବଇଠୀକୁ ହଜାଇ ଦେଇ ଆସିଲି । ସେହି ହଜାଇବାର ଅପରାଧରେ ମୁଁ ଯେପରି ଅନ୍ତରର ଦେବତା ଲାଗି ପ୍ରାର୍ଥନା କରିବାକୁ ମଧ୍ୟ ଅଯୋଗ୍ୟ ହୋଇପଡ଼ିଚି ! ନା, ବଡ଼ ଦୁଃସହ ଏଇ ପ୍ରଚଣ୍ଡ ତପ୍ତତାର ଦହନରେ ଦିନପରେ ଦିନ କଟାଇବାର ଯନ୍ତ୍ରଣା । ମୋର ଆଗକୁ ଯିବା ଦରକାର ନାହଁ; ମୁଁ ସହଜ ହେବାକୁ ଚାହେଁ । ଆପଣା କ୍ଷେତ୍ରଟିରେ ମୁଁ ବ୍ୟାପ୍ତ ହୋଇ ରହିବାକୁ ଚାହେଁ । ଆଲୋକିତ ହେବାର ଉଶ୍ଵାସ ପରିସର ଚାହେଁ ।

 

୧୫ । ୨ । ୫୧

 

ପୂରା ଗୋଟିଏ ସପ୍ତାହ ମୁଁ ଏହି ଖାତାରେ ପଦେ ହେଲେ ଲେଖି ପାରିନାହଁ । ଏହି ନୂଆ ଦେଶରେ ଦେଢ଼ ମାସ କଟି ଯାଇଥିଲେ ସୁଦ୍ଧା ମୁଁ ଏପର୍ଯ୍ୟନ୍ତ ଏଠାରେ ଜୀବନ ବଞ୍ଚିବାର ସ୍ଵାଭାବିକ ସ୍ଵାଦ ପାଇଲି ନାହିଁ । ଅତି ଅଳ୍ପ କଥାରେ କହିବାକୁ ଗଲେ ଏହି ଖାତାରେ ନ ଲେଖିବାର ସବୁଠାରୁ ବଡ଼ କାରଣ ହେଉଚି ଏଇଆ । ଆପଣା ଅଭିଜ୍ଞତାରୁ ମୁଁ ଅତି ଦୃଢ଼ଭାବରେ କହିପାରିବି ଯେ ଗୋଟାଏ ଗୋଟାଏ କ୍ଷେତ୍ରରେ ଜୀବନ ଅତି ସ୍ଵାଭାବିକ ଭାବରେ ଅଭିବୃଦ୍ଧି ଲାଭ କରେ । ସେତେବେଳେ ମନକୁ ବାନ୍ଧି ବସାଇ ଓ ବୋଲ ମନାଇ ଏହି ଖାତାରେ ଲେଖାଇବାକୁ ଦରକାର ପଡ଼େ ନାହିଁ । ଆପଣାକୁ ପ୍ରକାଶିତ ଓ ଲିପିବଦ୍ଧ କରିବା ସକାଶେ ଆପେ ଆପେ ଉତ୍ସାହୀ ହୋଇ ରହିଥାଏ, କାଳର ଗତିପଥରେ ସେ ଅତି ସାର୍ଥକ ଭାବରେ ନବଜନ୍ମ ଲାଭ କରେ । କିନ୍ତୁ ଏଠି ମୁଁ ଏପର୍ଯ୍ୟନ୍ତ ବି ସେପରି ସାର୍ଥକ ହୋଇ ବଞ୍ଚି ପାରିଲି ନାହିଁ । ଜୀବନଟା ଯେପରି କାହାର ବା କେତେଟା ବହିରଙ୍ଗ ଶକ୍ତିର ରଜ୍ଜୁରେ ଆବଦ୍ଧ ହୋଇ ଚାଲିଚି ! ପୋଷାକ ପିନ୍ଧିବା, ଖାଇବା, ଭଦ୍ରସମାଜରେ ଆପ୍ୟାୟିତ ହେବା,—ଏଇ ଗୁଡ଼ାକ ଯେପରି ମୋ’ ଜୀବନରେ ପରମ ପ୍ରସାଧନ ହୋଇ ପଡ଼ିଚି । ଅନ୍ତର ଭିତରକୁ ପ୍ରବେଶ କରି ସେଇଠି ପରସ୍ପରକୁ ଚିହ୍ନିବାଲାଗି ଏଠି ମଣିଷର ଯେପରି ଏତେ ଟିକିଏ ହେଲେ ଡର ନାହଁ । ମଣିଷର ଆପଣା ଦୃଷ୍ଟି, ଆପଣା ବିକାଶମାର୍ଗ ଓ ଆପଣା ଆଦର୍ଶକୁ ଯେପରି ଏଠାକାର ଚିରାଚରିତ ପ୍ରସାଧନ ଧର୍ମୀ pattern—ଜୀବନ ଏକାବେଳେଳେ ଗ୍ରାସ କରି ପକାଇଚି ! ମଣିଷର ଐହିକ କ୍ଷୁଧା ମେଣ୍ଟାଇବାଲାଗି ଏଠାରେ କେତେ ଦୋକାନ ବଜାର ବସିଚି, ମୁହୂର୍ତ୍ତଗୁଡ଼ାକୁ ବି ଭାଗ ଭାଗ କରି ଏଠି ମଣିଷ କି କ୍ଷିପ୍ତତାର ସହିତ ନବଞ୍ଚୁଚି ! ଦିନମାନର ନାନା ଉପଲକ୍ଷ୍ୟ ଓ ନାନା excessରେ ଏଠାରେ କେତେ ପଇସା ଖରଚ ହେଉଚି, କେତେକେତେ ସଦର ମଫସଲର ଅୟୋଜନ ହେଉଚି, ଆପଣାର ଜୀବିକା ନିର୍ବାହ ସଙ୍ଗେ ସଙ୍ଗେ ସମାଜ ସ୍ଵୀକୃତ ଛାଞ୍ଚଗୁଡ଼ାକ ସହିତ ଆପଣାର ତାଳ ମିଳାଇ ପାରିବାକୁ ଏଠି ପରିବାରର ପ୍ରତ୍ୟେକ ବ୍ୟକ୍ତି ଶ୍ରମିକ ସାଜିଚନ୍ତି, ପ୍ରତ୍ୟେକେ ପଇସା କମାଉଚନ୍ତି । ଅଥଚ ଜୀବନର ଅସଲ ସ୍ଵାଭାବିକତାଟି ଯେପରି କୁଆଡ଼େ ମରି ଉଡ଼ି ଯାଉଚି ! ଏପରି ଏକ ନୂତନ situation ଭିତରେ ଆପଣାକୁ ଭଲ ପିଲା ପରି ଅନୁକୂଳିତ କରିନେବାର compromise ହୁଏତ ମୋ’ ଦ୍ଵାରା ସମ୍ଭବ ହୋଇପାରୁ ନାହିଁ । ସେଇଥିଲାଗି ଏଠି ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ କିସମର ସାମାଜିକ ସମ୍ପର୍କରେ ମୁଁ ଆପଣାକୁ ଏପରି ଚିପିହୋଇ ଯାଉଥିବା କରି ଅନୁଭବ କରୁଚି ।

 

ମୋ’ ଅନ୍ତର ଭିତରେ ବ୍ୟକ୍ତିଗତ, ସାମାଜିକ ଓ ପାରିବାରିକ ନାନା କ୍ଷୁଧା ଓ ଅପରିତୃପ୍ତି ମୋତେ ଜାଳିପୋଡ଼ି ଅସ୍ଥିର କରୁଚି । ଅଥଚ ଉପରେ ପୋଷାକ, ଅଶନପରିପାଟୀ ଓ ଭଦ୍ର ବ୍ୟବହାରର ବେଶ୍ ପ୍ରତିଯୋଗିତା ଚାଲିଚି । ଅତି ଅଳ୍ପ କଥାରେ ଏହାହିଁ ଏହି ବିଷମ ସଭ୍ୟତାର ସଂଜ୍ଞା, —ଏଠାକୁ ଆସିବା ଆଗରୁ ମୁଁ ସାମୂହିକ ଜୀବନ ସ୍ତରରେ କେବେହେଲେ ଏହିଭଳି ଏକ ଜୀବନର ସମ୍ମୁଖୀନ ହୋଇନଥିଲି । ହୁଏତ ସେଇଥିଲାଗି ମୁଁ ଏଠି ଏପର୍ଯ୍ୟନ୍ତ ଶାନ୍ତି ପାଇ ପାରୁନାହଁ, ହୁଏତ ସେଇଥିଲାଗି ଆପଣାକୁ ଏପର୍ଯ୍ୟନ୍ତ ବଡ଼ ଏକାକୀ ମନେ ହେଉଚି । ସତେ ଯେପରି ନିଜକୁ ପରିଚିତ କରାଇ ପାରିବାର ସବୁ ସନ୍ତକ ମୁଁ ଆଉ କେଉଁ ବାଟ ମୁହଁରେ ହଜାଇ ଦେଇ ଆସିଚି !

 

୧୬ । ୨ । ୫୧

 

ମଣିଷ ଯେତିକି ଯେତିକି ବୁଢ଼ାହୋଇ ଚାଲିଚି, ସେ ସେତିକି ବେଶି ଦେଖୁଚି, ଜାଣୁଚି ଓ ଉପକୃତ ହେଉଚି । ତାର ଆଦର୍ଶ ତାର ବାସ୍ତବ ଏକ ଚମତ୍କାର ବିବର୍ତ୍ତନର ରୀତିରେ ନୂଆ ନୂଆ ଦାନା ବାନ୍ଧି ବାନ୍ଧି ଯାଉଚି । ତଥାପି ଖିଅ ଲାଗିରହିଚି, ଅସଂଖ୍ୟ ପ୍ରକାରେ ବଦଳି ଯାଉଥିଲେ ମଧ୍ୟ ମଣିଷ ଆପଣାର ଜୀବନକୁ ଗୋଟିଏ ଏକକ ରୂପେ କଳ୍ପନା କରି ପାରୁଚି । ଏହାହିଁ ଜୀବନର ବୈଶିଷ୍ଟ୍ୟ । ଏହି ଏକକଟି ଭିତରେ ଅତୀତ ଓ ଅନୁଭୂତ ଜୀବନର ସବୁ ମୋଡ଼ ଓ ସବୁ ଭଙ୍ଗ ଯେପରି ଗୋଟିଏ ଚିହ୍ନା ରଙ୍ଗରେ ଚିତ୍ରିତ ହୋଇରହିଚି । ସେଥିଲାଗି ନଅବର୍ଷ ତଳର ଗୋଟିଏ ଷୋଳ ତାରିଖ ଆଜି ମଧ୍ୟ ମୋର ଏତେ ଆପଣାର ମନେ ହେଉଚି । ୟାଭିତରେ ଆବର୍ତ୍ତନ ଓ ଅନୁବର୍ତ୍ତନ ହୋଇଗଲାଣି, ତଥାପି ସେଦିନଟିର ଅନୁପ୍ରେରଣା ଆଜି ମଧ୍ୟ ସତେଜ ହୋଇ ରହିଚି । ସବୁରି ଜୀବନରେ ହୁଏତ ଠିକ୍ ଏହପରି ଘଟେ । ଜୀବନର ଗୋଟାଏ ଗୋଟାଏ ମୁହୂର୍ତ୍ତ ଓ ଗୋଟାଏ ଗୋଟାଏ ଅନୁଭୂତି, ଆପଣା ବର୍ଣ୍ଣରେ ଏକ continuity ରଚନା କରିଦିଏ ଏବଂ ସାରାଜୀବନ ଲାଗି ଆବେଦନଟି ବଳବତ୍ତର ରହିଥାଏ । ଜୀବନର ଯାବତୀୟ ପରିବର୍ତ୍ତନ ଓ ସମ୍ଭୂତି ପଛରେ ସର୍ବଦା ଏହିପରି କେତୋଟି ଘଟଣାର ଦୃଷ୍ଟାନ୍ତ ଅବଶ୍ୟ ଦେଖିବାକୁ ମିଳିବ । ମନୋବିଜ୍ଞାନ ଶାସ୍ତ୍ରରେ ଅତୀତ ସ୍ମୃତି ସମ୍ବନ୍ଧରେ କେତେ ପ୍ରକାର ସ୍ଵାଭାବିକ ଓ ଅସ୍ଵାଭାବିକ ବ୍ୟାଖ୍ୟାନମାନ ଦିଆଯାଇଚି, ସେସବୁ ଖେଳାଇ ଦେଖିବା ପଣ୍ଡିତମାନଙ୍କର କାମ । କିନ୍ତୁ ଏହି ସ୍ମୃତି ଯେ ବଞ୍ଚିବାର ସାର୍ଥକତା ଲାଗି ଏକ ଶକ୍ତିଶାଳୀ continuity ଦାନ କରିପାରେ, ଏହା ଅତ୍ୟନ୍ତ ସତ କଥା ।

 

୧୭ । ୨ । ୫୧

 

ସବୁ ତନ୍ତ୍ରୀ ଏକାଠି ମିଶି ନ ବାଜିଲେ ବୀଣାରୁ କୌଣସି ସଂଗୀତ ସୃଷ୍ଟି ହୁଏ ନାହିଁ । ଅନ୍ତରର ସବୁ ଦୁଆର ସହଯୋଗ ନ କଲେ ସେହିପରି ସମଗ୍ର ବ୍ୟକ୍ତିତ୍ୱର ସ୍ଵାଭାବିକ ସ୍ଫୁରଣ ମଧ୍ୟ ହୁଏ ନାହିଁ । ବୋଧହୁଏ ମୋତେ ଏହି ବିକ୍ଷେପ ଓ ଅସହଯୋଗର ଦଶା ଘୋଟିଚି । କେତେଆଡ଼େ କେତେ ସ୍ଵାର୍ଥଜନିତ ଆଶା ଓ ଆଶଙ୍କାରେ ମୋ’ ଜୀବନର ଧାର ଶତଧା ହୋଇଯାଇଚି । ତେଣୁ ତାହାର ବିକୀର୍ଣ୍ଣ କ୍ଷୀଣ ଅସ୍ତିତ୍ଵଟି ଆପଣାକୁ କୌଣସି କ୍ଷେତ୍ରରେ ମଧ୍ୟ ପ୍ରକାଶିତ କରି ପାରୁ ନାହିଁ । ଜୀବନଦେବତା ପାଖରେ ବଞ୍ଚିବାରେ ଏହି ଅନୁର୍ବର ମୁହୂର୍ତ୍ତଗୁଡ଼ିକର ଜବାବଦେହୀ ମୁଁ କିପରି ଦେବି କେଜାଣି ?

 

ଆଗରୁ ମୁଁ କେବେ ହେଲେ ଆପଣାକୁ ଏତେ କ୍ଷୁଣ୍ଣ ଓ ଦୀନ ଭାବରେ ଭାବିନିଥିଲି । ଆପଣାପ୍ରତି ମୋର ଏ ସଂଶୟୀ ମନୋଭାବ କୁଆଡ଼ୁ ଆସିଲା ? କେବଳ ପରିବେଶର ପରିବର୍ତ୍ତନ କଣ ଏଥିଲାଗି ଦାୟୀ ? ସେହି ମନ, ସେହି ଆକାଙ୍‌କ୍ଷା ଓ ସେହି awareness ସବୁ ସେହିପରି ରହିଚି; ଅଥଚ ମୋର ହୃଦୟ ଟିକିଏ ଏକାନ୍ତରେ ବସି ଆପଣାର ଦର୍ପଣରେ ଆପଣାକୁ ଦେଖିବାକୁ ଓ ଆପଣାର ବୋଧରଜ୍ଜୁରେ ଆପଣାକୁ ଧାରଣକରି ରଖିବାକୁ ଏପରି ଅକ୍ଷମ ହୋଇ ପଡ଼ିଚି କାହିଁକି ? କିଏ ଯେପରି ସବୁକ୍ଷେତ୍ରରୁ ମୋର ସବୁ ସ୍ଵାଧୀନତାକୁ କାଢ଼ିନେଇ ଯାଇଚି, ମୋ’ ଜୀବନର ଚିହ୍ନା ବାଟଗୁଡ଼ିକୁ ଯେପରି କେଉଁ ପ୍ରତିକୂଳତାର ଧୂଳିମାଟିରେ କୁଆଡ଼େ ପୋତି ହୋଇ ପଡ଼ିଲାଣି ।

 

ତଥାପି ମନ କହୁଚି, ଏହି ଅମଙ୍ଗଳରୁ ମଧ୍ୟ ମଙ୍ଗଳ ବାହାରିବ । ଏହି ମନ୍ଥନରୁ ନିଶ୍ଚୟ ରତ୍ନଲାଭ ହେବ । ଅତୀତର ସକଳ ଆତ୍ମଦହନ ମୋତେ ବିଶୁଦ୍ଧ କରି ଯାଇଚି, ଏଥର ମଧ୍ୟ ଏହି ଦହନର ସାଧୁର୍ଦ୍ଦେଶଟି ପୂର୍ଣ୍ଣ ହେଉ !

 

୧୮ । ୨ । ୫୧

 

ଆମେରିକା ଗଣତନ୍ତ୍ର ଲାଗି ପିଲାଙ୍କୁ ପାଠ ପଢ଼ାଉଚି । ସମାଜରେ ସମ୍ମାନିତ ସେବକ ବନିବା ଲାଗି ରୁଷିଆ ଦେଶ ବି ପିଲାଙ୍କର ପଢ଼ିବାରେ କୋଟି କୋଟି ଟଙ୍କା ଖରଚ କରୁଚି । କେତେକେତେ ଡଲାର ଖରଚ ହୋଇ ପିଲାଙ୍କ ବିଷୟରେ ଟିକିନିଖି ଗବେଷଣା ଚାଲିଛି, କେତେ ନୂଆ ନୂଆ ନାମକରଣରେ ସେଠି କେତେ ପ୍ରକାରର ଶିକ୍ଷାରୀତି ପ୍ରଚାର ଓ ପ୍ରସାର ଲାଭ କରୁଚି । ପଢ଼ିଲାବେଳକୁ ମନେ ହେଉଚି, ମୁଁ ବି ସେଇ ଦେଶରେ ଜନ୍ମ ଗ୍ରହଣ କରିଥାଆନ୍ତି କି । ସେସବୁ ଦେଶରେ ପିଲମାନଙ୍କ ପାଇଁ କେତେ ସଭା ଓ କେତେ କମିଟି ବସୁଚି, କେତେ ବହି ଲେଖା ହେଉଚି-

 

ପର ମୁହୂର୍ତ୍ତରେ ସେହି ସବୁ ଦେଶରେ ରହିଥିବା ବିରୋଧଗୁଡ଼ିକ ଆଖିରେ ଆଙ୍ଗୁଠି ଗେଞ୍ଜି ଦେଲାପରି ସତ୍ୟର ଆରପାଖଟି ସମ୍ବନ୍ଧରେ ବି ସଚେତ କରାଇ ଦେଉଚନ୍ତି । ଜଣେ ଗଣତନ୍ତ୍ର ଲାଗି ଓ ଆଉ ଜଣେ ସାମ୍ୟବାଦ ଲାଗି ପିଲାଙ୍କୁ ଓ ସମାଜକୁ ତିଆରି କରୁଚି । ସେମାନେ ଦୁହେଁ ଯାହା କହୁଚନ୍ତି, ନିଷ୍ଠାପର ଭାବରେ ସେଇଥି ସକାଶେ ତିଆରି ହେଉଥିଲେ ଆମର ସଂସାର ପ୍ରକୃତରେ କେଡ଼େ ସୁନ୍ଦର ହୋଇନଥାନ୍ତା ! କିନ୍ତୁ କାହିଁ ? ସେ ଦେଶର ପିଲାଏ ଯୁଦ୍ଧଡାକରାରେ ମଶା ମାଛି ପରି ବାହାରି ପଡ଼ୁଚନ୍ତି, ଦେଶର ନାମରେ କୂଟନୀତି ଓ ମଣିଷ ମାରିବାର ମଦକୁ ସେମାନେ ଭାରି ସହଜରେ ପିଇ, ପାରୁଚନ୍ତି । ପଢ଼ିଥିବା ସକଳ ପାଠରେ ନିଆଁ ଲଗାଇ ସେମାନେ ମଣିଷକୁ ଘୃଣା କରିପାରୁଚନ୍ତି । ଏସବୁ ଦୃଷ୍ଟିରୁ ସେ ଦେଶର ଶିକ୍ଷା ସଫଳ ହେଉଛି ବୋଲି କିପରି କହିହେବ ? ସା ଶିକ୍ଷା ଯା ବିମୁକ୍ତୟେ,—ମୁକ୍ତି ହେଉଚି ଶିକ୍ଷାର ମାନଦଣ୍ଡ; ଦେଶ, ଜାତି ଓ ପତାକାଠାରୁ ସେହି ମୁକ୍ତିର ପରିଧି ଅନେକ ବଡ଼ । ଯେଉଁଠି ଗୋଟିଏ ନିମ୍ନତର ପ୍ରତୀକ ବା ପୁତ୍ତଳିର ଉଢ଼ୁଆଳରେ ଏହି ପରିଧିକୁ କ୍ଷୁଣ୍ଣ କରି ଦିଆଯାଏ, ସେହି ଦେଶର ଶିକ୍ଷାକୁ ମୁକ୍ତ ବୋଲି କଦାପି କହି ହେବ ନାହିଁ । ଯେତେ ପଇସା ବା ଯେତେ ଦିମାଗ ଖରଚ ହୋଇ nursery school ବା kindergartensରେ ପିଲାପାଇଁ ଅଧିକ ମୁକ୍ତ ବାତାବରଣ ସୃଷ୍ଟି କଲେ ମଧ୍ୟ ସେହି ଶିକ୍ଷା ଆପଣାର ଅସଲ ଉଦ୍ଦେଶ୍ୟଟିକୁ ପୂର୍ଣ୍ଣ କରି ପାରିବ ନାହିଁ ।

 

୧୯ । ୨ । ୫୧

 

ଅନେକଦିନ ପରେ ଆଜି ସୂର୍ଯ୍ୟାସ୍ତ ଉପଭୋଗ କରିବାର ସୁଯୋଗ ମୁଁ ପାଇଲି । ସହରର କୋଠା ସେପାଖରେ ବୁଡ଼ିଯିବା ପୂର୍ବରୁ ମାତ୍ର କେତେକ୍ଷଣ ଲାଗି ସୂର୍ଯ୍ୟ ଆତ୍ମପ୍ରକାଶ କରିଥିଲା । ଭୂମଧ୍ୟସାଗର ପାରିହେବା ପରେ ମୋର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବା ଆଉ ସମ୍ଭବ ହୋଇନାହିଁ, ତେଣୁ ଆଜି ଏଇଟିକକ ଦେଖି ସତେଅବା କେତେ କଅଣ ପାଇଲାପରି ମନେହେଲା କ୍ରମେ ଆଉ କେତେଦିନ ଗଲେ ଶୀତ ଅପସରି ଯିବ, ବସନ୍ତ ଆସିବ, ଭଲ ହୋଇ ଖରା ପଡ଼ିବ । ମନକୁ ହାଲୁକା କରିପାରିବା ଲାଗି ସେତେବେଳେ ହୁଏତ ମୁଁ ପ୍ରକୃତିଠାରୁ ଯଥେଷ୍ଟ ଉତ୍ସାହ ପାଇବି । ଏହି କେତେଦିନ ହେଲା ଯେପରି ଏକ କୃତ୍ରିମ କାଚଘର ଭିତରେ ମୋତେ କୃତ୍ରିମ ପବନ ଓ ଉତ୍ତାପର ହେପାଜତରେ ରହିବାକୁ ପଡ଼ୁଚି । ବେଳେବେଳେ ଭାରି ବିରକ୍ତ ଲାଗୁଚି । ଶାନ୍ତିନିକେତନର ସେହି ସରସ ପବନ, ସୁନିର୍ମଳ ଆକାଶ, ଗଛପତର ଓ ଫୁଲର ସାହଚର୍ଯ୍ୟ ମୋର ମନକୁ କେତେ ହାଲୁକା କରି ରଖିଥିଲା; ନାନା ଆବେଶ ଏବଂ ଆବେଗ ଦ୍ୱାରା ଉତ୍ତପ୍ତ ହୋଇ ପଡ଼ୁଥିବା ମନକୁ ପରିବ୍ୟାପ୍ତ ପ୍ରକୃତି ଉପରେ ବିଛାଇଦେଇ ମୁଁ କେତେ ସହଜରେ ଆପଣାର ସହଜ ସ୍ଵଭାବକୁ ଫେରି ଆସି ପାରୁଥିଲି । ଏଠି କେତେବର୍ଷ ଯାଏ ମୁଁ କିପରି ଯେ ସେହିସବୁ ଆନନ୍ଦରୁ ବଞ୍ଚିତ ହୋଇ ରହିବି, ତାହା କଳ୍ପନା କରିବାକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଚି । ଚାରିଆଡ଼ୁ ସବୁ ଦୁଆର ବନ୍ଦ କରିଦେଇ ଏଠି କେବଳ ଆପଣାର ସ୍ଵାର୍ଥ ଚିନ୍ତା କରିବାର ଦିନଚର୍ଯ୍ୟାଟି କ୍ରମେ ବଡ଼ ଅସହ୍ୟ ବୋଧ ହେଲାଣି ।

 

୨୦ । ୨ । ୫୧

 

କାଲିଠାରୁ ପଢ଼ିବାର ଏକ ନୂଆ ଯୋଜନା ଆରମ୍ଭ କରିଚି । ସହରର ଦୁଇଟି ବଡ଼ ଲାଇବ୍ରେରୀରେ ମୋର ଦିନଟାଯାକ କଟିଯାଉଚି । ଏହିପରି ନାନା କାର୍ଯ୍ୟକ୍ରମରେ ଆପଣାକୁ ବ୍ୟାପୃତ ରଖିପାରିଲେ ହୁଏତ ଆପଣା ଅପରିତୃପ୍ତିର ଭାର ଆଉ ମୋତେ କଷ୍ଟ ଦେଇ ପାରିବ ନାହଁ-। ଯେତେବେଳେ ଖାଲି ନିକିମା ହୋଇ ପଡ଼ିରହି ମନ ସେହି ଯନ୍ତ୍ରଣାରେ ଅସ୍ଥିର ହେଉଥାଏ, ସେତେବେଳେ କୌଣସି ପ୍ରକାର Creative କାମରେ ଆପଣାକୁ ବ୍ୟାପୃତ ରଖିବା ହେଉଚି ଏହି ମନକୁ ଶାନ୍ତ କରିବାର ସବୁଠାରୁ ବଡ଼ ଔଷଧ । କିନ୍ତୁ କାହାଦ୍ୱାରା ଅଭିଶପ୍ତ ହୋଇଥିଲା ପରି ମନ ସବୁବେଳେ ଏହି ପନ୍ଥାଟି ହଠାତ୍ ଅନୁସରଣ କରି ପାରେ ନାହିଁ । ଆହୁରି ନିକିମା ହୋଇ ଆପଣ ନିଷ୍କର୍ମତା ବିଷୟରେ ଏକପ୍ରକାର ନୈରାଶ୍ୟଦର୍ଶନ ମନ୍ଥିବାରେ ସେ ବେଳେବେଳେ ଆପଣାକୁ ଅଧିକ କଷ୍ଟଦିଏ । ମୁଁ ଜାଣେନା, ଫ୍ରଏଡ଼୍ ଦଳର ମନୋବୈଜ୍ଞାନିକମାନେ ମନର ଏହି ପ୍ରବୃତ୍ତିଟିକୁ କି ନାମଦେଇ ଚିହ୍ନଟ କରି ରଖିଚନ୍ତି । ମୁଁ ଭାବୁଚି, ଇଚ୍ଛାଶକ୍ତିର ଅଭାବ ହେଉଚି ଏହି ଆତ୍ମପୀଡ଼ନର ମୂଳ କାରଣ । ଇଚ୍ଛାଶକ୍ତିକୁ ଯଥାର୍ଥ ଭାବରେ କାମରେ ନ ଲଗାଇଲେ, ନିକିମା ଲଙ୍ଗଳରେ କଳଙ୍କି ଲାଗିଗଲା ପରି ନିକିମା ମନକୁ ବି ରୋଗ ଗ୍ରାସ କରି ପକାଏ । ମୋହଗ୍ରସ୍ତ ଆବେଗଗୁଡ଼ାକୁ ଏପାଖ ସେପାଖ ତନଖି ଦେଖି କେବଳ ଆହୁରି ଦଗ୍‌ଧ ହେବାହିଁ ସାର ହୁଏ ।

 

ଆଜି ଭାରି ତରବରରେ ଏତକ ଲେଖିବାକୁ ପଡ଼ିଲା । ଏଠାରେ ମୋର ସବୁ କାମପଛରେ ଏହିପରି ତରବର ହେବାର ଏକ ଅସ୍ଥିରତା ରହିବା ଏକ ସାଧାରଣ feature ହୋଇଗଲାଣି । ମୁଁ କେବଳ ଧାଇଁଚି, କିନ୍ତୁ କୁଆଡ଼େ ଧାଇଁଚି, କାହା କୋଳରେ ଧାଇଁଚି, ସେ କଥା ମୁଁ ନିଜେ ବି ଜାଣେ ନାହିଁ ।

 

୨୧ । ୨ । ୫୧

 

ଅନ୍ତର କହୁଚି, ମୋର ସବୁ କାମ ଓ ସବୁ ବେଉସାକୁ ବନ୍ଦ କରି ମୁଁ ଶିଶୁଟିପରି ଏକାନ୍ତରେ କେବଳ ମୋର ଭଗବାନଙ୍କ ପାଖରେ ବସନ୍ତି, ଆଉ ଶିଶୁଟିପରି ମୋର ସକଳ ଦୁଃଖ ଓ ସକଳ ଦହନକୁ ତାଙ୍କରି ଚରଣତଳେ ଅଜାଡ଼ି ଦିଅନ୍ତି । ଆପଣାର ଦମ୍ଭରେ ତା’ ବାଟରୁ ଯେତିକି ଛାଡ଼ି ଆସିଲିଣି, ନୟନର ଅଶ୍ରୁସ୍ରୋତରେ ମୁଁ ସେତକ ବ୍ୟବଧାନ ମେଣ୍ଟାଇ ଦିଅନ୍ତି । କିନ୍ତୁ ପ୍ରାର୍ଥନା କରିବାର ଓ ଅତି ଅସହାୟ ଆର୍ତ୍ତହୋଇ ଡାକିବାର ଶକ୍ତିଟି ମଧ୍ୟ ମୋ’ ଠାରୁ କୁଆଡ଼େ ଅନ୍ତର୍ହିତ ହୋଇଯାଇଚି, ପାଖରେ ବସିବା ତ ଆହୁରି ଦୂରର କଥା ! ଜାଣେନା, କେଉଁ ମୋହରେ ଛନ୍ଦିହୋଇ ପଡ଼ିବାର ଅଭିଶାପ ଏ ! ଜାଣିବାରେ, ନିକୁଟି ଦେଖିବାରେ ପ୍ରକୃତରେ ଏତେ ଦୁଃଖ ଅଛି ବୋଲି ମୁଁ ଆଗରୁ ଅନୁଭବ କରି ନଥିଲି । ଯୌବନର ପ୍ରଥମ ବୟସରେ ମୁଁ କେଡ଼େ ସହଜରେ କାନ୍ଦି ପାରୁଥିଲି, ତାହାରି କଲ୍ୟାଣ ଉପରେ ବିଶ୍ୱାସ ରଖି ମୁଁ କେଡ଼େ ସହଜରେ ଆପେ ପୂର୍ଣ୍ଣ ହୋଇ ପାରୁଥିଲି, ଜୀବନାଚରଣର ସକଳ କ୍ଷେତ୍ରର ରଜକୁ ମୁଁ କେଡ଼େ ସହଜରେ ତୀର୍ଥରଜ ବୋଲି ଗ୍ରହଣ କରି ପାରୁଥିଲି । କିନ୍ତୁ ଏ ବେଶି ଜାଣିବାର ଓ ବେଶୀ ପାଇବାର ପ୍ରଲୋଭନ ଦେଖାଇ କେଉଁ ମୋହ ମୋତେ ଏହି ଶୁଖିଲା ବାଲିରେ ଆଣି ପକାଇ ଦେଇଗଲା, ମୋର ସକଳ ସହଜତାକୁ ଅପହରଣ କରିନେଲା ! ଅସନ୍ତୋଷ ଓ ଅପରିତୃପ୍ତିର ଏହି ତାପ ମତେ ଜ୍ଵରପରି ଗ୍ରାସ କରି ରହିଚି, ସହଜ ଓ ସ୍ଵାଭାବିକ ଭାବରେ ଘଡ଼ିଏ ଚିନ୍ତା କରିବାର privilege ମଧ୍ୟ ମୁଁ ହରାଇ ବସିଲଣି ! କାହିଁକି ଏପରି ହୁଏ, ହୀରା ପାଇବାର ଲୋଭରେ ସିଦ୍ଧିବତୀ ଧରି ଆସିଥିବା ମଣିଷକୁ କାହିଁକି ଏସବୁ ହରାଇବାର ଅଭିଶାପ ଘୋଟିଯାଏ ? ମତେ କିଏ ତାର ଉତ୍ତର ଦେବ ? ଆପଣା ମୋହକୁ ଆପେ ବୁଝି ପାରିବାର ମନ ମୁଁ କେବେ ଫେରି ପାଇବି ?

 

୨୨ । ୨ । ୫୧

 

ସବୁ ଛଳନା ଓ ସବୁ ଅଭିନୟ ଛାଡ଼ି ଆଜି ଆପଣାକୁ କେବଳ ଗୋଟିଏ ପ୍ରଶ୍ନ ପଚାରିବାକୁ ଇଚ୍ଛା ହେଉଚି: ଆପଣା ପଥକୁ ଫେରିଆସିବାର ସାହସ କଣ ମୋର ଏପର୍ଯ୍ୟନ୍ତ ହୋଇନାହିଁ ? ନିତି ଠିକି ନିତି ଶିଖୁଥିବା ଜୀବନ ମୋର, ଏପର୍ଯ୍ୟନ୍ତ କଣ ନୟନଜଳର ପ୍ରବାହରେ ଦୃଷ୍ଟିର ମଳିନତା ଧୌତ ହୋଇ ଯାଇନାହଁ ? ଆପଣାକୁ ନିତି ଚାପିରଖି ନିତି ଆପଣା ଶ୍ରେଷ୍ଠ ପ୍ରବୃତ୍ତିଗୁଡ଼ିକର ଅବମାନନା କରୁଥିବାର ପାପ ଏପର୍ଯ୍ୟନ୍ତ କଣ ମୋ’ ପ୍ରତିକ୍ରିୟାର ପାତ୍ରକୁ ପୂର୍ଣ୍ଣ କରି ଦେଇନାହିଁ ? ନା,–ଆଜି ମୁଁ କେବଳ ଚୁପ୍ ହୋଇ ଭାବିବି, ଆପଣାର ତପ୍ତ ଆଲୋଡ଼ନ ଭିତରେ ଆପଣାକୁ ଚୁପ୍ ହୋଇ ଖୋଜିବି । ଯୁକ୍ତିତର୍କ ଅନେକ ହେଲାଣି, ପାଠୁଆ ମନର ଅଧା ପରଙ୍ଗମତା ସକାଶେ ମୁଁ ବେଶ୍ ଜଖମ ହେଲିଣି । ଆଉ ନିଜକୁ ଠକିବି ନାହିଁ, ଉପରର ଆବରଣଟାକୁ ନାନା କୃତ୍ରିମତାରେ ଫୁଲାଇ ଆପଣାକୁ ଆଉ ଏଡ଼େ କୁତ୍ସିତ କରି ପକାଇବି ନାହିଁ ।

 

ଆଜି ଭାରି କ୍ଳାନ୍ତ ଲାଗୁଚି । କିଛି ନକରିବାରେ, ଦିନକୁଦିନ ନୂତନତର ସାର୍ଥକତାରେ ବିକଶିତ ହୋଇ ନପାରିବାରେ ଯେ ଏତେ କ୍ଳାନ୍ତି ରହିଚି, ମୁଁ ବର୍ତ୍ତମାନ ତାହା ବେଶ୍ ଅନୁଭବ କରୁଚି-। ସେହି ସରଳ ମନ, ଅନ୍ତରଭରା ବିଶ୍ୱାସ ଓ ସେହି ଚିହ୍ନା ବାଟ ଆଖିଆଗରେ ସବୁ ଜଳଜଳ ଦିଶୁଚି-। ମନ କହୁଚି, ଏବେ ମଧ୍ୟ ମୋର ଅନ୍ତରଭିତରେ ପୂର୍ବର ସେହି ଶକ୍ତି ରହିଚି, ଆପଣାର ତାରାକୁ ଅନୁସରଣ କରି ବାଟା ଚାଲିବାର ବଳ ଏପର୍ଯ୍ୟନ୍ତ କଳଙ୍କି ଲାଗି ଯାଇନାହିଁ । ଯଥାର୍ଥ ଭାବରେ ଦୁଆରଟି ଖୋଲିଦେଇ ପାରିଲେ ମୁଁ ସେହି ବଳର ଅଧିକାରୀ ହୋଇପାରିବି ।

 

୨୩ । ୨ । ୫୧

 

ବାହାରର ମୋହ ଓ ବିକ୍ଷେପକୁ ମୁଁ ଯେତିକି ଏକମୁହାଁ କରି ବାନ୍ଧି ରଖିପାରିବି, ଭିତରର ଦୁଆର ତେଣେ ସେତିକି ଖୋଲିବ । ଚିତ୍ତର ପଥରଟିକୁ ମୁଁ ଯେତିକି ପରମ ଅନୁରକ୍ତିର ବାଡ଼ ଦେଇ ଆଧାରଟିଏ ତିଆରି କରିପାରିବି, ଅନ୍ତରର ସକଳ ରସ ଏକ ଉତ୍ସରେ ସେତିକି ଚଞ୍ଚଳ ଆପଣାର ପଥଟିକୁ ତିଆରି କରିନେଇ ପାରିବ । ବିରାଟ ଶୂନ୍ୟଭିତରେ ଖାଲି ଗୋଟାଏ ଲଣ୍ଡା ମୁଣ୍ଡିଆପରି ପଡ଼ିରହିବାର ଦୀନତାକୁ ମୁଁ ବେଶ୍ ବୁଝି ପାରିଲିଣି । ଏହିପରି ଆଧାରଶୂନ୍ୟ ହୋଇ ରହିଲେ ଜୀବନ ରସରୁ ମୁଁ ବିନ୍ଦୁଟିଏ ବି ସାଇତି ରଖି ପାରିବି ନାହିଁ ।

 

ଏଠାକୁ ଆସିବା ଦୁଇମାସ ପୂରିଗଲା । କେବଳ କାନ୍ଦିବା, ଖୋଜିବା ଓ ଦହିହେବାକୁ ଯଦି ଜୀବନ ବୋଲି କୁହାଯାଏ, ତେବେ ମୁଁ ମଧ୍ୟ ଏହି ଦୁଇମାସକାଳ ବଞ୍ଚିଚି ବୋଲି କୁହାଯାଇ ପାରିବ । ପାଇବାର ଅଭିଲିପ୍‌ସା ହରାଇବାର ଦୁଃଖକୁ ପରିପୂର୍ଣ୍ଣ କରେ, ଦୃଷ୍ଟିର ଊର୍ଦ୍ଧ୍ଵମୁଖତା ସକଳ ଦୀନତାକୁ ବିଶୁଦ୍ଧ କରି ଦଗ୍‌ଧ କରିଦିଏ । ବୁକୁଭିତରୁ କିଏ ଯେପରି ବାରବାର ଆଶା ଦେଇ କହିଯାଉଚି ଯେ ମୁଁ ବଞ୍ଚିଚି, ଶତପ୍ରକାର ସ୍ଖଳନ ଓ ବିକ୍ଷିପ୍ତତା ମଧ୍ୟରେ ମୁଁ ତଥାପି ବ୍ୟାକୁଳ ହୋଇ ଖୋଜିଚି । ଏହାହିଁ ମୋର ପରମ ସାନ୍ତ୍ଵନା, ବିଗତ ଦିନଗୁଡ଼ିକୁ ବଞ୍ଚିଥିବାର ପରମ ସାର୍ଥକତା ।

 

କେତେ ପ୍ରକାର disillusionment ଓ କେତେପ୍ରକାର ଉପଲବ୍‌ଧି ! ଭେଲକୁ ବାଛି ଅଲଗା କରିବା ସଙ୍ଗେ ସଙ୍ଗେ ଭଲର ଅନ୍ତର ଭେଦିବା ମଧ୍ୟ ଯେପରି ସମାନ୍ତର ଭାବରେ ଲାଗିରହିଥାଏ, ମୋର ଏତିକି ପ୍ରାର୍ଥନା ! ପ୍ରେୟ ଭିତରୁ ମନକୁ କାଢ଼ି ଆଣିବା ସଙ୍ଗେ ସଙ୍ଗେ ଶ୍ରେୟର ଚରଣସ୍ପର୍ଶ କରିବା ହେଉଚି ସୁସ୍ଥ ଅନ୍ତରର ଲକ୍ଷଣ । ଶୂନ୍ୟବୃତ୍ତି ହେଉଚି, ସବୁ ବୃତ୍ତିଠାରୁ ଦୀନତମ ଓ କ୍ଳେଶଦାୟକ ।

 

୨୪ । ୨ । ୫୧

 

Nature ଓ Nurture: ଏହି ଦୁଇଟା ଶବ୍ଦକୁ ନେଇ ଶାସ୍ତ୍ରଜଗତରେ କେତେ ନା କେତେ ବିବାଦ ଲାଗିରହିଛି । ଏହି ଦୁଇଟି ଶକ୍ତିମଧ୍ୟରୁ ମଣିଷର ଜୀବନକୁ ପ୍ରକୃତରେ କେଉଁଟି ଗଢ଼େ, ଏହି ସମସ୍ୟାଟିକୁ ନେଇ ଆଜି ଭାରି ଯୁକ୍ତିତର୍କ ଚାଲିଚି ।

 

ମଣିଷର ସ୍ଵଭାବ ସବୁବେଳେ ଆକୃତ ଓ ପ୍ରତିକୃତ ହୋଇ ଚାଲିଛି । ମୂଳତଃ ଦେଖିବାକୁ ଗଲେ ପରିବେଶରୁ ସାର ନେଇ ସ୍ଵଭାବ ସମୃଦ୍ଧ ହୋଇଚାଲିଚି । ଜନ୍ମ ହେଲାବେଳେ ଶିଶୁ ଯେଉଁ ସ୍ଵଭାବଟି ନେଇ ଜନ୍ମ ହେଉଚି, ହୁଏତ ଜନ୍ମହେବା ମାତ୍ରକେ ସେହି ସ୍ଵଭାବ ଆପଣାକୁ ନୂଆ ନୂଆ ରୂପ ଦେଇ ଚାଲିଚି । ମଣିଷ ବଞ୍ଚିଥିବା ଯାଏ ହୁଏତ ଏହି ବେଶବଦଳା ଚାଲିଥିବ ।

 

ହଠାତ୍ ଗୋଟିଏ ନୂଆ ପରିବେଶ ଭିତରକୁ ଆସିଲେ ସ୍ଵଭାବ ଆପଣାକୁ ସେଥିରେ ସହଜେ ଖାପଖୁଆଇ ପାରେ ନାହିଁ । ତେଣୁ ମଣିଷକୁ ବେଳେବେଳେ ଭାରି ବିଚଳିତ ଜୀବନ ଯାପନ କରିବାକୁ ପଡ଼େ, ଭାରି ସଂଘର୍ଷ କରବାକୁ ପଡ଼େ । କିନ୍ତୁ ଏହି ସଂଘର୍ଷ କଦାପି ସ୍ଥାୟୀ ହୋଇ ରହେ ନାହିଁ । ନୂତନ ପାରିପାର୍ଶ୍ଵକୁ ଆପଣା ରଙ୍ଗରେ ରଙ୍ଗାଇ ଆପଣା ବ୍ୟବହାରରେ ଲଗାଇବାକୁ ସବଳ ମନ ଆପଣାଭିତରୁ ନୂତନ ଶକ୍ତି ସୃଷ୍ଟି କରେ । ସେଇ ଚିହ୍ନା ରଙ୍ଗରେ ଦେଖିଲେ ପରିପାର୍ଶ୍ଵ ତାକୁ ଆଉ ନୂଆଭଳି ମନେ ହୁଏ ନାହଁ । ମିସ୍ତ୍ରୀ ଚିହ୍ନା ଉପକରଣକୁ କାମରେ ଲଗାଇ ନୂଆ କୋଠା ତୋଳିଗଲା ପରି ମଣିଷ ମଧ୍ୟ ତା’ର ପରିପାର୍ଶ୍ଵକୁ ଆପଣା selectionର ବିବେକ ଦେଇ ଜୀବନର ଦେଉଳ ତୋଳି ଚାଲିଯାଏ । ତେଣୁ Nature ଓ Nurtureର ବିବାଦ ଅସଲ ସମସ୍ୟା ନୁହେଁ । ମନର ସକଳତା ହେଉଚି ସବୁଠାରୁ ବଡ଼ କଥା । ସକଳ ମନ ଯାବତୀୟ କ୍ଷେତ୍ରରେ ପ୍ରବେଶ କରି ସେହିସବୁ କ୍ଷେତ୍ରକୁ ଅତି ସହଜରେ outgrow କରି ଚାଲିଯାଏ । କିନ୍ତୁ ସେହି ସବଳତାର ଅଭାବ ରହିଥିଲେ ଜୀବନର ନୂଆନୂଆ ପରିବେଶ ଉଚ୍ଚ ପାଚେରୀ ପରି ବାଟ ବନ୍ଦ କରି ଠିଆ ହୋଇ ରହେ, ଆପଣାର ଗତି ହରାଇବସି ଜୀବନ ଛଟପଟ ହୋଇପଡ଼େ ।

 

୨୫ । ୨ । ୫୧

 

ଏଠିକାର ନୂଆ ପରିବେଶରେ ମନ କ୍ରମେ ବସୁଥିଲା ପରି ଲାଗୁଚି । ଆପଣା ପ୍ରକୃତିର ବିଚିତ୍ର fluctuations ଅନୁସାରେ ପରିସ୍ଥିତି ସହିତ ଆପଣାକୁ ଅନୁକୂଳିତ କରିନେବାର ନିର୍ମାଣକାମରେ ସିଏ ଏବେ ଲାଗିଯାଇ ଥିଲାପରି ମନେ ହେଉଚି । ନୂଆ ନୂଆ ସମ୍ଭବତଃ ଆପଣାକୁ ବଡ଼ ବଞ୍ଚିତ ଓ ସ୍ଥାନଚ୍ୟୁତ ପରି ମନେହୁଏ । ନୂଆ ନୂଆ ହିଁ ମନ ବିଚଳିତ ହୋଇପଡ଼େ । କିନ୍ତୁ କ୍ରମେ ଅଚିହ୍ନା ପଥର କାଟି ମନର ଝରଣାଟି ଆପଣାଲାଗି ନୂଆବାଟ ତିଆରି କରେ, ତାହାର ସ୍ଵାଭାବିକ ଯାତ୍ରା ପୁଣି ଆରମ୍ଭ ହୋଇଯାଏ ।

 

ପରର କେତେ ପଇସା ଖରଚ କରି ମୁଁ ଏହି ଦୂର ଦେଶକୁ ଆସିଚି । ମୋର ଶୁଭେଚ୍ଛୁମାନଙ୍କର କେତେ ଇଚ୍ଛା ପୂରଣ କରିବି ବୋଲି ଦେଇ ଆସିଥିବା ଗ୍ୟାରେଣ୍ଟି ମୋତେ ସବୁବେଳେ ସତର୍କ କରିଦେଉଚି । ସେଇ ଲକ୍ଷ୍ୟକୁ ଆଗରେ ରଖି ମୁଁ ପ୍ରତ୍ୟେକ ଦିନର କର୍ମଯୋଜନା ତିଆରି କରିବି, ଆପଣାକୁ ମୁଁ ତଦନୁକୂଳ ନାନାକାର୍ଯ୍ୟରେ ବ୍ୟାପୃତ କରି ରଖିବି । ଆପଣାର କାମ ଓ ଆପଣାର ଭାବନାରେ ମୁଁ ପ୍ରତ୍ୟେକ ଦିନ ପହୁଣ୍ଡ ପହୁଣ୍ଡ କରି ଆଗେଇ ଚାଲୁଥିବି । ଏହିପରି ହେଉଥିଲା ପର୍ଯ୍ୟନ୍ତ ନୂଆ ବା ପୁରୁଣା କୌଣସି ପରିବେଶ ମୋତେ କଦାପି ବିଚଳିତ କରି ପାରିବ ନାହିଁ ।

 

କେତେ ନୂଆ ନୂଆ କଳ୍ପନା ଏହି ମନକୁ ପୁଣି ସତେଜ କରି ରଖିଲାଣି । କ୍ରମେ ମୋର ଆକାଙ୍‌କ୍ଷା ଓ ଅଭିଳାଷ ମଧ୍ୟ ଦେଇ ମୁଁ ଜୀବନ ଦେବତାର ଆସନ ପାଖକୁ ଲାଗି ଲାଗି ଆସୁଚି । ମୋର ଧ୍ୟାନ ବିନ୍ଦୁ କ୍ରମେ ଆପଣାର ଏକକତ୍ଵ ଲାଭ କରିବାରେ ଆଗେଇ ଚାଲିଚି । ଏହି ଆଗେଇ ଯିବାରେ ହିଁ ମୋର ସମସ୍ତ ଦୁଃଖ, ସମସ୍ତ ଦହନ ଓ ସମସ୍ତ ବ୍ୟର୍ଥତା ସାର୍ଥକ ହୋଇଯିବ । ଏହାହିଁ ମୋତେ ସକଳ ଅଡ଼ୁଆରୁ ମୁକ୍ତ କରି ନେଉଥିବ ।

 

୨୬ । ୨ । ୫୧

 

ନାନା ପ୍ରକାରର କର୍ମ ବନ୍ଧନରେ ମୁଁ ଆପଣାକୁ ଯେତିକି ବାନ୍ଧିପାରୁଚି, ମନ ସେତିକି ଉଶ୍ୱାସ ଲାଗୁଚି । ମୁଣ୍ଡର ବୋଝ ସେତିକି କମିଗଲା ପରି ଲାଗୁଚି । ସ୍ଵେଚ୍ଛାପ୍ରଣୋଦିତ ଶାସନରେ ଆପଣା ଆଦର୍ଶର ଅନୁରୂପ କରି ଯିଏ ଆପଣାକୁ ଯେତିକି ବାନ୍ଧିପାରେ, ସିଏ ସେତିକି ମୁକ୍ତି ପାଏ, ସେତିକି ବଞ୍ଚେ ।

 

କେତେ କେତେ ବିଫଳତାର ହାସ୍ୟାସ୍ପଦ କାହାଣୀରେ ମୋ’ ଜୀବନର ପୃଷ୍ଠା ଗୁଡ଼ିକ କ୍ରମେ ଭର୍ତ୍ତି ହୋଇ ଚାଲିଚି, କେତେଥର ମୁଣ୍ଡ ଟେକି ମୁଁ କେତେଥର ଗୋଡ଼ ଖସାଇ ପଡ଼ିଚି, ତଥାପି ଆଜି ପରି ଗତିଶୀଳ ଗୋଟାଏ ଗୋଟାଏ ଦିନରେ ଆପଣାକୁ ଏପରି ଗୌରବାନ୍ଵିତ ମନେହୁଏ କିପରି ? ଦିନେଦିନେ ଏଇ ଆପଣା ଭିତରେ ଏତେ ବଳ ବି କୁଆଡ଼ୁ ଆସେ ? ଏହି ବଳର ଅନୁଭୂତିରେ ଅତୀତର କେତେ ବ୍ୟର୍ଥତା କୁଆଡ଼େ ପାଣିପରି ମିଳାଇଯାଏ । ଜୀବନର ସୂତ୍ରଟି ପୁଣି ନୂଆ ଗଣ୍ଠିରେ ଆପଣାର ପ୍ରଭୂତ ଅଭିଜ୍ଞତାର ସମ୍ପଦଗୁଡ଼ିକୁ ବାନ୍ଧିବାରେ ଲାଗିଯାଏ । ସେତେବେଳେ ସଂସାରର ସବୁକଥା ବୁଝି ହୁଏ, ସଂସାରର ଗତି ସହିତ ଗତି ରଖି ଚାଲିବାର ନିର୍ଭର ମିଳେ । ଏହି ନିର୍ଭର ହିଁ ମଣିଷକୁ ଆଗକୁ ନେଇଚାଲେ, ଗୋଟାଏ ଜୀବନରେ ସତେ ଅବା କେତେ କେତେ ଜୀବନର ଅଭିଳାଷ ପୂର୍ଣ୍ଣ ହୋଇଯାଏ ! ମୋ’ ବଞ୍ଚିବାର ନିର୍ଭରଟି ଯେପରି କେତେବେଳେ ହେଲେ, ଚିତ୍ତପଥରୁ ଅପସରି ନଯାଉ, ମୋ’ ଦେବତା ପାଖରେ ମୋର କେବଳ ଏତିକ ପ୍ରାର୍ଥନା । ଅଳପରେ, ବହୁତରେ, ଲାଭରେ ଓ ହାନିରେ ମୁଁ ଖାଲି ପରିପୂର୍ଣ୍ଣ ଭାବରେ ବଞ୍ଚିପାରିବାର ସାମର୍ଥ୍ୟ ଲାଭ କରେ, ନୂଆ ପୁରୁଣା ଓ ପରିଚିତ ଅପରିଚିତକୁ ମୁଁ ସବଳ ହୋଇ ଗ୍ରହଣ କରିପାରେ । ମୋର ସବଳତା ମୋର ସବୁଠାରୁ ବଡ଼ ସମ୍ପଦ ହୋଇ ରହୁ ।

 

୧ । ୩ । ୫୧

 

ମଝିରେ ଦୁଇଦିନ ଫାଙ୍କ ରହିଗଲା । କିନ୍ତୁ ପ୍ରକୃତରେ କହିବାକୁ ଗଲେ ଏହି ଦୁଇଟି ଦିନ ମୁଁ ଅଧିକ ପରିପୂର୍ଣ୍ଣ ଭାବରେ ବଞ୍ଚିଚି । ନାନାକାର୍ଯ୍ୟରେ, ନାନା ସୁସ୍ଥ ଚିନ୍ତା ଓ ଯୋଜନାରେ ଦିନ କଟିଯାଉଚି । ହୁଏତ ରାତି ବାରଟାରେ କ୍ଳାନ୍ତ ହୋଇ ଘରକୁ ଫେରିଚି । ସେତେବେଳକୁ ମନ ଆଉ କୌଣସି ନୂଆ କାମ ଆରମ୍ଭ କରିବାକୁ ନାରାଜ । ତେଣୁ ଆପଣାର ଇଚ୍ଛା ବିରୁଦ୍ଧରେ ବସି ଖାଲି କାମ ଚଳି ଯିବାଭଳି ଦୁଇପଦ ଲେଖିଦେବାକୁ ମୋର ଇଚ୍ଛା ହୋଇନାହିଁ ।

 

ବେଳେବେଳେ ପୁଣି ଭାବୁଚି, ଦୈନନ୍ଦିନ ଲିପି ଲେଖିବାର ସମୟଟାକୁ ବଦଳାଇ ଦେଇ ପାରିଲେ ବୋଧହୁଏ ବ୍ୟାଘାତ ଘଟିବାର ଆଉ କୌଣସି କାରଣ ନଥିବ । ଏହି କାମଟି ଲାଗି ଦିନବେଳା କୌଣସି ସମୟରେ କେତେ ମିନିଟ ଦେଇ ପାରିଲେ ବୋଧହୁଏ ଅଧିକ ସୁବିଧା ହେବ-। ଯେତେବେଳେ ରାତି ବାରଟାରେ ବାଧ୍ୟ ହୋଇ ଏଣୁ ତେଣୁ ଅଧ ପୃଷ୍ଠାଏ ଲେଖିବାକୁ ଯାଉଚି, ସେତେବେଳେ ମୁଣ୍ଡ ଉପରେ ଗୋଟିଏ ବୋଝ ଲଦା ହୋଇ ରହିଥିବା ପରି ମନେ ହେଉଚି-। ସହଜତା ଓ ସ୍ଵାଭାବିକତା ହେଉଛି ଜୀବନର ଲକ୍ଷଣ । ତେଣୁ ଏହି ଖାତାରେ ଆପଣାର କଥାକୁ ମୁଁ ଯଦି ସହଜରେ ଓ ସ୍ଵାଭାବିକ ଭାବରେ ଲେଖି ନପାରିଲି, ତେବେ ଲେଖିବାର ମୋର ସମସ୍ତ ଶ୍ରମକୁ କେବଳ ବ୍ୟର୍ଥ ଶ୍ରମ ବୋଲି କହିବାକୁ ହେବ । ଏହି ଖାତାରେ ଏତିକି ଲେଖିବା ଛଡ଼ା, ସାଧାରଣ ଦିନମାନଙ୍କରେ ମୁଁ ସୃଜନମୂଳକ ଆଉ କିଛି କେଉଁଠି କରୁଚି କି ନାହିଁ, ସେ ବିଷୟରେ ହୁଏତ ମୋତେ ନିଜକୁ ହିଁ ସନ୍ଦେହାପନ୍ନ ହେବାକୁ ପଡ଼ୁଚି । ସଂସାରରେ ବା ମନୋରାଜ୍ୟରେ ମୁଁ କେଉଁଦିନ କିଛି ସୃଷ୍ଟି କରିବାକୁ ସମର୍ଥ ହେବି କି ନାହିଁ, ଅଳସ ମନରେ ସେପରି କୌଣସି ନିର୍ଭର ଜବାବ ଦେବାକୁ ମୋର ସାହସ ହେଉନାହିଁ । ଏପରି ସ୍ଥଳେ ସହଜ ହୋଇ ପ୍ରତିଦିନ ଅନ୍ତତଃ କେତେ ମିନିଟ ଲାଗି କଣ ମୁଁ ଏହି ଖାତାରେ କେତୋଟି ଧାଡ଼ି ଲେଖି ପାରନ୍ତି ନାହିଁ ? ଆପଣାକୁ ବାରବାର ଏହି ପ୍ରଶ୍ନଟି ପଚାରିବାକୁ ଯେପରି ଆଜି ଭାରି ଜିଦ୍ ହେଉଚି । ସତେଯେପରି ମୋହରି ଭିତରେ ମୋ’ ଅଳସ ମନର ଦ୍ରୋହୀ ଆଉ କିଏ କ୍ରମେ ଆପଣାର ଆସନ ଜମାଇ ବସିଲାଣି ।

 

୨ । ୩ । ୫୧

 

ଇତିହାସର ଯେ କୌଣସି ବଡ଼ ପ୍ରତିଭା ବା ବଡ଼ ବିପ୍ଳବର କୌଣସି ନା କୌଣସି ମନ୍ଦ ଗୁଣ ଦେଖାଇ ଆପେ ନିଶ୍ଚିନ୍ତ ହୋଇ ବସିବା ବଡ଼ ସହଜ । ଯିଏ କିଛି ହେଲେ ଦେବାକୁ ଚାହେଁ ନାହିଁ, କେବଳ ସେଇ ଦୋଷ ଦେଖାଇ ଶାନ୍ତ ହୋଇ ବସିପାରେ । ଏକଥା ସତ ଯେ ମୋର କଳ୍ପନା ମୁତାବକ ଏକ ନିଖୁଣ ଓ ପରିପୂର୍ଣ୍ଣ ଆଦର୍ଶକୁ ମୁଁ କଦାପି କେଉଁଠି ହେଲେ ଦେଖିବାକୁ ପାଇବି ନାହିଁ-। ମୋ’ ହାତରେ ମୋତେ ମୋର ଆପଣା ଜୀବନର ପୁଞ୍ଜିଟି ଦିଆ ହୋଇଚି, ମୋର ସମ୍ମୁଖରେ ମଧ୍ୟ ଏହି ସଂସାରର ସୁବିସ୍ତୀର୍ଣ୍ଣ କ୍ଷେତ୍ର ପଡ଼ି ରହିଚି । ମୋର ସକଳ ନିଷ୍ଠା ଓ ନିର୍ଭରତା ଦେଇ ମୁଁ ଯତ୍‌କିଞ୍ଚିତ୍ ସୃଷ୍ଟି କରାଯିବ, ଆପେ ସାର୍ଥକ ହେବା ସଙ୍ଗେ ସଙ୍ଗେ ମୁଁ ତଦ୍ଦ୍ଵାରା ସୃଷ୍ଟିର ରଥକୁ ପାଦେ ଆଗେଇ ଦେଇ ପାରିବି, ପ୍ରତ୍ୟେକ ମଣିଷର ଜୀବନ ବ୍ରତ ହିସାବରେ ମୁଁ ଏହାହିଁ ଭାବିଥାଏ-

 

ଯୁଗ ଯୁଗର ଇତିହାସ ହେଉଚି ମଣିଷ ସମାଜରେ ଚାଲିଥିବା ଏହି ବିରାଟ Experimentsର ଇତିହାସ । ନାନା ବିଚିତ୍ର ଦିଗରୁ ମଣିଷର ପ୍ରତିଭା ଏହି ସଂସାରରେ ନାନା ବିଚିତ୍ର ଆୟୋଜନ କରିଚି ଆପଣାର ଜୀବନକୁ ଯଥାସମ୍ଭବ ପରିପୂର୍ଣ୍ଣ ଭାବରେ ଉପଲବ୍‌ଧି କରିବ ବୋଲି । ଇତିହାସର ସବୁ ବଡ଼ ପ୍ରତିଭା ଓ ସବୁ ବଡ଼ ବିପ୍ଳବ କେବଳ ଏହି ଉପଲବ୍‌ଧିର ଗତିରେ କଣାଏ କଣାଏ ଶକ୍ତି ଯୋଗାଇଚନ୍ତି । ଏହି Experiment ଏବେ ସୁଦ୍ଧା ଚାଲିଚି, ପୁରୁଣାର ପୁଞ୍ଜି ଓ ଅଭିଜ୍ଞତାକୁ ସେଇ ନୂଆ ମଣିଷ ପୁଣି ପରୀକ୍ଷା ଚଳାଇଚି; ଆପଣାର ତ୍ୟାଗ ଓ ଆପଣାର ତେଜଦ୍ଵାରା ସେ ବାରବାର ନୂଆ ସୃଷ୍ଟି କରିଯାଉଚି । ଏହି ନିୟତ ଉଦ୍ୟମର ଇତିହାସ ହେଉଚି ଏହି ଜଗତର ଶ୍ରେଷ୍ଠ ଇତିହାସ । ଅତୀତର ସମସ୍ତ ଦୋଷ ଓ ସମସ୍ତ ଗୁଣସମେତ ତାହା ମୋର ଦତ୍ତଭୂମି ହୋଇ ପଡ଼ିରହିଚି, ତାହାକୁ ନେଇ ମୋତେ ମଧ୍ୟ ଏହି Experiment ରେ ଅବତୀର୍ଣ୍ଣ ହେବାକୁ ପଡ଼ିବ । ନାନା ଆଦର୍ଶ ଓ ନାନା ପଥର ସମ୍ଭାବ୍ୟତା ବିଷୟରେ ଆପଣାର ଜୀବନଦେଇ ମୋତେ ମଧ୍ୟ ଅନୁସନ୍ଧାନ କରିବାକୁ ହେବ । ଜଣେ ମଣିଷ ହିସାବରେ ଏହାହିଁ ହେଉଚି ଇତିହାସରୁ ମୋର ସବୁଠାରୁ ବଡ଼ ଶିକ୍ଷା ।

 

୩ । ୩ । ୫୧

 

ପରଠାରୁ ପଇସା ବରାଦ କରାଇ ମତେ ଯେଉଁମାନେ ଏହି ଦୂର ଦେଶକୁ ପଠାଇଚନ୍ତି, ସେମାନେ ଯେ ମୋ’ଠାରୁ ନିଶ୍ଚୟ ବହୁତ କିଛି ଆଶା କରିବେ, ଏହା ଅତ୍ୟନ୍ତ ସ୍ଵାଭାବିକ । କେତେ ପ୍ରକାର ଉପଭୋଗ ଓ ଉତ୍ସବର ଏହି ଦେଶ, କେତେ ପ୍ରକାର ଆଡ଼ମ୍ବରରେ ନିଜର ଆୟୋଜନକୁ ସ୍ଥୂଳ କରି ରଖିଥିବା ଏହି ସଭ୍ୟତା, ଏହାରି ଭିତରୁ ସାରତକ ନେଇ ମତେ ଆପଣା ଦେଶର କର୍ମ ଭୂମିକୁ ଲେଉଟି ଯିବାକୁ ହେବ । ସେଠାରେ କେତେ ରକମର କ୍ଷେତ୍ର ମୋ’ଲାଗି ଅପେକ୍ଷା କରି ରହିଚି, ମୋର ସକଳ ଶପଥ ଓ ସକଳ କଳ୍ପନାର ଅବତାରଣା ମୋତେ ସେଇଠି କରିବାକୁ ହେବ । ମୋ ସହିତ ମୋର ଶୁଭେଚ୍ଛୁମାନେ ମଧ୍ୟ ଏଥିଲାଗି ନିତି ପ୍ରାର୍ଥନା କରୁଚନ୍ତି, ଏହା କଣ କମ୍ ଗୌରବର କଥା ?

 

ରୋହିତର ଡାଏରୀ (ତୃତୀୟ ପର୍ବ)

କେତେପ୍ରକାର ଛଳନାରେ ମୁଁ ହୁଏତ ଆପଣାର ଧ୍ୟାନପଥରୁ ବେଳେ ବେଳେ ବିଚ୍ୟୁତ ହୋଇପଡ଼ିଚି, ପରର ପଇସାକୁ ଆପଣାର ଅର୍ଜିଲା ସମ୍ପତ୍ତି ବୋଲି ମନେକରି ଲାଭ କ୍ଷତି ନେଇ ମୁଁ କେଡ଼େ ଗେଲବସର ପୁଅ ପରି ଭାବିବାରେ ଆନନ୍ଦ ପାଇଚି । କିନ୍ତୁ ତାପରେ ମନ ପୁଣି ଆପଣାର କେନ୍ଦ୍ରକୁ ଫେରି ଆସିଚି । ଏହି ଦେଶର ସାମାଜିକ କ୍ଷେତ୍ରରେ ମଣିଷ ଯାହାକିଛି ଅର୍ଜନ କରିପାରିଚି, ଆପଣାର ବ୍ୟକ୍ତିଗତ କଲ୍ୟାଣକୁ ସାମୂହିକ କଲ୍ୟାଣ ଭିତରେ ସମ୍ମିଳିତ କରାଇବା ଦ୍ଵାରା ହିଁ ସେ ତାହା ସମ୍ଭବ କରିପାରିଚି । ଏହି ବଡ଼ ଶିକ୍ଷାଟି ମୋର ଯାବତୀୟ ଦୃଷ୍ଟିର ସର୍ବମୂଳ ରଙ୍ଗ ହୋଇ ରହିବ । ଜନ୍ମକ୍ଷଣଠାରୁ ଯେଉଁ ଦେଶର ସମାଜ ସହିତ ମୋର ଜୀବନ ଗଅଁଠା ହୋଇରହିଚି, ମୋର ସବୁ ଯୋଜନା ଓ ସବୁ Occupationକୁ ମୁଁ ସେହି ସମାଜର ଭୂମି ଉପରେ ବିଚାର କରିବାର ଶକ୍ତି ଅର୍ଜନ କରିବି । ଏହା ହେଉଚି ମୋର ଆଜିକାର ପ୍ରାର୍ଥନା ।

 

୪ । ୩ । ୫୧

 

ବିନା କାରଣରେ ଅତି unceremoniously ଚିତ୍ତର ପ୍ରକୃତି ଏପରି ବଦଳି ଯାଏ କିପରି ? କେଉଁଠୁ କେତେ ସମ୍ପଦର ଅଧିକାରୀ ହେଲାପରି ସେ ବେଳେବେଳେ ସାରା ଜଗତଟାକୁ ଗୋଟାସୁଦ୍ଧା ଆପଣାର କରିନେବାର ritualରେ ମୋଟେ କ୍ଳାନ୍ତ ହୁଏ ନାହିଁ । ପୁଣି ଆଉ ଏକ ସମୟ ଆସେ, ଯେତେବେଳେ ଆପଣା ଆବେଗର ସକଳ ଡେଣାକୁ ହୁଗୁଳା କରିଦେଇ ସେ ଖାଲି ଆପଣା କୋରଡ଼ଟିରେ ପଡ଼ିରହେ, ବାହାର ଜଗତର କୌଣସି ଥିରେ ଆପଣାକୁ ମିଳାଇ ପାରେ ନାହିଁ । ସେତେବେଳେ ବଡ଼ ସଙ୍କୁଚିତ ହୋଇଗଲା ପରି ଜୀବନ କଟାଇବାକୁ ପଡ଼େ । ଆପଣାକୁ ଜଗତଠାରୁ ବଞ୍ଚିତ କରି କେବଳ ଆପଣା ଅସ୍ଥିତ୍ଵର ଛାଇଟା ଭିତରେ ଜୀବନ ବଞ୍ଚିବାର ଏହି ପ୍ରମତ୍ତତା ଘାରି ପକାଇଲା ବେଳେ ମଣିଷକୁ କି ସଂଘର୍ଷ କରିବାକୁ ନପଡ଼େ, ଅହରହ ପ୍ରାର୍ଥନା ଦ୍ଵାରା ଆପଣାର ଶକ୍ତିକୁ ହାତରେ ରଖି ତାକୁ କେଡ଼େ ସଚେତ ରହିବାକୁ ନପଡ଼େ ।

 

ପାଗପାଣିର ପରିବର୍ତ୍ତନ ପରି ଓ ପ୍ରକୃତିର ବୈଚିତ୍ର୍ୟ ପରି ଜୀବନ ନାନାରଙ୍ଗରେ ଫୁଟିଫୁଟି ଯାଉଚି । କେତେପ୍ରକାର ଆକୁଞ୍ଚନ ଓ ପ୍ରସାରଣ ଦ୍ଵାରା ତାର ବିକାଶମାର୍ଗ ଆପଣାକୁ ପୂର୍ଣ୍ଣକରି ଚାଲିଚି । ତେଣୁ ନୀରସ ଓ ଭାରି ମନଟାର ଶିକାର ହୋଇପଡ଼ି ଯେତେବେଳେ ମୁଁ ଜଗତରୁ ଏତେ ଟିକିଏ ବି ରସ ପାଇବାକୁ ଅଯୋଗ୍ୟ ହୋଇପଡ଼ୁଚି ସେତେବେଳେ ମୁଁ ଯେପରି ଆପଣାକୁ ଓ ଆପଣାର ଜୀବନକୁ ଅଯଥା ଅଭିଶାପ ଦେଇ ନବସେ ! ସରସ ସମୟର ଅନ୍ତର୍ବର୍ତ୍ତୀ ନାଳୀକୁ ପୂରଣ କରିବା ହେଉଚି ନୀରସ ସମୟର ସର୍ବପ୍ରଧାନ mission, ତେଣୁ ଜୀବନର ରସମୟତାରେ ତାର ମଧ୍ୟ ଏକ ନ୍ୟାର୍ଯ୍ୟ ଅଂଶ ଅବଶ୍ୟ ରହିଚି ।

 

ଶୀତ କମି ଆସୁଚି । ଦିନ କ୍ରମେ ସ୍ପଷ୍ଟତର ହେଉଚି । ଆରାମଦାୟକ ଅଧିକ ଆଲୋକ ଓ ଅଧିକ ପବନଲାଗି ମୁଁ ଯେପରି ଟାକି ବସିରହିଚି ।

 

୫ । ୩ । ୫୧

 

ଡେନ୍‍ମାର୍କର ଗଣଶିକ୍ଷା ବିଷୟରେ ମୁଁ ଯେତିକି ବେଶି ପଢ଼ୁଚି, ଆପଣାର ଦେଶ ଓ ସମାଜ ବିଷୟରେ ବି ମନ ସେତିକି ସେତିକି ସଚେତ ହୋଇଯାଉଚି । ପ୍ରାୟ ଶହେବର୍ଷ ପୂର୍ବେ ସମାଜର ଶିକ୍ଷାକ୍ଷେତ୍ରରେ ଏଠି ଯେଉଁ ନୂତନ ଜାଗରଣ ଦେଖା ଦେଇଥିଲା, ତାହାରି ଇତିହାସ ପଢ଼ିବା ସଙ୍ଗେ ସଙ୍ଗେ ମୋର ମନ ଆପଣାର ଶକ୍ତିସୀମା ସମ୍ବନ୍ଧରେ ଖୁବ୍ ଗମ୍ଭୀର ଭାବରେ ଚିନ୍ତା କରିବାକୁ ଆରମ୍ଭ କରୁଚି ।

 

Grundtvig, Kold ଏବଂ Schroeder ପ୍ରଭୃତି ପ୍ରତିଭାଙ୍କର ବ୍ୟକ୍ତିତ୍ଵକୁ ବାଦ ଦେଲେ ଡେନ୍‍ମାର୍କର ଏହି ନବଜାଗରଣ ପର୍ବଟି ନିରର୍ଥକ ହୋଇପଡ଼ିବ । କେତେ ବାଧା ଓ କେତେ ଜଟିଳତା ଭିତର ଦେଇ ଅନ୍ଧାରରେ ପହୁଣ୍ଡ ପହୁଣ୍ଡ କରି ଆଗକୁ ଚାଲିବାପରି ସେମାନଙ୍କୁ ଅଗ୍ରସର ହେବାକୁ ପଡ଼ିଥିଲା । ଭାରତର ସମାଜ ଓ ଭାରତର ଗଣଜୀବନ ଆଜ ଏକ ଗତିହୀନ ବିରାଟ ପର୍ବତପରି ଠିଆହୋଇଚି । ଭାରତୀୟ ଜୀବନର ଲୁପ୍ତ ଜ୍ୟୋତି ଓ ହୃତ ଆତ୍ମବୋଧକୁ ଫେରାଇ ଆଣିବାକୁ ହେଲେ, ଆମକୁ ସେହି କର୍ମହୀନତା ଓ ଜୀବନହୀନତାର ପର୍ବତଟିକୁ ଟାଳିବାକୁ ପଡ଼ିବ ।

 

ଆପଣାର ଆଦର୍ଶ ପ୍ରତି ଅଟଳ ବିଶ୍ଵାସ ହିଁ ଡେନ୍‍ମାର୍କର ସେହି ଜନନେତାମାନଙ୍କର ଜଟିଳ ପଥକୁ ସ୍ପଷ୍ଟ କରାଇ ପାରିଥିଲା, ତିକ୍ତ କଠିନ ନାନା ବାଧାବିଘ୍ନର ଅଭିଜ୍ଞତାକୁ ସେମାନେ ଆପଣାର ଅଗ୍ରଗତିରେ ଈନ୍ଧନ ରୂପେ ବ୍ୟବହାର କରି ପାରିଥିଲେ । ଏହି ବିଶ୍ଵାସ ହିଁ ମଣିଷ ଭିତରେ ଭୀମର ଶକ୍ତି ଦିଏ । ମୁଁ ଆଜି ହୃଦୟ ମଧ୍ୟରେ ବାରବାର ସେହି ଶକ୍ତିର ମନ୍ତ୍ରଟିକୁ ଜପୁଥିଲାପରି ଅନୁଭବ କରୁଚି । ଯୌବନର ଆମୋଦ, ଭଲ ଖାଇ ଭଲ ପିନ୍ଧିବାର ଆରାମ, ଆପଣା ଖ୍ୟାତିର ପ୍ରଲୁବ୍‌ଧ ସ୍ଵପ୍ନ,—ଏସବୁ ମୋର ଦୃଷ୍ଟିପଥରୁ ଅପସରି ଯାଉ ! ଦୁଃଖ, ଦାରିଦ୍ର ଓ ଜୀଇବାର ଦୀନତା ଉପରେ ମୋ’ଦେଶରେ ଯେଉଁ ଦାରୁଣ ଦହନ ମଣିଷକୁ ମାରି ମାରି ପକାଉଚି, ସେହି ଦହନର ନିଆଁରୁ ଜୀବନକୁ ଉଦ୍‌ଭାସିତ କରି ପାରିବାର ଜ୍ୟୋତିଟିକୁ ପାଇବାର କୌଶଳ ମୁଁ ଯେପରି ଲାଭ କରିପାରେ, ମୋର ଏହାହିଁ ପାର୍ଥନା ।

 

୬ । ୩ । ୫୧

 

ଜ୍ଞାତ ଓ ଅଜ୍ଞାତରେ ଖାଲି ସେହି ପ୍ରଶ୍ନଟି ମନଭିତରେ କୁହୁଳି ଉଠୁଚି । ମୁଁ କଣ ସତେ ପାରିବି ? ଏଠିକାର ନାନା ବିଳାସ ଓ ପ୍ରଲୋଭନକୁ ଭେଦକରି ଏଦେଶରୁ ସାର ନେଇ ମୁଁ ସତେ ମୋ ଦେଶରେ ମଞ୍ଜି ପକାଇ ଫଳ ଫଳାଇ ପାରିବି ? ଏହି କଠିନ ପଥଟି ବିଷୟରେ ମୁଁ କ୍ରମେ ଅଧିକରୁ ଅଧିକ ସଚେତ ହୋଇପଡ଼ୁଚି, ମୋ’ ପଛେ ପଛେ ରହି କେଉଁ ବିଧାତାପୁରୁଷ ମୋତେ ଯେପରି ଏ ବିଷୟରେ ପଦେପଦେ ସତର୍କ କରି ଦେଉଚନ୍ତି ।

 

ଆପଣାର ଏ ସଂଶୟ ଦୃଷ୍ଟିକୁ ନେଇ ଅନେକେ ହୁଏତ ଅନ୍ୟ ଅର୍ଥ କରିବେ । ସେମାନେ କହିବେ ଯେ ଆପଣାର ପାରିବା ନପାରିବା ବିଷୟରେ ଏପରି ସନ୍ଦିହାନ ହେବା ଦ୍ଵାରା ମଣିଷ ଆପଣାକୁ ହିଁ ଦୁର୍ବଳ କରିପକାଏ, ସେ ଆପଣାର କର୍ମଶକ୍ତିକୁ କ୍ଷୀଣ କରିଦିଏ । ଆପଣାର ଯୋଗ୍ୟତା ବିଷୟରେ ଏକ ସହଜ complacency ପୋଷଣ କରିବା ଅପେକ୍ଷା ମୁଁ କିନ୍ତୁ ଏହିପରି ଏକ ସୁସ୍ଥ ସଂଶୟବାଦକୁ ଅଧିକ ସ୍ପୃହଣୀୟ ମନେ କରେ । ମନରେ ନିଷ୍ଠାଥିଲେ, ଆଦର୍ଶ ପ୍ରତି ସୁସ୍ଥ ଅନୁରାଗ ରହିଥିଲେ ଏହି ସଂଶୟବାଦ ମଣିଷକୁ ଅଧିକ ଯୋଗ୍ୟ କରାଏ, ତାକୁ ବୁଝି ସମଝି ବାଟ ଚାଲିବାର ଉପାୟ ବତାଇଦିଏ । ତେଣୁ ଡେନ୍‍ମାର୍କର ବିରାଟ ଶିକ୍ଷା—ଇତିହାସର ସମ୍ମୁଖରେ ବସିପଡ଼ିଲେ ଆପଣାର ମନର ଏହି ସଂଶୟ ଭାବଟିକୁ ମୁଁ ଆନନ୍ଦରେ ସ୍ଵୀକାର କରିନେଉଚି । ଏଥିରୁ ମୁଁ କେତେଦୂର ଲାଭ ଉଠାଇ ପାରିବି, ତାହା ଅବଶ୍ୟ ପ୍ରଧାନତଃ ମୋର ନିଷ୍ଠା ଓ ଯୋଗ୍ୟତା ଉପରେ ନିର୍ଭର କରେ ।

 

୮ । ୩ । ୫୧

 

ସମୟ ପଛରେ ଦଉଡ଼ି ଦଉଡ଼ି ଅଣନିଶ୍ଵାସୀ ହୋଇଗଲା ପରି ମୁଁ ଯେତେବେଳେ ଦିନ ଶେଷରେ ଆପଣା ପାଖରେ ଜବାବ ଦେଇ ଦେବାକୁ ବସୁଚି, ସେତିକିବେଳେ ମନେ ହେଉଚି ଯେପରି ମୁଁ ଦିନମାନ କିଛି ହେଲେ କରି ନାହିଁ; କେବଳ ବ୍ୟର୍ଥ ଆଳସ୍ୟରେ ଓ ଆଉ କାହା ହାତରେ ରହିଥିବା ରଜ୍ଜୁର ଅନୁଶାସନରେ ମୋର ସମୟ ଚାଲିଯାଇଚି । ଚିତ୍ତର ସକଳ ପ୍ରକାର ଦୁର୍ବଳତା ମୋତେ ସେତିକିବେଳେ ଚାରିଆଡ଼ୁ ଗ୍ରାସ କରିବାକୁ ଧାଇଁ ଆସୁଚି । ସତେଅବା କେଉଁ ବିଧାତା ପାଖରେ ଆପଣାର ଚୁକ୍ତି ଭାଙ୍ଗିଥିବା ପରି ମୋର ଅପରାଧୀ ମନ ଅତି କାକୁସ୍ଥ ଭାବରେ ନଇଁ ପଡ଼ୁଚି । ଆପଣାର ଏପରି ଶ୍ରୀହୀନ ସ୍ଵଭାବ ମୁଁ ଆଗରୁ କେବେ ଅନୁଭବ କରି ନଥିଲି । ଭିତରୁ ବଳୁଆ ମନ ଏପର୍ଯ୍ୟନ୍ତ ଅଣ୍ଟାଭିଡ଼ି ଚାଲିଚି, ଭିତର ବାହାରର ସକଳ ଦୋଷ ଓ ସକଳ ପ୍ରତିକୂଳତାକୁ ଠଉରାଇ, ଆପଣାର ସିଦ୍ଧ ସ୍ଥାନଟିକୁ ତିଆରି କରିନେବାରେ ଏପର୍ଯ୍ୟନ୍ତ ନିଜର ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଚି । ମୋର ବେଶ୍ ମନେ ହେଉଚି, କ୍ରମେ ମୁଁ ଏହି ଭୟାଚ୍ଛନ୍ନ ଓ ତତ୍ପରତାହୀନ ମନକୁ ଅତିକ୍ରମ କରି ଯାଉଚି । ତଥାପି ବେଳେବେଳେ ଭୂତ ଘୋଟି ଆସିଲା ପରି କୁଆଡ଼ୁ ଗୋଟାଏ ପ୍ରକାର ଦୁର୍ବଳତା ଆସି ମୋର ସବୁ ଆଶା ଓ ସବୁ ପ୍ରସ୍ତୁତିକୁ ଚୂନା କରି ଦେଇଯାଉଚି । ଜାଣେ, ଏହି ଅବସ୍ଥାଟି ମଧ୍ୟ ନିଶ୍ଚୟ ଅତିକ୍ରମି ଯିବ, ଜୀବନସରିତର ବହମାନ ସ୍ରୋତ ଆଗରେ ସବୁ ପ୍ରକାର ଖଣ୍ଡିଆ ଖାବରା ବାଟ କୁଆଡ଼େ ଅବଲୁପ୍ତ ପ୍ରାୟ ହୋଇଯିବ, ନାନା ବୈଚିତ୍ର୍ୟର ମଧ୍ୟ ଦେଇ ଶେଷରେ ତାହାରି ଜୟ ହେବ । ସେହି ଜୟ ଘୋଷଣାଟିକୁ ଚରିତାର୍ଥ କରିବା ଲାଗି ସହସ୍ର ଦୈନ୍ୟ ଓ ସହସ୍ର ବ୍ୟର୍ଥତା ସତ୍ତ୍ୱେ ମଣିଷ ତଥାପି ଆଶା କରୁଚି, ସ୍ଵପ୍ନ ଦେଖୁଚି, ସକଳ ବିଚ୍ୟୁତି ପରେ ସେ ପୁଣି ସାହସ ବାନ୍ଧି ଲାଗି ପଡ଼ୁଚି । ଏହିପରି ଅଦମ୍ୟ ଭାବରେ ଲାଗି ପଡ଼ିବାର ନିୟତ ପରୀକ୍ଷା ଲାଗି ହିଁ ସତେଅବା ଆମ ସଂସାରରେ ଜୀବନର ଓ ମଣିଷର ସୃଷ୍ଟି ହୋଇଚି ।

 

୧୦ । ୩ । ୫୧

 

ମଝିରେ ମଝିରେ ଦିନଟିଏ କିପରି ଯେ ହାତରୁ ଖସିଯାଉଚି, ମୁଁ ତାହାକୁ କୌଣସିମତେ ଧରି ରଖି ପାରୁନାହିଁ । କୋଉଦିନ ଘରକୁ ଫେରୁ ଫେରୁ ରାତି ବାରଟା ହେଉଚି ତ କୋଉଦିନ ଦିନମାନର କାମ ଓ ଗପ ଶେଷ କଲାବେଳକୁ ମନ ଭାରି କ୍ଳାନ୍ତ ହୋଇପଡ଼ୁଚି । ତେଣୁ ଏପରି ଅବସ୍ଥାରେ ଏଠି ମୁଁ କଅଣ ଲେଖିବି ? କୌଣସି କ୍ଷେତ୍ରର ମର୍ମପ୍ରବେଶ କରିବାର ସୁଯୋଗ ଏଠି ହୁଏତ ମୋଟେ ମିଳୁନାହିଁ । ସତେଅବା ଗୋଟାଏ କାଚଘର ଭିତରେ ଅନ୍ୟଦ୍ଵାରା ସଜଡ଼ା ହୋଇଥିବା ପାଗପାଣି ଛିଞ୍ଚା ହୋଇ ମୋର ଜୀବନ ଏଠି ଅତି କୃତ୍ରିମ ଭାବରେ ଯେ କୌଣସି ପ୍ରକାରେ ବଞ୍ଚି ରହିଚି I କେବଳ ଗୋଟାଏ ପ୍ରକାରର ନିର୍ଜୀବ ଆଚ୍ଛନ୍ନ ଭାବ ବ୍ୟତୀତ ମୁଁ ଜୀବନରେ ଆଉ କୌଣସି ସ୍ପନ୍ଦନ ପାଉନାହଁ । ପୁଣି ନାନା ଉପଲକ୍ଷରେ ଆପଣାକୁ ଓ ଆପଣାର କଥା ଗୁଡ଼ାକୁ ନାନାମତେ ସଜାଇ ଚମତ୍କାର ବକ୍ତୃତା ଦେବାର ବଦଚେଷ୍ଟା ମଧ୍ୟ କରିବାକୁ ପଡ଼ୁଚି । ଏଠି ସମସ୍ତେ ଯେପରି ଜୀବନର କୃତ୍ରିମ ପାଖଟାକୁ ହିଁ ମୋ’ ଆଗରେ ଉତ୍ତୋଳିତ କରି ଧରୁଚନ୍ତି । ମୋତେ ଏଇଟାକୁ ହିଁ ସ୍ଵାଭାବିକ ବା matter-of-fact ହିସାବରେ ସ୍ଵୀକାର କରିନେବାକୁ ହେବ; ଏଠିକାର environment ଯେପରି ବାରବାର ମୋତେ ଏହି ଧମକଟି ଦେଖାଇ ଚୁପ୍ କରି ରଖିଚି ।

 

ଯେତେପ୍ରକାର ଆଚ୍ଛନ୍ନତା ଆସୁ ପଛକେ, ମୋର ଦୃଷ୍ଟି ଓ ଧ୍ୟାନ ଯେପରି ନିୟତ ଊର୍ଦ୍ଧ୍ଵମୁଖ ହୋଇ ରହିଥାଉ, ସକଳ ପ୍ରତିକୂଳତା ସତ୍ତ୍ୱେ ମୁଁ ଯେପରି ମୋର ବିଶ୍ୱାସ ଓ ମୋର ସାହସକୁ କଦାପି ହରାଇ ନବସେ ! ଏତିକି ମୋର ପ୍ରାର୍ଥନା,—ଚିତ୍ତର ମାଟିତଳେ ମଝିତକ ଜୀଆଇ ରଖିପାରିଲେ ଯଥେଷ୍ଟ ଅନୁକୂଳ ପାଗ ପାଇବା ମାତ୍ରକେ ଆଜିକାର ଫାଙ୍କା ପଡ଼ିଆରେ ପତ୍ର ଓ ଫୁଲ ପୁଣି ପଲ୍ଲବି ଉଠିବ ।

 

୧୧ । ୩ । ୫୧

 

ବେଳେବେଳେ ମନେହୁଏ, ସଂସାରରେ ଯେପରି ମୋର ଆଉ କୌଣସି ଆବଶ୍ୟକତା ନାହିଁ । ଜୀବନର ବାଟ ଅତିକ୍ରମ କରୁକରୁ ହଠାତ୍ ଯେପରି ଘାଟି ମୁଣ୍ଡରେ ଆସି ପହଞ୍ଚି ଗଲାପରି ଜୀବନ ରଥ ଅଟକି ଠିଆ ହୋଇଯାଏ । ସେତେବେଳେ ଗୋଟିଏ ମୁହୂର୍ତ୍ତ ମନଉପରେ ଶଗଡ଼େ ଭାରି ପରି ମନେହୁଏ । ଆଖି ଉପରେ ନାନାପ୍ରକାର ସମ୍ଭବ ଓ ଅସମ୍ଭବ କଳ୍ପନା ଭାସୁଥିବାବେଳେ ଓ ସେହିସବୁ କଳ୍ପନାକୁ ନେଇ ନାନାକାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ସମୟ ବେଶ୍ କଟିଯାଏ । ଅଥଚ ମଝିରେ ମଝିରେ ଏପରି ଗୋଟାଏ ପ୍ରକାର ଅବସ୍ଥା ଆସି ପହଞ୍ଚେ, ଯେତେବେଳେ କୌଣସି ପ୍ରକାର କଳ୍ପନା କରିବାକୁ ମଧ୍ୟ ଆବଶ୍ୟକ ସ୍ପୃହା ଜନ୍ମେ ନାହିଁ ତୃପ୍ତି ବା ଅତୃପ୍ତି କୌଣସି ପ୍ରକାର ଆବେଗ ମନକୁ ବ୍ୟାପୃତ କିର ରଖି ପାରେନାହିଁ ।

 

ବାପମାଆଙ୍କ ଠାରୁ ସନ୍ଧାନ ହରାଇବସି ହୁଏତ ସନ୍ତାନ ବେଳେବେଳେ ଭାବୁଥିବ ଯେ ଏହି ଘରସହିତ ତାହାର କୌଣସି ସମ୍ବନ୍ଧ ନାହିଁ, ଯେପରି ଏହି ଘର ତାର ଆପଣାର ଘର ନୁହେଁ । ଘରକୁ ତା’ର ନିଜଘର ବୋଲି କହିବାକୁ ସେ ହୁଏତ କୌଣସିପ୍ରକାର ପ୍ରେରଣା ପାଇ ପାରୁନଥିବ । ଆଜି ହଠାତ୍ ଏହି blank ମୁହୂର୍ତ୍ତରେ ଆପଣାକୁ ସେହିପରି ଘରଖଣ୍ଡିଆ ପରି ମନେହେଉଚି । ମୋର ଆବେଗ, ମୋର ବୋଧଶକ୍ତି ଓ ମୋର କର୍ମତତ୍ପରତା ଆଜି ସବୁ ଯେପରି ନିକିମା ହୋଇ ପଡ଼ିରହିଚି । ଠିଆ ହେବାର lever ଟିକୁ ହରାଇବସି ଜୀବନପିଣ୍ଡ ଯେପରି ଆପଣାର ସକଳ ଶକ୍ତିକୁ ହରାଇ ବସିଚି । ତଥାପି ମୋର ସକଳ ଦୀନତା ସତ୍ତ୍ୱେ ମୁଁ ଯେପରି ନିଜର ମହତ୍ତ୍ଵ ଓ ମୂଲ୍ୟଗୁଡ଼ିକୁ ପାସୋରି ନଦିଏ, ଜୀବନର ପରମ ଉତ୍ସ ସହିତ ମୋର କ୍ଷୀଣଧାରଟିର ଯେପରି କୌଣସି ବିଚ୍ୟୁତି ନଘଟେ !

 

୧୩ । ୩ । ୫୧

 

ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ କେତେ ମଣିଷ ଓ କେତେ ଭାବନା ଅନ୍ତରସ୍ପର୍ଶ କରି ଯାଉଚନ୍ତି । ଅଥଚ ତଥାପି ଯେପରି ମନେହେଉଚି ଯେ ମୁଁ କିଛି ପାଉନାହିଁ ! ମନଟା ଆଉକେବେ ଏପରି ଦୀନ ଓ ଏପରି କାଙ୍ଗାଳ ହୋଇଥିଲା ବୋଲି ମୋର ମନେ ପଡ଼ୁନାହିଁ । ବେଦର ସେହି ସରଳ କଥାଗୁଡ଼ିକୁ ଆଜି ନୂତନ ସତ୍ୟପରି ଲାଗୁଚି: ମୁଁ ପାଣିଭିତରେ ବାସକରୁଚି, ଅଥଚ ପରମ ତୃଷାରେ ଦହିହୋଇ ମରୁଚି ! ଏହି ସଂସାରରେ ଏତେ ଆଲୋକ, ଏତେ ମୁକ୍ତି, form ଓ spiritକୁ ନେଇ ଏତେ ଏତେ Revealation; ଅଥଚ ମୁଁ ସେହି ଉତ୍ସବର ପ୍ରସାଦରୁ କଣିକାଏ ମାତ୍ର ପାଇବାର ବି ଅଧିକାରୀ ହୋଇ ପାରୁନାହିଁ । ଚିତ୍ତର ଏହି ବ୍ୟାକୁଳତା, ଏ ଅପରିତୃପ୍ତି, କେଉଁ ସଙ୍କୁଳ ଅଥାନରେ ପଡ଼ିରହିଥିବା ପରି ଏହି ନିୟତ ଅଶାନ୍ତି,–ଜାଣେନା, ମୋର ଜୀବନଦେବତା ଏସବୁକୁ କେଉଁ ଆଡ଼କୁ ମୋହି ନେବ ଜାଣେନା, ଏହି ନିଆଁ ମେତେ ଆହୁରି ଅଧିକ ଉଦ୍‌ଭାସିତ କରିବ ନା କେବଳ ପାଉଁଶ କରି ସାରିଦେବ ! ବୋଧହୁଏ ଆଉ କୌଣସି ପନ୍ଥା ନାହିଁ । କେବଳ ଆହୁରି ଭକ୍ତି, ଆହୁରି ଭଲପାଇବା ଓ ଆହୁରି ପ୍ରାର୍ଥନାଦ୍ଵାରା ମୋର ଏହି negative ଅନ୍ତରକମ୍ପନ ଗୁଡ଼ିକୁ ମୁଁ positive ଜୀବନ ବେଗରେ ପରିଣତ କରିପାରିବି । ବଞ୍ଚିବାର ଶ୍ରେଷ୍ଠ value ଗୁଡ଼ିକର ସମ୍ବନ୍ଧରେ ଯେତେବେଳେ ମଣିଷ ବିଶ୍ୱାସ ହରାଇ ପକାଇବାର ଆଶଙ୍କା ଅନୁଭବ କରେ, ସେତିକିବେଳେ ଅନ୍ତରଭରି ଡାକିବାରେ ଓ କାନ୍ଦିବାରେ ହିଁ ତାହାର ତ୍ରାଣ ସମ୍ଭବ ହୋଇପାରେ । ସେହିପରି ଏକ ପ୍ରବଳ ଡାକ ଆଜି ମୋ’ ଭିତରର ପଥୌ ଗହ୍ଵର ଭିତରୁ ଠେଲିପେଲି ଉଠୁଥିବାପରି ମନେ ହେଉଚି । ଜାଣେନା, ଆପଣା ଦେବତା ହୃତ ଆସନକୁ ପୁଣି ଯଥାସ୍ଥାନରେ ପ୍ରତିଷ୍ଠିତ କରିପାରିବାର ଆତୁରତା ସେହି ଡାକରେ ରହିଚି କି ନାହିଁ କେବଳ ସମୟ ହିଁ ତାହାର ପ୍ରମାଣ ଦେବ ।

 

୧୪ । ୩ । ୫୧

 

ଆଜି ଲେଖିବି ବୋଲି କାଲିଠାରୁ କଣ ଯେ ଭାବି ରଖିଥିଲି, ଯେତେ ଭାବିଲେ ବି ବର୍ତ୍ତମାନ ଆଉ ମନେପଡ଼ୁ ନାହିଁ । କିନ୍ତୁ ସେଥିଲାଗି ଶୋଚନାକରି ଫଳ ନାହଁ । ମୋ’ ଅନ୍ତର ଘରର ଭଣ୍ଡାରୀ ଆଦୌ କୃପଣ ନୁହେଁ । ସମୟ ଜାଣି ସେ ପୁଣି ମାନସଦ୍ଵାରରେ ଅବିକଳ ସେହି ଭାବନାଟିକୁ ଆଣି ପହୁଞ୍ଚାଇ ଦେବ । ମଞ୍ଜି ବୁଣିବା ସଙ୍ଗେ ସଙ୍ଗେ ମଞ୍ଜିସବୁ ମାଟିଭିତରେ କୁଆଡ଼େ ଲୁଚିଯାଏ । କିନ୍ତୁ ସେଗୁଡ଼ିକୁ ହରାଇ ଦେବାର ଆଶଙ୍କାରେ ଚାଷୀ କଦାପି ମଞ୍ଜି ପଡ଼ିଥିବାର ଜାଗାଗୁଡ଼ିକୁ ଚିହ୍ନଟ କରି ରଖେ ନାହିଁ । ସମୟକ୍ରମେ ମାଟିର ଚେତନାସ୍ତରରେ ମଞ୍ଜିଭିତରର ଜୀବନ ମୁକୁଳିତ ହୋଇଉଠେ । ସେହି ଜୀବନ ଆପଣାକୁ ଆପେ ଆପେ ପ୍ରକାଶିତ କରେ । ସୃଷ୍ଟିର ଆନନ୍ଦ ଉତ୍ସବରେ ସେ ଆପେ ଆପେ ଆପଣାର ଅବଦାନଟି ଦେଇଯାଏ । ମୋର ବିଚାର ଓ ମୋର ଭାବନାଗୁଡ଼ିକୁ ହୁଏତ ଶିକ୍ଷକଙ୍କର ପ୍ରିୟ ଛାତ୍ର ପରି ମୁଁ ମୁଖସ୍ଥ କରି ରଖି ପାରୁନାହିଁ, ବରାଦ ବା ସମୟ ମୁତାବକ ମୁଁ ହୁଏତ ସେଗୁଡ଼ିକୁ ଖଣିରୁ ବାହାରକରି ଆଣି ପାରୁନାହିଁ । ଦିନମାନ କେତେ ଚିନ୍ତା ତା’ର ସ୍ଵାଭାବିକ ରୀତିରେ ବିରାଟ ମନଃସାଗରରେ ଅବଲୀନ ହୋଇଯାଉଚି । ଭିତରର ଉର୍ବର ମାଟିରେ ହୁଏତ ସେଗୁଡ଼ିକର ନୂତନ ସୃଷ୍ଟି ଲାଗି ମୂଳଦୁଆ ପଡ଼ୁଚି । ଆପଣାର ପ୍ରୟୋଜନ ମେଣ୍ଟାଇବାକୁ ମୁଁ ଅବଶ୍ୟ ସେଗୁଡ଼ିକୁ ଆପଣା ଖୁସିମୁତାବକ ବ୍ୟବହାର କରି ପାରୁନାହିଁ । କିନ୍ତୁ ସବୁ ମଞ୍ଜିର ବିରାଟ ସମ୍ଭାବନା ନେଇ ଏକ ସମଗ୍ର ବ୍ରତର ପୂଜାସରଞ୍ଜାମ ପରି ମୋର ଚେତନା, ମୋର ବ୍ୟକ୍ତିତ୍ୱ ଓ ମୋର ମାନସବୃତ୍ତି ସତେଅବା ତିଆରି ହୋଇଚାଲିଚି । ଉପରେ ନାନାପ୍ରକାର ବିକ୍ଷେପ ଓ ବିଚଳିତତାରେ ମୁଁ ହୁଏତ ଥିର ହୋଇ ଠିଆହେବାକୁ ପହୁଣ୍ଡେମାତ୍ର ଜାଗା ପାଉନାହିଁ, କିନ୍ତୁ ଭିତରେ ନାନା ପ୍ରୟୋଗର ନବୀନ ନବୀନ ରୂପାୟନରେ ଜୀବନ ଧାତ୍ରୀର ଆୟୋଜନ ଓ ଅଭିମଣ୍ଡନ ଲାଗିରହିଚି । ସମ୍ଭବତଃ କୌଣସି ସଙ୍କେତ ନଦେଇ ଅତି ସ୍ଵାଭାବିକ ଭାବରେ ଦିନ ସେହି ପରୀକ୍ଷା ପରିପୂର୍ଣ୍ଣ ହେବ, ସେଦିନ ମୁଁ ବିରାଟ ଜୀବନକୁ ଆପଣାର ଦେହଭିତରେ ଭାରି ସହଜରେ ଅନୁଭବ କରିପାରିବି ।

 

୧୫ । ୩ । ୫୧

 

ପାଗ ଅନୁସାରେ ମାଟି, ପାଣି ଓ ପବନ ବଦଳି ଯାଉଚି । ଅନୁକୂଳ ଓ ଅନନୁକୂଳ ନାନା ପ୍ରଲୋଭନର ଆୟୋଜନ କରି ମଣିଷ ପଶୁପକ୍ଷୀଙ୍କୁ ବଶ କରି ରଖୁଚି ! ରୁଷିଆଦେଶର ଜଣେ ମନୋବୈଜ୍ଞାନିକ କୁକୁର ଉପରେ ପରୀକ୍ଷା କରି ଏହି ନିୟମକୁ ଶାସ୍ତ୍ରର ଅନ୍ତର୍ଭୁକ୍ତ କରିଥିଲେ । ଗତ ଶତାବ୍ଦୀର ଶେଷ ଭାଗରେ ଏହି ନିୟମଟିକୁ ମଣିଷ ଉପରେ ମଧ୍ୟ ପ୍ରୟୋଗ କରାଗଲା । Ideal ବା ଉପାଦେୟତମ ବ୍ୟବସ୍ଥା ବୋଲି କୁହାଯାଉଥିବା କୌଣସି ନା କୌଣସି prejudice ଅନୁସାରେ ସମାଜରେ ସମସ୍ତଙ୍କୁ ମଣାଇବାର ଖିଆଲକୁ ମନୋବିଜ୍ଞାନ ଶାସ୍ତ୍ରରେ Behaviorism ବୋଲି କୁହାଯାଉଚି । ସବୁ ମଣିଷ ଅବିକଳ ଗୋଟିଏ ବାଟରେ ତିଆରି ହୋଇପାରିବେ, ଗୋଟିଏ କାରଖାନାର ହଜାରଟି ଘଡ଼ି ଏକାଭଳି ତିଆରି ହୋଇ ପାରୁଥିବାଭଳି ଗୋଟାଏ ସମାଜର ସବୁ ମଣିଷ ମଧ୍ୟ ଏକାଭଳି ସମାନ ଶାସନର ବାଡ଼ଭିତରେ ରହିବେ, ଏହା ହେଉଚି ଏହି ମତବାଦଟିର ଦର୍ଶନ । ଏହି ଦର୍ଶନକୁ କାର୍ଯ୍ୟକାରୀ କରିବାକୁ ଯାଇ ପଣ୍ଡିତ ବଡ଼ମାନଙ୍କର ମସୁଧା ଅନୁଯାୟୀ ସ୍କୁଲର ପାଠ ସାମାଜିକ ଓ ଜୀବନର ନାନାକ୍ଷେତ୍ରକୁ ଏବେ କାରଖାନା ପରି ବ୍ୟବହାର କରାଗଲାଣି । ସତେଯେପରି ନୂଆ ମଣିଷଲାଗି କିଛି ଭାବିବାର, କିଛି ହେବାର ବା କିଛି ବଦଳାଇବାର ନାହିଁ, ଏଯୁଗ ସତେଅବା ସବୁ ହେବାର ଶ୍ରେଷ୍ଠ ସୀମାରେ ଯାଇ ପହଞ୍ଚି ସାରିଲାଣି, ତେଣୁ ଆଗାମୀ ଯୁଗର କଞ୍ଚାମନକୁ ଏଯୁଗର ଗଢ଼ାଛାଞ୍ଚରେ ପକାଇ ତିଆରି କରିବାକୁ ହେବ: ପ୍ରତ୍ୟେକ ପ୍ରକାରର Behaviorism ପଛରେ, ଏହିପରି ଗୋଟାଏ ମନୋଭାବ ପ୍ରଚ୍ଛନ୍ନ ହେଇ ରହିଚି । ଏଯୁଗରୁ ନାତ୍‍ସିବାଦ, ସାମ୍ୟବାଦୀ ଏକାଧିପତ୍ୟ ଏବଂ ଗଣତନ୍ତ୍ରର ନାମ ନେଇ ଅପର କୌଣସି ଦେଶକୁ, ଆପଣା ମତମୁତାବକ Conditioned କରି ବିଜୟୀ ହୋଇଥିବା ଅପକୃତ ଲାଳସାକୁ ପରିତୃପ୍ତ କରିବା,—ଆମେ ଏଗୁଡ଼ିକୁ ରାଜନୀତି Behaviorism ବୋଲି କହିପାରିବା । ମନ ବଳାଇବା ଭଳି ଯେତେ ଭେକ ପିନ୍ଧିଥିଲେ ମଧ୍ୟ ଏସବୁର ମଞ୍ଜି ସେହି ଗୋଟିଏ ଉପାଦାନରେ ଗଢ଼ା ।

 

୧୬ । ୩ । ୫୧

 

କିଏ ଯେପରି ମନଭିତରେ ପଚାରି ଯାଉଛି, ନଅ ବରଷ ତଳେ ଯେଉଁ ଦିନଟା ତୋତେ ଜୀବନରେ ଏକ ନୂତନ ପରିଚୟ ଦେଇଥିଲା, ମଣିଷକୁ ଭଲପାଇ ସେହି ଭଲପାଇବା ଭିତରୁ ହିଁ ବଞ୍ଚିବାର ସାହାସ ଲାଭ କରିବାକୁ ସେହି କିଶୋର ବୟସରେ ତୋତେ ଯିଏ ଦେଇଯାଇଥିଲା, ତୁ କେତେଦୂର ସେହି ସାହସ ପାଇବାର ଅଧିକାରୀ ହୋଇପାରିଚୁ, ତାକୁ ଆପଣାର କରି ଧରି ରଖି ପାରିବାର ନିଷ୍ଠା ଓ ବଳ ତୁ ପ୍ରକୃତରେ କେତେଦୂର ଅର୍ଜନ କରିପାରିଚୁ ?

 

ଆପଣାକୁ ଦୁର୍ବଳ ବୋଲି କହିବାଠାରୁ ଆଉ ବଡ଼ ଦୁର୍ବଳତା ମଣିଷ ପକ୍ଷରେ ଆଉ କଣ ହୋଇପାରେ ? ପ୍ରତ୍ୟେକ ଜୀବନର ପଥ ହେଉଚି ଅତି ସ୍ଵକୀୟ ଓ ଅତି ସ୍ଵାଭାବିକ,—ତା’ର ପାରଙ୍ଗମତା ତଥା ଅପାରଙ୍ଗମତା ହେଉଚି ତା’ର ସ୍ଵାଭାବିକ ଭୂମି । ଗୋଟାଏ ଆଦର୍ଶ ଭୂମିର standard ଦେଇ ମଣିଷର ଚିତ୍ତଭୂମିକୁ ମାପିବସିଲେ ସଂସାରରେ ନିଶ୍ଚୟ ବଡ଼ ନିରାଶ ହେବାକୁ ପଡ଼ିବ । ସେ ଯେପରି ଭୂମି, ନେଇ ଜନ୍ମଗ୍ରହଣ କରିଚି, ତାକୁ ସେହିପରି ଭୂମିରୁ ହିଁ ଜୀବନ ଆରମ୍ଭ କରିବାକୁ ପଡ଼ିବ, ତାହାରି ଅନୁକୂଳ ନାନା କର୍ଷଣରୀତି ଅବଲମ୍ବନ କରିବାକୁ ପଡ଼ିବ-। ମୁଁ ମଣିଷ ଜୀବନ ପାଇଚି, ଆପଣାକୁ ମାପି ଆପଣାର ଆଦର୍ଶ ସହିତ ଆପଣାକୁ ଯୋଡ଼ି ପାରିବାର ଆକୁଳତା ମୁଁ ଅନୁଭବ କରିପାରୁଚି,—ମୋ’ଲାଗି ଏହାହିଁ ପରମ ଭାଗ୍ୟର କଥା । ସବୁ ଉତ୍ସାହ ଓ ଉଦ୍ୟମ ଦେଇ ମୁଁ ସେହି ଆଦର୍ଶଲାଗି ଓ ସେହି ସମ୍ଭାବ୍ୟ ଲାଗି ଆପଣାକୁ ତିଆରି କରି ଚାଲିଚି । କ୍ଷଣକ୍ଷଣକର ସଫଳତା ମୋତେ ଆହୁରି ଅଧିକ ବେଗରେ ବାଟ ଚାଲିବାର ଆନନ୍ଦମୟ ଅନୁରାଗ ଦେଇଯାଉଚି, କ୍ଷଣକ୍ଷଣକର ବିଫଳତା ମୋତେ ଆପଣାର ବିଚ୍ୟୁତିଲାଗି କନ୍ଦାଇ ପୁଣି ମୋତେ ପରବର୍ତ୍ତୀ ସଫଳ ମାର୍ଗଚାରଣା ଲାଗି ତିଆରି କରିଦେଇ ଯାଉଚି । ଅତି ସ୍ଵାଭାବିକ ରୀତିରେ ନଅବରଷ ତଳର ସେହି ପ୍ରଥମ ସାହସ ଆପଣାକୁ କ୍ରମେ ମୋ’ରି ଭିତରେ ପ୍ରତିଷ୍ଠିତ କରିଚାଲିଚି ।

 

୨୦ । ୩ । ୫୧

 

ଡେନ୍‍ମାର୍କର ସୁଦୂର ଏକ ମଫସଲଗାଆଁରେ ଦିନ କଟାଇବାର ପ୍ରଥମ ସୁଯୋଗ ଲାଭକରି ମୋର ମନ ସତେଅବା ଆତ୍ମଭେଳା ହୋଇରହିଚି । ଅନେକଦିନ ପରେ ମନୋମତ ଏକ ବାତାବରଣ ଭିତରେ ନିଜକୁ ପ୍ରସାରିତ କରିଦେଇ ଭାରି ଉଶ୍ଵାସ ଲାଗୁଚି । ଚାରିଦିଗରେ ସୁବିସ୍ତୀର୍ଣ୍ଣ ଏହି ଢିପଢ଼ାଲୁ ଭୂଇଁ ବରଫରେ ଧୋବ ହୋଇ ରହିଚି, ମଝିରେ ମଝିରେ ଏ ଦେଶ କୃଷକର ଘର ଓ ତାହାକୁ ବେଢ଼ି ରହିଥିବା ତୋଟାଗୁଡ଼ିକ ଭାରି ସୁନ୍ଦର ଦେଖାଯାଉଚି । ପ୍ରଥମ ଦର୍ଶନର ଏହି ଅନୁଭୂତିଗୁଡ଼ିକୁ ମୁଁ ଯେପରି କେବଳ ପିଇପିଇ ଯାଉଚି ! ଦଣ୍ଡେ ଥମିଯାଇ ପଦେ ଲେଖିବାକୁ ମଧ୍ୟ ଧୈର୍ଯ୍ୟ ପାଉନାହିଁ । ଗାଆଁର ପିଲା ମୁଁ, ଜନ୍ମହେବା ଦିନରୁ ଏହି ଗାଆଁରେ ପରିବ୍ୟାପ୍ତ ହୋଇ ମୁଁ ଗାଆଁକୁ ଭଲପାଇ ଶିଖିଚି, ତେଣୁ ଏହି ଦୂରଦେଶରେ ମଧ୍ୟ ସେହି ଚାଷଜମି, ସେଇ ଖୋଲା ଆକାଶ ଓ ସରଳ କୃଷକର ସେଇ ଖୋଲା ମନ ମୋତେ ଏଡ଼େ ଚଞ୍ଚଳ ଏଠିକାର ଆପଣାର କରି ପାଇଚି । କୃତ୍ରିମ ଜୀବନର swamp ଭିତରେ ଦୁର୍ଗନ୍ଧ କରୁଥିବା ରାଜଧାନୀରେ ଗତ ତିନିମାସକାଳ ମୋର ମନଟା ଯେ କାହିଁକି ଛଟପଟ ହେଉଥିଲା, ବର୍ତ୍ତମାନ ତାହା ବେଶ୍ ବୁଝିପାରୁଚି ।

 

ନାନା ନୂଆ ଅନୁଭୂତିରେ ମୋର ହୃଦୟ ଆପଣାକୁ ନିୟତ ସମୃଦ୍ଧ କରି ଚାଲିଚି । ଏପରି ଗୋଟିଏ ସ୍ଵାଭାବିକ ପରିବେଶରେ ପହଞ୍ଚିବା ସଙ୍ଗେ ସଙ୍ଗେ ମନ କେବଳ ପାନ କରିବାରେ ଓ ଅବଧାରଣ କରିବାରେ ଲାଗିପଡ଼ିଚି । କ୍ଷଣେହେଲେ କ୍ଳାନ୍ତ ହେବାର ଓ ଆପଣାର ଦୁର୍ବଳତା ବିଷୟରେ ଭାବି ଆପଣାକୁ କ୍ଷୁଣ୍ଣ କରିବାର ଅବସର ମଧ୍ୟ ସେ ହରାଇ ବସିଚି ।

 

୨୧ । ୩ । ୫୧

 

ଦୁଇଦିନ ହେଲା ମୁଁ ଏଠାକାର ଦୁଇଟି ସ୍କୁଲରେ କେତେ ସମୟ କଟାଇବାର ସୁଯୋଗ ପାଇଲି । ଏଠିକାର ସ୍କୁଲ ଘର ହେଉଚି ଗାଆଁର ସବୁଠାରୁ ଭଲ ଘର, ଏଠାକାର ଶିକ୍ଷକ ମାସକୁ ଚାରିଶହ ଟଙ୍କା ଦରମା ପାଆନ୍ତି । ବିଗତ ଶହେବର୍ଷ ମଧ୍ୟରେ ଏ ଦେଶର ଶିକ୍ଷା ପ୍ରଣାଳୀ ଆଧୁନିକ ମନୋବିଜ୍ଞାନ ଓ ଶିକ୍ଷାଶାସ୍ତ୍ରର ଅନୁମୋଦିତ ଶିକ୍ଷାଦର୍ଶନ ଅନୁସାରେ ଆପଣାକୁ ସମୃଦ୍ଧ କରି ଆସିଚି-। ଘର ଓ ବିଦ୍ୟାଳୟ ଭିତରେ ଅତି କୃତ୍ରିମ ଭାବରେ ସୃଷ୍ଟି କରାଯାଉଥିବା ବ୍ୟବଧାନକୁ ସମ୍ଭବତଃ ଡେନ୍‍ମାର୍କ ହିଁ ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ସବୁଠାରୁ ଅଧିକ ନିପୁଣ ଭାବରେ ପାରି ହୋଇପାରିଚି ।

 

ଆମ ଦେଶର ଶିକ୍ଷା ଓ ଆମ ଦେଶର ପିଲାଙ୍କ ସହିତ ଏ ଦେଶର ଶିକ୍ଷା ଓ ଏ ଦେଶର ପିଲାଙ୍କର ତୁଳନା କରିବା ବଡ଼ ହାସ୍ୟାସ୍ପଦ କଥା ହେବ । ଅର୍ଥାଭାବର ଦାଉରେ ଭାରତ ବର୍ଷର ମଣିଷ ତା’ର ସବୁ ମଣିଷପଣିଆକୁ ହରାଇ ବସିଚି । ଯାହାର ଯଥେଷ୍ଟ ନାହିଁ, ସିଏ ସାଧ୍ୟମତେ ଅଧିକ ଅର୍ଜନ କରିବାରେ ଆପଣାର ସମସ୍ତ ଶକ୍ତି ଖରଚ କରି ଅତି ପରିଶ୍ରାନ୍ତ ଭାବରେ ଦିନଯାପନ କରୁଚି । ଯାହାର ଯଥେଷ୍ଟ ଅଛି, ସିଏ ସେତକ ହରାଇ ବସିବାର ସତତ ତ୍ରସ୍ତତାରେ ସବୁବେଳେ ଆଚ୍ଛନ୍ନ ହୋଇ ରହିଚି । ଏହିପରି ଏକ hostile ସମାଜରେ ସେଠି ପିଲା ମଣିଷ ହେବ କିପରି ? ଶିକ୍ଷାବ୍ୟବସ୍ଥାରେ ଶିଶୁ ମନୋବିଜ୍ଞାନର ନବତମ ଜ୍ଞାନର ପ୍ରୟୋଗ କରିବାର ପ୍ରଶ୍ନ ହିଁ ଉଠୁନାହିଁ । ଆମ ଗାଆଁ ସ୍କୁଲର ମାଷ୍ଟର ହୁଏତ ସେଦିଗରୁ ଚିନ୍ତା ହିଁ କରି ଶିଖି ନାହିଁ । ପରିବାର, ସରକାର ବା ଶିକ୍ଷକ କେହି ପିଲାକୁ ତାର ଯଥୋଚିତ ସମ୍ମାନ ଦେଇ ଶିଖିନାହାନ୍ତି । ପିଲାଦିନର ଧୂଳିଘର ତିଆରି କରିବା, ପୋଖରୀ କୂଳରେ କାଦୁଅ ପିଣ୍ଡୁଳା ବସାଇ ଠାକୁର ପୂଜିବା, ଖପରାକୁ ପଇସା କରି ଆପଣା ଆପଣା ମଧ୍ୟରେ ସଉଦା କରିବା,—ଏହିପରି ଆପଣାର ସ୍ଵାଭାବିକ କେତୋଟି ଉପଲକ୍ଷ୍ୟ ବ୍ୟତୀତ ଆମ ଦେଶର ପିଲା ଆଉ କିଛି ସୃଷ୍ଟି କରିବାର କ୍ଷେତ୍ର ହିଁ ପାଇନାହିଁ ।

 

୫ । ୪ । ୫୧

 

ମାନବିକ ଅଧିକାର ସମ୍ବନ୍ଧରେ ପୃଥିବୀଯାକର ମଣିଷଙ୍କୁ ସଜାଗ କରାଇବା ପାଇଁ ୟୁନେସ୍କୋ ତରଫରୁ ତିଆରି ହୋଇଥିବା ଏକ ବିରାଟ ଛବି ବହି ଦେଖିବାର ସୁଯୋଗ ପାଇଲି । କେବଳ ପ୍ରଚାର ଓ ଲୋକପ୍ରିୟତା ଦୃଷ୍ଟିରୁ ବିଚାର କଲେ ଏହି ଉଦ୍ୟମକୁ ବିରାଟ ବୋଲି କହିବାକୁ ହେବ ।

 

ଅଜସ୍ର ପଇସା ଖରଚ କରି ନାନା ଦେଶରୁ ମନୋନୀତ ହୋଇ ଯାଇଥିବା ବଡ଼ଲୋକ ବଡ଼ମୁଣ୍ଡମାନେ ଏହି ଲୋଭନୀୟ ସାମଗ୍ରୀଟିକୁ ପ୍ରସ୍ତୁତ କରି ପାରିଚନ୍ତି । କିନ୍ତୁ ମୋର ଭାରି ସନ୍ଦେହ ହେଲା, ବିଶେଷ କରି ଯେଉଁ ଲୋକମାନଙ୍କ ଲାଗି ଏଇଟି ତିଆରି ହୋଇଚି, ସେମାନେ କଣ ପ୍ରକୃତରେ ଓ ପୂର୍ଣ୍ଣ ଭାବରେ ଏହାର ସୁଯୋଗ ନେଇପାରିବେ ? ସରକାରୀ ରାସ୍ତା ଦେଇ ହୁଏତ ଏହା ପ୍ରତ୍ୟେକ ରାଜ୍ୟର ସେକ୍ରେଟେରୀଏଟ୍‌କୁ ଯିବ, ସେଠୁ ହୁଏତ କେବଳ କେତେଜଣ.. ବଡ଼ ଅଫିସର ଆପଣା ପିଲାଙ୍କୁ ଛବି ଦେଖାଇବା ଉଦ୍ଦେଶ୍ୟରେ ଏଇଟିକୁ ଆପଣା ଘରକୁ ନେଇଯିବେ । ଖୁବ୍ ବେଶି ହେଲେ ସହରମାନଙ୍କରେ କେତେଟା ଜାଗାରେ ବହିଟି ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ, ସହରରେ ପଢ଼ୁଥିବା ବା ଚାକିରି କରୁଥିବା କେତେଜଣ ଏଇଟି ଦେଖିବାର ସୁଯୋଗ ପାଇବେ । ମାତ୍ର କେବଳ ଏତିକି ଉଦ୍ଦେଶ୍ୟ ପୂରଣ କରିବା ଲାଗି କଣ ଏତେ ପଇସା ଖରଚ ହୋଇଚି ?

 

ଇତିହାସରେ ଆମେ କାଳକାଳରୁ ମାନବିକ ଅଧିକାର କଥା ଶୁଣି ଆସୁଚୁ । ବିଶେଷତଃ, ଆମ ଯୁଗରେ ଏହି ବିଷୟରେ ସବୁଠାରୁ ବେଶି ବାଇଦ ବାଡ଼ିଆ ହୋଇଚି । କିନ୍ତୁ ଆଉ ଗୋଟିଏ ଦିଗରୁ ବିଚାର କଲେ ହୁଏତ ଆମରି ଯୁଗରେ ହିଁ ମାନବିକ ଅଧିକାରର ସବୁଠାରୁ ଅଧିକ ଅବମାନନା କରାଯାଇଚି । ସଂସାରର ପାଠୁଆ, ସଂସାରର ଧନୀ ଓ ଆର୍ଥିକ ତଥା ସାମାଜିକ ଦୃଷ୍ଟିରୁ ଅଧିକ ପାରଗ ଲୋକମାନେ ହୁଏତ ଲମ୍ପଟ ପରି ନାନା କୁଟିଳ ବାହାନାମାନ ଦେଖାଇ ସର୍ବମାନବର ଅଧିକାରକୁ ଆତ୍ମସାତ୍ କରି ନେଇଚନ୍ତି । ସଂସାର ଓ ଇତିହାସର ଏହି ବିରୋଧ କଣ କୌଣସି ପ୍ରକାରେ ଆମକୁ ସତର୍କ କରାଇ ପାରିବ ନାହିଁ ?

 

ଅଧିକାର ଓ କର୍ତ୍ତବ୍ୟର ତୁଳନାତ୍ମକ ଆଲୋଚନା କରିବାକୁ ଯାଇ ସେଇ ଛବିବହିର କାରିଗରମାନେ କର୍ତ୍ତବ୍ୟକୁ ନେଗେଟିଭ୍ ବୋଲି କହି ନାପସନ୍ଦ କରିଚନ୍ତି । ମୁଁ ତ ଭାବୁଚି, ଆଜିକୁ ଶହେ ଦେଢ଼ଶହ ବର୍ଷ ତଳେ ମଣିଷର ଅଧିକାରକୁ ଏକ ରାଜନୀତିକ mythରେ ପରିଣତ କରିଦେଇ ଯେଉଁମାନେ ଆପଣାର ସକଳ କର୍ତ୍ତବ୍ୟଜ୍ଞାନ ହରାଇ ବସିଚନ୍ତି, ଏହି ସଂସାରର ସବୁକ୍ଷେତ୍ରରେ ରାଜାହୋଇ ବସି ଯେଉଁମାନେ ବଡ଼ ବଡ଼ ସ୍ଲୋଗାନ୍ ଓ ଆଦର୍ଶର ଧୂଆଁ ବାଣ ମାରି ଏବେ ମଧ୍ୟ ସଂସାରକୁ ଠକିବାର ଚାଲାଖି ଚଲାଇଚନ୍ତି, ପ୍ରଥମେ ସେଇମାନେ ହିଁ ଆପଣା କର୍ତ୍ତବ୍ୟ ବିଷୟରେ ଏତେ ଟିକିଏ ସଚେତ ଓ ସଚେଷ୍ଟ ହୋଇପାରିଲେ ଏବଂ ଆପଣାକୁ ଏତେ ଟିକିଏ ନମ୍ର କରି ପାରିଲେ ଆମ ଜଗତକୁ ପୁଣି ମଣିଷର ଯୋଗ୍ୟ କରି ଗଢ଼ିବା ଭାରି ସହଜ ହୋଇପାରନ୍ତା । ଫରାସୀ ବିପ୍ଳବର ଅବ୍ୟବହିତ ପରେ ଏହି ମାନବିକ ଅଧିକାର ନାମରେ ନେତାମାନେ କେତେ ମଣିଷ ମାରିଚନ୍ତି, ଆମେରିକାର ସ୍ଵାଧୀନତା-ସନନ୍ଦଟି ଘୋଷିତ ହେବା ପରେ ସେଇ ଦେଶର ଡଲାରନୀତି ହୁଏତ କେତେକେତେ ଅନୁନ୍ନତ ଦେଶକୁ ବିପର୍ଯ୍ୟସ୍ତ କରିଚି, ପଇସା ଦେଇ କେତେ ସ୍ୱାଧୀନ ଦେଶକୁ ଆପଣାର ମାନବିକ ମତ ଓ ମାନବିକ ଅଧିକାର ଘୋଷଣା କରିବା ଦିଗରେ ଦୁର୍ବଳ କରାଇ ଦେଇଚି । ତଥାପି ସେଇ ପୁରୁଣା କଥାକୁ ଆଉ ଥରେ ନୂଆ ଛବି ଦେଖାଇ କହିବାର ବଡ଼ଲୋକି ସୁଆଙ୍ଗ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ଯେଉଁମାନେ ପ୍ରଥମେ ଆପଣାର କର୍ତ୍ତବ୍ୟ ପାଳନ କରି ସଂସାରକୁ ଆଗ ତାର କର୍ତ୍ତବ୍ୟ ଗୁଡ଼ିକ ସମ୍ବନ୍ଧରେ ସଚେତ ହେବାର ଉଦବୋଧନ ଦେଇଚନ୍ତି, ହୁଏତ ସେହିମାନେ ହିଁ ମାନବିକ ଅଧିକାରର ପ୍ରଳାପୀ, ଚତୁର ଓ ଧୁରନ୍ଧର ନେତାମାନଙ୍କଠାରୁ ମାନବିକ ଅଧିକାରର ପ୍ରତିଷ୍ଠା କରିବା ଦିଗରେ ଅଧିକ କାର୍ଯ୍ୟ କରିଚନ୍ତି । ଗୋଟାଏ ଯୀଶୁ ବା ଗୋଟାଏ ଗାନ୍ଧୀ ଆପଣାର କର୍ତ୍ତବ୍ୟ କରୁ କରୁ ଜୀବନ ଦେଇ ବିଳାସୀ ବିଶ୍ଵ ସମ୍ମିଳନୀର ପଇସା ଉଡ଼ାଇବାର ଅଳସ ତୃପ୍ତି ଅପେକ୍ଷା ମଣିଷ ଲାଗି ଅନେକ ବେଶି କାମ କରିଚନ୍ତି । ତଥାପି ଆଉ ଗୋଟାଏ ନୂଆ ଯୁଦ୍ଧର ଦ୍ଵାର ଦେଶରେ ଠିଆ ହୋଇ ମଧ୍ୟ ଆମ ଧନୀ ସଭାର ସୁଆଙ୍ଗ ବନ୍ଦ ହୋଇନାହିଁ ।

 

୬ । ୪ । ୫୧

 

କାଳକାଳରୁ, ବିଶେଷତଃ ଆମ ଏ ଯୁଗରେ ବିଜ୍ଞାନର ପ୍ରସାଦରୁ ସହଜ ପ୍ରଚାର ଓ ଶସ୍ତା ଆତ୍ମପ୍ରସାଦ ଲାଭ ସମ୍ଭବ ହେବାପରେ ଉପରସ୍ତରର ମଣିଷମାନେ କଡ଼େ ବଡ଼ ବଡ଼ ଆଦର୍ଶ କଥାମାନ କହିଚନ୍ତି । ଆପଣା ପଛରେ ପଲପଲ କରି ମଣିଷ ଦଉଡ଼ାଇ ସେମାନେ ଚିରଦିନ ଖ୍ୟାତି କମାଇ ଆସିଚନ୍ତି । ମାନବିକ ଅଧିକାରର ପ୍ରଚାର ହୁଏତ ଅନେକ ପରିମାଣରେ ସେହିପରି ଖ୍ୟାତି କମାଇବାର ଏକ ଅଳସ ପ୍ରଚାର । କିନ୍ତୁ କେତେଦିନ ଯାଏ ଖାଲି ବଡ଼ ବଡ଼ ସ୍ଳୋଗାନ୍ ଦେଇ ସଂସାରର ବଡ଼ଲୋକ ଓ ସଂସାରର ଭୀରୁ କ୍ଷେତ୍ର ଜ୍ଞାନହୀନ ମଣିଷ ଆମ ସଂସାରକୁ ଠକିବାରେ ଲାଗିଥିବ ? ଡିମୋକ୍ରାସି ଓ କମ୍ୟୁନିଜିମର ନାଆଁରେ ଆଉ କେତେ ଦିନ ଯାଏ ସଂସାରର ଏତେ ପଇସା ଖରଚ ହେଉଥିବ, ଏତେ ମଣିଷଙ୍କୁ ଯୁଦ୍ଧ ଭିତରକୁ ଠେଲି ଦିଆଯାଉଥିବ ? ୟୁନୋସ୍କୋର ବଡ଼ଗାଦୀରେ ବସି ମୁଣ୍ଡ ଖରଚ କରି ମାନବିକ ଅଧିକାରର ପ୍ରଚାର କରିବା ଲାଗି ଯେଉଁମାନେ ଏହି ଛବି ବହିଟି ବାହାର କରିଚନ୍ତି, ହୁଏତ ସେଇମାନେ ହିଁ ଅପର ମଣିଷର ଅଧିକାରକୁ ଅପହରଣ କରିବାରେ ଓ ଆପଣା ଅଧିକାର ଗୁଡ଼ିକର ଅପଚୟ କରିବାରେ ବେଶି ଦୋଷୀ ସାବ୍ୟସ୍ତ ହେବେ । ସେମାନେ ସମସ୍ତେ ଭାଗ୍ୟବାନ୍, ଭାତ ଓ ଲୁଗାଲାଗି ସେମାନଙ୍କୁ ହୁଏତ ଦିନେହେଲେ ଭାବିବାକୁ ପଡ଼େ ନାହିଁ । ମାସକୁ ଅନ୍ତତଃ ଗୋଟିଏ ସପ୍ତାହ ଯଦି ସେମାନେ ଲୋକସାଧାରଣଙ୍କ ମଧ୍ୟରେ କର୍ମୀ ବା ଶିକ୍ଷକ ହୋଇ ମାନବିକ ଅଧିକାରର ପ୍ରଚାର କରିପାରନ୍ତେ, ତେବେ ସେମାନଙ୍କର ଦୃଷ୍ଟାନ୍ତ ହୁଏତ ଲୋକ ସମାଜକୁ ଅନେକ ଦୂର ଆଗେଇ ନେଇ ପାରନ୍ତା, ଜନକଲ୍ୟାଣ ତଥା ଜନଶାନ୍ତି ଦିଗରେ ବହୁତ କିଛି ସମ୍ଭବ ହୋଇ ପାରନ୍ତା । ମଝିରେ ମଝିରେ ଗୋଟାଏ ଗୋଟାଏ ଲୋଭନୀୟ ବହି ବାହାର କରି, ଗୋଟାଏ ଗୋଟାଏ ବକ୍ତୃତା ଦେଇ, ପରର ପଇସାରେ ପୃଥିବୀର ଏ ପାଖରୁ ସେପାଖ ଯାଏ ଗସ୍ତ କରି ସେମାନେ ତଥାପି ଯେ ଜନମନର କେତେ ଦୂରରେ ଅଶ୍ରୁତ ଓ ଅସ୍ପୃଶ୍ୟ, ହୋଇ ରହିଚନ୍ତି, ସେ କଥା ସେମାନେ କେବେ ଯାଇ ବୁଝିବେ-?

 

୭ । ୪ । ୫୧

 

ଏହି ଦେଶ ସମ୍ବନ୍ଧରେ ମୁଁ ଯେତିକିବେଶି ଜାଣୁଚି, ଆପଣାର ଦେଶ ସମ୍ବନ୍ଧରେ ମୋର ମନ ସେତିକି ସଜାଗ ହୋଇ ଉଠୁଚି । ଏ ଦେଶର ନାନାବିଧ ଜାତୀୟ ପ୍ରଚେଷ୍ଟା ଭିତରେ ହୁଏତ ନାନାଜାଗାରେ ନାନା ଦୋଷ ରହିଚି, କିନ୍ତୁ ସେହି ଦୋଷଗୁଡ଼ିକୁ ଦେଖାଇବା ଲାଗି ମୋର କୌଣସି ସାହସ ନାହିଁ । ମୋ’ ଦେଶରେ ଜାତିକୁ ନିର୍ମାଣ କରିବା ଲାଗି ଏପର୍ଯ୍ୟନ୍ତ ମୂଳଦୁଆ ମଧ୍ୟ ପଡ଼ିନାହିଁ । ମୋ’ ଦେଶରେ ଉତ୍କୃଷ୍ଟତର କଣ ରହିଚି ଯେ ମୁଁ ଏ ଦେଶରେ ଦୋଷ ବାହାର କରିବି ? ନା ଭାରତବର୍ଷ ପେଟପୂରା ଖାଇବାକୁ ପାଇବା, ପିନ୍ଧିବା ଓ ରହିବାର ଶଙ୍କିତ ଚିନ୍ତାରେ ତାକୁ ଆଉ ଗ୍ରସ୍ତ ହୋଇ ରହିବାକୁ ପଡ଼ିବ ନାହିଁ । ତା’ପରେ ପୃଥିବୀର ଅନ୍ୟ କୌଣସି ଦେଶରେ ଜନଗଣକୁ ନେଇ ଯେଉଁ ଉଦ୍ୟମ ହୋଇନାହିଁ, ଭାରତବର୍ଷ ହୁଏତ ସେହି ଉଦ୍ୟମଟିକୁ ବି ଆରମ୍ଭ କରିବ । ଦେଶର ଧନସମ୍ପତ୍ତିକୁ ଅତିରିକ୍ତ କରି ବଢ଼ାଇବା, ବ୍ୟବସାୟ ନାଆଁରେ ଅନ୍ୟ ଦେଶରେ ବଜାର ସୃଷ୍ଟି କରିବା, ନ୍ୟସ୍ତସ୍ଵାର୍ଥର ତରାଜୁ ନେଇ ସଂସାର ନ୍ୟାୟର ଦରବାରକୁ ବିପର୍ଯ୍ୟସ୍ତ କରାଇବା,—ଏସବୁ ଯେ ଜାତିକୁ ବଡ଼ ପରିବାର ବା ଆପେ ବଡ଼ ହେବାର ବାଟ ନୁହେଁ, ଭାରତର ଯୁବକ ହୁଏତ ଜଗତକୁ ଏହି ବାଟ ଦେଖାଇବ । କିନ୍ତୁ ପ୍ରଥମେ ତାକୁ କ୍ଷୁଧା ଓ ରୋଗର ମୂଳଦୁଃଖକୁ ଜୟ କରିବାକୁ ହେବ, ତାକୁ ଆଗ ମଣିଷ ପରି ବାସ କରିବାକୁ ହେବ । ଅନ୍ୟ କୌଣସି ବଡ଼ ଜାତିର କରୁଣାପରବଶ ଦାନ ଦ୍ଵାରା ନୁହେଁ, ଆପଣା ମାଟିରେ ଫଳ, ଫଳାଇ, ଆପଣା ଦିନର ମୁହୂର୍ତ୍ତଗୁଡ଼ିକୁ ନାନା କର୍ମକୁଶଳତାର ସୁସ୍ଥ ଉପାୟ ଦ୍ଵାରା ଫଳପ୍ରସୂ, କରାଇ ତାକୁ ଜଗତ ଓ ଜୀବନର ପ୍ରଥମ ସୋପାନରେ ପ୍ରତିଷ୍ଠିତ ହେବାକୁ ପଡ଼ିବ । ଅନ୍ୟାନ୍ୟ ଯେ କୌଣସି ସୋପାନରେ ଆପଣାର ଗୌରବ ଦେଖାଇବାକୁ ହେଲେ ଆଗ ଏହି ପ୍ରଥମ ସୋପାନଟିକୁ ଅତିକ୍ରମ କରିବାକୁ ହେବ ।

 

୮ । ୪ । ୫୧

 

ବଞ୍ଚିବାର ଦୁର୍ବଳ ମୁହୂର୍ତ୍ତରେ ଆପଣାରେ ଦୁର୍ବଳତା ଓ ଆପଣା ପଥର ଅନ୍ଧାରଗୁଡ଼ାକ ଏତେ ବଡ଼ ଓ ପ୍ରବଳ ହୋଇ ଦେଖାଯାଏ ଯେ ସେତେବେଳେ ସଂସାରର ସ୍ଵାଭାବିକ ରୀତି ସମ୍ବନ୍ଧରେ ମଣିଷର ଯାବତୀୟ ଜ୍ଞାନ ସତେଅବା ଏକାବେଳେକେ ପଙ୍ଗୁ ହୋଇଯାଏ । ମନେହୁଏ, ସଂସାରରେ ମୁଇଁ ହେଉଚି ସବୁଠାରୁ ବଡ଼ ପାପୀ, ବଡ଼ ଦୋଷୀ ଓ ବଡ଼ ହତଭାଗ୍ୟ । ବୋଧହୁଏ ଦୁଃଖ ଓ ଦୁର୍ବଳତା ନଥିଲେ ସଂସାରରେ ଆଉ କୌଣସି ଦୁଃଖ ଓ ଦୁର୍ବଳତା ହିଁ ନଥାନ୍ତା । ମନେହୁଏ, ସଂସାରରେ ଆଉ ସଭିଙ୍କ ଜୀବନ ଯେପରି ଅତି ସୁରୁଖୁରୁରେ ଓ ବିନା ଦ୍ଵନ୍ଦରେ ଚାଲିଯାଉଚି । ଗୋଟାଏ ପ୍ରକାର ଆତ୍ମପୀଡ଼ନତତ୍ପର ଦ୍ୱେଷଭାବ ବି ସକଳ ମନକୁ ଅଧିକାର କରିନିଏ, ମନ ସକଳ ପ୍ରକାର ପ୍ରସନ୍ନତା ହରାଇ ବସେ ।

 

ଉପରକୁ ଯିଏ ଯେପରି ଦିଶୁଥାଉ ପଛକେ, ମଣିଷମାତ୍ରକେ ସବୁରି ଭିତରେ ଏହି ବଞ୍ଚିବାର ଧନ୍ଦା ଲାଗିରହିଚି । ଜୀବନର ନାନା ଢିପଢ଼ାଲୁ ଓ ଅଡ଼ୁଆ ଆବର୍ଜନାକୁ ସଜାଡ଼ୁ ସଜାଡ଼ୁ ସବୁରି ମୁହୂର୍ତ୍ତ ବେଳେବେଳେ ବେଶ୍ ଉତ୍ତପ୍ତ ହୋଇ ଉଠୁଚି, ଏହି ସଂସାରରେ ସମସ୍ତେ ବାଟ ଚାଲୁଚନ୍ତି । କ୍ଷଣକର ଅନ୍ୟମନସ୍କତାରେ ଆମ ପ୍ରତ୍ୟେକଙ୍କ ଆଗରେ ଆପଣାର ମୋହଗୁଡ଼ାକ ପର୍ବତ ପ୍ରମାଣ ଠିଆହୋଇ ଆଗକୁ ବାଟକଢ଼ାଇ ଦେଉନାହଁ । ସବୁରି ଜୀବନର ଅନ୍ତରପଟ ଉପରେ ନିତି ନାନା ସମସ୍ୟାର ଗାରକଟା ଚାଲିଚି । ହୁଏତ ସମସ୍ତେ ଅତି ଅଜାଣତରେ ଏକାଠି ମିଳି ଏହି ଜୀବନ ବିଶ୍ୱର ସର୍ବସାଧାରଣ ସମସ୍ୟାମାନ ସମାଧାନ କରିବାରେ ଲାଗିପଡ଼ିଚନ୍ତି । ସମସ୍ତଙ୍କର ବ୍ୟକ୍ତିଗତ ଜୀବନର ସଂଘର୍ଷ ସପ୍ତନ୍ତତା ସମାଧାନର ବାଟ ଖୋଜି ଜଗତର ପଥକୁ ଅଧିକ ସୁଗମ ଓ ଅଧିକ ସମତଳ କରି ଚାଲିଚି ।

 

ନୀତି, ସମାଜନୀତି, ରାଜନୀତି ତଥା ଆମ ବ୍ୟକ୍ତିଗତ ଜୀବନ କ୍ଷେତ୍ରରେ ଏହି ବାଟୋଇର ଜୀବନ ଦର୍ଶନ ବୋଧହୁଏ ସବୁଠାରୁ ବଳିଷ୍ଠ ଦର୍ଶନ । କେତେ କିଏ ଝୁଣ୍ଟୁଚି, କେତେ କିଏ ଝୁରୁଚି, କେତେ କିଏ ଖଣ୍ଡିଆ ହେଉଚି; ତଥାପି ଆଗମୁହାଁ ହୋଇ ସମଗ୍ରତଃ ବିଶ୍ଵବାଟୋଇର ବାଟଚଲା ଅବିରତ ଭାବରେ ଚାଲିଚି,—ଏତିକି ଭାବିନେଇ ପାରିଲେ ମନଭିତରେ କେତେ ବଳ ଆସେ, ଯାବତୀୟ ଦୁଃଖ ଓ ବିଫଳତାର ମୁହୂର୍ତ୍ତଗୁଡ଼ିକରେ ଆପଣାର ହୃଦୟଟି ବିଶ୍ଵହୃଦୟ ସହିତ କେଡ଼େ ଘନିଷ୍ଟ ଭାବରେ ବାନ୍ଧି ହୋଇଯାଏ ! ଗୁରୁଦେବଙ୍କର ସେଇ ଗୀତପଦକ,—‘ଆମାର ଏଇ ପଥଚଲାତେଇ ଆନନ୍ଦ !’

 

୯ । ୪ । ୫୧

 

ମୋ’ ଦେଶରେ ତେଣେ ଅନାହାରରେ ମଣିଷ ମରୁଚି ଏବଂ ତାହାକୁ ପଣ୍ୟ କରି ବିଦେଶରେ କୂଟନୀତିର ଚମତ୍କାର ପ୍ରହସନ ଚାଲିଚି । ଭାରତର ଧର୍ମ, ଭାରତର ସଂସ୍କୃତି, ଏସବୁକୁ ଅନ୍ତତଃ କେତେବର୍ଷ ଲାଗି ପଛକୁରଖି ଭାରତର ମଣିଷ ଯଦି ପ୍ରଥମେ ଆପଣା ପରିଶ୍ରମରେ ଆପଣାର ଭରଣପୋଷଣ କରି ଶିଖନ୍ତା । ଅଠରବର୍ଷ ବୟସ ସମୟରେ ମୋ’ଦେଶର ପିଲା ଆପଣା ଦେଶର ଏହି ଅତ୍ୟାବଶ୍ୟକତାଟି ବିଷୟରେ କୌଣସି ପ୍ରକାରେ ସଚେତ ହେବା ପୂର୍ବରୁ ଆଗ ଫ୍ରାନ୍‌ସ ବା ଜର୍ମାନୀ ଦେଶର Trade unionismର ଇତିହାସ ପଢ଼େ । ତା’ର ସବୁ ଯୁକ୍ତି, ସବୁ ମନୋବିଚାର ଓ ଚିନ୍ତାଧାରାରେ କେବଳ ବିଦେଶୀ ଉତ୍ତୋଜନାର ଉଡ଼ା ସ୍ଵପ୍ନଗୁଡ଼ାକ ପ୍ରଚ୍ଛନ୍ନ ହୋଇ ରହିଥାଏ, ଭାରତବର୍ଷରେ ରୁଷିଆ ବା ଆମେରିକାକୁ ନେଇ ସ୍ଥାନାପନ୍ନ କରି ଥୋଇବାର କଳ୍ପନାରେ ସେ ସାରା ଯୌବନ ଆକାରଣ ଉତ୍ତପ୍ତ ହୋଇ ରହେ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା’ର ମନ କ୍ରମେ ଶୀତଳ ହୋଇଯାଏ । ରୁଷିଆ ବା ଆମେରିକାକୁ ଭାରତରେ ଆଣି ଥୋଇବା ବା ସମ୍ଭବ ହୁଏନାହିଁ, ଅଧିକନ୍ତୁ ଆପଣା ଦେଶରେ କିଛି ସୁନ୍ଦରକରି ଫଳାଇବାକୁ ମଧ୍ୟ ତା’ର ଆଉ କୌଣସି ସ୍ପୃହା ନଥାଏ । ବଡ଼ ହୋଇ ସେ ଖବରକାଗଜରେ ବିଦେଶରେ ବା ‘ସଫଳତାର ଆବଦ୍ଧ ଜଳାଶୟ’ (Lake Success)ରେ ଆପଣା ଦେଶର ଅପମାନ ଶୁଣେ ଆପଣାକୁ ଓ ଆପଣାର ନେତାକୁ ଘୃଣା କରିବାକୁ ଆରମ୍ଭ କରି ସେ ପରିତୃପ୍ତି ପାଇବାକୁ ଚେଷ୍ଟା କରେ ଓ ଅତି ନିଷ୍କ୍ରିୟ ଭାବରେ ଶେଷରେ ମରେ ।

 

ଆଜି ଅତି ଉତ୍ତେଜିତ ଭାବରେ ମୁଁ ଭଗବାନଙ୍କୁ ଡାକିବାକୁ ବି ଯେପରି ବଡ଼ ଅସ୍ଥିର ହୋଇ ଉଠୁଚି । ସେ ମୋତେ ବୟସ ଦିଅନ୍ତୁ, ବଞ୍ଚାଇ ରଖନ୍ତୁ । ଆପଣା ପଥରେ ବାରବାର ଭୁଲ୍‍ କରି; ତଥାପି ଜୀବନର ଦୀର୍ଘ ପଥରେ ମୋର ଆପଣା ଦେଶ ଲାଗି ସାଧ୍ୟମତ କିଛି କରିପାରିବା ଭଳି ଦୀର୍ଘ ଜୀବନ, ବଞ୍ଚିବାର ଆଶୀର୍ବାଦ ମୁଁ ଯେପରି ତାଙ୍କରିଠାରୁ ଲାଭ କରେ ।

 

୧୦ । ୪ । ୫୧

 

ଗତ ଶତାବ୍ଦୀର ଇଉରୋପକୁ ଆପଣାର ଶକ୍ତିଶାଳୀ ବିଚାର ଓ ଜୀବନାଦର୍ଶ ଦ୍ଵାରା ପ୍ରଭାବିତ କରିଥିବା କେତେକ ଶିକ୍ଷାବିତ୍‌ଙ୍କର ଗ୍ରନ୍ଥସବୁ ପଢ଼ି ମୋର ମନ ପୁଣି ସରସ କୈଶୋର୍ଯ୍ୟର ସରଳ ଉତ୍ସାହ ଓ ଏହି ସମାଜକୁ ସୁନ୍ଦର କରି ଗଢ଼ିବାରେ ମୁଁ ମଧ୍ୟ ସହଯୋଗ କରିପାରିବି ବୋଲି ଭାରି ସାହସ ହେଉଚି । chronological ସମସ୍ତ ବୟସକୁ ଅତିକ୍ରମ କରି ମୋର ମନ ହୃଦୟ ଯେପରି ଗୋଟିଏ ପନ୍ଦର ବର୍ଷ ବୟସର କିଶୋର ହୋଇ ପୁଣି ଜନ୍ମଲାଭ କରୁଚି । ସେହି ଅନୁପ୍ରାଣିତ ବୟସର ସବୁ କଥା ମୋର ଦୃଷ୍ଟି ପଥରେ ପୁଣି ସଜୀବ ଓ ସଚଳ ହୋଇଉଠୁଚି । ସେହି ବୟସର କିଶୋର ଦେବତା ହୃଦୟର ସିଂହାସନକୁ ପୁଣି ଫେରି ଆସୁଚି । ମାସବରଷର ପାଞ୍ଜିରେ ମୁଁ ଯେତେ ବୁଢ଼ା ହୁଏ ପଛକେ, ମୋର ଜୀବନଦୃଷ୍ଟି ଏହିପରି ଏକ କିଶୋର ନୂତନ ମନରେ ନିତ୍ୟଉଜ୍ଜୀବିତ ହୋଇ ରହିଥାଉ, ଆପଣା ଅନ୍ତରର ସାହସୀ ସୈନିକ ଠିକ୍ ଏହିପରି ଭାବରେ ଆପଣାର ଉଦ୍ଦିଷ୍ଟ କ୍ଷେତ୍ରଟିକୁ ଭଲପାଇ ଶିଖୁ ।

 

ଗତ ଦଶବର୍ଷ ଭିତରେ ମୁଁ ଅନେକ ଜାଣିଚି, ଦଶଟା ଭିନ୍ନରଙ୍ଗୀ ରାସ୍ତାଦେଇ ଦଶଥର ସେଇ ଗୋଟାଏ ସତ୍ୟର ସମ୍ମୁଖୀନ ହୋଇଚି । ତଥାପି କେବଳ ବୁଦ୍ଧିର ଅତିରିକ୍ତ ଉତ୍ତାପରେ ଆପଣାର ସ୍ଵାଭାବିକ ପଥଟିରୁ ବଣା ହୋଇ ଯାଇଥିବା ମନ ପୁଣି ଏକାଦଶ ପଥଟିର ଅନୁସନ୍ଧାନରେ ମାତିଯାଇଚି, ବହି ପଢ଼ିବାର ପୁଣି ଛଳନା କରି ଆପଣାର କ୍ଷେତ୍ରକୁ ଫାଙ୍କି ଦେଇଚି-। ତେଣୁ ଏତେ ପଢ଼ି ଓ ଏତେ ଜାଣି ସୁଦ୍ଧା ଖାଲି ଗୋଟାଏ ପ୍ରକାର ନିଷ୍କ୍ରିୟ ଅବସାଦ ହିଁ ମୋର ସାର ହୋଇଚି, କେବଳ ଆପଣାଗଢ଼ା ନାନା ସଂଶୟ ଓ ଆପଣାର diffidenceରୁ ଉଦ୍‌ଭାବିତ ହୋଇଥିବା କୁଟିଳ ଯୁକ୍ତି ବ୍ୟତୀତ ମୁଁ ଯେପରି ଆଉ କିଛି ହେଲେ ପାଇଁ ନାହିଁ । କିନ୍ତୁ ଆଜି ସେଇଥିପାଇଁ ଭାରି ଭଲ ଲାଗୁଚି । ଜୀବନ ସମ୍ବନ୍ଧରେ ଯାବତୀୟ ପ୍ରକାରେ catechism ଗଢ଼ିବାର କପଟ ଚାତୁରୀକୁ ବୁଝି ମୁଁ ପୁଣି ପଛକୁ ଡେଇଁପାରୁଚି ବୋଲି ଆଜି ଭାରି ଭଲ ଲାଗୁଚି । ମୋର ନୟନପଥ ପୁଣି ନିର୍ମଳ ହେଉ, ମୋ’ ଜୀବନର ସଂବ୍ୟାପ୍ତ କ୍ଷେତ୍ରଟି ମୋର ସବୁ ନୀତି ଓ ପଦ୍ଧତିକୁ ପୁଣି ଅନୁକୂଳ ଓ ସଚଳ କରି ତିଆରି କରିନେଉ । Amen !

 

୧୧ । ୪ । ୫୧

 

ବିଶ୍ଵବିଧାତାର ମହିମା ଉପରେ ବିଶ୍ଵାସ ରଖିପାରିଲେ ଓ ତାହାରି କଲ୍ୟାଣ କାର୍ଯ୍ୟରେ ଆପଣାକୁ ଯେ କୌଣସି ଗୋଟିଏ କ୍ଷେତ୍ରରେ ନିୟୋଜିତ କରିପାରିଲେ ପ୍ରତିଦିନର ଏହି ଲାଭକ୍ଷତି, ଆୟ ଓ ଅପଚୟ ନେଇ ଆଉ ଭାବିବାକୁ ପଡ଼ିବ ନାହିଁ । ସଂସାରର ବୃହତ୍ତର systemଟି ଭିତରେ ଲାଭକ୍ଷତିର କୌଣସି ହିସାବ ରହେନାହିଁ । କେତେ କେତେ କ୍ଷତି ଓ ଅପଚୟ ସତ୍ତ୍ୱେ ପୁରୁଣା ଦିନଟି ସବୁଦିନ ସକାଳେ ପୁଣି ନୂଆହୋଇ ଫେରି ଆସେ । ପ୍ରତିଦିନ ସକାଳେ ପୂର୍ଣ୍ଣାବୟବ ଜୀବନ ପୁଣି ତା’ର ନୂତନ ଯାଏ ଆରମ୍ଭ କରିଦିଏ । ମୋର ଯାହା ଯାଉଚି, ଯାହା ମୁଁ ହରାଇ ପକାଉଚି ବୋଲି ଭାବିଭାବି ପାଇବାର କେତେକେତେ ମୁହୂର୍ତ୍ତକୁ ନୀତି ନିଃସାର କରି ପକାଉଚି, ସେ କଣ ପ୍ରକୃତରେ କେବଳ କ୍ଷତିର ଖାତାରେ ହିଁ ଚଢ଼ିବା ଯୋଗ୍ୟ ? ନା—କାରଣ ତାହା ହୋଇଥିଲେ, ମୋର ଶୂନ୍ୟ ଆଶ୍ରୟଗୁଡ଼ିକ ବାରବାର ନୂତନ ଜୀବନ ରସରେ ପୂର୍ଣ୍ଣ ନହେଉଥିଲେ ମୁଁ ହୁଏତ କୋଉଦିନୁ ମରି ସାରନ୍ତିଣି । ମୋର ଆଲୋକ ଓ ମୋର ଆଶା କୋଉଦିନୁ ନିଭି ସାରନ୍ତାଣି । ପୂର୍ଣ୍ଣମନର ନିଷ୍ଠା ନେଇ ମୁଁ ଯେତେବେଳେ ସ୍ଵପ୍ନ ଦେଖୁଚି । ବିରାଟ ବିଶ୍ଵର କର୍ମ ଓ ମଙ୍ଗଳଭୂମି ଉପରେ ମୁଁ ଯେତେବେଳେ ଆପଣାର ନାନା କାର୍ଯ୍ୟକଳାପର କଳ୍ପନା କରୁଚି, ସେତେବେଳେ ହଠାତ୍ ଯେପରି କେଉଁ ସମ୍ପନ୍ନ ବନ୍ଧୁର ଶ୍ରଦ୍ଧାରେ ମୋର ଅନ୍ତର ସକଳ ଧନରେ ପୂର୍ଣ୍ଣହୋଇ ଉଠୁଚି; —ଅତୀତର କ୍ଷତି, ଅତୀତର ଭୁଲ୍‍ ଓ ଭୁଲ୍‍ଜନିତ ସବୁ ଅବସାଦ କୁଆଡ଼େ ପାସୋରି ଯାଉଚି । ତା’ ସଂସାରରେ ଏହାହିଁ ହେଉଚି ଜୀବନ ବଞ୍ଚିବାର ନିୟମ । ଯିଏ ଯେତିକି ବେଶି ନିଷ୍ଠାରେ ତା’ର କର୍ମଭୂମିରେ ଅବତରି ପାରିବ, ସିଏ ସେତିକି ପୂର୍ଣ୍ଣ ହୋଇ ପାରିବ ।

 

୧୨ । ୪ । ୫୧

 

ମୁଁ ଯାହା ଭାବିଚି, ତାହା କରି ନାହିଁ । ମୋର ଭାବନା ଓ କଳ୍ପନାଗୁଡ଼ାକୁ ମୋତେ ଅନେକ ସମୟରେ sentimental କରି ପକାଇଚି । ସେଥିଲାଗି ଏତେ ଜାଣିବାରେ ଓ ଏତେ ନିକୁଟି କରି ସତ୍ୟର ବୋଧ୍ୟ ବସ୍ତୁକୁ ବୁଝିବାରେ ମୁଁ ଖୁବ୍ ବେଶି ଲାଭବାନ୍ ହୋଇପାରିନାହିଁ । ପରିପୂର୍ଣ୍ଣ ଜୀବନ ବଞ୍ଚି, ସଂସାରରେ ଆପଣାର ପୂର୍ଣ୍ଣ ଦାୟିତ୍ଵ ଗ୍ରହଣ କରି ତଥାପି ଅତି ମୁକ୍ତ ଓ ଭାରହୀନ ଭାବରେ ପ୍ରସନ୍ନ ଜୀବନ ଯାପନ କରିବାକୁ ହେଲେ ମନର ତିନୋଟି ପାଖ,—Emotion, Will ଓ Intelligenceକୁ ଏକାବେଳେକେ କାମରେ ଲଗାଇବାକୁ ହେବ । ମନର ଏହି ତିନୋଟିଯାକ ପାଖକୁ ତନ୍ନ ତନ୍ନ କରି ବୁଝିବି ବୋଲି ମୁଁ ସେ ସବୁକୁ ପରସ୍ପରଠାରୁ ବିଚ୍ଛିନ୍ନ କରି ବୁଝିବାର ଫାନ୍ଦରେ ପଡ଼ିଗଲି । ହୁଏତ ସେଇଥିଲାଗି ମନଟାକୁ ପୁଣି ପକ୍ଵ କୈଶୋର୍ଯ୍ୟର ସରସତା ଓ ସମ୍ପୂର୍ଣ୍ଣତା ଦେଇ ଜୀବନ ଆରମ୍ଭ କଲାବେଳକୁ ଆପଣାର ଭିତରଟା ଆଜି ଭାରି ଖାଲି ଖାଲି ଲାଗୁଚି । ମାତ୍ର କ’ଣ ହୋଇଥାନ୍ତା କିନ୍ତୁ ହୋଇପାରିଲା ନାହିଁ, ସେହି ବିଷୟରେ ଅନୁଶୋଚନା କରି ମୁଁ ପୁଣିଥରେ ଫାନ୍ଦ ଭିତରେ ପଡ଼ିବ ନାହିଁ । ବେଳସୁଁ ଆପଣା ପଥର କାମ୍ୟ, ଅକାମ୍ୟ, ଶ୍ରେୟ ଓ ଅଶ୍ରେୟ ସମ୍ବନ୍ଧରେ ଯେ ମୁଁ ସଚେତ ହୋଇ ପାରିଚି, ଏହାହିଁ ବଡ଼ ଭାଗ୍ୟର କଥା । ଏଥିଲାଗି ଆଜି ପ୍ରଥମେ ଜୀବନ ଦେବତା ପାଖରେ ନତ ହୋଇ କୃତଜ୍ଞତା ଜଣାଇବାକୁ ପଡ଼ିବ । ଭୁଲ୍‍କୁ ମୋର ଡର ନାହିଁ । କାରଣ ମୋର ସହସ୍ର ଭୁଲ୍‍ ଓ ଧୂଳିରେ ଲୁଣ୍ଠିତ ହୋଇ ପଡ଼ି ରହିବାର ସମସ୍ତ ଧୃଷ୍ଟତା ସତ୍ତ୍ୱେ ମୋର ଲକ୍ଷ୍ୟପଥ ଯେ ଉପରକୁ ପଡ଼ିଚି, ମଣିଷ ଜନ୍ମ ପାଇବାର ଉଦ୍ଦେଶ୍ୟଟି ଯେ ମୋ’ଜୀବନର ମଧ୍ୟଦେଇ ବି କିଞ୍ଚିତ୍ ପରିମାଣରେ ପୂର୍ଣ୍ଣ ହେବ, ଏହି ବିଶ୍ଵାସ ହିଁ ମୋତେ ପୁଣ୍ୟମୟ ଓ ପୂର୍ଣ୍ଣମନ କରି ରଖିବ । ହୁଏତ କେତେ ଦୁର୍ବଳ ମୁହୂର୍ତ୍ତର ସ୍ମୃତିଗୁଡ଼ାକ ମତେ ପଛରୁ ଟାଣି ଧରି ରଖିବାକୁ ଚାହିଁବ, କିନ୍ତୁ ପଛର ସନ୍ତାପ ଭିତରେ ଜଡ଼ିତ ହୋଇ ପଡ଼ି ରହିବାର ଆଳସ୍ୟକୁ ବାରବାର ଏଡ଼ି ମୁଁ ତଥାପି ଆଗକୁ ଯିବି, ମୋର ଆପଣା ଜୀବନର ଦେବପଥରେ ମୁଁ ପୂର୍ଣ୍ଣ ହୋଇ ବଞ୍ଚିବାର ପ୍ରୟାସ କରୁଥିବି ।

 

୧୩ । ୪ । ୫୧

 

ରାଜନୀତି, ସମାଜନୀତି, ଯୁଦ୍ଧ ଓ ବିଗ୍ରହର ମଧ୍ୟ ଦେଇ କେବଳ ବିଶ୍ଵବିଧାତାର ଉଦ୍ଦେଶ୍ୟ ହିଁ ପୂର୍ଣ୍ଣ ହୋଇ ଚାଲିଚି,—କେବଳ କବିତାରେ କିମ୍ବା କଥାରେ ଏତିକି କହିଦେଇ ଚୁପ୍ ହୋଇ ବସିଗଲେ ଅନ୍ତତଃ ଆମର ଏହି ପୃଥିବୀରେ ବିଧାତାର ଉଦ୍ଦେଶ୍ୟଟିର ପୂରଣ ହେବା କଦାପି ସମ୍ଭବ ହେବ ନାହିଁ । ଭଗବାନ ତାଙ୍କର ଧର୍ମାନ୍ତର୍ଗତ ସବୁ ମଣିଷଙ୍କର ସବୁ ପାପ ଏବଂ ଦୋଷକୁ ସମ୍ଭାଳି ନେବେ, ତେଣୁ ତାଙ୍କରି ଧର୍ମର ବାହ୍ୟ ନିୟମଗୁଡ଼ାକୁ ମାନୁଥିବା ପର୍ଯ୍ୟନ୍ତ ମଣିଷର ଆଉ କିଛି ଚିନ୍ତା କରିବାର ନାହିଁ, ଏହିପରି ଭାବରେ ଆପଣାକୁ ଏକ chosen people ବୋଲି ଧରି ନେଇ ଗୋଟାଏ ଗୋଟାଏ ଜାତି ବା ସଭ୍ୟତା ଶେଷରେ ବଡ଼ ଜୀବନହୀନ ଓ ମ୍ରିୟମାଣ ହୋଇପଡ଼ିଚି । ଭକ୍ତି ବା ଆତ୍ମସମର୍ପଣରେ ମଧ୍ୟ ପ୍ରକାର ଭେଦ ରହିଚି । ଗୋଟାଏ ପ୍ରକାରର complacent ଭକ୍ତି ରହିଚି, ଯାହା ବି ସାତଦିନରେ ଦିନେମାତ୍ର ଭଗବାନଙ୍କୁ ଡାକି ବା ତାଙ୍କରି ଉଦ୍ଦେଶ୍ୟରେ କେତୋଟି ପର୍ବପର୍ବାଣି ପାଳି ବିଲକୁଲ ନିଶ୍ଚିନ୍ତ ହୋଇଯାଏ, ଆପଣାର ସକଳ ଦାୟିତ୍ଵକୁ ତାହା ଅଦୃଶ୍ୟ ଭଗବାନଙ୍କ ହାତରେ ହିଁ ଲଦି ଦିଏ । ଏହାକୁ ଏକ ପ୍ରକାର ମୋହରୂପେ ବିଚାର କରାଯାଇପାରେ । ଦ୍ଵିତୀୟ ପ୍ରକାରର ଭକ୍ତି ମଧ୍ୟ ଆପଣାର ସମସ୍ତ ଇଚ୍ଛା ଅନିଚ୍ଛା ଓ ପ୍ରବୃତ୍ତି ନିବୃତ୍ତିକୁ ଭଗବାନଙ୍କ ଉପରେ ନେଇ ଲଦି ଦିଏ । ଆପଣାର ସକଳ ବିଚ୍ଛିନ୍ନ ଗର୍ବକୁ ଜୀବନ ବିଧାତାର ହାତରେ ସମର୍ପଣ କରି ଦେଇ ସେ ସବୁଠାରୁ ଅଧିକ ଗର୍ବ ଅନୁଭବ କରେ । କିନ୍ତୁ ଏହି ସମର୍ପଣ ତା’ପାଖକୁ ଏକ ଶକ୍ତିଶାଳୀ mandate ବା mission ହିସାବରେ ପୁଣି ଲେଉଟି ଆସେ । ସେ ଯାହାର ଆଶୟକୁ ମହଦାଶୟ ରୂପେ ଗ୍ରହଣ କରେ, ତାହାରି ମହତ୍ତ୍ଵର mandateକୁ ସିଏ ଆପଣା ଜୀବନରେ ବରଣ କରିନିଏ । ସେଥିଲାଗି ସେ ମୂଳତଃ ଆପଣାର ଜୀବନଟିକୁ ହିଁ ବଞ୍ଚେ । ତାହାରି ଉତ୍ସାହ ତାକୁ ଶତଗୁଣ ତତ୍ପର କରି ରଖେ, ତାହାରି ଆହ୍ଵାନରେ ସେ ଆବଶ୍ୟକ ପଡ଼ିଲେ ସୈନିକ ହୋଇ ବାହାରି ସାରା ସମାଜର ବିରୁଦ୍ଧରେ ହୁଏତ ଏକା ଠିଆ ହୁଏ, ହୁଏତ ପ୍ରାଣ ବି ବଳି ଦିଏ । ଇତିହାସ କହିବ, କେଉଁ ପ୍ରକାରର ଭକ୍ତିଟି ଯୁଗେ ଯୁଗେ ଧର୍ମରାଜ୍ୟର ପ୍ରତିଷ୍ଠାରେ ଅନୁକୂଳ ବା ପ୍ରତିକୂଳ ହୋଇ ଠିଆହୋଇଚି ।

 

୧୪ । ୪ । ୫୧

 

ମୁଁ ଠିକ୍ ଏହିପରି ଜୀବନ ଚାହେଁ । ଦୁଃଖ ଆସୁ, କଷ୍ଟ ଆସୁ, ଅହରହ ଅନ୍ତର ଦହନ ଆସୁ, କିନ୍ତୁ ଏସବୁକୁ ମୁଁ ଯେପରି ଜଣେ ସୁସ୍ଥ ଓ ସବଳ ମଣିଷ ହିସାବରେ ଗ୍ରହଣ କରିପାରେ ! ଆପଣାର ଅପୂର୍ଣ୍ଣତାଗୁଡ଼ାକୁ ଘୃଣା କରି ମୁଁ ଯେପରି ଆପଣାର ଜୀବନକୁ ମଧ୍ୟ ଘୃଣା ନକରେ, ଆପଣାକୁ ଅଭିଶାପ ଦେବାର ଉତ୍ତାପରେ ପଡ଼ି ମୁଁ ଯେପରି ଜୀବନର ସ୍ଵାଭାବିକ ପ୍ରଚେଷ୍ଟାଟିକୁ ପାସୋରି ନପକାଏ ! ମୁଁ ଯେତିକି ବଢ଼ୁଚି ଯେତିକି ଜାଣୁଚି, ମୋ’ଆଖିରେ ବାରବାର ଲୁହ ଭରାଇ ଜୀବନ ମୋତେ ଏହି ବଡ଼ ଶିକ୍ଷାଟି ଦେଇଯାଉଚି ।

 

ବିଗତ ଅତୀତକୁ ଭାବି ଭାବି ଆପଣାକୁ ପ୍ରାୟ ପଙ୍ଗୁ ପରି କରି ରଖିବାରେ ମୋତେ କେତେ ସମୟ ବହିଯାଉଛି, ସବୁ ହରାଇ ବସିବାର ଏକ ପ୍ରକାର Disillusionmentରେ ବେଳେ ବେଳେ ଭିତରଟା ଖାଲି ଶୂନ୍ୟ ହୋଇଗଲା ପରି ଲାଗୁଚି; ପୁଣି ବେଳେବେଳେ ସତେ ଅବା କାହାର କୁହୁକ କାଠିର ସ୍ପର୍ଶ ଲାଗି ମୋର ସମସ୍ତ ଅନ୍ତର ଖୋଲି ଯାଉଛି । ପଥହରା Prodigal ପୁଅ ପରି ନାନା ପଥ ବୁଲି ମୁଁ ବାରବାର ସେହି ପିତୃତ୍ଵର ଅଜସ୍ର କ୍ଷମାର ଆଶ୍ରୟ ଭିତରକୁ ପୁଣି ବାହୁଡ଼ି ଆସୁଚି । ମୋର କୌଣସିଥିକୁ ଭୟ ନାହିଁ, ମୁଁ ସବୁ ସହିବାକୁ ଓ ସବୁ ବରିନେବାକୁ ପ୍ରସ୍ତୁତ ଅଛି । କେବଳ ମୋ’ ଅନ୍ତରର ଗ୍ରହଣାପତ୍ରଟି ସବୁବେଳେ ସତେଜ ଓ ପ୍ରସ୍ତୁତ ରହିଥିଲେ ହେଲା ! ଏହାହିଁ ତ ଜୀବନ,-ମୁଁ ଆପଣାକୁ ଘଷିମାଜି ଉଜ୍ଜ୍ଵଳ କରି ରଖିବି, ନାନା ସୁସ୍ଥ ସ୍ରୋତରେ ବହି ଓ ବ୍ୟାପି ମୁଁ ଆପଣାକୁ ନିର୍ମଳ ଜଳପରି ବହମାନ କରି ରଖିବି । ଏତିକି ସ୍ଵାଧୀନତା ପ୍ରତ୍ୟେକ ମଣିଷର ଅବଶ୍ୟ ରହିଚି । ସେହି ସ୍ଵାଧୀନତାହିଁ ବିଶ୍ଵବିଧାତାର ଚରଣତଳେ ମୋରି ମୁଣ୍ଡକୁ ବାରବାର ନୁଆଁଇ ରଖିଥାଉ । ମୁଁ ଜୀବନର ସକଳ ଦାନକୁ ତାହାରି ପ୍ରସାଦ ଭାବରେ ଆପଣାର ଉଜ୍ଜ୍ଵଳ ପାତ୍ରରେ ଗ୍ରହଣ କରିନିଏ ।

 

ଏ ଦେଶର ନୂଆ ଆକାଶ, ନୂଆ ମାଟି ଓ ନୂଆ ପବନକୁ ମୁଁ କ୍ରମେ ଚିହ୍ନିବାକୁ ଆରମ୍ଭ କଲିଣି, ମୋର ମନ ଏଠି କ୍ରମେ ଆପାଣାଲାଗି ଘର ତିଆରି କରିନେବାକୁ ଆରମ୍ଭ କଲାଣି । ଏଥର ଆଉ ଭୟ ନାହିଁ । ଏଥର ବୋଧହୁଏ ହଠାତ୍ କେଉଁ ଅପରିଚିତ ପ୍ରାନ୍ତରରେ ଆସି ପଡ଼ିଗଲି ବୋଲି ଆଉ ମୋତେ କାନ୍ଦିବାକୁ ପଡ଼ିବ ନାହିଁ ।

 

୧୫ । ୪ । ୫୧

 

ଶାନ୍ତିନିକେତନ ଆଜି ନବବର୍ଷର ଉତ୍ସବ–ସମାରୋହରେ ମାତିଥିବ । ଏହିପରି ଗୋଟିଏ ଗୋଟିଏ ପ୍ରତୀକ-ଦିନର ଅବତାରଣା କରି ଭାରତବର୍ଷର ମହାତ୍ମାମାନେ ଏଦେଶର ମଣିଷକୁ ସାମାଜିକ ଶ୍ରଦ୍ଧା ଓ ଭାତୃଭାବ ଭିତରେ ବାନ୍ଧି ରଖିବାକୁ ଯେଉଁ ଉଦ୍ୟମ କରିଥିଲେ, ତାହା ଭାବିଲେ ଭାରି ଆଶ୍ଚର୍ଯ୍ୟ ହେବାକୁ ହୁଏ । ଆମ ଏଯୁଗରେ ମଧ୍ୟ ପ୍ରତୀକର ସୀମା ନାହିଁ । ଆମ ରାଜନୀତି, ସମାଜନୀତି ଓ ଆନୁଷ୍ଠାନିକ ଧର୍ମ ଭିତରେ ହଜାର ହାଜାର ପ୍ରତୀକ ରହିଚି । କିନ୍ତୁ ମଣିଷକୁ ପ୍ରସାରିତ କରିବା ପରିବର୍ତ୍ତେ ମାନସିକ ଓ ଦୈନନ୍ଦିନ ଜୀବନରେ ସମସ୍ତ ବିଶ୍ଵସଂସାର ସହିତ ମିଳିତ ହେବା ପରିବର୍ତ୍ତେ ଏହି ଯୁଗର ପ୍ରତୀକଗୁଡ଼ାକୁ ମଣିଷକୁ ଅଧିକ ସଂକୀର୍ଣ୍ଣ କରି ପକାଉଚି, ମଣିଷକୁ ବିଶ୍ଵସଂସାରକୁ ବିଚ୍ୟୁତ କରି ତାକୁ ଆପଣା ଦେଶ, ମତବାଦ, ଆପଣା ଧର୍ମ ଓ ଏପରିକି ଆତ୍ମସ୍ଵାର୍ଥସଂବର୍ତ୍ତିତ ଆପଣା ଜୀବନଟାକୁ ହିଁ ଚରମ ଶ୍ରେୟ ରୂପେ ମାନି ନେବାକୁ ଶିଖାଉଚି, ନାନାପ୍ରକାର ଅନ୍ଧ ମୋହରେ ମଣିଷକୁ କ୍ଷୁଦ୍ର କରି ଦେଉଚି । ସେ ଯୁଗରେ ମଣିଷ ଗୋଟିଏ ପ୍ରତୀକର ଅବଲମ୍ବନ ଦ୍ଵାରା ସମସ୍ତ ବ୍ରହ୍ମାଣ୍ଡର ସୃଷ୍ଟି ସାମଗ୍ରୀ ସହିତ ମିଳିତ ହୋଇ ପାରୁଥିଲା । ଆପଣାର ଆତ୍ମା ଓ ଆପଣାର ଜୀବନ ମଧ୍ୟରେ ସେ ବିଶ୍ଵାତ୍ମା ଓ ବିଶ୍ୱଜୀବନକୁ ଜାଣିବାର ପ୍ରୟାସ କରୁଥିଲା, ତାହାର ପ୍ରତୀକ ତାକୁ ଐଶସୃଷ୍ଟିର ସାଧାରଣ ଭୂମି ଉପରେ ସବୁରି ସହିତ ସମ୍ମିଳିତ ହୋଇ ଠିଆହେବାର ପ୍ରେରଣା ଦେଉଥିଲା । କିନ୍ତୁ ବିଭିନ୍ନ ଜାତି, ବିଭିନ୍ନ ଧର୍ମ ଓ ମତବାଦ ଭିତରେ କଳ୍ପିତ ବିଭେଦଗୁଡ଼ାକୁ ବଡ଼ କରି ଦେଖାଇବା ହିଁ ଏ ଯୁଗରେ ଆଧୁନିକ ପ୍ରତୀକ ଗୁଡ଼ିକର ପ୍ରଧାନ କାର୍ଯ୍ୟ ହୋଇଚି । ଏହି ମୋହରେ ପଡ଼ି ମଣିଷ ସାରା ପୃଥିବୀରେ କେବଳ ଆପଣାର ସ୍ଵାର୍ଥପ୍ରଣୋଦିତ ଜୀବନଟିର ହିଁ ପ୍ରତ୍ୟକ୍ଷ କରୁଚି, ଏଯୁଗର ପ୍ରତୀକଗୁଡ଼ାକ ମଣିଷ ମଣିଷ ମଧ୍ୟରେ ରହିଥିବା ବ୍ୟବଧାନଗୁଡ଼ାକ ହିଁ ଜାଣି ରଖିବାକୁ ଅଧିକ ସଚେତ କରିଦେଉଚି ।

 

୧୬ । ୪ । ୫୧

 

ପ୍ରତ୍ୟେକ ମାସର ଷୋଳତାରିଖରେ ମୋତେ ଦୃଷ୍ଟିଶିଖରର ସର୍ବୋଚ୍ଚ ମଥାନକୁ ଉଠି ଆପଣା ଜୀବନଉପରେ ସିଂହାବଲୋକନ କରିବାକୁ ସୁଯୋଗ ମିଳିଥାଏ । ମୋର ଅତୀତ ଓ ବର୍ତ୍ତମାନ ମଧ୍ୟରେ ହଠାତ୍ ଯେପରି ଗୋଟିଏ ପ୍ରାଣର ସୂତ୍ର ବିସ୍ତାରିତ ହୋଇଯାଏ, ତଳଠୁଁ ଉପରଯାଏ ଗୋଟିଏ ପ୍ରାଣର ରସ ଭେଦିଗଲା ପରି ମନେହୁଏ । ଜୀବନକୁ ଏପରି ସମଗ୍ର ଭାବରେ ଦେଖିବାକୁ ଅଭ୍ୟସ୍ତ କରି ପାରିଥିଲେ ମୋତେ ହୁଏତ ବେଳେବେଳେ ଏପରି ଅନୁଶୋଚନା ଓ ଅବସାଦରେ ଗ୍ରସ୍ତ ହେବାକୁ ପଡ଼ୁନଥାନ୍ତା । ଜୀବନର ଦୁର୍ବଳ ମୁହୂର୍ତ୍ତଗୁଡ଼ିକରେ ଆପଣାର ଦୁଃଖ ଓ ଆପଣାର ସୁଖ ମୋତେ ଏତେ ବଡ଼ ବୋଲି ମନେହୁଏ ଯେ କେବଳ ଦୁଃଖବେଳେ ଆତୁର ଓ ସୁଖବେଳେ ଦାମ୍ଭିକ ହୋଇପଡ଼ିବା ଛଡ଼ା ମୋର ମୋହଗ୍ରସ୍ତ ମନଟାଲାଗି ଆଉ କିଛି ବାଟ ହିଁ ଦିଶେ ନାହିଁ । କେବଳ ଆବଦ୍ଧ ଭାବରେ ଆପଣାକୁ ନାନା ଦୁଶ୍ଚିନ୍ତାରେ ଦଗ୍‌ଧ କରି ସମୟ ବହିଯାଏ, ଏହି ସଂସାର ଓ ସଂସାରରେ ମୋର ସକଳ ଅନୁଭୂତି ମୋତେ କେବଳ କ୍ଳାନ୍ତ କରି ଚାଲିଯାଏ । କିନ୍ତୁ ଯେତେବେଳେ ଆପଣାର କ୍ଷୁଦ୍ର ଇତିହାସଟିର ବାଡ଼ ଡେଇଁ ମୁଁ ଆପଣାକୁ ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତକୁ ବିସ୍ତାରି ବହୁଥିବା ଏକ ଜୀବନ୍ତ ଉତ୍ସରୂପେ ପ୍ରତ୍ୟକ୍ଷ କରେ, ସେତେବେଳେ ସେହି ଝରଣାର ଚଳମାନ ସୁଅରେ ମୋର ଦୁଃଖ ସୁଖ ମଧ୍ୟ ଜୀବନ୍ତ ହୋଇଉଠେ । ମୁଁ ଚାଲିଚି, ମୁଁ ବଞ୍ଚିଚି, କେତେ ଦୁଃଖ ସୁଖର ଖାଲଢ଼ିପକୁ ମୁଁ ଆପଣାର ଜୀବନରସରେ ପୂର୍ଣ୍ଣକରି ଚାଲିଚି, ଅତୀତ ତଥା ବର୍ତ୍ତମାନର କଳ୍ପନା, ସ୍ଵପ୍ନ ଓ କାର୍ଯ୍ୟ ଅନୁସାରେ ମୋର ଭବିଷ୍ୟତ ମଧ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତିମୂର୍ତ୍ତ ହୋଇ ଚାଲିଚି । ଜୀବନର କେତେ ଅସାର ବିସ୍ମୃତ ହୋଇ ପଛରେ ପଡ଼ିରହୁଚି, ସେଥିଲାଗି ଦୁଃଖ କରି ବାହୁନିବାକୁ ବେଳ ନାହିଁ । ମୋ’ର ଯେତିକି ଶ୍ରେଷ୍ଠ ଓ ସୁନ୍ଦର ଉପାର୍ଜନ, ସେତିକି ଧରି ମୁଁ ନାନାକ୍ଷେତ୍ରରେ, ନାନା ବାଟରେ ଓ ନାନା ସ୍ଵପ୍ନରେ ଆପଣାର ପରୀକ୍ଷା ଚଳାଇ ଚାଲିଚି । ଏଇ ବାଟ ମୋର ସିଧା ବାଟ, କାରଣ ଏହାହିଁ ମୋର ସ୍ୱାଭାବିକ ବାଟ ।

 

୧୭ । ୪ । ୫୧

 

ମୁଣ୍ଡ ଭିତରେ କିଏ ଯେପରି ମୋତେ କାମୁଡ଼ି ଧରିଚି । ଶରୀର ଭଲ ନଥିଲେ ମନକୁ ଭଲ ରଖିବା ଯେ କେଡ଼େ କଷ୍ଟକର, ସେକଥା ମୁଁ ଆପଣା ଜୀବନରୁ ବେଶ୍ ଅନୁଭବ କଲିଣି । ଇଚ୍ଛାମତ ଆପଣାର ପଥରେ ଦଉଡ଼ି ଯିବାକୁ ମନ ଚାହୁଁଚି, କିନ୍ତୁ ରୁଗ୍‌ଣ ଶରୀରଟା ବାଧ୍ୟ ହୋଇ ଆଗରେ ଠିଆହୋଇ ରହୁଚି । ଶରୀର ଓ ମନଭିତରୁ କୋଉଟା ବଡ଼ କୋଉଟା ଛୋଟ, କୋଉଟା ଆଗ କୋଉଟା ପଛ ଏକଥାର ଦ୍ଵନ୍ଦ ଭିତରେ ପଶିବାକୁ ମୋର ଧୈର୍ଯ୍ୟ ନାହିଁ । ଦାର୍ଶନିକ ଅଧ୍ୟୟନରେ ଏହି ପାର୍ଥକ୍ୟ ଯେତେ ବଡ଼ହୋଇ ରହିଥିଲେ ମଧ୍ୟ ଶ୍ରଦ୍ଧାସମ୍ପନ୍ନ ଜୀବନ ଯାପନରେ ତାହା କେବେ ହେଲେ ଏକ ସଂଶୟ ରୂପେ ଠିଆହୋଇ ରହେ ବୋଲି ମୋର ମନେ ହେଉ ନାହିଁ ।

 

ଶୀତ ସରିଆସୁଚି, ଡାଳମାନଙ୍କରେ ନୂଆ ପତରେ ଗଜା ବାହାରିଲାଣି । ଆଉ ମାସକ ଭିତରେ ଏହି ଦେଶରେ ପ୍ରକୃତି ସବୁକ ହୋଇଯିବ । ତେଣେ ମୋ’ ଦେଶରେ ବସନ୍ତ ଯାଇ ଗ୍ରୀଷ୍ମ ଆସିବାକୁ ହେବାଣି । ସବୁ ମନେ ପଡ଼ିଯାଉଚି । ଶାନ୍ତିନିକେତନର ସେହି ଉଜ୍ଜ୍ଵଳ ସକାଳେ ପଲାଶଡାଳ ଓ ଶାଳଫୁଲର ଝରାଅସରା ମୋର ମନକୁ ଘରମୁହାଁ କରିନେଇଚି । ଏଠି ଶୀତ ଭିତରେ ନିବୁଜ ଘରଭିତରେ ଆପଣାକୁ ଅଧିକାଂଶ ସମୟ ଆବଦ୍ଧ ରଖି ଶରୀରଟା ଶୁଖୁଆ ହୋଇ ଗଲାପରି ଲାଗିଲାଣି । ମୋ’ କୋଠରୀର ଝରକା ଉପରେ ସ୍ଵଚ୍ଛ ଆଲୋକ ଓ ପବନରୁ ବଞ୍ଚିତ ହୋଇ ଛୋଟିଆ ଫୁଲକଣ୍ଡରେ ଛୋଟିଆ ଗଛଟିଏ ମଧ୍ୟ ବଢ଼ୁଚି, ବେଳେବେଳେ ତା’ ଆଉ ମୋ’ ଭିତରେ ମୁଁ ଯେପରି କୌଣସି ପୃଥକତା ଦେଖି ପାରୁନାହିଁ । ଦୁହେଁ ବଞ୍ଚିତ, ଦୁହିଁଙ୍କ ଲାଗି ଖୋଲା ଆଲୁଅ ଓ ପବନର ମୁକ୍ତି ଏକାନ୍ତ ଆବଶ୍ୟକ ।

 

୧୮ । ୪ । ୫୧

 

ତେଣେ ମୋ’ ଦେଶରେ ଅନାହାରରେ ମଣିଷ ମରୁଚି ବୋଲି ଏଦେଶର କେତେଜଣ ବଣିକ ବ୍ୟବସାୟୀ ଭାତରବର୍ଷକୁ ଦୟା ଦେଖାଇବା ସକାଶେ ସାହାଯ୍ୟ କମିଟି ଗଢ଼ୁଚନ୍ତି । ୧୯୪୩ ମସିହାରେ ଯେତେବେଳେ ଲକ୍ଷ ଲକ୍ଷ ମଣିଷ ଆହାର ବିନା ମଲେ, ସେତେବେଳେ କଲିକତା ଓ ବମ୍ବେର ବଡ଼ ବଡ଼ ବ୍ୟବସାୟୀଙ୍କର କୋଷରେ ଅଜସ୍ର ଖାଦ୍ୟ ଭରପୂର ହୋଇ ରହିଥିଲା । ଦେଶରେ ଖାଦ୍ୟ ଥାଇ ଖାଦ୍ୟ ଅଭାବ, ଲୁଗା ଥାଇ ଲୁଗା ଅଭାବ; ଏସବୁ ହାସ୍ୟାସ୍ପଦ ଘଟଣା ଭାରତରେ ଅନେକଥର ଘଟିଯାଇଚି, ତଥାକଥିତ ସ୍ଵାଧୀନତା ପରେ ମଧ୍ୟ ଘଟିଚି । ତେଣୁ ଏଥରର ଅନାଟନଟି ଯେ ସେହିପରି ଏକ paradox ଦୃଷ୍ଟାନ୍ତ ହୋଇନଥିବ । ତାହା କିଏ କହିବ ? ଅବଶ୍ୟ ଗଲାବର୍ଷ କେତେକ ରାଜ୍ୟରେ ଭୂମିକମ୍ପ, ବଢ଼ି ଓ ମରୁଡ଼ି ହୋଇ ଫସଲ ନଷ୍ଟ ହୋଇଚି, ଉତ୍ତର ପ୍ରଦେଶର କେତେ ଜାଗାରେ କୁଆଡ଼େ ପଙ୍ଗପାଳ ମାଡ଼ି ଯାଇଚନ୍ତି । ଏସବୁ ପ୍ରାକୃତିକ ଦୁର୍ବିପାକ ସତ୍ତ୍ୱେ ଦେଶରେ ତଥାପି ଯେଉଁ ଖାଦ୍ୟ ମହଜୁଦ ରହିଚି, ହୁଏତ ତାହାକୁ ନ୍ୟାୟସଙ୍ଗତ ଭାବରେ ଲୋକଙ୍କ ଦୁଆରେ ପହୁଞ୍ଚାଇ ପାରିଲେ ଦେଶର ଏହି ସଙ୍କଟରେ ଅନେକ ଲାଘବ ହୋଇଯାଆନ୍ତା । ଆପଣାର ସେହି ପ୍ରଥମ କଳଙ୍କଟିକୁ ଦୂର ନକରି ବିଦେଶର ବଡ଼ଲୋକ ଓ ବ୍ୟବସାୟୀଙ୍କ ଦୁଆରେ ଧାନ, ଗହମ ଓ ଦୁଧଲାଗି ହାତ ପତାଇ ରହିବା ବର୍ତ୍ତମାନ କେଡ଼େ ହାସ୍ୟାସ୍ପଦ ନହେଉଚି ? ମୋ’ ଦେଶରେ କ’ଣ ନାହିଁ ? ଉର୍ବର ମାଟି ଓ ମଣିଷ ବଳର ସେଠି କୌଣସି ଅଭାବ ନାହିଁ । ତଥାପି ସଭ୍ୟ କରିବା ନାଆଁରେ ଅଧେ ମଣିଷଙ୍କୁ ଅଳସୁଆ ହୋଇ ବଞ୍ଚିବାର ପାଠ ପଢ଼ାଇ ଆମେ ଜଳ ମଧ୍ୟରେ ତୃଷାର୍ତ୍ତ ହୋଇ ମଲାପରି ମରୁଚୁ ଏବଂ ଆମ ଅଳସୁଆ ହେବାର ସୁଯୋଗ ନେଇ ଆମକୁ ବନ୍ଧୁପରି ନାନା କଥାରେ ଭୁଲାଇ ବିଦେଶର ବ୍ୟବସାୟୀମାନେ ମୋ’ ଦେଶକୁ ଯାଇ ଆପଣାର ଭାଗ୍ୟପରୀକ୍ଷା କରୁଚନ୍ତି, ସୁଯୋଗ ଖୋଜୁଥାନ୍ତି-। ଦେଶର ସମ୍ପଦ କ୍ଷେତ୍ର ବିଦେଶୀର କ୍ରୀଡ଼ାଭୂମି ହୋଇଚି ।

 

୧୯ । ୪ । ୫୧

 

ମୁଁ ସାହାଯ୍ୟ କରୁଚି, ଆଉ ଜଣେ ସାହାଯ୍ୟ ନେଉଚି,—ଯଦି ଦାତା କେବଳ ଏହିପରି ଏକ ଭାବନାର ବଶବର୍ତ୍ତୀ ହୋଇ ଦାନ ଦିଏ, ତେବେ ତାହାକୁ କେବଳ ଦୟା ଦେଖାଇବା ବ୍ୟତୀତ ଆଉ କିଛି କହି ହେବନାହିଁ । ଦୟା ଦେଖାଇବାର ଏହି complacency ଅନେକ ସମୟରେ ସାହାଯ୍ୟ ଓ ସହଯୋଗ ସମ୍ବନ୍ଧରେ ମଣିଷକୁ ଅନ୍ଧ କରି ଦେଇଯାଏ ।

 

ଦେଶ ଦେଶ ଭିତରେ ଏହି ସାହାଯ୍ୟଦାନ ଓ ସାହାଯ୍ୟ ଗ୍ରହଣର ପ୍ରଶ୍ନ ଯେତେବେଳେ ଉଠେ, ସେତେବେଳେ ଆଶଙ୍କା କରିବାର ଯୁକ୍ତିଯୁକ୍ତତା ଆହୁରି ବଢ଼ିଯାଏ । ଦୁଇଟି ଦେଶ ମଧ୍ୟରେ ବନ୍ଧୁତାର କପଟପ୍ରଶ୍ନ ଉଠାଇ ନାନା ଲୋକ ନାନା ଉତ୍ସାହରେ ରଥୀ ସାଜି କ୍ଷେତ୍ର ମାଡ଼ି ବସିବାକୁ ଆସନ୍ତି । ଉଇରୋପ ଓ ଏସିଆର କେତେ ଦେଶକୁ ଦୟା ଦେଖାଇ ଓ ଆପଣାର ଉଦ୍‌ବୃତ୍ତ ଡଲାରକୁ ସାହାଯ୍ୟ କାର୍ଯ୍ୟରେ ଲଗାଇ ଆମେରିକା ଏବେ ଆପଣା ଲାଗି ପଥ ପରିଷ୍କାର କରୁଚି, ଅଯାଚିତ ସାହାଯ୍ୟର ପ୍ରଲୋଭନ ଦେଖାଇ କେତେ ଦେଶର ମୁହଁ ବନ୍ଦ କରିଦେଉଚି; ଅଥଚ ଉପରେ ଖବର କାଗଜରେ ଗଣତନ୍ତ୍ର ଓ ଶାନ୍ତି ପ୍ରଭୃତି ଆଶ୍ରୟ ତଳେ ତା’ର ଭାରି ଜୟଜୟକାର ହେବାରେ ଲାଗିଚି ।

 

ନାନା ଭେକ ଓ ନାନା ଉପାୟରେ ଏପର୍ଯ୍ୟନ୍ତ ମଧ୍ୟ ସୁବିଧାଭୋଜି ମଣିଷ ବଣିକର ମୁଖା (persona) ପିନ୍ଧିଚି । ଏହିପରି ଏକ ଦୂଷିତ ଚକ୍ରାନ୍ତରେ ସେ ସାରା ପୃଥିବୀର କେତେ ଶୁଭସମ୍ଭାବନାକୁ ବିପର୍ଯ୍ୟସ୍ତ କରି ରଖିଚି । ଆପଣାର ସଂକୀର୍ଣ୍ଣ ଶିକ୍ଷା ଓ ସଂକୀର୍ଣ୍ଣ ଅଭିଳାଷ ଦ୍ଵାରା ସେ କେତେ ସହଯୋଗ ଓ ମୈତ୍ରୀର ଦ୍ଵାରକୁ ବନ୍ଦ କରି ରଖିଚି ।

 

ଦେଶୀ ଓ ବିଦେଶୀ ବଣିକର ପାଦୁର୍ଭାବ ଭାରତୀୟ ଜନଗଣକୁ ଆଜି ମଧ୍ୟ ମ୍ରିୟମାଣ କରି ରଖିଚି । ତା’ର ଅଭାବ ସମୟରେ ତାକୁ ସାହାଯ୍ୟ ଦେବାର ବାହାନାରେ ଯଦି ସେ ଦେଶରେ ପୁଣି ନୂଆ ବଣିକର ଆସନ ତିଆରି ହୁଏ, ତେବେ ତଦ୍ଦ୍ଵାରା ଭାରତର ଅଭାବ ଓ ଦୈନ୍ୟ ବଢ଼ିବ ସିନା, ଆଦୌ କମିବ ନାହିଁ ।

 

୨୧ । ୪ । ୫୧

 

‘We should love our weakness more than our strength, Perhaps Jesus meant the same when he told us to love our enemies !’ କାଲି ଜଣେ ଇଂରେଜ ଶିକ୍ଷକଙ୍କର ପତ୍ରାବଳୀ ପଢ଼ୁ ପଢ଼ୁ ମୁଁ ଏହି ବାକ୍ୟଟିକୁ ପାଇଲି । ଅବଶ୍ୟ ନାନା ପ୍ରକାରେ ଅର୍ଥ କରାଯାଇ ଏହି ଯୁକ୍ତିଟିର ସମର୍ଥନ ବା ଖଣ୍ଡନ କରାଯାଇପାରେ । କିନ୍ତୁ ଲେଖକ ଯେଉଁ ମର୍ମରେ ଏହି କଥାଟିକୁ ଗ୍ରହଣ କରିଚନ୍ତି, ମୁଁ ବି ସେହି ମର୍ମଟିକୁ ଗ୍ରହଣ କରିବି । ଆପଣାର ଶତ୍ରୁକୁ ଭଲ ପାଇବାର ଅର୍ଥ ହେଉଚି ଶତ୍ରୁର ଖରାପ ଅଥବା ଦୁଷ୍ଟ ଆଚରଣକୁ ଭଲପାଇବା ନୁହେଁ; ତା’ର କୁସ୍ଵଭାବ ସତ୍ତ୍ଵେ ତା’ଭିତରେ ତଥାପି ସୁବା ଶୁଭ ଅନ୍ତର୍ନିହିତ ରହିଚି ବୋଲି ଦୃଢ଼ ଆସ୍ଥା ରଖି ସେହି ଦିଗରେ ତାକୁ ପ୍ରବୃତ୍ତ ବା ପ୍ରବର୍ତ୍ତିତ କରିବା ହେଉଚି ଏହି କଥାଟିର ଅସଲ ଅର୍ଥ । ଆପଣାର ଦୁର୍ବଳତା ଓ ଆପଣାର ଶକ୍ତି ବିଷୟରେ ମଧ୍ୟ ପ୍ରତ୍ୟେକ ମଣିଷ ଏହିପରି ଅର୍ଥ କରିପାରିବା ଉଚିତ । ମୋର ଆପଣାର ଅନେକ ଦୁର୍ବଳତା ରହିଚି, ସେଗୁଡ଼ିକର ବଶବର୍ତ୍ତୀ ହୋଇ ମୁଁ ହୁଏତ ଅନେକ ଥର ପଥ ହୁଡ଼ିଚି । କିନ୍ତୁ ଆପଣା ଦୁର୍ବଳତା ପ୍ରତି ବିରକ୍ତ ହୋଇ ଆପଣାକୁ କ୍ଷୁଣ୍ଣ କରି ପକାଇଲେ ଆହୁରି ଅଧିକ ପଥହୁଡ଼ିବା ବ୍ୟତୀତ ଆଉ ଅଧିକ କିଛି ଲାଭ ହେବ ନାହିଁ । ମୋର ଦୁର୍ବଳତା ଗୁଡ଼ିକ ମୁଁ ଅତି ସଯତ୍ନ ଓ ସୁସମାହିତ ଭାବରେ ପରୀକ୍ଷା କରିବି, ସେଗୁଡ଼ିକର ମୁଁ ମର୍ମଭେଦି ମୁଁ ମୋ’ ଜୀବନରେ ଅନ୍ତର୍ନାଡ଼ୀରେ ପ୍ରବାହିତ ହେଉଥିବା ଶୁଭ ଓ ମଙ୍ଗଳକୁ ଚିହ୍ନ ରଖିବି ଓ ସେହି ଦୃଷ୍ଟିରେ ହିଁ ମୋର ସକଳ ଦୁର୍ବଳତାକୁ ଦୀକ୍ଷିତ କରିବାର ଆନନ୍ଦିତ ପ୍ରୟାସ କରିବି । ଏହାହିଁ ହେଉଚି ସକଳ ସମ୍ଭାବନାର ସୁସ୍ଥ ବାଟ । ଏହି ନିରୀକ୍ଷଣ, ସବୁଟିକୁ ଆପଣାର ଅତି ନିଜର ବୋଲି ଗ୍ରହଣ କରିବାର ଓ ତାହା ସହିତ ସଂଯୁକ୍ତ ହୋଇ ତାକୁ ଚିହ୍ନିବାର ଜୀବନରୀତି ମଣିଷକୁ କଦାପି ଦୁର୍ବଳ କରି ଦେବ ନାହିଁ । Sub specie aeternitatisର ତୁଙ୍ଗ ଶିଖରକୁ ଉଠି Spinoza ଏକ ଉନ୍ମୋଚିତ ଦୃଷ୍ଟିରେ ମଣିଷର ସମସ୍ତ affects ଉପରେ ଦୃଷ୍ଟିପାତ କରିଚନ୍ତି, ଏବଂ ତାହାରି ଫଳରେ ମଣିଷ ମନର ସବୁ ଉତ୍ସ ଓ ସବୁ ଜୀବନଧାରାକୁ ଚିହ୍ନି ମଣିଷର ଚରମ କଲ୍ୟାଣ ଓ ଚରମ ସମ୍ମିଳନ ଲାଗି ପରାମର୍ଶ ଦେବା ତାଙ୍କ ଲାଗି ସମ୍ଭବ ହୋଇ ପାରିଚି ।

 

୨୨ । ୪ । ୫୧

 

ଠିକ୍‍ ଚାରିମାସ ତଳେ ଦିନେ ସକାଳେ ଲଣ୍ଡନ ଛାଡ଼ିଥିଲି କୋପେନ-ହେଗେନ୍‌ର ଏହି ଛୋଟ ଘରଟିକୁ ଆସିବି ବୋଲି । ଆଜି ଏଠା ଛାଡ଼ି ମୁଁ ଅନ୍ୟତ୍ର ବାସ ବାନ୍ଧିବାକୁ ଯାଉଛି । କାରଣ ଅନେକ, ଏଠି ସେସବୁ ଲେଖି ସ୍ଥାନପୂରଣ କରିବାକୁ ମୁଁ ଆଦୌ ପସନ୍ଦ କରୁନାହିଁ । ମୁଁ କେବଳ ଏତିକି ଇଚ୍ଛା କରୁଛି, ମୋର ଏହି ପରିବର୍ତ୍ତନଟି ମଙ୍ଗଳ ଦାୟକ ହେଉ । ଏହି ଚାରିମାସ ଭିତରେ ମୁଁ ଡେନ୍‍ମାର୍କର ଅନେକ ସମ୍ପଦକୁ ନିଜର ପରି ଚିହ୍ନି ସାଇତି ରଖିପାରିଚି । ଆଜିର ଏହି ବାସବଦଳା ବେଳେ ଜୀବନଦେବତା ପାଖରେ ମୁଁ କେବଳ ଏତିକି ପ୍ରାର୍ଥନା କରୁଚି, ମୋର ଶ୍ରଦ୍ଧା ଓ ମୋର ନିଷ୍ଠା ସେହି ସାଇତାଧନର ସମୃଦ୍ଧିକୁ ଆହୁରି ସମୃଦ୍ଧ କରୁ, ଯେତେ ଯୁଆଡ଼େ ଗଲେ ମଧ୍ୟ ମୋର ଦୁଆର ନିର୍ମଳ ହୋଇ ଖୋଲା ରହିଥାଉ । ଆଜି କେତେ ମାୟା ଛିଡ଼ିବ, ପୁଣି କେତେ ନୂଆ ମାୟା ଲାଗିବ । କିନ୍ତୁ ଏସବୁ lesser ମାୟା ପଛରେ ସବୁଠାରୁ ବଡ଼ ଓ ସବୁଠାରୁ ଶକ୍ତିଶାଳୀ ମାୟା ହିଁ ମୋ’ ଜୀବନରେ କାର୍ଯ୍ୟ କରୁଥାଉ, ଆପଣାର ରଙ୍ଗରେ ଆଉ ସବୁଟିକୁ ରଞ୍ଜିତ କରି ରଖୁ । ବଞ୍ଚିବାର ମାୟା, ଆପଣାର ଜୀବନକୁ ଘଷି ମାଜି ଦେଇ ଓ ବିତରଣ କରି କିଛି ହେବାର ମାୟା, ପ୍ରତ୍ୟେକ କ୍ଷେତ୍ରରେ ଆପଣାକୁ ଯଥାଶକ୍ତି ମୂଲ୍ୟବାନ ଭାବରେ ଦେଇ ତାହାରି ଜରିଆରେ ଆପେ ପରିପୂର୍ଣ୍ଣ ହେବାର ମାୟା,—ମୋତେ ଏହାହିଁ ନିଜପ୍ରତି, ମଣିଷପ୍ରତି, ସଂସାର ପ୍ରତି ଓ ସୃଷ୍ଟି ପ୍ରତି ପ୍ରଲୁବ୍‌ଧ କିପରି ରଖିଚି, ମୋତେ ସବୁଠିଁ ସଂଯୁକ୍ତ କରି ରଖିଚି । ତାହାରି ସକାଶେ ସହସ୍ର ଘଟରେ ବୁଲି ସହସ୍ର ପଟ ପିନ୍ଧିଲେ ମଧ୍ୟ ମୁଁ ସେଇ ଏକ ହୋଇ ରହିଚି । ଆଜିକାର ସ୍ଥାନ-ପରିବର୍ତ୍ତନ କରିବା ସମୟରେ ମୋର ସେହି ଏକ ମନ ଉଚ୍ଚ ହୋଇ ଜାଗି ଉଠୁ । ଆଜିର ପଥବଦଳା ସମୟରେ ସିଏ ଜୀବନର ସେହି ଏକ ପଥକୁ ଆହୁରି ନିବିଡ଼ ଭାବରେ ଚିହ୍ନି ରଖୁ ।

 

୨୩ । ୪ । ୫୧

 

ଆଜି ନୂଆଘରେ ପ୍ରଥମ ସକାଳେ ମୁଁ ତଥାପି ମୋର ସେହି ପୁରୁଣା ଜୀବନ ସ୍ରୋତରେ ଅର୍ଘ୍ୟଜଳରେ ଜୀବନ ଦେବତାକୁ ବରଣ କରିନେବି । ନାନା ଦୋଷ ଓ ଦୁର୍ବଳତାରେ ଦୂଷିତ ହେଲେ ହେଁ ଏହି ଜୀବନ ଯେ ମୂଳତଃ ତାହାରି ଚିହ୍ନା ଜୀବନ, ଏହାହିଁ ମୋ’ ଜୀବନରେ ସବୁଠାରୁ ବଡ଼ କଥା । ମୋର ସବୁ ମୁଁ ତାକୁ ଦେଇଚି, ମୋର ସବୁ ମୁଁ ତାହାରି ପାଦତଳେ ବସି ନିବେଦନ କରିଚି । ସୁଖବେଳେ ତାହାରିପ୍ରତି କୃତଜ୍ଞତା ଆଖିର ଲୁହ ହୋଇ ଗଡ଼ି ଆସିଚି, ଦୁଃଖରେ ତାହାରି ଆଶୀର୍ବାଦରୁ କଣାଏ ପାଇ ମୁଁ ପଥର ପରି ଟାଣ ହୋଇ ପାରିଚି । ଜୀବନର ସିଡ଼ିରେ ପାଦେ ଉଠିଲାବେଳେ ମୁଁ ସବୁ ଗୌରବ ତାହାକୁ ହିଁ ସମର୍ପଣ କରିଚି, ପାଦେ ଖସିଗଲାବେଳେ ମଧ୍ୟ ମୁଁ ତା’ର ଆପଣାର ଶିଶୁଟିପରି ତାହାରି ପାଖରୁ ଶକ୍ତି ଲୋଡ଼ିଚି । ମୋର ଅପରିପୂର୍ଣ୍ଣ ଓ ଅପରିପକ୍ଵ ଜୀବନ ଏହି ସଂଗ୍ରନ୍ଥନ ଦ୍ଵାରା ଆପଣାକୁ ସବୁବେଳେ ପରିପୂର୍ଣ୍ଣ କରିଆସିଚି । ସଂସାରରେ ସବୁ ବନ୍ଧୁ ଓ ସବୁ ଶତ୍ରୁ ମୋର ଜୀବନକୁ ହୁଏତ କେବଳ ଖଣ୍ଡ ଖଣ୍ଡ କରି ଦେଖିବେ, ମୋର ଦୋଷ-ଦୁର୍ବଳତା ଓ ଦୁଃଖ ସହିତ ମୋର ବଳ, ଗୌରବ ଓ ସୁଖକୁ ମିଳାଇ ଗୋଟିଏ ସମଗ୍ର ସୂତା କରି ଦେଖିବାଲାଗି ହୁଏତ ସେମାନଙ୍କର କୌଣସି ଧୈର୍ଯ୍ୟ ନଥିବ । କିନ୍ତୁ ଚିହ୍ନିଲାବାଲା ଓ ଦେଖିଲାବାଲା ସେଇ ଚିହ୍ନିବ, ସେଇ ଦେଖିବ । ଜନନୀ ଆପଣା ସନ୍ତାନର ଜୀବନ ଦେଖିଲା ପରି ସେ ମୋର ସମସ୍ତ ବିଭେଦ ଓ ବିଚ୍ଛିନ୍ନତା ସତ୍ତ୍ୱେ ଏକତ୍ର ମିଳାଇ ମୋତେ ଗୋଟିଏ ଜୀବନ ବିନ୍ଦୁର ପରିପୂର୍ଣ୍ଣ ରୂପରେ ଦେଖିବ । ନୂଆ ବସତିର ପ୍ରଥମ ସକାଳେ ମୁଁ ଆଜି ସେହି ଶ୍ରେଷ୍ଠ ଚିହ୍ନାଳି ଓ ଦେଖାଳିକୁ ମୋର ସବୁଠାରୁ ଅଧିକ ପ୍ରେମ ଓ ସବୁଠାରୁ ଅଧିକ ଶ୍ରେୟରୂପେ ଗ୍ରହଣ କରିନେଉଚି । ମୋ’ ଜୀବନର ସମସ୍ତ ବିରହ ବିଭକ୍ତ ତାକୁ ଏକାଠି ମିଳାଇ ସେଇ ସେତୁରୂପେ ବିରାଜୁ ଥାଉ ।

 

ଆଜି ସକାଳୁ ଭାରି ନିର୍ମଳ ଉଜ୍ଜ୍ଵଳ ହୋଇ ଖରା ପଡ଼ିଚି । ଏଠି ପ୍ରକୃତି କ୍ରମେ ସୁନ୍ଦର ଓ ସତେଜ ହୋଇ ଉଠୁଚି । ନିଦରୁ ଉଠି ହଠାତ୍ ଆପଣାକୁ ବଡ଼ ପ୍ରସନ୍ନ ଲାଗୁଚି । ସମସ୍ତ yesterdaysର ସକଳ ଅବସାଦ ପାସୋରି ମୁଁ ଆଜିଠାରୁ ଯେପରି ନୂଆ ଜନ୍ମ ଲାଭ କରିବାକୁ ଯାଉଚି ।

 

୨୪ । ୪ । ୫୧

 

ଆପଣାର ସମ୍ମାନକୁ ହରାଇ ବସିବାର ଆଶଙ୍କା ହେଲେ ମଣିଷ ସତେ କେଡ଼େ ପ୍ରବଳ ଓ ଭୟଙ୍କର ହୋଇ ନପଡ଼େ । ସଂସାରରେ ଯିଏ ଏହି ନିୟତ ଆଶାଙ୍କର frustration ଭିତରେ ବଞ୍ଚିଥାଏ, ନିୟମିତ aggressionର ମାନଶୋଭାପରେ ସେଇ ସବୁବେଳେ ଉତ୍ତପ୍ତ ହୋଇ ରହିଥାଏ । ସେତେବେଳେ ତାର ଆଖିକୁ ଆଉ କିଛି ଦିଶେ ନାହିଁ । ଭିତରେ ଅତ୍ୟନ୍ତ ଆତୁର ହୋଇ ରହି ବାହରେ ଅତି ଉତ୍‌କ୍ଷିପ୍ତ ଭାବରେ ସିଏ ଆବଶ୍ୟକ ଓ ଅନାବଶ୍ୟକ ସବୁ କ୍ଷେତ୍ରରେ ଆପଣାର ତଥାକଥିତ ସମ୍ମାନ ବଜାୟ ରଖିବାକୁ ଯାଏ । ଆପଣାକୁ ବଞ୍ଚାଇବାକୁ ସେ କେତେପ୍ରକାର ସ୍ଵତଃସିଦ୍ଧ ଯୁକ୍ତି ସବୁ ତିଆରି କରି ବସେ ।

 

ସଂସାରଭିତରେ କିନ୍ତୁ ଏ ଭୟ କାହିଁକି ? ଏଠି ମଣିଷ ଆଦର୍ଶ ଲାଗି ବଞ୍ଚିବ, ଆଦର୍ଶ ଲାଗି ଧାଇଁବ; କେତେଥର ସିଏ କେତେ ଭୁଲ୍‍ କରିବ, ପୁଣି ନ୍ୟୂନହୋଇ ଶିଖି ଆପଣାକୁ ଉନ୍ନୀତ କରିବ । ଏହି ସଂସାରରେ ମଣିଷଲାଗି କଣ ଏତିକି ସାହସ ଦୁଷ୍ପାପ୍ୟ ହୋଇ ପଡ଼ିଲାଣି ? ଭିତରର ବିବେକ ଓ ମୂଳମନ ଆପଣାର ଭୁଲ୍‍ଟିକୁ ସ୍ଵୀକାର କରୁଥିଲେ ମଧ୍ୟ ବାହାର ମଣିଷ ତଥାପି ନାନା ହାସ୍ୟାସ୍ପଦ ନିର୍ବୋଧ ଆୟୋଜନରେ ଆପଣାକୁ ଘୋଡ଼ାଇ ରଖିବାକୁ ଏତେ ବ୍ୟଗ୍ର ହୋଇପଡ଼େ କାହିଁକି ?

 

ପରର ପଇସା ଖରଚ କରି ମୁଁ ବିଦେଶକୁ ଆସିଚି । ଏଠି କେତୋଟି ବରଷ ଅତିବାହିତ କରିବି ବୋଲି । କେବଳ ଅନ୍ୟହାତରୁ ଆପଣାକୁ ବଞ୍ଚାଇ ରଖିବାର ସଂଘର୍ଷରେ ହିଁ ଯଦି ମୋର ଅଧିକାଂଶ ସମୟ ଖର୍ଚ୍ଚ ହୋଇଯାଏ, ତେବେ ମୁଁ ବୁଝି ପାରୁନାହିଁ, ଏତେ ପଇସା ଖରଚ କରି ଏଠାରେ ଗେହ୍ଲାହୋଇ ବଢ଼ିବାଲାଗି ମୋର କି ଅଧିକାର ରହିଚି ? ମନର ଶାନ୍ତି ଅତୁଟ ରହିଥିଲେ ଅଳପ ଜାଣିବା ଓ ଅଳପ ଦେଖିବାରେ ମଧ୍ୟ ଗୋଟାଏ ଜୀବନ ବଞ୍ଚିବା ସକାଶେ ଯଥେଷ୍ଟ ଆନନ୍ଦ ଉତ୍ସାହ ମିଳିଥାଏ । ବେଶି ଜାଣିବାର ଆତୁରତାରେ ଯେଉଁଠି ସେଠି ମୁଣ୍ଡ ନୁଆଁଇ ଆପଣାକୁ ଅଣନିଶ୍ୱାସୀ କରିଦେବା ଯେ କେଡ଼େ କ୍ଷତିକାରକ ମୁଁ ସେକଥା ବେଶ୍ ବୁଝିପାରୁଚି ।

 

୨୫ । ୪ । ୫୧

 

ନା, ମୋତେ ଆହୁରି ପ୍ରାର୍ଥନା କରିବାକୁ ହେବ । ସରତ ଶିଶୁର ମନ ନେଇ ଆକୁଳ ଅଥଚ ପରିପୂର୍ଣ୍ଣ ଭାବରେ ଭାବିପାରିବା ଲାଗି ଆପଣା ଗର୍ବ ଓ ଆତ୍ମଗୌରବରୁ ଅନେକ ଛାଡ଼ିବାକୁ ପଡ଼ିବ । ମୁଁ ଭଲ କରି ଜାଣେ, ଏହି ବିଷ କଣାଏ ମାତ୍ର ଅବଶିଷ୍ଟ ଥିବାଯାଏ ମନ କଦାପି ପ୍ରଣତ ହୋଇ ପାରିବ ନାହିଁ । ଅତି ସ୍ଵାର୍ଥପର ଭାବରେ ଆପଣାକୁ ପ୍ରତିଷ୍ଠିତ କରିବାର ନିଶା ଘାରିଥିବା ଯାଏ ପରମାର୍ଥକୁ ଆପଣା ମଧ୍ୟରେ ବହନ କରିବାର ଓ ପ୍ରତିଫଳିତ କରିବାର ଅଭିଳାଷ କଦାପି ସଫଳ ହୋଇପାରିବ ନାହିଁ । ମୁଁ ଯେତିକି ଜାଣିଚି, ହୁଏତ ତାଠାରୁ ଅନେକ ଅଧିକ ବକିସାରିଲିଣି । ଯେତିକି ଅନୁଭବ କରିଚି, ତା’ଠାରୁ ହୁଏତ ଅନେକ ବେଶି ଅଭିନୟ ମୁଁ କରୁଚି । ମୋର ସଂସାର ବା ମୋର ପଡ଼ୋଶୀ ହୁଏତ ମୋ’ ଭିତରର ଶୂନ୍ୟତା ବିଷୟରେ କିଛି ହେଲେ ଜାଣି ପାରିନାହାନ୍ତି । ନାନାପ୍ରକାର ଶିଖା ଉପାୟରେ ମୁଁ ଆପଣାକୁ ବେଶ୍‍ ଘୋଡ଼ାଇ ରଖି ପାରିଚି, ଅନ୍ୟକୁ ବାଉଳା କରି ଦେବାଲାଗି ଆପଣାର ଫମ୍ପା ଢୋଲଟାକୁ ମୁଁ ବେଶ୍ ବଜାଇ ପାରିଚି । କିନ୍ତୁ ଜୀବନର ଶ୍ରେଷ୍ଠ ନିବେଦନ ବେଳେ, ଅନ୍ତର ମନର ସ୍ଵତଃପ୍ରବୃତ୍ତ ଆତ୍ମସମର୍ପଣ ବେଳେ ଆଜି ଏତେ ଟିକିଏ କପଟତା ଓ ଏତେ ଟିକିଏ କୁଟିଳତା ମଧ୍ୟ ସହି ହେଉନାହିଁ । ସବୁରି ଦୁଆରେ ହାସ୍ୟାସ୍ପଦ ହେବାକୁ ମଧ୍ୟ ମୁଁ ଯେପରି ତିଳେ ହେଲେ ଭୟ କରୁ ନାହିଁ । ଯାଉ,—ମୁଁ ଯେତେ ଯେଉଁଠି ଆପଣାର ମିଛ ପ୍ରମାଣ ଦେଇ କେତେ କେତେ ଆତ୍ମପ୍ରସାଦ ପାଇଥିଲି, ମୁଁ ଆଜି ସେହି ସବୁ ଥାନରୁ ସ୍ଵେଚ୍ଛାରେ ଖସି ଆସିବି । ଅତ୍ୟନ୍ତ ଏକାକୀ ହୋଇ ମୁଁ ଏହି ପଥରେ ଅଗ୍ରସର ହେବି । କେବଳ ମୋର ଲକ୍ଷ୍ୟ, ଏବଂ ଲକ୍ଷ୍ୟ ପରି ହୋଇ ପାରିବା ଲାଗି ମୋର ନିଷ୍ଠାପର ବାସନା ମୋତେ ଏହି ଜୀବନ ପଥରେ ସର୍ବଦା ପୂର୍ଣ୍ଣ କରି ରଖିବ ।

 

ବେଳେବେଳେ ଭାରି ଖାଲି ଖାଲି ଲାଗୁଚି ଆପଣାକୁ ! ଆପଣାକୁ ସଜାଇ ଦେଖାଇବି ବୋଲି ମୁଁ ଆଜିଯାଏ ନାନା ମୋହକୁ ସାଇତି ଧରିଥିଲି । ଆଜି ସାପକାତି ପରି ସବୁ ଝଡ଼ିପଡ଼ୁ । ମୋର ସତ୍ୟରୂପ ହିଁ ପ୍ରକାଶିତ ହେଉ । ସେଇ ହେଉଚି ମୋର ଶ୍ରେଷ୍ଠ ରୂପ ।

 

୨୬ । ୪ । ୫୧

 

Is any among you afflicted ? Let him pray. Is any merry-? Let him sing psalms. (james : 5/13)

 

ଦୁଃଖ ସୁଖ ସବୁର ଭୂମି, ସବୁର ଆଧାର ଓ ସବୁର ଚରମଥଳ କେବଳ ସେଇ । ମୋର ଦୁଃଖ ଓ ମୋର ସୁଖ ଯେତେବେଳେ ସେହି Context ରୁ ବିଚ୍ଛିନ୍ନ ହୋଇପଡ଼େ, ଯେତେବେଳେ ସେହି ଚରମଥଳରୁ ତାହାର ଦିଗ ହଜିଯାଏ, କେବଳ ସେତିକିବେଳେ ହିଁ ମୋର ଦୁଃଖ ଓ ମୋର ସୁଖ ମୋ’ ଲାଗି ଅତି ଦୁର୍ବହ ହୋଇପଡ଼େ, ସାରା ଜୀବନଟା ଯେପରି ସେତିକିବେଳେ ଏକ ପ୍ରବଳ ଭାର ପରି ହୋଇ ମୋତେ ଅଣନିଶ୍ଵାସୀ କରି ପକାଏ । ଧର୍ମ ବହିରେ, ଧର୍ମ ମନ୍ଦିରରେ ସନ୍ଥମାନଙ୍କର ଉପଯୁକ୍ତ ବାଣୀଟିକୁ ଶୁଣି ଶୁଣି ମଣିଷ ଯେପରି ସେହି ବାଣୀର ମର୍ମ ବିଷୟରେ ଜଳକା ହୋଇ ସାରିଲାଣି । ନାନା ବାହ୍ୟ ଆୟୋଜନ ଓ ଅନୁଷ୍ଠାନ ମଧ୍ୟଦେଇ ଆମେ ଧର୍ମକୁ ଏପରି prosaic (ସୁଣ୍ଠା) କରି ସାରିଲୁଣି ଯେ ଧର୍ମରେ ନିହିତ ହୋଇ ରହିଥିବା ଶ୍ରେଷ୍ଠ ଜୀବନ ବାଣୀଗୁଡ଼ିକ ପ୍ରତି ସଚେତ ହୋଇ ପାରିବାର ମନକୁ ଆମେ ହରାଇ ବସିଲୁଣି । ସତେ ଯେପରି ଆମର ଜୀବନ ପ୍ରତି ସେ ସବୁର ଆଉ କୌଣସି ଅର୍ଥ ନାହିଁ, ସତେ ଯେପରି ତାହା ଆମ ଲାଗି କେବଳ ଘଡ଼ିଏ ମନ୍ଦିରରେ ବସି ଚିତ୍ତ ବିନୋଦନ କରିବାର ସରଞ୍ଜାମ ହୋଇ ରହିଲାଣି । ଧର୍ମାନୁଷ୍ଠାନର ପ୍ରତିନିଧି ଧର୍ମଯାଜକ ବା ପୁରୋହିତ ବର୍ତ୍ତମାନର ସମାଜରେ ହୁଏତ ସବୁଠାରୁ ଅଧିକ ଦୟନୀୟ ଏକ ଜୀବ ହୋଇ ପଡ଼ିଲାଣି । ମୋଟା ଦରମା ବା ମୋଟା ଦକ୍ଷିଣା ପାଇ ବିଶେଷ ପର୍ବପର୍ବାଣିରେ କେତେଟା ବଛାବଛା କଥା କହି ଆପଣାର କାମ ଶେଷ କରିଦେବାକୁ ସେ ଆଉ ଲଜ୍ଜାବୋଧ କରୁନାହିଁ । ସମାଜର temper ଅନୁସାରେ ସିଏ ମଧ୍ୟ ଆପଣାକୁ ତଦନୁରୂପ କରି ତିଆରି କରି ସାରିଲାଣି ।

 

ତଥାପି ଶୁଣିଲା ଲୋକ ଓ ଗ୍ରହଣ କଲା ଲୋକ ଲାଗି ଏପର୍ଯ୍ୟନ୍ତ ଧର୍ମ ଓ ଧର୍ମର ବାଣୀ ଜାରି ରହିଚି । ବେଦ, କୋରାନ ବା ବାଇବେଲକୁ ବିଭେଦ କରି ଦେଖିବାଲାଗି ତା’ର ଅବକାଶ ନାହିଁ । ଆପଣାର ବ୍ରତୋଦ୍ୟମଶୀଳ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ସେ ସବୁଠାରୁ ପଦେ ପ୍ରେରଣା ଖୋଜି ବୁଲୁଚି । ଯେଉଁଠି ଆପଣାର ଖୋଜିଲା ଧନକୁ ପାଉଚି, ସେହିଠାରେ ହିଁ ତାକୁ ଲକ୍ଷେ ପାଇଲାପରି ଲାଗୁଚି । ସେ ଅନୁଭବ କରୁଚି, ସଂସାରର ଏହିସବୁ କଥା ଯେପରି କାହାରିଲାଗି କୁହାଯାଇଥିଲା ବା ତାହାରିଲାଗି ଲେଖା ଯାଇଥିଲା ।

 

୨୭ । ୪ । ୫୧

 

ହଁ, ସଂସାରର ସବୁ କ୍ଷେତ୍ରରୁ ଓ ସବୁ ଘଟଣାରୁ ମଣିଷର ଶିଖିବାର ଅଛି । ଆପଣାର ବନ୍ଧୁପରି ଆପଣାର ଶତ୍ରୁ ମଧ୍ୟ ଜୀବନରେ ଆମକୁ ଅନେକ କଥା ଶିଖିବାର ସୁଯୋଗ ଦେଇଥାଏ । ସୁଖ ଓ ସମ୍ପଦପରି ଦୁଃଖ ଓ ବିପଦ ବେଳରେ ମଧ୍ୟ ଅନ୍ତର ଅନେକ ଦୃଷ୍ଟିରୁ ଉପକୃତ ହୁଏ । ଅବଶ୍ୟ ସବୁକ୍ଷେତ୍ରରେ ଓ ସବୁ ଅବସ୍ଥାରେ ସାରକଥାତକ ଗ୍ରହଣ କରିବା ଲାଗି ମଣିଷର ଯୋଗ୍ୟତା ରହିଥିବା ଦରକାର । ସୁଖବେଳେ ଆମେ ଗୋଟାସୁଦ୍ଧା ସୁଅ ଭିତରକୁ ଡେଇଁପଡ଼ି ଆପଣାର ସ୍ଵତନ୍ତ୍ରତାଟିକୁ ହରାଇବସୁ, ଦୁଃଖବେଳେ ନାନା ଅନାଗତ ବିପଦର ଆଶଙ୍କା କରି ନିଜକୁ ରକ୍ଷା କରିବାର ତ୍ରସ୍ତତାରେ ଆମେ ଅତି ଆବଦ୍ଧ ଓ ସଂକୀର୍ଣ୍ଣ ମନଃକୂପରେ ଆଶ୍ରୟ ଖୋଜିବୁଲୁ । ଏପରି ମନ କୌଣସି ଅବସ୍ଥାରେ ମଧ୍ୟ କିଛି ଶିଖି ପାରିବ ନାହିଁ । ଯିଏ ସମସ୍ତ ସଂସାରଟିକୁ ପ୍ରଧାନତଃ ଏକ ବିରାଟ ଶିକ୍ଷାଳୟ ଭଳି ଗ୍ରହଣ କରିବ, ସିଏ ଦୁଃଖ ସୁଖରେ ଆପଣାକୁ କଦାପି ହରାଇ ବସିବ ନାହିଁ । ଅବସ୍ଥାର ଅନୁକୂଳତା ଓ ପ୍ରତିକୂଳତା ଅନୁସାରେ ସିଏ କଦାପି ଏପାଖ ସେପାଖ ଦୋହଲି ଯିବନାହିଁ । ଆଗ ସଂଯମ, ତା’ପରେ ଶିକ୍ଷା । ଆପଣାର ସ୍ଵାର୍ଥ, ଆପଣାର ବିନୋଦନ ଓ ଆପଣାର securityକୁ ଗୌଣ ଭୂମିକୁ ଅପସରାଇ ଆଣି ଯଥା ସମ୍ଭବ ନିର୍ଲିପ୍ତ ଭାବରେ ନିରୀକ୍ଷଣ ଓ ଗ୍ରହଣ କରିବା ହେଉଚି ସଂଯମର ମୂଳ କଥା । ମୋର ବିପଦ ଭାବନା ଯେପରି କେବେହେଲେ ମୋ’ ଭିତରେ ରହିଥିବା ଶିକ୍ଷାର୍ଥୀକୁ କୌଣସି ପ୍ରକାରେ ଆହତ କରି ନଦେଉ ! ଅପରର ଅପବାଦକୁ ଆପଣାକୁ ରକ୍ଷା କରିବା ଲାଗି ମୁଁ ଯେପରି ଆପଣାର ପ୍ରତିଫଳନ–ପାତ୍ରଟିକୁ ଆଦୌ ସଙ୍କୁଚିତ କରିନଦିଏ । ତେବେଯାଇ ମୁଁ ବଢ଼ିବି, ସଂସାରର ତିକ୍ତମଧୁର ଉଭୟକୁ ମିଶାଇ ମୁଁ ତେବେଯାଇ ଆପଣାର ଜୀବନରସଟି ପ୍ରସ୍ତୁତ କରିପାରିବି । ତେବେଯାଇ ମୁଁ କ୍ଷେତ୍ରରୁ କ୍ଷେତ୍ରକୁ ଅତି ସହଜ ଓ ଅତି ଉତ୍ସାହିତ ମନରେ ମୁଁ ଆପଣାକୁ ପ୍ରସାରିତ କରିପାରିବି-। ଯାହାରି କୃପାରୁ ମୋର ନାନା ବ୍ୟଞ୍ଜନାରେ ଚିଚିତ୍ର ହୋଇ ରହିଚି; ତାହାରି ବିଚିତ୍ରତାକୁ ପୂର୍ଣ୍ଣ ଓ ସଂଯତ ହୋଇ ଗ୍ରହଣ କରିବାଲାଗି ଯୋଗ୍ୟ ହୋଇ ପାରିବାକୁ ଆଜି ତାହାରି କୃପା ମୋତେ ଆଶୀର୍ବାଦ କରିଯାଉ ।

 

୨୮ । ୪ । ୫୧

 

ଜଗତରେ ନାନା ଦେଖିବା ଓ ନାନା ଚିହ୍ନିବାରେ ବିବିଧ କ୍ଷେତ୍ରରେ ଯେପରି ବେଳେବେଳେ ମୋର ଦୃଷ୍ଟିଭୂମି ଅନେକଦୂର ପର୍ଯ୍ୟନ୍ତ ଅତି ସ୍ପଷ୍ଟ ହୋଇଯାଉଚି, ହଠାତ୍ ସେହି ଭୂମି ଉପରେ ଅନେକ ଦୂର ମାଡ଼ିଯିବାକୁ ମୋ’ ଭିତରେ ଏକ ପ୍ରବଳ ଉତ୍ସାହ ଜାଗି ଉଠୁଚି । ସଂସାରରେ ଅନେକ ଜାଣିବାର ଓ ଅନେକ ଚିହ୍ନିବାର ରହିଚି, ଆପଣାର ସୀମିତ ଶକ୍ତି ଓ ସୀମିତ ମନ ନେଇ ଏଠି ଆମ ପ୍ରତ୍ୟେକଙ୍କୁ ଅନେକ ବାଟ ଯିବାକୁ ହେବ;—ବେଳେବେଳେ ଏପରି ଏକ ଚିନ୍ତା ମନରେ ପଶି ମନଟାକୁ ନାନା ଆଶଙ୍କା ଓ ଅନିଶ୍ଚିତତାରେ ବଡ଼ ବିସ୍ମିତ ଓ ଅଚଳ କରିପକାଏ-। ସଂସାରର ସବୁ ସତେଅବା ଏକ ବିରାଟ ପର୍ବତ ପରି ଆଗରେ ଠିଆହୋଇ ରହେ-। ସେତେବେଳେ ଆପଣାକୁ ବଡ଼ କ୍ଷୁଦ୍ର ଓ ବଡ଼ ଅନଭିଜ୍ଞ ପରି ମନେହୁଏ, ପହୁଣ୍ଡକରୁ ଅଧିକ ଆଗକୁ ଯିବାଲାଗି ଯେପରି ସାହସ ହିଁ ପାଏନାହିଁ ।

 

କିନ୍ତୁ ବେଳେବେଳେ ସବୁ ଉନ୍ମୁକ୍ତ ଓ ପ୍ରସାରିତ ହୋଇଯାଏ । ବିରାଟ ଓ ବିଚିତ୍ର ସଂସାରର ଭୂମିଉପରେ ଆପଣାର ପଥଟି ହଠାତ୍ ଅତ୍ୟନ୍ତ ଏକକ ଓ ଅତ୍ୟନ୍ତ ସ୍ପଷ୍ଟ ହୋଇ ଆଖିକୁ ଦିଶିଯାଏ । ଏହି ପଥଟି ଯେପରି ମୋର ମନ ସହିତ ଅଜ୍ଞାତ ଅନନ୍ତକୁ ଏକ ସହଜ ସେତୁଦ୍ଵାରା ସଂଯୁକ୍ତ କରି ଦେଇଯାଏ । ମୋର ସୁନିଶ୍ଚିତ ପଥ ମୁଁ ପାଇଚି, —ଏହିପରି ଏକ ଦୃଢ଼ ବିଶ୍ଵାସ ମନକୁ ଭାରି ହାଲୁକା କରିଦିଏ । ସେହି ପଥରେ ଉତ୍ସାହିତ ଯାତ୍ରାର ନାନା ଯୋଜାନାରେ ମଣିଷ ସଂସାରର ସବୁ ଅଜଣା ଓ ଅଚିହ୍ନା କ୍ଷେତ୍ର ସହିତ ହଠାତ୍ ପରିଚିତ ହୋଇଯାଏ । ଦୀର୍ଘପଥର ଯାତ୍ରାପୂର୍ବରୁ ପଥ ଧାରରେ ଥିବା ସରାଇଘର ବାଟୋଇକୁ ଅଭୟ ଦେଇଗଲା ପରି ଆପଣାର ପଥଟିକୁ ସ୍ପଷ୍ଟଭାବରେ ଦେଲାବେଳେ ଏହିପରି ଏକ ଅଭୟ ମଣିଷକୁ ତା’ର ବାଟଚାଲିବା ଲାଗି ଅନେକ ପ୍ରେରଣା ଦେଇଯାଏ । ତାର ସବୁ ଅଚିହ୍ନା ଓ ଅଜଣା ତାକୁ ସତେଅବା ଦୁଇଗୁଣ ଆଦରରେ ଆକୃଷ୍ଟ କରିନିଏ ।

 

୩୦ । ୪ । ୫୧

 

ଯେତେବେଳେ ବଣିକ ଶୁଭଙ୍କର ସହାୟକର ମୁଖା ପିନ୍ଧି ଅକିଞ୍ଚନକୁ ଦୟା ଦେଖାଇବାକୁ ବାହାରେ, ସେତେବେଳେ ସଂସାର ଉପରେ ବିଧାତା ହୋଇବସିଥିବା ଜଗତ୍‍କର୍ତ୍ତା କଅଣ ଭାବୁଥିବେ କେଜାଣି ? ଭାରତବର୍ଷରେ ହୁଏତ ମୋହରି ଘରକୁ ଲାଗି ଆଉ ଗୋଟାଏ ଘରେ ବଣିକ ରହିଚନ୍ତି, ଦରକାର ପଡ଼ିଲେ ସେମାନେ ଦୁଃଖୀର ଦୁଃଖ ଓ ହତଭାଗ୍ୟର କଷ୍ଟ ଦୂର କରିବାକୁ କେତେ କେତେ ଦାନ କରୁଚନ୍ତି, କିନ୍ତୁ ତଦ୍ଦ୍ଵାରା ଦୁଃଖର ବୀଜଟି ଦୂର ହୋଇପାରିଚି କି ? କୌଣସି ଦେଶ କେବେହେଲେ ଆପଣାକୁ ଅପରର ଦୟାରେ ବଞ୍ଚାଇ ପାରିଚି କି ? ଅବଶ୍ୟ ଯେଉଁମାନେ ଦୂରରେ ଆରାମରେ ଥାଇ ଅପରକୁ ଦୟା ଦେଖାଇବା ପାଇଁ ଭାରି ତତ୍ପର ହୋଇ ପଡ଼ିଚନ୍ତି, ସେମାନଙ୍କ ବିରୁଦ୍ଧରେ ମୋର କୌଣସି ଆପତ୍ତି ନାହିଁ ! କିନ୍ତୁ ଏହି ଦୟାର ପଛେ ପଛେ ଯଦି ଭାରତ ଏବଂ ଡେନ୍‍ମାର୍କର ବ୍ୟବସାୟୀଙ୍କ ମଧ୍ୟରେ ମଧ୍ୟମଲୋକ ବା ଭଲ ଲୋକ ସାଜି ପଇସା କମାଇବାର ଉଦ୍ଦେଶ୍ୟଟି ପ୍ରଚ୍ଛନ୍ନ ହୋଇ ରହିଥାଏ, ତେବେ ଏହା ଅତ୍ୟନ୍ତ ସଫା କଥା ଯେ ଏହାଦ୍ୱାରା ଭାରତ ଡେନ୍‍ମାର୍କ କୌଣସି ଦେଶର ମଙ୍ଗଳ ହେବ ନାହିଁ । ଖାଲି ଭାତରରେ କାହିଁକି, ପୃଥିବୀର ଇତିହାସରେ ବି ଘଟିଥିବା ସକଳ ଦୁର୍ଭିକ୍ଷ ଓ ଦୁର୍ବିପାକରେ ଧନୀ ଓ ସମ୍ପନ୍ନ ଜନମାନେ ଦରିଦ୍ର ପ୍ରତି ଦୟା ଦେଖାଇଚନ୍ତି । ଏ ଦୟା ହୁଏତ ସେହି ସାଧାରଣ ଦୟାର ଏକ ଦୃଷ୍ଟାନ୍ତ ମାତ୍ର ।

 

ଭାରତରେ ଖାଦ୍ୟର ଅଭାବ ଘଟିଚି । କିନ୍ତୁ ସବୁଠାରୁ ବଡ଼ ଜଘନ୍ୟ କଥା ହେଉଚି ଯେ ଦେଶରେ ବର୍ତ୍ତମାନ ଯେତିକି ଖାଦ୍ୟ ମହଜୁଦ୍‍ ରହିଚି, ହୁଏତ ସେତିକି ଖାଦ୍ୟକୁ ମଧ୍ୟ ସବୁ ମଣିଷଙ୍କ ପାଖରେ ଆଣି ପହୁଞ୍ଚାଇବା ଲାଗି ଯଥାର୍ଥରେ କୌଣସି ସାଧୁ ଉଦ୍ୟମ ହୋଇ ନାହିଁ । ଦେଶର ଭାଗ୍ୟ ଉପରେ ସେଠି ବଣିକର ରାଜତ୍ଵ ଚାଲିଚି । କୋଡ଼ିଏ ବରଷ ପରେ ଦେଶରେ ରେଳ ମଟର ଓ ଆମୋଦ ସରଞ୍ଜାମମାନ ଭର୍ତ୍ତି କରିଦେବାର ଲୋଭ ଦେଖାଇ ସେଠି ବଡ଼ ଲୋକ ଯନ୍ତ୍ରପ୍ରସାରର ଭାରି ଧୁମ୍ ଲଗାଇଚି । ଦେଶରେ ଜନଗଣ ଲାଗି ଭାତର ବ୍ୟବସ୍ଥା ହେବା ପୂର୍ବରୁ ସେଠି ଜାତି ନାମରେ ନାନା ପ୍ରକାର ଉଡ଼ା ଖିଆଲର ମସୁଧା ଚାଲିଚି । ବଣିକରାଜ ଜାରି ଥିବା ପର୍ଯ୍ୟନ୍ତ କେବେ ଦେଶର ଭଲଗତି ନାହିଁ । ଦେଶର ଭାଗ୍ୟବିଧାତା ଆମକୁ ଏହି ବଣିକ ବୃତ୍ତିର ପ୍ରତିରୋଧ କରିବା ଲାଗି ଯଥେଷ୍ଟ ବିଚାରଶକ୍ତି ଓ ବଳ ଦିଅନ୍ତୁ । ଭାରତ ହେଉ, ଆମେରିକା ହେଉ ଡେନ୍‍ମାର୍କ ହେଉ, ସବୁଠି ସବୁ ପ୍ରକାର ଉଦ୍ୟମରେ ଏହି ବଣିକକୁ ଚିହ୍ନି ରଖିବାରେ ଆମେ ଯେପରି ସବୁପ୍ରକାରେ ସାବଧାନ ହୋଇଥାଉ ।

 

୧ । ୫ । ୫୧

 

ଏଠି ଖବର କାଗଜରେ ଓ ବକ୍ତୃତାମାନଙ୍କରେ ଭାରତବର୍ଷରେ ଆପଣାର career ଖୋଜିଯିବାର ସୁଯୋଗ ବିଷୟରେ ବେଳେବେଳେ ଭାରି ଉପଦେଶ ଦିଆଯାଉଚି । ଦୁଇଶହ ବର୍ଷ ତଳେ ହଠାତ୍ ସକ୍ରିୟ ହୋଇ ଉଠିଥିବା ବଣିକର ମନ ଏବେ ମଧ୍ୟ ନାନାପ୍ରକାରେ ପଶ୍ଚିମ ସମାଜରେ ନିଜର ପ୍ରଭାବ ବଜାୟ ରଖିଚି । ଏଠାକାର ଯୁବକ ଇଞ୍ଜିନିୟର ଡାକ୍ତର ବା କାରିଗର ବନି ସୁଦୂର ପ୍ରାଚ୍ୟରେ ଆପଣାର ଭାଗ୍ୟପରୀକ୍ଷା କରି ଯିବାଲାଗି ‘chauces’ ଖୋଜି ବୁଲୁଚି । ମୁଁ ଖାଲି ଭଗବାନଙ୍କୁ ଡାକୁଚି, ଦୁର୍ଭିକ୍ଷ ସମୟରେ ଭାରତକୁ ଖାଦ୍ୟ ପଠାଇବାର ଉଦ୍ୟମଟି ପଛରେ ମଧ୍ୟ ସେପରି କୌଣସି ମନୋଭାବ ଗୁପ୍ତ ହୋଇ ନରହୁ । ପ୍ରାୟ ଚାରିଶହ ବର୍ଷତଳେ ବିଲାତରୁ ପ୍ରଥମ ବଣିକଦଳ ଏହିପରି ଶୁଭେଚ୍ଛୁ ସାଜି ଭାରତକୁ ଯାଇଥିଲେ । ଗତ କେତୋଟି ଶତାବ୍ଦୀ ଭିତରେ ସେମାନଙ୍କ ଶୁଭେଚ୍ଛାର ଯଥେଷ୍ଟ ପରିଚୟ ମିଳିଚି ।

 

ସବୁଠାରୁ ବେଶି ଆଶ୍ଚର୍ଯ୍ୟ ଲାଗୁଚି, ନାନା ଉତ୍ପାଦନ ଓ ନାନା ଉଦ୍ୟମରେ ସମୃଦ୍ଧିମନ୍ତ ଏହି ଦେଶର ଯୁବକ ତଥାପି ଦେଶ ବାହାରେ ଆପଣାର ଭାଗ୍ୟପରୀକ୍ଷା କରିବାକୁ ଯିବ କାହିଁକି ? ଡେନ୍‍ମାର୍କର ଚାଳିଶି ଲକ୍ଷ ପେଟ ପୂରିବାକୁ କଣ ଏହି ଦେଶରେ ଯଥେଷ୍ଟ ଜୀବନ ସାମଗ୍ରୀ ଉପୁଜି ପାରିବ ନାହିଁ ? ମାସକତଳେ ମୁଁ ପଶ୍ଚିମ ଡେନ୍‍ମାର୍କର ଗ୍ରାମାଞ୍ଚଳରେ ତଲାସକରି ଦେଖିଥିଲି ଯେ ପ୍ରାୟ ପ୍ରତ୍ୟେକ ପରିବାରରୁ କେହିନା କେହି ଘର ଛାଡ଼ି ବିଦେଶକୁ ଯାଇଚି ଭାଗ୍ୟପରୀକ୍ଷା କରିବାକୁ । ପାଠ ପଢ଼ିବା ବା ସଂସ୍କୃତିର ସୁଖକର ଆଦାନ ପ୍ରଦାନ ଦୃଷ୍ଟିରୁ ଏସବୁ ଘଟୁଥିଲେ ତାହା ଭାରି ଆନନ୍ଦର କଥା ହୋଇଥାନ୍ତା କିନ୍ତୁ ଦାରିଦ୍ର ପ୍ରାଚ୍ୟ ଏପର୍ଯ୍ୟନ୍ତ ତାର ପେଟର ସମସ୍ୟାଟିକୁ ମଧ୍ୟ ସୁଧାର ପାରିନଥିବା ବେଳେ ସାହାଯ୍ୟ କରିବା ନାଆଁରେ ଏହି ଭାଗ୍ୟପରୀକ୍ଷା ଲାଗି ଲୋଭାସକ୍ତ ଦଳ କାହିଁକି ବଣିକର ମନଦେଇ ସେହି ଭୂଖଣ୍ଡକୁ ବିପର୍ଯ୍ୟସ୍ତ କରିବାକୁ ଯିବେ ?

 

୨ । ୫ । ୫୧

 

ବିହାରରେ କୁଆଡ଼େ ଭାରି ଦୁର୍ଭିକ୍ଷ ଲାଗିଚି । ସାତହଜାର ମାଇଲ ଦୂରରେ ଅବସ୍ଥିତ ଏଦେଶରେ ମଧ୍ୟ ବିହାରର ଦୁଃଖରେ ଆହା ବୋଲି କହିବାକୁ ଲୋକେ ତତ୍ପର ହୋଇଉଠିଲେଣି । ମୋର ମନ ହଠାତ୍ ପଚାରୁଚି, ପାଟନା ସହରରେ ସବୁ ବଡ଼ ହୋଟେଲ କଣ ବନ୍ଦହୋଇ ଗଲାଣି-? ବିହାରର ବଡ଼ ଲୋକ ଘରେ କଣ ଅନାବଶ୍ୟକ ଭାବରେ ସତର ବ୍ୟଞ୍ଜନର ବ୍ୟବସ୍ଥା ହେଉନାହିଁ-? ମନ୍ତ୍ରୀମାନେ କଣ ଶତକଡ଼ା ଦୁଇଶହର ଅନୁପାତରେ ଗସ୍ତଖରଚ ନେଉ ନାହାନ୍ତି ? ଜାତି ନାମରେ କଳଙ୍କ ଲଗାଇ ଯେତେବେଳେ ମଣିଷର ଅଭାବକୁ ବିଦେଶରେ ପ୍ରଚାର କରିବାର ଦୁଆରେ ଭିକ ମଗାଯାଏ ସେତିକିବେଳେ ଆପଣାକୁ ଜାତିର ଜଣେ ବୋଲି କହି ବୁଲୁଥିବା ବଡ଼ ଲୋକମାନଙ୍କୁ ବାରବାର ଏହି ପ୍ରଶ୍ନଗୁଡ଼ିକୁ ପଚାରିବାକୁ ଇଚ୍ଛା ହୁଏ । ଦରଭଙ୍ଗାରେ କୁଆଡ଼େ ସବୁଠାରୁ ଅଧିକ ଖାଦ୍ୟଭାବ ଘଟିଚି । ଦରଭଙ୍ଗାର ମହାରାଜା ସାହିତ୍ୟ ଓ ସଂସ୍କୃତଲାଗି କେତେ କଅଣ ଦାନ କରିଚନ୍ତି, ତିନିବର୍ଷ ତଳେ ପଣ୍ଡିତ ସମ୍ମିଳନୀ ଡକାଇ ସେ ପଣ୍ଡିତମାନଙ୍କୁ ସୁନା ରୁପାରେ ବାଟ ଚଲାଇଚନ୍ତି । ଭୋଜନ ଭୁଞ୍ଜାଇଚନ୍ତି, ତାଙ୍କର ରାଜଧାନୀକୁ ନୂଆ ଭାବରେ ସଜା ହୋଇଥିବା ରେଳଗାଡ଼ି ଯା’ ଆସ କରୁଚି ତଥାପି ତାଙ୍କରି ପ୍ରଜା ଆଜି ଅନାହାରରେ ମରୁଚି ବୋଲି ଡେନ୍‍ମାର୍କ ଯାଏ ଖବର ଆସୁଚି କାହିଁକି ?

 

ଅସଲ କଥା ହେଉଚି, ଆମେ ଯେପର୍ଯ୍ୟନ୍ତ ସମୂହଭାବରେ ଜାତି ଲାଗି ଯୋଜନା କରି ନପାରିବା, ନାନା ଉନ୍ନୟନର ଉଦ୍ୟମରେ ଆମେ ଯେପର୍ଯ୍ୟନ୍ତ ସମୂହ ଭାବରେ ବାହାରି ନପାରିବା, ଯେପର୍ଯ୍ୟନ୍ତ ଖାଦ୍ୟ, ବସନ ଓ ବସତିର ସମସ୍ୟାକୁ ପଛକୁ ପେଲିଦେଇ ଜାତିର ଗୌରବ ବଢ଼ାଇବାର ମୋହରେ ପଡ଼ି କୋଠାବାଡ଼ି, ମନ୍ତ୍ରୀଙ୍କ ଦରମା ଓ ସାହିତ୍ୟ ସଂସ୍କୃତିର ଉଢ଼ୁଆଳରେ ବଢ଼ୁଥିବା ପରାନ୍ନଭୋଜିମାନଙ୍କୁ ପୋଷିବାରେ ଦେଶର ଭଣ୍ଡାରରୁ ଟଙ୍କା ସରୁଥିବ, ସେପର୍ଯ୍ୟନ୍ତ ପ୍ରରାଭାବରେ ହେଉ ବା ଅଧାଭାବରେ ହେଉ ଭାରତବର୍ଷରେ ଅନାହାର ଲାଗି ରହିଥିବା ବାହାରୁ କୌଣସି ପ୍ରକାର ସାମ୍ୟାବାଦୀ ବା ଗଣତନ୍ତ୍ରବାଦୀ ଦୟା କାଦାପି ତାର ପେଟ ପୂରାଇ ପାରିବ ନାହିଁ-

 

୩ । ୫ । ୫୧

 

ମଣିଷ ଶରୀରର Nervous system ନେଇ ବିଗତ କେତେ ବର୍ଷ ହେଲା ନାନା ଗବେଷଣା ଚାଲିଚି । Matter କୁ ଦିନେ ଦେବତାର ଆସନରେ ନେଇ ଥୋଇଥିବା ପଦାର୍ଥବିତ୍‌ମାନଙ୍କ ପରି ହୁଏତ କେତେ Neurologist ଆପଣାର ଗବେଷଣା ଦ୍ଵାରା ମନୁଷ୍ୟ ଲାଗି ଗୋଟିଏ ସର୍ବସଂଶୟ କବଚ ବାହାର କରିବାର ଦମ୍ଭ କରିଥିଲେ । କାଲି ସେହିପରି ଜଣେ ପଣ୍ଡିତଙ୍କର ଗୋଟିଏ ଲେଖା ପଢ଼ିବାକୁ ମିଳିଲା । ସେ ଲେଖିଛନ୍ତି, ମନୁଷ୍ୟର ମାନସିକ ଶକ୍ତି ବଢ଼ାଇବାଲାଗି କେବଳ ଦୁଇଟି ଉପାୟ ବ୍ୟତୀତ Neuriology ଆଉ କିଛି ଅଧିକ ବଢ଼ାଇ ପାରିବ ନାହିଁ । ପ୍ରଥମଟି ହେଉଚି, ସବୁ କ୍ଷେତ୍ରରେ ଆହୁରି ବେଶି ସୁସ୍ଥ ଓ ସବଳ ଭାବରେ ବ୍ୟବହୃତ ହୋଇପାରିବା ଲାଗି ମଣିଷର Brain ଆହୁରି ବଡ଼ ହେବା ଉଚିତ । ବର୍ତ୍ତମାନ ମଣିଷର ମସ୍ତିଷ୍କର ପରିମାଣ Chimpanzeeର ମସ୍ତିଷ୍କ ପରିମାଣଠାରୁ ବେଶି ନୁହେଁ । ଦ୍ଵିତୀୟ ଉପାୟଟି ହେଉଚି ମାଦକ ରସ (Drugs)ର ସେବନ । ଚାହା, କଫି ପିଇଲେ ମଣିଷର ସବୁ କ୍ଳିଷ୍ଟ ଆବେଗ କିପରି କ୍ଷଣକ ଲାଗି ଅନ୍ତର୍ହିତ ହୋଇଯାଏ, ତାହାରି ଉଦାହରଣ ଦେଇ ଲେଖକ ଆପଣା ଥିଓରିର ସମର୍ଥନ କରିଛନ୍ତି । ମଣିଷ ଭିତରର Hormonic system ଶରୀରରେ ଏହିପରି ଏକ ମାଦକରସ ସୃଷ୍ଟି କରି ତା’ର ମାନସିକ ଭୂମିକୁ ପ୍ରଭାବିତ କରେ ବୋଲି ସେ ଅନୁମାନ କରିଚନ୍ତି ।

 

ଜଣେ Neurologist ବିଶେଷଜ୍ଞ ଦୃଷ୍ଟିରେ ଲେଖକ ମଣିଷର ମନ ଓ ଶରୀରକୁ କିପରି ଦେଖିଥିବେ, ମୁଁ ସେକଥା କହିପାରିବି ନାହିଁ । କେବଳ ବଡ଼ ଦୁଃଖ ହୁଏ ଯେ ଏତେ ଗବେଷଣା ଓ ଏତେ ପଇସା ଖରଚ ହୋଇ ସାରିବା ପରେ ବିଜ୍ଞାନ ସକଳ ପରୀକ୍ଷାକୁ ଖାଲି ଗୋଟାଏ ପ୍ରକାର Pessimism ଉପରେ କଚାଡ଼ି ଦେଇ ଚୂନା କରିଦେଉଚି । ଆପଣାର ଷଡ଼ଇନ୍ଦ୍ରିୟ ଦ୍ଵାରା ସତ୍ୟକୁ ସମଗ୍ର ଭାବେ ଚିହ୍ନିବା ହୁଏତ କେବେହେଲେ ସମ୍ଭବ ହେବ ନାହିଁ । Empirical ରୀତିର ଏହି ନିରାଶାମୂଳ ବାଟକୁ ଛାଡ଼ିଦେଇ ଅନ୍ୟ କୌଣସି ସୁସ୍ଥତର ମାନଦଣ୍ଡ ଦ୍ଵାରା ସୁସ୍ଥ ଭାବରେ ବଞ୍ଚିବାର ଉପାୟ ଖୋଜି ପାରୁଥିଲେ ହୁଏତ ଆପଣାର ଛୋଟିଆ ମସ୍ତିଷ୍କଟି ସତ୍ତ୍ୱେ ବି ମଣିଷ ଅନେକ ଦୂର ଆଗେଇ ପାରୁଥାନ୍ତା । ଧର୍ମ ସେହି ଅନୁସନ୍ଧାନ ଅବତାରଣା କରି ଆସିଚି ସବୁ ଯୁଗରେ ।

 

୪ । ୫ । ୫୧

 

ବେଶୀ ବେଶୀ ବହି ପଢ଼ି ମଣିଷ ଯଦି ଆପଣାର ମନର ବଳ ହରାଇ ବସିଲା, ତେବେ ସେଇ ପଢ଼ିବାରେ ଆଉ କି ସାର୍ଥକତା ରହିଲା । ସକ୍ରେଟିସଙ୍କ ଅମଳରୁ ଆରମ୍ଭ କରି ଆଜିଯାଏ ସଂସାରର ମଣିଷ ଆଗରେ ନାନା ସମସ୍ୟାର ଜଟିଳତା ବାଟ ବନ୍ଦ କରି ରହି ଆସିଚି । ସେହି ସମସ୍ୟା ଗୁଡ଼ିକର ଚିରସ୍ଥାୟୀତାକୁ ଅମ୍ୱଉକାର କରି ସକଳ ମଣିଷ ସବୁବେଳେ ନୂଆ ବାଟ ପାଇଚି, ନୂଆ ଆଦର୍ଶରେ ଅନୁପ୍ରାଣିତ ହୋଇଚି । ପରିପାର୍ଶ୍ଵ ସହିତ ଆପଣାକୁ କେବଳ ଅନୁକୂଳତା କରିନେଇ ପରିପାର୍ଶ୍ଵକୁ ମାନି ନେଇଥିଲେ ଜୀବନସୃଷ୍ଟିର ଅଭିଯାନ ହୁଏତ ମଣିଷ ଯାଏ ପହଞ୍ଚି ପାରିନଥାନ୍ତା । ଅନେକ ପ୍ରତିକୂଳ ଅବସ୍ଥା ଓ ଅନେକ ଅସୁସ୍ଥ tendency ସତ୍ତ୍ୱେ ମଣିଷ ତା’ର ଆପଣାର values କୁ ଆଖିଆଗରେ ରଖି ନାନା ନୂତନ ଉଦ୍‌ଭାବନରେ ଆଗେଇ ନେଇ ଯାଉଥିବା ବାଟ ହୁଡ଼ିଚି ବୋଲି ଜାଣିବା ମାତ୍ରକେ ସେ ପୁଣି ଆପଣାର ଇଚ୍ଛାଶକ୍ତି ଦ୍ଵାରା ବାଟକୁ ଫେରିଆସୁଥିବ, ଗୋଟିଏ ପର୍ଯ୍ୟାୟର ମିଛ ପ୍ରବର୍ତ୍ତନା ବିଷୟରେ ସଚେତ ହେବାମାତ୍ରକେ ସେ ନୂଆ ଜୀବନମୂଲ୍ୟର ଆବଶ୍ୟକତା ଅନୁସାରେ ଆପଣାର ସମାଜ ଓ ଆପଣାର ଜୀବନଧାରାକୁ ବଦଳାଇ ଦେଉଥିବ ।

 

ସମାଜଶାସ୍ତ୍ର ଓ ନୃତତ୍ତ୍ଵବିଜ୍ଞାନ ଆଦି ନାନା ବଡ଼ବଡ଼ ନାଆଁ ଦେଇ ମଣିଷର ଆଚରଣ ଓ ସମାଜର ରୀତି ବିଷୟରେ ଗବେଷଣା କରୁଥିବା ବଡ଼ବଡ଼ ପଣ୍ଡିତମାନଙ୍କର ଗୋଟାଏ ଗ୍ରନ୍ଥ ପଢ଼ି କାଲି ଆପଣାକୁ ଭାରି ହତାଶ ଓ ଦୁର୍ବଳ ଲାଗିଲା । ଆମର ବ୍ୟବସ୍ଥିତ ସମାଜ ଭାଙ୍ଗିପଡ଼ୁଚି, ଆମର ପରିବାର ଓ ଆମ ପ୍ରତିବେଶ ତଳକୁ ତଳକୁ ଯାଉଚି, ଇନ୍ଦ୍ରିୟ ପ୍ରକୃତ୍ତି ଗୁଡ଼ିକୁ ଚିରତାର୍ଥ କରିବାଲାଗି ମଣିଷ କୁଆଡ଼େ ସବୁକିଛି ଭାଙ୍ଗି ଦେଇ ଆଦି ସମାଜର Promiscuity ଅବସ୍ଥାକୁ ଫେରିଯିବାକୁ ବସିଚି । ଏହି tendency ଟିକୁ ମାନିନେଇ ପଣ୍ଡିତମାନେ ସେହି ଭବିତବ୍ୟ ସମାଜ ବିଷୟରେ ନାନାବିଧ କଳ୍ପନା କରିଚନ୍ତି । ସତେଯେପରି ଏହି tendencyଟି ଜୀବନସୃଷ୍ଟିର ସ୍ଵାଭାବିକ ଗତିରେ ଏକ ଅବଶ୍ୟମ୍ଭାବୀ ସତ୍ୟ ହିସାବରେ ଆସି ପହଞ୍ଚିଚି, ପଣ୍ଡିତମାନେ ଏହି ଲକ୍ଷଣଟିକୁ ଏକ perversion ବୋଲି କହିବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି । Perversionକୁ Fact ବୋଲି ମାନିନେଇ ବୁଦ୍ଧିପ୍ରବଳ ଜ୍ଞାନଗବେଷଣା କରୁଥିବା ପଣ୍ଡିତମାନଙ୍କର ଏହି ପରିଶ୍ରମ ଆପଣାର ଜୀବନଟିକୁ ବଞ୍ଚିବାଲାଗି ମଣିଷକୁ କେତେଦୂର ଉପକୃତ କରିବ କେଜାଣି ?

 

୫ । ୫ । ୫୧

 

Impusles, Emotions ଓ Sentiments ମଣିଷକୁ ନାନାବିଭକ୍ତ ବାଟରେ ଦଉଡ଼ାଇ ନେଇ ତାକୁ ଅତି ଦୁର୍ବଳ କରିପକାନ୍ତି; କିନ୍ତୁ ଆପଣାର କୌଣସି ଏକ ମହତ୍ତର purpose ଦିଗରେ ଏହି ସବୁ ଅନ୍ତର୍ବୃତ୍ତିକୁ ପ୍ରେରିତ କରିପାରିଲେ ମଣିଷ ଆପଣା ଜୀବନକ୍ଷେତ୍ରରେ ମାଲିକ ହୋଇ ବସେ । ନାନା ସ୍ଖଳନ ଓ ବିସ୍ମରଣ ସତ୍ତ୍ୱେ ଜ୍ଞାନ ଓ ଅଜ୍ଞାତରେ ଏହି purposeର ପ୍ରେରଣାରେ ହିଁ ମଣିଷ ଆପଣାର ସକଳ ନଗ୍ନ ପ୍ରବୃତ୍ତି (Natural Instincts)କୁ ଆପଣା ଜୀବନର ଅନୁକୂଳ କରି ପ୍ରୟୋଗ କରିବାର ଉଦ୍ୟମ କରିଆସିଚି । ଏହାହିଁ ହେଉଛି Culture ବା ସଂସ୍କୃତି । ଆପଣାକୁ ସ୍ତରରୁ ସ୍ତରକୁ ଉଚ୍ଚତର କରି ଠିଆ କରିବାର processଟି ହେଉଚି ସବୁ ସଂସ୍କୃତିର ମୂଳ କଥା । ଧର୍ମ, ସମାଜ, ବ୍ୟକ୍ତିଗତ ଜୀବନ ଓ ଜୀବନର ନୀତି ପ୍ରବୃତ୍ତି ଆମର ସକଳ ଉଦ୍‌ଭାବନ ଖାଲି ମଣିଷର Natureକୁ ମିଶି ତାକୁ culture ଆଡ଼କୁ ପ୍ରବୃତ୍ତ କରାଇ ଆସିଚି ।

 

Empirical ଜ୍ଞାନକୁ ସର୍ବଜ୍ଞାନର ପରିମାପକ ଓ ସବୁ ପ୍ରବୃତ୍ତିର ବିଧାୟକ ବୋଲି ମାନି ଓ ବିଜ୍ଞାନର ଦ୍ଵାହି ଦେଇ ପଣ୍ଡିତମାନେ ଯେଉଁ ଦିନଠାରୁ ଗବେଷଣା ଆରମ୍ଭ କଲେଣି, ସେହିଦିନଠାରୁ ଏହି purposeକୁ ଆମେ ଏକ ଅବୈଜ୍ଞାନିକ speculation ମନେକରି ଅସ୍ଵୀକାର କରିଆସିଚୁ । ଫଳରେ ମଣିଷର ବାହ୍ୟ ଆଚରଣଟା ହିଁ ଆମର ସବୁ ସିଦ୍ଧାନ୍ତର ପୁଞ୍ଜି ହୋଇଚି, ମାତ୍ର ସେହି ଆଚରଣକୁ ନିୟନ୍ତ୍ରିତ କରୁଥିବା ମଣିଷର ବ୍ୟକ୍ତିତ୍ଵ ଓ ସମାଜର ବ୍ୟକ୍ତିତ୍ଵକୁ ଆମେ ବିଲକୁଲ ଏଡ଼ିଦେଇ ଆସିଚୁ । ତେଣୁ କେବଳ ଅପବ୍ୟୟ ଗୁଡ଼ାକ ଓ କେବଳ ବିଚ୍ଛିନ୍ନ automatic response ଗୁଡ଼ାକ ହିଁ ଆମର ଆଖିରେ ପଡ଼ିଚି । ବିଜ୍ଞାନ ନାମରେ ଆମେ ଜ୍ଞାନଗବେଷଣାର ଯାବତୀୟ କ୍ଷେତ୍ରରେ କେବଳ ଅବଶ୍ୟ ପତନ ଓ ନିରାଶାବାଦର ଭବିଷ୍ୟବାଣୀ ଗାଇ ଆସିଚୁ । ପରିବାରର ଅବଶ୍ୟ ଭଙ୍ଗୁରତା ସମ୍ବନ୍ଧରେ ଭବିଷ୍ୟବାଣୀ କରି ତାହାକୁ ହିଁ ସତ୍ୟ ବୋଲି ମାନି ନେଇଥିବା ପଣ୍ଡିତଙ୍କର ଉକ୍ତି ଏହିପରି ଏକ ମନୋଦୃଷ୍ଟିର ଅନ୍ତର୍ଗତ । ସେହି ପଣ୍ଡିତମାନେ ମଣିଷର ଶକ୍ତିଶାଳୀ ପାଖଟିକୁ ଦେଖିବାକୁ ହିଁ ପ୍ରସ୍ତୁତ ନୁହନ୍ତି, ସେହି ପାଖଟିର ନାନା ସମ୍ଭାବନା ବିଷୟରେ ଗବେଷଣା କରି ସେମାନେ ଏଯୁଗର ନାନା ବିଭକ୍ତତା ଭିତରୁ ମଣିଷକୁ ବାଟ ଦେଖାଇ ନେବାର ଦାୟିତ୍ୱଟିକୁ ଆଦୌ ଅନୁଭବ କରିନାହାନ୍ତି ।

 

୬ । ୫ । ୫୧

 

ଭିତର ଭାରି ହାଲୁକା, ମନ ଭାରି ଖୁସି । ଯାହା ଯାଇଚି, ସେଥିଲାଗି କୌଣସି ଅବସନ୍ନତା ନାହିଁ; ଯାହା ଆସୁଚି, ସେଥିଲାଗି ବ୍ୟଗ୍ରତସ୍ତର ହୋଇ ମସ୍ତିଷ୍କର ଉତ୍ତାପ ବଢ଼ାଇବାର କୌଣସି ପ୍ରବୃତ୍ତି ମୋତେ ଗ୍ରାସ କରିନାହିଁ । ଉପସ୍ଥିତ ପ୍ରତ୍ୟେକଟି ମୁହୂର୍ତ୍ତରେ ମୁଁ ଯେପରି ଖାଲି ପୂର୍ଣ୍ଣ ହୋଇ ବଞ୍ଚିଚାଲିଚି । ଯେଡ଼େ ଛୋଟିଆ ପତର ଭେଳାଟିଏ ହେଲେ ମଧ୍ୟ ସମଗ୍ର ସ୍ରୋତର ଚଳମାନ ଭୂମି ଉପରେ ମୁଁ ମୋର ଗତି, ସ୍ଥିତି ଓ ପ୍ରାପ୍ତିକୁ ଠିକ୍ ଭାବରେ ଠଉରାଇ ନେଇପାରିଚି । ପ୍ରାଚୀନ ଗ୍ରୀକ୍ ଦାର୍ଶନିକ Epicurus ଅତୀତ; ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ଯାହା କହିଥିଲେ ବସି ବସି ସେହି ଉକ୍ତିଟିର ମୁନିଆ ଅସ୍ତ୍ରରେ ମୋ’ ଜୀବନ ଓ ମୋ’ ମୁହୂର୍ତ୍ତ ଗୁଡ଼ିକର ଶିରା ଘାଣ୍ଟିବାକୁ ଆଉ ମୋର ବେଳ ନାହିଁ ।

 

ଏହିପରି ଗୋଟିଏ ଗୋଟିଏ ପବିତ୍ର ମୁହୂର୍ତ୍ତରେ ଜୀବନ ଉପରେ ଯେପରି କାହାର ସ୍ନେହ ଓ ଆଶୀର୍ବାଦର ଦାକ୍ଷିଣ୍ୟ ଗୋଟାଏ ଗଭୀର ଗାର ପକାଇ ଦେଇଯାଏ । ନାନା ସନ୍ତାପ ଓ ସନ୍ତୁଳନରେ ଅତି ଦୀନ ଓ ଅତି ବିକଳ କରି ପକାଇଲାବେଳେ ସେହି ଗାର ଓ ସେହି ମହାମୂଲ୍ୟ ମୁହୂର୍ତ୍ତ ମୋତେ ସତେ ଯେପରି ତାହାରି ଆଡ଼କୁ ଟାଣେ, ଆପଣାର ସ୍ଵାଭାବିକ ବାଟଟିକୁ ପୁଣି ଲେଉଟି ଆଣିବାକୁ ଭାରି ବଳ ଦିଏ । ଏହିପରି ଗୋଟାଏ ଗୋଟାଏ ପ୍ରସାଦିତ ମୁହୂର୍ତ୍ତ ଆପଣାର ଶ୍ରେୟକୁ ଚିହ୍ନି ରଖିବାଲାଗି ମୋତେ ଭାରି ସାହାଯ୍ୟ କରିଚି, ଶତ ଶତ ସ୍ଖଳନ ସତ୍ତ୍ୱେ ମତେ ତଥାପି ଉପରକୁ ଉଠିବାର ବିଦ୍ୟା ଶିଖାଇଚି । ତାକୁ ହିଁ କେନ୍ଦ୍ର କରି ମୋର ଜୀବନ ନାନା ମଣ୍ଡଳର ବିଚିତ୍ର ପରିଧି ଉପରେ ବୁଲୁବୁଲି ମଧ୍ୟ କ୍ଳାନ୍ତ ବା ନିଃଶେଷିତ ହୋଇ ଯାଉନାହିଁ । ହୁଏତ ସେଇଥିଲାଗି ହିଁ ମୋର କ୍ଷତି, ମୋର କଳୁଷ ଓ ମୋର ଅପବ୍ୟୟ ସମଗ୍ର ଜୀବନର ପରିମାଣରେ ମୋତେ ତଥାପି ଅଧିକରୁ ଅଧିକ ସମ୍ପନ୍ନ ଓ ସମୃଦ୍ଧ କରି ଚାଲିଚି ।

 

୭ । ୫ । ୫୧

 

ଗତ ଯୁଦ୍ଧ ପୂର୍ବରୁ ଇଉରୋପର ମନ ଦୁଇ ଶତ୍ରୁପକ୍ଷରେ ବିଭକ୍ତ ହୋଇ ପରସ୍ପର ପ୍ରତି ଘୃଣା ଓ ବିଦ୍ଵେଷଦ୍ଵାରା ଯୁଦ୍ଧକୁ ଅତିରିକ୍ତ ପରିମାଣରେ ଜଘନ୍ୟ କରି ପାରିଥିଲା । ଏ ପକ୍ଷର ସଭିଙ୍କ ମନରେ ସମଗ୍ର ଜର୍ମାନଜାତି ପ୍ରତି ଯେଉଁ ସାମ୍ବାଦିକ ଦ୍ଵେଷ ଜାଗି ଉଠିଥିଲା, ଏ ପର୍ଯ୍ୟନ୍ତ ମଧ୍ୟ ତାହାର ପ୍ରତିକ୍ରିୟା ଯାଇନାହିଁ । ହୁଏତ ଜର୍ମାନୀରେ ମଧ୍ୟ ସେହିପରି ପ୍ରଚାର ହୋଇଥିବ । ମଣିଷକୁ ମଣିଷର ବିରୁଦ୍ଧରେ ଖଟାଇବାକୁ ଏହା ବୋଧହୁଏ ସବୁଠାରୁ ସହଜ ବାଟ । ଆଜି ମଧ୍ୟ ଇଉରୋପ ଆଗ ଥରପରି ଦୁଇଟି ଶିବିରରେ ବିଭକ୍ତ ହୋଇ ସାରିଲାଣି । ସଂସାରରେ କେବଳ ଦୁଇଟି ବାଟ; ଗୋଟିଏ ମୋ ବାଟ ଏବଂ ଅପରଟି ଶତ୍ରୁ ପକ୍ଷର ବାଟ । ତେଣୁ ଯିଏ ମୋତେ ପୂରାପୂରି ସମର୍ଥନ ନ କରିବ, ସିଏ ମୋର ଶତ୍ରୁ । ତାହାକୁ ଘୃଣା କରିବା ମୋର କର୍ତ୍ତବ୍ୟ । କମ୍ୟୁନିଜମ୍ ଓ ଡିମୋକ୍ରାସି,–ଏହି ଦୁଇଟା କଳ୍ପନାର ପ୍ରତୀୟ ଓ ପତାକାକୁ ଧରି ସାରା ପଶ୍ଚିମଜଗତ ବର୍ତ୍ତମାନ ଯେପରି ଏହି All-or-nothing Complexର ଶିକାର ହେବାକୁ ଯାଉଛି ! ଯିଏ ଗଣତନ୍ତ୍ରକୁ ପୂରାପୂରି ସମର୍ଥନ କରି ନ ପାରିଲା, ସିଏ ହେଉଚି ରୁଷିଆ ପକ୍ଷର ଗୁପ୍ତଚର, ଦେଶର ଶତ୍ରୁ । ଏ ଦେଶରେ ଏହିପରି ଏକ ମନୋଭାବ କ୍ରମେ ବଢ଼ି ବଢ଼ି ମଣିଷର ମନକୁ ଯୁଦ୍ଧଲାଗି ପ୍ରସ୍ତୁତ କରିବାରେ ଲାଗିଚି-। ମାର୍ଶାଲ—ଯୋଜନା ଓ ପ୍ରାୟ ପ୍ରତି ସପ୍ତାହରେ ଜାହାଜ ବୋଝେଇ ହୋଇ ଆମେରିକାରୁ ଆସୁଥିବା ଯୁଦ୍ଧ ସରଞ୍ଜାମମାନ ଏହି ମନୋଭାବଟିକୁ ବଢ଼ାଇବାଲାଗି ବେଶ୍ ଦମ୍ଭ ଓ ସାହସ ଦେଉଚି ।

 

କାଲି ଏହି ସହରରେ ବସିଥିବା ଆନ୍ତର୍ଜାତିକ ଶାନ୍ତି—ସମ୍ମିଳନୀର ସାଧାରଣ ସଭା ଦେଖିବାକୁ ଯିବା ବାଟରେ ଜଣକୁ ରାସ୍ତା ପଚାରିଲାବେଳେ ମୁଁ ଯେଉଁ ମନ୍ତବ୍ୟଟି ଶୁଣିଲି, ତାହା ଏହି ମନୋଭାବଟିର ସ୍ପଷ୍ଟ ପ୍ରମାଣ ଦେଲା । ଭଦ୍ରଲୋକ ଫୁଟ୍‍ବଲ ଖେଳ ଦେଖିବେ ବୋଲି ଟିକେଟ କରିବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ । God fornoejelse ଇଂରାଜୀରେ wish you a happy time ବା a pleasant time;—ଏହିପରି ତାଚ୍ଛଲ୍ୟପୂର୍ଣ୍ଣ ଏକ ମନ୍ତବ୍ୟରେ ସେ ସମ୍ମିଳନୀ ପ୍ରତି ଆପଣାର ମନୋଭାବ ପ୍ରକାଶ କରିଥିଲେ ।

 

ରୁଷିଆ ଓ ଆମେରିକା ଭିତରେ କିଏ ଭଲ ଓ କିଏ ଭେଲ ତାହା ବିଚାର କରିବାର ଧୃଷ୍ଟତାଲାଗି ଆଉ ସମୟ ନାହିଁ । ଦୁଇପକ୍ଷରୁ ହେଉଥିବା ଅପପ୍ରଚାରର ଫାନ୍ଦରେ ପଡ଼ି ଯେତେବେଳେ ସାଧାରଣ ମଣିଷ ଏକ ବା ଅପର ପକ୍ଷର ଶିକାର ହୋଇ ଅନ୍ୟ ପକ୍ଷକୁ ଘୃଣାକରି ଶିଖେ, ସେତେବେଳେ ପୃଥିବୀରେ ଆମ ସମସ୍ତଙ୍କ ଲାଗି ମାରାତ୍ମକ ବେଳ ଆସି ପହଞ୍ଚେ ।

 

୮ । ୫ । ୫୧

 

ଆଜି ଗୁରୁଦେବଙ୍କର ଜନ୍ମଦିନରେ ମୋରି ମନ ଏକାବେଳେ ଶାନ୍ତିନିକେତନକୁ ଉଡ଼ିଯାଇଚି । କେତେ ଆଦର୍ଶ ଓ କେତେ ବାଧାବିଘ୍ନ ଦେଇ ତିଆରି ହୋଇଥିବା ସେଇ ଆଶ୍ରମ, ଠିକ୍ ବାଟରେ ଚଳାଇ ପାରିଥିଲେ ଆଜି ତାହା ଜାତି ଲାଗି କେଡ଼େ ବଡ଼ ଗୌରବର ଧନ ହୋଇ ରହିଥାନ୍ତା ! ଗୁରୁଦେବଙ୍କର ଜୀବନଦର୍ଶନକୁ ଭୁଲି କେବଳ ତାଙ୍କ ନାଟକ, ନାଚ ଓ ଗୀତକୁ ଆପଣାଲାଗି ମାଦକପରି ବ୍ୟବହାର କରିବାର ମୋହ ସେହି ଅନୁଷ୍ଠାନଟିକୁ ଆଜି ବଡ଼ ଜୀବନହୀନ କରିଦେବାକୁ ଯାଉଚି; ନୈଶବିଳାସର ଶିକାର ହୋଇଥିବା କ୍ଳାନ୍ତ ମଣିଷ କୀଟ ପରି ଏହା କେବଳ ଆପଣାର Nervesକୁ ଉତ୍ତେଜିତ କରି ରଖି ଆପଣାର ଜୀବନ ବଞ୍ଚୁଚି ।

 

ଆଜି ଶାନ୍ତିନିକେତନକୁ ହୁଏତ ଟଙ୍କାର ସୁଅ ଚାଲିଚି, ଗୁରୁଦେବଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ଇଙ୍ଗିତ ଦେଖାଇ ହୁଏତ ଅଧିକରୁ ଅଧିକ ବ୍ୟବସାୟୀ ଏବେ ଅଜସ୍ର ଟଙ୍କା ଦାନ କରୁଚନ୍ତି, ହୁଏତ ସରକାର ବି ଲକ୍ଷ ଲକ୍ଷ ଦେବାର ଯୋଜନା କରୁଛନ୍ତି କିନ୍ତୁ ଆକାରରେ ଓ ଉଦରରେ ବଢ଼ିବା ସଙ୍ଗେ ସଙ୍ଗେ ଶାନ୍ତିନିକେତନ ଆପଣାକୁ ଏକ ଜାତୀୟ ଅନୁଷ୍ଠାନ ବୋଲି କହିବାର ଅଧିକାରକୁ ଯେ କ୍ରମେ ହରାଇବାକୁ ବସିଚି, କୌଣସି ଉଦ୍ୟୋକ୍ତାଙ୍କର ଆଖିରେ କଣ ସେ କଥା ପଡ଼ୁନାହିଁ ? ଏହି ବିରାଟ ଅନୁଷ୍ଠାନର ଦାୟିତ୍ଵ ମୁଣ୍ଡାଇଥିବା ଦୁର୍ବଳଜନ ହୁଏତ ଆପଣାର ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଆଶ୍ରମର ସରଳ ସୁନ୍ଦର ଅନ୍ତରଟିକୁ ଅଧିକରୁ ଅଧିକ ଆବୃତ ଓ ଆଚ୍ଛନ୍ନ କରିବାରେ ଲାଗିଚି । ଉପସ୍ଥିତ କ୍ଷେତ୍ରରେ ଆପଣାକୁ ଏହିପରି ଅବଗୁଣ୍ଠିତ କରି ରଖିବାରେ ହୁଏତ ଭାରି ଲାଭ ହେଉଚି । କିନ୍ତୁ ଟିକିଏ ଗଭୀର ଦୃଷ୍ଟିରେ ଦେଖିଲେ ଓ ଭବିଷ୍ୟତ ପ୍ରତି ଲକ୍ଷ୍ୟ ରଖିଲେ, ଏଥିରେ ଲଜ୍ଜିତ ହେବାଲାଗି ଆମର ଏକାଧିକ କାରଣ ନାହିଁ କି ? ଜାତିର ଜୀବନ, ଏପରିକି ଜାତିର ଅସ୍ତିତ୍ଵ ସୁଦ୍ଧା ଆମ ଆପଣାର ଆଳସ୍ୟ ଓ ଅଯୋଗ୍ୟତା ହେତୁ ବଡ଼ ବିପିନ୍ନ ହେବାକୁ ଯାଉଚି, ସେତେବେଳେ ଆପଣାକୁ କେବଳ ଏକ ମିଉଜିଅମ୍ କରି ସଜାଇବାରେ ଆଗ୍ରହ ଓ ଉତ୍ସାରେ ଯେ କି ଗୌରବ ରହିଚି ମୁଁ ଆଦୌ ବୁଝି ପାରୁନାହିଁ ।

 

୯ । ୫ । ୫୧

 

ମନର ଦୌଡ଼ଧାପଡ଼ର କିଛି ଠିକଣା ନାହିଁ । ମୁଁ ବାଟ ଚାଲୁଚି, ପାଠ ପଢ଼ୁଚି ଅଥଚ ମନଟା ଯେ କିପରି ଆପଣ ଥଳରୁ ବାହାରି କୁଆଡ଼େ ବିକ୍ଷିପ୍ତ ହୋଇ ଚାଲିଯାଉଚି । ସେ ବିଷୟରେ ମୁଁ ମୋଟେ ସଚେତ ରହିପାରୁ ନାହିଁ । ଅନେକ ଦଉଡ଼ି ଦଉଡ଼ି ଉତ୍ତପ୍ତ ଓ କ୍ଳାନ୍ତ ହୋଇ ପଡ଼ିବା ପରେ ଯାଇ ମୁଁ ଜାଣିପାରୁଚି ଯେ ମୋର ମନ ଦଉଡ଼ି ଛିଣ୍ଡାଇ ପଳାଉଚି । ବେଳେବେଳେ ଆପଣାର ଏହି ଅବସ୍ଥାରେ ଆପଣାକୁ ଭାରି ବିକଳ ଲାଗୁଚି । କିନ୍ତୁ ମୁଁ ଭଲ କରି ଜାଣେ, ବର୍ତ୍ତମାନର ଅନିଶ୍ଚିତତା ଲାଗି ରହିଥିବା ପର୍ଯ୍ୟନ୍ତ ମନର ଏହି ଅବସ୍ଥାକୁ ସମ୍ଭାଳି ରଖିବା ଆଦୌ ସହଜ ହେବ ନାହିଁ । ଆପଣା ଲାଗି ଏକ ଅନୁକୂଳ କ୍ଷେତ୍ର ବାଛି ନେଇ ରଚନାତ୍ମକ ଭାବରେ କୌଣସି କାର୍ଯ୍ୟରେ ଲାଗି ନପାରିଲା ପର୍ଯ୍ୟନ୍ତ ନିକିମା ମନଟା ହାଲୁକା କୁଟାଖଣ୍ଡେ ପରି ଏଣେ ତେଣେ ଦଉଡ଼ି ଖାଲି ଥକି ପଡ଼ୁଥିବ । ଗୋଟାଏ ଦେଶରୁ ଆଉ ଗୋଟାଏ ଦେଶକୁ ଆସିବାରେ ଯେ ଆପଣାକୁ ଏତେ ବ୍ୟବଧାନ ଓ ବୈଚିତ୍ର୍ୟ ସହିତ ଖାପ ଖୁଆଇବାକୁ ପଡ଼େ, ଆଗରୁ ମୋର ଏହି ଅଭିଜ୍ଞତା ହୋଇନଥିଲା । ବଣିକର persona ଟାକୁ ଲୁଚାଇବାର ମତଲବରେ ଜଗତରେ ସବୁଠିଁ ବଣିଜକାଙ୍ଗାଳ ମଣିଷ ଦେଶ, ଜାତି, culture ଓ convention ର ଆଶ୍ରୟ ନିଏ । ଏଠାରେ ମଧ୍ୟ ମୁଁ ସେହିପରି ଅନେକ କଥା ଶୁଣୁଛି, ଅନେକ କଥା ଅଙ୍ଗେ ନିଭାଉଚି । ଆପଣାର ବ୍ୟକ୍ତିଗତ ନାମ ଓ ଲାଭର ଲାଳସାକୁ ଘୋଡ଼ାଇ ରଖି ଏଠି ଉପରେ ବେଳେବେଳ କେଡ଼େ ବଡ଼ ବଡ଼ କଥା ଶୁଣିବାକୁ ମିଳୁଚି । ବେଳେବେଳେ ବଡ଼ ବିରକ୍ତ ଲାଗୁଚି ଯେ କେବଳ ଭଦ୍ରତାର ଖାତିରିରେ ବା ଭଦ୍ର ସମାଜରେ ସିଧା କଥା କହି ଅପ୍ରିୟ ନହେବା ଲାଗି ମୁଁ ଏହିସବୁ କପଟତାକୁ କିପରି ସହ୍ୟ କରି ପାରୁଚି !

 

ତଥାପି ଏ ଦେଶର ଚାଷୀ ଓ ଏ ଦେଶର ଅନେକ ବନ୍ଧୁ ମୋତେ ଯେଉଁ ଅଭିଜ୍ଞତା ଓ ଆନନ୍ଦର ସମ୍ପଦ ଦେଇଚନ୍ତି ଓ ଦେଉଚନ୍ତି, ଏ ଦେଶ ବିଷୟରେ କୌଣସି ବିଚାର କଲାବେଳେ ମୋ ଲାଗି ତାହାହିଁ ପ୍ରଧାନ ଓ ପ୍ରଥମ ହୋଇ ରହିବ ।

 

୧୦ । ୫ । ୫୧

 

ଯେତେବେଳେ ମୁଁ ଆପେ ଆପଣା ଉପରେ ବଡ଼ ବିରକ୍ତ ହୋଇପଡ଼େ, ସେତେବେଳେ ଆପଣାର ଦୁର୍ବଳତା ଓ ଆପଣାର ଗ୍ଳାନିଗୁଡ଼ାକ ହିଁ ଅତି ପ୍ରଧାନ ହୋଇ ମୋତେ ଅଧିକାର କରିବସେ । କୋଉଠି ମୋର କଣ କହିବାର ଥିଲା, ଅଥଚ ମୁଁ କରି ପାରିଲି ନାହିଁ; କୋଉଠ କଣ କରିବାର ଥିଲା, ଅଥଚ ମୁଁ କରି ପାରିଲି ନାହିଁ;—ଏହିପରି ନାନା ପ୍ରକାର ଅର୍ଥହୀନ ପଶ୍ଚାତ୍‌ପରେ ମୋର ଦୃଷ୍ଟିପଥ ଏକାବେଳେକେ ଅବରୁଦ୍ଧ ହୋଇଯାଏ । ଜୀବନର ଆଉ କୌଣସି ସମୟରେ ବୋଧହୁଏ ଆପଣାକୁ ଏତେଦୂର ଅସମ୍ମାନିତ ମନେହୁଏ ନାହିଁ । ନିଜର ସବୁ ରଚନାତ୍ମକ କଳ୍ପନା ସେତେବେଳେ କେଉଁ ଅଙ୍ଗାର ଗଦା ତଳେ ପୋତି ହୋଇ ରହିଯାଏ କେଜାଣି ? ସୁନ୍ଦର କରି କେତେ କଣ ଗଢ଼ିବାର, ନିବିଡ଼ ହୋଇ କେତେ କଣ ଭଲ ପାଇବାର ଓ କେଡ଼େ ନିଃସ୍ଵାର୍ଥ ଭାବରେ ଆପଣାର ଶ୍ରେଷ୍ଠ ଅର୍ଜନଗୁଡ଼ିକୁ ସଭିଙ୍କର ପାତ୍ରରେ ବିତରଣ କରିଦେବାର ସବୁ ସୁସ୍ଥ ଯୋଜନା ସେତେବେଳେ ସତେଅବା ଜଳିପୋଡ଼ି ଯାଏ । ଏ ଦେଶକୁ ଆସି ପ୍ରଥମେ ମୋର ଏହି ଅଭିଜ୍ଞତାଟି ହେଲା । ସବୁଠାରୁ ବେଶି ବିରକ୍ତି ଆସେ, ଯେତେବେଳେ ଭିତରେ ପକ୍‌କା ବଣିକର ମନଟାକୁ ଘୋଡ଼ାଇ ରଖି ଉପରେ ମୋ’ ଦେଶର ବନ୍ଧୁ ବୋଲି ପରିଚୟ ଦେଇ କାରବାର ଆପଣାର ନିର୍ବୋଧତା ଦ୍ଵାରା ହୀନ ମଣିଷ ଆକ୍ରମଣ କଲାପରି ମୋତେ ତ୍ରସ୍ତ କରି ରଖିବାକୁ ଚାହେଁ । ଏଠିକାର ବଣିକ ସହିତ କଜିଆ କରିବାକୁ ମୁଁ ଏ ଦେଶକୁ ଆସିନାହିଁ । ମୋ ଦେଶରେ ମଧ୍ୟ ଏହି ବଣିକମନର କୁକୀର୍ତ୍ତି ଗୁଡ଼ାକର ବିରୁଦ୍ଧରେ ହିଁ ମୁଁ ଏତେଦିନ ଆପଣାକୁ ତିଆରି କରି ଆସିଚି । ଏଠି ଯାହା ହୋଇଗଲା, ହୁଏତ ଆପଣାର ନାନା କାର୍ଯ୍ୟତତ୍ପରତା ମଧ୍ୟରେ ମୁଁ ଅଳ୍ପଦିନରେ ସେସବୁ ଭୁଲିଯିବି । ଭଗବାନଙ୍କୁ କେବଳ ଏତିକି ପ୍ରାର୍ଥନା, ଏଭଳି କପଟ ମଣିଷ ପାଖରୁ ଆଦର ପାଇବାର ଲୋଭରେ ମୁଁ ଆଉ ଯେପରି କେବେହେଲେ ଅସଜ୍ଜନର ଦ୍ଵାରସ୍ଥ ନହୁଏ ।

 

୧୧ । ୫ । ୫୧

 

ପଣ୍ଡିତ ନେହେରୁଙ୍କର ଗୋଟିଏ ବକ୍ତୃତାରୁ ଜଣାଗଲା ଯେ ରୁଷିଆରୁ ଭାରତକୁ ଯାଉଥିବା ଗହମ ବୋଝାଇ ଜାହାଜ ଅଧା ବାଟରେ ହୋଇଗଲାଣି । ହୁଏତ ଏହାର ଦୁଇଗୁଣ ଗହମ ପଠାଇବାର ସଂକଳ୍ପ କରି ହୁଏତ ଆମେରିକା ବି ଆଲୋଚନାରେ ବ୍ୟସ୍ତ ଅଛି । ସଙ୍କଟ ବେଳରେ ଦୁଇ ବାନର ପକ୍ଷର ଦଳପତିଙ୍କୁ ସହାୟକ ବନ୍ଧୁ ହିସାବରେ ପାଇ ଭାରତରେ କେତେ ସରକାରୀ ଲୋକ ମନେ ମନେ ହୁଏତ ଭାରି ଖୁସି ହେଉଥିବେ । ଅନ୍ତତଃ କେତେଟା ଦିନ ପାଇଁ ଲୋକଙ୍କର ଅସନ୍ତୋଷ ଜନିତ ପ୍ରତିବାଦରୁ ନିଶ୍ଚିନ୍ତ ହୋଇ ବସିବାର ସୁଯୋଗ ମିଳିଲା ବୋଲି ହୁଏତ କେତେ ପ୍ରତିଷ୍ଠିତ ନେତା ନିଃଶ୍ଵାସ ବି ମାରୁଥିବେ ।

 

କିନ୍ତୁ ବାରଦୁଆରେ କାକୁତି କରି ଧାନ ଗହମ ଆଣିବାରେ କଣ ଭାରତର ପେଟ ପୂରିବ-? ବର୍ତ୍ତମାନ ଦେଶରେ ଯେତିକି ଉତ୍ପନ୍ନ ହେଉଚି, ସେତିକିକୁ ମଧ୍ୟ ସମସ୍ତଙ୍କ ମୁହଁ ପାଖରେ ଆଣି ପହୁଞ୍ଚାଇବାର ଟାଣ ଓ ନିଷ୍ଠାପର ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇନାହିଁ । ଚୋରାବଜାର ଓ ବଡ଼ ଲୋକଙ୍କ ଲୋଭ ଦେଶର କେତେ ଧନସମ୍ପଦକୁ ଅଚାଲୁ କରି ମାଡ଼ିବସି ରଖିଚି । ଭାରତରେ କଳକାରଖାନା ବସିଲେ ଓ କଳ ସାହାଯ୍ୟରେ ଚାଷ ହେଲେ ଏହି ଚୋରାବଜାର ହୁଏତ ଆହୁରି ବଢ଼ିବ, ଲାଭ ଉଠାଇବାର ଓ ବ୍ୟବସାୟୀ ହେବାର inspiration ପାଇବା ଲାଗି ଅଧିକ ଅବସର ମିଳିବ । ତେଣୁ ଆଗ ସରକାରୀ ବ୍ୟବସ୍ଥା ତଥା ସମାଜର ବ୍ୟବସ୍ଥାକୁ ସଜାଡ଼ିବାରେ ମନଦେବା ଉଚିତ ନୁହେଁ କି ?

 

ଆଉ ବିଦେଶୀମାନଙ୍କର, ବିଶେଷତଃ ବିଦେଶରେ ବ୍ୟବସାୟୀମାନଙ୍କର ସହାନୁଭୂତି ପାଇବାରେ ଯେ କେତେ ବିପଦ, ତାହା ଆମଦେଶର ଇତିହାସ ହିଁ ପ୍ରମାଣ କରିବ । ବନ୍ଧୁ ହିସାବରେ, ଶୁଭେଚ୍ଛାବାହୀ ଦୂତ ହିସାବରେ ମୋଗଲ ଦରବାରକୁ ଯାଇ ମୋଗଲ ବାଦଶାହାମାନଙ୍କର ସ୍ମୃତି ଗାଇଥିବା ବନ୍ଧୁମାନେ ତିନି ଶହ ବର୍ଷର କଳଙ୍କିତ ଇତିହାସ ଲାଗି ଯଥେଷ୍ଟ କ୍ଷେତ୍ର ପ୍ରସ୍ତୁତ କରି ପାରିଥିଲେ । ପରାଧୀନ ଦେଶଗୁଡ଼ିକ ସହିତ ସ୍ଵାଧୀନ ଦେଶମାନଙ୍କରୁ ଆସିଥିବା ଏହି ବ୍ୟବସାୟୀମାନଙ୍କର ସମ୍ପର୍କ ସ୍ଥାପନ-ରୀତି ହୁଏତ ଅପେକ୍ଷାକୃତ ସ୍ପଷ୍ଟ ଥିଲା । ମାତ୍ର ଏବେ ସ୍ଵାଧୀନ ଭାରତ ଏବଂ ଭାରତର ଗୀତା, ଉପନିଷଦ, ଗାନ୍ଧୀ, ଅହିଂସା ଓ ଶାନ୍ତିର ଗୁଣ ଗାଇ ହୁଏତ ଅନେକ ଲୋକ ବନ୍ଧୁର ମୁଖା ପିନ୍ଧି ଭାରତକୁ ସାହାଯ୍ୟ କରିବାକୁ ଯିବେ, ବନ୍ଧୁ ବାନ୍ଧିବାର ଅଫିମ ଖୁଆଇ ଓ ବିପଦ ବେଳେ ସାହାଯ୍ୟ କରିଥିବାର ଦାବୀ କରି ସେମାନେ ଆପଣାର ବ୍ୟବସାୟୀକୁ ହିଁ ପକ୍‌କା କରି ଆସିବେ । ଏହିସବୁ ଦୃଷ୍ଟିରୁ ସ୍ଵାଧୀନ ଭାରତର ମଣିଷକୁ ଆଜି ଭାରି ସାବଧାନ ହେବାକୁ ପଡ଼ିବ ।

 

୧୨ । ୫ । ୫୧

 

ଉଚିତ ବେଳରେ ଓ ଉଚିତ କ୍ଷେତ୍ରରେ ମୁଁ ଉଚିତ କଥା କହିପାରିଲି ନାହିଁ ବୋଲି ପଛରେ ମନଟା ଭାରି ବିଦାରି ହେଉଚି । କେତେପ୍ରକାର ଯୁକ୍ତି ଓ କଥାର ଛଳ ଆସି ମନକୁ ଏପରି ଉତ୍ତପ୍ତ କରି ଦେଉଚି ଯେ, ହଠାତ୍ ମନ ହେଉଚି ଯେପରି ପୁଣି ସେହି ସବୁ କ୍ଷେତ୍ର ପାଇଲେ ମୁଁ ଅବଶ୍ୟ ବଡ଼ ଗୌରବର ସହିତ କଳହ ଜମାଇ ଦେଇପାରନ୍ତି ।

 

କିନ୍ତୁ ମୁଁ ଏ ଦେଶକୁ କଳହ କରିବାକୁ ଆସିନାହିଁ । ଅସଦାଚରଣ ଓ ଅସଦୁପାୟର ଦୃଷ୍ଟାନ୍ତ ମୋ’ ଦେଶରେ ମଧ୍ୟ ଅନେକ ରହିଚି । ହଠାତ୍ ଏକ କ୍ଷିପ୍ତତାର ବଶବର୍ତ୍ତୀ ହୋଇ ବେଳେବେଳେ ମୁଁ ଭାରି କଜିଆ କରିଚି । କିନ୍ତୁ ସେପରି କରି ମୁଁ କଣ ଅସଦାଚରଣକୁ ବଦଳାଇ ପାରିଚି । ମଣିଷକୁ କଣ ମୁଁ ତାର ସ୍ଵାଭାବିକ ରୀତି ବିଷୟରେ ସଚେତ କରିଦେଇ ପାରିଚି ? ତେବେ ଏଠି ମୁଁ ପୁଣି ସେହି ଧୃଷ୍ଟତା କାହିଁକି କରିବାକୁ ଯିବି ? ଟିକିଏ ଗର୍ଜନ କରିବାର ଓ ଉଦ୍‌ଗାର ଆସିବାର କ୍ଷେତ୍ର ପାଇଲେ ମୋର କଳହପ୍ରିୟ ମନକୁ ହୁଏତ ଭାରି ସାନ୍ତ୍ଵନା ମିଳିବ । କିନ୍ତୁ ଏହାଦ୍ୱାରା ଆପଣା ମନର ତାପ ବଢ଼ିବ ସିନା, ମାତ୍ର ଆଦୌ କମିବ ନାହିଁ ।

 

ଜୀବନ ସମ୍ବନ୍ଧରେ ଆପଣାର values ଗୁଡ଼ିକୁ ଅପରଠାରୁ ପ୍ରତ୍ୟାଶା କରି ହୁଏତ ମୁଁ ଏପରି ବିଚଳିତ ହୋଇ ପଡ଼ୁଚି । ସେଥିଲାଗି ଅପର ସହିତ କେବଳ ବ୍ୟବଧାନଗୁଡ଼ାକ ମୋତେ ଏପରି ବଡ଼ ହୋଇ ଦେଖା ଯାଉଚି ଓ ଅପରକୁ ଆପଣା ପାଖରେ ଏପରି ଇତର କରି ପକାଉଚି । କିନ୍ତୁ ଆଜି ଏତିକି ଜାଣିରଖିବାକୁ ହେବ ଯେ କେବଳ ଆପଣାର ବିବେକ ଓ values ଅନୁସାରେ ଜୀବନ ବଞ୍ଚିବାର ଜରିଆରେ ହିଁ ପ୍ରତ୍ୟେକ ବାଟକୁ ଆସିବେ । କଳହ କରି କେହି ମଣିଷର ମୋହକୁ ଦୂର କରି ପାରିବନାହିଁ । ମୋ’ ସହିତ କଳହ କରି କେହି ମୋର କୌଣସି ମୋହ ଦୂର କରିପାରିବ ନାହିଁ । ଖାଲି ଆପେ ଭୁଲ୍‍ କରି, ଝୁଣ୍ଟି, କାନ୍ଦି ଓ ଆପେ ସଚେତ ହୋଇ ମୁଁ ଜୀବନରେ କେତେଥର ସୁପଥର ଇଙ୍ଗିତ ପାଇଚି । ଏହି ସଂସାରରେ ମୁଁ ଆପେ ଆପଣାର ଜୀବନଟିକୁ ପରିପୂର୍ଣ୍ଣ ଭାବରେ ବସିବାର ପ୍ରଚେଷ୍ଟା ଜାରି ରଖିଥିଲେ ହିଁ ମଣିଷ ସଂସାରକୁ ସବୁଠାରୁ ବେଶି ସାହାଯ୍ୟ କରିପାରିବ । ଆପେ ଆପଣାର ବାଟକୁ ଆସିବା ପରି ସଂସାର ମଧ୍ୟ ତାର ନିଜ ଉପାୟରେ ବାଟକୁ ଆସିବ ।

 

୧୬ । ୫ । ୫୧

 

ତାହା ଆଜିକୁ ନଅବର୍ଷ ତଳର କଥା । ଏହିପରି ଏକ ମେ’ ଷୋଳ ତାରିଖ ଦିନ ମୁଁ ପ୍ରଥମ କରି ଆଉ ଜଣକୁ ଠିକ୍ ଆପଣା ପରି ଭଲ ପାଇ ଶିଖିଥିଲି । ସେଦିନ ଏହି ଭଲ ପାଇବା ପଛରେ ହୁଏତ ଅନେକ ମୋହ ଲୁଚି ରହିଥିଲା । ତାହାରି ସ୍ମୃତିରେ ପ୍ରଥମ କେତେଟା ବର୍ଷ ମୋର ବଡ଼ ଆବେଗମୟ ଓ ଉତ୍ପୀଡ଼ିତ ଭାବରେ କଟି ଯାଇଚି । ମୋର ସବୁ ମନେ ଅଛି । ଆମ ଦୁହିଁଙ୍କ ମଧ୍ୟରେ ଏହି ସମ୍ବନ୍ଧଟି ବେଳେ ବେଳେ ଭାରି ମନ୍ଦ ହୋଇଯାଇଚି, ବୟସ ଓ ବୟସ ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଦାୟିତ୍ଵର ବୃଦ୍ଧି ହୁଏତ ଆମର ଗ୍ରହଣ ମନକୁ ଟିକିଏ ଦନ୍ଥରା କରି ଦେଇଚି । ପିଲାଦିନର ସେଇ ଦିନକର ଚିହ୍ନାଚିହ୍ନିକୁ ଆଜି ମୋର ବୟସ୍କ ମନ ହୁଏତ ଭାବ ପ୍ରବଣତା ବୋଲି କହି ଉଡ଼ାଇ ଦେବ । କିନ୍ତୁ ସବୁ ପ୍ରକାରର ବିରୋଧ ଯୁକ୍ତି ସତ୍ତ୍ୱେ ମନ ତଥାପି ଆଜି ଯୌବନର ସେହି ପ୍ରଥମ ପର୍ବଟିକୁ ଫେରି ଯାଉଚି । ପ୍ରତ୍ୟେକ ମାସର ଷୋଳ ତାରିଖରେ ତାହାକୁ ହିଁ ସ୍ମରଣ କର ମୁଁ ଭାରି ଆନନ୍ଦ ଓ ସାହାସ ପାଇଚି । ଗଲା ଅତୀତ ସଙ୍ଗରେ ମୋର ବର୍ତ୍ତମାନକୁ ମିଳାଇ ଦେଖିବା ଲାଗି ମୁଁ ଭାରି ସାହାଯ୍ୟ ପାଇଚି । ମୋର କୌଣସି କ୍ଷଣ ଓ କୌଣସି ବିଫଳତା ଏକାବେଳେ ହଜିଗଲା ପରି ଆଦୌ ମନେ ହୋଇନାହିଁ ।

 

ଜୀବନ କ୍ଷେତ୍ରରେ ପ୍ରବେଶ କରି କିଏ କୁଆଡ଼କୁ ଆପଣାର ବାଟ ପକାଇବ କେଜାଣି ? କିନ୍ତୁ ଜୀବନର ଏହି ବଡ଼ ସ୍ମୃତିଟି ମୋତେ ଯେ ଏତେ ଉତ୍ସାହ ଦେଉଚି ମୋର ସ୍ଵାଭାବିକ ଓ ଶ୍ରଦ୍ଧାସ୍ପଦ ମନଟି ବିଷୟରେ ମୋତେ ଏପରି ଆସ୍ଥାବାନ୍ କରିଦେଇ ଯାଉଚି ଏହାହିଁ ମୋର ବଡ଼ ଭାଗ୍ୟର କଥା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ବାସ୍ତବର ଜାଲରେ ଛନ୍ଦିହୋଇ ଅନେକ ବାଲ୍ୟ ଓ ଯୌବନକୁ ପ୍ରଧାନତଃ ଏକ ବିସ୍ମରଣ ବୋଲି ମନେ କରନ୍ତି ଓ ତାହାକୁ ପଛରେ ପକାଇଦେଇ ଆସନ୍ତି । କିନ୍ତୁ ମୁଁ ମୋର ସ୍ଵପ୍ନ, ମୋର ଆଦର୍ଶ ଓ ମୋର କଳ୍ପନାକୁ ନେଇ ସମାନୁପାତରେ ବଢ଼ିବାରେ ଲାଗିଚି ।

 

୧୭ । ୫ । ୫୧

 

ବେଳେବେଳେ ଆପଣାକୁ ଏପରି ତୁଚ୍ଛ ଓ ଅପଦାର୍ଥ ବୋଲି ମନେ ହୁଏ କାହିଁକି ? ଗୋଟାଏ ପ୍ରକାର ଆତ୍ମଉତ୍ପୀଡ଼ନୀ ପ୍ରକୃତିର ସମ୍ମୁଖୀନ ହୋଇ ମନ ସେତେବେଳେ ଅଧିକରୁ ଅଧିକ ସମୟ ଏପରି ଶକ୍ତିହୀନ ହୋଇ ପଡ଼ି ରହିବାକୁ ଭଲପାଏ କିପରି ? ସେହି ଅତୀତ, ସେଇ ଲାଭ କ୍ଷତି ଓ ଭୁଲ୍‍ ଭ୍ରାନ୍ତିକୁ ନେଇ ନାନା ଅଭିନବ କ୍ଷେତ୍ରରେ ମୋର ଜୀବନ ଆପଣାକୁ ଅହରହ ପରିସୃଷ୍ଟ କରି ଚାଲିଚି । ଜୀବନ ବଞ୍ଚିବାର ଏହି raw material ଗୁଡ଼ିକ ପ୍ରତି ମନର ଦୃଷ୍ଟି ତଥାପି ବେଳେବେଳେ ଏପରି ବଦଳି ଯାଏ କାହିଁକି ? ଦିନମାନର ଗୋଟିଏ ଗୋଟିଏ ଶୁଭ ମୁହୂର୍ତ୍ତରେ ଆପଣାର ସମସ୍ତ କଳୁଷ ଓ ସମସ୍ତ ଗ୍ଳାନିକୁ ଅତିକ୍ରମ କରି ଆଗକୁ ଯିବାର ଏକ ଦୁର୍ବାର ଆକାଙ୍‌କ୍ଷା ମୋର ସକଳ ମନୋଧ୍ୟାନକୁ ଏପରି ଶକ୍ତିଶାଳୀ ଭାବରେ ନିୟୋଜିତ କରିପାରେ କିପରି ? ସେତେବେଳେ ମୁଁ ଜୀବନର ସମଗ୍ର କ୍ଷେତ୍ରଟି ଉପରେ ରାଜା ହୋଇ ବସେ, ଅତି ସହଜରେ ସକଳ ଗଭୀରକୁ ଭେଦିପାରେ ଓ ମୋର ସକଳ ପ୍ରକୃତିକୁ ଏକମୁହାଁ କରି ଦେଇପାରେ । ମୋର ଭୁଲ୍‍ ମୋତେ ଭୁଲ୍‍କୁ ଜିତିବା ଲାଗି ଆହୁରି ସାହାସ ଦିଏ, ମୋର ବିଫଳତା ସେହି ବିଫଳତାକୁ ଡେଇଁ ଯିବାଲାଗି ମୋତେ ଅଧିକ ଉଦ୍‌ବୁଦ୍ଧ କରେ । ଜୀବନରେ ମୁଁ କୌଣସି ପ୍ରକାର ନିଶ୍ଚିନ୍ତ ଶାନ୍ତି, ସୁଖ ବା ସଫଳତା ଚାହେଁ ନାହିଁ । ମୋର ସବଳ ପଥିକ ମନ ହେଉଚି ମୋ’ ପ୍ରାର୍ଥନାର ସବୁଠାରୁ ବଡ଼ କାମ୍ୟ । ସବୁ କ୍ଷେତ୍ରରେ ଆପଣାର ସ୍ଵପ୍ନ, ଆପଣାର ଆଦର୍ଶ ଓ ଆପଣାର ଅଭିଳାଷକୁ ସକଳ ଭାବରେ ବହନ କରି ବାଟ ଚାଲିବା ଲାଗି ମୁଁ ସବୁଦିନେ ସମର୍ଥ ହୋଇ ରହିଥାଏ, ଏହାହିଁ ମୋର ସବୁଠାରୁ ବଡ଼ ମାଗୁଣି; ମୃତ୍ୟୁ ବିରୁଦ୍ଧରେ ଓ ବିଫଳତା ବିରୁଦ୍ଧରେ ଏହାହିଁ ମୋର ସବୁଠାରୁ ବଡ଼ ବିଜୟ ।

 

ତେଣୁ ଯେତେବେଳେ ଅବସନ୍ନ ମୁହୂର୍ତ୍ତରେ ଚିତ୍ତର ସବୁ କୂଳ ଉଚ୍ଛନ୍ନ ହୋଇ ଗଲାପରି ମନେହୁଏ, ମୋର ଗତିଶୀଳ ଜୀବନ ଦୃଷ୍ଟିଟି ସେତେବେଳେ ମୋତେ ଯେପରି ପ୍ରାଣବନ୍ତ କରି ରଖିଥାଉ !

 

୩୧ । ୫ । ୫୧

 

‘Keep the faculty of effort alive in you by a little gratuitous exercise everyday. That is be systematically ascetic or heroic in little unnecessary points, do everyday or two something for no other reason than that you would rather not do it, so that when the hour of due need draws high it may find you not unnerved and untrained to stand the test.’

 

ପ୍ରାୟ ପନ୍ଦର ଦିନ ହେଲା ଏହି ଖାତା ସହିତ ମୋର ସଂଯୋଗ ଛିନ୍ନ ହୋଇ ଯାଇଥିଲା-। ପୁଣି ନୂଆ ଉତ୍ସାହ ନେଇ ଲେଖା ଆରମ୍ଭ କରିବାର incentive ମୁଁ ଏ ପର୍ଯ୍ୟନ୍ତ ପାଇନଥିଲି । ଏ ମାସଟା ସରିଯାଉ, ମୁଁ ପହିଲାଠାରୁ ପୁଣି ନିୟମିତ ଲେଖା ଆରମ୍ଭ କରିବି, ଏହିପରି ଏକ ଅଳସୁଆମି ମୋତେ ଆପଣା କାମରୁ ଭୁଲାଇ ରଖିଥିଲା । କାଲି William Jamesଙ୍କ ଗ୍ରନ୍ଥରୁ ଉପରର କେଇ ଧାଡ଼ି ପଢ଼ି ମୋର ନିଦ ଭାଙ୍ଗିଲା । ଏଥର ସବୁ ରୀତିମତ ଚାଲିବ । ପ୍ରତ୍ୟେକ ଦିନର ଜୀବନରୁ ସମ୍ପଦ ସାର ଗୋଟାଇ ପାରିବ ଲାଗି ମୁଁ ଏଥର ଆଖି ଓ ହାତ ନିଶ୍ଚୟ ପାଇବି-। ଥରେ ଛିଡ଼ିଗଲେ ପୁଣି ଖିଅ ଲଗାଇବା ଲାଗି ଯେ ନାନା ପ୍ରକାର ceremonial ଦ୍ଵାରା ମନକୁ ବାଧ୍ୟ କରିବାକୁ ପଡ଼େ, ମୁଁ ସେ କଥା ଏଇଥର ଜାଣିଲି ।

 

ଏପର୍ଯ୍ୟନ୍ତ, ଅର୍ଥାତ୍ ଏ ଦେଶକୁ ଆସିବା ପରେ ମୁଁ ବାହ୍ୟ ଜୀବନର ଆବଶ୍ୟକତା ଗୁଡ଼ିକୁ ସଜାଡ଼ିବାରେ ଯଥେଷ୍ଟ ପରିମାଣରେ ସ୍ଵତନ୍ତ୍ର ହୋଇ ପାରିନାହିଁ । ଆପେ ଟାଣ ହୋଇଥିଲେ ଯାହାସବୁ କରିବା ଭାରି ସହଜ ହୋଇ ପାରିଥାନ୍ତା, ଆପଣାର ନାନା ଅବହେଳା ଦ୍ଵାରା ମୁଁ ସେଗୁଡ଼ିକୁ ବେଶ୍ ଜଟିଳ କରି ପକାଇଚି । ସେ ସବୁ ବିଷୟରେ ଅକାରଣ ଚିନ୍ତା କରି ଆପଣାକୁ ତପ୍ତ କରି ରଖିବା ଦ୍ଵାରା ମୁଁ ହୁଏତ ଅନେକ ସ୍ଵାଭାବିକ ଉତ୍ସର ଦ୍ଵାର ବନ୍ଦ କରି ଦେଇଚି । ସହଜ ଭାବରେ ଭାବିବାର, ଲେଖିବାର ବା କାମ କରିବାର ଅଭ୍ୟାସ ମୋର ଭାଙ୍ଗି ଯାଇଚି । ସହିଷ୍ଣୁ ଓ ଉଦାର ହେବାର ଛଳଯୁକ୍ତି ଦେଖାଇ ମୁଁ ନିଜକୁ ବଡ଼ ବିକଳ କରି ପକାଇଚି ।

 

୨ । ୬ । ୫୧

 

‘Without human emotions, there never was and never can be search for truth’! ଲେନିନ୍‌ଙ୍କର ଏହି ଉକ୍ତିଟି ଭାରି ସତକଥା ପରି ଲାଗୁଚି, ବିଶେଷତଃ ଆମର ଏହି ଯୁଗରେ ଯେତେବେଳେ ସତ୍ୟସନ୍ଧାନର ଛଳନା ଦେଖାଇ କଳା, ସାହିତ୍ୟ ଓ ସଙ୍ଗୀତର ମଉଜ କରୁଥିବା ବଡ଼ଲୋକ ଏପରି କରିବା ଦ୍ଵାରା ଆମ ସଂସ୍କୃତିକୁ ମଧ୍ୟ ଆଗେଇ ନେଇ ଯାଉଥିବାର ବାହାଦୁରୀ କରୁଚି । ନିତି ଖବର କାଗଜରେ ତାହାରି ଅଗ୍ରଗତି ବିଷୟରେ ଭାରି ଆଡ଼ମ୍ବର କରାଯାଉଚି, କିନ୍ତୁ ସଂସ୍କୃତି ଓ ସମାଜର ନିମ୍ନତମ ସ୍ତରରେ କେତେବେଳେ ମଣିଷ ଉପର ସ୍ତରଗୁଡ଼ିକ ଦ୍ଵାରା ଅବହେଳିତ ହୋଇ ପଡ଼ିଚନ୍ତି । କେଉଁ ଅଶୁଭ ବେଳରୁ ମଣିଷ ଅପର ଦଶଜଣଙ୍କୁ ବାଦ୍ ଦେଇ ନିଜର ଧର୍ମ ଓ ନିଜର ଆଧ୍ୟାତ୍ମିକତାର କଥା ଭାବି ଶିଖିଲାଣି କେଜାଣି ? ପୃଥିବୀରେ ଯେତେବେଳେ ଯେଉଁଦେଶରେ ମହାତ୍ମାମାନଙ୍କର ଆବିର୍ଭାବ ହୋଇଚି, ସେତେବେଳେ ମଣିଷ ଆଡ଼କୁ ହିଁ ଆମର ସକଳ ଦୃଷ୍ଟି ଫେରାଇ ନେବାକୁ ସକଳ ପ୍ରତିବେଶିଙ୍କୁ ଶ୍ରଦ୍ଧାର ସହିତ ଗ୍ରହଣ କରି ଆପଣାର ଜୀବନାବେଗଗୁଡ଼ିକୁ ପୂର୍ଣ୍ଣ କରିବାର ଏକ ଆହ୍ୱାନ ସାରା ପୃଥିବୀକୁ ଦିଆଯାଇଚି । କିନ୍ତୁ ଆମେ ଏପର୍ଯ୍ୟନ୍ତ ସେହି ଆହ୍ୱାନଟିକୁ ପୂର୍ଣ୍ଣ ଭାବରେ ଗ୍ରହଣ କରି ପାରୁନାହୁଁ । ପ୍ରଧାନତଃ ସେହି କାରଣରୁ ହିଁ ମଣିଷକୁ ନ୍ୟୂନ କରି ରଖି ଆଜି କେତେଟା ମନଗଢ଼ା ‘ism’ ଦ୍ଵାରା ଜଗତରେ ଆଦର୍ଶ ରାଜ୍ୟ ପ୍ରତିଷ୍ଠା କରିବାର ଧୁମ୍ ଚାଲିଚି, କ୍ଷମତାସୀନ ବିସ୍ତୃତ ମଣିଷ ismକୁ ପ୍ରତିଷ୍ଠିତ କରିବାର କ୍ଷିପ୍ରତା ଦ୍ଵାରା ମଣିଷକୁ ମାରିଦେବାର ଚେଷ୍ଟା ମଧ୍ୟ କରୁଚି । ଆଜି ମଣିଷକୁ ପଛକୁ ଠେଲି ଦେଇ ଜାତିକୁ, ଦେଶକୁ ଓ ନେତାକୁ ପୂଜା କରିବାର ଭାରି ଚିତ୍କାର ଉଠୁଚି । ବୈଠକଖାନାରେ ଓ ବିନୋଦଭୋଜିରେ କଳା, ସଙ୍ଗୀତ ଓ ସଂସ୍କୃତିର ଚର୍ଚ୍ଚା ଦ୍ଵାରା ସତ୍ୟସନ୍ଧାନର ଆନନ୍ଦ ଲାଭ କରିବାକୁ ଆଜି ଭାରି ପଇସା ଓ ଭାରି ସମୟ ଖରଚ ହେଉଚି । କିନ୍ତୁ ଆଖିଆଗରେ ଅନାଦୃତ ହୋଇ ପଡ଼ିଥିବା ମଣିଷକୁ ଆପଣା ଦଳରେ ଜଣେ ବୋଲି ଗଣି ତା’ପ୍ରତି ବାରିତ କରି ରଖା ଯାଇଥିବା ଆପଣାର ସମସ୍ତ କର୍ତ୍ତବ୍ୟ ବିଷୟରେ ସଚେତ ହେବାର ମଣିଷ ପଣିଆ ଉପରସ୍ଥ ମଣିଷ ଭିତରୁ କୁଆଡ଼େ ଅନ୍ତର୍ହିତ ହୋଇଯାଇଚି ।

 

୩ । ୬ । ୫୧

 

ସବୁ ହରାଇ ବସିଥିବା ବିଧବା ପୁରାଣ ଶାସ୍ତ୍ର ଶୁଣି ଜୀବନ କଟାଇ ଦିଏ । ଧ୍ରୁବ, ପ୍ରହ୍ଲାଦ, ସାବିତ୍ରୀ ଓ ସତ୍ୟବାନଙ୍କର କଥା ଶୁଣି ସେ ଧର୍ମଜୀବନର ପୁଞ୍ଜି ଯୋଗାଡ଼ କରିବାର ଉଦ୍ୟମ କରେ-। କେଉଁ ଅବସ୍ଥାରେ କେଉଁଭଳି ପାପୀମାନେ ଭଗବାନଙ୍କର କୃପା ଲାଭକରି ପରିତ୍ରାଣ ପାଇଲେ, ସେ ସେକଥାକୁ ମଧ୍ୟ ମନେ ମନେ ଗୁଣି ହେଉଥାଏ । ଏହି କେତେଦିନ ହେଲା ମୁଁ ବୋଧହୁଏ ପ୍ରାୟ ସେହିପରି ଏକ ଦୁର୍ବଳ ମତଲବ ରଖି ନାନା ବହି ପଢ଼ୁଚି । ମନୋବିଜ୍ଞାନ ଓ ଦର୍ଶନ ବହିରୁ ମୁଁ ଯେପରି ଆପଣାର ରୁଗ୍‌ଣ ମନଲାଗି ପାଚନ ଖୋଜି ବୁଲୁଚି । ସେଇଥିଲାଗି ବହି ପଢ଼ିଲା ବେଳେ ଆଜିକାଲି ଭାରି କ୍ଳାନ୍ତ ଲାଗୁଚି, ତଥାପି ମୁଁ ବହିର ଅନ୍ତର ଭିତରକୁ ଭେଦ କରି ପାରୁନାହିଁ-

 

ମୋର ସବୁ ରୋଗ ଓ ସବୁ ସମସ୍ୟାର ଔଷଧ ମୁଁ ବହିରୁ କିପରି ପାଇବି ? ମୋର ଅନ୍ତର ଭିତରେ, ମୋର Will, Emotion ଓ Knowledge ର ଉର୍ବର ଭୂମିତଳେ ହିଁ କେବଳ ତାହାର ମଞ୍ଜି ପଡ଼ିପାରିବ । ମୁଁ ଆପେ ଆପଣାର ବାଟ ଠିକ୍ କରିବି, ସକଳ ଇଚ୍ଛା ଓ ଆବେଗର ସହସ୍ର ବିନ୍ଦୁକୁ ଏକାଠି କରି ମୁଁ ଜୀବନକୁ ଗୋଟିଏ ଧାରା ପରି ବୁହାଇ ଦେବି । ତେବେ ଯାଇ ସମସ୍ତ ବାହ୍ୟଜଗତ, ସମସ୍ତ ଶାସ୍ତ୍ର ସଂସାର ଓ ସମସ୍ତ ମନୁଷ୍ୟ ସମାଜ ଦ୍ଵାରା ମୁଁ ଅତି ସ୍ଵାଭାବିକ ଓ ସୁସ୍ଥ ଭାବରେ ଉପକୃତ ହୋଇପାରିବି । କୋଉଠି ଖତ ଦେଖି ତାକୁ ମାଟି ବୋଲି ଭ୍ରମ କରି ମଣିଷ ଆପଣାର ମଞ୍ଜିକୁ ସେଇଠି ବୁଣିଦିଏ,—ତା’ର ଜୀବନରେ ଏହାହିଁ ହେଉଚି ଏକ ବଡ଼ tragedy ! କେବଳ ଆପଣାର ଅନ୍ତର ଭିତରେ ସରସ ଭୂମି ତିଆରି କରି ସେଇଥିରେ ଯେ ମଞ୍ଜି ପୋତିବାକୁ ପଡ଼ିବ । ଖତକୁ କେବଳ ସୁବିବେଚିତ ଭାବରେ ପ୍ରୟୋଗ କରିପାରିଲେ ଯେ ସେଥିରୁ ଉପକାର ପାଇପାରିବ, ମଣିଷ ଏକଥା ଭୁଲିଯାଏ । ମୋ ଜୀବନ ଭୂମି ମୋ’ ଜୀବନର ପ୍ରଥମ ସାମଗ୍ରୀ । ଦଗ୍‌ଧ ଓ ଦୁର୍ବଳ ଦୃଷ୍ଟିରେ ମୁଁ ଯେତେବେଳେ ଯାଏ ବାହାରେ ଆପଣ ଲାଗି ଭୂମି ଖୋଜି ବୁଲୁଥିବି, ସେତେବେଳଯାଏ କେବଳ ଦଉଡ଼ି ଦଉଡ଼ି କ୍ଳାନ୍ତ ହେବାହିଁ ସାର ହେବ ।

 

୪ । ୬ । ୫୧

 

ଆପଣାକୁ ମୁଁ ମୋଟେ ଚିହ୍ନି ପାରୁନାହିଁ । ଆପଣା ଅନ୍ତରର ଚିହ୍ନା life-style ଟି ଯେପରି କୁଆଡ଼େ କେତେ ଗହରା ମାଟିତଳେ ପୋତି ହୋଇପଡ଼ିଚି । ଦିନମାନ ଏଇ ରାଜଧାନୀରେ ଏପାଖ ସେପାଖ ଦଉଡ଼ି, ସମୟ କଟିଯାଉଚି । ନାନାପ୍ରକାର ଅଭିନୟ ଓ ସଜ୍ଜିତ ପ୍ରହସନ କରି ସବୁଦିନେ ସନ୍ଧ୍ୟାବେଳକୁ ମୁଁ କ୍ଳାନ୍ତ ମନ ନେଇ ଘରକୁ ଫେରୁଚି । ସେଇ ଶରୀର, ସେଇ ଆଖି ଓ ସେଇ କାନ ରହିଚି, ଅଥଚ ମୋର ମନଟାକୁ ମୁଁ ମୋଟେ ଚିହ୍ନି ପାରୁନାହିଁ । ଜୀବନଯାକ ଯୁବକ ହୋଇ ରହିବାକୁ ମୋର ସେହି ଆକାଙ୍‌କ୍ଷା ସବଳ ମନ, ପଥଯାତ୍ରାର ସରାଗରେ ପଥକଷ୍ଟକୁ ପାସୋରି ସଭିଙ୍କୁ କେବଳ ଆନନ୍ଦ ଦେଇଯିବା ପାଇଁ ମୋର ସ୍ନେହ ସ୍ଵପ୍ନ,—ମୁଁ ଯେପରି ଏତେଟିକିଏ ଆଭାସ ବି ପାଇ ପାରୁନାହିଁ । ଆପଣାକୁ ଓ ଆପଣାର ଜୀବନକୁ prosaic କରିଦେଇ ମୁଁ କେବେହେଲେ ଏପରି ହତଶ୍ରୀ ହୋଇନଥିଲି । ଆଗରୁ ବି ମୁଁ ଅନେକ ଝୁଣ୍ଟିଚି, ଅନେକ ଭୁଲିଚି, ଆପଣା ମୋହର ଅନ୍ଧାର ଭିତରେ ଲୁଚି, କ୍ଷଣକର ସେହି ଏକାନ୍ତତାକୁ ଉପଭୋଗ କରିବାଲାଗି ମୁଁ ଆପଣାକୁ ଅନେକବାର ବିସ୍ତୃତ ବାହ୍ୟଜଗତଠାରୁ ଆବୃତ କରି ରଖିଚି-। କିନ୍ତୁ ସବୁ ବିସ୍ମରଣ ଓ ସବୁ ବିଫଳତାର ପଛେପଛେ ପୁଣି ଆପଣା ଭିତରେ ଅନନ୍ତର ଅନୁଭୂତ ମୋତେ ମୋର ମହତ୍ତ୍ଵ ଗୁଡ଼ିକ ବିଷୟରେ ସଚେତ କରାଯାଇଚି, ଜୀବନ ପଥର ସମଗ୍ର ଦୃଷ୍ଟି କ୍ଷଣକ୍ଷଣକରି ସମସ୍ତ ବିକଳତା ଭୁଲାଇ ମୋତେ ଦୁଇଗୁଣ ବେଗ ଓ ଉତ୍ସାହରେ ଆଗକୁ ଚାଲିବାର ମନ୍ତ୍ର ଦେଇଯାଇଚି । ପୁଣି ଆତ୍ମବିଶ୍ଵାସର ସହିତ ମୁଁ ଆପଣାକୁ ଚିହ୍ନି ନୂଆ ମାଟି ପକାଇ ମୁଁ ତାହାରି ସହିତ ସଂଯୁକ୍ତ ହୋଇ ରହିବାର ସେତୁ ବାନ୍ଧିଚି । କାରବାର ଖସିପଡ଼ିବା ଓ କାନ୍ଦିବା ସତ୍ତ୍ୱେ ଜୀବନଟା ତଥାପି ବୋଝପରି ମନେ ହୋଇନାହିଁ । କିନ୍ତୁ ମୋତେ ଏ ନୂତନ ଦେଶର ନୂଆ ସ୍ଥିତି ଭିତରକୁ ଆଣି କିଏ ଯେପରି ମୋର ସବୁ ବଳ ଅପହରଣ କରିନେଇଚି । ଅତି ଏକାନ୍ତକୁ ଅପସରି ଯାଇ ଓ ଅତି ନିଷ୍ଠାପର ଭାବରେ ଖୋଜି ମୋତେ ପୁଣି ଆପଣାକୁ ଫେରି ପାଇବାକୁ ହେବ ।

 

୫ । ୬ । ୫୧

 

ଏହି ଦେଶକୁ ଆସିବାପରେ ମନର ଏପରି ଦୁର୍ଦ୍ଦଶା ଯେ କାହିଁକି ହେଲା, ମୁଁ ଏତେଦିନକେ ତା’ର କାରଣ ବିଷୟରେ ଟିକିଏ ଆଭାସ ପାଇଲି । ମୁଁ ଛାତ୍ର ହିସାବରେ ଦେଶରୁ ପଇସା ନେଇ ବିଦେଶକୁ ଆସିଗଲି, ମାତ୍ର ଏପର୍ଯ୍ୟନ୍ତ ହୁଏତ ମୁଁ ଏଠାରେ ଆପଣାର ମନକୁ ଛାତ୍ରର ମନ ହିସାବରେ ଗଢ଼ି ପାରିନାହିଁ । ଏହି ଛଅମାସ ଭିତରେ ମୁଁ ଅବଶ୍ୟ ଭାରି ବହି ପଢ଼ିଚି, ନାନା ଚର୍ଚ୍ଚା ଓ ନାନା ଆଲୋଚନାରେ ଭାଗ ନେଇଚି, କିନ୍ତୁ ତଥାପି ମୋର ଯାବତୀୟ କାର୍ଯ୍ୟକଳାପରେ ମୁଁ ଛାତ୍ରର ମନୋଦୃଷ୍ଟିଟିକୁ ହିଁ ପୂରୋଭାଗରେ ରଖି ପାରିନାହିଁ । ମଣିଷ ଏହି ଜଗତରେ ସବୁକ୍ଷେତ୍ରରେ ପ୍ରବେଶ କରିବ, ଭଲମନ୍ଦ, ରୁଚିକର ଓ ଅରୁଚିକର ସବୁ କ୍ଷେତ୍ରରୁ ସେ ଶ୍ରଦ୍ଧା ସହିତ ଶିଖିବ, —ଏହାହିଁ ଛାତ୍ରର ଦୃଷ୍ଟି । ସ୍କୁଲ କଲେଜରେ ନପଢ଼ି ମଧ୍ୟ ଏହିପରି ମନ ରଖିଥିଲେ ବାଳ ପାଚିଲା ପର୍ଯ୍ୟନ୍ତ ବି ଜଣେ ଛାତ୍ର ହୋଇପାରିବ, ଅଧିକରୁ ଅଧିକ ଜାଣି ସେ ଆପଣାକୁ ଅଧିକରୁ ଅଧିକ ଉପକୃତ କରୁଥିବ । ମୁଁ ଗଲା କେତେମାସ ଧରି ଯେତେ କ୍ଷେତ୍ରରେ ମଣିଷ ସମାଗମରେ ମିଶିଚି, ସବୁଠାରେ ମୁଁ ଆପଣାର ଜ୍ଞାନ ଓ ଆପଣାର ସମ୍ମାନ ବିଷୟରେ ବଡ଼ ଅତିରିକ୍ତ ଭାବରେ ସଚେତ ହୋଇପଡ଼ିଚି । ହଁ, ବେଳେବେଳେ ପୁଣି ଆପଣା ଦେଶର ପ୍ରତିନିଧି ବୋଲାଇ କଳ୍ପିତ ନାନା ଯୁକ୍ତି ଓ ଅଯୁକ୍ତି ଦ୍ଵାରା, ଦେଶର ସଂସ୍କୃତିକୁ ଘୋଡ଼ାଇ ରଖିବାର ଅଭିନୟ ମଧ୍ୟ କରିଚି । ତେଣୁ ମୁଁ କୌଣସି ଗୋଟିଏ କ୍ଷେତ୍ରରେ ମଧ୍ୟ ଯଥାର୍ଥ ପ୍ରବେଶ କରି ପାରିନାହିଁ । ହଠାତ୍ କେଉଁଠି ଆପଣାର ଅଭାବଗୁଡ଼ିକରୁ କଣାଏ ମାତ୍ର ଧରା ପଡ଼ିଗଲେ ଆପଣାକୁ ଲୁଚାଇ ରଖିବାଲାଗି ମୁଁ ବଡ଼ ବ୍ୟଗ୍ର ହୋଇପଡ଼ିଚି, ନାନା କୃତ୍ରିମ ଆଚରଣଦ୍ଵାରା ବାହାର ସହିତ ଲାଗିଥିବା ସଂଯୋଗ ଦ୍ଵାରଗୁଡ଼ିକୁ ମୁଁ ବଡ଼ ସଙ୍କୁଚିତ କରି ପକାଇଚି । ତେଣୁ ମଣିଷ ସଂସ୍ପର୍ଶରେ ଓ ତା’ର ବିଚାରର ସଂସ୍ପର୍ଶରେ ଆସି ମଧ୍ୟ ମୁଁ ତଥାପି ସମୃଦ୍ଧ ଅନୁଭବ କରି ପାରିନାହିଁ, ଗୁଡ଼ାଏ ବକି ଖାଲି ଖାଲି ନିଜକୁ କ୍ଳାନ୍ତ କରିବା ହିଁ ସାର ହୋଇଚି ।

 

୬ । ୬ । ୫୧

 

ମୋର ମନ ଆହୁରି ଏକାନ୍ତକୁ, ଆହୁରି ଅନ୍ତରାଳକୁ ଚାଲିଯିବାକୁ ଚାହୁଚି । ଅନେକରୁ ଅନେକ ଅଭିଜ୍ଞତା ଲାଭ କରିବାର ସେହି ପ୍ରଥମ ଉତ୍ତେଜନା ଆଉ ମୋତେ ଖୁବ୍‌ ବେଶି ଆକୃଷ୍ଟ କରୁନାହିଁ । ସେତେବେଳେ ଇଙ୍ଗିତ ପାଇବା ମାତ୍ରକେ ସବୁ କ୍ଷେତ୍ରକୁ ଦଉଡ଼ି ଯିବାକୁ ଓ ଦୁଇମୁହୂର୍ତ୍ତ ଅକାରଣ କରିଦେଇ ଆସିବାକୁ ଭାରି ଭଲ ଲାଗୁଥିଲା । ଆଜି ବାହାରର ଜାଲ ଭେଦି ମନ ପୁଣି ଆପଣା ଭିତରକୁ ଫେରିଆସିଚି । ଏହିପରି ଆପଣାର ନିଜସ୍ୱ ହୋଇ ରହିଥିବା ପର୍ଯ୍ୟନ୍ତ ବାହାରର କୌଣସି ପ୍ରକାର ଆଘାତ ଆଉ ତାକୁ ବିଚଳିତ କରି ପାରିବନାହିଁ । ଏଠିକାର କ୍ଷେତ୍ର ଅତି ବିସ୍ତୃତ, ଆକାଶର ସମସ୍ତ ବ୍ୟାପ୍ତିକୁ ପରିପୂର୍ଣ୍ଣ କରି ଏଠିକା ଜୀବନର ସବୁ ଅଟ୍ଟାଳିକା ମୋ’ ମନରେ କେବଳ ଏକ monstrosity ବା ପ୍ରକାଣ୍ଡତାର ଧାରଣା ଦେଇଯାଉଚି । କିନ୍ତୁ ଏହି ଭୂମିର ଗଭୀରତା ପ୍ରକୃତରେ କେତେ ଅଳ୍ପ ! ଏଠି ସବୁ ସମ୍ପର୍କ କେବଳ ମୁହୂର୍ତ୍ତକର ସମ୍ପର୍କ, ସକଳ ବନ୍ଧୁତ୍ଵ କେବଳ କ୍ଷଣକଲାଗି ମଜା କରିବାର ବନ୍ଧୁତ୍ୱ । ପାଇବାରେ ଓ ହରାଇବାରେ ଏଠାରେ କୌଣସି ପାର୍ଥକ୍ୟ ନାହିଁ ।

 

ପଇସାର ଅର୍ଥନୀତି ଏଠି ଅନ୍ତରନୀତିକୁ ମଧ୍ୟ ଏକ ବ୍ୟବସାୟୀ ଦୃଷ୍ଟିରେ ଦୂଷିତ କରି ଦେଇଥିବା ପରି ଲାଗୁଚି । ପେଟ ପୂରାଇବାର ନାନାବିଧ ଅନୁସରଣ କରୁକରୁ ଏଠିକାର ମଣିଷ ଆପଣା ଅନ୍ତରକୁ ଓ ଆପଣା ସ୍ନେହସମ୍ପର୍କ ଗୁଡ଼ିକୁ ମଧ୍ୟ ବୁଝିବାର ଭଲମନ ହରାଇ ବସିଲାଣି । ବାପପୁଅର ସମ୍ପର୍କ ଓ ମାଆଝୁଅର ସମ୍ପର୍କ ପଛରେ ସେଥିଲାଗି ଗୋଟାଏ ପ୍ରକାରର ବ୍ୟବସାୟୀ ଓ ସ୍ୱାର୍ଥପ୍ରଧାନ ପ୍ରବୃତ୍ତି ଏଠାରେ ବଳବତ୍ତର ରହିଚି । ଜାଣେନା, ଅନ୍ନକୋଷର ଦାବୀ ମେଣ୍ଟାଇବାକୁ ହେଲେ ଉଚ୍ଚତର ଅନ୍ୟାନ୍ୟ କୋଷର ସକଳ ଦାବୀ ବିଷୟରେ ବିସ୍ତୃତ ହୋଇ ବସିବାକୁ ମଣିଷ ପ୍ରକୃତରେ କେତେଦୂର ବାଧ୍ୟ ହୁଏ ! ପେଟର ସମସ୍ୟା ମେଣ୍ଟାଇବାକୁ ଯାଇ ମଣିଷ ଯେ ଜୀବନର ଅନ୍ୟସକଳ ସମସ୍ୟା ଓ ସମ୍ଭାବନାର ସଚେତତା ହରାଇ ପକାଏ, ଏଇଟାକୁ କଣ ଆମ ସମାଜର ସ୍ଵାଭାବିକ ସତ୍ୟ ବୋଲି ମାନିନେବାକୁ ପଡ଼ିବ ।

 

୭ । ୬ । ୫୧

 

ଭାରି ଅସ୍ଵାଭାବିକ ଭାବରେ ଏ ନୂଆ ଦେଶରେ ମୋର ଜୀବନ ଆରମ୍ଭ କରିଥିଲି । ଭାରତୀୟ ଦର୍ଶନ ଓ ଭାରତୀୟ ରାଜନୀତି ବିଷୟରେ ସବୁ ଜାଣିଥିବା ପ୍ରତିନିଧି ପରି ମୁଁ କ୍ଷେତ୍ର ଓ ଅକ୍ଷେତ୍ରରେ ଆପଣାର ପ୍ରଗଳ୍‌ଭତାକୁ ପ୍ରଚାର କରି ବୁଲୁଥିଲି । ସଂସ୍କୃତି ଓ ଧର୍ମନାମରେ ଯାବତୀୟ philistine ଆଲୋଚନାରେ ମୁଁ ବେଶ୍ ନିରାମିଷ ଭାବରେ ଭାଗନେଇ ପାରୁଥିଲି, ଅପରକୁ ଖୁସି କରିବାଲାଗି ହୁଏତ କୌଣସି ପ୍ରକାର ଭୁଲରେ ପ୍ରତିବାଦ ମଧ୍ୟ କରୁନଥିଲି ।

 

ଧର୍ମ, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦଶଭାଗରୁ ପ୍ରାୟ ସାଢ଼େ ନଅଭାଗ କ୍ଷେତ୍ରରେ ଆଜି କେବଳ କପଟତାର ଅଭିନୟ ଚାଲିଚି । ଆପଣାର ପେଟ ଓ ଭବିଷ୍ୟତକୁ ମୋଟା କରିବାର ଲୋଭରେ ମଧ୍ୟ ଅନେକେ ଏହି ସବୁ କ୍ଷେତ୍ରରେ ପାଟିତୁଣ୍ଡ କରିବାର ବ୍ୟବସାୟ ଆରମ୍ଭ କରିଚନ୍ତି । ଡେନ୍‍ମାର୍କର ରାଜଧାନୀ ଏହି ସହରରେ ହୁଏତ ସେହିପରି କେତେକ ଲୋକ ଭାରତର ମଣିଷ ଓ ଭାରତୀୟ ଧର୍ମଲାଗି ସତୃଷ୍ଣ ହୋଇ ରହିଚନ୍ତି ।

 

ସ୍ନେହ, ଶ୍ରଦ୍ଧା ଓ ନିଷ୍ଠା,—ଏହାହିଁ ସବୁ ଦେଶ ଓ ସବୁ ସଂସ୍କୃତିର ମୂଳ ଅବଧାରକ । ନାନା ଭାବରେ ଓ ନାନା ଭାଷାରେ ସବୁ ଦେଶର ମହାତ୍ମାମାନେ ମଣିଷକୁ ଏହି ବାଣୀ ଶୁଣାଇଦେଇ ଯାଇଚନ୍ତି । କୌଣସି ପ୍ରକାର ବିଶେଷ ସଂସ୍କୃତିର ଭୌଗୋଳିକ ଦିଗଟାକୁ ନେଇ ଢୋଲ ପିଟିବା ପୂର୍ବରୁ ଏହି ମୂଳ ବିଦ୍ୟାଟିକୁ ନିଜସ୍ଵ କରି ନପାରିଲେ ମଣିଷ କୌଣସି ପ୍ରକାର ସୁସ୍ଥ ସଂସ୍କୃତିର ପ୍ରତିନିଧିତ୍ଵ କରି ପାରିବନାହିଁ । ଅହଙ୍କାରୀ ଭାଷାରେ କୁହାଯାଉଥିବା ଡେନ୍‍ମାର୍କ ଓ ଭାରତର ବନ୍ଧୁତ୍ଵକୁ ଏହି ମୂଳ ଦୃଷ୍ଟିରେ ଦେଖିଲେ ଏହା କେବଳ ଡେନ୍‍ମାର୍କବାସୀ ସହିତ ଭାରତବାସୀର ଦୈନନ୍ଦିନ ସମ୍ପର୍କକୁ ହିଁ ବୁଝାଇବ । ଏ ଦେଶରେ ମୁଁ ଯେଉଁ କ୍ଷେତ୍ରକୁ ଯିବି, ସେଠି ଅବାରିତ ଭାବରେ କେବଳ ଆପଣାର ସ୍ନେହଶ୍ରଦ୍ଧା ହିଁ ଦେଇଯିବି, ନିର୍ମଳ ଭାବରେ ମୁଁ ଏଠିକାର ଲୋକଙ୍କୁ ଭଲ ପାଇବି । ଭାରତୀୟ ହିସାବରେ କୌଣସି ସ୍ଵତନ୍ତ୍ର ପରିଚୟ ଦେବାଆଗରୁ ମୁଁ ମଣିଷ ହିସାବରେ ସଭିଙ୍କ ସହିତ ମିଳିତ ହେବି ।

 

୮ । ୬ । ୫୧

 

ରାଜନୀତି ଭିତରେ ଦେଶ ଓ ଜାତିର ଉଗ୍ରତା ପୂରାଇ ଦଶବର୍ଷତଳେ ଆମ ପୃଥିବୀକୁ ଗୋଟାଏ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏବଯୁଗର ବଣିକ ଓ ଉପଭୋଗୀ ସଂସ୍କୃତିର ନାମ ନେଇ ପୁଣି ହୁଏତ ଏକ ନୂଆ ଫିକର ବାହାରିଲାଣି । ବାଣିଜ୍ୟଚୁକ୍ତି, ଭୋଜି ଓ ବିନୋଦନରେ ବଡ଼ଲୋକର ବୈଠକଖାନା ଦୁର୍ଗନ୍ଧମୟ ହୋଇ ଉଠୁଥିବାବେଳେ ସେଠି ମଧ୍ୟ ସଂସ୍କୃତି ଓ ଦେଶ ଦେଶ ମଧ୍ୟରେ ବନ୍ଧୁତ୍ଵର ଆଲୋଚନା ଚାଲିଚି । ଅତି ଅକସ୍ମାତ୍ ଭାବରେ ଦୁଇଟା ଦେଶରେ ଜନ୍ମ ହୋଇଥିବା ବଡ଼ଲୋକ ଆପଣା ଆପଣାର ଦେଶନାମରେ କରମର୍ଦ୍ଦନ କରୁଚନ୍ତି । ଖବରକାଗଜ, ରେଡ଼ିଓ ଓ ପ୍ରତ୍ୟେକ ଦେଶର ସରକାରୀ ପ୍ରଚାରଦ୍ଵାରା ନୀତି ଏହି କପଟ ଅଭିନୟ ଚାଲିଚି । ମଣିଷର ଲୋଭ ଓ ଖ୍ୟାତିର ମୋହ ସକାଶେ ସଂସ୍କୃତିକୁ ମଧ୍ୟ କାମରେ ଲଗାଇବାର ଚେଷ୍ଟା କରାଯାଉଚି । ଆପଣାର ମତଲବ ସିଦ୍ଧ କରିବା ସକାଶେ ସବୁ ଦେଶୀ ବଜାରର ବ୍ୟବସାୟୀ ଆଜି କେତେପ୍ରକାରର ବନ୍ଧୁତ୍ଵ ବାନ୍ଧୁଚି, କେତେପ୍ରକାରର ସହାନୁଭୂତି ଦେଖାଉଚି ।

 

ସଂସ୍କୃତିର ପ୍ରତିଷ୍ଠା ଲାଗି ଯଦି ମଣିଷ ପ୍ରଥମେ ଆପଣାର ଅନ୍ତରକୁ ଓ ସାମାଜିକ ଜୀବନକୁ ସୁସଂସ୍କୃତ କରି ପାରୁଥାଆନ୍ତା । ସଂସାରରେ ଭ୍ରାତୃଭାବ ଓ ମୈତ୍ରୀର ପ୍ରଚାର କରିବା ଆଗରୁ ଯଦି ସେ ପ୍ରଥମେ ଆପଣାର ଅଭିଳାଷ (intentions)ଗୁଡ଼ିକୁ ନିର୍ମଳ କରି ପାରୁଥାଆନ୍ତା !

 

ହୁଏତ ଭବିଷ୍ୟତରେ କେବେ ଏହି ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବାର ବାତାବରଣ ସୃଷ୍ଟି କରାଯାଇ ପାରିବ, ଏହିପରି ଗୋଟାଏ ମିଛ ଆଶାରେ ଆଜି ସମସ୍ତେ ନାନାପ୍ରକାର ଉଦ୍ୟମ କରିବାରେ ଲାଗିଚନ୍ତି । ଯୁଦ୍ଧ ଏଇଥିପାଇଁ ଚାଲିଚି, ଏଇଥିପାଇଁ ଜଣେ ସଙ୍ଗେ ବନ୍ଧୁ ବାନ୍ଧି ଆଉଜଣକ ସହିତ ଶତ୍ରୁପଣ କରିବାଲାଗି ଭାରି ଯୋଗାଡ଼ ଚାଲିଚି । କିନ୍ତୁ ବର୍ତ୍ତମାନଠାରୁ ଅର୍ଥାତ୍ ଏହି ମୁହୂର୍ତ୍ତଠାରୁ ସେ ମଣିଷ ଆପଣା ଜୀବନରେ ମୈତ୍ରୀ ଓ ଶାନ୍ତିର ଅଭ୍ୟାସ ଆରମ୍ଭ କରିପାରିବ, ସେଥିପ୍ରତି କାହାରି ଲକ୍ଷ୍ୟ ନାହିଁ । ଆପଣାର ଦାୟିତ୍ଵକୁ ଟାଳିଦେଇ ସମସ୍ତେ ଦେଶ, ଜାତି ଓ ଶାନ୍ତି ନାମରେ ଜଗତରେ ସବୁ ଅନ୍ୟାୟ ଏବଂ ଅତ୍ୟାଚାରକୁ କେବଳ ସମର୍ଥନ ଓ ପୋଷଣ କରିବାରେ ଲାଗିଚନ୍ତି ।

 

୯ । ୬ । ୫୧

 

ଏହି ଖାତାରେ ମୁଁ ପୃଷ୍ଠାପରେ ପୃଷ୍ଠା ପୂର୍ଣ୍ଣ କରି ଚାଲିଚି, ପ୍ରତିଦିନ କେତେ ଧାଡ଼ି ଲେଖି ରୁଟିନ୍‌ଟାକୁ ବଜାୟ ରଖିବାର ବାହାନାରେ ମୁଁ ଯେ ତିନିଟା ଖାତା ପୂର୍ଣ୍ଣ କରି ସାରିଲିଣି, ଆଜି ହଠାତ୍ ସେହି କଥା ହିଁ ଭାବୁଚି । ପୁରୁଣା ପୃଷ୍ଠାଗୁଡ଼ାକୁ ଓଲଟାଇ ଏ ଖାତାରୁ କିଞ୍ଚିତ୍ ପଢ଼ିଲା ମାତ୍ରକେ ମୁଁ ଆପଣାକୁ କେଡ଼େ ବିଚିତ୍ର ଓ କେତେ ତରଳ କରି ଦେଇପାରୁଚି । କେତେକେତେ କ୍ଷେତ୍ରରେ କେତେ ବିଚିତ୍ର ପରୀକ୍ଷା ଓ ଅଭିଜ୍ଞତା ଦ୍ଵାରା ସମୃଦ୍ଧ, ତଥାପି ସେହି ଗୋଟିଏ ଜୀବନ ଅବିଚ୍ଛିନ୍ନ ଭାବରେ ଚାଲିଚି । ପ୍ରତ୍ୟେକଟି ନୂଆ ପରସ୍ତ ଓ ପରୀକ୍ଷା ଗୋଟିଏ ଗୋଟିଏ ପାହାଚ ପରି ରହି ମୋତେ ସୁଦୂର ଅତୀତ ସହିତ ସଂଯୁକ୍ତ କରି ରଖିଚି । ଆଗକୁ ଆଗକୁ ପଡ଼ିଥିବା ଆହୁରି କେତେ ଅଦୃଶ୍ୟ ପାହାଚ ଯେ ଭବିଷ୍ୟତ ଆଡ଼କୁ ମୋତେ ଉଠାଇ ନେଇଚାଲିଚି, ମୁଁ ସେକଥା କଳ୍ପନା ହିଁ କରି ପାରୁନାହିଁ ।

ରୋହିତର ଡାଏରୀ (ତୃତୀୟ ପର୍ବ)

 

ଏହି ସମଗ୍ର ଓ ଏହି ବିଚିତ୍ର ଇତିହାସଟି ହେଉଛି ଜୀବନ । ଅନ୍ୟ କାହାରି ଜୀବନ ବିଷୟରେ ଆଲୋଚନା କଲାବେଳେ ଆମେ ଜୀବନର ଏହି ବହୁଳତା ଓ ବିଚିତ୍ରତା ସମ୍ବନ୍ଧରେ ଏକାବେଳେକେ ବିସ୍ମିତ ହୋଇପଡ଼ୁ, ଏହାର ବିଭିନ୍ନ ପରସ୍ତରେ ଶତକଡ଼ା ଶହେଭାଗ consistency ବା ପୁନରାବୃତ୍ତି ନ ଦେଖିଲେ ଆମେ ଭାରି ବିସ୍ମିତ ହୋଇପଡ଼ୁ । କିନ୍ତୁ ଜୀବନର ଏହି static କଳ୍ପନା ଆଦୌ ସ୍ଵାଭାବିକ କଳ୍ପନା ନୁହେଁ । ସବୁରି ଜୀବନ ଏକ ସଂଯୁକ୍ତ ଧାରାପରି ବହିଚାଲିଚି, ସେହି ଗୋଟିଏ ବେଗ ତାକୁ ସତେ ବୁହାଇ ରଖିଚି । କିନ୍ତୁ ମୁହୂର୍ତ୍ତ, ମୁହୂର୍ତ୍ତ କରି ବିଚାର କଲେ ନାନା ବିଚିତ୍ର କ୍ଷେତ୍ରରେ ନାନା ବିଚିତ୍ର ପରିଚୟ ଦେଇ ସେ ଆପଣାକୁ ଲାଭବାନ୍ କରି ଚାଲିଚି ।

 

ମୋର ମୁହୂର୍ତ୍ତଗୁଡ଼ିକ ଯେତେ ବିଚିତ୍ର ଓ ଯେତେ ବିଚ୍ଛିନ୍ନ ହେଲେ ମଧ୍ୟ ମୁଁ ସେଗୁଡ଼ିକୁ ଏକ ସମଗ୍ର ଧାରାର ଏକତ୍ରିତ ପର୍ଯ୍ୟାୟ ଭାବରେ ହିଁ ଦେଖିବି । ମୋର ଭୁଲ୍‍ ଓ ମୋର କ୍ଷତି ହେଉଚି ସେହି ସମଗ୍ରକୁ ସମୃଦ୍ଧ କରିବାର ଗୋଟିଏ ଗୋଟିଏ ପାହାଚ । ଯେତେବେଳେ ମଣିଷ ଏହିପରି ସଂଯୁକ୍ତ ଭାବରେ ଦେଖିବାର ବୁଦ୍ଧି ହରାଇ ପକାଏ, ସେତିକିବେଳେ ହିଁ ତାର ବୁଦ୍ଧି ତାକୁ ବଡ଼ ମ୍ରିୟମାଣ କରିପକାଏ, ଦୁଃଖରୁ ଲାଭବାନ୍ ହେବାକୁ ସେ ସେତିକିବେଳେ ହିଁ ବଡ଼ ଅସମର୍ଥ ହୋଇପଡ଼େ ।

 

୧୦ । ୬ । ୫୧

 

ଆଜି ଲେଖିବାର ସମସ୍ତ ଶକ୍ତି ଚାଲିଯାଇଥିବା ପରି ମନେ ହେଉଚି । କର୍ତ୍ତବ୍ୟର ଅନୁରୋଧରେ ମୁଁ ମନଟାକୁ ଯେତିକି ଟାଣିଟୁଣି ଆଣି ଏହି ଖାତାଉପରେ ବସାଉଚି, ସେତିକି ମନେ ହେଉଚି ଯେପରି ମୋ’ଭିତରେ ରହିଥିବା କେଉଁ ଅପ୍ରସ୍ତୁତ ପ୍ରାଣ ବଡ଼ ବ୍ୟଥିତ ହୋଇ ପଡ଼ୁଚି । ସମୟ ଆସିଲେ, ଅନୁଭୂତିର କବାଟ ଫିଟିଲେ ସେ ବଳେ ଆପଣାର ଭାବନାଗୁଡ଼ିକୁ କର୍ମମୟ ଓ ପ୍ରକାଶମୟ ରୂପ ଦେବାଲାଗି ଅତି ସ୍ଵାଭାବିକ ଭାବରେ ବ୍ୟଗ୍ର ହୋଇ ବାହାରି ପଡ଼ିବ, ମୋର ଅଜାଣତରେ ମୋତେ ମୋର ସମଗ୍ର କ୍ଷେତ୍ରର ମାଲିକ କରି ଦେଇଯିବ । ହୁଏତ ସେହି ସମୟ ଆସିନାହିଁ, ମୋତେ ଆହୁରି ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ଆପଣାର ଆଳସ୍ୟ ଓ ନିଷ୍କ୍ରିୟତାକୁ ସମର୍ଥନ କରି ନେବାଲାଗି ଇଏ ଆଉ ଗୋଟାଏ ଛଳନା ନୁହେଁ ତ ? ଗୋଟାଏ ଆଡ଼େ ମୁଁ ଯେତିକି ଆହୁରି ଅପେକ୍ଷା କରିବାର ଓ ଆହୁରି ପ୍ରସ୍ତୁତ ହେବାର ନାନା ସାନ୍ତ୍ଵନାରେ ମନଟାକୁ ବୁଝାଇ ରଖୁଚି, ସେତିକି ଅନ୍ୟ ଗୋଟାଏ ଆଡ଼େ ମୋର ଆଉ ଗୋଟାଏ ମନ ଏହି ସମସ୍ତ ଅପେକ୍ଷାକୁ ଯେପରି କେବଳ ନିଷ୍କ୍ରିୟତା ବୋଲି ଧରି ନେଇ ଲଜ୍ଜିତ ଓ ଅସ୍ଥିର ହୋଇପଡ଼ୁଚି । ସତେଯେପରି ମୋର ଅନେକ କିଛି କରିବାର, କହିବାର ଓ ହେବାର ଥିଲା; ଏହି ପ୍ରସ୍ତୁତ ହେବାର ଛଳନା ଦେଖାଇ ମୁଁ ଯେପରି ସେ ସବୁ ଦୁଆରେ ପଥରମୁଦ ପକାଇଦେଇଚି । ସ୍ଵାଧୀନତା ପାଇଥିଲେ ହୁଏତ ପ୍ରାଣର ସ୍ଵାଭାବିକ ପ୍ରକାଶ ଧାରାଟି କ୍ରମେ ଅଧିକରୁ ଅଧିକ ସମୃଦ୍ଧିମନ୍ତ ହୋଇ ବହିଯାଇ ପାରିଥାନ୍ତା, ମାତ୍ର କେଉଁ ଭବିଷ୍ୟତରେ ଆହୁରି ଅଧିକ ବଳିଷ୍ଠ ଭାବରେ କିଛି କହିବାର ଓ କରିବାର ଆଶାରେ ମୁଁ ଯେପରି ସେହି ଧାରାର ମୁହଁକୁ ଜୋର୍‌କରି ବନ୍ଦ କରି ଦେଇଚି । ଆଜି ତାହାର ଅଭିଶାପ ରୂପେ ଯେପରି ଅନ୍ତରର କ୍ଷୀଣ ସ୍ରୋତଟି ଆପଣାର ବହମାନ ଧର୍ମକୁ ଭୁଲି ଯାଇ ଏକ ଆବଦ୍ଧ ଜଳାଶୟ ପରି ସଢ଼ି ପଚିବାକୁ ଆରମ୍ଭ କଲାଣି । ଏହି ଦୁଇପ୍ରକାର ଦୃଷ୍ଟି ମଧ୍ୟରେ କୋଉଟା ଅଧିକ ସତ୍ୟ କେଜାଣି ?

 

୧୧ । ୬ । ୫୧

 

ଭିତରୁ ନିର୍ଦ୍ଦେଶ ଓ ସ୍ଵତନ୍ତ୍ରତା ପାଇବାକୁ ହେଲେ ବାହ୍ୟ ଜୀବନର ସମସ୍ତ ଆଚରଣକୁ ଶୃଙ୍ଖଳାବଦ୍ଧ କରିବା ପ୍ରଥମେ ଆବଶ୍ୟକ । ଏକଥା ଅତି ସହଜରେ ସମସ୍ତେ କହିବେ । କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଦିଗରେ ସୁନିଶ୍ଚିତ ଓ ସନ୍ତୋଷଜନକ ଭାବରେ ଆଗେଇବାକୁ ହେଲେ ପ୍ରଥମେ ଆପଣାର ବିକ୍ଷିପ୍ତ ଧ୍ୟାନ ଓ କାର୍ଯ୍ୟକଳାପକୁ ଏ ନିୟମିତ ମାର୍ଗଚାରଣାର ଅନ୍ତର୍ଗତ କରିବାକୁ ପଡ଼ିବ-

 

ଏଠାକୁ ଆସିବା ଦିନଠାରୁ ଏଇଟା ହଁ ମୋର ସବୁଠାରୁ ବଡ଼ ଅଭାବ ହୋଇ ରହିଚି । ଶାନ୍ତିନିକେତନରେ ସକାଳୁ ଉଠିବାଠାରୁ ଆରମ୍ଭ କରି ଗାଧୋଇବା, ବ୍ୟାୟାମ କରିବା, ସୁସ୍ଥ ଖାଦ୍ୟ ଖାଇବା, ମୁକ୍ତ ବାୟୁ ସେବନ କରିବା ଓ ଶୋଇବା ପର୍ଯ୍ୟନ୍ତ ଦୈନନ୍ଦିନ ଯାବତୀୟ କାର୍ଯ୍ୟକୁ ମୁଁ କେଡ଼େ ନିୟମିତ ଭାବରେ କରିପାରୁଥିଲି । ସେଥିଲାଗି ଦିନସାରା ମୁଁ ଆପଣା ଭିତରେ କେଡ଼େ ସହଜ ଅନୁଭବ କରି ପାରୁଥିଲି, ଆବଶ୍ୟକ ପଡ଼ିବା ମାତ୍ରକେ କେଡ଼େ ସହଜ ଭାବରେ ଆପଣାକୁ କେଡ଼େ ବଡ଼ ବଡ଼ କାର୍ଯ୍ୟରେ ନିଯୁକ୍ତ କରି ପାରୁଥିଲି ଏବଂ ସେଇଥିଲାଗି ପ୍ରତ୍ୟେକ ସକାଳେ ମୋର ପ୍ରସନ୍ନ ମନ ଅତି ସ୍ଵାଭାବିକ ଭାବରେ ଗୀତ ଗାଇ ଉଠୁଥିଲା, ପୁଣି ରାତିରେ କର୍ମ ଶେଷରେ ଏକ ସ୍ଵାଭାବିକ କୃତଜ୍ଞତାରେ ସେ ସକଳ ଜୀବନର ବିଧାତା ପାଖରେ ଆପଣାକୁ ସମର୍ପଣ ବି କରି ଦେଉଥିଲା ।

 

ଏଠି ଉଠିବା, ଶୋଇବା ଓ ଖାଇବା ବିଷୟରେ ମୁଁ ଏପର୍ଯ୍ୟନ୍ତ ଆପଣା ବାଟକୁ ଆସି ପାରୁନାହିଁ । ମନେମନେ ନିଜକୁ ଗୋଟାଏ ରାତିରେ ଗଢ଼ିବାକୁ ଚାହୁଁଚି, ଅଥଚ ସେହିପରି ଗଢ଼ିବା ଲାଗି ପ୍ରଥମେ ଆବଶ୍ୟକ ଏକ ସ୍ଵାଧୀନ ବାତାବରଣ ପାଇ ପାରୁନାହିଁ । ସେଥିପାଇଁ ଏଠି ସକାଳେ ଉଠିବା ସମୟରେ ସତେ ଅବା ଅଧା ନିଦରୁ ଉଠିଥିବା ଆଖି ଭାରି ପ୍ରତିବାଦ କରୁଚି, ବନ୍ଧୁମେଳରେ ବିଚରଣ କରି ଏଠାକାର ନାନାବିଧ କାଇଦାରୁ ଦୋରସ୍ତ କରିବାର ସତତ ଚେଷ୍ଟା କଲାବେଳେ ମୁଁ ସତେଅବା ଆପେ ଆପଣାକୁ ଉପହାସ କରି ଉଠୁଚି, ପରିଶ୍ରମ-ଅର୍ଜିତ ନାନା ପ୍ରକାର Expedientକୁ ଧ୍ୟାନରେ ରଖି ଶୋଇବା ଆଗରୁ ଶୋଇବା ପାଇଁ ପ୍ରସ୍ତୁତ ହେଲାବେଳକୁ ଦିନମାନର ନାନା ଅପରିତୃପ୍ତ ଜଟିଳତା ମୋର ସକଳ ମନକୁ ତପ୍ତ ଓ ବିଚଳିତ କରି ରଖୁଚି ।

 

୧୨ । ୬ । ୫୧

 

ଆପଣାକୁ ଶୃଙ୍ଖଳିତ କରିବା ଦିଗରେ ଏଠି ଯେତେପ୍ରକାର ବାଧା ରହିଚି, ତା’ ଭିତରୁ ସବୁଠାରୁ ବଡ଼ ବାଧା ହେଉଛି ଖାଦ୍ୟର । ଏ ଦେଶରେ କାହାରି ଅତିଥି ହିସାବରେ ମୋର ଖାଦ୍ୟ ସମ୍ବନ୍ଧରେ କୌଣସି ବୋଝ ହେବି ନାହିଁ ବୋଲି ସ୍ଥିର କରି ମୁଁ ଏଠିକାର ସାଧାରଣ ଖାଦ୍ୟ ଖାଇବାକୁ ଆରମ୍ଭ କରିଥିଲି । କିନ୍ତୁ ଆଉ ସେପରି କରି ଚଳି ହେଉନାହିଁ । ଶାନ୍ତିନିକେତନରେ ମୁଁ ଆପଣାର ରୁଚି ଅନୁସାରେ ଆପେ ଆପଣା ଖାଇବାର ବ୍ୟବସ୍ଥା କରୁଥିଲି । ତଦ୍ଦ୍ୱାରା ଖର୍ଚ୍ଚ ଯେ ଅଳ୍ପ ହେଉଥିଲା, ସେକଥା ବର୍ତ୍ତମାନର ଆଲୋଚ୍ୟ ନୁହେଁ । ସବୁଠାରୁ ବଡ଼ କଥା ହେଉଚି ଯେ ମୁଁ ରୁଚି ମୁତାବକ ମୋ’ ଖାଦ୍ୟର ବ୍ୟବସ୍ଥା କରୁଚି ବୋଲି ସେଠି ଭାରି ସନ୍ତୋଷ ପାଉଥିଲି, ସେତେବେଳେ ଖାଇବା ବିଷୟରେ କୌଣସି ପ୍ରକାର ଚିନ୍ତା ମୋର ମନକୁ କଦାପି ଖାଇ ଗୋଡ଼ାଉ ନଥିଲା । ସେହି ଖାଦ୍ୟ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହୁଥିଲା, ମୁଣ୍ଡ ଓ ଦେହ ଭାରି ହାଲୁକା ଲାଗୁଥିଲା । ଦିନରେ ଅନ୍ତତଃ ଦଶ ଘଣ୍ଟା ପର୍ଯ୍ୟନ୍ତ କଠିନ ମାନସିକ ପରିଶ୍ରମ କଲେ ମଧ୍ୟ ଆଦୌ କ୍ଳାନ୍ତ ଲାଗୁ ନଥିଲା । ରାତିରେ ଛଅଘଣ୍ଟାରେ ହିଁ ଯଥେଷ୍ଟ ଶୋଇବା ହୋଇ ଯାଉଥିଲା । ତାହା ସହିତ ଏଠିକା ଅବସ୍ଥାକୁ ତୁଳନା କଲାବେଳକୁ ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଚି । ଯେତେ ସାର ପଦାର୍ଥ ଖାଇଲେ ମଧ୍ୟ ମୁଁ ଏଠି ଖୁବ୍ ଅଳ୍ପ ସମୟ ଲାଗି ଆପଣାକୁ ଭିତରୁ ସୁସ୍ଥ ଅନୁଭବ କରିଚି, ଏଠି ମୁଣ୍ଡ ଓ ଦେହ ଅଧିକାଂଶ ସମୟରେ ଭାରି ଭାରି ଲାଗୁଚି । ରାତିରେ ଆଠ ନଅଘଣ୍ଟା ଶୋଇଲେ ମଧ୍ୟ ସକାଳେ ଉଠିଲାବେଳକୁ ନିଦ ସଂପୂର୍ଣ୍ଣ ଭାବରେ ଛାଡ଼ି ପାରୁନାହିଁ । ଭାରି କ୍ଳାନ୍ତ ଲାଗୁଚି । ଏପରିକି ଦିନମାନର ପାଠ ପଢ଼ିବାରେ ମଧ୍ୟ ମୁଁ ସନ୍ତୋଷଜନକ ଭାବରେ ମନୋନିବେଶ କରିପାରୁନାହିଁ । ବହିକୁ ଅନାଇଲା କ୍ଷଣି କ୍ଳାନ୍ତ ଓ ଦୁର୍ବଳ ମନର ସୁବିଧା ନେଇ କେତେଆଡ଼ୁ କେତେପ୍ରକାର ଚିନ୍ତା ଆସି ମୋତେ ବିକ୍ଷିପ୍ତ ଓ ଆହୁରି କ୍ଳାନ୍ତ କରି ପକାଉଚି । ଯାହା ପଢ଼ୁଚି, ମୁଁ ସହଜ ହୋଇ ସେଗୁଡ଼ିକର ମନନ କରି ପାରୁନାହିଁ । ଯେକୌଣସି ପ୍ରକାରେ ଘଣ୍ଟାକୁ କୋଡ଼ିଏ ପଚିଶି ପୃଷ୍ଠା ଓଲଟାଇ ଦେଇ ମୁଁ ମୋର ରୁଟିନ୍ ଶେଷ କରି ଦେଉଚି ।

 

୧୩ । ୬ । ୫୧

 

‘The sensation of tedium is a protest against the entire present’ ! ଆପଣା ଜୀବନର ବର୍ତ୍ତମାନ କ୍ଷେତ୍ରଟି ଯେତେବେଳେ କୌଣସି ପ୍ରକାର ପ୍ରେରଣା ଦେଇପାରେ ନାହିଁ, ଯେତେବେଳେ ଚାରିଆଡ଼ୁ ସବୁ ଦୁଆର ବନ୍ଦ ହୋଇ ଯିବାପରି ସଂବେଗମୟ ଓ କର୍ମମୟ ମୁକ୍ତି ସହିତ ସମସ୍ତ ସଂଯୋଗ ତୁଟି ଯାଏ, କେବଳ ସେତିକିବେଳେ ହିଁ ମନ ଦୁର୍ବଳ ହୋଇପଡ଼ି ସମୟର ବୋଝ ବିଷୟରେ ଅତ୍ୟନ୍ତ ସଚେତ ବି ହୋଇଯାଏ । ଶରୀର ଭିତରେ ରକ୍ତ, ମାଂସ ଓ ହାଡ଼ ରହିଚି, କିନ୍ତୁ ଏକ ନିୟମିତ ସଂଚାଳନ ପ୍ରକ୍ରିୟା ଦ୍ଵାରା ସତତ ତତ୍ପର ରହିଥିବାରୁ ସେ ସବୁର ଭାରକୁ ମଣିଷ ଆଦୌ ଅନୁଭବ କରୁନାହିଁ । ହାତୀର ଶରୀର ହାତୀକୁ କଦାପି ଗୋଟାଏ ବୋଝ ପରି ମନେ ହେଉନଥିବ । ମୁଣ୍ଡ ଉପରେ ବାୟୁମଣ୍ଡଳର ବୋଝ ନେଇ ଆମେ ସମସ୍ତେ ବିଚରଣ କରୁଚୁ, କିନ୍ତୁ ତାହା ପ୍ରକୃତରେ ଏକ ସଚେତ ବୋଝ ହୋଇ ରହିଥିଲେ ଜୀବନ କେଡ଼େ ଦୁର୍ବହ ହୋଇ ପଡ଼ିଥାନ୍ତା । ସମୟ ସହିତ ମନର ଠିକ୍ ସେହିଭଳି ଏକ ସମ୍ପର୍କ ରହିଚି । Eternal space ପରି Eternal time ମଧ୍ୟରେ ଆମେ ସମସ୍ତେ ବିଚରଣ କରୁଚୁ । ଆପଣାର interest ଓ occupations ଦ୍ଵାରା ମଣିଷ ଯେତିକି ବେଶି ଅନୁପ୍ରାଣିତ ରହିପାରିବ, ଯିଏ ଯେତିକି ସ୍ଵାଭାବିକ ଭାବରେ ଆପଣାର ଚିତ୍ତବୃତ୍ତିକୁ ବିତରିତ କରିଦେଇପାରିବ, ସମୟର ଉତ୍ପୀଡ଼ନର ସିଏ ସେତିକି ଆପଣାକୁ ମୁକ୍ତ ରଖିପାରିବ । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ତତ୍ପର ହୋଇ ରହିବାର ଅନୁକୂଳ ସୁଯୋଗ ନ ପାଇଲେ, ଆପଣାର ଅନ୍ତର୍ନିହିତ ଶକ୍ତିଗୁଡ଼ିକୁ ନାନାଭାବେ କର୍ମ ପ୍ରଯୁକ୍ତ କରି ରଖିବାର କ୍ଷେତ୍ର ନ ପାଇଲେ, ସମୟ ଖଣ୍ଡେ ଖଣ୍ଡେ ପଥର ପରି ମଣିଷର ମୁଣ୍ଡ ଉପରେ ଲଦି ହୋଇ ରହିବ, ଅକାରଣରେ ବ୍ୟସ୍ତ ଓ ନିଷ୍କ୍ରିୟତା ଦ୍ଵାରା ସନ୍ତପ୍ତତାର ମସ୍ତିଷ୍କ ସହଜ ଓ ସରଳ ଭାବରେ କିଛି ଚିନ୍ତା କରିବାର ଶକ୍ତି ମଧ୍ୟ ହରାଇ ବସିବ ।

 

୧୪ । ୬ । ୫୧

 

‘The more the details of our daily life we can hand over to the effortless custody of automatism, the more our higher powers of mind will be set free for their own proper work : —

 

—William James

 

ଉପର ବାକ୍ୟଟିରେ automatism ଶବ୍ଦଟିକୁ ଯେଉଁପରି ବ୍ୟବହାର କରାଯାଇଚି, ସେଥିଲାଗି ହୁଏତ ଅନେକ ଆପତ୍ତି ଉଠିପାରେ । କିନ୍ତୁ ଶବ୍ଦ ନେଇ ଓ ଶବ୍ଦର ବିଶେଷ ପ୍ରୟୋଗ ନେଇ ମତାନ୍ତର ସୃଷ୍ଟି କରିବା ପୂର୍ବରୁ ବାକ୍ୟଟିର ଅର୍ଥ ଯେ ମୋଟାମୋଟି ଭାରି ସ୍ପଷ୍ଟଭାବରେ ବୁଝାଯାଉଚି । ଏଥିରେ ନିଶ୍ଚୟ କାହାରି ଦ୍ଵିମତ ହେବ ନାହିଁ । ସବୁଦିନ ସବୁ କ୍ଷେତ୍ରରେ ଆମର ଅନେକ କାମ ରହିଚି । ଶରୀର ଓ ମନର ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିରୁ ସେହି କାର୍ଯ୍ୟଗୁଡ଼ିକୁ ଆମକୁ ଏକପ୍ରକାର routined ନିଷ୍ଠାରେ କରିବାକୁ ହୁଏ । ପରିଷ୍କାର ପରିଚ୍ଛନ୍ନ ରହିବା, ଖାଦ୍ୟ ଖାଇବା ଓ ଶୋଇବା ପ୍ରଭୃତି କାର୍ଯ୍ୟ ଆମେ ସବୁଦିନ ନିୟମିତ ଭାବରେ କରୁ ଓ କ୍ରମେ ସେ ସବୁ ଆମର ଏପରି ଅଭ୍ୟାସରେ ପଡ଼ିଯାଏ ଯେ, ସେ ବିଷୟରେ ଆମେ ଆଦୌ ସଚେତ ବି ରହି ପାରୁନାହିଁ । James ହୁଏତ ଏହି ଅଭ୍ୟାସଗତ ଅସଚେତତାକୁ automatism ବୋଲି କହିଛନ୍ତି । କିନ୍ତୁ ସେ ଯାହା ହେଉ ପଛକେ, ଯେତେ ସହଜରେ ଓ କମ୍ ସଚେତ ଭାବରେ ମଣିଷ ଅତ୍ୟାବଶ୍ୟକ ଦିନଚର୍ଯ୍ୟାଗୁଡ଼ିକ ବ୍ୟବସ୍ଥିତ ହୋଇପାରେ । ସେ ଆପଣାକୁ ସେତିକି ନିଶ୍ଚିନ୍ତ ରଖିବାକୁ ସମର୍ଥ ହୁଏ ଓ ନିଶ୍ଚିନ୍ତ ମନରେ ନାନା ରଚନାତ୍ମକ ଓ ପରାର୍ଥମୂଳକ କାର୍ଯ୍ୟରେ ବ୍ୟାପ୍ତ ରହିବା ସକାଶେ ଭିତରୁ ସେ ସେତିକ ବେଶି ଶକ୍ତ ଓ ସମର୍ଥନ ମଧ୍ୟ ପାଏ । କିନ୍ତୁ ଏହିସବୁ primary routine ନେଇ ଯାହାକୁ ଦିନସାରା ଭାବିବାକୁ ପଡ଼େ, ଏ ସବୁ ବିଷୟରେ ଯାହାର କୌଣସି ନିୟତ ବା ବିହିତ ମାର୍ଗ ନଥାଏ, ସିଏ ସହଜରେ ଅର୍ଥାତ୍ ସ୍ପଷ୍ଟ ମନରେ ଓ ଶାନ୍ତଭାବରେ କୌଣସି ସୃଷ୍ଟି କରିପାରେ ନାହିଁ । ଏକଥା ଲେଖିଲାବେଳକୁ ମହାତ୍ମା ଗାନ୍ଧୀଙ୍କର ଦୃଷ୍ଟାନ୍ତଟି ଜଳ ଜଳ ହୋଇ ଦିଶିଯାଉଚି । ବିଛଣାରୁ ଉଠିବା, ସ୍ନାନ କରିବା, ବ୍ୟାୟମ କରିବା ଓ ଖାଇବା, ଶୋଇବା ବିଷୟରେ ସେ ସବୁ କଥା ଅବିକଳ ମେସିନ୍ ପରି କରି ଯାଉଥିଲେ, ମିନିଟ୍‌କୁ ମିନିଟି୍ ଅନୁସାରେ ତାଙ୍କର ସବୁ କାମ ରୁଟିନ୍‌ରେ ବନ୍ଧା ହୋଇ ରହିଥିଲା । ବଡ଼ ସହଜରେ ସେ ସକଳ ଆବଶ୍ୟକତାର ସମାଧାନ କରି ପାରୁଥିବାରୁ ହୁଏତ ଏଡ଼େ ପରିପୂର୍ଣ୍ଣ ଭାବରେ ଆପଣାର ଉଚ୍ଚତର ଜୀବନକୁ ବଞ୍ଚି ପାରୁଥିଲେ, ସମୟ ଅନୁସାରେ ଆପଣା ବିବେକ ବା ଅନ୍ତରର ବାଣୀ ଶୁଣି ପାରୁଥିଲେ ।

 

୧୫ । ୬ । ୫୧

 

ଏ ଖାତା ପାଖକୁ ଆସିଲା ବେଳକୁ ମୁଁ ଆଜିକାଲି ଏପରି ଆଶ୍ଵସ୍ତି ବୋଧ କରୁଚି କାହିଁକି-? ସତେଯେପରି କିଏ ମୋତେ ଧରି ବାନ୍ଧି ଏଠାରେ ଆଣି ବସାଉଚି ! ଏଣୁ ତେଣୁ ଯାହା ତାହା ଅଧଫାଳେ ଲେଖି କର୍ତ୍ତବ୍ୟ ପୂର୍ଣ୍ଣ କରିବାକୁ ମୁଁ ଯେପରି ଅଣନିଶ୍ଵାସୀ ହୋଇଯାଉଚି । ଭିତରୁ ଏହିପରି ଏକ strain ଅନୁଭବ କରୁଥିଲା ପର୍ଯ୍ୟନ୍ତ ଅନ୍ତରର ସତ କଥାକୁ ମୁଁ ଏହି ଖାତାରେ ଯେ ଲେଖିପାରିବି ନାହିଁ, ଏହା ଅତି ସତ କଥା । ଆପଣାର ଦୃଷ୍ଟିକୁ ଅନ୍ତର ଯାଏ ପହୁଞ୍ଚାଇ ପାରିବାର ସହଜତା ରହିଥିଲେ ସିନା ମୁଁ ଅନ୍ତରର ସତକଥାଗୁଡ଼ିକୁ ଲେଖି ପାରନ୍ତି । ଗତ କେତେଦିନ ହେଲା ଦିନଲିପିର ଭାବନା, ଭାଷା ଓ ସଂଗତିରେ ହୁଏତ ଅନେକ ଅଭାବ ରହିଯାଇଚି, ରହିବା ଅତ୍ୟନ୍ତ ସ୍ଵାଭାବିକ । ତଥାପି ସହସ୍ର ପ୍ରକାରେ ସାଙ୍କୁଳ ସମାକୁଳ ମନକୁ ବାଧ୍ୟ କରି ନିତି ଘଡ଼ିଏ ରୁଟିନ୍ ଭିତରକୁ ଆଣିପାରୁଚି, ଏହି ବିଶ୍ଵାସରେ ଯେ ଏହି ସନ୍ଦିଗ୍‌ଧ ସମୟ ଦିନେ ନିଶ୍ଚୟ ଚାଲିଯିବା-। ପୁଣି ଦିନେ ସମୟ ଆସିଲେ ଅନ୍ତରର ଗଭୀରତମ କବାଟଟି ଯାଏ ସ୍ଵଭାବିକତାର ଆଲୋକପାତ ହୋଇପାରିବ । ମୁଁ ଜାଣେ, ମୁହୂର୍ତ୍ତକ ମଧ୍ୟରେ ମୁଁ ପୁଣି ଲକ୍ଷ ଲକ୍ଷ ଯୋଜନାର ହୁଡ଼ାପଥ ଡେଇଁ ନିଜ ପଥକୁ ବାହୁଡ଼ି ଆସିବି । ସେଇ ଜାଣିବା ଉପରେ ହିଁ ଆସ୍ଥା ରଖି ମୁଁ ତଥାପି ଅପେକ୍ଷା କରିଚି, ସେହି ଦୃଷ୍ଟିରୁ ଦେଖିଲେ ମୁଁ ମୋ’ ରୀତିରେ ତଥାପି ଆଗକୁ ଯାଉଚି ।

 

ଆଜି ରାତିରେ ଡେନ୍‍ମାର୍କ ଛାଡ଼ି ଫିନ୍‌ଲାଣ୍ଡ ଅଭିମୁଖରେ ମୋର ଯାତ୍ରା ଆରମ୍ଭ ହେବ । ବେଶି ଦେଖିବାର ସତୃଷ୍ଣତାରେ ମୋର ପ୍ରାଣ ଯେପରି ଆଗାମୀ ଦିନଗୁଡ଼ାକୁ ଟାକି କରି ବସିଚି ।

 

୧ । ୭ । ୫୧

 

ଏଠାରେ ପହଁଞ୍ଚିବାର ଠିକ୍ ପନ୍ଦରଦିନ ପରେ ପୁଣି ଆପଣାର ଦିନଲିପି ଲେଖିବାଲାଗି ମନ ଆପେ ଆପଣାକୁ ନିବିଷ୍ଟ କରାଇ ଏଠି ଆଣି ବସାଇଚି । ମଝି-ଫିନ୍‍ଲାଣ୍ଡର ପାଇନ୍ ଜଙ୍ଗଲ ଭିତରେ ଏଇ ଛୋଟିଆ ଶ୍ରମ ଶିବରଟିରେ କେଡ଼େ ଚଞ୍ଚଳ ମୋର ଦିନଗୁଡ଼ିକ କଟିଯାଇଚି ! ଏଠାରେ ପ୍ରତିଦିନ ପ୍ରାୟ ଆଠଘଣ୍ଟା ଶାରୀରିକ ପରିଶ୍ରମ କରିବାକୁ ପଡ଼ୁଚି । ମୁଁ ପିଲାଦିନୁ ଗେହ୍ଲା ହୋଇ ପାଠ ପଢ଼ିଚି, ପଢ଼ୁଆ ପୁଅ ହିସାବରେ ଘରେ ଓ ପ୍ରତିବେଶରେ ବାହାବା ପାଇଁ ମୁଁ ଆପଣାକୁ କେତେ ଅଳସୁଆ କରି ଆସିଚି । ଚିନ୍ତା ଓ ଦୃଷ୍ଟିର ପରିସର ବଢ଼ିବା ସଙ୍ଗେ ସଙ୍ଗେ ମୁଁ ନାନାସ୍ଵପ୍ନ ଓ କଳ୍ପନାରେ ଭାସିଚି ସତ, କିନ୍ତୁ ଆପଣ ଜୀବନର ପ୍ରତ୍ୟେକଟି ଦିନରେ ନାନାକାମରେ ଆପଣାକୁ ସମର୍ପିତ କରିଦେବା ବିଷୟରେ ସବୁଦିନ ମୋର ଏକ ସ୍ଵଭାବଗତ କାର୍ପଣ୍ୟ ରହି ଆସିଚି । ମୋର ସମାଜ, ମୋର ଦେଶ ଓ ମୋର ପରିପାର୍ଶ୍ଵ ମୋ’ ଆଳସ୍ୟରେ ଏତେ ଟିକିଏ ବିସ୍ମିତ ହୋଇନାହିଁ । ମୋ’ ସମାଜ ସହିତ ମୁଁ କେବେହେଲେ ଏକକର୍ମ ଓ ଏକପ୍ରାଣ ହୋଇ ମିଶି ପାରିନଥିଲେ ମଧ୍ୟ ମୁଁ ଦେଶର ଓ ଜାତିର ଗୌରବ ବଢ଼ାଇଚି ବୋଲି ଶୁଭଙ୍କରମାନଙ୍କଠାରୁ ବେଳେବେଳେ ବେଶ୍‍ ପ୍ରଶଂସା ପାଇଚି । କିନ୍ତୁ କ୍ରମେ ଦୃଷ୍ଟି ପାକଳ ହେବା ସଙ୍ଗେ ସଙ୍ଗେ ଦେଖାଣିଆ ଆଦର୍ଶବାଦର ମୋହଗୁଡ଼ାକ ଖସିପଡ଼ୁଚି । ସବୁ ପାଠ ଓ ସବୁ ଜ୍ଞାନ ଗବେଷଣା ମୋତେ ଆପଣାକୁ ଅଧିକରୁ ଅଧିକ ଉନ୍ମୋଚିତ କରିଦେବାକୁ ହିଁ ଉଦ୍‌ବୁଦ୍ଧ କରୁଚି । ମଣିଷର ଜୀବନ ସହିତ, ଜଗତରେ ନୂଆ ଆଦର୍ଶର ନିର୍ମାଣ ସହିତ ମୌଳିକ ସମ୍ବନ୍ଧ ରଖୁଥିବା ଯାବତୀୟ କ୍ଷେତ୍ର ଲାଗି ମୋତେ ତିଆରି ହେବାକୁ ପଡ଼ିବ । ଦର୍ଶନ ଓ ଧର୍ମର ଚର୍ଚ୍ଚା କରିବା ବେଶ୍ ଭଲ କଥା, ବଡ଼ ବଡ଼ ମନୀଷୀଙ୍କର ଜୀବନଚରିତକୁ ଘାଣ୍ଟି ତାହାର ନାନାଦିଗକୁ ଉଖାରି ଆଲୋଚନା କରିବା ମଧ୍ୟ ଭାରି ଭଲ, କିନ୍ତୁ ଯେପର୍ଯ୍ୟନ୍ତ ମଣିଷ ଆପଣାକୁ ହିଁ ଆପଣାର ସବୁ ଅଧ୍ୟୟନର ଭୂମି ଉପରେ ପ୍ରଧାନତମ ନିମିତ୍ତ କରି ନ ବସାଇ ପାରିଚି, ସେ ପର୍ଯ୍ୟନ୍ତ ସୂକ୍ଷ୍ମ ବା ସ୍ଥୂଳ କୌଣସି ପ୍ରକାର ଅନୁଭୂତିକୁ ମଧ୍ୟ ସେ ପରିପୂର୍ଣ୍ଣ କରି ଉପଲବ୍‌ଧି କରି ପାରିବ ନାହିଁ ।

 

୨-୭-୫୧

 

ସୁନ୍ଦର ଦେଶ ଫିନ୍‌ଲାଣ୍ଡରେ ନାନାକାର୍ଯ୍ୟ ଭିତର ଦେଇ ଭାରି ଚଞ୍ଚଳ ସମୟ କଟିଯାଉଚି-। କାମକୁ ଯିବା ଓ କାମରୁ ଫେରିବାରେ କେତେବେଳେ ଯେ ଦିନପରେ ପରେ ଦିନ ଚାଲିଯାଉଚି, ମୋଟେ ଜାଣି ହେଉନାହିଁ । ପାଖରେ କାମ ନଥିଲେ ସମୟ ଯେପରି ଦୁର୍ବହ ବୋଝ ହୋଇ ମନଟାକୁ ରିକ୍ତ କରିପକାଏ, ଏଠି ମୋଟେ ସେପରି ଲାଗୁନାହିଁ ।

 

ୟା ଭିତରେ ମୁଁ ଫିନ୍‌ଲାଣ୍ଡର କେତେକ ଅଞ୍ଚଳ ଦେଖିବାର ସୁଯୋଗ ପାଇଲିଣି । ମାଇଲ୍ ମାଇଲ୍ ବ୍ୟାପି ପାଇନ୍ ଜଙ୍ଗଲ ଅତିକ୍ରମ କରିବାର ଅଭିଜ୍ଞତା ମଧ୍ୟ ହେଲାଣି । ହ୍ରଦ ଓ ଜଙ୍ଗଲରେ ଛବିଳ ହୋଇ ଉଠିଥିବା ଏହି ଦେଶର ପ୍ରକୃତି ମୋତେ ଭାରି ଆକୃଷ୍ଟ କରିଚି । ଏହି ଦେଶର ଗାଁ ଗୁଡ଼ିକରେ ପୁରୁଣା ଜୀବନରୀତି ଓ ସଂସ୍କୃତ ଅଳ୍ପ ବହୁତ ବଞ୍ଚି ରହିଚି । ଇଉରୋପର ଅନ୍ୟାନ୍ୟ ଦେଶର ବାୟୁମଣ୍ଡଳ ପରି ରାଜନୀତି ଓ ଯୁଦ୍ଧୋନୁତ୍ତତାର ଉତ୍ତାପ ଏ ଦେଶର ଜୀବନକୁ ସେତେବେଶି ଗ୍ରାସ କରି ପାରିନାହିଁ ।

 

ସବୁଠାରୁ ମଜା ଲାଗୁଚି, ଏ ଦେଶକୁ ଆସି ମୁଁ ପ୍ରାୟ ବେଶି ଘଣ୍ଟା ଦିନ ଦେଖିବାର ସୁଯୋଗ ପାଇଲି । ସେଦିନ ଷ୍ଟିମରରେ ବସି ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟର ଏକ ମନୋରମ ଅବିଚ୍ଛିନ୍ନତା ବେଶ୍ ଉପଭୋଗ କଲି । ପ୍ରାୟ ଏଗାରଟା ବେଳେ ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ହୋଇଗଲା, ତା’ପରେ ପ୍ରାୟ ଦୁଇଘଣ୍ଟା ଯାବତ୍ ଗୋଧୂଳି ପରେ ପୂର୍ବ ଦିଗରେ ସୂର୍ଯ୍ୟୋଦୟର ନୂତନ ଉତ୍ସବ ଆରମ୍ଭ ହୋଇଗଲା ।

 

୨ । ୧୦ । ୫୧

 

ଦୀର୍ଘ ତିନିମାସ ପରେ ପୁଣି ଏହି ଖାତାଟି ସହିତ ମୋର ଏହି ଛୋଟ ଏକୁଟିଆ କୋଠରୀଟିରେ ସାକ୍ଷାତ ହେଲା । ତଥାପି କେଡ଼େ ଆପଣାର ଲାଗୁଚି ଆଜି ଏତେଦିନ ପରେ ମନକୁ ଏକତ୍ର କରି ଏହି ପୃଷ୍ଠାରେ କିଛି ଲେଖିବାକୁ । ବିଗତ ଦିନମାନଙ୍କରେ ମୁଁ ଯେତେ ଯେଉଁଠି ହସିଚି, କାନ୍ଦିଚି, ପାଇଚି, ଆଉ ହରାଇଚି, ସବୁ ଯେପରି ଜୀବନ୍ତ ଶରୀର ପାଇ ଆଜି ଏହି ଖାତା ଉପରେ ଉକୁଟି ଉଠିବାକୁ ଇଚ୍ଛା କରୁଚି । ମୋର ସମସ୍ତ ଅବଚ୍ଛେଦ ଭାବନାକୁ ଏକାଠି ଗୁନ୍ଥି ମୋର ଜୀବନ ଯେପରି ଏକତ୍ର ହୋଇ ଏଇଠି ଠିଆହୋଇ ରହିଚି ।

 

ଆଜି ମହାତ୍ମାଗାନ୍ଧୀଙ୍କର ଜନ୍ମଦିନ । ଗଲାବର୍ଷ ମୋର ଏହିଦିନଟି ସେବାଗ୍ରାମରେ କଟିଥିଲା । ବାପୁଜୀଙ୍କର କୁଡ଼ିଆ ପାଖରେ ସେଦିନ ଆପଣାର ଜୀବନକୁ ନେଇ ମୁଁ କେତେ କ’ଣ ଭାବିଥିଲି । ଆଉ ଆଜି ବରଷକ ପରେ ! କିଏ କହିବ ଏହି ବରଷକର ସମୟ ବଞ୍ଚିବାରେ ମୁଁ ହାରିଚି ନା ଜିତିଚି । ମୋର କ୍ଷତି ଓ ଗ୍ଳାନିଗୁଡ଼ାକୁ ଗଣିବସି ଆଜିପରି ଗୋଟିଏ ପୁଣ୍ୟମୟ ଦିନରେ ପ୍ରସାଦରୁ ଆପଣାକୁ ବର୍ଜିତ କରି ରଖିବାର ଅଧମତା ମୁଁ ଏପର୍ଯ୍ୟନ୍ତ ଅର୍ଜନ କରି ନାହିଁ । ତଥାପି ମନଭିତରର ପାପୀ କେବଳ ଆପଣ ପାପ ଓ ସ୍ଖଳନର ସ୍ମୃତିରେ ଯେପରି ଆପେ ଆପେ ଭାରି ଲୋସଡ଼ି ପଡ଼ୁଚି । ଅନୁତାପ କରି ଦଗ୍‌ଧ ହେବ ମୋ ଜୀବନର ଧର୍ମ ନୁହେଁ । ମୁଁ ବିଶ୍ଵାସ କରେ ପାପ ମଣିଷ ଅନ୍ତରର ଧାତୁଗତ କଦାପି ନୁହେଁ । ମୁହୂର୍ତ୍ତକର ଦେଖା ଓ ପଲକକର ଅନୁଭୂତିରେ ପର୍ବତପରି ନିର୍ଜୀବ ହୋଇ ପଡ଼ିଥିବା ଦୁର୍ଭାବନାଗ୍ରସ୍ତ ମନ ପୁଣି ପୂର୍ଣ୍ଣ ଜୀବନ ପାଇ ଉଠେ, ହଠାତ୍ ଗୋଟାଏ ଆଘାତ ବା ଗୋଟାଏ ଡାକରେ ମଣିଷ ଚଞ୍ଚଳ ଶିଶୁ ପରି ଜୀବନ୍ତ ହୋଇଉଠେ । ସେହି ପୁନର୍ଜନ୍ମର ବିଶ୍ଵାସ ରଖି ମୁଁ ବଞ୍ଚିଚି, ସେହି ବିଶ୍ଵାସକୁ ହିଁ ମୁଁ ଜୀବନର ପରମ ମାନଦଣ୍ଡ ବୋଲି ଧରିନେଇଚି ।

 

୩ । ୧୦ । ୫୧

 

କାଲି ରାତିରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ଧର୍ମଗୋଷ୍ଠୀରେ ଗାନ୍ଧୀଙ୍କ ବିଷୟରେ ମୋତେ କିଛି କହିବାକୁ ପଡ଼ିଥିଲା । ସେତେବେଳକୁ ଆଠଟା ବାଜି ନ ଥାଏ । ଗୋଟାଏ ଚତୁଷ୍କୋଣ ହ୍ରଦର କଡ଼େ କଡ଼େ ଚାଲିଚାଲି ମୁଁ ସଭାସ୍ଥଳକୁ ଯାଉଥାଏ । ରାସ୍ତାକଡ଼ରେ ହ୍ରଦର କୂଳେ କୂଳେ ବେଞ୍ଚମାନ ରହିଚି । ଏହିପରି ଗୋଟିଏ ବେଞ୍ଚ ପାଖରେ ପହଞ୍ଚିଲା ବେଳକୁ ଦେଖିଲି, ପ୍ରାୟ ଚାରି ପାଞ୍ଚ ଜଣ କିଶୋର ବୟସ ବାଳକ ଗୋଟିଏ ଛୋଟିଆ ଗଛ ଉପରେ ଚଢ଼ିଛନ୍ତି । ଦେଖି ହଠାତ୍ ମନେ ହେଲା ଯେପରି ସେମାନେ ସେଠି କ’ଣ ଖୋଜୁଚନ୍ତି । ମୁଁ କୋପେନ ହେଗେନରେ ପିଲାଙ୍କର ଗଛ ଚଢ଼ିବା କ୍ୱଚିତ୍‍ ଦେଖିଚି । ତେଣୁ ରାତି ସମୟରେ ଚଉଦ ପନ୍ଦର ବର୍ଷ ପିଲାଙ୍କର ଗଛ ଚଢ଼ିବା ଦେଖି ମୋ’ ମନରେ ଟିକିଏ କୁତୁହଳ ଜନ୍ମିଲା । ଜାଣିଶୁଣି ପ୍ରାୟ ଦଶ ମିନିଟ୍ ପରେ ମୁଁ ପୁଣି ସେହି ବାଟ ଦେଇ ଆସିଲି । ସେତେବେଳକୁ ପିଲାଏ ସମସ୍ତେ ଆସି ବେଞ୍ଚ ଉପରେ । ସମସ୍ତେ ସିଗାରେଟ୍‍ ଟାଣିବାରେ ଲାଗିଚନ୍ତି, ସବୁଠାରୁ ସାନ ପ୍ରାୟ ବାରବରଷର ପିଲାଟି ପାଇପ୍ ଲଗାଇ ଧୂମ୍ରପାନ କରୁଚି । ଏହି ଦୃଶ୍ୟଟି ଦେଖି ଏମାନେ ରାତିରେ ଏକାଠି ହୋଇ ଏହି ନିଛାଟିଆ ରାସ୍ତାକୁ ଆସିବା ଓ ଗଛ ଚଢ଼ିବାର କାରଣ ବିଷୟରେ ମୁଁ କିଞ୍ଚିତ୍ ଅନୁମାନ ମଧ୍ୟ କରିପାରିଲି । ଧୂଆଁ ପିଇବା ଏଠିକାର ସଭ୍ୟତାରେ ଏକ ସାଧାରଣ କଥା । ତଥାପି ଏଠିକାର ପିଲାଏ ଧୂଆଁ ଟାଣିବାକୁ ଗୋଷ୍ଠୀ ବାନ୍ଧିଚନ୍ତି, ଏବଂ ଧୂଆଁ ଟାଣିବାର ସରଞ୍ଜାମକୁ ଗଛ ଉପରେ ଲୁଚାଇ ରଖିଚନ୍ତି । ଧୂଆଁ ପିଇବାର ପରିଣାମ କମାଇ ଦେବାକୁ ନିର୍ଦ୍ଦେଶ ଦେଇ ଏବେ ଗୋଟିଏ ଖବରକାଗଜରେ ଲେଖାଟିଏ ବାହାରି ଥିଲା । ତଦ୍ଦ୍ୱାରା ଡେନ୍‍ମାର୍କର ଲୋକମାନେ ଦେଉଥିବା ବାର୍ଷିକ ସିଗାରେଟ୍‍ ଟିକସର ପରିମାଣ (ବର୍ତ୍ତମାନ ପ୍ରାୟ ପଚାଶ ଲକ୍ଷ କ୍ରୋନ୍) ଅନେକାଂଶରେ କମିଯିବ ବୋଲି ଲେଖାଟିରେ କୁହାଯାଇଥିଲା । ବିଦେଶକୁ ଚାଲି ଯାଉଥିବା ଟିକସ ପଇସା ବ୍ୟତୀତ ଧୂଆଁ ପିଆ କମାଇବା ଲାଗି ଯେପରି ଆଉ କୌଣସି କାରଣ ନାହିଁ ।

 

ମୋର ମନ ସେହି ପିଲାଙ୍କ ପାଖରେ ଘଡ଼ିକ ଲାଗି ଅଟକି ରହିଲା । ଭାବିଲି, ଆପଣାର ସ୍ନେହ ଦେଇ ମୁଁ ସେମାନଙ୍କୁ ନିଜର କରିବି, ସେମାନକୁ ମୋର କୋଠରୀକୁ ଡାକିନେବି, ଦରକାର ହେଲ ମୁଁ ନିଜେ ଥରେ ଦୁଇଥର ସେମାନଙ୍କୁ ସିଗାରେଟ୍‍ ଯୋଗାଇ ଦେବି । ପଚାରିବି, ତେର ଚଉଦ ବରଷରେ ସେମାନେ କିପରି ଓ କାହିଁକି ଧୂଆଁ ପିଇବାକୁ ଆସକ୍ତି ହୋଇ ପଡ଼ିଚନ୍ତି ।

 

୪ । ୧୦ । ୫୧

 

ସକାଳେ ମନ ଟିକିଏ ଚଞ୍ଚଳ ହୋଇ ପଡ଼ିଥିଲା, କାଲି ରାତିରେ ଡେରିରେ ଶୋଇଥିବାରୁ ଭାରି କ୍ଳାନ୍ତ ବି ଲାଗୁଥିଲା । ତେଣୁ ଭାବିଲି, ଆଜି ସଞ୍ଜବେଳେ ଦୈନିକଲିପି ଲେଖିବି-। ସେତେବେଳେ ହୁଏତ ମନ ଅପେକ୍ଷାକୃତ ଅଧିକ ସ୍ଥିର ଥିବ । ପୁଣି ଏହି ଖାତାରେ ଲେଖିଲାଭଳି କୌଣସି ମୂଲ୍ୟବାନ ଅଭିଜ୍ଞତା ମଧ୍ୟ ମୁଁ ଦିନଟି ଭିତରେ ପାଇସାରିଥିବି ।

 

ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟାବେଳେ ଘରକୁ ଫେରିଲାବେଳେ ପାର୍କରେ ଦଳେ ପିଲାଙ୍କୁ ଦେଖିଲି, ସମସ୍ତଙ୍କର ବୟସ ଛଅରୁ ନଅ ଭିତରେ । ଏମାନଙ୍କ ଆଗରୁ ବେଶ୍ ପରିଚୟ ହୋଇଯାଇଚି । ପ୍ରାୟ ପ୍ରତ୍ୟେକ ଦିନ ଏମାନେ ଏହି ପାର୍କକୁ ଖେଳିବାକୁ ଆସନ୍ତି, ମୁଁ ମଧ୍ୟ ନିତି ସଞ୍ଜବେଳେ ଏହି ବାଟ ଦେଇ ବିଶ୍ଵବିଦ୍ୟାଳୟରୁ ଘରକୁ ଫେରେ । ତେଣୁ ଆଜି ସେମାନଙ୍କ ସହିତ ଘଡ଼ିକ ସକାଶେ ବେଶ୍ କଥାବାର୍ତ୍ତା ଜମିଗଲା । ସେମାନଙ୍କର ଖେଳ ସେମାନଙ୍କର ଦୈନନ୍ଦିନ ଉତ୍ସବ ଓ ଆନନ୍ଦ, ସେମାନଙ୍କର ସ୍କୁଲ ଓ ବାପା ମାଆଙ୍କ ବିଷୟରେ ସେମାନେ କେତେ କଅଣ କହିଗଲେ ତାହାର ସୀମା ନାହିଁ । ମୁଁ ବି ବେଶ୍ ପିଲାଟି ପରି ସେମାନଙ୍କ ସହିତ ମିଶି ଆଡ଼୍‌ଡ଼ା ଜମାଇ ଦେଇଥିଲି । ପିଲାଙ୍କ ଭିତରେ ସବୁଠାରୁ ସାନ ପିଲାଟିର ବୟସ ଛଅ ବର୍ଷ । ମୁଁ କୋଉଠି ରହୁଚି ବୋଲି ସେ ମୋତେ ପଚାରିଲା । ମୁଁ କହିଲି ସେହି ପାର୍କଠାରୁ ପନ୍ଦର ମିନିଟ୍ ବାଟରେ ମୁଁ ରହୁଚି । ସେ ଜିଦ୍ ଧରି ବସିଲା ମୋ’ ସାଙ୍ଗରେ ଆସିବ ବୋଲି । ଇଚ୍ଛା ହେଲା, ତା’ର ମାଆଙ୍କୁ କହି ମୁଁ ମୋ’ ସହିତ ତାକୁ ଘରକୁ ଆଣିବି, ପରେ ତାକୁ ପୁଣି ତା’ ଘରେ ନେଇ ଛାଡ଼ିଦେଇ ଆସିବି-

 

ଏହି ବଡ଼ ସହରରେ ମୁଁ ପ୍ରତେକଦିନ ପ୍ରାୟ ଶହେ ପିଲା ଦେଖୁଚି, କିନ୍ତୁ ଏପର୍ଯ୍ୟନ୍ତ କାହାରି ସହିତ ପିଲା ହୋଇ ମିଶି ସେମାନଙ୍କୁ ଆପଣାର କରିବାର ସୁଯୋଗ ପାଇନାହିଁ । ଏଠିକାର ବୟସ୍କ ବନ୍ଧୁମାନଙ୍କଠାରୁ କେବଳ ପ୍ରେମ, ପ୍ରୀତି, ଯୁଦ୍ଧ ଓ ରାଜନୀତି ଛାଡ଼ି ଆଉ କୌଣସି କଥା ମୁଁ ଅତି କ୍ଵଚିତ୍ ଶୁଣିଚି । ତେଣୁ ଆଜି ଆକସ୍ମିକ ଭାବରେ ଆଜି ଦଳେ ପିଲାଙ୍କ ସହିତ ଏପରି ହୃଦୟ ଖୋଲି ମିଳି ପାରିବାରେ ମୁଁ ଯେପରି ପରମ ସମ୍ପଦ ଲାଭ କଲି ।

 

୫ । ୧୦ । ୫୧

 

ଏଇ କେତେଦିନ ହେଲା ମୋର ଭାରି ଉତ୍ସାହ ହୋଇଚି ଯେ ଏ ଦେଶର ସାଧାରଣ ଲୋକଙ୍କ ସହିତ ଏଣିକି ମୁଁ ଅଧିକ ପରିଚୟ ସ୍ଥାପନ କରିବି, ଏ ଦେଶର ଛାତ୍ରଛାତ୍ରୀ, କିଶୋର ଓ ଛୁଆପିଲାଙ୍କ ସହିତ ଅଧିକରୁ ଅଧିକ ମିଶି ମୁଁ ସେମାନଙ୍କୁ ଆହୁରି ଭଲକରି ଜାଣିବି ଓ ସେମାନଙ୍କର ସ୍ନେହ ଭାଜନ ହେବି । ଏପରି ଏକ ନିର୍ମଳ ମାନବୀୟ ପରିଚୟ ସ୍ଥାପନ କରିବାଲାଗି ମୁଁ ଏପର୍ଯ୍ୟନ୍ତ କେବଳ ଜଣେ ଭାରତୀୟ ଛାତ୍ର ହିସାବରେ ୟା’ ତା’ ଘରେ ଯାଇ ଅତିଥି ହେବାରେ ହିଁ ଏ ଦେଶ ସହିତ ମୋର ପରିଚୟ ସୀମିତ ହୋଇ ରହିଥିଲା । ତେଣୁ କଫି ପାନ କରୁ କରୁ ଭାରତର ଗାନ୍ଧୀ, ଭାରତର ଧର୍ମ, ହଠଯୋଗ ଓ କାଶ୍ମୀର ବିଷୟରେ ଉଚ୍ଚ ଆଲୋଚନା କରିବା ଛଡ଼ା ମୁଁ ସେହି ସବୁ ସମ୍ବନ୍ଧରୁ ଅଧିକ କିଛି ହେଲେ ପାଉନଥିଲି । କୋପେନ୍ ହେଗେନ୍ ସହରରେ ଭାରତର ବନ୍ଧୁ ବୋଲାଉଥିବା ଏହିପରି କେତେ ଭଦ୍ରଲୋକଙ୍କ ଘରେ ସିଗାରେଟ୍ ଧୂଆଁ ଶୁଙ୍ଘି ଶୁଙ୍ଘି ମୁଁ ଯେ କିପରି ବିରକ୍ତ ହୋଇ ପଡ଼ିଚି, ମୋର ସେ କଥା ଆଜିଯାଏ ମନେ ଅଛି । ଭାରତବର୍ଷ ସହିତ ମିତ୍ରତା ସ୍ଥାପନ କରିବାର ଧ୍ୱନି କରୁଥିବା କେତେ ବ୍ୟବସାୟୀଙ୍କର କପଟ କଥା ମୋତେ କେତେ ଥର ଅସ୍ଥିର କରି ପକାଇଚି । ଏଥର ମୁଁ ସେସବୁ ଛାଡ଼ିଦେବି, ଏ ଦେଶର ମଣିଷକୁ ଚିହ୍ନିବି । ମୋର ସକଳ ଭୌଗୋଳିକ ଓ ଶିକ୍ଷାନୁଷ୍ଠାନିକ ବିଶେଷଣମାନଙ୍କର କୌଣସି ସାହାଯ୍ୟ ନ ନେଇ କେବଳ ଜଣେ ମଣିଷ ହିସାବରେ ଏକ ସରଳ ଅଥଚ ସହଜଗ୍ରାହ୍ୟ ପରିଚୟ ଦେବାଲାଗି ମୋର ଯେତିକି ଯୋଗ୍ୟତା ରହିଚି, ସେତିକି ନେଇ ମୁଁ ଏ ଦେଶର ମଣିଷକୁ ଚିହ୍ନିବି । ତାର ସୁଖ ଦୁଃଖ ଓ ହସ କାନ୍ଦରେ ତାର ଅତି ପାଖର ମଣିଷ ହୋଇ ଠିଆ ହେବାର ବିଶ୍ଵାସ ମୁଁ ତା’ ଠାରୁ ଅର୍ଜନ କରିବି-। ଏହି କଥାଟି ଭାବି ମନ ଆଜି ଭାରି ହାଲୁକା ଲାଗୁଚି, ଅଧିକରୁ ଅଧିକ ମଣିଷଙ୍କୁ ଆପଣାର ହୃଦୟରେ ସ୍ଥାନ ଦେବାଲାଗି ମୁଁ ଆଜି ବଡ଼ ଆଗ୍ରହରେ ପ୍ରସ୍ତୁତ ହୋଇ ବାହାରିଚି ।

 

୬ । ୧୦ । ୫୧

 

ଏହି କେତେଦିନ ହେଲା ଭାରି ଭଲ ଲାଗୁଚି । ସାତଦିନ ତଳେ ଯେପରି କେତେ କଅଣ ଅତୃପ୍ତିର ଜ୍ଵାଳା ମୋତେ ସର୍ବଦା ଗ୍ରାସ କରି ରହିଥିଲା । ବହି ପଢ଼ିଲାବେଳେ, ରାସ୍ତାରେ ବାଟ ଚାଲିଗଲା ବେଳେ ମଧ୍ୟ ଯେପରି କେଉଁ ପିପାସାରେ ଉତ୍ତପ୍ତତା ମୋତେ ନିରନ୍ତର କ୍ଷିପ୍ତ କରି ରଖିଥିଲା । ସେତେବେଳକୁ ମୁଁ ଆପଣା ଉପରେ କେତେ ରାଗିଚି । ଆପଣାକୁ କେତେଥର ଅଭିଶାପ ଦେଇଚି । ଯେ କୌଣସି କାର୍ଯ୍ୟ ପ୍ରତି ଗୋଟାଏ ପ୍ରକାର ବିନାଶୀ ବିତୃଷ୍ଣାଭାବ ଦେଖାଇ ଆପଣାକୁ ବିକଳ କରି ରଖିଚି ! ମନୋବିଜ୍ଞାନ ଜାଣିଥିବା ବିଶେଷଜ୍ଞମାନେ ହୁଏତ ଏହାକୁ sadism ବୋଲି କହିବେ । ସେଥିରେ ମୁଁ କୌଣସି ଆପତ୍ତି କରିବି ନାହିଁ । ସାତଦିନ ତଳର ସେହି ଜ୍ଵର ଏବେ ମନକୁମନ ଶାନ୍ତ ହୋଇଯାଇଚି । ଆପଣାକୁ ଆପଣାର କାମ ତଥା ଆପଣାର ସଂସାରକୁ ମୁଁ ପୁଣି ଭଲପାଇ ଶିଖିଚି । ମନଭିତରେ କେତେ କଅଣ ଗଢ଼ିବାର ଶକ୍ତି ମୁଁ ଫେରିପାଇଚି । ସେଇ ମୋର ସାର୍ଥକତା । ବାରବାର ହରାଇ ବାରବାର ଫେରି ପାଉଥିଲେ ମନୋବିଜ୍ଞାନର ଯେ କୌଣସି ନାମ ନେବାକୁ ମୁଁ ପ୍ରସ୍ତୁତ ଅଛି । ଦେହର ରୋଗ ବିଚାରରୀତି ଠାରୁ ମନର ରୋଗ ବିଚାର ନୀତି ଯେ ଏକାବେଳେକେ ଭିନ୍ନ, ମୁଁ ସେକଥା ଆପଣା ଜୀବନରୁ ଜାଣିଚି । କେତେ ପଡ଼ି ଓ କେତେ ଝୁଣ୍ଟି ମୁଁ ତଥାପି ଯେ ଅମୃତର ସ୍ପର୍ଶ ପାଇପାରିଚି, ଏହାହିଁ ସବୁଠାରୁ ବଡ଼ କଥା । ମୋର ପ୍ରାର୍ଥନା ମୋର ଯାଚନା ଓ ମୋର ଜିଜ୍ଞାସା ମୋତେ କ୍ରମେ ଏହି କ୍ଷଣ କ୍ଷଣକର ସ୍ପର୍ଶ (ଗୌତମ ବୁଦ୍ଧଙ୍କ ଭାଷାରେ ‘କ୍ଷଣିକପୀତ୍ତି’)ରୁ ସର୍ବକ୍ଷଣର ସନ୍ନିଧାନ-ସୋପାନକୁ ଉନ୍ନୀତ କରିନେବ ।

 

୭ । ୧୦ । ୫୧

 

ଆଜି ରବିବାର, ମଫସଲର ଗୋଟାଏ ଗଣ-ବିଦ୍ୟାଳୟକୁ ଯିବି ବୋଲି ମୁଁ ଆଜି ବଡ଼ି ସକାଳୁ ଉଠି ସଜହୋଇ ବସିଚି । ଏହି ଗହଳି ସହରର ଉଚ୍ଚକୋଠା ଓ ଗମ୍ଭୀର ମଣିଷଙ୍କ ଭିଡ଼ ଭିତରୁ ଖୋଲାପବନ ଓ ଆଲୁଅର ଗାଆଁକୁ ମୁଁ ଯେତେଥର ଯିବାର ସୁଯୋଗ ପାଇଚି, ମୋର ମନ ସେତିକି ପ୍ରଫୁଲ୍ଲ ଓ ଉନ୍ନୁକ୍ତ ହୋଇଯାଇଚି । କୋପେନହେଗେନ୍‌ର ଏହି contracting ପ୍ରଭାବକୁ ଏଡ଼ିବାଲାଗି ସଚେତ ଭାବରେ ଲଢ଼ି ଲଢ଼ି ମୁଁ ଯେ କେତେଥର ଆପଣାକୁ ଦୁର୍ବଳ କରି ପକାଇଚି, ତାହା କହିବାର ନୁହେଁ । ସମସ୍ତେ ଏଠି ଆପଣା କାମରେ ବ୍ୟସ୍ତ । କୋଉଠି ଘଡ଼ିଏ ଠିଆ ହୋଇଗଲେ ହୁଏତ ଘଡ଼ିକର ଖାଇବା ଖରଚ ଓ ବଞ୍ଚିବାର ଖରଚ ମଧ୍ୟ ହରାଇବାର ଆଶଙ୍କା ରହିଚି । ବଞ୍ଚିବା ଓ କାମ କରିବା ସଙ୍ଗେ ସଙ୍ଗେ ସେହିଥିରୁ ହିଁ ଆନନ୍ଦ ପାଇବା ଏଠିକା ବ୍ୟସ୍ତ ଜୀବନର ବାତାବରଣ ଭିତରେ ସମ୍ଭବ ହୋଇପାରୁନାହିଁ । କୋପେନହେଗେନ୍‌ର ପୁଅ ଝିଅ ଓ ଯୁବକ ଯୁବତୀଙ୍କୁ ଆହୁରି ନିବିଡ଼ ଭାବରେ ଜାଣିବି ବୋଲି, ଆପଣାର ସ୍ନେହ ଓ ଶ୍ରଦ୍ଧା ଦେଇ ସେମାନଙ୍କ ସ୍ନେହ ଶ୍ରଦ୍ଧାର ଭାଜନ ହେବି ବୋଲି ମୋର ମନ କେତେଥର ଚଞ୍ଚଳ ହୋଇଉଠିଚି । କିନ୍ତୁ ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ । ମୁଁ ଏପର୍ଯ୍ୟନ୍ତ ଏଠି ଖୁବ୍ ବେଶି ଲୋକଙ୍କ ସହିତ ମୁକ୍ତ ଭାବରେ ଏକାଠି ହସି ପାରିନାହିଁ, ଭାବି ପାରିନାହିଁ ବା କାମ କରି ପାରିନାହିଁ । ଏଠି ପ୍ରତ୍ୟେକ ମଣିଷର ଜୀବନ ପଛରେ ଯେପରି ସହସ୍ର ପ୍ରକାର ଅନିଶ୍ଚିତତା ଘୋଟି ରହିଛି । ତେଣୁ ଆପଣାର ମନଗଣ୍ଠିକୁ ହୁଗୁଳା କରିଦେଇ ସଂସାରକୁ ଗ୍ରହଣ କରିବା ଏଠିକା ମନଲାଗି ଭାରି କଷ୍ଟକର ହୋଇରହିଚି ।

 

ତଥାପି ମନରେ ଭାରି ଉତ୍ସାହ ଆସୁଚି, ଏଠି ମୁଁ ଏହିପରି ଏକ ଜାଣିବାର, ଚିହ୍ନିବାର ଓ ସ୍ନେହଶ୍ରଦ୍ଧା ଦେବାର ଜୀବନ ଆରମ୍ଭ କରିବି ବୋଲି । ଶାନ୍ତିନିକେତନରେ ଦିନେ ସମସ୍ତଙ୍କୁ ଭଲପାଇବାର ଓ ଜାଣିବାର ଦମ୍ଭ କରି ପାରୁଥିଲି । ପ୍ରସଙ୍ଗକ୍ରମେ ଏଠି ମଧ୍ୟ ଅନ୍ତତଃ ଯେଉଁମାନଙ୍କ ସହିତ ମୋର ପରିଚୟ ହୋଇପାରିଚି, ସେମାନଙ୍କ ସହିତ ମୋର ସମ୍ପର୍କକୁ ମୁଁ ଆହୁରି ମୁକ୍ତ ଓ ଆହୁରି ମଧୁର କରିବାକୁ ଚେଷ୍ଟା ନ କରିବି କାହିଁକି ?

 

୮ । ୧୦ । ୫୧

 

ଖାତା ଖୋଲି କଲମ ଧରି ବସିଲିଣି, ତଥାପି କଣ ଲେଖି ଆଜିକାର ସ୍ଥାନଟି ପୂରଣ କରିବି, ଏପର୍ଯ୍ୟନ୍ତ ତାହା ମନକୁ ଆସିନାହିଁ । ନାନା ବିଷୟ ଓ ନାନା ଦିଗରେ ମନ ସବୁବେଳେ ଏପରି ଅଣନିଶ୍ଵାସୀ ହୋଇପଡ଼ୁଚି ଯେ ତାକୁ ଚାହିଁଲା ମାତ୍ରକେ ସମାହିତ ଓ କେନ୍ଦ୍ରାକର୍ଷିତ କରି କିଛି ସୃଷ୍ଟି କରିବା ଆଦୌ ସହଜ ହୋଇପାରୁନାହିଁ । ତଥାପି ସେଥିଲାଗି ମୁଁ କାହାକୁ ଧିକ୍‌କାର ଦେବିନାହିଁ । କାରଣ ମୁଁ ଖୁବ୍ ଭଲକରି ଜାଣେ ଯେ କିଛି ନଲେଖିଲେ ସୁଦ୍ଧା ମୋର ମନ ତଥାପି ସକ୍ରିୟ ରହିଚି । ସିଏ ସବୁ କ୍ଷେତ୍ରରୁ ଓ ସବୁ ମଣିଷଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବାରୁ ଆପଣାଲାଗି ଯଥେଷ୍ଟ ସଂଗ୍ରହ କରିପାରୁଚି । ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ପାତ୍ରରେ ସିଏ ଆପଣାକୁ ମଧ୍ୟ ନିଃସଙ୍କୋଚ ଭାବରେ ଦାନ କରିପାରୁଚି । ଗ୍ରହଣ ଓ ଦାନ କରିବାର ଏହି ସହଜତାକୁ ଆପଣାର ସ୍ଥାୟୀ ସମ୍ପଦ କରି ରଖିପାରିଲେ ମଣିଷ କଦାପି ମରି ଯିବନାହିଁ, କେବେହେଲେ ବୁଢ଼ା ହେବନାହିଁ ।

 

ଆଜିକାଲି କ୍ରମେ ଭାରି ଭଲ ଲାଗିଲାଣି । ଆପଣାର ବଞ୍ଚିବା କ୍ରମେ ମଧୁର ହୋଇ ଆସିଲାଣି । ସତତ ବିପର୍ଯ୍ୟୟର ଭୟରେ ଗ୍ରସ୍ତ ହୋଇପଡ଼ୁଥିବା ଆଗର ସେହି ରୁଗ୍‌ଣ ଆତ୍ମା ପୁଣି ସରସ ହୋଇଆସୁଚି । ଏହି କେତେଦିନ ହେଲା ଯେ ମୁଁ ଆପଣ ଭିତରେ କେଡ଼େ ବିକଳ ହୋଇପଡ଼ିଥିଲି, ବର୍ତ୍ତମାନ ସେକଥା ବେଶ୍ ବୁଝିପାରୁଚି । ବର୍ତ୍ତମାନର ପାହାଡ଼ ଉପରୁ ପଛରେ ସେହି ଅରଣ୍ୟ ପଥ ଭାରି ବିଚିତ୍ର ଲାଗୁଚି । କେତେ ଝୁଣ୍ଟିବା, କେତେ ପଡ଼ିବା ଓ କେତେଭଳି ଭୟରେ ଆପଣାକୁ ଅକାରଣ ସନ୍ତପ୍ତ କରି ରଖିବାରେ ବିଚିତ୍ରିତ ଏହି ଅରଣ୍ୟ ପଥ;—ଆଜିର ଆଖିରେ ତାହାର ଏକ ସମଗ୍ର ସବୁଜ ଓ ସରଳ ରୂପ ବ୍ୟତୀତ ମୁଁ ଆଉ ବେଶି କିଛି ଭୟ ପାରୁନାହିଁ-

 

୯ । ୧୦ । ୫୧

 

କାଲି ରାତିରେ ଏକ ଆଲୋଚନା-ସଭାରେ ଜଗତରେ ଶାନ୍ତିପ୍ରତିଷ୍ଠା କରିବାଲାଗି ପ୍ରତ୍ୟେକ ବ୍ୟକ୍ତି ଆପଣାକୁ କିପରି ପ୍ରସ୍ତୁତ କରି ପାରିବ, ସେହି ବିଷୟରେ ଆଲୋଚନା ହେଉଥିଲା-। ଗତ ଦୁଇତିନି ଶତାବ୍ଦୀ ଧରି ଏସିଆ ଓ ଆଫ୍ରିକାରେ ଇଉରୋପ ଯେଉଁ ସବୁ ଅପକୀର୍ତ୍ତି କରିଚି, ସେହିସବୁର ଉଲ୍ଲେଖ କରି ଜଣେ ଭଦ୍ରମହିଳା ଦୁଃଖ ପ୍ରକାଶ କରିଥିଲେ ଏବଂ ସମଗ୍ର ଇଉରୋପ ଏଥିଲାଗି ଲଜ୍ଜିତ ବୋଲି କହିଥିଲେ ।

 

ଦୀର୍ଘ ଦୁଇଶହ ବର୍ଷ ଧରି ସେପାଖ ପୃଥିବୀର ସଭ୍ୟତାକୁ ଭାଙ୍ଗି ଦେବାଲାଗି ମନ୍ଥର କରି ଏପାଖରୁ ଶାସକ, ବଣିକ ଓ ଧର୍ମଯାଜକ ଯାଇଚନ୍ତି । ଏହି ବିନାଶୀ ଅଭିଯାନର ଭିଆଇଥିବା କ୍ଷତି କୌଣସି ଇତିହାସରେ ଲିପିବଦ୍ଧ ହୋଇ ରହିନାହିଁ । କିନ୍ତୁ ପୃଥିବୀର ସେହି ଶାସିତ ଶ୍ରେଣୀ ଆଜି ଆପଣା ଗୋଡ଼ରେ ଆପେ ଠିଆ ହେବାର ଦମ୍ଭରେ ପୁଣି ମୁଣ୍ଡ ଟେକୁଚି । ଦୁଇଶହ ବର୍ଷ ଧରି ଭିଆଇଥିବାର ଅପକୀର୍ତ୍ତିର ଏକ ଅନୁତାପସ୍ୱରୂପ ପଶ୍ଚିମ ସଭ୍ୟତା ଯଦି ବର୍ତ୍ତମାନ ମଧ୍ୟ ଆପଣା ଆତ୍ମଗୁରୁ ଭାବର ସକଳ ଦମ୍ଭ ଛାଡ଼ି ଆପଣା ଘର ସଜାଡ଼ିବା ଲାଗି ଦେଶକୁ ବାହୁଡ଼ି ଆସନ୍ତା, ତେବେ ତାହାହିଁ ପ୍ରାଚ୍ୟପକ୍ଷରେ ଯଥେଷ୍ଟ ଲାଭ ହୁଅନ୍ତା । କିନ୍ତୁ ଏପାଖର ସ୍ତୃପୀକୃତ ଡଲାର ଆଜି ମଧ୍ୟ ପ୍ରାଚ୍ୟ ପ୍ରତିପତ୍ତିର ସ୍ଵପ୍ନ ଦେଖୁଚି । ଏବେ ମଧ୍ୟ ଯେତିକି ହାତରେ ଅଛି, ପ୍ରାଣପଣେ ସେତିକି ଧରିରଖିବାର ଲାଳସା ପଶ୍ଚିମ ସଭ୍ୟତାରୁ ଯାଇନାହିଁ I ସେହି ଲାଳସାର ପ୍ରାଦୁର୍ଭାବରେ ଆଜି ଆଉ ଗୋଟାଏ ଯୁଦ୍ଧଲାଗି ପୃଥିବୀ ଦୁଇ ଶତ୍ରୁ ଶିବିରରେ ବିଭକ୍ତ ହେବାକୁ ବସିଲାଣି । ଖ୍ରୀଷ୍ଟଧର୍ମରେ ମୌଖିକ ବିଶ୍ଵାସ ହେଉଚି ସବୁଠାରୁ ବଡ଼ ଧର୍ମ,—ଏହିପରି ଏକ ଦୁଷ୍ଟ ଧାରଣା ଏପର୍ଯ୍ୟନ୍ତ ମଧ୍ୟ ଅନେକ ପାଦ୍ରୀଙ୍କ ମନକୁ ଗ୍ରାସ କରି ରହିଚି । ଏଣେ ଇଉରୋପରେ ପ୍ରତ୍ୟେକ ମୁହୂର୍ତ୍ତରେ ଖ୍ରୀଷ୍ଟନୀତିର ସବୁ ଖମ୍ବ ଭାଙ୍ଗି ପଡ଼ୁଥିବାବେଳେ ସେମାନେ ଆପଣା ଧର୍ମଗଣର ସଂଖ୍ୟା ବଢ଼ାଇବାପାଇଁ ସୁଦୂର ପ୍ରାଚ୍ୟକୁ ସଂକ୍ରାମିତ କରୁଚନ୍ତି । ଏହିସବୁ ବିନାଶୀ ବୃଦ୍ଧିର ସମାପ୍ତି ନହେବା ପର୍ଯ୍ୟନ୍ତ ପଶ୍ଚିମ ସଭ୍ୟତା ଯେ ପ୍ରକୃତରେ ଶାନ୍ତିକାମନା କରୁଚି, ସେକଥା ଉପରେ କିଏ ବିଶ୍ଵାସ କରିବ ?

 

୧୦ । ୧୦ । ୫୧

 

୧୯୩୯ ମସିହାର ପୁନରାବୃତ୍ତି ଲାଗି ଯୁଦ୍ଧପାଗଳ ମଣିଷ ବର୍ତ୍ତମାନ ଅସ୍ଥିର ହୋଇପଡ଼ିଲାଣି । ପ୍ରତ୍ୟେକ ଦିନର ଖବର କାଗଜରେ ଦୁଇ ଶତ୍ରୁ ଶିବିରର ବ୍ୟବଧାନ ଯେପରି ଅଧିକରୁ ଅଧିକ ଓସାର ହୋଇଯାଉଚି । ଆଜି ପୃଥିବୀରେ ଯେଉଁଠି ଯେତେଯାହା ଘଟୁଚି, ସକଳ ଘଟଣାକୁ ସମସ୍ତେ ଏହି ଶତ୍ରୁନ୍ୟାୟର ମାନଦଣ୍ଡରେ ବିଚାର କରିବାକୁ ବସିଲେଣି । ବଳ ପରୀକ୍ଷା ଲାଗି କୋରିଆରେ ଶାନ୍ତି ପ୍ରତିଷ୍ଠା କରିବାର ନାଆଁରେ ସେଠାରେ ଦୁଇପକ୍ଷ ମଧ୍ୟରେ ଯୁଦ୍ଧ ଲାଗିଚି; ପାରସ୍ୟ, କାଶ୍ମୀର ଓ ମିଶରରେ ମଧ୍ୟ ଏହି ବିଚାରରୀତିଟି ସବୁଠାରୁ ବେଶି ଅଭିସନ୍ଧି ସୃଷ୍ଟି କରୁଚି । ମଣିଷର ଭୟ ଇତିହାସରେ ଆଗରୁ କେବେ ଏପରି exclusive ଭାବରେ ଦୁଇ ଶିବିରରେ ବିଭକ୍ତ ହୋଇ ପାରିଥିଲା କି ନାହିଁ କେଜାଣି ?

 

ଏସିଆର ନବଜାଗରଣ ହେଉଚି ଗତ ଦଶବରଷର ସବୁଠାରୁ ବଡ଼ ଘଟଣା । ସେହି ମହାଦେଶରେ ପ୍ରାୟ ପ୍ରତ୍ୟେକ ଦେଶର ଏକ ମହିମାମୟ ଇତିହାସ ରହିଚି । ବିଦେଶୀ ବଣିକର କବଳରେ ପଡ଼ି, ସେହି ଦେଶଗୁଡ଼ିକ ଆପଣାର ଜୀବନସଂସ୍କୃତି ଭୁଲି ପ୍ରାୟ ଉଚ୍ଛନ୍ନ ହୋଇ ସାରିଥିଲେ । ଏହି ଦଶବର୍ଷର ପରିବର୍ତ୍ତନ ଫଳରେ ସେମାନେ ମୁକ୍ତ ହୋଇ ଆପଣାକୁ ଗଢ଼ିବାର ପରିସର ପୁଣି ପାଇଚନ୍ତି । କିନ୍ତୁ ତଥାପି ନାନା ଛଳରେ ପାଶ୍ଚାତ୍ୟ ଶାସନ ଓ ସଭ୍ୟତା ଏପର୍ଯ୍ୟନ୍ତ ବି ସେସବୁ ଦେଶ ଉପରେ ଛାଇମଡ଼ାଇ ବସିଚି । ଗଣତନ୍ତ୍ର ଓ ସାମ୍ୟବାଦ ନାଆଁରେ, କେତେ ଅପପ୍ରଚାର ଓ ଅର୍ଥ ବ୍ୟୟରେ ଦରିଦ୍ର ପ୍ରାଚ୍ୟର ବନ୍ଧୁ ସାଜିବା ଲାଗି ଆଜି ଖୁବ୍ ପ୍ରତିଯୋଗିତା ଚାଲିଚି । ମୁଁ ଜାଣେନା, ଏହାର ପରିଣତି କ’ଣ ହେବ । କିନ୍ତୁ ମୋ’ ମନ ସବୁବେଳେ କହି ଉଠୁଚି, ସମସ୍ତ ପାଶ୍ଚାତ୍ୟ ଆଜି ପ୍ରାଚ୍ୟକୁ ବାଟ ଛାଡ଼ି ଦେଉ । ପ୍ରାଚ୍ୟ ପୁଣି ଆପଣାର ସ୍ଵତନ୍ତ୍ର ରୀତି ଓ ମୂଲ୍ୟଦଣ୍ଡ ଅନୁସାରେ ଆପଣାର ପୁନର୍ନିମାଣ କରିବା ଲାଗି ପୂର୍ଣ୍ଣ ସୁଯୋଗ ପାଉ । ଜୀବନର ନାନା ସମସ୍ୟା ମେଣ୍ଟାଇବାକୁ ଯାଇ ଆଜି ପାଶ୍ଚାତ୍ୟ ନାନା ଜଟିଳ ବ୍ୟୂହରେ ଜଡ଼ିତ ଓ ବିକଳ ହୋଇ ପଡ଼ିଚି । ନାନା ପ୍ରଲୋଭନ ଦେଇ ପ୍ରାଚ୍ୟକୁ ମଧ୍ୟ ସେହି ଜଟିଳ ଜଞ୍ଜାଳ ଭିତରକୁ ଟାଣିବାର ଚେଷ୍ଟା କରିବାରେ କି ସାଧୁତା ବା କି ମନୁଷ୍ୟତା ରହିଚି କେଜାଣି ? ପୃଥିବୀର ବାଟରୁ ଆଜି ଏହି ଅନଧିକାର ପ୍ରବେଶ ଓ ଅନ୍ତରାୟ ଦୂର ହୋଇଯାଉ ।

 

୧୧ । ୧୦ । ୫୧

 

ମିଶରରେ ସମସ୍ତ ଦେଶବ୍ୟାପି ଭାରି ଆନ୍ଦୋଳନ ଚାଲିଚି, ବ୍ରିଟିଶ୍ କର୍ତ୍ତୃତ୍ଵ ବିରୁଦ୍ଧରେ । ମିଶର ଛାଡ଼ି ବାହାରି ଆସିଥିଲେ ସୁଦ୍ଧା ଇଂଲଣ୍ଡ ଏପର୍ଯ୍ୟନ୍ତ ମିଶର ଓ ବିଶେଷତଃ ସୁଦାନ ଦେଶରେ ନାନାଭାବେ ଆପଣାର ପ୍ରତିପତ୍ତି ଜାରି ରଖିଚି । ସୁଏଜକେନାଲ ବାଟେ ଆସିଲାବେଳେ କେନାଲ୍ କୂଳେ କୂଳେ ମୁଁ ବ୍ରିଟିଶ୍ ସେନାଛାଉଣୀ ଦେଖି ଆସିଚି । ଆଜିକା ଖବରକାଗଜରେ ବାହାରିଚି ଯେ ମଧ୍ୟପ୍ରାଚ୍ୟରେ ସବୁ ଦେଶ ମିଶରର ଆନ୍ଦୋଳନକୁ ସମର୍ଥନ କରୁଚନ୍ତି । ଏପରି ହେବା ଅତି ସ୍ଵାଭାବିକ । ଗତ ତିନିଶହ ବର୍ଷହେଲା ଯେଉଁସବୁ ଜନଗଣର ଭାଗ୍ୟ ବିଦେଶୀର ହାକିମୀ ମାନି ଚଳୁଥିଲା, ସେହିସବୁ ଜନଗଣ ଆଜି ଆପଣାର ବିଶ୍ଵାସ ଫେରିପାଇଚନ୍ତି । ସୁଏଜକେନାଲ ବା ପାରସ୍ୟର ତେଲଖଣି ପଛରେ ଯେଉଁ ଲୋଭ ଓ ଦସ୍ୟୁବୃତ୍ତିର ଇତିହାସ ରହିଚି, ବିଶ୍ୱ ଦରବାରରେ ନ୍ୟାୟ ବିଚାର କଲାବେଳେ ବର୍ତ୍ତମାନ ସେହି ଇତିହାସର ବି ନ୍ୟାୟବିଚାର ହେବା ଉଚିତ । ପାଶ୍ଚାତ୍ୟ ଯେ କାଳକାଳ ଧରି ପ୍ରାଚ୍ୟର ଭାଗ୍ୟ ଉପରେ ମାଲିକାନା ପାଇ ଆସୁଥିବ, ଆଜି ସେପରି ସ୍ଵପ୍ନ ଦେଖିବା ହିଁ ନିରର୍ଥକ । ପ୍ରାଚ୍ୟର ନିଜସ୍ଵ ସଂସ୍କୃତି ରହିଚି । ଅର୍ଥନୀତି ଓ ରାଜନୀତିର ଦାସତ୍ଵରୁ ଆପଣାକୁ ମୁକ୍ତ କରି ପ୍ରାଚ୍ୟ ମୁକ୍ତ ଭାବରେ ଆପଣା ମୃତପିଣ୍ଡରେ ପୁଣି ନୂତନ ଉଦ୍ଭବର ପରୀକ୍ଷା କରିବ । ଆଜି ପ୍ରାଚ୍ୟ ଆପଣା ଗୋଡ଼ ଉପରେ ଠିଆହେବ । ଜାତି ବା ସଂସ୍କୃତି ଦୃଷ୍ଟିରୁ ପ୍ରତ୍ୟେକ ସୁସ୍ଥ ଭାବରେ ଆପଣାକୁ ଗଢ଼ିବାର ସୁଯୋଗ ପାଇବେ, ଗଣତନ୍ତ୍ର ବା ଶାନ୍ତି କହିଲେ ପ୍ରାଚ୍ୟର ମଣିଷ ଠିକ୍ ଏହାହିଁ ବୁଝେ । କିନ୍ତୁ ଗଣତନ୍ତ୍ରର ଅପପ୍ରଚାର ତଳେ ଅର୍ଥ ଓ ଅସ୍ତ୍ରର ନାନାପ୍ରକାର ଲାଞ୍ଚ ଦେଇ ଏକ ଛଦ୍ମବେଶି କ୍ଷମତାତନ୍ତ୍ରକୁ ପୃଥିବୀ ବ୍ୟାପି ବିସ୍ତୃତ କରି ରଖିବା ଓ ଗୋଟାକ ପରେ ଗୋଟାଏ ଯୁଦ୍ଧଲାଗି ଆପଣା ସହିତ ପୃଥିବୀର ଆଉ ସମସ୍ତଙ୍କୁ ମଧ୍ୟ ଟାଣିନେବା, ଏହିପରି ଏକ ବାଟକୁ ପ୍ରାଚ୍ୟ ସବୁବେଳେ ଭୟକରେ ଓ ସନ୍ଦେହ ଚକ୍ଷୁରେ ଦେଖେ ।

 

୧୨ । ୧୦ । ୫୧

 

ସୁଏଜକେନାଲ ବିଷୟରେ ଇଂଲଣ୍ଡର ବୈଦେଶିକ ମନ୍ତ୍ରୀ ଗୋଟିଏ ବିବୃତ୍ତିରେ କହିଛନ୍ତି ଯେ ସୁଏଜ କେନାଲର ସୁରକ୍ଷା ବ୍ୟବସ୍ଥା ପକ୍‌କା ନହେଲା ପର୍ଯ୍ୟନ୍ତ ଇଂଲଣ୍ଡର ସୈନ୍ୟବାହିନୀ ସେଠୁ ଭୂମି ଛାଡ଼ି କଦାପି ଯିବେନାହିଁ । ସୁଏଜ କେନାଲ ଖୋଳା ହେଲାବେଳେ ସେହି ଭୂଇଁର ପ୍ରକୃତ ମାଲିକର ସମ୍ମତି ନିଆ ଯାଇଥିଲା କି ନାହିଁ, ଆଜି ସେକଥା କିଏ ପଚାରୁଚି ? ଅଥଚ ସେହି ମାଲିକର ଇଚ୍ଛା ବିରୁଦ୍ଧରେ ସେଠାରେ ସୈନ୍ୟ ଧାଉଡ଼ି ରଖି ମିଶରକୁ ଯୁଦ୍ଧ ଶଙ୍କିତ କରି ରଖିବାର ଅଭିସନ୍ଧି ଆଜି ମଧ୍ୟ ଚାଲିଚି । ଗତ ଶହେ ବର୍ଷ ଧରି ପାଶ୍ଚାତ୍ୟର ଶାସକମାନେ ଆପଣା ବାଣିଜ୍ୟବେପାର ଲାଗି ଯେତେ ଯେଉଁଠି ଚୁକ୍ତି କରିଛନ୍ତି, ସବୁ ଚୁକ୍ତି କେବଳ ଏକତରଫା ଭାବରେ ହୋଇଚି । ସବୁ ଚୁକ୍ତିରେ ଅସଲ ପକ୍ଷର ଆଦୌ ମତ ନିଆ ଯାଇନାହିଁ । ଆଜି ପ୍ରାଚ୍ୟର ନବଜାଗରଣ ଫଳରେ ସେହିସବୁ ଅବହେଳିତ ଚୁକ୍ତିର ଅନ୍ୟାୟ ବନ୍ଧନକୁ ଭାଙ୍ଗିଦେବା ଲାଗି ଆନ୍ଦୋଳନ ଚାଲିବା ଅତି ସ୍ଵାଭାବିକ । ବିଶେଷତଃ ରାତିଦିନ ସାମ୍ୟବାଦ, ଗଣତନ୍ତ୍ର, ମୁକ୍ତି ଓ ଶାନ୍ତି ବିଷୟରେ ପ୍ରଳାପ କରୁଥିବା ପାଶ୍ଚାତ୍ୟ ପକ୍ଷରେ ସ୍ଵତଃପ୍ରବୃତ୍ତ ହୋଇ ସେହିସବୁ ଅସୁନ୍ଦର ଚୁକ୍ତିକୁ ଭାଙ୍ଗିଦେଇ ସମାନତା ଓ ବନ୍ଧୁତାର ମୂଳଦୁଆ ଉପରେ ନୂଆ ଚୁକ୍ତିମାନ କରିବା ଭାରି ସାଧୁତାର କାର୍ଯ୍ୟ ହୁଅନ୍ତା କିନ୍ତୁ ଶାସକର ଚିତ୍ତ–ପରିବର୍ତ୍ତନ ସେତେ ସହଜ ନୁହେଁ । ବିଶେଷତଃ ଏକପ୍ରକାର ଆତ୍ମକାମୀ ପ୍ରତିଯୋଗିତା ହିଁ ଯେଉଁ ସଭ୍ୟତାର ମୂଳ ଉତ୍ସ ହୋଇରହିଚି, ତା’ପକ୍ଷରେ ଏପରି ଏକ ନୂଆ ବାଟ ଗ୍ରହଣ କରିବା ଭାରି କଷ୍ଟକର । ଏବେ ମଧ୍ୟ ହଂକଂ, ଏଡ଼େନ ଓ ଫର୍ମୋଜାରେ ସେହି ପୁରୁଣା ଇତିହାସର ଦୁର୍ଗନ୍ଧ ଭରି ରହିଚି । ଖବରକାଗଜରେ ମଣିଷ ଯେଡ଼େ ଭଳିଭଳି ଭଲକଥା କହୁଥିଲେ ମଧ୍ୟ ମଣିଷର ଅସଲ ମନ ଓ ମତଲବ ତଳେ ଆଜି ମଧ୍ୟ ଲାଭ ଲାଳସା ପୂର୍ଣ୍ଣ ହେଇ ରହିଚି ।

 

୧୩ । ୧୦ । ୫୧

 

ଏହି କେତେଦିନ ବେଶ୍ ସହଜ ଭାବରେ କଟିଗଲା । ହଠାତ୍ କାଲିଠାରୁ ରହିଥିବା କେଉଁ ପତନର ଦାରୁଣ ପୀଡ଼ାବଶେଷ ଆଜି ସକାଳ ପ୍ରହରରୁ ମନକୁ ମାଡ଼ି ବସିଚି । ମୁଁ ଜାଣେ, ଖୁବ୍ ଭଲକରି ଜାଣେ, ପୀଡ଼ନୋପଶମ ପ୍ରଶାନ୍ତିର ପ୍ରସ୍ତୁତି ଲାଗି ଆଜିର ଏହି ପୀଡ଼ାର ଅନେକ ଆବଶ୍ୟକତା ରହିଚି । ମୁଁ ଏପରି କେତେଥର ପଡ଼ିଚି, ଆତ୍ମାଦହନର ଜ୍ଵାଳାରେ ଜୀବନର ପାତ୍ରଟି କେତେଥର ଜର୍ଜର ହୋଇଗଲାପରି ମନେହୋଇଚି । କିନ୍ତୁ ଏହି ସୃଷ୍ଟିର ଆଲୋକ, ପବନ ଓ ମଣିଷ ମୋତେ ପୁଣି ହାଲୁକା କରିଦେଇଚି । ପବନର ଶୀତଳ ବେଗ, ଆଲୋକର ଉଦ୍ଭାସ ଓ ମଣିଷର ମମତାକୁ ଆପଣା ହୃଦୟରେ ଭରି ମୁଁ ବଞ୍ଚିବାର ଜଣେ ନୂଆ ପ୍ରତିନିଧି ଭାବରେ ପୁଣି ଅଗ୍ରସର ହୋଇଚି । ଆଜି ଯେଉଁ ପୀଡ଼ା ହଠାତ୍ ଆସି ମୋର ସକଳ ଭୁବନକୁ କରୁଣ ଓ ବିକଳ କରି ପକାଇଥିଲା ପରି ଲାଗୁଚି, ମୋତେ କେବଳ ଆଗେଇ ନେଇଯିବାରେ ହିଁ ସେହି ପୀଡ଼ା ମୋର ସହଯୋଗ କରୁଥାଉ । ପଛର ସବୁ ଆଘାତ ଓ ଅପବ୍ୟୟ ପଛରେ ପଡ଼ିରହୁ, ସଂସାରରେ ନିତ୍ୟଆନନ୍ଦ ଓ ନିତ୍ୟବସନ୍ତର ଅନୁଗମନ କରୁଥିବା ବାଟଚାରୀ ହଂସପକ୍ଷୀ ପରି ମୁଁ ତୀର୍ଥରୁ ତୀର୍ଥାନ୍ତରର ସନ୍ଧାନରେ ଉଡ଼ି ବୁଲୁଥାଏ । ଏହି ନୂତନ ଆସ୍ଵାନାଦକୁ ହିଁ ମୁଁ ଜୀବନର ପରମ ଲଭ୍ୟ ବୋଲି ଗ୍ରହଣ କରେ, ଏତିକି ମୋର ପ୍ରାର୍ଥନା ।

 

ଜୀବନ ବଞ୍ଚିବାର justification ସମ୍ବନ୍ଧରେ କେଉଁ ଗୁଣୀ ହୁଏତ କେତେପ୍ରକାର କଥାର ଯୁକ୍ତି ବାଢ଼ିବସିବେ । ଯୁକ୍ତିର ଜଞ୍ଜାଳ ଦେଇ ଜୀବନକୁ ଜାଣିବାର ବୁଦ୍ଧି ଅର୍ଜନ କରିବାଲାଗି ମୁଁ କେବେହେଲେ ଆକାଙ୍‌କ୍ଷା ରଖିନାହିଁ । ମୁଁ ବେଶ୍ କାନ୍ଦୁଚି, ହସୁଛି, ଆନନ୍ଦ ଦେଉଚି, ଓ ଆନନ୍ଦ ପାଉଚି; ସଭିଁଙ୍କର ଉଛୁଳା ହସ ସହିତ ମୁଁ ମଧ୍ୟ ଦିନକୁ ଦିନ ଆଗକୁ ଉଛୁଳି ଉଛୁଳି ଚାଲିଚି; ଏଇ ହେଉଛି ମୋର ପରମ ଜୀବନ ।

 

୧୪ । ୧୦ । ୫୧

 

ଏହି ସହରରେ ଏତେ ମଣିଷ ! ରାସ୍ତାରେ ଗଲାବେଳେ, ଗାଡ଼ି ମଟରରେ ଚଢ଼ିଲାବେଳେ ପ୍ରତ୍ୟେକ ଦିନ ମୁଁ କେତେକେତେ ମଣିଷଙ୍କର ସମ୍ପର୍କରେ ଆସୁଚି । ସିନେମା, ଥିଏଟର ଓ ଖେଳ ପଡ଼ିଆରେ ଏଠି ହଜାର ହଜାର ମଣିଷ ଜମା ହେଉଚନ୍ତି । ଦିନେ ଦିନେ ରାତିରେ କେତେ ବନ୍ଧୁ ଓ କେତେ ପରିବାରରୁ ନିମନ୍ତ୍ରଣ ପାଇ ମୁଁ ଛଅସାତ ଘଣ୍ଟା ଖୁସିଗପ ଓ ଖିଆପିଆରେ କାଟି ଆସୁଚି । ତଥାପି ଅନେକ ସମୟରେ ମନେହେଉଚି, ଏଠି ଯେପରି ମୁଁ ଅତି ଏକୁଟିଆ, ଯେପରି ଏପର୍ଯ୍ୟନ୍ତ ବି ମୁଁ ଏଠି କାହାରିକୁ ଚିହ୍ନି ନାହିଁ ! ମଣିଷ ଭିତରେ ରହି ଆପଣାକୁ ଏପରି ଏକୁଟିଆ ମନେ କରିବା ଅପେକ୍ଷା ବଡ଼ ଦୁର୍ଦ୍ଦଶା ଆଉ କଣ ହୋଇପାରେ ? ଜୀବନରେ ମୁଁ ଅନେକ ମଣିଷଙ୍କର ସମ୍ପର୍କରେ ଆସିଚି, ଆପଣାର ଦୈନଦିନ ବ୍ୟବହାରିକ ଜୀବନର ମର୍ମଭେଦି ଅତି ଗଭୀରରେ କେତେ ମଣିଷର ଗ୍ରହଣଦ୍ଵାର ପାଖରେ ମୁଁ ଆପଣାକୁ ସମର୍ପି ଦେଇପାରିଚି । ଆପଣାକୁ ଯେତିକି ଦେଇଚି, ସେହି ଅନୁପାତରେ ମୁଁ ଏକ ବିପୁଳ ପରିଚୟର ସମ୍ପଦ ଲାଭ କରିଚି । କିନ୍ତୁ ଏଠି ? ଏଠି କଥା କହିବାକୁ ହେଲେ ଆଗରୁ ସମୟ ଠିକ୍ କରିବାକୁ ପଡ଼ିବ, ଏକ ଅପ୍ରଶସ୍ତ ଓ ଅତିଆବଶ୍ୟକ ସୀମାକୁ ଡେଇଁ କଥା କହିବାର ବା ଗ୍ରହଣ ସମ୍ପ୍ରଦାନର ସୁଯୋଗ ଏଠାରେ ଖୁବ୍ କମ୍ । ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ଭକ୍ତିକୁ ଏଠିକାର ସମୟ ଓ ସମ୍ଭ୍ରମବନ୍ଧମାନ ଅବଶ୍ୟ ମାନିବାକୁ ପଡ଼ିବ । କିନ୍ତୁ ଏଠାରେ ସହଜରେ ଆପଣାର ସେହି ଦାନ ଓ ଗ୍ରହଣର ପରିପୂର୍ଣ୍ଣ ଭାବରେ ତୁଷ୍ଟ ହୋଇ ପାରିବନାହିଁ । ସଂସାର ଭିତରେ ମୁଁ ମଣିଷର ସାଙ୍ଗ ଚାହେଁ, ଯେଉଁଠି ସକଳ ସମ୍ଭ୍ରମ ତେଜି ମୁଁ ଆପଣାକୁ ସମର୍ପି ଦେଇପାରିବି, ଯେଉଁଠି ପରିଚୟର ସୀମାକୁ ଆକାଶ ଯାଏ ପ୍ରଲମ୍ବିତ କରିଦେଇ ମୁଁ ସହଜ ଅଳସଭାବରେ ଉଡ଼ି ଯାଇପାରିବି ।

 

୧୫ । ୧୦ । ୫୧

 

ଆଦିମ ସମାଜରେ Initiationର ମୂଲ୍ୟ ଖୁବ୍ ବେଶୀ । ବାଳକ ଓ ବାଳିକା ଯୌବନ ପ୍ରାପ୍ତ ହେଲେ ଏକ ବିହିତ ଅନୁଷ୍ଠାନଦ୍ଵାରା ସେମାନଙ୍କୁ ସମାଜର ଅନ୍ତର୍ଭୁକ୍ତ କରିନେବାର ରୀତିଟିକୁ ହିଁ initiation କୁହାଯାଏ । ଭିନ୍ନ ଭିନ୍ନ ସମାଜରେ ଏହି ଉପଲକ୍ଷ୍ୟଟିକୁ କେନ୍ଦ୍ରକରି ନାନା ବିଚିତ୍ର ଅନୁଷ୍ଠାନମାନ ରହିଛି । ଖ୍ରୀଷ୍ଟୀୟ ସମାଜର confirmation ଏହିପରି ଏକ ଅନୁଷ୍ଠାନ । ଚଉଦବର୍ଷ ବୟସରେ ଏଠି ବାଳକ ବାଳିକାଙ୍କର confirmation ହୁଏ । ପ୍ରଥମେ ଛଅମାସ ପର୍ଯ୍ୟନ୍ତ ସେମାନେ ପାଦ୍ରୀଙ୍କ ପାଖରେ ବାଇବେଲର ଶିକ୍ଷା ଓ ଉପଦେଶ ଶୁଣନ୍ତି । ଧର୍ମର ସନ୍ତକ ଗୀର୍ଜା ପ୍ରତି ଭବିଷ୍ୟତ ଜୀବନରେ ସେମାନଙ୍କର ମନୋଭାବ କିପରି ହେବା ଉଚିତ, ସେକଥାଟି ମଧ୍ୟ ସେମାନଙ୍କୁ ବାରବାର ଚେତାଇ ଦିଆଯାଏ । ପ୍ରତ୍ୟେକବର୍ଷ ବସନ୍ତ ବା ଶରତଋତୁର ଯେକୌଣସି ରବିବାର ଦିନ ପୁଅ ଝିଅଙ୍କର confirmation ହୁଏ । ସେଦିନ ସେହି ପିଲାଙ୍କର ମଜା ପୁଣି କିଏ ଦେଖିବ ? ସତେ ଯେପରି କାହାରି କଟକଣା ଭିତରୁ ବାହାରି ସେମାନେ ସମାଜର ଜଣେ ଭାବରେ confirmation ହୋଇପଡ଼ନ୍ତି ! କାଲି ରବିବାର ରାତିରେ ଏହିପରି ଦଳେ ପୁଅଝିଅଙ୍କର ଆନନ୍ଦ ଓ ଉତ୍ତେଜନା ଦେଖିବାର ସୁଯୋଗ ମିଳିଥିଲା । ଏଇ ଦିନଟିଠାରୁ ସେମାନଙ୍କର ସିଗାରେଟ୍‍ ଟାଣିବା ଆରମ୍ଭ, ଏଇ ଦିନଟିଠାରୁ ବୟଃପ୍ରାପ୍ତ ମଣିଷ ହିସାବରେ ଯୌବନର ଉପଭୋଗମାନ ଖୋଜିବାଲାଗି ସେମାନଙ୍କର ଅଧିକାର–ଲାଭ । ଏହି ଉତ୍ସବଦିନରେ ପରିବାର ଓ ପରିଚିତମାନଙ୍କଠାରୁ ସେମାନେ ଯେତେ ପଇସା ପାଆନ୍ତି, ଅଧିକାଂଶ ଭାଗଟି ସାଧାରଣତଃ ଧୂଆଁ ଟଣାରେ ଯାଏ । କାଲି ରାସ୍ତାରେ କେତେ ଜାଗାରେ ସିଗାରେଟ୍‌ର ପ୍ରତ୍ୟେକ automat (ବିକ୍ରୟ ବାକ୍ସ) ପାଖରେ ଏହି ଦଳଟିର କେତେ ମଜା ଦେଖିବାକୁ ମିଳିଲା ।

 

ସମାଜର ଜଣେ ହିସାବରେ ଆପଣାକୁ ନୂଆ ହୋଇ confirmed କରୁଥିବା ଏହି ଚଉଦ ବରଷର ବାଳକ ଓ ବାଳିକା ଆପଣାର ଉପଭୋଗମାନ ଆରମ୍ଭ କରି ଶିଖିବା ସଙ୍ଗେ ସଙ୍ଗେ ଆପଣାର ଦାୟିତ୍ଵ ଗୁଡ଼ିକ ବିଷୟରେ ବି କିଛିକିଛି ଶିଖୁଥାନ୍ତେ କି ! କିନ୍ତୁ ସେହି ପ୍ରକାରର confirmation ଲାଗି ଆଜି କେତେଜଣ ପାଦ୍ରୀ ପିଲାଙ୍କୁ ତିଆରି କରୁଚନ୍ତି ?

 

୧୬ । ୧୦ । ୫୧

 

ସଂସାରକୁ ଛାଡ଼ି ଆପଣା ପରିବାରରେ ନିଜ ମାୟା ମମତାର ଠୁଳ ସାମ୍ରାଜ୍ୟ ଗଢ଼ିବାର ସ୍ଵପ୍ନ ମୁଁ କେବେ ଦେଖି ନାହିଁ । ଆପଣା ଭବିଷ୍ୟତକୁ ନେଇ ମୁଁ କେବେହେଲେ ଏପରି ଏକ ସ୍ଵାର୍ଥପର ଚିନ୍ତା କରିନାହିଁ । ତଥାପି ବାପା, ବୋଉ, ଭାଇ, ଭଉଣୀ ଓ ଭାଉଜୋଉମାନଙ୍କୁ ନେଇ ଯେଉଁ ପରିବାରରେ ମୁଁ ବଢ଼ି ଆସିଚି, ଦୁନିଆର ସବୁ ଲୋଭ, ସବୁ ଅଭିଳାଷ ଓ ସବୁ ଆଦର୍ଶବାଦଠାରୁ ସେଇଟି ଆପଣାର ଏତେ ଅଧିକ ନିଜର ବୋଲି ମନେହୁଏ କିପରି ? ସିଆଡ଼ୁ କୌଣସି ପ୍ରକାରର ଦୁଃଖ ଓ ଆଶଙ୍କାଜନକ ଖବର ଶୁଣିବା ମାତ୍ରକେ ମୋର ମନଭିତରେ ସତେଅବା କେତେ ଛଳନା ପଶିଯାଏ । ଦର୍ଶନର କୌଣସି ଯୁକ୍ତି ସେତେବେଳେ ମୋ’ ଧୈର୍ଯ୍ୟର ବନ୍ଧକୁ ଅଟକାଇ ରଖିପାରେ ନାହିଁ । ଏହି ପରିବାରଟିର ଛବି ଦେଖୁ ଦେଖୁ ମୁଁ କେତେଥର ଆପେ ଆପେ କାନ୍ଦି ପକାଇଚି, ଆପେ ଆପେ ଆନନ୍ଦରେ ନାଚି ଉଠିଚି । ମଣିଷ ଆଉ ମଣିଷ ଭିତରେ ଏକ ନିବିଡ଼, ସ୍ଵଚ୍ଛ ଅଥଚ ଶ୍ରଦ୍ଧାମୟ ପରିଚୟ ସମ୍ଭବ କରାଇବାକୁ କିଏ ଏହି ପରିବାରର ସୃଷ୍ଟି କରିଥିଲା କେଜାଣି ? ସମାଜ ରକ୍ଷା ଓ ଆପଣାର ଯୌନକ୍ଷୁଧାକୁ ତୃପ୍ତ କରିବାଲାଗି କୁଆଡ଼େ ପ୍ରଥମେ ପରିବାରର ସୃଷ୍ଟି ହୋଇଥିଲା ବୋଲି ସମାଜବୈଜ୍ଞାନିକମାନେ କହନ୍ତି । କିନ୍ତୁ ମଣିଷର ଦୃଷ୍ଟି, ମଣିଷର ମାୟା ଓ ମଣିଷର ଶ୍ରଦ୍ଧାବେଗ ଏହି ପରିବାରର କଳ୍ପନାଟି ଭିତରେ ଯୁଗେ ଯୁଗେ ଏତେ ମାଧୁରୀ ନିହିତ କରି ଆସିଚି, ଯେ ବର୍ତ୍ତମାନ ପରିବାରକୁ କେବଳ ସେହି ମୂଳ ସଂଜ୍ଞାନୁସାରେ ବିଚାର କରିବା ଆଦୌ ନ୍ୟାୟ ସଙ୍ଗତ ହେବନାହିଁ । ମଣିଷର ଜୀବନତତ୍ତ୍ଵ ଓ ଉଦ୍‌ଭବତତ୍ତ୍ଵକୁ ବୁଝିବାରେ ତାହା ଆମକୁ ମୋଟେ ସାହାଯ୍ୟ କରିବ ନାହିଁ । ପ୍ରତ୍ୟେକ ପ୍ରସଙ୍ଗର ମୂଳ ଉତ୍ସ ବିଚାର ଓ ଜିଜ୍ଞାସା କରିବାର ନୀତି ଦର୍ଶନର ଅଧ୍ୟୟନବେଳେ ଆମକୁ ଯେତେ ସାହାଯ୍ୟ କଲେ ମଧ୍ୟ ଦର୍ଶନର ପରିପୂରକ ଏହି ଜୀବନରୀତିଟିକୁ ବିଚାର କରିବାରେ ସେହି ଯିଜ୍ଞାସା ଆମକୁ କୌଣସି ସତ୍ୟ ଦେଖାଇ ପାରିବ ନାହିଁ ।

 

୧୭ । ୧୦ । ୫୧

 

ସମୟଟା ମୋର ମୁଣ୍ଡ ଉପରେ ସତେ ଯେପରି ଗୋଟାଏ ପଥରଗଦା ପରି ବୋଝେହୋଇ ବସିଚି । ମୁଁ ବେଳେବେଳେ ଆପେ ଆପଣା ଭିତରେ ଓ ଆପଣାର କର୍ମ ମଧ୍ୟ ଦେଇ ସଂସାର ଭିତରେ ଏପରି ନିମଗ୍ନ ଓ ତତ୍ପର ହୋଇରହିଥାଏ ଯେ ସେତେବେଳେ ସମୟ ବିଷୟରେ ମୋର ସମସ୍ତ ସଚେତତା କୁଆଡ଼େ ଚାଲିଯାଇଥାଏ । ମନୋମତ ଗୋଟିଏ କ୍ଷେତ୍ର, ଯେଉଁଠି ମନର ସ୍ଵପ୍ନ ଓ ଜୀବନର କର୍ମରେ କୌଣସି ବ୍ୟବଧାନ ରହିବନାହିଁ, ସେହିପରି ଏକ କ୍ଷେତ୍ର ପାଇଲେ ମନ ଓ ଜୀବନ ଆପେଆପେ ସହଜ ହୋଇଯାଏ । ସମୟ କଟାଇବା ଓ ଜୀବନ ବଞ୍ଚିବା ସେତେବେଳେ ଆଦୌ ଏକ ସମସ୍ୟା ହୋଇ ଠିଆ ହୁଏ ନାହିଁ ।

 

ଏ ଦେଶରେ ଦିନେ ଦିନେ ମୁଁ ଆପଣାର ଜୀବନ ଭାରରେ ଯେପରି ଆପେ ଅଣନିଶ୍ଵାସୀ ଓ କ୍ଳାନ୍ତ ହୋଇପଡ଼େ ! ମୋର ମନେହୁଏ, ସତେ ଯେପରି ଏକ ନିବୁଜ କାଚଘରର ରୁଗ୍‌ଣ ଶିଶୁଟିପରି ମୋର ଜୀବନ ଦୁର୍ବହ ଦିନଯାପନ କରିବା ଲାଗି କାହାର ଅଭିଶାପ ପାଇଚି ! ମୁଁ ସବୁ ଦେଖୁଚି, ସବୁଠିଁ ସମସ୍ତେ ମୋତେ ଦେଖୁଚନ୍ତି, ମୋର ଜୀବନ ସହିତ ହୁଏତ ଘଷି ହୋଇଗଲା ପରି ଅନେକ ଚାଲିଯାଉଛନ୍ତି, କିନ୍ତୁ ମୋର ଅନ୍ତର ଏବଂ ବାହାର ମଧ୍ୟରେ ଯେପରି କେତେ କେତେ ବ୍ୟବଧାନ ରହିଚି, କୌଣସି ଗୋଟିଏ କ୍ଷେତ୍ରରେ ମଧ୍ୟ ମୁଁ ଆପଣାକୁ ସନ୍ତୋଷଜନକ ଭାବରେ ଲାଗାଇ ପାରୁନାହିଁ । ଏଠାରେ ମୋର ପଇସାର ଅଭାବ ନାହିଁ, ପଢ଼ିବା ଓ ପୋଷାକ ପିନ୍ଧିବାରେ ମଧ୍ୟ ଅଭାବ ନାହିଁ । ତଥାପି ଭିତରେ ଥାଇ କେଉଁ ଉପାସୀ ଆଜି ଭାରି ବିକଳ ହୋଇ ଉଠୁଚି କାହା ସହିତ ମିଶିବା ଲାଗି, ଆପଣାର ସବୁ ସ୍ନେହ ଶ୍ରଦ୍ଧାକୁ ନେଇ କେଉଁ ମୁକ୍ତଦ୍ଵାରରେ ଢାଳିଦେବା ପାଇଁ-

 

୧୮ । ୧୦ । ୫୧

 

କାଲି ଖବର ଆସିଲା ଯେ ଏକ ସାଧାରଣସଭାରେ ବକ୍ତୃତା ଦେଉ ଦେଉ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆତତାୟୀର ଗୁଳିରେ ପ୍ରାଣ ହରାଇଚନ୍ତି । ଏହି କେତେଦିନ ହେଲା ଗୁଳି ଦ୍ଵାରା ନେତା ମାରିବା ଭାରି ଚାଲିଲାଣି । ମାତ୍ର ଜଣକୁ ମାରିଦେଲେ ଯଦି ସବୁ ସମସ୍ୟାର ସମାଧାନ ହୋଇଯାଇଥାନ୍ତା ! କାଶ୍ମୀର ସମସ୍ୟାକୁ ଉଲୁଗୁଣା କରି ଭାରତବର୍ଷ ସହିତ ଶୀଘ୍ର ଯୁଦ୍ଧ ଘୋଷଣା କରିବା ଉଚିତ, ଏକଥା ଦାବି କରୁଥିବା ଗୋଟିଏ ଦଳର ଜଣେ ଲୋକ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାରିଚି-। ଆପଣାର ଜାତୀୟ ଭୂମିକୁ ଦୃଢ଼ କରି ଗଢ଼ିବା ଲାଗି ଭାରତ ଓ ପାକିସ୍ତାନ ଏପର୍ଯ୍ୟନ୍ତ ଯଥେଷ୍ଟ ସଂଗଠନ କରିନାହାନ୍ତି । ଦେଶରେ ମୋଟେ ମୂଳଦୁଆ ନପଡ଼ୁଣୁ ଯୁଦ୍ଧ କରି ପରସ୍ପରର ମୂଳୋତ୍ପାଟନ କରିବାକୁ ଯେ ଉଭୟ ଦେଶର କେତେଜଣ ଲୋକ ପ୍ରକୃତରେ ଚାହୁଥିବେ, ତାହା ହିସାବ କରି କହିବା ଅସମ୍ଭବ । କାଶ୍ମୀରକୁ ଯୁଦ୍ଧକ୍ଷେତ୍ର କରିବାର ଅର୍ଥ ହେଉଚି ଦୁଇ ଦେଶକୁ ପୁଣି ଦୂରଦେଶୀ କୂଟନୀତିର ଗ୍ରାସରେ ପକାଇଦେବା । ଅତି ଅନିଚ୍ଛୁକ ଭାବରେ ଭାରତଭୂଇଁକୁ ଛାଡ଼ିଆସି ପୃଥିବୀର ଏପାଖରେ ଆଜି କେତେ ବଣିକର ଆଖି ସେହି ଉଭୟ ଦେଶର ଏତେ ଟିକିଏ ଦୁର୍ବଳତାର ସଂଯୋଗ ନେବାକୁ ହୁଏତ ଅନାଇ ବସିଚନ୍ତି । ଆପଣାକୁ ପ୍ରକୃତ ଦୃଢ଼ କରି ଗଢ଼ିବାକୁ ହେଲେ ଭାରତବର୍ଷ ଓ ପାକିସ୍ତାନରେ ଅନେକ ପ୍ରାଥମିକ କାର୍ଯ୍ୟ କରିବାକୁ ହେବ । ଉଭୟ ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଖାଦ୍ୟର ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ହେବ । ମାତ୍ର ଏତିକିବେଳେ ମଣିଷ ମାରିବାର ବଡ଼ ଅଭିଳାଷ ନେଇ ମଣିଷ ମରା ଆରମ୍ଭ କରିଦେବା ଦୁଇ ଦେଶ ପକ୍ଷରେ ବଡ଼ ବିପଜ୍ଜନକ । ଲିଆକତ ଅଲି ଖାଙ୍କର ମୃତ୍ୟୁ ପାଗଳ ମଣିଷର ଏହି ପାଗଳାମି ବିଷୟରେ ଦେଶ ବାସୀଙ୍କୁ ହୁଏତ ସତର୍କ କରାଇଦେବ ।

 

୧୯ । ୧୦ । ୫୧

 

ଭାରତ ସହିତ କାହିଁକି ଅତିଶୀଘ୍ର ଯୁଦ୍ଧ ହେଉନାହିଁ ବୋଲି ଅସ୍ଥିର ହୋଇ ପଚିଶି ବର୍ଷର ଜଣେ ଯୁବକ ଲିଆକତ ଅଲି ଖାଁଙ୍କୁ ହତ୍ୟା କରିଚି । ପାକିସ୍ତାନ ସହିତ ଯୁଦ୍ଧ ଘୋଷଣା କରିବାକୁ ଅସ୍ଥିର ହେଉଥିବା ସେହିପରି ଅନେକ ମଣିଷ ଭାରତବର୍ଷରେ ମଧ୍ୟ ଅଛନ୍ତି । ପାକିସ୍ଥାନରେ ମୁସଲିମ୍ ରାଷ୍ଟ୍ରର ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ ସମାନ୍ତର ଭାବରେ ଓ ସମାନ ଶତ୍ରୁଭାବାପନ୍ନ ହୋଇ ହିନ୍ଦୁସ୍ଥାନରେ ବି ହିନ୍ଦୁରାଜ୍ୟ ପ୍ରତିଷ୍ଠିତ କରାଯିବା ଉଚିତ, ଭାରତର କେତେକ ଲୋକ ଅନ୍ଧଭାବରେ ଏପରି ବିଶ୍ଵାସ କରନ୍ତି । ହୁଏତ ସେହିପରି ଜଣେ ଅନ୍ଧ ଚାରିବର୍ଷ ତଳେ ଗାନ୍ଧିଜୀଙ୍କୁ ମାରିଚି । ସେହିପରି ଏକ ମନୋଭାବ ଆଜି ହିନ୍ଦୁସ୍ଥାନୀ ଭାଷା ବିରୁଦ୍ଧରେ ବିଶୁଦ୍ଧ ହିନ୍ଦୀଭାଷା ଚଳାଇବାର ଆନ୍ଦୋଳନ କରୁଚି ।

 

ଭାରତ ଓ ସମଗ୍ରଭାବରେ ଏସିଆର ସଂସ୍କୃତିକୁ, ଇଉରୋପର ସଂସ୍କୃତିକୁ ଯେଉଁମାନେ ଭିନ୍ନ ବୋଲି ଦେଖାଇବାର ପ୍ରୟାସରେ ଗର୍ବ ଅନୁଭବ କରନ୍ତି, ସେଇମାନଙ୍କର ମତବାଦ ଲାଗି ଏହି ସବୁ ଘଟଣା ଗୋଟିଏ ଗୋଟିଏ ଆହ୍ଵାନପରି । ସେମାନଙ୍କ ମତରେ କ୍ଷମତାନ୍ଧତା, ଧ୍ଵଂସ, ଯୁଦ୍ଧ ଓ ମାରଣନୀତି କେବଳ ଏହି ପଶ୍ଚିମ ସଭ୍ୟତାର ଜଳବାୟୁରେ ହିଁ ବଢ଼ିପାରିବା ଭଳି ଉପାଦାନ । ପ୍ରାଚ୍ୟ ସଭ୍ୟତାର ଅନୁଶୀଳନ କଲାବେଳେ ସେମାନେ ବୁଦ୍ଧ, କନ୍‌ଫୁସିଅସ୍, ଗୀତା ଓ ଉପନିଷଦ ଛଡ଼ା ଆଉ କିଛି ହେଲେ ଦେଖିପାରନ୍ତି ନାହିଁ । ଏସିଆରେ ମଧ୍ୟ ନାନା ଦ୍ଵେଷ, ଘୃଣା ଓ ଯୁଦ୍ଧ ବିଗ୍ରହର ଇତିହାସ ଯେ ରହିଛି, ସେମାନେ ଏକଥା ଦେଖିବାକୁ ଭୁଲିଯାଆନ୍ତି । ମାତ୍ର ଆଜି ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟକୁ ସମଗ୍ରଭାବରେ ଦେଖିବାକୁ ହେବ । ଏହି ଉଭୟ ଭୂଖଣ୍ଡରେ, ନାନା ବିଚିତ୍ର ରୀତିରେ ମାନବିକ ମୂଲ୍ୟଗୁଡ଼ିକର ସଂରକ୍ଷଣ କରିବାର ପ୍ରଚେଷ୍ଟାରେ ନାନା ଅଭ୍ୟୁଦୟ ଓ ପତନ ଲାଗି ରହିଚି, ଉଭୟ ଖଣ୍ଡରେ ଏହି ସଂରକ୍ଷଣର ସପକ୍ଷ ଓ ବିପକ୍ଷ ଶିବିରମାନ ଗଢ଼ିଉଠିଚି । ଉଭୟଠିଁ ପ୍ରେମ ଓ ବିଦ୍ଵେଷ, ରଚନା ଓ ବିଧ୍ଵଂସର ବାଣୀ ପ୍ରଚାରିତ ହେଉଚି । ଘୃଣାକୁ ଡେଇଁ ପ୍ରେମଦ୍ଵାରା, ଯୁଦ୍ଧକୁ ଡେଇଁ ଶାନ୍ତିଦ୍ଵାରା ଯେ ଆମ ପୃଥିବୀର ସ୍ଥିତି ସମ୍ଭବ ହେବ, ଏହି କଥାକୁ ମୂଳ ଅନୁମାନ ରୂପେ ଗ୍ରହଣ କରି ଆପଣା ସଂସ୍କୃତିକୁ ଯେ ଅନୁରୂପ ଭାବରେ ଗ୍ରହଣ କରିବାକୁ ହେବ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟଙ୍କ ଲାଗି ଏହାହିଁ ଆଜି ସବୁଠାରୁ ବଡ଼ ସମସ୍ୟା ।

 

୨୦ । ୧୦ । ୫୧

 

ଆଜି ଭାରି କ୍ଳାନ୍ତ ଲାଗୁଚି । କାଲି ଶୋଉ ଶୋଉ ରାତି ପ୍ରାୟ ଦୁଇଟା ହୋଇଯାଇଥିଲା-। ଠିକ୍ ସମୟରେ ଶୋଇ ଠିକ୍ ସମୟରେ ପୁଣି ସରସ ମନରେ ଦିନାରମ୍ଭ କରିବା ଏଠି ଅଭ୍ୟାସରେ ପଡ଼ିବା ମୁସ୍କିଲ ।

 

କୋପେନହେଗେନରେ ତିନିସପ୍ତାହ କଟାଇବା ପରେ ପ୍ରାୟ ଚାରିମାସ ଲାଗି ମୁଁ ପୁଣି ମଫସଲ୍‌କୁ ଅନ୍ତର ହୋଇଯିବି । ଡେନ୍‍ମାର୍କର ଗଣବିଦ୍ୟାଳୟ ଦିନେ ଦେଶରୁ ବାହାରି ମୋତେ ପୃଥିବୀ ବୁଲିବାର ଉତ୍ସାହ ଦେଇଥିଲା । ଏହି ବିଦ୍ୟାଳୟ ଗୁଡ଼ିକର କାହାଣୀ ଦିନେ ମୋ’ ମନର ଅନେକ ସମସ୍ୟା ସମାଧାନ କରି ଦେଇଥିଲା । ଏ ଦେଶର ସେହି ବିରାଟ ଶିକ୍ଷା-ଆନ୍ଦୋଳନର କଥା ଶୁଣି, ମୋ’ପ୍ରଦେଶରେ ଦଶଟା ଟୋକା ପାଇଲେ ମୁଁ ମଧ୍ୟ କଣ କରିପାରନ୍ତି, ମୁଁ ମନେମନେ ସେହିପରି ଏକ ଯୋଜନା ବି କରି ପକାଇଥିଲି ।

 

ଆଉ ଅଳ୍ପଦିନ ଗଲେ ସେହିସବୁ ବିଦ୍ୟାଳୟ ଦେଖିବାଲାଗି ମୋର ତୀର୍ଥଯାତ୍ରା ଆରମ୍ଭ ହେବ । ସେଗୁଡ଼ିକର ପ୍ରତ୍ୟକ୍ଷ ପରିଚୟରେ ଆସି ସେଗୁଡ଼ିକର ବିଷୟରେ ମୋର ବିଚାର ଅନେକ ପରିମାଣରେ ପୁଷ୍ଟ ହୋଇଯିବ । ସେଠାରେ କେତେ ନୂଆ ମନ ଓ ନୂଆ ବିଚାରର ସମ୍ପର୍କରେ ଆସି ହୁଏତ ଏହି ରାଜଧାନୀର ଉତ୍ତାପରେ ତାପଗ୍ରସ୍ତ ହୋଇ ରହିଥିବା ମୋର ମନକୁ ମୁଁ ପୁଣି ନୂଆ କରିଦେଇ ପାରିବି, ପୁଣି ନାନା ରଚନାର ସ୍ଵପ୍ନରେ ମୁଁ କେତେଆଡ଼େ ଉଡ଼ିଯାଇ ପାରିବି । ଏହିସବୁ ଦୃଷ୍ଟିକୁ ସେହି ଯାତ୍ରାକୁ ମୁଁ ଏକ ତୀର୍ଥଯାତ୍ରା ରୂପେ ଗ୍ରହଣ କରିନେଇଚି ।

 

ଏଠି ସହରରେ ରାଜନୀତିର ଚାପରେ ମଣିଷ ମୁଣ୍ଡରୁ କେବଳ ଯୁଦ୍ଧ ଓ କୂଟନୀତିର ପ୍ରଳାପ ଶୁଣିବାକୁ ମିଳୁଚି । ଶତ୍ରୁର ମତବାଦ ଓ ଶତ୍ରୁର ସଂସ୍କୃତିକୁ scapegoat ରୂପେ ବ୍ୟବହାର କରି ଏଠାକାର ମଣିଷ କ୍ରମେ ଆପଣାର ମନକୁ ଯୁଦ୍ଧ ଲାଗି ଜୁଆଇ ରଖୁଚି ।

 

୨୧ । ୧୦ । ୫୧

 

“ଆରୋ ପ୍ରେମେ, ଆରୋ ପ୍ରେମେ, ମୋର ଆର୍ମି ଡୁବେଯାକ୍ ନେମେ”! ସାରାଦିନଟା ଭିତରେ ଯେ ଆପଣା ପିପାସାର ଉତ୍ତାପରେ କେତେ ଉତ୍ତପ୍ତ ହୋଇ ମୁଁ ଆପଣାର ସ୍ଵାଭାବିକ ଦୃଷ୍ଟିକୁ ହରାଇ ବସିଚି, ତାହାର ହିସାବ କରିବା ମୁସ୍କିଲ । ଏହି ସଂସାରରେ ମୁଁ କେତେ ଦୁଆରୁ କେତେ ସ୍ନେହଶ୍ରଦ୍ଧା ଓ ପ୍ରେମ ପାଇଚି, ଅପ୍ରତ୍ୟାଶିତ ଭାବରେ ମୋ’ଲାଗି କେତେ ଆଦରର କବାଟ ଉନ୍ମୁକ୍ତ ହୋଇଯାଇଚି । ତଥାପି କେଉଁ ଆସକ୍ତ ମନଟା ବେଳେବେଳେ କିଛି ନପାଇଥିବା ପରି ଗୋଟାଏ ଅଶମ ପିପାସାରେ ଅନ୍ଧ ହୋଇପଡ଼ୁଛି କିପରି ? ଆଖି ଆଗରେ କେତେପ୍ରକାର ସମ୍ଭୋଗ ଛବି ନାଚିଯାଇ ମୋତେ ଆହୁରି ଉତ୍ତପ୍ତ କରି ପକାଉଚି । ସବୁ ମଣିଷର ଦୁଆରକୁ ଯାଇ ମୁଁ ପ୍ରେମ ଓ ସ୍ନେହର ପ୍ରାର୍ଥୀ ହେବାକୁ ରାଜି ଅଛି, କିନ୍ତୁ ସବୁ ପିପାସାକୁ ଅନ୍ତର ଭିତରେ ଭରି ରଖି ଆଜି ମୁଁ କେବଳ ଏତିକି ପ୍ରାର୍ଥନା କରିବି ଯେ ମୋର ପିପାସା ଯେପରି ଜାବୁଡ଼ି ଧରିବାର ଏକ ଉତ୍ତପ୍ତ ଜ୍ଵରରେ ଗ୍ରସ୍ତ ହୋଇ ନପଡ଼ୁ । ସବୁ ଦାନ ଓ ସବୁ ଗ୍ରହଣ ଭିତରେ ମୋର ‘ମୁଁ’ ଆପଣାକୁ ନିଶ୍ଚିହ୍ନକରି ମିଳାଇ ଦେଉ ଏବଂ ମୋର ସବୁ ପିପାସାକୁ ଶାନ୍ତ କରିଦେବା ଲାଗି ଏହାହିଁ ପ୍ରଥମ ମାନଦଣ୍ଡ ହୋଇ ରହିଥାଉ ।

 

ଏଠି ମଣିଷକୁ ପୂର୍ଣ୍ଣଭାବରେ ପାଇବା ବଡ଼ କଷ୍ଟକର । ଆପଣାକୁ ମଣିଷ ପାଖରେ ପୂର୍ଣ୍ଣଭାବରେ ଦେଇପାରିବା ମଧ୍ୟ ସେହିପରି କଷ୍ଟକର । କେବଳ ବେଗ, କେବଳ ଧାଇଁବା; ତେଣୁ ବାଟରେ ଚିହ୍ନା ଦୁଆର ବା ଚିହ୍ନା ମଣିଷ ଦେଖି ଦଣ୍ଡେ ଛୁଇଁଦେଇ ଚାଲିଯିବା ବ୍ୟତୀତ ଏଠିକାର ସଭ୍ୟତା ସହିତ ନିଜରୁ ଖାପ ଖୁଆଇବା ଲାଗି ଆଉ ଗତ୍ୟନ୍ତର ନାହିଁ । ତେଣୁ ମୁଁ ଏଠି ମଣିଷର ପରିଚୟରେ ଯେତିକି ଆସୁଚି, ମୋର ସକଳ ପରିଚୟ ମୋର ପିପାସାଟାକୁ ହିଁ କେବଳ ସେତିକି ପ୍ରଖର କରିଦେଇ ଯାଉଚି, ଗୋଟାଏ ଆସକ୍ତି ମୋତେ ସେତିକି ଉତ୍ତପ୍ତ କରି ରଖୁଚି ।

 

୨୨ । ୧୦ । ୫୧

 

ଆପଣାକୁ ମଣିଷ ପାଖରେ ମୁକ୍ତ କରିଦେବା ବା କୌଣସି ମଣିଷର ଅନ୍ତରଦେଶରେ ପ୍ରବେଶ କରିବା ଏ ସହରର ସଭ୍ୟତାରେ ସହଜେ ସମ୍ଭବ ନୁହେଁ । ପ୍ରାସଙ୍ଗିକ ପରିଚୟରେ ଯାହାକୁ ଥରେ ଭଲଲାଗୁଚି, ଯାହାକୁ ଆହୁରି ଭଲଭାବରେ ଜାଣିବାକୁ ଓ ସେହି ପରିଚୟଟିକୁ ଆହୁରି ନିବିଡ଼ ଭାବରେ ଧରିରଖିବାକୁ ପ୍ରବଳ ଇଚ୍ଛା ଜାତ ହେଉଚି, କିନ୍ତୁ ପ୍ରକୃତ କ୍ଷେତ୍ରରେ ମାତ୍ର ମାସ ମାସ ଧରି ଦେଖାହେବା ହୁଏତ ଆଉ ସମ୍ଭବ ମଧ୍ୟ ହେଉନାହିଁ । କେଡ଼େ ବ୍ୟସ୍ତ ଏଠାକାର ଜୀବନ, ସବୁପ୍ରକାର ସମ୍ବନ୍ଧପ୍ରତି ନ୍ୟାୟ ବିଚାର କରିବାକୁ ଯାଇ ଏଠି ମଣିଷ କାହାରି ସହିତ ନିବିଡ଼ଭାବେ ବାନ୍ଧି ହୋଇ ପାରୁନାହିଁ, କାହାରି ଜଣକ ପାଖରେ ମଧ୍ୟ ସେ ଆପଣାର ଅନ୍ତର ଖୋଲିଦେଇ ପାରୁନାହିଁ । ଅଥଚ ଦିନମାନର କର୍ମକ୍ଷେତ୍ର ଓ ସନ୍ଧ୍ୟାସଭାର ବିନୋଦନ ମଧ୍ୟଦେଇ ସେ କେତେକେତେ ମଣିଷର ପରିଚୟରେ ଆସୁଚି । ହୁଏତ କର୍ମ ଓ ବିନୋଦନ ବହୁଳତା ହିଁ ତାକୁ କୌଣସି ମଣିଷ ସହିତ ନିବିଡ଼ ଭାବରେ ବାନ୍ଧିରଖି ପାରୁନାହିଁ । ଏଠାରେ ସଭ୍ୟତା ସହିତ ଖାପ ଖୁଆଇବାକୁ ହେଲେ ହୁଏତ ଏହିପରି ଦଉଡ଼ିବାକୁ ପଡ଼ିବ, ଅନ୍ତରେ ଅନ୍ତରେ ଏହିପରି ଜ୍ଵରଗ୍ରସ୍ତ ରହିବାକୁ ପଡ଼ିବ । ପରିଚୟ ବା ବିନୋଦନର ଗଭୀରତାଠାରୁ ଏଠି ପରିମାଣ ବା ବିସ୍ତାରକୁ ହିଁ ଅଧିକ ବଡ଼ ସ୍ଥାନ ଦିଆଯାଇଚି ।

 

ସେଇଥିଲାଗି ଏତେ ପାଇ ଓ ବାଚାଳପରି ଏତେ କଥା କହି ମୁଁ ଏଠି ଯେପରି ତଥାପି ଅଧିକରୁ ଅଧିକ ପିପାସିତ ହୋଇପଡ଼ୁଚି । ପରିଚୟର ବାହ୍ୟ ଶୋଭନତା ତଳୁ ମୁଁ ମଣିଷ ଅନ୍ତରର ଉଷ୍ନତା ଚାହେଁ । ପ୍ରତ୍ୟେକ ମଣିଷକୁ ଦେଖିଲାବେଳେ ଓ ତା’ ସହିତ କଥା କହିଲାବେଳେ ଏହିପରି ଗୋଟାଏ ପ୍ରକାର ପ୍ରତିବାଦ କରି ମୁଁ ଯେପରି ସତେ ପିପାସିତ ହୋଇରହିଚି, ଏଥିଲାଗି କୌଣସି ସନ୍ଧ୍ୟାରେ କୌଣସି ପ୍ରକାର ଖୁସିଗପରେ ମୁଁ ଅନ୍ତରର ସହିତ ଆଦୌ ଯୋଗଦେଇ ପାରୁନାହିଁ । ତେଣୁ କେତେ ଦୁଆରୁ କେତେ ଆଦର ପାଉଥିଲେ ମଧ୍ୟ ମୋର ମନ ଅତୃପ୍ତ ହୋଇରହିଚି ।

 

୨୩ । ୧୦ । ୫୧

 

କାଲିରାତି ବାରଟାବେଳେ ରାସ୍ତାରେ ଆସିଲାବେଳେ ଭାବୁଥିଲି, ଯୁବକ ଓ ଯୁବତୀର ପ୍ରେମ-ଆଦାନ ପ୍ରଦାନ ଲାଗି ଏହି ସମାଜରେ ଯଦି ଯଥେଷ୍ଟ ଅନୁକୂଳ ବାୟୁମଣ୍ଡଳ ଥାଆନ୍ତା, ଆପଣାର ପରିବାର ଗଢ଼ିବା ଲାଗି ପ୍ରତ୍ୟେକ ଯୁବକ ଯଦି ଖଣ୍ଡେ ଘର ଯୋଗାଡ଼ କରି ପାରୁଥାନ୍ତା, ତେବେ ରାସ୍ତାଘାଟରେ ଓ ବତୀ ଖୁଣ୍ଟର ଉଢ଼ୁଆଳରେ ଶୀତରାତିରେ ଯୁବକ ଆଉ ଯୁବତୀଙ୍କୁ ଏଠି ପରସ୍ପର ପ୍ରେମାବେଗର ଆଦାନ ପ୍ରଦାନ କରିବାକୁ ପଡ଼ୁନଥାନ୍ତା । ଏ ଦେଶରେ ଅନେକ ଯୁବକ ଓ ଯୁବତୀ ଅନେକ ବର୍ଷ ପର୍ଯ୍ୟନ୍ତ ଆପଣାଲାଗି ଏକ ବୈବାହିକ ପରିବାର ଗଢ଼ିବାପାଇଁ ଆର୍ଥିକ ସ୍ଵଚ୍ଛଳତା ଲାଭ କରିପାରନ୍ତି ନାହିଁ । କିନ୍ତୁ ଏଣେ ନାନା ଆବଶ୍ୟକତା ମେଣ୍ଟାଇବାଲାଗି ସେମାନଙ୍କୁ ହୁଏତ ଦଶବରଷରୁ ନାନାପ୍ରକାର କାମ କରିବାକୁ ପଡ଼େ । ଯୌବନ ଆସିବା ସଙ୍ଗେ ସଙ୍ଗେ ଏଠି ଯୁବକ ଯୁବତୀ ସ୍ଵତଃ ପରସ୍ପରର ନିକଟକୁ ଆସନ୍ତି, ପରସ୍ପରର ନିବିଡ଼ ଜୀବନ ସମ୍ବନ୍ଧରେ ସେମାନେ କେତେ ସ୍ଵପ୍ନ ଦେଖନ୍ତି, କିନ୍ତୁ ଅର୍ଥନୀତିର ଚାପ ସେମାନଙ୍କୁ ଏକାଠି ପରିବାର ଗଢ଼ି ସୁନ୍ଦର ଦାମ୍ପତ୍ୟ ଜୀବନ ଗଢ଼ିବାର ସୌଭାଗ୍ୟ ଦେଇ ପାରେନାହିଁ । ତେଣୁ ଭବିଷ୍ୟତର ସ୍ଵଚ୍ଛଳତା ଉପରେ ଭରସା ରଖି ସେମାନଙ୍କୁ ଯୌବନକାଳର ଅନେକ ବର୍ଷ ଏହିପରି କେବଳ Engaged ରହିବା ଅବସ୍ଥାରେ ହିଁ ଯାପନ କରିବାକୁ ହୁଏ । ପାର୍କ୍ ବା ରାସ୍ତାକଡ଼ର କୌଣସି ନିଛାଟିଆ ଥାନାରେ ସାଧାରଣ ଚକ୍ଷୁର ଅନ୍ତରାଳରେ ପରସ୍ପରକୁ ଭେଟିବା ବ୍ୟତୀତ ସେମାନଙ୍କର ଆଉ ଗତ୍ୟନ୍ତର ନଥାଏ । ଶୀତରାତିରେ ତଥାପି ଜନଗହଳି ଥମିବା ପର୍ଯ୍ୟନ୍ତ ସେମାନେ ଆପଣା ଲାଗି ଟିକିଏ ସୁଅବସର ପାଇବେ ବୋଲି ହୁଏତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରନ୍ତି । ପାଶ୍ଚାତ୍ୟ ସମାଜରେ ଯୌନ ଜୀବନର କୌଣସି ଏବଦେଶୀ ବିଚାର କରିବା ପୂର୍ବରୁ ଏହି ସମସ୍ୟାଟିର ଅର୍ଥନୈତିକ ଦିଗଟିକୁ ଭୁଲିଗଲେ ଆଦୌ ଚଳିବ ନାହିଁ । ଯୁବକ ଓ ଯୁବତୀର ସମ୍ପର୍କକୁ କେବେଳ ଯୌନ ସମ୍ପର୍କ ମଧ୍ୟରେ ସୀମାବଦ୍ଧ କରି ରଖିବାର ଅନ୍ୟାୟ ଏହି ସମାଜର ଅର୍ଥନୈତିକ ବ୍ୟବସ୍ଥାର-। ଏହି ସଭ୍ୟତାର ଚାହିଦା ଅନୁସାରେ ପ୍ରଥମେ ଆପଣାଲାଗି ସାମଗ୍ରୀ ବହୁଳ ଘରଖଣ୍ଡେ ପାଇବାର ସ୍ଵଚ୍ଛଳତା ଅର୍ଜନ କରିପାରିଲେ ତେବେଯାଇ ଏଠି ଯୌନସମ୍ପର୍କକୁ ଦାମ୍ପତ୍ୟ ପ୍ରେମରେ ରୂପାନ୍ତରିତ କରିବାର ସୁବିଧା ମିଳିଥାଏ ।

 

୨୪ । ୧୦ । ୫୧

 

ସଂସାରରେ ନାନାକ୍ଷେତ୍ରରୁ ଓ ନାନା ସଂଯୋଗରୁ ମୁଁ ଯେଉଁ ଆଦର ଓ ଆନନ୍ଦ ପାଉଚି, ତାପିତ ଅତୃପ୍ତ ମନର ଦହନରେ ସେଥିଲାଗି କୃତଜ୍ଞତା ପ୍ରକାଶ କରିବାର ସୁସ୍ଥ ମନଟିକୁ ମଧ୍ୟ ମୁଁ ହରାଇ ଦେଇଚି । ଯାହା ପାଇନାହିଁ, ମୋର ପ୍ରବଳ ଲାଳସାର ଲିପ୍‌ସା ଭିତରେ ସେହି ଅପ୍ରାପ୍ତ ପ୍ରଦେଶକୁ ଜାବୁଡ଼ି ଧରି କ୍ରମେ ମୁଁ ଆପଣାର ସବୁ ବଳ ହରାଇ ବସୁଚି । ଏହି ଜଗତରେ ଜନ୍ମ ହୋଇ ମୁଁ କେତେ ସମ୍ପଦର ଅଧିକାରୀ ହୋଇଚି । ଅତି ଅକାରଣ ଓ ଅଯାଚିତ ଭାବରେ ମୁଁ ମଣିଷ ପାଖରୁ କେତେ ସ୍ନେହ ଓ ଶ୍ରଦ୍ଧା ପାଇଚି । ସେହିସବୁ ଅମୃତ ଉତ୍ତରାଧିକାର ସକାଶେ ମଣିଷ ଯେତିକି ଯେତିକି କୃତଜ୍ଞ ହୋଇ ରହିଥିବ, ଜାବୁଡ଼ି ରଖିବାର ଓ ଅଧିକାର କରି ବସିବାର ମୋହଗ୍ରାସରୁ ସିଏ ଆପଣାକୁ ଯେତିକି ଦୂରରେ ରଖିଥିବ, ସିଏ ସେତିକିବେଶି ଆହୁରି ଅଧିକ ସଙ୍ଗ ଓ ସମ୍ପଦର ଅଧିକାରୀ ହୋଇପାରିବ । କିନ୍ତୁ ସେ ଯେତିକି ପାଇଚି, ଯଦି ତାହାକୁ ଭୁଲି ପ୍ରଧାନତଃ ଅପ୍ରାପ୍ତଗୁଡ଼ାକ ଉପରେ ହିଁ ଆପଣାର ଆଚ୍ଛନ୍ନ ଦୃଷ୍ଟିକୁ ନିବଦ୍ଧ କରି ରଖିଥିବ ତେବେ ସେ ଏହି ଜୀବନର ଆନନ୍ଦରୁ ବଞ୍ଚିତ ହୋଇରହିଥିବ । ଜଳଭଣ୍ଡାରରେ ବିହାର କରି ମଧ୍ୟ ସେ ଚିରଦିନ ଲାଗି ଅବକାଶ ତୃଷ୍ଣାରେ ବିକଳ ହୋଇ ରହିଥିବ ।

 

କାଲି ମୁଁ ବସି ସେଇକଥା ଭାବୁଥିଲି । ଆଜିକାଲି ନାନା ଅପ୍ରାପ୍ତର ମୋହରେ ମୁଁ ଏତେବେଶି ଦିବାସ୍ଵପ୍ନ ଦେଖୁଚି କାହିଁକି ? ମୁଁ ପ୍ରକୃତରେ କ’ଣ ଚାହେଁ ? ଆପଣାକୁ ଅତି ଦରିଦ୍ର ବୋଲି ମନେକରି ଏହି ଲୋଭଜୀର୍ଣ୍ଣ ଆବେଗଗୁଡ଼ାକୁ ମୁଁ ଯେଉଁଆଡ଼େ ଦଉଡ଼ାଇ ନେଉଚି, ସେଇଆଡ଼େ ଗଲେ ଓ ସେଇ ପଙ୍କରେ ପଶିଲେ କ’ଣ ମୁଁ ପ୍ରକୃତରେ ମୋର ଦରିଦ୍ରତାକୁ ଘୁଞ୍ଚାଇ ପାରିବି ? ଅଧିକରୁ ଅଧିକ ପାଇଲେ ଦରିଦ୍ରତା କଦାପି ଘୁଞ୍ଚେ ନାହିଁ; ପାଇବାର ଓ ସଂଗ୍ରହ କରିବାର ମୋହରୁ ଯିଏ ଆପଣାକୁ ବଞ୍ଚାଇ ରଖିପାରେ, କେବଳ ସେଇ ଆପଣାର ଆବେଗଗୁଡ଼ିକୁ ସବୁକ୍ଷେତ୍ରରେ ପ୍ରସାରିତ କରିଦେଇପାରେ ।

 

୨୫ । ୧୦ । ୫୧

 

ଦିନେଦିନେ ମୁଁ ଯାହା ଲେଖିବି, ସେସବୁ ମନଭିତରେ ଆଗରୁ ଠିକ୍ ହୋଇରହିଥାଏ । ମାତ୍ର ଆଉ ଦିନେଦିନେ କଲମ ଧରି ତାରିଖ ଲେଖିଲା ପର୍ଯ୍ୟନ୍ତ ମଧ୍ୟ ମୁଁ କ’ଣ ଲେଖିବି ବୋଲି ମନରେ କିଛି ଠିକ୍ ହୋଇନଥାଏ । ଶୂନ୍ୟ ମନ ଓ ଅନିଶ୍ଚିତ ଚିନ୍ତା ନେଇ ମୁଁ କେତେଦିନ ଏହି ଖାତାରେ ପ୍ରତିଦିନର ସ୍ଥାନକୁ ପ୍ରାୟ ଏହିପରି ଖାଲିଖାଲି ପୂର୍ଣ୍ଣ କରିଦେଇଚି । ଦେଶ ଛାଡ଼ିବା ଦିନଠାରୁ ଆଜିକାଲି ଏହି ଖାଲି ଦିନଗୁଡ଼ିକର ସଂଖ୍ୟା ବଡ଼ ଅତିରିକ୍ତ ପରିମାଣରେ ବଢ଼ିଯାଇଚି । ଏହି ଖାତାରେ କିଛି ଲେଖି ଆପଣାର ଧନ କରି ସାଇତି ରଖିବାଲାଗି ମୁଁ ଆଗେ ଗୋଟାଏ ପ୍ରକାର ପ୍ରସନ୍ନତା ଅନୁଭବ କରୁଥିଲି, ଅତି ସହଜରେ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ମନ ଆପଣାର କର୍ତ୍ତବ୍ୟ କରି ଯାଉଥିଲା । ମାତ୍ର ଏଠି ସେହି ସହଜତା ବଡ଼ ଦୁଷ୍ପ୍ରାପ୍ୟ ହୋଇଯାଇଥିଲା ପରି ଲାଗୁଚି-। ଅଧିକାଂଶ ଦିନ ମୋତେ ଯେପରି କିଏ କଣ ଲେଖିବାକୁ ଧରିବାନ୍ଧି ବାଧ୍ୟ କରି ବସାଇଲା ପରି ମନେହେଉଚି । ଦିନେଦିନେ ପୁଣି ଫାଙ୍କି ଦେବାର ଅବହେଳାକୁ ସମର୍ଥନ କରି ନାନା ଦୁର୍ବଳ ଯୁକ୍ତି ମନରେ preparedness କୁ ଆହୁରି ଦୁର୍ବଳ କରି ପକାଉଚି ।

 

ଦିନମାନ ମୁଁ କେତେ ମଣିଷଙ୍କ ସହିତ ମିଶୁଚି, କେତେ ଥାନରେ କେତେ କଥା କହୁଚି, ପ୍ରାୟ ପ୍ରତ୍ୟେକ ମୁହୂର୍ତ୍ତରେ ସବୁ ଶାସନର ପଘା ଛିଡ଼ାଇ ମୋର ମନ କେତେଆଡ଼େ ବିକ୍ଷିପ୍ତ ହୋଇ ଧାଉଁଚି । ତଥାପି ମୋର ଭିତରଟା ଏପରି ଶୂନ୍ୟ ଲାଗୁଚି କାହିଁକି, ତଥାପି ଆପଣା ଚିତ୍ତର ଅନ୍ତରାଳରେ ଏକାକୀ ବସି ଆପଣା ଜୀବନର ଗୋଟିଏ ଦିନଉପରେ ଏକ ସମଗ୍ର ଦୃଷ୍ଟି ପକାଇ ପାରିବାର ସମାହିତତା ମୁଁ ହରାଇ ବସୁଚି କାହିଁକି ? ଏହି କେତେଦିନ ହେଲା ମୁଁ ଯେପରି ଆପଣାକୁ ଭଲକରି ବୁଝି ପାରୁନାହିଁ । ମୋ ଆପଣା ଭିତରୁ ଅନେକ ବିଶ୍ଵାସ ହଜିଗଲାପରି ଲାଗୁଚି, ଆପଣାକୁ ଉଜାଡ଼ିଦେବାର ଗୋଟାଏ fatalism ମୋର ମନ ଉପରେ ଯେପରି ଅହରହ ଆଘାତ କରିଦେଇ ଯାଉଚି ।

 

୨୬ । ୧୦ । ୫୧

 

ପ୍ରତିଦିନ ସକାଳେ ଉଠି ତରତର ହୋଇ ଆପଣାର କାମ ସାରି ମୁଁ ଏହି ଖାତାରେ ଦି’ପଦ ଲେଖିବସୁଚି । ତା’ପରେ ଡାକରେ ଆସିଥିବା ଚିଠିସବୁ ପଢ଼ି ପୁଣି ତରତର ହୋଇ ଆପଣାର ଖରାବେଳର ଖାଇବା ତିଆରି କରି ମୁଁ ଲାଇବ୍ରେରୀକୁ ଦଉଡ଼ୁଚି । ସେଠାରେ ତିନିଘଣ୍ଟା ପଢ଼ିସାରିବା ପରେ ପାର୍କରେ ଆପଣାର ଖାଇବା ସାରି ବିଶ୍ଵବିଦ୍ୟାଳୟରେ ସଞ୍ଜ ପାଞ୍ଚଟାଯାଏ ପଢ଼ୁଚି । ସେଠୁ ଘରକୁ ଫେରିଆସି ହୁଏତ ପୁଣି ପଢ଼ିବସୁଚି ବା କାହାର ନିମନ୍ତ୍ରଣ ରକ୍ଷାକରି ଅନ୍ୟ କୁଆଡ଼େ ଯାଉଚି । ଦିନେଦିନେ ବନ୍ଧୁମେଳରେ ରାତି ଗୋଟାଏ ବାଜିଯାଉଚି । ଘରକୁ ଫେରି ମୁଣ୍ଡ ଏପରି ଗରମ ଲାଗୁଚି ଯେ ସତେଯେପରି ହଜାରପ୍ରକାରର ମରିଚିକା ଆସି ମୋର ଆଖିଆଗରେ ନାଚୁଚି । ଆପଣାର ମନ ଓ ଶରୀରକୁ ମୁଁ ସହଜରେ ଶୋଇବାଲାଗି ପ୍ରସ୍ତୁତ କରି ପାରୁନାହିଁ । ଏହିପରି ଗୋଟାଏ ପରେ ଗୋଟାଏ ରୀତିରେ ପୁନରାବୃତ୍ତ ହେଲାପରି ସାଧାରଣତଃ ମୋର ଦିନଗୁଡ଼ିକ କଟିଯାଉଚି । ମଣିଷର ଜୀବନରେ ଏହି ପୁନରାବୃତ୍ତିଟା ହେଉଚି ସବୁଠାରୁ ଅଧିକ ଅସହ୍ୟ । ମଣିଷର ମନ ବୈଚିତ୍ର୍ୟ ଲୋଡ଼େ, ମଣିଷର ମନ ନିତିନିତି ନୂଆ ପରିବେଶ ବି ଲୋଡ଼େ-। ହୁଏତ ବୈଚିତ୍ର୍ୟ ହିଁ ମଣିଷ ଜୀବନର ସବୁଠାରୁ ବଡ଼ ବେଗ । ଏଠାରେ ମୋର ଜୀବନରେ ସେହି ବୈଚିତ୍ର୍ୟର ଅଭାବ ହିଁ ଯେପରି ମୋତେ କ୍ରମେ ବଡ଼ ବିକଳ କରି ପକାଉଚି । ମୋତେ ପ୍ରତ୍ୟେକ ଦିନ କେତେ ମଣିଷଙ୍କଠାରୁ କେତେପ୍ରକାର ଆତିଥ୍ୟ ଓ ଖୁସିଗପର ଆପ୍ୟାୟନ ମିଳୁଚି, କିନ୍ତୁ ମୋର କ୍ଳାନ୍ତ ମନକୁ ସେଗୁଡ଼ାକୁ ଯେପରି ଆହୁରି କ୍ଳାନ୍ତ କରି ପକାଉଛନ୍ତି । କ୍ଳାନ୍ତ ହୋଇ ରାତିରେ ଘରକୁ ଫେରିବାବେଳକୁ ଆପଣାକୁ ଭାରି ନିଃସ୍ଵ ଓ ଦୀନ ପରି ମନେହେଉଚି । ମନେହେଉଚି, ସାରାଦିନଟାରେ ଖାଲି ମୁଇଁ ଯେପରି ସବୁଥିରୁ ବଞ୍ଚିତ ହୋଇ ରହିଗଲି, କାଲିର ରାତି ପାହି ଆଜିର ସକାଳ ହୋଇନଥିଲେ ମଧ୍ୟ ଯେପରି ମୋର କୌଣସି କ୍ଷତି ହୋଇନଥାନ୍ତା ! ଆପଣାକୁ ଆଘାତ କରିବାର କ୍ଷିପ୍ତତାରେ ଏହି ଦୀନତା ମୋତେ ଯେପରି କେତେ କୁତ୍ସିତ ଏବଂ ଅନାବଶ୍ୟକ ଚିନ୍ତାକ୍ଷେତ୍ରକୁ ଦଉଡ଼ାଇ ନେଉଚି; କିଛି ନପାଇ ଫେରି ଆସିଥିବା କେତେ ଦୁଆରେ ସିଏ ମୋତେ ଯେପରି ପୁଣି ନିକୃଷ୍ଟ ଭିକାରୀ କରି ଠିଆ କରାଉଚି । ଏହିପରି ନାନାକ୍ଷେତ୍ରରେ ଆପଣାର ମନକୁ ଅଟକାଇ ରଖି ମୁଁ ଯେପରି ମୋ’ ବାଟ ଚାଲିବାର ସକଳ ନ୍ୟାୟକୁ ପାସୋରି ପଛରେ ପକାଇ ଦେଉଚି !

 

୨୭ । ୧୦ । ୫୧

 

କାଲି ଭାରତୀୟ ନୃତ୍ୟକାର ଶ୍ରୀ ରାମଗୋପାଳଙ୍କର ଏକ ନୃତ୍ୟାନୁଷ୍ଠାନ ଦେଖି ମନ ଭାରି ହାଲୁକା ହୋଇଗଲା ।

 

ଶାନ୍ତିନିକେତନରେ ମୁଁ ପାଞ୍ଚବର୍ଷ କଟାଇଚି । ମୋର ଆପଣା ସଂସ୍କୃତିରେ ଯାହାସବୁ universal ଅବଦାନ ରହିଚି, ସାହିତ୍ୟ, ନୃତ୍ୟ, କଳା ଓ ସଂଗୀତ ମଧ୍ୟଦେଇ ମୁଁ ସେଠାରେ ତାହାରି ଏକ ଅତିନିକଟ climate ରେ ବଢ଼ିଆସିଚି । କାଲି ଘରକୁ ଫେରୁଥିବାବେଳେ ଗୋଟିଗୋଟି କରି ମୋର ସବୁ ମନେ ପଡ଼ିଗଲା । ପୃଥିବୀର ଏ ପାଖରେ ଅର୍ଥନୀତି ଓ ଯୁଦ୍ଧର ଜଳବାୟୁ ଭିତରେ ମୋ’ ଦେଶର ଅନାହାର ଓ ଦାରିଦ୍ର୍ୟଟା ହିଁ ମୋ’ ଆଖିରେ ସବାଆଗ ପଡ଼ିଯାଉଥିଲା, ପ୍ରାଚ୍ୟଖଣ୍ଡକୁ ଏହି ଅର୍ଥନୈତିକ ଦୀନତାରୁ ବଞ୍ଚାଇବାଲାଗି ପାଶ୍ଚାତ୍ୟ ନାନା ମତଲବରେ ଯେଉଁ ଦୟା ଦେଖାଇବାର ଆୟୋଜନ ଏଠି ନିତି କରୁଚି, ତାହାରି ପ୍ରଚାର ଶୁଣିଶୁଣି ମୋର କାନ ବଧିରା ହୋଇଯାଇଥିଲା । ଭାରତକୁ ସାହାଯ୍ୟ କରିବାର ଦୁଆଧରି ଯେଉଁମାନେ ଆପଣା ଦେଶରୁ ସେଠାକୁ ଟଙ୍କା ଓ ଖାଦ୍ୟ ଜିନିଷ ପଠାନ୍ତି, ଗୋଟାଏ ବାଟରେ ଭାରତରୁ ଶସ୍ତା କଞ୍ଚାମାଲ ଆଣି ଯେଉଁମାନେ ଅପର ବାଟରେ କାଶ୍ମୀର ସମସ୍ୟାର ସମାଧାନ ଲାଗି ନାନା ପେଞ୍ଚ ଖେଳନ୍ତି, ଭାରତ ସଂସ୍କୃତିର ଏହି କଳା ଓ ସଂଗୀତର ଦିଗଟିକୁ ସେମାନେ ଦେଖନ୍ତି କି ନାହିଁ ମୁଁ କହି ପାରିବି ନାହିଁ ।

 

ଭାରତର ଜଣେ ଯୁବକ ହିସାବରେ ମୁଁ ଆଜି ଆପଣାକୁ ପଚାରୁଚି, ଉପବାସୀ ଦେଶର ଏଇ ବିରାଟ heritage କୁ ଆଉ କେତେଦିନ ବଞ୍ଚାଇ ରଖିହେବ, ଜାତୀୟ ସଂସ୍କୃତିର ଏହି ଶ୍ରେଷ୍ଠ ସମ୍ପଦଟିକୁ ଜାତିର ସାଧାରଣ ଜନଗଣଠାରୁ ଆଉ କେତେଦିନ ଅପସାରିତ କରି ରଖିହେବ ? ଭାରତବର୍ଷରେ ସମସ୍ତେ ଖାଇବାକୁ ପାଇବେ, ମଣିଷ ହେବାର ଅଧିକାର ପାଇବେ, ତେବେଯାଇ ଯାହା ଆଜି କେବଳ ଏକ ନଷ୍ଟାବଶେଷ ରୂପେ ମାତ୍ର କେତେଜଣଙ୍କର ହାତରେ ରହିଚି, ତାହା ସାରା ଦେଶର ଓ ଜାତିର ଧନ ହୋଇପାରିବ । ସଭିଙ୍କର ମନଃସମ୍ପଦରୂପେ ତାହା ଏକ ବିକାଶମାନ କଳା ହିସାବରେ ଦିନୁଁଦିନ ସମୃଦ୍ଧ ହୋଇ ଚାଲିଥିବ ।

 

୨୮ । ୧୦ । ୫୧

 

East is East and West is West:—କାଲି ଜଣେ ବନ୍ଧୁ ଏହିପରି ଗୋଟାଏ ମତ ପ୍ରକାଶ କରିଦେଇ ନିଶ୍ଚିନ୍ତ ହୋଇ ଗଲାପରି ମତେ ଲାଗିଲା । ମୁଁ ଜାଣେନା, କେଉଁ ଦୁର୍ବଳ ଓ ଦୁର୍ଭାଗ୍ୟ ବେଳରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟକୁ ଦୁଇଖଣ୍ଡ କରି ଦେଖିବାର ପଣ୍ଡିତ ପଣିଆ ଆମର ଏହି ସଂସାର ଆରମ୍ଭ ହୋଇଚି, କେଉଁଦିନରୁ ଗୋଟାଏ ପାଖର ମଣିଷ ଆପଣାର ଜୀବନରୀତିକୁ ଅତି ସ୍ଵତନ୍ତ୍ର କରି ଚିହ୍ନି ଅପର ପାଖଟିକୁ ଆପଣାର ଆୟତନ ଭିତରୁ ବାହାର କରି ରଖିଚି ।

 

ଯେତେଦିନ ପର୍ଯ୍ୟନ୍ତ କେବଳ ଆପଣା ଦୃଷ୍ଟିରୁ ଓ କେବଳ ଆପଣା ମୂଲ୍ୟର ମାନଦଣ୍ଡରେ ହିଁ ଜଣେ ଅପରକୁ ଚିହ୍ନିବାର ପ୍ରୟାସ କରୁଥିବ, ସେତେଦିନ ପର୍ଯ୍ୟନ୍ତ ତାକୁ କୌଣସି ପ୍ରକାର ଚିହ୍ନା କୌଣସି ପ୍ରକାର ସାହାଯ୍ୟ କରିପାରିବ ନାହିଁ । ସହସ୍ର ପ୍ରକାର ଅବସରରେ ସେ ଦୁହେଁ ପରସ୍ପରର ସମ୍ପର୍କରେ ଆସୁଥିଲେ ମଧ୍ୟ ପରସ୍ପରଠାରୁ ଅନେକ ଦୂରରେ ରହିଥିବେ । ଏପାଖର ରାଜନୀତି, ସମାଜନୀତି ବା ସଂସ୍କୃତି ରୀତି ଦୃଷ୍ଟିରୁ ଦେଖିଲେ ପାଶ୍ଚାତ୍ୟ କେବେହେଲେ ପ୍ରାଚ୍ୟପ୍ରାଣର ପରିଚୟ ପାଇ ପାରିବନାହିଁ । ପ୍ରାଚ୍ୟ ଓ ପାଶ୍ଚାତ୍ୟର ଖଣ୍ଡିତ ସୀମା ଡେଇଁ ମାନବିକ ମୂଲ୍ୟର ମାନଦଣ୍ଡରେ ଆଜି ଦୁହିଁଙ୍କୁ ଆପଣା ଆପଣାର ମନକୁ ପ୍ରସ୍ତୁତ କରିବାକୁ ହେବ । ଏବଂ ଏହି ମୂଲ୍ୟର ମାନଦଣ୍ଡକୁ ସ୍ଵୀକାର କରିବାର ପ୍ରଥମ ସର୍ତ୍ତ ହେଉଚି ଯେ ଜଣେ ଅପରକୁ ପରିପୂର୍ଣ୍ଣ ସମ୍ମାନ ଦେବ, ଅପରର ଜୀବନଧାରା ଓ ଜୀବନ ବିକାଶକୁ ଠିକ୍ ଆପଣାର ଜୀବନଧାରା ଓ ଜୀବନବିକାଶକୁ ବୁଝିଲାପରି ବୁଝିବ ଓ ପରିପୂର୍ଣ୍ଣ ସମ୍ମାନ ସହିତ ସ୍ଵୀକାର କରିନେବ । ମାତ୍ର ଯେତେଦିନ ପର୍ଯ୍ୟନ୍ତ ଆପଣାର ସ୍ଵୀକୃତ ବାହ୍ୟ ଅବଲମ୍ବନ ଗୁଡ଼ାକୁ ଅପର ଉପରେ ନେଇ ଲଦିଦେବାର ଚେଷ୍ଟା କରାଯାଉଥିବ, ଅପରକୁ ତା’ର ଆଚରିତ ପରମ୍ପରାମାନ ଛାଡ଼ି ଆସିବାଲାଗି ଯେପର୍ଯ୍ୟନ୍ତ ନାନା ପ୍ରଲୋଭନ ଓ provocation ଦିଆଯାଉଥିବ, ସେପର୍ଯ୍ୟନ୍ତ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସମସ୍ୟା ମଧ୍ୟ କଦାପି ତୁଟିବନାହିଁ । ସବୁ ପ୍ରକାର ବଣିକମନ ଛାଡ଼ି କେବଳ ଶ୍ରଦ୍ଧା ଦ୍ଵାରା ହିଁ ଦୁହିଁଙ୍କ ମଧ୍ୟରେ ଯଥାର୍ଥ ପରିଚୟ ସମ୍ଭବ ହୋଇପାରିବ ।

 

୨୯ । ୧୦ । ୫୧

 

ଆଜି ମୋର ଜନ୍ମଦିନ ବୋଲି ସକାଳେ ଘରୁ ଚିଠି ଆସି ପହଞ୍ଚିଲା । ଯେ କୌଣସି ଜୀବନ୍ତ ଓ ବିକଶମନ ବସ୍ତୁଲାଗି ପ୍ରତ୍ୟେକ ମୁହୂର୍ତ୍ତ ହେଉଚି ଜନ୍ମ ମୁହୂର୍ତ୍ତ, ପ୍ରତ୍ୟେକକ୍ଷଣ ଦ୍ଵିଜ ହେବାର ଶୁଭକ୍ଷଣ । ଏହି ଜୀବନ୍ତତା ଓ ବିକାଶମୁଖିତାକୁ ହରାଇ ବସିଲେ ପାଞ୍ଚଟା ଜନ୍ମଦିନ ଚାଲିଗଲେ ମଧ୍ୟ ମଣିଷ ତଥାପି ଆପଣାର ଜନ୍ମତିଥିକୁ ଅନୁଭବ କରିପାରିବ ନାହିଁ । ଜନ୍ମତିଥିରେ ଆମ ସମାଜରେ ପିଠାପଣା ଖିଆଯାଏ, ବନ୍ଦାପନା ହୁଏ, ପୁଣି ଏଠିକାର ସମାଜରେ ଖାଇବା ସଙ୍ଗେ ସଙ୍ଗେ ନାନାପ୍ରକାର ଉପହାର ମଧ୍ୟ ମିଳେ । କିନ୍ତୁ ପ୍ରତ୍ୟେକ ଦିନ ଜନ୍ମଲାଭ କରୁଥିବା ମୋ’ ଜୀବନର ଓ ମୋ’ ସାଧନାର Necnate (ନବଜାତକ) ଯେପରି ଆଜିର ଏହି ବିଶେଷ ଦିନଟିରେ ଚୁପ୍ ହୋଇ ଆପଣାର ମନଭିତରେ ଆପଣାକୁ ଧ୍ୟାନ କରିବା ଲାଗି ଅଧିକ ପ୍ରୟୋଜନୀୟ ମନେକରୁଚି ! ତା’ର ଅନ୍ତରାକାଶରେ ସମସ୍ତ ରବି, ଶଶି ଓ ଗ୍ରହତାରା ଆଜି କେବଳ ନୀରବ ଓ ନିସ୍ତବ୍‌ଧ ଭାବରେ କେଉଁ ଅଭୟ ନିର୍ଭରର କ୍ରୋଡ଼ଭିତରେ ମଜ୍ଜି ରହିଚନ୍ତି ! ଜୀବନ ବାଟର ଏହି ବରଷିକିଆ ଖୁଣ୍ଟାପାଖରେ ମୋ’ ଭିତରର ସବୁ କୋଳାହଳ ଓ ସବୁ ପ୍ରକାର ଉତ୍ସବ-ପ୍ରଦର୍ଶନ ଯେପରି ଆପେ ଆପେ କୁଆଡ଼େ ଲୁଚି ଯିବାକୁ ଇଚ୍ଛା କରୁଚି !

 

କିନ୍ତୁ ଯେଉଁ ଦେଶରେ ଜୀବନଲାଗି ବଞ୍ଚିବା ଅପେକ୍ଷା ମଣିଷ ମୃତ୍ୟୁ ବିରୁଦ୍ଧରେ ସଂଗ୍ରାମ କରି କରି ଆପଣାର ଅଧିକତର ଦିନ ବଞ୍ଚିବାକୁ ବାଧ୍ୟ ହୁଏ, ସେଠି ତା’ଲାଗି ଜନ୍ମଦିନର କି ସାର୍ଥକତା ଥାଇପାରେ ? ମୋ’ ଦେଶରେ ଅଧିକାଂଶ ଯୁବକଙ୍କର ଜୀବନରେ ଜୀବନର କୌଣସି ଆସ୍ଵାଦନ ହିଁ ଜୁଟେନାହିଁ । ରୋଗ, ଜଞ୍ଜାଳ ଓ ଅନେକାନେକ ଅଭାବ ବିରୁଦ୍ଧରେ ନାନାବାଟରେ ଆପଣାକୁ ଯେ କୌଣସି ମତେ ବଞ୍ଚାଇ ରଖିବାର ଚେଷ୍ଟାକରି କେବଳ ମରଣଟା ହିଁ ତା’ ଆଖିରେ ସର୍ବପ୍ରଧାନ ବାସ୍ତବ ହୋଇରହେ । ଜାଣେନା, ମରଣର category ଛାଡ଼ି ଜୀବନର category କୁ ଆପଣାର ସାମଗ୍ରୀ କରିପାରିବାର ଦିନ ମୋ’ ଦେଶର ଯୁବକଲାଗି କେବେଯାଇ ଆସିବ ?

 

୩୦ । ୧୦ । ୫୧

 

ସକାଳୁ ନିତ୍ୟକର୍ମ ସାରି ଆଜି କେତେ କଅଣ ଲେଖିବି ବୋଲି ମନସ୍ଥ କରିଥିଲି, କିନ୍ତୁ ଚିଠି ପଢ଼ି ପ୍ରାୟ ଘଣ୍ଟାଏ ସମୟ ଅତିବାହିତ ହୋଇଗଲା । ଏବର୍ଷ ମୁଁ ଫିନ୍‌ଲାଣ୍ଡରେ ଅଢ଼େଇମାସ କଟାଇ ଆସିଲି । ତଥାପି ସେଠି ଯେପରି ଚିରଦିନ ଲାଗି ଏକ ସ୍ନେହ ଓ ଶ୍ରଦ୍ଧାର ସମ୍ବନ୍ଧ ଯୋଡ଼ି ହୋଇଗଲା । ଆଜି ସେହି ଫିନ୍‍ଲାଣ୍ଡର ଗୋଟିଏ ଗାଆଁରୁ ଖଣ୍ଡେ ଚିଠି ଆସି ମୋର ସମସ୍ତ ମନକୁ ସେଇ ଆଡ଼କୁ ଟାଣିକରି ରଖିଚି । ସେଠାରେ ପରିଚୟରେ ଆସିଥିବା ଲୋକମାନଙ୍କୁ ଜୀବନରେ ହୁଏତ ଦ୍ଵିତୀୟଥର ଦେଖିବାର ସୌଭାଗ୍ୟ ବି ହେବନାହିଁ, ତଥାପି ମୁଁ ସେଠୁ କେତେ ସ୍ନେହ ଓ କେତେ ଶ୍ରଦ୍ଧା ପାଇଲି ! ନିଜ ତରଫରୁ ମୁଁ ସେମାନଙ୍କୁ କଅଣ ଦେଇପାରିଚି, ସେକଥା ଭାବିବାକୁ ମଧ୍ୟ ବେଳ ନାହିଁ । ଯିଏ ଅଯାଚିତ ଭାବରେ ପାଏ, କେବଳ ଗ୍ରହଣକରିବା ଲାଗି ହିଁ ସିଏ ଆପଣାକୁ ଯୋଗ୍ୟ କରି ରଖିଥାଉ ! ତାହା ହିଁ ଅସଲ କଥା । ସ୍ନେହଶ୍ରଦ୍ଧାର କ୍ଷେତ୍ରରେ ପ୍ରତିଦାନର ପ୍ରଶ୍ନ ହିଁ ଉଠୁନାହିଁ । ସେଥିଲାଗି ଯିଏ ଦେଇଚି, ସିଏ ପ୍ରତିଦାନର କଥାଟିକୁ ହୁଏତ ମନକୁ ହିଁ ଆସିନାହିଁ । ସଂସାରରେ କିଏ କାହାର ସ୍ନେହଶ୍ରଦ୍ଧାକୁ ପରିଶୋଧ କରିପାରିଚି କି ନାହିଁ, ମୁଁ ସେକଥା ଜାଣେ ନାହିଁ-। ଖାଲି ଦେବାରେ ହିଁ ଦାନୀ ଧନ୍ୟ ହୁଏ, ପରିପୂର୍ଣ୍ଣ ହୁଏ ।

 

ସେମାନଙ୍କ ସହିତ ମାତ୍ର ଦୁଇମାସର ପରିଚୟ, ତଥାପି ସେମାନେ ଯେପରି ମୋର ଅତି ଆପଣାର, ଯେପରି ଅନେକଦିନର ପରିଚିତ ! ଆଜି ଏହି ଚିଠି ଖଣ୍ଡିକ ପାଇ ମୁଁ ଭାବୁଚି, ସଂସାରରେ ଏତେ କ୍ଷେତ୍ରରୁ ଏତେ ସ୍ନେହ ଓ ଶ୍ରଦ୍ଧାର ନିର୍ଭର ପାଇ ମୁଁ ବଡ଼ ଭାଗ୍ୟବାନ୍ । ସେହି ଭାଗ୍ୟ ଅର୍ଜନ କରିଥିବାରୁ ଉତ୍ତର ଦେଶର ସେହି ସୁଦୂର ମଫସଲ ଗାଆଁରେ ମଧ୍ୟ ମୁଁ ଏତେ ସମ୍ପଦ ପାଇପାରିଚି । ଏହି ସମ୍ପଦ ହିଁ ମୋତେ ଆଜି ସବୁ ଦୁଆରେ ଓ ସବୁ ଦେଶରେ କେବଳ ଶ୍ରଦ୍ଧା ସହିତ ପ୍ରବେଶ କରିବାର ବଳ ଦେଉ, ମଣିଷପରି କେବଳ ଉନ୍ମୁକ୍ତ ଭାବରେ ଗ୍ରହଣ କରିବାର ଯୋଗ୍ୟତା ମୁଁ ଅର୍ଜନ କରେ !

 

୩୧ । ୧୦ । ୫୧

 

ରାଜନୀତି, ପ୍ରଚାର ଓ ବିଜ୍ଞାନ ସାହାଯ୍ୟରେ ଆଜି ଆମେରିକାରେ ଗଣତନ୍ତ୍ରର ଓ ଋଷିଆରେ କମୁନିଜମ୍‌ର ଏକଛତ୍ର-ସ୍ଥାପନା ଲାଗି ଉଦ୍ୟମ ଚାଲିଚି, ଆପଣାର ଗୋଟାଏ ଗୋଟାଏ ମତବାଦକୁ ପ୍ରତିଷ୍ଠିତ କରିବାର ଔତ୍ସୁକ୍ୟରେ ସେମାନେ ସାରା ପୃଥିବୀକୁ ଆଉଗୋଟାଏ ଯୁଦ୍ଧ ଭିତରକୁ ପେଲିଦେବାକୁ ମଧ୍ୟ ପ୍ରସ୍ତୁତ ହୋଇ ବସିଚନ୍ତି । ଗୋଟାଏ ଯୁଦ୍ଧପରେ ବି ଶାନ୍ତିସ୍ଥାପନର ଅଧେ ସମ୍ଭାବନା ରହିଥାନ୍ତା କି ! ତେବେ ହୁଏତ ଏହି ଅସ୍ତ୍ରସଜ୍ଜା, ଏହି ଯୁଦ୍ଧ ପାଗଳାମି ଓ ପରସ୍ପରକୁ ଗ୍ରାସ କରିବାର ଏହି ପାଗଳାମିକୁ ସେହି ଆଶାରେ ସମର୍ଥନ କରିବାର ଗୋଟାଏ ବାଟ ରହିଥାନ୍ତା ! କିନ୍ତୁ ସେତିକି ନିର୍ଭର ଦେଇପାରିବାର ବାଟ ମଧ୍ୟ ବର୍ତ୍ତମାନର ରାଜନୀତି ଓ ମତବାଦ ଆମକୁ ଦେଖାଇ ପାରୁନାହିଁ ।

 

ଅଥଚ ଅଧାବାଟକୁ ବାଟ ବୋଲି ଭ୍ରମ କରିବାର ନିଶା ଖୁଆଇ ନାନା ism ଓ ନାନା ପ୍ରକାର slogan ଆଜି ମଣିଷକୁ ଯେପରି ଆହୁରି ହତାଶ କରି ରଖିଚି । ଖବରକାଗଜରେ, ରାସ୍ତାରେ ଓ ସ୍କୁଲ କଲେଜରେ ଆଜି ପ୍ରତ୍ୟେକ ଯୁବକକୁ ଏହିପରି ନାନାପ୍ରକାର ନିଶାରେ ବିଶ୍ଵାସ କରିବାକୁ ଫୁସୁଲାଯାଉଚି । ଗୋଟାଏ ମତବାଦକୁ ସ୍ଵୀକାର କରିବା ଅର୍ଥ ବିରୋଧୀ ଆଉସବୁ ମତବାଦ ଓ ମତବାଦୀକୁ ଘୃଣା କରିବା, ଭୟ କରିବା,–ଏ ଯୁଗର ମନକୁ ଏହାହିଁ ନାନା ପ୍ରକାରେ ଆଚ୍ଛନ୍ନ କରି ରଖିଚି । ପ୍ରତ୍ୟେକ ଲୋକ ଆପଣାର ବିଶ୍ଵାସ ଅନୁସାରେ ଆପଣାର ଆଦର୍ଶ ଓ ଆଦର୍ଶକୁ ପରିପୂର୍ଣ୍ଣ କରିବାର ପନ୍ଥା ମଧ୍ୟ ଗ୍ରହଣ କରିବାର ବାଟ ଓ ଦାୟିତ୍ଵ ଗ୍ରହଣ କରୁ, ପ୍ରତ୍ୟେକର ଚିଦବୋଧ ଏବଂ ବିଶ୍ଵାସ ମଧ୍ୟରେ ଆମ ଭବିଷ୍ୟତର ଆଦର୍ଶ ପୃଥିବୀ ଜନ୍ମଗ୍ରହଣ କରୁ, ଆଜି କେତେଟା କଲେଜ ବା ସ୍କୁଲରେ ଏକଥା କୁହାଯାଉଚି ? ବିଶ୍ଵର ସନ୍ଧାନ କରିବାକୁ ହେଲେ ମଣିଷକୁ ପ୍ରଥମେ ଆପଣାର ସନ୍ଧାନ କରିବାକୁ ହେବ, କେତେଜଣ ସାହାସର ସହିତ ଆଜି ଏହି ଅସଲ ଦର୍ଶନ ଉପରେ ବିଶ୍ଵାସ ରଖିଚନ୍ତି ?

 

୧ । ୧୧ । ୫୧

 

ଠିକ୍ ବରଷକ ତଳେ ଏଇ ନଭେମ୍ବର ପହିଲାଦିନ ମୁଁ ଶାନ୍ତିନିକେତନରୁ ବିଦାୟ ନେଇ ଆସିଥିଲି । ହୁଏତ ତିନିବରଷ ପରେ ସେଠାକୁ ପୁଣି ଯିବାର ସୁଯୋଗ ମିଳିବ । ଦିନକୁଦିନ ସେଠାରେ କୁଆଡ଼େ ଅନେକ ପରିବର୍ତ୍ତନ ହୋଇ ଯାଉଚି, ଏକ ପରିପୂର୍ଣ୍ଣକାୟ ବିଶ୍ୱବିଦ୍ୟାଳୟ ହେବାର ଉଦ୍ୟମରେ ତା’ର ପରିସର ଦିନକୁଦିନ ଫୁଲିବାରେ ଲାଗିଚି । ଆଉ କେତେଦିନ ଗଲେ ସେଠି ସବୁକଥା କୁଆଡ଼େ ଏପରି ଭାବରେ ବଦଳିଯିବ ଯେ ଆଶ୍ରମଟିକୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡ଼ିବ ।

 

ଛଅଜଣ ଛାତ୍ରଙ୍କୁ ନେଇ ଜଣେ ପାଗଳ କବି ଦିନେ ସେହି ଅନୁଷ୍ଠାନ ଆରମ୍ଭ କରିଥିଲେ, ସୁଦୂରପ୍ରସାରୀ ଏକ ବୃକ୍ଷହୀନ ପ୍ରାନ୍ତର ଭିତରେ ଏହି ଆତ୍ମପରିଚୟର ବିଦ୍ୟାଳୟଟିକୁ ସ୍ଥାପନ କଲାବେଳେ ସେ ଆଜିର ଏହି ଅତିକାୟ ବିଶ୍ଵବିଦ୍ୟାଳୟର ସ୍ଵପ୍ନ ଦେଖିଥିଲେ କି ନାହିଁ କେଜାଣି ? ପୃଥିବୀର ସବୁ ଦେଶର, ସବୁ ଜାତି ଓ ଧର୍ମର ଆତ୍ମା-ଅନୁସନ୍ଧିତ୍ସୁ ଓ ଜିଜ୍ଞାସୁମାନେ ଏଠାରେ ଏକତ୍ର ହୋଇ ଏକ ଉପଲବ୍‌ଧିର ସାଧାନା କରିବେ, ପ୍ରତ୍ୟେକ ପ୍ରଭାତର ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ସେମାନେ ମଧ୍ୟ ଆପଣା ଚେତନାକ୍ରମର ସୋପାନମାନ ଆରୋହଣ କରି ଚାଲିବେ,–ଶାନ୍ତିନିକେତନର ଆଶ୍ରମଟି ପଛରେ ଏହି ବାଣୀ ନିହିତ ରହିଥିଲା । ଭିନ୍ନ ଭିନ୍ନ ଜାତିର କଳା, ସଂସ୍କୃତି ଓ ସଙ୍ଗୀତକୁ ଏହି ଉପଲବ୍‌ଧି ଓ ଆରୋହଣର ସହାୟକ ଭାବରେ ଗ୍ରହଣ କରାଯାଇଥିଲା-। ଆଜି ମଧ୍ୟ ସେଠାରେ ଜାତୀୟ କଳା ଓ ଜାତୀୟ ସଂସ୍କୃତି ନେଇ ଭାରି ବିଚାର ଚାଲିଚି, ଜାତୀୟ ଶିଳ୍ପକୁ ଆଧୁନିକ ଧନୀର ଗ୍ରହଣୋପଯୋଗୀ କରି ବେପାର ମଧ୍ୟ ଚାଲିଚି । ବାହ୍ୟରୂପରେ ସେଠାରେ ଆଜି ସବୁ ବଢ଼ିବଢ଼ି ଚାଲିଚି, କିନ୍ତୁ ଏହି ଅତିରିକ୍ତ plethora ଯେପରି ମୂଳ ଆଦର୍ଶର ଗ୍ରହଣଦ୍ଵାରକୁ କୌଣସି ପ୍ରକାରେ ମୁଦି ନପକାଉ, ଆଖିରେ କାୟା ବଢ଼ାଇବାର ନିଶାଲାଗି ଯେପରି ଅସଲ ଦୃଷ୍ଟିଟି ନଷ୍ଟ ହୋଇ ନଯାଉ । ଯେଉଁ ମୂଳ ଉଦ୍ଦେଶ୍ୟକୁ ଭିତ୍ତି କରି ସେହି ଅପନ୍ତରା ଜାଗାରେ ଦିନେ ସାଧନାର ଆଶ୍ରମ ଗଢ଼ି ଉଠିଥିଲା, ବର୍ତ୍ତମାନ ମଧ୍ୟ ସେହି ଉଦ୍ଦେଶ୍ୟପ୍ରତି ଶ୍ରଦ୍ଧା ଆଶ୍ରମକୁ ବଳବନ୍ତ କରି ରଖିଥାଉ ।

 

୨ । ୧୧ । ୫୧

 

କାଲି ରାତିର ସନ୍ତପ୍ତ ଓ ପୀଡ଼ିତ ପ୍ରାଣ ଆଜି ସକାଳେ ପୁଣି ନୂଆ ଫୁଲଟିଏ ହୋଇ ଫୁଟିଉଠିଲା । ଆଜି ସକାଳର ଏହି ନିର୍ମଳ ଆକାଶ ଓ ଶୀତଳ ପବନ ସବୁଥିରେ ଯେପରି ମୋର ପ୍ରାଣ ମିଶିଗଲା ପରି ଲାଗୁଚି । ସକାଳ ପ୍ରାର୍ଥନାର ମନ୍ତ୍ରଗୁଡ଼ିକ ଉଚ୍ଚାରଣ କଲାବେଳକୁ ଭିତରେ ଯେପରି କେଉଁ ଶିଶିରସିକ୍ତ ନୂଆ ଫୁଲର ପାଖୁଡ଼ାଗୁଡ଼ିକ କମ୍ପୁ କମ୍ପୁ ଉଠୁଚି । ମୁଁ ଏହାହିଁ ଚାହେଁ ! କ୍ଷତିକୁ ମୋର ଭୟନାହିଁ, ଅପବ୍ୟୟରେ ମୋର ଗ୍ଲାନି ନାହିଁ । ସକଳ କ୍ଷୟ ଓ ଅପବ୍ୟୟକୁ ଭୁଲି ପ୍ରତ୍ୟେକ ଦିନର ଏହି ଆରମ୍ଭ ଉତ୍ସବରେ ମୋର ପ୍ରାଣ ମଧ୍ୟ ନୂତନ ସ୍ତବକରେ ବିକଶି ଉଠୁ, ମୋର ଜୀବନ ନୂତନ ଜନ୍ମରେ ପବିତ୍ର ହୋଇଯାଉ ! ପ୍ରତିଦିନ ରାତିର ଶେଷପ୍ରାର୍ଥନାରେ ଆପଣାକୁ ଯାହାରି ହାତରେ ସମର୍ପଣ କରିଦେଇ ମୁଁ ଦିନଟିକୁ ଶେଷ କରିଥିଲି, ଯେପରି ପ୍ରତିଦିନ ସକାଳେ ମଧ୍ୟ ମୁଁ ତାହାରି ହାତରେ ଧନ ହୋଇ ଜାଗରିତ ହୋଇଉଠେ,—ଠିକ୍ ପୁରୁଣା ଧୂଳି ଉପରେ ନୂଆ ଶିଶିର-ବିନ୍ଦୁଟି ପରି, ପୁରୁଣା ପତ୍ରଗହଳରେ ନୂଆ ଫୁଲଟିଏ ପରି ।

 

ଏଡ଼େ ବଡ଼ ଗୋଟାଏ ସହରରେ ମନକୁ ବିସ୍ତାରି ରହିପାରିବାରେ କୌଣସି ସହଜ ବାଟ ନାହିଁ । ଶାନ୍ତିନିକେତନର ସେହି ସକାଳ ପ୍ରାନ୍ତରେ, ଫୁଲ ଓ ସୂର୍ଯ୍ୟୋଦୟ ମୋ’ ଜୀବନରେ ଯେପରି ବନ୍ଧୁ ହୋଇ ରହିଥିଲା, ଉଚିତ ବେଳରେ ଓ ଉଚିତ ଅନୁପ୍ରେରଣାରେ ମୋର ସବୁ ଆଳସ୍ୟ ଓ ବାର୍ଦ୍ଧକ୍ୟକୁ ଭାଙ୍ଗି ଦେଇ ପାରୁଥିଲା । ଏହି ଅତ୍ୟୁଚ୍ଚ ଅଟ୍ଟାଳିକାର ଚାରିକାନ୍ଥ ଭିତରେ ମନ ଯେପରି କେବଳ ତଳମୁହାଁ ହୋଇ ରହୁଚି, ଯେତେଯାହା ପାଇଲେ ମଧ୍ୟ ସିଏ ସତେଅବା କେଉଁ କାଙ୍ଗାଳର ଅପରିତୃପ୍ତ ଲାଳସାରେ ସବୁବେଳେ ଉତପ୍ତ ହୋଇ ରହୁଚି, ଗ୍ରହଣ କରି କୃତଜ୍ଞତା ଜଣାଇବା ଆଗରୁ ଆହୁରି କେତେ କେତେ ଲୋଭରେ ଦଉଡ଼ି ତାକୁ କୁଆଡ଼େ ଟାଣି ନେଇଯାଉଚି ।

 

୩ । ୧୧ । ୫୧

 

ଆଗରୁ କେତେକଣ ଲେଖିବି ବୋଲି ଭାବିଥିଲି, ବର୍ତ୍ତମାନ ଲେଖିଲାବେଳକୁ କିଛି ମନେପଡ଼ୁନାହିଁ । ସେଥିପାଇଁ ଅଳସୁଆ ମନଟା ଭାବିବାର ବାହାନା କରି ନଖ କାମୁଡ଼ି ସମୟ ଚୋରି କରି ନେବାକୁ ଚେଷ୍ଟା କରୁଚି । ଭାରି ମଜାଲାଗେ, ଅଳସ ମନର ଏହି ଦୌରାତ୍ମ୍ୟ କଥା ଭାବିଲାବେଳକୁ । କେଡ଼େ ସହଜରେ ମନର ସବୁ ବ୍ୟସ୍ତତାକୁ ଭୁଲାଇଦେଇ ସେ କୌଣସି ଏକ ମିଛ ବ୍ୟସ୍ତତାରେ ତତ୍ପର ହୋଇପଡ଼େ, ସେଇଥିରେ ଭୁଲି ରହିବାର ଗୋଟାଏ ପ୍ରକାର ସୁଖ ମଧ୍ୟ ପାଏ । ପଛରେ ଏହିସବୁ କଥା ଭାବିଲାବେଳକୁ ମୁଁ ଆଉ ଆପଣା ଉପରେ ରାଗି ପାରେନାହିଁ, ସମୟ ନଷ୍ଟ ହୋଇଗଲା ବୋଲି ମୁଁ ପଶ୍ଚାତ୍ତାପ କରି ପାରେନାହିଁ, କିନ୍ତୁ ମନକୁ ମନ ଆପଣାକୁ ଥଟ୍ଟା କରିବାକୁ ଇଚ୍ଛାହୁଏ ।

 

ମନଟା ଧରି ରଖିବାକୁ ଏଠି କାହିଁକି ଏପରି ରୀତିମତ ସଂଗ୍ରାମ କରିବାକୁ ପଡ଼ୁଚି, ଆପଣାର ସମୟ ଓ ଆବଶ୍ୟକତା ଅନୁସାରେ ମନକୁ ବସାଇ ପ୍ରସ୍ତୁତ କରିବାକୁ କାହିଁକି ଏତେ ପରିଶ୍ରମ ଲୋଡ଼ା ହେଉଚି ? ଏଠି ମୁଁ ଏତେକଥା ଦେଖୁଚି, ସାରା ପୃଥିବୀରେ କେତେକଥା ଶୁଣୁଚି, କେତେ ପ୍ରକାର ଖବର ଜାଣିବାକୁ ପାଉଚି, ମଣିଷ ଗଢ଼ା କେତେକେତେ ସମସ୍ୟା ବିଷୟରେ ମୋର ପ୍ରତିଦିନର ଜ୍ଞାନ ବଢ଼ିବଢ଼ି ଚାଲିଚି । ଅଥଚ କଥାରେ, କାର୍ଯ୍ୟରେ ଓ ଜୀବନ ପ୍ରଣାଳୀରେ ଆପେ ଆପଣାକୁ ପ୍ରକାଶିତ କରିବା ଏଠାରେ ସହଜ ହୋଇ ପାରୁନାହିଁ କାହିଁକି ? କାହିଁକି ମୁଁ ଏଠି ସମୟ ଜାଣି ଆପଣାକୁ ଫୁଟାଇ ପାରୁନାହିଁ ? ଆପଣାର ସମଗ୍ର ଜୀବନଟିକୁ ମୁଁ କାହିଁକି ଆପଣାର ଚିତ୍ତଦର୍ପଣରେ ଦେଖି ପାରୁନାହିଁ ? ଦେଖିବାରେ ନିତ୍ୟତତ୍ପର ଉତ୍ତେଜନାରେ ଦେଖିବାର ମନ ଯେପରି ନିଜର ସମସ୍ତ ଦେଖିବା ଶକ୍ତିକୁ ହରାଇ ବସୁଚି, ଦ୍ରଷ୍ଟା ଆପଣାର ଦୃଷ୍ଟି କ୍ଷେତ୍ର ମଧ୍ୟରେ ହଜିଯାଉଚି । ଜାଣେନା, କିପରି ମୁଁ ଏହି ହଜିଯିବାର ସନ୍ତାପରୁ ଆପଣାକୁ ବଞ୍ଚାଇ ଧରି ରଖିପାରିବି, ମୋର ଦେଖିବା ରୀତି ଆଗପରି ପୁଣି କେବେ ସହଜ ହୋଇପାରିବ !

 

୪ । ୧୧ । ୫୧

 

ସେହି ରାତି ପ୍ରହରରୁ ବରଷା ଲାଗି ରହିଚି ! ରବିବାର ସକାଳଟା ବରଷାପାଗ ହେଲାବୋଲି ଆଜି ହୁଏତ ଅନେକଙ୍କର ମନ ଶୁଖି ଯାଇଥିବ । କିନ୍ତୁ ବରଷାର ଯେ ଏକ ମଧୁର ଓ ଗମ୍ଭୀର ପ୍ରାଣରୂପ ରହିଚି, ତାହା କଦାପି ଅସ୍ଵୀକାର କରି ହେବାନାହିଁ । ଚାରିପାଖରେ ବଡ଼ବଡ଼ କୋଠାଘେରା ଏହି ସହରର ଛୋଟିଆ ଆକାଶ, ଆଖି ଆଗର ଅପ୍ରଶସ୍ତ ପୃଥିବୀ,—ହୁଏତ ଏଠି ବରଷାର ପ୍ରାଣକୁ ପରିପୂର୍ଣ୍ଣ କରି ଗ୍ରହଣ କରିପାରିବାର ସୁଯୋଗ ହିଁ ମିଳେ ନାହିଁ । ସେଥିଲାଗି ପ୍ରକୃତିର ସବୁ ଆଡ଼ମ୍ବର ଅପେକ୍ଷା ଏଠି ରାସ୍ତାର ପାଣିକାଦୁଆ ଉପରେ ଆଗ ଆଖି ପଡ଼ିଯାଏ । ଶାନ୍ତିନିକେତନରେ ଏହି ବରଷା ମତେ କେତେ ଆନନ୍ଦ ଦେଉଥିଲା ! କଳା ମେଘ, ବିଜୁଳି ଓ ଘଡ଼ଘଡ଼ିର ଆୟୋଜନ କରି ଯେତେବେଳେ ଘୋର ବରଷାର ଗର୍ଜ୍ଜନ ମାଡ଼ି ଆସୁଥିଲା, ସେତେବେଳେ ଗଛର ଡାଳପତର ପରି ପ୍ରାଣଭିତରେ ଯେପରି ସମସ୍ତ, ତନ୍ତୁବିତନ୍ତୁ ମଧ୍ୟ କେଉଁ ବେଗର ଉତ୍ତେଜନାରେ ଫୁଲି ଉଠୁଥିଲା ! ବିସ୍ତୃତ ଆକାଶ ଓ ବିସ୍ତୃତ ପ୍ରାନ୍ତର ଭିତରେ ମୁଁ କେତେଥର ଯେ ବରଷା ଭିତରେ ବାହାରି ଯାଇଚି, କେତେଥର ବରଷାରେ ତିନ୍ତି ବୁଡ଼ି, ଗୀତ ଗାଇ ମାଟି-କାଦୁଅ ହୋଇ ଘରକୁ ଫେରିଚି, ଏପର୍ଯ୍ୟନ୍ତ ବି ତାହା ମନରୁ ଯାଇନାହିଁ । ବୟସର ସମସ୍ତ ବାଡ଼ ଭାଙ୍ଗି ଅତି ପିଲାଟିପରି ସେହି ପାଣି ଆଉ ପବନର ବନ୍ୟାରେ ପାଣି ଆଉ ପବନ ହୋଇ ମିଶିଯିବାରେ ଯେ କି ଆନନ୍ଦ, କି ପରିତୃପ୍ତି, କେବଳ ଅନୁଭବି ହିଁ ତାହା କହିପାରିବ ।

 

ଏଠି ପିଲା ହେବାର, ନିଜର ସମସ୍ତ ପରିପାର୍ଶ୍ଵ ଓ ସମସ୍ତ ସ୍ଥିତିକୁ ପଛରେ ପକାଇ କେବଳ ଆବେଗ ଓ କେବଳ ଆନନ୍ଦର ଗୋଟିଏ କଞ୍ଚା ପିତୁଳା ପରି ଯେକୌଣସି କ୍ଷେତ୍ରର ମର୍ମ ପ୍ରବେଶ କରି ପାରିବାର କୌଣସି ପରିସର ନାହିଁ । ଏଠାକାର ଜୀବନମାନ ହେଉଚି କେବଳ Discipline, ଏଠି ଆବଶ୍ୟକତା ନଥାଇ ହସିଲେ ଅନ୍ୟ ଆଖିକୁ ସେଇଟା ଯେପରି ଅସ୍ଵାଭାବିକ ପରି ଦେଖାଯାଏ, ଜଣାଶୁଣା ଛାଞ୍ଚରେ କଥା ନକହିଲେ ଓ ଭାବଭଙ୍ଗୀ ନଦେଖାଇଲେ କେତେ ମଣିଷ ଯେପରି ଅବାକ୍ ଅଥଚ କୁଟିଳ ମୁଖାକୃତି କରିପକାନ୍ତି ।

 

୫ । ୧୧ । ୫୧

 

ଆଜି ଅତି ବ୍ୟାକୁଳ ହୋଇ ମୁଁ ବାରବାର ପ୍ରାର୍ଥନା କରିବି, ହେ ମୋର ଜୀବନର ବିଧାତା, ମୋତେ ବାର୍ଦ୍ଧକ୍ୟରୁ ବଞ୍ଚାଅ । ମୁଁ ଯାବତୀୟ କ୍ଷତି ସହିବାକୁ ପ୍ରସ୍ତୁତ ଅଛି, ଯାବତୀୟ ଗ୍ଳାନିରେ ଦଗ୍‍ଧ ହୋଇ ରହିବାକୁ ପ୍ରସ୍ତୁତ ଅଛି, କିନ୍ତୁ ଆପଣା ମନରେ ଆପେ ବୁଢ଼ା ହୋଇ ସ୍ଵୀକୃତ ସଂସାର ଭିତରେ ଚୁପ୍ ହୋଇଯିବାକୁ ମୁଁ ସବୁଠାରୁ ଅଧିକ ଭୟ କରେ । ପ୍ରତ୍ୟେକଦିନ ସକାଳେ ସମସ୍ତ କ୍ଷତି ଓ ଗ୍ଳାନିର ଦାଗ ନିଭାଇ ଦେଇ ମୁଁ ନୂଆ ଦୃଷ୍ଟିରେ ମୋର ଭବନ ଓ ଭୁବନକୁ ଦେଖୁଥାଏ, ଅନ୍ତର ଭିତରେ ଓ ବାହାରେ ମୁଁ ପ୍ରତ୍ୟେକଦିନ ନବନବ ସୃଷ୍ଟି କରି ଚାଲିଥାଏ, ଆଜି ତୁମେ ମୋତେ ଏହି ନିତ୍ୟରଚନାର କୈଶୋରରେ ଶକ୍ତିମୟ ଓ ସରସ କରି ରଖ । ଆଜି ଜଗତରେ ମଣିଷର ଭିତରେ ଓ ବାହାରେ ଏତେ ଏତେ ସମସ୍ୟାର ଜଟିଳତା,–ସ୍ଵୀକୃତ ସଂସାରର ଶାସନ ହୁଏତ ପ୍ରତ୍ୟେକ ମୁହୂର୍ତ୍ତରେ ସବୁ ମଣିଷର ମନକୁ ବାଧ୍ୟ କରୁଚି କେବଳ ତାହାରି ସମର୍ଥିତ ପଥଉପରେ ବିନା ଦ୍ଵନ୍ଦରେ ଚାଲିଯିବାକୁ, ହଜାରଜଣଙ୍କ ସହିତ ଆପଣାକୁ କେବଳ ଜଣେ କରିଦେଇ ହଜିଯିବାକୁ । ଏହି ଶାସନର ଯୁଗରେ ରଚନାତ୍ମକ ଜୀବନର କ୍ଷେତ୍ର ଆଦୌ ପ୍ରଶସ୍ତ ନୁହେଁ, ଆପଣାର ବିବେକକୁ ଏଠି ସମାଜର ସ୍ଵୀକୃତ ବିବେକର phantasy ପାଖରେ ସମର୍ପଣ କରିଦେଇଥିବା ମଣିଷର ପଲ ଅତି ପ୍ରବଳ । ତୁମେ ମୋତେ ଖାଲି ଆପଣାର ସରସତା ଓ ସହଜତା ଦିଅ, କେବଳ ତୁମରି ଆଶୀର୍ବାଦରେ ମୁଁ ନବନବ ରଚନା କରିଯାଏ, ଖାଲି ତୁମରି ହାତର ଇଙ୍ଗିତରେ ମୁଁ ନୂଆନୂଆ ଜୀବନର ବିଚିତ୍ର ଅନୁଭୂତିରେ ସମୃଦ୍ଧ ହୋଇ ଚାଲିଯାଏ । ଖାଲି ଖାଇବା, ପିନ୍ଧିବା ଓ ସମ୍ଭୋଗସଭାରେ ମଜ୍ଜି ରହିବା ଜୀବନ ବଞ୍ଚିବାର ତୃଷାକୁ ପରିତୃପ୍ତ କରିପାରିବ ନାହିଁ । ଆପଣାର ସଂବର୍ଦ୍ଧମାନ ମନଦ୍ଵାରା ନୂଆନୂଆ ରଚନା କରି ହିଁ ମଣିଷର ଦୈନଦିନ ଜୀବନ ସାର୍ଥକ ହୋଇ ଯାଉଥିବ ।

 

୬ । ୧୧ । ୫୧

 

ଖାଲି ବହି ପଢ଼ି, ଖାଲି ଅଧିକରୁ ଅଧିକ କଥା ଜାଣିବାକୁ ପାଇ ଯଦି ଏ ମନର ପିପାସା ମେଣ୍ଟି ଯାଉଥାନ୍ତା ! କେତେପ୍ରକାର ଶୃଙ୍ଖଳାର ସାହାଯ୍ୟ ନେଇ ଦିନମାନ ମନକୁ କେତେ ମୋଟା ବହି ପାଖରେ ନେଇ ବସାଉଚି, ବହିରେ ମୋତେ ଭଲଲାଗୁଥିବା କଥାଗୁଡ଼ାକୁ ମୁଁ କେତେ ଉତ୍ସାହରେ ଆପଣା ଖାତାରେ ଲେଖି ସାଇତି ରଖୁଚି, କିନ୍ତୁ ଏତେ ବହି ପଢ଼ିବାପରେ ବି ମୁଁ ଯୋଉ ଖାଲିକୁ ସେଇ ଖାଲି,–ଯେପରି ଯୁଗଯୁଗ ହେଲା ସେଠି କାହାରି ହାତ ବାଜି ନାହିଁ, ଆପଣାର ଏହି ଦୁର୍ଦ୍ଦଶାଠାରୁ ଆଉ ଅଧିକ କଷ୍ଟଦାୟକ କଣ ହୋଇପାରେ ? ବାହାରେ କେତେ କାମରେ ମୁଁ ଆପଣାକୁ ବ୍ୟାପୃତ କରି ରଖୁଚି, ଅଥଚ ଭିତରେ କୌଣସି ଗୋଟିଏ କାମ ବି ମୋତେ ପୂର୍ଣ୍ଣ କରି ପାରୁନାହିଁ । ଏଠିକାର ବ୍ୟସ୍ତ ମଣିଷକୁ ଆପଣାର କରିବା ମଧ୍ୟ ଆଜିଯାଏ ସମ୍ଭବ ହେଲାନାହିଁ । କେବଳ ଦରକାର ସମୟରେ ଥରେ ସାକ୍ଷାତ ହୋଇ ତା’ପରେ ମାସମାସ ଧରି କିଏ କୁଆଡ଼େ ଆପଣା କାମରେ ଯେ ହଜିଯାଉଚନ୍ତି, ତା’ର ପତ୍ତା ବି ମିଳୁନାହିଁ । ଏଠି ମଣିଷର ସ୍ନେହ ଓ ଶ୍ରଦ୍ଧା ଲାଗି କାଙ୍ଗାଳ ହୋଇ ବାହାରିଥିବା, ମୁଁ ଖାଲି ସନ୍ତପ୍ତ ହୋଇରହୁଚି । ସେଇମାନଙ୍କ ପରି ହୁଏତ ଉପରେ ଉପରେ ଗୁଡ଼ାଏ କଥା କହି ମାତ୍ର କ୍ଷଣକରେ ସାନିଧ୍ୟକୁ ପରିତୋଷକାରୀ ନାନା ଉପକରଣ ଦ୍ଵାରା ଉପଭୋଗ କରି ମୁଁ ମଧ୍ୟ ସମସ୍ତଙ୍କୁ ଭୁଲିଯାଉଥାନ୍ତି, ନୂଆନୂଆ ମଣିଷ ସହିତ ବେଶ୍ ନିତିଦିନ ଦେଖା ହେଉଥାନ୍ତା ! ମାତ୍ର ମୋ’ ଦ୍ଵାରା ତାହା ସମ୍ଭବ ହେଉ ନାହିଁ । ମୁଁ ମଣିଷର ଆହୁରି ଗଭୀରକୁ ଯିବାକୁ ଚାହେଁ, ଆପଣାର ମୁକ୍ତ ଦୁଆର ବାଟେ ମୁଁ ତାକୁ ଆହୁରି ନିକଟକୁ ଆଣିବାକୁ ଚାହେଁ, ଆପଣା ସ୍ନେହଶ୍ରଦ୍ଧାର ସହିତ ପାତ୍ରଟି ଧରି ଯେଉଁଠି ସିଏ ତା’ର ଶ୍ରେଷ୍ଠ ଭୂଷଣ ପିନ୍ଧି ବସିଚି, ସେଇଠି ମୁଁ ନିଜର ସବୁ ମୋର ସମର୍ପଣ କରିଦେବାକୁ ଚାହେଁ ଓ ତାହାହିଁ କରି ଆପଣାର ଗ୍ରହଣ ପାତ୍ରଟିକୁ ପୂର୍ଣ୍ଣ କରିନେବାକୁ ଚାହେଁ ।

 

୭ । ୧୧ । ୫୧

 

ଗ୍ରୀଷ୍ମ ସରି ଶୀତ ମାଡ଼ି ଆସୁଚି । ଏଠି ଗ୍ରୀଷ୍ମକୁ ଗ୍ରୀଷ୍ମ ବୋଲି ନକହି ବସନ୍ତ ବୋଲି କହିବା ଉଚିତ । କେତେ ଫୁଲ ଓ କେତେ ପତରରେ ଏହି ଦେଶର ପ୍ରକୃତି ଗତ ଛଅମାସ ହେଲା ଯେପରି ମଣ୍ଡିତ ରହିଥିଲା ! ଏଇ ସାତଦିନ ହେଲା ପତରଝଡ଼ା ଆରମ୍ଭ ହୋଇଗଲାଣି । ଝରି ପଡ଼ିଥିବା ପାଚିଲା ପତରରେ ପାର୍କ ଓ ରାସ୍ତାଘାଟ ସବୁ ପୂରିଚି । ଆଉ ପନ୍ଦରଟା ଦିନରେ ହୁଏତ ଗଛରେ ଗୋଟିଏ ହେଲେ ପତର ନଥିବ । କାଲିଠାରୁ କାଲୁଆ ଶୀତପବନ ହୁ’ ହୁ’ ହୋଇ ବହିବାକୁ ଆରମ୍ଭ କଲାଣି ।

 

ଭାରତବର୍ଷରେ ଋତୁର ପରିବର୍ତ୍ତନଗୁଡ଼ିକୁ ସ୍ପଷ୍ଟଭାବରେ ଧରିହୁଏ ନାହିଁ । ଭାରି ଧୀର ଓ ମନ୍ଥର ଗତିରେ ସେଠି ଶୀତ ବସନ୍ତକୁ ଓ ଗ୍ରୀଷ୍ମ ବର୍ଷାଋତୁ ହୋଇ ବଦଳେ । ଗୋଟିଏ ଗଛରେ ପତରଝଡ଼ା ଶେଷ ନହେଉଣୁ ହୁଏତ ନୂଆ ପତରର ପଲ୍ଲବ ବି ଦେଖାଦିଏ । କିନ୍ତୁ ଏଠାରେ ପ୍ରକୃତିର ପରିବର୍ତ୍ତନ ବଡ଼ ହଠାତ୍, ବଡ଼ ସ୍ପଷ୍ଟ । ମୋର ଠିକ୍ ମନେ ଅଛି, ଗତ ଏପ୍ରିଲ ମାସରେ ଦିନ ସତଟା ଭିତରେ କିପରି ଏ ଦେଶର ସବୁ ଗଛ ଫୁଲ ଓ ପତରରେ ପୂରି ଉଠିଲା । ମନେହେଲା, ସିଏ ଯେପରି ଆଉଗୋଟାଏ ଦେଶ, ଆଉଗୋଟାଏ ଉଦ୍ୟାନ ! ପ୍ରକୃତି ବଦଳିବା ପରି ଏଠିକାର ମଣିଷ ମନ ମଧ୍ୟ ନୂଆ ପ୍ରକୃତିର ସ୍ପର୍ଶ ପାଇଁ ଉଲ୍ଲସିତ ହୋଇ ଉଠିଲା । ଛଅମାସରୁ ଶୋଇରହିଥିବା ପ୍ରାଣ ଯେପରି ଏକାବେଳକେ ସହସ୍ର ଆବେଗର ନିର୍ଝରରେ ଉତ୍ସରି ଉଠିଲା । ମନର ଆନନ୍ଦ ନାନା ବାଟରେ ନାନା କ୍ଷେତ୍ର ଓ ନାନା ପ୍ରସଙ୍ଗ ମଧ୍ୟ ଦେଇ ପ୍ରକାଶର ପଥ ଖୋଜି ବୁଲିଲା !

 

ବର୍ତ୍ତମାନ ସେହିପରି ଗୋଟିଏ ପରିବର୍ତ୍ତନର ବେଳ ! ଆଉ ଅଳ୍ପଦିନପରେ ମୋଟା ପୋଷାକ ବାହାରିବ, ପରେ ଘରେ ଉତ୍ତାପ ଯୋଗାଇବାର ବ୍ୟବସ୍ଥା ହେବ, ସହରର ଅନେକ ବିନୋଦନ ବି ବନ୍ଦ ହୋଇଯିବ । ରବିବାର ବା ଛୁଟିଦିନମାନଙ୍କରେ ସମୁଦ୍ରକୂଳରେ ଆଉ ମଣିଷଙ୍କର ଭିଡ଼ ଜମିବନାହିଁ । ସମସ୍ତେ ଛଅମାସ ସକାଶେ ଚୁପ୍ ହୋଇଯିବେ, ଏହି ବରଫ ଓ ଶୀତ ଭିତର ଦେଇ ସେମାନେ ଏପ୍ରିଲ ଓ ମେ’ ମାସର ଫୁଲାଫୁଟା ଲାଗି ପୁଣି ଅପେକ୍ଷା କରି ରହିବେ ।

 

୮ ୧୧ ୫୧

 

ମୁଁ କେତେ ପଡ଼ୁଚି, କେତେ ଝୁଣ୍ଟୁଚି; ତଥାପି ଧାଇଁବାର ଏହି ପ୍ରବଳ ପିପାସା ମୋତେ କିଏ ଦେଇଚି କେଜାଣି ? କେତେଥର କେତେ ପ୍ରକାର ମୋହରେ ପଡ଼ି ବାଟ ହଜିଗଲେ ହଠାତ୍ ଯେପରି ଭିତରୁ ଧକ୍‌କା ଦେଲାପରି କିଏ ଆସି ମୋ’ ଶତ୍ରୁର ପଥିକକୁ ସତର୍କ କରିଦେଇ ଯାଉଚି । ଏହି ସତର୍କବାଣୀର ଆଶୀର୍ବାଦ ନେଇ ମୋର ଜୀବନ ପ୍ରତ୍ୟହ ସତେଅବା ନୂଆକରି ଆରମ୍ଭ ହୋଇଚି । ମୁଁ ଯେପରି ପ୍ରତ୍ୟହ ମୋର ବିଗତ ଦିନଗୁଡ଼ିକର ସମସ୍ତ ଗ୍ଳାନି ଓ ଗୌରବକୁ ଛୋଟିଆ ଡଙ୍ଗାଟିଏ କରି ସକାଳୁ କେଉଁ ନୂଆ ବାଟୋଇର ପୂରାପ୍ରାଣ ଉତ୍ସାହରେ ପାଲ ମେଲି ପୁଣି ବାହାରି ପଡ଼ୁଚି । ଆପଣାର ସବୁ କ୍ଷତି ଓ ସବୁ ଅପମାନରେ ଜର୍ଜରିତ ମନ ଯେପରି ଏହି ନୂଆ ଯାତ୍ରାର ଆହ୍ଵାନରେ ପୁଣି ନୂଆହୋଇ ବାହାରୁଚି, ପୁଣି ନୂଆ ହୋଇ ଆପଣା ଲକ୍ଷ୍ୟ ଓ ଆପଣା ବାଟକୁ ଠିକ୍ କରିନେଉଚି । ସବୁ ପୁରୁଣାର ଉଦାସୀନତା ଯେପରି ଗୋଟାଏ ମୁହୂର୍ତ୍ତରେ କୁଆଡ଼େ ଅନ୍ତର୍ହିତ ହୋଇଯାଉଚି । ଭିତରେ ଥାଇ କିଏ ବାରବାର କହି ଉଠୁଛି, ମୁଁ ଏପର୍ଯ୍ୟନ୍ତ ବଞ୍ଚିଚି; ସହସ୍ର ମୋହ ଏବଂ ସହସ୍ର ମଳିନତାର ଇତିହାସ ସତ୍ତ୍ୱେ ଏହି ବଞ୍ଚିବା ଓ ଏହି ବାଟ ଚାଲିଯିବା ହେଉଚି ଜୀବନର ସବୁଠାରୁ ଅଧିକ ସ୍ଵାଭାବିକ ଧର୍ମ । ତେଣୁ ସବୁ ମଳିନ ଚିନ୍ତାକୁ ପଛରେ ପକାଇ ଆଜି ଖାଲି ଯିବାକୁ ହିଁ ହେବ ।

 

ସାରା ଜୀବନଟା କ’ଣ ଏହିପରି ଗୋଟାଏ preparation, କେବଳ ଧାଇଁବାର ଅଦମ୍ୟ ପ୍ରେରଣାକୁ ପୁଞ୍ଜି କରି ଆଗକୁ ଆଗକୁ ବାଟ କଟାଇବାର ଅହରହ ଯାତ୍ରା ? ପ୍ରତିଦିନ ହୁଏତ ଏଇ ଜୀବନର କେତେ ସ୍ଵପ୍ନ ଓ କେତେ ଲକ୍ଷ୍ୟ ଭାଙ୍ଗି ଭାଙ୍ଗି ଯାଉଚି, ନାନାବିଧ ଅଶକ୍ତତା ସକାଶେ କେତେ ନୀଡ଼ରଚନା ଅଧା ହୋଇ ପଡ଼ିରହୁଚି, ତଥାପି ବାଟ ଚାଲିବା ବନ୍ଦ ହେଉନାହଁ, ତଥାପି ପ୍ରତ୍ୟେକ ଦିନର ନୂତନ ପଥିକ-ବାଳକ ଲାଗି ସ୍ଵପ୍ନ ବା ଲକ୍ଷ୍ୟର ଅଭାବ ହେଉନାହଁ । ଆଜି ସକାଳେ ଚିତ୍ତର ଏହି ସତତ ବର୍ଦ୍ଧମାନ ଓ ଚଳମାନ ଦେବତା ପାଖରେ ମୁଁ କୃତଜ୍ଞତାରେ ନତ ହୋଇପଡ଼ୁଚି ! ପୁରୁଣା କ୍ଷତି ଲାଭର ବିଚାର କରି ସେ ଯଦି ଜୀବନର ବିଚାର କରୁଥାଆନ୍ତା, ତେବେ ମୁଁ କୋଉଦିନୁ ପଛରେ ପଡ଼ି ହଜିଯାଇ ସାରନ୍ତିଣି ।

 

୯ । ୧୧ । ୫୧

 

ରୁଷିଆ ଆଉ ଆମେରିକା ଦୁଇପାଖରୁ ଦୁଇଟା ଶାନ୍ତି ପ୍ରସ୍ତାବ ଆଜି ଖବରକାଗଜରେ ବାହାରିଚି । ଉପରୁ ଦେଖିଲେ ହଠାତ୍ ମନେ ହେଉଚି ଯେପରି ଦୁହେଁ ଦୁଇ ରକମର ଶାନ୍ତି ଚାହାନ୍ତି-! ଦୁଇଟା ନାମରେ ଆପଣାର ଯାବତୀୟ କାର୍ଯ୍ୟକଳାପକୁ ଚିହ୍ନାଇ ଦେଉଥିଲେ ହେଁ ମନୋବୈଜ୍ଞାନିକ ଦୃଷ୍ଟିରୁ ସେମାନଙ୍କର ମତଲବ ଯେ ଏକ, ଯେ କୌଣସି ନିରପେକ୍ଷ ବିଚାର କେବଳ ତାହାହିଁ କହିବ । ଅବଶ୍ୟ ଅର୍ଥ ବା ଅନ୍ୟ କୌଣସି ଦୃଷ୍ଟିରୁ ଗୋଟାଏ ପକ୍ଷକୁ ଆପଣାର ବିବେଚନା ଶକ୍ତି ବିକି ଦେଇଥିଲେ ବିଚାର ଟିକିଏ ଭିନ୍ନ ହେବ । ଗତ ମାସରେ ଆନ୍ତର୍ଜାତିକ ସମବାୟ କଂଗ୍ରେସରେ ମୁଁ ବିଚାର ବିକାଇବାର ଏହି ତାମସା ଦେଖି ଆସିଲି । କଂଗ୍ରେସର ସଭ୍ୟମାନେ ଦୁଇଦଳରେ ବିଭକ୍ତ ହୋଇ ପରସ୍ପର ସହିତ ଅସହଯୋଗ କରିବା ଛଡ଼ା ସେଠାରେ ମୁଁ ସହଯୋଗ ଆନ୍ଦୋଳନର ଆଉ କିଛିହେଲେ ଦେଖିବାକୁ ପାଇଲି ନାହିଁ । ଏପରିକି ଏକ ପକ୍ଷରୁ କେହିଜଣେ ଭାଷଣ ଶେଷ କଲାବେଳେ ଅପର ପକ୍ଷରୁ ଭଦ୍ରତାସୂଚକ ତାଳି ମଧ୍ୟ ବାଜୁନଥିଲା-। ରାଜନୀତି ଉପରେ ଏକ ନୂତନ ଜୀବନଦର୍ଶନର ବିଦ୍ରୋହ ଘୋଷଣା କରି ଦିନେ ସମବାୟ ନୀତି ଜନ୍ମଲାଭ କରିଥିଲା । ଆଜି ରାଜନୀତି ହିଁ ତାର ସକଳ ସ୍ୱାଧୀନତାକୁ ଆତ୍ମସାତ୍ କରିବାକୁ ଯାଉଚି-। ରାଜନୀତି ହିଁ ଆଜି ବିଚାରର ସର୍ବପ୍ରଧାନ ମାନଦଣ୍ଡ ହୋଇଚି ।

 

ଉପରେ ଶାନ୍ତି ପ୍ରସ୍ତାବ ପେଶ୍ ହେଉଥିବା ସଙ୍ଗେସଙ୍ଗେ ଭିତରେ ଯୁଦ୍ଧର ଆୟୋଜନ ଚାଲିଚି । କମାଣ, ସୈନ୍ୟସାମନ୍ତ ଓ ବୋମାର ସଂଖ୍ୟା ବଢ଼ୁଥିବା ସଙ୍ଗେସଙ୍ଗେ ମଣିଷ ଭିତରେ ମଧ୍ୟ ଘୃଣା ଓ ଦ୍ଵେଷ ବଢ଼ାଇବାଲାଗି ପ୍ରବଳ ପ୍ରଚାର କରାଯାଉଚି । ଏହି mass psychologyର ଯୁଗରେ ରାଜନୀତିର ମତଲବଗୁଡ଼ାକ ସିଦ୍ଧ ହେବା ଭାରି ସହଜ ହୋଇଯାଉଚି । ପରିବାର, ଧର୍ମ ଏବଂ ଆପଣା ବ୍ୟକ୍ତିତ୍ଵ ଓ ବିଚାରର ସବୁ Security ବା ନିର୍ଭର କ୍ରମେ ଭାଙ୍ଗି ପଡ଼ିଲାଣି । କେବଳ ଜାତି, ଦେଶ, pact ଓ ଯୁଦ୍ଧର Security ଦିନକୁଦିନ ଅଧିକରୁ ଅଧିକ ସମର୍ଥନ ପାଉଚି । ସେଥିପାଇଁ ବ୍ୟକ୍ତି ବଦଳରେ mass ହିଁ ସମାଜର ଏକକ ହୋଇ ଠିଆହେଲାଣି ।

 

୧୦ । ୧୧ । ୫୧

 

କେତେକେତେ ଦିନର ସଞ୍ଚିତ ବେଦନା ଆଜି ସକାଳୁ ଯେପରି ମୋର ସମସ୍ତ ଚେତନାକୁ ଆବୋରି, ରହିଚି, ଆଜି ସକାଳର ଠିକ୍ ଏଇ ମେଘଗୁରୁ ଆକାଶ ପରି ! ବେଦନାର କାରଣ ଅନେକ,—ଅନେକ କ୍ଷତି ଓ ଅନେକ ଅପସଞ୍ଚୟର ଗ୍ଳାନି ଆଜି ସତେଯେପରି କେବଳ ଏକ ବେଦନାରୂପ ପ୍ରାର୍ଥନାରେ କାହା ଉଦ୍ଦେଶ୍ୟରେ ଉତ୍ତୋଳିତ ହୋଇ ଉଠୁଚି । ପ୍ରାର୍ଥନା ବିଷୟରେ ମୁଁ ଧର୍ମଶାସ୍ତ୍ରରେ ଅନେକ କିଛି ପଢ଼ିଚି । କନ୍ତୁ ଜୀବନରେ ମୁଁ କେବେହେଲେ ମୋର ସମସ୍ତ ଚିତ୍ତକୁ ଏକଠୁଳ କରି ସମର୍ପିଦେଇ ପ୍ରାର୍ଥନା କରି ପାରିଚି ବୋଲି ମୋର ମନେପଡ଼ୁ ନାହିଁ । ମୋର ଭକ୍ତି ପ୍ରଧାନତଃ ଆର୍ତ୍ତର ଭକ୍ତି ହୋଇ ରହିଚି, ମୋର ସମର୍ପଣ ପ୍ରଧାନତଃ କାକୁସ୍ଥର ସମର୍ପଣ ହୋଇରହିଚି । ଆପଣାର ନିଃସ୍ଵ ଓ ନିଃଶେଷିତ ମୁହୂର୍ତ୍ତଗୁଡ଼ିକରେ ମୁଁ ଭିକାରି ପରି କେବଳ ହାତ ପତାଇ ମାଗିବାକୁ ଯାଇଚି, ଅତି ଅଯୋଗ୍ୟ ଭାବରେ କରୁଣାଭିକ୍ଷା କରିଚି । ହୁଏତ ସେଇଥିଲାଗି ମୋର ବେଦନା ଏପର୍ଯ୍ୟନ୍ତ ମଧ୍ୟ ମୋର ଆଲୋକଦୀପ ହୋଇ ଜଳି ଉଠିନାହିଁ, ଚିତ୍ତର ସକଳ ଆକାଙ୍‌କ୍ଷା ଓ ଅଭିଳାଷକୁ ଏକତ୍ର କରି ତାହା ବାଜି ଉଠି ପାରିନାହିଁ । ଖାଲି ଜାଣିଲେ ବା ଖାଲି ବୁଝିଲେ କ’ଣ ହୁଏ ? ପ୍ରତ୍ୟେକ ମୁହୂର୍ତ୍ତରେ ଆପଣାର ସବୁ ମୋହକୁ ପଳପଳ କରି ପୋଡ଼ି ଅଙ୍ଗାର କରି ରଖିବାକୁ ହେବ, ତେବେଯାଇ ତାହାରି ହାତରେ ବଜ୍ରପାତବେଳେ ମୋର ସବୁକିଛି ଏକାବେଳେକେ ଜଳି ଉଠିପାରିବ । ସେହିପରି ଏକ ଅସଫଳତା ଓ ଅକିଞ୍ଚନତାର ବେଦନା ଆଜି ମୋତେ ସ୍ଥବିର ପରି କରି ରଖିଚି । ଆଜି ସକାଳର ଜୀବନ ତଟରେ ପହଞ୍ଚି ମୁଁ ଯେପରି ଆପଣାକୁ ପଚାରୁଚି ! ମୁଁ ଏତେ ପଢ଼ିଲି, ଏତେ ଜାଣିଲି, ଏତେ ପ୍ରକାରେ ଏତେ ବାଟ ଦେଇ ପ୍ରମାଣ ପାଇଲି, ତଥାପି ମୁଁ ଏପର୍ଯ୍ୟନ୍ତ ମର୍ମପ୍ରବେଶ କରି ପାରିଲି ନାହିଁ । ମୁଁ ଏପର୍ଯ୍ୟନ୍ତ ଆପଣାକୁ ପ୍ରସ୍ତୁତ କରିପାରିଲି ନାହିଁ ।

 

୧୨ । ୧୧ । ୫୧

 

ଆପଣା ଉପରେ ବିରକ୍ତ ହୋଇ ଯେପରି ମୁଁ ପ୍ରଶସ୍ତ ହେବାର ସବୁ ପଥକୁ ରୁଦ୍ଧ କରି ଦେଇଚି । ନାନାଆଡ଼େ ବୁଲିବୁଲି ମୋର କ୍ଳାନ୍ତ ମନ ଯେପରି କେଉଁ ବିଧାୟକର ପ୍ରତିଶୋଧ ନେଲାପରି ଆପଣାର ଆକୁଞ୍ଚିତ ଚେତନା ସଞ୍ଚୟକୁ ଯାବୁଡ଼ି ଧରି ବସିଛି । ଆଉ ଦେଖିବାର ଓ ଆଉ ପ୍ରବେଶ କରିବାର ଯେପରି କୌଣସି ଆଗ୍ରହ ନାହିଁ । ମୋ’ ଭିତରେ କୋଉଠି ଯେ କଅଣ ବଦଳିଚି, ମୁଁ ନିଜେ ବି ତାର ଠାବ କରି ପାରୁନାହିଁ ।

 

ଏଠି ମୋର ଦିନଗୁଡ଼ାକ ବଡ଼ ଅବିରୁଦ୍ଧ ଭାବରେ କଟିଯାଉଚି । ହଜାର ହଜାର ମଣିଷ ଦେଖି, ଏତେ କୋଠା ଓ ଯାନବାହାନର ଗହଳରେ ବିଚରଣ କରି ମୁଁ ଯେପରି ତଥାପି କାହାର ଜୀବନକୁ ସ୍ପର୍ଶ କରି ପାରୁନାହିଁ । ଏତେ ଏତେ ସଂଯୋଗର ସଂସାରରେ ଆପଣାକୁ ହଠାତ୍ ଏପରି ଏକାକୀ ମନେହୁଏ କାହିଁକି ? ଏତେ କଥା କହି, ଏତେ ପରିଚୟ ଓ ଆପ୍ୟାୟନରେ ଦିନପରେ ଦିନ ବୁହାଇ ଦେଇ ତଥାପି ଆପଣାର ଭିତରଟା ଭଙ୍ଗା ଦେଉଳର ଅମଡ଼ାପରି ମନେହୁଏ କାହିଁକି-? ଜାଣେନା, ଆଉ କେଉଁ ନାମରେ ମୁଁ ଆପଣାକୁ ପୂର୍ଣ୍ଣ କରିଦେବାର ଦେବତାକୁ ଡାକିବି; ଜାଣେନା, ଆଉ କେଉଁପ୍ରକାର ପରିଚୟ ଦାନରେ ମୁଁ ଏଠିକା ମଣିଷର ଆହୁରି ନିକଟକୁ ଆସିପାରିବି । ଆଜି ଭାରି କ୍ଳାନ୍ତ ଲାଗୁଚି । ଆଗରେ ଆହୁରି ଅନେକ ବାଟ,—ତଥାପି ବାହାରି ପଡ଼ିବାର ଓ ଯାତ୍ରା କରିବାର ସକଳ ସ୍ଵାଭାବିକ ବେଗକୁ କିଏ ଯେପରି ମୋ’ଠାରୁ ଅପହରଣ କରିନେଇଚି । ମୋ’ ଜୀବନରେ ଆଗରୁ ଅନେକ ଅବସାଦ ଆସିଚି ଅନେକ କ୍ଷତି ଓ ଅନେକ ବିରକ୍ତ ହୁଏତ ମୋର ସହଜ ଗ୍ରହଣ ସମ୍ପ୍ରଦାନର ଦ୍ଵାରଗୁଡ଼ିକୁ ବନ୍ଦ କରିଦେବାକୁ ବସିଚି । ତଥାପି ଆଗରୁ କେବେହେଲେ ନିଜକୁ ଏତେଦୂର ଦୀନ ଓ ଦୁର୍ଦ୍ଦଶାଗ୍ରସ୍ତ ମନେ ହୋଇନାହିଁ । କୌଣସି ପରିସ୍ଥିତିରେ ପଡ଼ି ମଧ୍ୟ କେଉଁ ଅଦମ୍ୟ ପିପାସାରେ ଉଦ୍ଦୀପ୍ତ ହୋଇ ଉଠିବାର ଶୁଭମୁହୂର୍ତ୍ତ ଓ ଶୁଭ ବିଶ୍ଵାସ ଜୀବନରୁ ଅପସରି ଯାଇନାହିଁ । କିନ୍ତୁ ଆଜି ହଠାତ୍ ଏ ବ୍ୟତିକ୍ରମ କାହିଁକି ?

 

ଭିତରର ଅପରିତୃପ୍ତି ଓ ଉପରର ଅକର୍ମଠତାର ସଂଘର୍ଷରେ ଆଜି ଆପଣାକୁ ଭାରି ଆହାତ ମନେହେଉଚି । ଅତି ବ୍ୟାକୁଳ ଭାବରେ ମୁଁ ଏ ଜୀବନରେ ଯାହାସବୁ ଚାହିଆସିଚି, ମୁଁ ଆଜି ସେ ସବୁକୁ ଆହୁରି ହଜାରଗୁଣ କରି ଚାହେଁ । ତଥାପି କର୍ମରଥର ସବୁ ଦଉଡ଼ି ଏପରି ହୁଗୁଳା ହୋଇ ଫିଟିପଡ଼ିଚି କାହିଁକି ?

 

୧୩ । ୧୧ । ୫୧

 

ଯେଉଁ ସବୁଠାରୁ ଦୂରରେ ରହି ମୁଁ ସେହିସବୁର ଅଭାବରେ ନିଜକୁ ମୋହଗ୍ରସ୍ତ କରି ରଖିଥିଲି, କାଲି କେତେ ମଣିଷଙ୍କର ପାଖକୁ ଆସି ମୋର ସବୁ ଅଭାବ ଦୂର ହୋଇଗଲା । ଦିନଶେଷରେ ଶୋଇବାକୁ ଗଲାବେଳେ ଦିନମାନର ସମସ୍ତ ଆତଯାତକୁ ମୁଁ ଗୋଟିଏ ନୈବେଦ୍ୟରେ ସମର୍ପଣ କରି ଦେଇପାରିଲି । ପ୍ରତିଦିନ ଠିକ୍ ବିଛଣା ଧରିଲାବେଳକୁ ଯଦି ଦିନମାନର ସବୁ ଅସଫଳତା ଓ ଅପରିତୃପ୍ତି ଗୁଡ଼ାକ ଆସି କାହାର ମୁଣ୍ଡ ଭିତରକୁ କାମୁଡ଼ି ଧରେ, ତେବେ ସେହି ଲୋକଠାରୁ ଅଧିକ ଦୁର୍ଭାଗ୍ୟ ଆଉ କିଏ ଅଛି ? ପ୍ରତିଦିନର ଫୁଲ ଦିନଶେଷରେ ଧରିତ୍ରୀର କ୍ରୋଡ଼ରେ ଝରିପଡ଼ିବ ପରଦିନ ସକାଳେ ପୁଣି ନୂଆ ଫୁଲ ହୋଇ ଫୁଟି ଉଠିବାକୁ । ଏହା ହେଉଚି ସୁଖୀ ଜୀବନର ପ୍ରଥମ ସର୍ତ୍ତ । ବିରକ୍ତି, ଅଭାବ ଓ ଅପରିତୃପ୍ତି ଦ୍ଵାରା ସବୁବେଳେ ସନ୍ତପ୍ତ ହୋଇ ରହିଲେ ଜୀବନ ବଞ୍ଚିବାର ଆସ୍ଵାଦ କଦାପି ମିଳି ପାରିବନାହଁ । ପରିପୂର୍ଣ୍ଣ ଭାବରେ ଯିଏ ସମର୍ପଣ ଓ ଗ୍ରହଣ କରିପାରେ, ସେଇ ଅସଲ ଜୀବନ ବଞ୍ଚେ ।

 

କାଲି ସକାଳେ କୋପେନହେଗେନ୍‌ରୁ ମୋର ଯାତ୍ରା ଆରମ୍ଭ ହେବ । ଚାରିମାସ କାଳ ମୁଁ କେତେ ନୂଆ ମଣିଷର ସମ୍ପର୍କରେ ଆସିବି, ମୋର ଜଳାଶୟ ଭିତରେ କେତେ ନୂଆ ଭବାଧାରା ଆସି ମିଶିବ । ଭାରି ଖୁସି ଲାଗୁଛି ପରିବର୍ତ୍ତନର ଏହି ପ୍ରାନ୍ତଉପରେ ବସି । କାରଣ ଏହି ବଡ଼ ସହରରେ ମୁଁ ଅଧିକାଂଶ ସମୟରେ କେବଳ ସନ୍ତପ୍ତ ହୋଇ ରହୁଚି । ମଣିଷକୁ ମଣିଷଭାବରେ ଚିହ୍ନିବାର, ଜାଣିବାର ଓ ନିବିଡ଼ କରି ଧରିବାର ସମୟ ଓ ସହଜତା ଯେପରି ଏହି ସହରର ଜୀବନରୁ କୁଆଡ଼େ ଅପସରି ଯାଇଚି । ତେଣୁ ପ୍ରତ୍ୟେକ ପରିଚୟର ଆୟୋଜନ ନାନା ଅତିରିକ୍ତ ଆନୁସଙ୍ଗିକ ଆପ୍ୟାୟନରେ ଏତେ superfluous ହୋଇଯାଇଚି ଯେ ଆପଣାକୁ ପରିପୂର୍ଣ୍ଣ ଭାବରେ ଦେଇପାରିବା ବା ଅପରକୁ ପରିପୂର୍ଣ୍ଣଭାବରେ ପାଇପାରିବାର ସ୍ଵାଭାବିକତା ଏଠାରେ ନଷ୍ଟ ହୋଇଯାଉଚି । ଏହି ଅତୃପ୍ତିର ରୋଦନରେ ମୋର ଦୁଇମାସ କଟିଚି । କାଲିର ପରିବର୍ତ୍ତନରୁ ମୁଁ ହୁଏତ ଅନେକ ଉପକୃତ ହୋଇପାରିବି ।

 

୨ । ୧୨ । ୫୧

 

ଏହା ଭିତରେ କୋଡ଼ିଏ ଦିନ ଫାଙ୍କା ପଡ଼ିଗଲା । ଦକ୍ଷିଣ ଡେନ୍‍ମାର୍କର ଏକ ଛୋଟିଆ ଗାଆଁରେ ପନ୍ଦରଦିନ କଟାଇ ବର୍ତ୍ତମାନ ମୁଁ ଏହି ଦେଶର ବୃହତ୍ତମ ଗଣବିଦ୍ୟାଳୟରେ ଆସି ପହଞ୍ଚିଚି । ତିନିଶହରୁ ଅଧିକ ଛାତ୍ରଛାତ୍ରୀଙ୍କର ଗହଳରେ ଏଠି ଯେପରି କଲିକତାର ବଡ଼ବଜାର ଭିତରେ ଆସି ପଶିଗଲା ପରି ଲାଗୁଚି ।

 

ଏହି ପନ୍ଦରଟା ଦିନ ଭିତରେ ମୁଁ କେତେ କାନ୍ଦିଚି, କେତେ ପଡ଼ିଚି, କେତେ ଉଠିଚି । କେତେଥର ବାଉଳା ହୋଇ ପୁଣି କେତେଥର ଫେରିପାଇଚି । ଆପଣା ଶୂନ୍ୟ ହୃଦୟର ଶୁଷ୍କତା ଉପରେ ବସି ଆପଣାର ପାପ ଓ ଅପରାଧକୁ ଭର୍ତ୍ସନା କରୁକରୁ ମୁଁ ପୁଣି ଶୂନ୍ୟକୁ ପୂର୍ଣ୍ଣ କରି ପାରିଚି, ଜୀବନର ପ୍ରତ୍ୟେକ ଦିନର ନୂତନ ଜନ୍ମ ଓ ସମୃଦ୍ଧି ଭାବରେ ଗ୍ରହଣ କରିପାରିଚି । ଅବଶ୍ୟ ସେହି କ୍ରନ୍ଦନ, ଅନ୍ତର ଭିତରର ସେହି କୋଳାହଳ ଓ କାକୁତିକୁ ଏହି ଖାତାରେ ଲିପିବଦ୍ଧ କରି ରଖି ପାରିନାହଁ । ଲେଖିବାଲାଗି ନିଶ୍ଚୟ ଯଥେଷ୍ଟ ସମୟ ଥିଲା, ମନ ବି ସତେଜ ଥିଲା । ତଥାପି କେଜାଣି କାହିଁକି ମୁଁ ଏହି ଖାତାରେ ପଦେ କଥା ଲେଖିବସିବାର ଆବଶ୍ୟକତା ଅନୁଭବ କରି ପାରିନାହିଁ ।

 

ନୂଆ ଦେଶ, ନୂଆ ସଭ୍ୟତା ଓ ନୂଆ ମଣିଷଙ୍କର ଗହଳିରେ ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ଆପଣାକୁ ଯେପରି ବିଦେଶୀ ପରି ମନେ ହେଉଚି । ପ୍ରତ୍ୟେକ ମଣିଷକୁ ତା’ର ଉଦ୍ୟମ, ଉତ୍ସାହ, ସ୍ଵପ୍ନ ଓ ଆକାଙ୍‌କ୍ଷାଦ୍ଵାରା ଚିହ୍ନିବାଲାଗି ଆପଣାର ଅନ୍ତରକୁ ଯେତିକି ପ୍ରଶସ୍ତ କରିପାରିବା ଦରକାର ଏଠି ତା’ର ବଡ଼ ଅଭାବ ଦେଖୁଚି । ଏଠିକାର ଛାତ୍ରମାନେ ଆପଣାର Theology ଓ ଆପଣାର ବନ୍ଧ ବିଶ୍ୱାସକୁ ଏପରି ଦୃଢ଼କରି ଧରିଛନ୍ତି ଯେ ସେମାନଙ୍କୁ ଘେରି ଠିଆହୋଇ ରହିଥିବା ନାନା ସ୍ଵତଃସିଦ୍ଧତାର ପାଚେରୀଗୁଡ଼ିକୁ ଭେଦିପାରିବା ପ୍ରାୟ ଅସମ୍ଭବ ପରି ମନେହେଉଚି । କେବଳ ମୋ’ରି ଧାରଣା ଓ ସିଦ୍ଧାନ୍ତ ଗୁଡ଼ିକ ଦ୍ଵାରା ଯଦି ମୁଁ ସାରା ପୃଥିବୀକୁ ବିଚାର କରିବାର ମତ୍ତ ପଥ ଅବଲମ୍ବନ କରେ, ତେବେ ଦୁର୍ଭାଗ୍ୟ କିଏ, ଏହି ପୃଥିବୀ ନା ସ୍ଵୟଂ ମୁଁ ?

 

୩ । ୧୨ । ୫୧

 

ଅଠର ବରଷର ଯୁବକ ଯଦି ଏଇଦିନୁ ଆପଣାର Theology ଠିକ୍ କରିନେଇ କେବଳ ତାହାକୁ ହିଁ ଯାବୁଡ଼ି ଧରି ବସେ, ତେବେ ସେ ଆପଣା ଜୀବନରେ ବଢ଼ିବ କିପରି ? ପିଲାଦିନୁ ହୁଏତ ବାପ, ମାଆ ଓ ପାଦ୍ରୀଙ୍କଠାରୁ ସେ ଐତିହାସିକ Christଙ୍କର କେବଳ ଏକତ୍ଵରେ ବିଶ୍ଵାସ କରିବାକୁ ଶିଖିଆସିଚି । ସେହି ବିଶ୍ଵାସ ଆଜି ବିରାଟ ଏକ ପୂର୍ବଗ୍ରହ ହୋଇ ତାକୁ ବିଶ୍ଵସଂସାରର ଅନ୍ୟାନ୍ୟ ଅନେକ ଅନୁଭୂତିରୁ ବଞ୍ଚିତ କରି ରଖିଚି ରକ୍ତମାଂସର ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ଵାସ କରି ସେ ଯଦି ତଦ୍ଦ୍ୱାରା ଯୀଶୁଖ୍ରୀଷ୍ଟଙ୍କର ଜୀବନାଦର୍ଶକୁ ଆପଣାର ସମ୍ମୁଖରେ ଦର୍ପଣ କରି ଧରିପାରୁଥାନ୍ତା, ତେବେ କୌଣସି କଥା ହିଁ ନଥିଲା । କିନ୍ତୁ ଏହି ବିଶ୍ଵାସ ଯେ ପାଶ୍ଚାତ୍ୟ ମଣିଷକୁ ଜୀବନଭିତରୁ କ୍ରମେ ବହିର୍ଭୂତ କରାଇଆଣି କେବଳ ଗୀର୍ଜା ଭିତରର ଦୁଇଦଣ୍ଡ ଭିତରେ ତାର ଧର୍ମ ଓ ଧର୍ମ ଜୀବନକୁ ବାଡ଼ ଦେଇ ରଖୁଚି, ଏହାହିଁ ସବୁଠାରୁ ବଡ଼ ଶୋଚନୀୟ କଥା ।

 

Theology ପ୍ରଧାନତଃ ବୁଦ୍ଧିଜୀବୀଙ୍କର ପ୍ରସୂତ । ପ୍ରତ୍ୟେକ ମଣିଷ ତା’ର theologyକୁ ଆପେ ଠିକ୍ କରିବ । ଜ୍ଞାନ, ଭକ୍ତି ବା ଅନୁଭୂତି ଓ କର୍ମଦ୍ଵାରା ଅନୁପ୍ରେରିତ ଓ ସମୃଦ୍ଧ ହୋଇ ସେ ଆପଣାର ଭଗବାନଙ୍କୁ ଆପେ ଚିହ୍ନିବ ଓ ଆପେ ସ୍ଵୀକାର କରିନେବ । ସେପରି ହୋଇପାରିଲେ ସେ ବ୍ୟକ୍ତିଗତ କୌଣସି ଧର୍ମପୁରୁଷକୁ ଏକମାତ୍ର ଭାଗବାନ ବୋଲି ମାନିଲେ ଓ ସେହି ପଥର ଆଚରଣ କଲେ ମଧ୍ୟ ତଥାପି ତା’ର ଧର୍ମପଥରେ କୌଣସି ପ୍ରମାଦ ରହିବ ନାହିଁ । ପ୍ରତ୍ୟେକ ମଣିଷର ଭିତରେ ରହିଥିବା ସୂର୍ଯ୍ୟ ହିଁ ସକଳ ସୂର୍ଯ୍ୟକୁ ଚିହ୍ନିବ, ଯଥାର୍ଥ theology ର ଏହା ହିଁ ଯଥାର୍ଥ ବାଟ । କୌଣସି ନିର୍ଦ୍ଦିଷ୍ଟ ଧର୍ମଗୋଷ୍ଠୀ ବା ସିଦ୍ଧାନ୍ତ ଜୀବୀମାନଙ୍କର ଯୁକ୍ତିକୁ theology ବୋଲି ମାନିନେଇ ତାକୁଇ କେବଳ ଏକମାତ୍ର ସତ୍ୟବୋଲି ସ୍ୱୀକାର କରି ଅଠର ବରଷର ଯୁବକ ଯେ ଆପଣାର ଉଦୟପଥକୁ ଆଚ୍ଛନ୍ନ କରି ରଖୁଚି, ଏଥିରେ କୌଣସି ସନ୍ଦେହ ନାହଁ ।

 

୪ । ୧୨ । ୫୧

 

କାଲି ରାତିରେ ପ୍ରାୟ ଗୋଟାଏବେଳ ପର୍ଯ୍ୟନ୍ତ ମୁଁ ଏହି ବିଦ୍ୟାଳୟର କେତେଜଣ ଛାତ୍ରଙ୍କ ସହିତ ଆଲୋଚନା କରୁଥିଲି । ଏହି ସଭ୍ୟତା ଯୀଶୁଖ୍ରୀଷ୍ଟଙ୍କୁ ଏକମାତ୍ର ଭଗବାନ ବୋଲି ମାନେ, ସେହି ବିଶ୍ଵାସରେ ପାପୀର ପରିତ୍ରାଣ କରିବା ଲାଗି ଅର୍ଥ ସାହାଯ୍ୟ କରି ସେ ବିଦେଶକୁ ପାଦ୍ରୀ ପଠାଏ । ତଥାପି ଏହି ପଶ୍ଚିମ ଦେଶରେ ହିଁ ଆଜି ଯୀଶୁଖ୍ରୀଷ୍ଟଙ୍କର ସବୁଠାରୁ ଅଧିକ ଅଭାବ ରହିଚି । ପ୍ରତ୍ୟେକ ମୁହୂର୍ତ୍ତରେ ସମାଜର ଛୋଟବଡ଼ ସବୁ ସ୍ତରରେ ଆଜି ଏଠି ମଣିଷକୁ ତା’ର ବିପୁଳ ଧର୍ମଦୃଷ୍ଟିରୁ ବଞ୍ଚିତ କରି ରଖାଯାଉଚି: ଦେଶ, ଜାତି, ବାଦ ଓ ଧର୍ମଗୋଷ୍ଠୀର ନାନା ଲଘୁତର ଆଦର୍ଶର ମାଦକ ଦେଇ ମଣିଷ ଭିତରୁ ସବୁ ପ୍ରକାର ବୃଦ୍ଧିର ବଳ ଓ ଉତ୍ସାହକୁ କାଢ଼ି ନିଆଯାଉଚି । ସେଥିଲାଗି କୋଡ଼ିଏ ବରଷର ଯୁବକ ଭାରି ହତାଶ ହୋଇ ପଡ଼ିଲା ପରି ସ୍ଥାଣୁ ବା ପ୍ରଚଳିତ ସମାଜ ସହିତ ଲୀନ ହୋଇଯାଉଚି ଓ ପ୍ରଧାନତଃ ପୁରାତନ ରୂଢ଼ିଗୁଡ଼ାକର ଆଚରଣ କରିବା ଛଡ଼ା ଆଉ ଅନ୍ୟ କୌଣସି ନିରାପଦ ବାଟ ଦେଖି ପାରୁନାହିଁ । ଯୁଗର ନାନା ସମସ୍ୟା ଦିନୁଁ ଦିନ ଜଟିଳ ହେବାରେ ଲାଗିଚି, ଆମ ସଭ୍ୟତା ନାମରେ ଆମେ ସମସ୍ତେ ଗୋଟାଏ ପ୍ରକାର ଅକର୍ମଣ୍ୟତା ଓ ଅନ୍ଧ ନିୟନ୍ତ୍ରଣର ଗ୍ରାସରେ ପଡ଼ିବାକୁ ଯାଉଚୁ ।

 

ଡେନ୍‍ମାର୍କର ଗଣବିଦ୍ୟାଳୟ ଗୁଡ଼ିକରେ ମୁଁ ପ୍ରତ୍ୟେକ ଛାତ୍ରକୁ ବନ୍ଧୁ ହିସାବରେ ଏଇକଥା ପଚାରିବି । ଜଗତର ଏହି ବିନାଶ ପର୍ବରେ ସମାଜ, ବ୍ୟକ୍ତିତ୍ଵ ଓ ପରିବାରର ସକଳ ମାନଦଣ୍ଡ ଭୁଷୁଡ଼ି ପଡ଼ୁଥିବା ବେଳେ ସେ ନିଜେ ଏହି ଆହ୍ଵାନକୁ ଗ୍ରହଣ କରିବା ଲାଗି କିପରି ଭାବରେ ପ୍ରସ୍ତୁତ ହେଉଚି, ଜଗତରେ ଜଣେ ଯୁବକ ହିସାବରେ ସେ କେତେଦୂର ଏହି ପୃଥିବୀରେ ଧର୍ମସଂସ୍ଥାପନର ବିପ୍ଳବ ସଂଘଠିତ କରିବାଲାଗି ପ୍ରସ୍ତୁତ ହେଉଚି ? ତା’ର ଆଶା, ତା’ର ଜୀବନ ଓ ତା’ର ଈଶ୍ଵର ବିଷୟରେ ତା’ର ସ୍ଵପ୍ନଗୁଡ଼ିକୁ ମୁଁ ତାହାରିଠାରୁ ଜାଣିବି ।

 

୫ । ୧୨ । ୫୧

 

ପ୍ରଥମେ ଉଜ୍ଜୀବନ, ତା’ପରେ ଉଦୟନ; ପ୍ରଥମେ ଉନ୍ନୟନ ଓ ତା’ପରେ ବିଦ୍ୟାଦାନ । ଡେନ୍‍ମାର୍କରେ ଗଣବିଦ୍ୟାଳୟର ପ୍ରଥମ ଯୁଗରେ ଜଣେ ପ୍ରତିଭାଶାଳୀ ଶିକ୍ଷାବିତ୍ ଏହି ନୀତିକୁ ସକଳ ଶିକ୍ଷାର ମୂଳନୀତି ବୋଲି ଘୋଷଣା କରିଥିଲେ । ସିଏ ହେଉଚି ଆଜିକୁ ଶହେବର୍ଷ ତଳର କଥା । ସେତେବେଳେ ଡେନ୍‍ମାର୍କ ଦେଶରେ ଏତେବେଶି ବେପାରବଣିଜ ନଥିଲା, ଡେନ୍‍ମାର୍କର ଅଧିବାସୀ ଏତେ ପଇସା ଖରଚ କରି ଶିଖି ନଥିଲା । ଦେଶ ଓ ଦେଶର ସମାଜକୁ ଏକ ନୂଆ ଜୀବନ ଆଣି ଦେବାର ଆଦର୍ଶ ଗ୍ରହଣ କରି ସେ ଅତି ଅଳ୍ପ ସ୍ତରରୁ ଆପଣାର Experiment ଆରମ୍ଭ କରିଥିଲେ । ଡେନ୍‍ମାର୍କର ସେହି ଯୁଗଟିର କଥା କହି ବସିଲେ ଆଗ Kristen Koldଙ୍କ କଥା ମନେ ପଡ଼େ । ଲୋକଶିକ୍ଷା ଲାଗି ତାଙ୍କର ସମସ୍ତ ଜୀବନ ଯେ ଆଗରୁ ଉଦ୍ଦିଷ୍ଟ ହୋଇସାରିଚି, ଏହିପରି ଏକ ଦୈବୀ ପ୍ରେରଣା ତାଙ୍କୁ ନୂଆ ନୂଆ Experiment ଲାଗି ସର୍ବଦା ଉତ୍ସାହିତ କରି ରଖିଥିଲା । ତାଙ୍କର ପ୍ରଥମ ସ୍କୁଲରେ ଗୋଟିଏ ମାତ୍ର ବଖରାରେ ଶିକ୍ଷକ ଓ ଛାତ୍ରଙ୍କୁ ଏକାଠି ଶୋଇବାକୁ ପଡ଼ୁଥିଲା । ପ୍ରତ୍ୟେକଦିନର ଖାଦ୍ୟରେ ଯଥେଷ୍ଟ ପୁଷ୍ଟିକର ଖାଦ୍ୟ ଖାଇବାଲାଗି ହୁଏତ ଯଥେଷ୍ଟ ପଇସା ହିଁ ନଥିଲା, ଏବର ଡେନ୍‍ମାର୍କରେ ପାଣି ପରି ବ୍ୟବହାର କରାଯାଉଥିବା ଚାହାକଫିର ବିଳାସ ମଧ୍ୟ ସେମାନେ ପାଉନଥିଲେ । କିନ୍ତୁ ତଥାପି ସେହି ପ୍ରଥମ ସ୍କୁଲଟି ସର୍ବଦା ଜୀବନରେ ଓ ନୂଆ ସ୍ଵପ୍ନରେ ଭରି ରହିଥିଲା । ଦୈନନ୍ଦିନ ପ୍ରତ୍ୟେକ କ୍ଷେତ୍ରରେ ଓ ପ୍ରତ୍ୟେକ ମୁହୂର୍ତ୍ତରେ Kold ଛାତ୍ରମାନଙ୍କୁ ଉଜ୍ଜୀବିତ କରି ରଖିଥିଲେ, ନାନା ସ୍ଵପ୍ନ ଓ ନାନା ଚିତ୍ରଣରେ ସେ ଯୁବକର କ୍ଷୁଧା ଓ ପିପାସାକୁ ଉନ୍ନୀତ କରି ରଖିଥିଲେ । ତେଣୁ ଭଲ ଖାଦ୍ୟପାନୀୟ ଓ ଭଲ ବାସସ୍ଥାନ ନଥିଲେ ମଧ୍ୟ ହୃଦୟର ଦୃଷ୍ଟିକୁ ଉଜ୍ଜୀବିତ କରି ରଖିଲାଭଳି ଖାଦ୍ୟ ପାନୀୟ ଓ ବସତିରେ ତାଙ୍କର ବିଦ୍ୟାଳୟଟି ଆପଣାକୁ କେତେବେଳେ ହେଲେ ଅକିଞ୍ଚନ ମନେ କରୁନଥିଲା ।

 

୬ । ୧୨ । ୫୧

 

ମଣିଷର ଧର୍ମ ଓ ମଣିଷର ଭଗବାନ ମଣିଷକୁ ଆହୁରି କର୍ମତତ୍ପର କରିବ, ଜଗତର ଜୀବନ ସହିତ ତାକୁ ଆହୁରି ଶ୍ରଦ୍ଧାନିବିଡ଼ ଭାବରେ ବାନ୍ଧି ଶିଖାଇବ, ଆପଣା ଭଗବାନ ଲାଗି ଆପଣାର ସମସ୍ତ ସମର୍ପଣ କରିଦେବାର ଜୀବନ ଲାଭ କରିବା ପର୍ଯ୍ୟନ୍ତ ମଣିଷ ଉଚ୍ଚରୁ ଉଚ୍ଚତର ସ୍ତରକୁ ଯିବାଲାଗି ସୁପ୍ନ ଦେଖୁଥିବ । ଖ୍ରୀଷ୍ଟଧର୍ମରେ ମଧ୍ୟ ଏହିପରି ଏକ ମହାନ୍ ସମର୍ପଣର ଆବେଦନ ରହିଚି । ଏହି ଆବେଦନଟିକୁ ବିଲକୁଲ ଭୁଲିଯାଇ ଆଜି ପ୍ରଧାନତଃ theologyର ଭିତ୍ତିଉପରେ କେତେକ ବ୍ୟକ୍ତି ଆପଣାର ଧର୍ମଜୀବନକୁ ସୀମିତ କରି ରଖିଚନ୍ତି । ଯୀଶୁଖ୍ରୀଷ୍ଟ ହେଉଚନ୍ତି ଭଗବାନଙ୍କର ଏକମାତ୍ର ପ୍ରେରିତ ପୁତ୍ର,—କେବଳ ତାଙ୍କରି ପଥରେ, ଅର୍ଥାତ୍ ତାଙ୍କରି ଜୀବନକାହାଣୀ ଉପରେ ବିଶ୍ଵାସ କଲେ ହିଁ ମୁକ୍ତି ମିଳିବ । ଆଉସବୁ ବାଟ ପାପୀର ବାଟ,—ଏହିପରି ଗୋଟାଏ ପୂର୍ବଗ୍ରହ ଉପରେ ଅନେକଙ୍କର ବିଶ୍ୱାସ ତିଷ୍ଠି ରହିଚି । ସକଳ ଜୀବନରୁ ବିଚ୍ୟୁତ ହୋଇ ଏହି ବିଶ୍ଵାସ କେବଳ ଗୀର୍ଜାଭିତରର କେତେକ ମୁହୂର୍ତ୍ତରେ ଅବଶିଷ୍ଟ ରହିଚି, ପାଶ୍ଚାତ୍ୟ ସମାଜ ଓ ସଂସ୍କୃତି ନିତି ତାର ପ୍ରମାଣ ଦେବ ।

 

ଆମେ କେତେଜଣ ସେଦିନ ଏହି ବିଷୟରେ ଆଲୋଚନା କରୁଥିଲୁ । ଆଲୋଚନା ଶେଷହୋଇ ଆସିଲା ବେଳକୁ ଜଣେ ବନ୍ଧୁ ଭାରି ନିରାଶ ହୋଇ କହିଲେ, ପାଶ୍ଚାତ୍ୟ ସମାଜର ଅନିଶ୍ଚିତତା ଓ ସନ୍ତପ୍ତତା ମଣିଷର ସବୁ ନିଶ୍ଵାସକୁ ଭାଙ୍ଗି ଦେଇଚି; ବର୍ତ୍ତମାନ ଯେତେ ଅଗଭୀର ହେଉ ପଛକେ କେବଳ ଏଇଟିକକ ବିଶ୍ୱାସ ହିଁ ବାକି ରହିଚି, —ତେଣୁ ସେତିକି ବିଶ୍ଵାସକୁ ଭାଙ୍ଗିଦେବାର ଅର୍ଥ ଆମକୁ ସର୍ବସ୍ଵାନ୍ତ କରିଦେବା । ଯେତେ ଅଳ୍ପସୀମାରେ ହେଉ ପଛକେ, ଯୀଶୁଙ୍କ ଉପରେ ବିଶ୍ଵାସ କରି ଯଦି କୌଣସି ମଣିଷ ତାଙ୍କରି ନାମରେ ଆପଣାକୁ ମୁକ୍ତ ଓ ଅର୍ପିତ କରି ପାରୁଥାନ୍ତା, ତେବେ ତଦ୍ଦ୍ୱାରା ମଣିଷ ଯଥେଷ୍ଟ ଉପକୃତ ହୋଇ ପାରୁଥାନ୍ତା । କିନ୍ତୁ କେବଳ ଏକ ଅନ୍ଧାରପଟଳ ପରି ଏହି ବିଶ୍ୱାସଦ୍ଵାରା ଆପଣାକୁ ଘୋଡ଼ାଇ ରଖି ଜଗତର ଜୀବନରୁ ଆପଣାକୁ ବଞ୍ଚିତ ଓ ଅସଂଯୁକ୍ତ କରି ରଖିବାରେ କେବଳ ପ୍ରମାଦ ବ୍ୟତୀତ ଆଉ କ’ଣ ଥାଇପାରେ ?

 

୭ । ୧୨ । ୫୧

 

ଅନେକଦିନ ତଳେ କୋପେନାହେଗେନା ସହରରେ ମାନବିକ ଅଧିକାର ସମ୍ବନ୍ଧରେ ମୁଁ ଅନେକ ଚମତ୍କାର ଛବିମାନ ଦେଖିବାକୁ ପାଇଥିଲି । ଏବେ ବଡ଼ ଚମତ୍କାର କାଗଜରେ ଛପାହୋଇଥିବା ୟୁନେସ୍କୋଦ୍ଵାରା ପ୍ରଚାରିତ ମାନବିକ ଅଧିକାରର ସର୍ତ୍ତମାନ ପଢ଼ିବାକୁ ମିଳିଲା । ସର୍ତ୍ତଗୁଡ଼ିକ ବିଷୟରେ ଗୋଟିଗୋଟି କରି ଆପଣାର ମତାମତ ବଖାଣି ବସିବାର ସ୍ଥାନ ଏ ନୁହେଁ । ତଥାପି ପରିବାର-ବିଷୟକ ଅଧିକାରଟି ମୋତେ ଯେପରି ଭାରି ଅସ୍ଵାଭାବିକ ମନେହେଲା । ‘Everyone has the right to live his family life’ ମୁଁ ଜାଣେନା, ଆପଣାର ପରିବାର ଗଢ଼ି ତାହାରି ଜରିଆରେ ସଂସାରର ବୃହତ୍ତର ଜୀବନରେ ଆପଣାର ପରିଚୟ ଦେବାର ଅଧିକାର ମଣିଷ କେଉଁ କର୍ତ୍ତା ବା authority ପାଖରୁ ଦାବି କରିବାକୁ ଯିବ ! ସଭ୍ୟତାର ନାମ ନେଇ ଜୀବନର ଆବଶ୍ୟକତା ଓ ଆରାମର ସଂଖ୍ୟାବୃଦ୍ଧି କରି ମଣିଷ ଆପଣା ପାରିବାରିକ ଜୀବନକୁ କେବଳ ସଂକଟାପନ୍ନ ହିଁ କରିଚି, ଆପଣାର ବାସନା ଓ କାମନା ମେଣ୍ଟାଇବାର କ୍ଷିପ୍ତତାରେ ସେ ଆପଣାର କେତେ ପ୍ରାଥମିକ କର୍ତ୍ତବ୍ୟର ବନ୍ଧନକୁ ଭାଙ୍ଗି ଦେଇଚି । ସଭ୍ୟତାକୁ ବଞ୍ଚାଇ ରଖିବାକୁ ହେଲେ ସବୁ ମଣିଷ ଅଧିକାର ଦାବି କରିବା ସଙ୍ଗେ ସଙ୍ଗେ ସବୁ ମଣିଷର କର୍ତ୍ତବ୍ୟ ମଧ୍ୟ ଦାବି କରିବାକୁ ହେବ । ସମାଜର ବା ଏହି ଜଗତର ଯେଉଁମାନେ ଆଗୁଆ ବା ଅଧିକ ଭାଗ୍ୟବାନ ହିସାବରେ ଆପଣା ଅଧିକାର ନାମରେ ସହସ୍ର ଉପଭୋଗ ମଧ୍ୟରେ ଆପଣାକୁ ବିସର୍ଜନ କରିଦେଇଚନ୍ତି, ସେହିମାନେ ହିଁ ସଭ୍ୟତା ଓ ସୃଷ୍ଟି ଲାଗି ପ୍ରଥମେ ହାନି ପହୁଞ୍ଚାଉଚନ୍ତି । ଆଜି ସାରା ସଂସାର ନାମରେ ମଣିଷର ଅଧିକାର ଦାବି କରିବାବେଳେ ସେମାନଙ୍କୁ ପ୍ରଥମେ ଆପଣା କର୍ତ୍ତବ୍ୟର ପଥକୁ ଫେରି ଆସିବାକୁ ପଡ଼ିବ । ଯିଏ କର୍ତ୍ତବ୍ୟ କରିବାର ଯୋଗ୍ୟ ହେବ, କେବଳ ସେଇ ଅଧିକାର ବି ଲାଭ କରିପାରିବ ।

 

୮ । ୧୨ । ୫୧

 

ବିଶ୍ୱାସ ହେଉଚି ଖ୍ରୀଷ୍ଟିଆନ୍ ଧର୍ମରେ ସବୁଠାରୁ ବଡ଼ କଥା, ଏହିକଥାଟି ଏଠି ସବୁବେଳେ ଶୁଣିବାକୁ ମିଳୁଚି । ସଂସାରର ଆଉ କୌଣସି ଧର୍ମରେ ଯେ ବିଶ୍ୱାସକୁ ଗୌଣକରି ଧରାଯାଇଚି, ମୁଁ ସେକଥା ଜାଣେନାହଁ । ଧର୍ମଜୀବନର ଆରମ୍ଭ ବିଶ୍ଵାସରୁ, ଶ୍ରଦ୍ଧାରୁ, ଧର୍ମଜୀବନର ପରିପକ୍ଵତାରେ ମଧ୍ୟ ସେହି ବିଶ୍ଵାସ ଓ ଶ୍ରଦ୍ଧାର ପ୍ରଧାନତା ।

 

ହୁଏତ ମୁଁ ବି ଆଜିଠାରୁ ଯୀଶୁଖ୍ରୀଷ୍ଟଙ୍କୁ ଏକମାନ୍ତ୍ର ଧର୍ମଦୂତ ବୋଲି ବିଶ୍ୱାସ କଲି । ତାଙ୍କ ବ୍ୟତୀତ ଅନ୍ୟ କେହି ଯେ ଧର୍ମର ସନ୍ଦେଶକୁ ଏହି ପୃଥିବୀକୁ ବହନ କରି ଆଣିଚନ୍ତି, ଏକଥା ମାନିବାକୁ ବି ମୁଁ ହୁଏତ ନାରାଜ ହୋଇପାରେ । ମୁଁ ଆହୁରି ମଧ୍ୟ ବିଶ୍ୱାସ କରେ ଯେ ବର୍ତ୍ତମାନ ଯୀଶୁ ସ୍ଵର୍ଗରେ ପରମପିତାଙ୍କର ଦକ୍ଷିଣ ପାର୍ଶ୍ଵରେ ବସିଚନ୍ତି, ଆବଶ୍ୟକତା ପଡ଼ିଲେ ସେ ପୁଣିଥରେ ଶରୀର ଧରି ସଂସାରକୁ ଅବତରଣ କରିବେ । ପୃଥିବୀରେ ପ୍ରତ୍ୟେକ ଖ୍ରୀଷ୍ଟିୟାନର ଏହି ଧର୍ମତତ୍ତ୍ଵ ଉପରେ ଅଟଳ ନିର୍ଭର ରଖିବାର ଅଧିକାର ରହିଚି ।

 

କିନ୍ତୁ ଏହି ବିଶ୍ଵାସ ମୋତେ ଅନ୍ୟର ବିଶ୍ଵାସକୁ ଛୋଟ ଆଖିରେ ଦେଖାଇବାକୁ ଶିଖାଇବ କିପରି ? ମୋର ଆପଣା ଭଗବାନଙ୍କୁ ବିଶ୍ୱାସ କରିବାର ସ୍ଵତନ୍ତ୍ରତା ପାଇ ମୁଁ ଅନ୍ୟର ଠିକ୍ ସେହି ସ୍ଵତନ୍ତ୍ରତାଟିକୁ ଘୃଣା କରି ଶିଖିବି କାହିଁକି ? ଯୀଶୁଖ୍ରୀଷ୍ଟଙ୍କର ଈଶ୍ଵରତ୍ଵ ଉପରେ ମୁଁ ଯେଉଁ ମୁହୂର୍ତ୍ତରୁ ବିଶ୍ୱାସ କରିବି, ଯେଉଁ ମୁହୂର୍ତ୍ତରୁ ମୋର ସମସ୍ତ ଜୀବନ, ଅତୀତ ଓ ଭବିଷ୍ୟତକୁ ମୁଁ ତାଙ୍କରି ଆଶ୍ରୟ ଭିତରେ ସମର୍ପଣ କରିଦେବି, ସେହି ମୁହୂର୍ତ୍ତରୁ ହିଁ ମୁଁ ତାଙ୍କରି ଧର୍ମରାଜ୍ୟର ସନ୍ତାନ ହେବାର ସ୍ତରକୁ ଉଠିଯିବି; ତାଙ୍କର ପଥ ଓ ତାଙ୍କରି ଆଲୋକ ମୋର ସମସ୍ତ ଜୀବନରେ ପ୍ରତିଫଳିତ ହେବ, ମୋର ସମସ୍ତ ଜୀବନର ସାଧନା ତାଙ୍କର ଆଶୀର୍ବାଦ ଓ ଉଦାରତା ପାଇବାଲାଗି ଯୋଗ୍ୟ ହେବାରେ ହିଁ ଉଦ୍ଦିଷ୍ଟ ହେବ । ପ୍ରତ୍ୟେକ କ୍ଷେତ୍ରରେ ନୂଆ ନୂଆ ପରିଚୟ ପାଇ ମୁଁ ମୋ’ ଭଗବାନଙ୍କର ନିକଟବର୍ତ୍ତୀ ହେଉଥିବି ।

 

କିନ୍ତୁ ଏହିପରି ଏକ ବିରାଟ ଧର୍ମଦୀକ୍ଷାରେ ଅନ୍ୟ ଧର୍ମକୁ ଛୋଟ ବା ଅନ୍ୟ ଲୋକକୁ ପାପୀ ବୋଲି କହିବାର ଅବସର କାହିଁ ? ଆପଣାର ଜୀବନ, ସମାଜ ଓ ଧର୍ମ ମନ୍ଦିର ପ୍ରତି ଉଦାସୀନ ରହି ବିଦେଶରେ ଆପଣାର ଧର୍ମକୁ ସବୁଠାରୁ ବଡ଼ ବୋଲି ପ୍ରଚାର କରିବାର ଦମ୍ଭ ଲାଗି ସ୍ଥାନ କାହିଁ ? କେବଳ ସଂସ୍କାର ଓ ପବିତ୍ର ସ୍ଥାନର ନାମମାତ୍ର ଅନୁଷ୍ଠାନ ଦ୍ଵାରା ମୋ’ ନିଜ ଗୋଷ୍ଠୀର ସଂଖ୍ୟା ବଢ଼ାଇବାରେ ଯୁକ୍ତିଯୁକ୍ତତା ନାହିଁ ?

 

୯ । ୧୨ । ୫୧

 

ସକାଳେ ରବିବାର ଗୀର୍ଜା ପ୍ରାର୍ଥନାରେ ଯୋଗ ଦେଇ ବର୍ତ୍ତମାନ ଫେରୁଚି । ପ୍ରାର୍ଥନା ବିଶ୍ଵଜନୀନ, ଏଥିରେ ସନ୍ତକ ବା ପ୍ରତୀକର ସ୍ଥାନ ଅତି ଗୌଣ । ଗୀର୍ଜା ହେଉ, ମନ୍ଦିର ହେଉ, ବାଟ ହେଉ ବା ପାନ୍ଥଶାଳା ହେଉ; ଆପଣାର ଶତଦ୍ୱାର ଖୋଲିଦେଇ ସନାତନ ଓ ସର୍ବଭୂ ସତ୍ତାସହିତ ସମ୍ମିଳିତ ହୋଇପାରିଲା, ସେଇଠି ପ୍ରାର୍ଥନା ସାର୍ଥକ ହେଲା । ଖ୍ରୀଷ୍ଟ ଗୋଷ୍ଠୀର ଶତ ଶତ ମଣିଷ ଯେଉଁ ମାର୍ଗ ଓ ଯେଉଁ ମନ୍ଦିରରେ ବିଶ୍ଵାସ ରଖିଚନ୍ତି, ଆପଣାର ଜୀବନ ତଥା ଜଗତ ମଧ୍ୟରେ ସେମାନେ ଯେଉଁ ମାର୍ଗ ଓ ମନ୍ଦିରର ପ୍ରତିଷ୍ଠା କରିବାର ଶ୍ରଦ୍ଧାସାଧନା କରୁଚନ୍ତି, ସେହି ମାର୍ଗ ଓ ସେହି ମନ୍ଦିର ଯଦି ମୋତେ ମଧ୍ୟ ଶ୍ରଦ୍ଧାବନତ କରିଦେଇ ପାରିଲା, ମୋର ସକଳ ଅହଙ୍କାରର ରୁଦ୍ଧଦ୍ଵାରକୁ ଭାଙ୍ଗି ମୋତେ ଯଦି ସକାଳର ଆଲୋକ ଓ ମଣିଷ ମୁହଁର ହସ ସହିତ ଏକାତ୍ମ କରିପାରିଲା, ତେବେ ତାହା ମୋର ମଧ୍ୟ ମାର୍ଗ; ତାହା ମୋର ମଧ୍ୟ ମନ୍ଦିର । Theologyର ତାପରେ ପାଚି ପୋଡ଼ି ପାକଳ ହୋଇଥିବା ପଣ୍ଡିତର ଆଖିରେ ମୁଁ ହୁଏତ ସେହି ଗୋଷ୍ଠୀରେ ପ୍ରବେଶ କରିବାର ଅଧିକାର ହିଁ ପାଇବି ନାହିଁ । କାରଣ ସିଏ ପ୍ରମାଣ ଚାହେଁ, ସନ୍ତକ ଓ ବାହ୍ୟ ଅନୁଷ୍ଠାନର ସାହାଯ୍ୟରେ ହିଁ ସିଏ ଚିହ୍ନିବାକୁ ଚାହେଁ । ମୁଁ ତା’ ସହିତ କୌଣସି କଳହ କରିବି ନାହିଁ । ଜୀବନର ଖଣ୍ଡାଧାର ଉପରେ ଚାଲୁ ଚାଲୁ ମୁଁ କେତେଥର ଆପଣାକୁ ଆଚ୍ଛନ୍ନ କରି ରଖିଚି । ସଂସାରର ଯେକୌଣସି ଗୋଷ୍ଠୀସହିତ ଏକାଠି ହୋଇ, ଯେକୌଣସି ତୀର୍ଥର ଧୂଳିକୁ କପୋଳରେ ଲେପି ମୁଁ ଯଦି ମୋର ସେହି ଆଚ୍ଛନ୍ନତାକୁ କଟାଇ ପାରିଲି, ମୋର ସବୁ ନୀତି ଓ ଦଉଡ଼ିର ପାଷାଣ ଭାଙ୍ଗି ଦୁଇଟୋପା ଲୁହ ଗଡ଼ାଇ ପାରିଲି, ତେବେ ମୁଁ ମଧ୍ୟ ସେହି ଗୋଷ୍ଠୀର ଜଣେ, ସେହି ତୀର୍ଥର ଉତ୍ତରାଧିକାରରେ ମୋର ମଧ୍ୟ ଆନନ୍ଦ । ବହିର ତତ୍ତ୍ଵ ବା ଦେଉଳର ଦୀକ୍ଷାଠାରୁ ଧର୍ମଲାଗି ଏହି ବାଟ ଅଧିକ ପ୍ରଶସ୍ତ; ଅଧିକ ନିର୍ଭରଯୋଗ୍ୟ ।

 

୧୦ । ୧୨ । ୫୧

 

Mine veje jeg ej kan, som jeg gerne vilde kende: Du,( Gud, kan ene vende min fornuft og min forstand’— ତ୍ଵୟା ହୃଷୀକେଶ ହୃଦି ସ୍ଥିତେନ ଯଥା ନିଯୁକ୍ତୋଽସି ତଥା କରୋମି !’ ଗୀତାରେ କୃଷ୍ଣ ଆଉ ଅର୍ଜୁନଙ୍କର ବାର୍ତ୍ତାଳାପ ଏବଂ ଉପରଲିଖିତ ପ୍ରାର୍ଥନାରେ ଉକ୍ତ ଓ ଯୀଶୁଖ୍ରୀଷ୍ଟ-ସମ୍ବାଦ । କିନ୍ତୁ ସାରା ପୃଥିବୀଲାଗି ଏହା ଏକ ବିରାଟ ସତ୍ୟ । କୃଷ୍ଣ ବା ଯୀଶୁ ଏହି ପ୍ରାର୍ଥନାରେ ସବୁଠାରୁ ବଡ଼କଥା ନୁହନ୍ତି । କୌଣସି କାମ ନ ନେଇ ମଧ୍ୟ ଏହିପରି ଏକ ପ୍ରାର୍ଥନା କରାଯାଇପାରେ ।

 

ସବୁ ପ୍ରକାର ପ୍ରାର୍ଥନା ହେଉଚି କେବଳ ଏକ ସମର୍ପଣ । ଠିକ୍ ନଈ ସମୁଦ୍ରରେ ମିଶି ସମୁଦ୍ରରର ନିୟମରେ ପରିଚାଳିତ ହେଲାପରି । କେତେ ଦମ୍ଭ, କେତେ ବେଗ ଓ କେତେ ସ୍ଵପ୍ନର ତରଳ ଦେହଟି ଧରି ନଦୀ ସମୁଦ୍ରଆଡ଼କୁ ଧାଏଁ, କିନ୍ତୁ ଲକ୍ଷ୍ୟ ଥାନରେ ପହଞ୍ଚି କେବଳ ଲୀନ ହୋଇ ଯିବାରେ ହିଁ ସେ ପରିପୂର୍ଣ୍ଣତା ଲାଭ କରେ । କେତେପ୍ରକାର ଜ୍ଞାନ ଓ କର୍ମ, କେତେପ୍ରକାର ଅର୍ଚ୍ଚନା ଓ ଆୟୋଜନ, —ସବୁ କେବଳ ସେହି ସମୁଦ୍ରକୁ ହିଁ ଚିହ୍ନାଇବାର ଓ ତାହାରି ପାଖରେ ଆପଣାକୁ ଆଣି ପହଞ୍ଚାଇ ଦେବାର ଆୟୋଜନ । କିନ୍ତୁ ସକଳ ଆୟୋଜନର ମୁଖରତା ଏଇଠି ଆସି ଥମିଯାଏ, ଏକ ବିରାଟ ଅଧିକାର ବା ଆଶ୍ରୟ ଭିତରେ ଭକ୍ତ ଆପଣାକୁ ଲୀନ କରିଦିଏ, ତାହାର ସକଳ କ୍ରିୟା ଓ ସକଳ ଆଚରଣ କେବଳ ସେହି ବିରାଟର ଇଚ୍ଛାକୁ ହିଁ ପ୍ରକାଶ କରେ । ସେହି ବିରାଟର ପୁତ୍ତଳି ହୋଇ ତାହାରି ଇଚ୍ଛାରେ ଜଗତରେ ପ୍ରେରିତ ହେବାର ସୂକ୍ଷ୍ମ ଧର୍ମବୋଧକୁ Free will ବନାମ Determinism ର ଜ୍ଞାନତତ୍ତ୍ଵ ଦେଇ ବୁଝାଇ ହେବନାହିଁ; ଏହି ତତ୍ତ୍ଵକୁ ମଥା ଦେଇ ବୁଝିଲେ ମଧ୍ୟ ସମସ୍ତେ ସେହି ପ୍ରେରଣାକୁ ଅନୁଭବ କରି ତାହାରି ଦ୍ଵାରା ଚାଳିତ ହୋଇ ପାରିବେନାହଁ ।

 

ପୃଥିବୀର ନାନା ଭାଷାରେ, ଇତିହାସର ନାନ ଅଧ୍ୟାୟରେ, ନାନା ଭକ୍ତଙ୍କର ଉତ୍‌କ୍ରାନ୍ତ କଥା ଦେଇ ଏହି ଯେଉଁ ବିରାଟ ସମର୍ପଣ ଘୋଷଣା କରାଯାଇଚି, ତାହା କୌଣସି ନିର୍ଦ୍ଧିଷ୍ଟ ଧର୍ମର ବା ନିର୍ଦ୍ଧିଷ୍ଟ ତତ୍ତ୍ଵର ନୁହେଁ । ତାହା ହେଉଚି ସକଳ ଧର୍ମଜଗତର । ଯେ ଦେଖିବ, ଯେ ଜାଣିବ, ସେଇ ଦେଖିବ, ସେଇ ଜାଣିବ, ସେଇ ଚାଳିତ ହେବ ।

 

ରୋହିତର ଡାଏରୀ (ତୃତୀୟ ପର୍ବ)

୧୧ । ୧୨ । ୫୧

 

ଈଶ୍ଵରଙ୍କର ପଥ ନିର୍ମଳ ସେବାର ପଥ, ପରିପୂର୍ଣ୍ଣ ସମର୍ପଣର ପଥ । କୌଣସି ଫଳ, କୌଣସି ଯଶ ବା ଖ୍ୟାତିର ଆଶା ନରଖି କେବଳ ନିୟତ କର୍ମ କରିଯିବାର ପଥ । ଏହି ପଥଟିକୁ ଯେଉଁମାନେ ଜୀବନର ପଥ ବୋଲି ବାଛିନେବେ, ଜଗତରେ ବା ଜନସମାଜରେ ସେମାନେ କେବଳ ସେବକ ହୋଇରହିବେ । ହିନ୍ଦୁ, ସନ୍ନ୍ୟାସୀ, ବୌଦ୍ଧ ଭିକ୍ଷୁ ବା ଖ୍ରୀଷ୍ଟିଆନ୍ ପାଦ୍ରୀ କହିଲେ ଆଖିଆଗରେ ଆଗ ଏହି ନିର୍ମଳ ସେବାଦର୍ଶର ଜୀବନଟି ହିଁ ସ୍ପଷ୍ଟ ହୋଇଉଠେ । ରାଜନୀତି ଓ ସମାଜନୀତିର ବିଶେଷଜ୍ଞମାନେ ଏହି ଆଦର୍ଶର ମର୍ମକୁ ହୁଏତ ସହଜରେ ହୃଦୟଙ୍ଗମ କରି ପାରିବେନାହଁ, ଗୋଷ୍ଠୀ ବଢ଼ାଇବାର ଲାଳସା ରଖି ଧର୍ମଶାସ୍ତ୍ରର ଆବୃତ୍ତି କରୁଥିବା ଅଧମ ପଣ୍ଡିତମାନେ ହୁଏତ ଏହାର ମୂଲ୍ୟକୁ ଅସ୍ଵୀକାର କରିବେ । କିନ୍ତୁ ଏ ସମର୍ପଣ ବା ପୂର୍ଣ୍ଣ ଉତ୍ସର୍ଗର ଆଦର୍ଶକୁ ହିଁ ଚିରଦିନ ସବୁ ଧର୍ମ ଘୋଷଣା କରି ଆସିଚନ୍ତି । ସକ୍ରେଟିସ୍, ଗୌତମ ବୁଦ୍ଧ, ଯୀଶୁଖ୍ରୀଷ୍ଟ ବା ଏ ଯୁଗର ଗାନ୍ଧୀ;—ଏମାନଙ୍କର ଜୀବନ କେବଳ ଏହି ସତ୍ୟଟିର ପ୍ରତିଷ୍ଠା କରି ଆସିଚନ୍ତି ।

 

ଫଳ ବା ଆଶୁପ୍ରଭାବ ଦୃଷ୍ଟିରୁ ତଉଲି ବସିଲେ ହୁଏତ ଏହି ସମର୍ପଣର ଜୀବନ ବିଷୟରେ ଭାରି ନିରୁତ୍ସାହିତ ହେବାକୁ ପଡ଼ିବ । ସେହି ଦୃଷ୍ଟିରୁ ବିଚାର କଲେ ସକ୍ରେଟିସ୍, ଯୀଶୁ ବା ଗାନ୍ଧୀଙ୍କୁ ହୁଏତ ନିର୍ବୋଧ ବୋଲି କହିବାକୁ ହେବ । ଅଧିକରୁ ଅଧିକ ମଣିଷକୁ ଆପଣା ମତର ପଥ ଉପରକୁ କଳେ କୌଶଳେ ଟାଣିଆଣିବା ଲାଗି ସେମାନେ ଆଦୌ ଅଭିଳାଷୀ ହୋଇନାହାନ୍ତି । ସମଗ୍ର ବିଶ୍ଵସୃଷ୍ଟିର ପିତୃତ୍ଵକୁ ସ୍ଵୀକାର କରିନେଇ ସେମାନେ ଆପଣାର ସକଳ କର୍ମକୁ କେବଳ ଏକ ଶ୍ରଦ୍ଧାନିବେଦିତ ସମର୍ପଣରୂପେ ଦାନ କରିପାରିଚନ୍ତି । ଏହି ସମର୍ପଣ କରିବାର ଆନନ୍ଦକୁ ହିଁ ସେମାନେ ସବୁଠାରୁ ବଡ଼ ସମ୍ପଦ ବୋଲି ଗ୍ରହଣ କରିଚନ୍ତି ।

 

୧୨ । ୧୨ । ୫୧

 

ଡେନ୍‍ମାର୍କର ଲୋକଶିକ୍ଷା ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବାଲାଗି ମୁଁ ଏ ଦେଶକୁ ଆସିଚି । ଏଠାରୁ ମୁଁ ଯେତିକି ସାର ଗ୍ରହଣ କରିପାରିବି, ବିଦେଶରେ ମୋର ଶିକ୍ଷାର୍ଜନ ମୋର ଭବିଷ୍ୟତ କର୍ମକ୍ଷେତ୍ରରେ ମୋତେ ସେତିକି ସାହାଯ୍ୟ କରିପାରିବ । ଲୋକଶିକ୍ଷାର କ୍ଷେତ୍ରରେ ଏଠି ଶତବର୍ଷବ୍ୟାପୀ ଏକ ବିରାଟ ଇତିହାସ ରହିଚି, କେତେ କେତେ ଉଦ୍‌ବୁଦ୍ଧ ପ୍ରତିଭାର ଜୀବନକାହାଣୀ ଏହି ଇତିହାସକୁ ସମୃଦ୍ଧ କରିଆସିଚି, ଏହି ଜାତିକୁ ମହତ୍ ଦୃଷ୍ଟି ଦାନ କରିଆସିଚି । ସେମାନଙ୍କର ଜୀବନ ହେଉଚି, ଏକ ନର୍ମିଳ ଉତ୍ସର୍ଗର ଜୀବନ । ସେହିମାନଙ୍କର ଜୀବନତୀର୍ଥରେ ମୁଁ ବାରବାର ଅଟକି ସେମାନଙ୍କୁ ନିରୀଖି ଦେଖିବି । ପ୍ରଧାନତଃ ତାହାହିଁ ଏଠି ମୋର କାମ୍ୟ ହୋଇ ରହିବ ।

 

ଗଣ ବିଦ୍ୟାଳୟ ବର୍ତ୍ତମାନ ଏକ ସଙ୍କଟମୟ ସମୟଦେଇ ଗତି କରୁଚି ବୋଲି ଏ ଦେଶରେ ଅନେକ କହୁଚନ୍ତି । ରାଜଧାନୀର ବୁଦ୍ଧିଜୀବୀ ହୁଏତ ଏହି ଜାତୀୟ ନିର୍ମାଣକ୍ଷେତ୍ର ଲାଗି ଯଥେଷ୍ଟ ଶ୍ରଦ୍ଧା ଦେଇ ପାରୁନାହଁ । ବାହାରର ନାନା ଉଡ଼ା ଆଦର୍ଶ ଓ ଅଧାପନ୍ତରିଆ ବାଟ ତା’ର ସବୁ ସମୟ ଓ ସରୁ ଧ୍ୟାନକୁ ଅପହରଣ କରି ନେଉଚି । ନାନାବିଧ ମତ ଓ ପଥର ଧନ୍ଦା ଭିତରେ ବାଉଳା ହୋଇ ସେ ଜାତୀୟ ମନ ବା ଜାତୀୟ ପ୍ରାଣଟିଏ ଚିହ୍ନି ପାରିବାର ସ୍ପଷ୍ଟ ଦୃଷ୍ଟି ରଖି ପାରୁନାହିଁ-। ଏଠି ବର୍ତ୍ତମାନ ସମାଜର ଯୁବକ ଓ ଯୁବତୀ ଆଜି ଯେଉଁସବୁ ପ୍ରଶ୍ନର ସମାଧାନ ଖୋଜି ବୁଲୁଚନ୍ତି, ଗଣବିଦ୍ୟାଳୟ ହୁଏତ ସେହିସବୁର ସମାଧାନ ଲାଗି ସେମାନଙ୍କୁ ଖୁବ୍ ସାହାଯ୍ୟ କରି ପାରୁନାହିଁ-

 

ଭେଲଗୁଡ଼ାକୁ ନିଖାରି ଦେଖି ଗଣବିଦ୍ୟାଳୟ ବିଷୟରେ ଖାଲି ସମାଲେଚନା କଲେ ମୁଁ ଏଦେଶରୁ ଯାହା ନେବାକୁ ଆସିଚି, ତାହାର ଯୋଗ୍ୟ ହୋଇ ପାରିବିନାହିଁ । ଏ ଦେଶର ଯୁବଶକ୍ତି ଓ ଯୁବଶିକ୍ଷାର କେନ୍ଦ୍ରଗୁଡ଼ିକ ବୁଲି ଦେଖିଲାବେଳେ ମୋତେ ପ୍ରଧାନତଃ ଶ୍ରଦ୍ଧା ଓ ସହାନୁଭୂତି ସହିତ ସବୁ ଦେଖିବାକୁ ପଡ଼ିବ ।

 

୧୩ । ୧୨ । ୫୧

 

ଏହି ବିଦ୍ୟାଳୟର ଯାତ୍ରୀ ଗତ ଯୁଦ୍ଧ ସମୟରେ ଘଟିଥିବା ଗୋଟିଏ କାହାଣୀ ଆଜି ପଢ଼ି ଶୁଣାଇଲେ । ଜର୍ମାନ୍ Concentration Campରେ ଘଟିଥିବା ଗୋଟିଏ କାହାଣୀ ଏହା ବରଫଶୀତଳ ଘର ଭିତରେ ସଢ଼ୁଥିବା ବେଳେ ସେଠି ବନ୍ଦୀମାନେ କୁଆଡ଼େ ଯୀଶୁଖ୍ରୀଷ୍ଟଙ୍କର ପ୍ରତ୍ୟେକ୍ଷ ଦର୍ଶନ ଲାଭ କରିଥିଲେ । ଇଉରୋପୀୟ ଓ ନିଗ୍ରୋ ନାନା ଦେଶର ବନ୍ଦୀମାନେ କୁଆଡ଼େ ତାଙ୍କୁ ଆଖି ଆଗରେ ଦେଖିଥଲେ । ବନ୍ଦୀଶାଳାରେ ପହରା ହେଉଥିବା S. S. (Schutzstaffel) ସିପାହୀ ମଧ୍ୟ ଏହି ସାକ୍ଷାତ ଲାଭ କରିଥିଲା । ଭିତରର ବିଶ୍ୱାସ ଯେତିକି ବଢ଼ିବ, ଭଗବଦ୍ଦର୍ଶନ ସେତିକି ନିକଟକୁ ଆସିପାରିବ । ଯୀଶୁ ଖ୍ରୀଷ୍ଟଙ୍କର ବ୍ୟକ୍ତିଗତ ଶରୀର ଏହି କ୍ଷେତ୍ରରେ କେବଳ ନିମିତ୍ତମାତ୍ର । ଦୃଷ୍ଟି ହେଉଚି ଧର୍ମଜୀବନର ସବୁଠାରୁ ବଡ଼ କଥା । ଆପଣାର ସକଳ ଇନ୍ଦ୍ରିୟକୁ ଯିଏ ସପ୍ତମ ଇନ୍ଦ୍ରିୟରେ ପର୍ଯ୍ୟବେସିତ କରିପାରିବ, ଏହି ଦୃଷ୍ଟି ଲାଭ କରିବାକୁ କେବଳ ସେଇ ସମର୍ଥ ହୋଇପାରିବ । ମଣିଷର ସକଳ ଚେତନା ଯେତେବେଳେ ସେହି ଶ୍ରେଷ୍ଠ ସାଧନା ପଥରେ ଉଦ୍ଦିଷ୍ଟ ହୋଇପାରିବ, ମଣିଷ ସେତିକିବେଳେ ସେହି ଦୃଷ୍ଟିର ଅଧିକାରୀ ହୋଇପାରିବ । ଏବଂ ଯିଏ ପ୍ରକୃତରେ ଏହି ଦୃଷ୍ଟିକୁ ଲାଭ କରିପାରିବ, ତା’ର ସମସ୍ତ ଜୀବନ ଓ ସମସ୍ତ କର୍ମ ମଧ୍ୟ ସେହି ଦୃଷ୍ଟି ଦ୍ଵାରା ରଞ୍ଜିତ ହୋଇଯିବ ।

 

ଏହି କାହାଣୀଟିକୁ ନେଇ ଅନେକ ହୁଏତ ଯୀଶୁଖ୍ରୀଷ୍ଟଙ୍କର ଈଶ୍ଵରତ୍ଵ ପ୍ରମାଣ କରିବାକୁ ବାହାରିବେ । ଏହାର ପ୍ରମାଣ ଦେଖାଇବାର ଆବଶ୍ୟକତା ଯେ କେଉଁଠି ଅଛି, ମୁଁ ସେକଥା ଜାଣେନାହିଁ । ଯିଏ ଯୀଶୁଙ୍କ ଉଦ୍ଦେଶ୍ୟରେ ତାଙ୍କରି ପଥରେ ଆପଣାର ସବୁ କିଛି ସମର୍ପଣ କରିଦେବ, ସବୁ ଦମ୍ଭ ଓ ଗର୍ବକୁ ଚୂରି ଯିଏ ଯୀଶୁଙ୍କୁ ଜୀବନ ଓ ମରଣର ଏକମାତ୍ର ନିର୍ଭର ବୋଲି ଗ୍ରହଣ କରିବ, ସିଏ ନିଶ୍ଚୟ ଯୀଶୁଙ୍କର ଦର୍ଶନ ଲାଭ କରିବ । କିନ୍ତୁ ସମର୍ପଣରେ ଅଭାବ ରହିଥିଲା ପର୍ଯ୍ୟନ୍ତ ଯେତେ ପ୍ରମାଣ ଦେଇ ବୁଝିଲେ ମଧ୍ୟ ଯୀଶୁ ଦର୍ଶନ ସମ୍ଭବ ହୋଇ ପାରିବନାହିଁ ।

 

୧୪ । ୧୨ । ୫୧

 

ଗୁଡ଼ାଏ ଲେଖିବାର, ନାନା ଅଳଙ୍କାରର ସୁସଜ୍ଜିତ ରୂପ ଦେଇ ସାହିତ୍ୟ-ରଚନା କରିବାର ସବୁ ଉତ୍ସାହ ସତେ ଯେପରି ମୋ’ ଭିତରୁ କ୍ରମେ ଚାଲିଯିବା ପରି ଲାଗୁଚି । କିନ୍ତୁ ତା’ ବୋଲି ଭିତରର ନିଆଁ ଯେ ନିଭିଯାଉଚି, ତାହା ଆଦୌ ନୁହେଁ । ଅତି ପ୍ରବଳ ହୋଇ ଆଜି ମୋ’ ଭିତରେ ଥାଇ କିଏ ଯେପରି କହିଉଠୁଚି, ଏତେ ଜ୍ଞାନ ଓ ଏତେ ଅନୁଭୂତିଦ୍ଵାରା ଏପର୍ଯ୍ୟନ୍ତ ମୁଁ ଯେତିକି ପାଇଚି, ସେସବୁକୁ ମୁଁ ସବୁ ମଣିଷ ଆଗରେ କହିବୁଲିବି । ଯାହାକୁ ମୁଁ ଏତେ ଦିନଯାଏ କେବଳ ଆପଣାର ଅର୍ଜିତ ସମ୍ପଦରୂପେ ଧରିରଖିଚି, ତାକୁ ମୁଁ ସବୁରି ପାତ୍ରରେ ବିତରଣ କରିଦେବି, ସବୁରି ସହିତ ଭାଗବାଣ୍ଟି ମୁଁ କୃତାର୍ଥ ହେବି । ନାନା ଦିନର ନାନା ଚିତ୍ତପ୍ରକାଶ ମୋର ଅନୁଭୂତିକୁ ଉଜ୍ଜ୍ଵଳ କରିକରି ଆସିଚି, ସେହି ଚିତ୍ତପ୍ରକାଶର ଅନିବାର୍ଯ୍ୟତା ଓ ସମୃଦ୍ଧି ବିଷୟରେ ମୁଁ ଆଜି କାନେକାନେ କହିବୁଲିବି ।

 

ଶାନ୍ତିନିକେତନରେ ଧର୍ମଗବେଷଣା କରି ବହି ଲେଖୁଥିଲା ବେଳେ ମୁଁ ମଝିରେ ମଝିରେ ଏହିପରି ଏକ କ୍ଲାନ୍ତି ଅନୁଭବ କରୁଥିଲି । ଖାଲି ଜାଣିବାପାଇଁ, ନାନା ବହି ଭିତରୁ ଆପଣାଲାଗି ଖାଲି ଲେଖିବାର ପୁଞ୍ଜି ସଂଗ୍ରହ କରିବାପାଇଁ ମୁଁ ସେତେବେଳେ ଯେତିକି ଯେତିକି ଧର୍ମଶାସ୍ତ୍ର ପଢ଼ୁଥିଲି, ମୋତେ ସେତିକି ଅସନ୍ତୋଷ ଓ ସେତିକି ଅବସନ୍ନତା ଗ୍ରାସ କରି ପକାଉଥିଲା । କାଳେକାଳେ ଯାହା ଶତମୁଖରେ କୁହା ହୋଇଆସିଚି, ସେହି ସତ୍ୟରୁ ଏକ ନୂଆଢଙ୍ଗ ବା ନୂଆ ଉଦାହରଣ ଦେଇ କହିବାରେ ଯେ ବେଶି କିଛି ଲାଭ ନାହିଁ, ମୁଁ ବାରବାର ଏହାହିଁ ଅନୁଭବ କରୁଥିଲି-। କିନ୍ତୁ ଯେଉଁ ଉବ୍ଦଭାସ ଓ ଯେଉଁ ଅନୁଭୂତିକୁ ମୁଁ ସବୁରି ପରମସତ୍ୟ ରୂପେ ଗ୍ରହଣ କରୁଚି, ତାହାକୁ ହିଁ ଦ୍ଵାରେଦ୍ଵାରେ ଓ କାନେକନେ ବିତରଣ କରିବାର ପ୍ରେରଣା ମୋତେ ଯେପରି ସବୁ ପୁସ୍ତକଚର୍ଚ୍ଚାରୁ କ୍ରମେ ଅପସରାଇ ନେଉଥିଲା । ସାଇତିବାର ଲାଳସାରେ ଅଧିକରୁ ଅଧିକ ଜାଣି ମୁଁ ଯେପରି ମୋ’ ପ୍ରାଣର ସମସ୍ତ ମଧୁକୋଷକୁ ବଡ଼ ନିଷ୍ପ୍ରାଣ କରି ପକାଉଥିଲି ! ସେତିକିବେଳେ ସାରା ଜଗତର ଜନସଭାକୁ ପ୍ରେରିତ ହେବାର ଏକ ନୂତନ ସ୍ଵପ୍ନ ଯେପରି ମୋର ନୂଆ ସମ୍ପଦପରି ମୋତେ ଚକିତ କରିଦେଇ ଯାଉଥିଲା । ଆଜି ପୁଣି ତାହାରି ସ୍ପର୍ଶ ଆସି ବାଜିଚି ।

 

୧୫ । ୧୨ । ୫୧

 

ଗୋଟାଏ ପାଖରେ ଧର୍ମଦୃଷ୍ଟି ବା ତତ୍ତ୍ଵଦୃଷ୍ଟି ଏବଂ ଆଉ ଗୋଟାଏ ପାଖରେ Theology ! ଗୋଟିକର ଲକ୍ଷ୍ୟ ହେଉଚି, ଈଶ୍ଵରପ୍ରତ୍ୟକ୍ଷ ବା ବ୍ରହ୍ମବିହାର, ଆଉ ଗୋଟିକର ଲକ୍ଷ୍ୟ ବୌଦ୍ଧିକତଥ୍ୟ ଆବିଷ୍କାର । ଜୀବନର ସବୁ ବାସନା, ସବୁ ପିପାସା ଓ ସବୁ ଅସନ୍ତୋଷ ଯେତେବେଳେ ଜଗତର ଶ୍ରେଷ୍ଠତମ ସମ୍ପଦକୁ ଉପଲବ୍‌ଧି କରିବାର ଉଦ୍ଦେଶ୍ୟରେ ପ୍ରେରିତ ହୁଏ, ଧର୍ମଜୀବନର ଆରମ୍ଭ ସେଇଠୁ ହୁଏ । ପ୍ରତି ମୁହୂର୍ତ୍ତର ଜୀବନରେ ପରମ ଅସନ୍ତୋଷ, ପ୍ରତିଦିନର ଉପଭୋଗରେ ଅପରିତୃପ୍ତି, ଆପଣା ଜୀବନର ଦୃଷ୍ଟି ଭିତରଦେଇ ଚିରବ୍ୟାପ୍ତ ଓ ଚିରସ୍ଥାୟୀ କରି କିଛି ପାଇବାଲାଗି ନିତ୍ୟକ୍ଷୁଧା, ଏହାହିଁ ଜୀବନ୍ତ ଧର୍ମର ଲକ୍ଷଣ । ଏହାହିଁ ଧର୍ମର ସବୁଠାରୁ ବଡ଼କଥା; ଅନ୍ୟ ସକଳ ତତ୍ତ୍ଵ, ଆଚରଣ ଓ ଆଡ଼ମ୍ବର ଏହାର ସମ୍ମୁଖରେ ଅତି ଗୌଣ । ଅପରପକ୍ଷରେ Theology ହେଉଚି ନିତ୍ୟସ୍ଥାଣୁ, କୌଣସି ଗୋଟିଏ ତତ୍ତ୍ଵରେ ବିଶ୍ଵାସ କରି ହୃଦୟର ଦ୍ଵାରକୁ ବନ୍ଦକରି ରଖିବାର ପ୍ରବର୍ତ୍ତନା ଓ ପ୍ରଚାର ଆମକୁ ସବୁପ୍ରକାର Theologyରେ ଦେଖିବାକୁ ମିଳିବ-। ମୋ’ରି ବିଶ୍ଵାସ ହେଉଚି ଏକମାତ୍ର ବିଶ୍ଵାସ ଓ ଏକମାତ୍ର ପଥ; ଜୀବନରେ ଆଉ କିଛି ହେବାରନାହିଁ ଓ ଆଉ କିଛି ଅନୁଭବ କରିବାର ନାହିଁ,–ଏହିପରି ଏକ କୂପ ଭିତରେ theology ଆପଣାକୁ ବେଶ୍ ଜୀଆଇ ରଖିପାରେ ।

 

ସବୁଧର୍ମର ଇତିହାସରେ ଯେତେପ୍ରକାର ବିପ୍ଳବ ଓ ଯେତେପ୍ରକାର ସଂସ୍ଥାପନ ଘଟିଚି, ସେସବୁ ଏହି ପ୍ରତିଷ୍ଠିତ theology ବିରୁଦ୍ଧରେ ହିଁ ନିର୍ଦ୍ଧେଶିତ ହୋଇଚି । ଧର୍ମ ଯେ ଦୃଷ୍ଟି ଓ ଉପଲବଧିର ବସ୍ତୁ, theology ଯେ ସେହି ବସ୍ତୁକୁ ଲାଭ କରିବାଲାଗି କେବଳ ସହାୟକ ମାତ୍ର, ପ୍ରତ୍ୟେକ ନୂତନ ଧର୍ମନେତା ବାରବାର ଏହିକଥା ଘୋଷଣା କରିଚନ୍ତି । theology ଆମକୁ କଦାପି ପରମ ଆଶ୍ରୟ ଦେଇ ପାରିବ ନାହିଁ । କାଲିର ଯୁଗଠାରୁ ଆଜିର ଯୁଗ ଯେଉଁସବୁ challenge ଗ୍ରହଣ କରୁଚି, ତାହାକୁ ସେହିସବୁ challengeର ଜବାବ ଦେବାକୁ ହେବ । ଧର୍ମ ଜୀବନରେ ଓ ଧର୍ମର ଇତିହାସରେ ମଧ୍ୟ ଏହି ଆହ୍ଵାନ ଓ ଜବାବର ପ୍ରକ୍ରିୟା କାର୍ଯ୍ୟ କରୁଚି । ପ୍ରତ୍ୟେକ ଯୁଗରେ, ପ୍ରତ୍ୟେକ ଦେଶ ଓ ପ୍ରତ୍ୟେକ ସଭ୍ୟତାରେ, ଜୀବନର ପ୍ରତ୍ୟେକ ଦିବସରେ ଓ ମୁହୂର୍ତ୍ତରେ ଧର୍ମସ୍ଥିତ ଜାଗ୍ରତ ମଣିଷ ଯୁଗର ଆହ୍ଵାନଗୁଡ଼ିକର ଜବାବ ଦେଇଆସୁଚି, ଏହାରିଦ୍ଵାରା ହିଁ ଧର୍ମର ସତ୍ୟ ଓ ଧର୍ମର ସନ୍ଦେଶ ଚିରନୂତନ ଓ ଚିରପ୍ରେରଣାମୟ ହୋଇ ରହିଚି ।

 

୧୭ । ୧୨ । ୫୧

 

‘ଆମେ ବିଶ୍ଵାସ କରୁ ଆମର ଧର୍ମ ସବୁଧର୍ମର ଉପରେ’, ଡେନ୍‍ମାର୍କର ଏକ ମଫସଲ ଗାଆଁରେ କାଲି ଏହିପରି ଗୋଟିଏ ଯୁକ୍ତି ମୁଁ ଶୁଣିବାକୁ ପାଇଲି । ମୋ’ ଧର୍ମ ଶ୍ରେଷ୍ଠ ହେବ ବା ନ ହେଉ, ମୋ’ର ନିଜ ଜୀବନ ଭିତରେ ଯଦି ଧର୍ମଲାଗି ଏତେଟିକିଏ ସ୍ଥାନ ରହିଥିବ, ତେବେ ସେହି ଧର୍ମର ନିର୍ଦ୍ଦିଷ୍ଟ ପଥଟି ଆଡ଼କୁ ମୋର ଜୀବନ ସ୍ଵଭାବତଃ ଆକୃଷ୍ଟ ହେବ । ଆହୁରି ଅଧିକ ସ୍ପଷ୍ଟ କରି କହିବାକୁ ଗଲେ, ମୁଁ ଯଦି ଯୀଶୁଖ୍ରୀଷ୍ଟଙ୍କୁ ଏକମାତ୍ର ଭଗବାନ ବୋଲି ମାନିଥିବି, ତେବେ ମୋ’ ଜୀବନର ସକଳ କ୍ଷେତ୍ରରେ ତାଙ୍କର ବାଣୀ ଓ ତାଙ୍କରି ଆଲୋକକୁ ପ୍ରତିଫଳିତ କରିବାର ଚେଷ୍ଟା ମୁଁ ସ୍ଵତଃ କରିବି । ଏଦେଶରେ ଅନେକ ଲୋକ ଅଛନ୍ତି, ଯେଉଁମାନେ କି ଦିନର ଚବିଶି ଘଣ୍ଟା ଆପଣା ଲାଭ ଓ ଆପଣା ଲୋଭର ଆୟତନ ଭିତରେ ଆବିଷ୍ଟ ହୋଇ ରହିଚନ୍ତି । ରାଜନୀତିର ହାୱା ବଦଳିବା ସଙ୍ଗେ ସଙ୍ଗେ ସେମାନେ ଗୋଟାକପରେ ଗୋଟାଏ ଜାତିକୁ ଘୃଣା କରି ଶିଖିଚନ୍ତି, ସେମାନେ ଆପଣାର ଧର୍ମକୁ ମଧ୍ୟ ଅନ୍ୟ ସକଳ ଧର୍ମଠାରୁ ବଡ଼ ବୋଲି ଆଣ୍ଟ ରଖିଚନ୍ତି । ଏହିସବୁ ସ୍ଵାଧିକାର ପ୍ରମତ୍ତତା ସତ୍ତ୍ୱେ ସେମାନେ ତଥାପି ଯଦି ଯୀଶୁଖ୍ରୀଷ୍ଟଙ୍କର ମହତ୍‍ ପଥରେ ଚାଲିବାକୁ ଚେଷ୍ଟା କରୁଥାନ୍ତେ, ତେବେ ହୁଏତ ଖୁବ୍‌ ବେଶି କ୍ଷତି ହେଉନଥାନ୍ତା । ସେମାନଙ୍କର ନିଷ୍ଠା ଓ ସେମାନଙ୍କର ହୃଦୟ ଦିନେ ସେମାନଙ୍କ ଅନ୍ଧଯୁକ୍ତିକୁ କାଟି ଦେଇପାରନ୍ତା ।

 

ଏପରି ଅନ୍ଧଯୁକ୍ତି କରୁଥିବା ମଣିଷ ଆଜି ପୃଥିବୀର ପ୍ରତ୍ୟେକ ଧର୍ମରେ ହଜାର ହଜାର ସଂଖ୍ୟାରେ ଅଛନ୍ତି । ହୁଏତ ସେହିମାନେ ହିଁ ଆଜି ସବୁଠାରେ ସମାଜ ଉପରେ ଛତ୍ର ଧରି ବସିଚନ୍ତି-। ତେଣୁ ଆମ ଇତିହାସରେ ଧର୍ମ ପ୍ରଧାନତତଃ କେବଳ ହାନି ଘଟାଇ ଆସିଚି । ଆପଣାର ମୋହଗୁଡ଼ାକୁ ବିଶ୍ଵାସ ବୋଲି ପ୍ରଚାର କରି ଜଗତର ଲୋକଜୀବନରେ ଏହା ପ୍ରଧାନତଃ କେବଳ ଅବିଶ୍ଵାସ ହିଁ ସୃଷ୍ଟି କରିଚି ।

 

୧୮ । ୧୨ । ୫୧

 

ମଣିଷ ଯେତେବେଳେ ଧର୍ମ ବିଷୟରେ ଯୁକ୍ତି କରିବାକୁ ଆରମ୍ଭ କରେ, ତା’ର ଜୀବନରେ ସେତିକିବେଳେ ଆପଦ ଆସି ପହଞ୍ଚେ । ଯେତେବେଳେ ସେ ଧର୍ମ ପୁସ୍ତକରେ ଲେଖା ହୋଇଥିବା କଥାମାନ ହୃଦୟଙ୍ଗମ କରିବା ଆଗରୁ ଯୁକ୍ତିଦ୍ୱାରା ସମର୍ଥନ କରିବାର କଳହ ଆରମ୍ଭ କରେ, ସେତିକିବେଳେ ସେ ଆପଣାର ଧର୍ମ ଜୀବନ ସହିତ ସକଳ ଯୋଗସୂତ୍ର ହରାଇ ବସେ ।

 

ମୋର ଧର୍ମ ଏକମାତ୍ର ଧର୍ମ, ମୋର ଭଗବାନ ଏକମାତ୍ର ଭଗବାନ, ଏଠିକାର ଯୁବକ ମୁହଁରୁ ଏହିପରି ଯୁକ୍ତିଭାରି ଶୁଣିବାକୁ ମିଳୁଚି । ଏହି ଯୁକ୍ତିଦ୍ୱାରା ଅପର ଧର୍ମ ଓ ଅପର ପଥକୁ ହେୟ ପ୍ରମାଣିତ କରିଦେବା ଆଗରୁ ସେମାନେ ଯଦି ଆପଣା ଧର୍ମ ଓ ଧର୍ମପଥ ଆଡ଼କୁ ଅଧିକ ନିଷ୍ଠାପର ଭାବରେ ଆକୃଷ୍ଟ ହୋଇ ପାରିଥାନ୍ତେ, ତେବେ ହୁଏତ ସେମାନେ ଆପଣାର ଧର୍ମକୁ ଏତେଦୂର ବିପନ୍ନ କରିଦେଇ ନଥାନ୍ତେ । ଆଜି ଏହି ସମାଜରେ ଧର୍ମ କେଉଁ କଣରେ ଯାଇ ଲୁଚି ରହିଲାଣି । ରବିବାର ସକାଳର ଘଣ୍ଟାକର ଗୀର୍ଜା ଭିତରେ ଧର୍ମକୁ କିଳିଦେଇ ପାଶ୍ଚାତ୍ୟ ଜଗତ ଆଜି ଆପଣା ଜୀବନର ଯାବତୀୟ କ୍ଷେତ୍ରରେ ନିର୍ଭୟ ଏକଛତ୍ର ଅପଶାସନର ପକ୍ଷୀ ମେଲି ଦେଇ ବସିଚି । ମଣିଷ ଏଠି ମଣିଷକୁ ଘୃଣା କରୁଚି, ରାଜନୀତିକ ଓ ଜାତିଗତ ସ୍ଵାର୍ଥକୁ ମୋହଜାଲ କରି ଏଠି ମଣିଷ ମଣିଷକୁ ମାରିବାଲାଗି ସଜ ହେଉଚି । ଏଠିକା ଜୀବନରୁ ଯୀଶୁଖ୍ରୀଷ୍ଟ କୁଆଡ଼େ ଅପସରି ଗଲେଣି । ବିନୋଦନ କରିବାର ପର୍ବ ହିସାବରେ କେବଳ ଅଧିକ ବିନୋଦନର ଲାଇସେନ୍‌ସ ଦେବାକୁ ଧର୍ମାନୁଷ୍ଠାନଗୁଡ଼ିକର ପାଳନ କରାଯାଉଚି ।

 

ତଥାପି ଏଠିକାର ଯୁବକ ଏପରି ମୁଗ୍‌ଧ ଓ ଅନ୍ଧଭାବରେ ଧର୍ମଶାସ୍ତ୍ର ବାଇବେଲର କେତେଟା ବିଶେଷ ଧାଡ଼ିକୁ ବିଶ୍ଵାସ କରି ଆପଣାର ଉତ୍ତରାଧିକାରକୁ ଏକମାତ୍ର ଉତ୍ତରାଧିକାର ବୋଲି ଦାବି କରୁଚି କାହିଁକି ? ବାଇବେଲର ଅନ୍ୟ ସମସ୍ତ କଥାକୁ ଗୌଣ କରି ସେ କେବଳ ଏତିକି ଉପରେ ବେଶି ଜୋର ଦେଇ ଆପଣାର ସ୍ଵାଧିକାର ପ୍ରମତ୍ତତାକୁ ବଜାୟ ରଖିଚି କାହିଁକି ?

 

୧୯ । ୧୨ । ୫୧

 

ଆଜି ଏହି ବିଦ୍ୟାଳୟର ଅଧ୍ୟକ୍ଷଙ୍କର ଜନ୍ମଦିନ । ସେହି ଉପଲକ୍ଷରେ ସକାଳ ସାତଟାବେଳେ ଆମେ ସବୁ ଛାତ୍ରଛାତ୍ରୀ ମିଳି ଗୀତ ଗାଇ ତାଙ୍କୁ ଅଭିନନ୍ଦନ ଜଣାଇ ଆସିଲୁ । ତା’ପରେ ସମସ୍ତେ ଏକାଠି ବସି ସକାଳର ଉପାହାର କରିଥିଲୁ । ପ୍ରାୟ ଚାରିଶହ ଲୋକ ଚାହା ଓ ଜଳଖିଆ ଖାଇସାରିବା ପରେ କେତେ ବାସନ ଯେ ଧୋଇବାକୁ ପଡ଼ୁଥିବ, ତାହା ବେଶ୍ ଅନୁମାନ କରାଯାଇପାରେ । ରୋଷଡ଼ାରେ କାମ କରୁଥିବା ଭଉଣୀମାନଙ୍କୁ ସାହାଯ୍ୟ କରିବାଲାଗି ଆମେ ପାଞ୍ଚଜଣ ଛାତ୍ର ବି ଯାଇ ଏହି ବାସନ ଧୋଇବାରେ ଯୋଗ ଦେଇଥିଲୁ । ସବୁ କାମ ସାରିବାକୁ ପ୍ରାୟ ଦେଢ଼ଘଣ୍ଟା ସମୟ ଲାଗିଲା । ଏଠାରେ ଆମେ ଏତେ ଲୋକ ପ୍ରତିଦିନ ତିନିବକ୍ତ କରି ଖାଉଚୁ-। ତିନିବକ୍ତର ବାସନ ଧୋଇବାକୁ ଯେ ରୋଷେଇ ବିଭାଗର ଭଉଣୀମାନଙ୍କୁ କେତେ ସମୟ ଲାଗୁଥିବ, ଆଜି ବକ୍ତକର କାମ କରି ସେକଥା ବେଶ୍ ବୁଝିହେଲା ।

 

ସେବାଗ୍ରାମରେ ଛାତ୍ର, ଛାତ୍ରୀ ଓ ଶିକ୍ଷକ ସମସ୍ତଙ୍କୁ ଆପଣା ହାତରେ ଆପଣାର ବାସନ ଧୋଇବାକୁ ହୁଏ । ପ୍ରତ୍ୟେକଦିନ ଖାଇବାପରେ ପାଣିକୁଣ୍ଡ ପାଖରେ ବାସନ ଧୋଇବାର ଓ ଚଟାଣ ଧୋଇବାର ମେଳା ବସିଯାଏ । ଅବଶ୍ୟ ଆସ୍କଭ୍ କଥା କହୁକହୁ ସେବାଗ୍ରାମର କଥା ଯେ ମନେପଡ଼ିଲା, ଏହାପଛରେ ଗୋଟାକୁ ଭଲ ଓ ଆଉ ଗୋଟାକୁ ମନ୍ଦ ବୋଲି କହିବାଲାଗି ମୋର କୌଣସି ଉଦ୍ଦେଶ୍ୟ ନାହିଁ । ବିଭିନ୍ନ ସ୍ଥାନରେ ବିଭିନ୍ନ ରକମର ବ୍ୟବସ୍ଥା ରହିଚି । ତଥାପି କାହାରି ପ୍ରତି କୌଣସି ଅବିଚାର ନକରି ଅନ୍ତତଃ ଏତିକି ସତକଥା କୁହାଯାଇପାରିବ ଯେ କୌଣସି ଅନୁଷ୍ଠାନର ଯାବତୀୟ ଜୀବନଟିକୁ ନିର୍ବାହ କରିବାରେ ଛାତ୍ରମାନଙ୍କର ଯେତିକି ବେଶି ଭାଗ ରହିବ, ଅନୁଷ୍ଠାନରେ ସେତିକି ବେଶି ଜୀବନ ରହିବ, ଅନୁଷ୍ଠାନଟିକୁ ସେତିକି ବେଶି ଗୋଟିଏ ପରିବାର ବୋଲି କୁହାଯାଇପାରିବ । ଏଡ଼େବଡ଼ ଗୋଟାଏ ବିଦ୍ୟାଳୟର ବ୍ୟବସ୍ଥା ଏଠାରେ ଦିନପରେ ଦିନ ବଡ଼ ସୁରୁଖୁରରେ ଚାଲିଯାଉଚି । ରୋଷେଇ କାମଠାରୁ ଆରମ୍ଭ କରି ପରିସ୍ରା ଓ ପାଇଖାନା ଘର ସଫା କରିବା ପର୍ଯ୍ୟନ୍ତ ନାନା କାମ କରିବାର ଲୋକ ଏଠାରେ ଅଛନ୍ତି । ଆମେ ଛାତ୍ର ଛାତ୍ରୀ ଏଥିରେ କୌଣସି ପ୍ରକାରେ ଭାଗନେଇ ପାରୁଥିଲେ ବିଦ୍ୟାଳୟକୁ ଆପଣାର ବୋଲି କହିବା ଓ ଅନୁଭବ କରିବାର ଅବସର ଏଠାରେ ହୁଏତ ଅଧିକ ମିଳିପାରନ୍ତା ।

 

୨୧ । ୧୨ । ୫୧

 

ବେଳେବେଳେ ହଠାତ୍ କେଉଁ ରାଜ୍ୟରୁ କେତେ Revelation ବହନ କରି ଆଣିଲାପରି ମୋର ମନ ନାନା କଥା, ନାନା ଭାବନା ଓ ନାନା ରଚନାରେ ଭରପୂର ହୋଇଉଠେ-। ସେତେବେଳେ ଜଗତର ସବୁ ଆଲୁଅ ଓ ସବୁ ମୁକ୍ତ ପବନ ଯେପରି ମୋହରି ପ୍ରାଣ ଦ୍ଵାରର ପଥଦେଇ ପ୍ରବାହିତ ହେଲାପରି ମନେହୁଏ ।

 

କାଲି ସକାଳବେଳା ସେହିପରି ଗୋଟାଏ ବେଳ ଆସିଥିଲା । କେତେକଅଣ ରଚନା କରିବାର ବାସରଘରେ ମୁଁ ଯେପରି ଆପେ ଅଭିଭୂତ ହୋଇ ବସିଥିଲି । ସେତେବେଳେ ସେହି ଅଭିଭୂତିର କାହାଣୀକୁ ଏହି ଖାତାରେ ଲେଖିବାର କଥା ମୁଁ ହିଁ ମନଭିତରେ ପହଞ୍ଚି ପାରିନଥିଲା । କୌଣସି ପ୍ରକାର ସଞ୍ଚୟ ବା ସଂଗ୍ରହ ବିଷୟରେ ଚିନ୍ତା କରିବାର ସବୁ ଅବସର ଯେପରି କିଏ କୁଆଡ଼େ ଉଡ଼ାଇ ନେଇଥିଲା ।

 

ଉପରବେଳା ମୁଁ ପୁଣି ସାଧାରଣ ମଣିଷପରି ଏଇ ଖାତା ଧରି ବସିଲି । ସେତେବେଳେ ମନର ସେହି ନିମଗ୍ନତା ଆଉ ନାହିଁ । ନିମ୍ନଗତା ହରାଇ ବସିବା ସଙ୍ଗେସଙ୍ଗେ ସେହି ଭାବନା ମଧ୍ୟ ଅନ୍ତର୍ହିତ ହୋଇଯାଇଚି । କେତେ ମନେ ପକାଇଲି, ହୁଏତ ହାବୁଡ଼େ ପଡ଼ିଯିବ ବୋଲି ପଛର ମୁହୂର୍ତ୍ତଗୁଡ଼ାକୁ କେତେ ନିଖାରି କରି ଭାବିଲି, କିନ୍ତୁ କିଛି ମନେପଡ଼ିଲା ନାହିଁ । ଏହି ହଜାଧନର ଅଭାବରେ ଭାରି ବିକଳ ହୋଇ ପଡ଼ିଥିବା ବେଳେ ଆଉ ଏ ଖାତାରେ ବାଛି ବିଚାରି କିଛି ଲେଖିବାର ମନ ବା କୁଆଡ଼ୁ ଆସନ୍ତା ? ଏହିପରି ଭାବରେ ମୋର କାଲି ଦିନଟା ଫାଙ୍କା ପଡ଼ିଗଲା-। ଜାଣେନା, ମୁଁ ଯାହାକୁ ଧରି ରଖି ପାରିଲିନାହିଁ, ମନର ଯେଉଁ ମୁହୂର୍ତ୍ତଟିର ବିଚିତ୍ରତାକୁ ଆଙ୍କି ରଖି ପାରିଲିନାହିଁ, ହୁଏତ ସେ ଆହୁରି ଥରେ ହଠାତ୍ ଆସି ମୋତେ ପୁଣି ବିସ୍ମିତ କରିବ କି ନାହିଁ । ତଥାପି ଏ ମନ ବାରବାର କହୁଚି, ସଂସାରରେ ବା ଜୀବନରେ ହରାଇବାର କିଛି ହେଲେ ନାହିଁ । ଯିଏ ଆଜି ନାନା ବ୍ୟସ୍ତତାର ଭୂଇଁତଳେ ମଜ୍ଜି ହୋଇ ଲୁଚି ରହିଚି, ସେଇ କାଲି ଗଛ ହୋଇ ପ୍ରକାଶିତ ହୋଇଉଠିବ ।

 

୭ । ୧ । ୫୨

 

ପ୍ରାୟ ତିନିସପ୍ତାହ ଗଡ଼ିଗଲା ପରେ ଏହି ଖାତା ଆଜି ପୁଣି ମନେପଡ଼ିଲା । ଏହା ଭିତରେ ମୁଁ ଏଦେଶରେ କେତେ ପରିବାରର ସମ୍ପର୍କରେ ଆସିଚି, କେତେ ମାଆ ଓ କେତେ ଭଉଣୀଙ୍କର ସ୍ନେହ ଓ ଶ୍ରଦ୍ଧା ମୋତେ ଅଭିଭୂତ କରି ଦେଇଚି । ଆପଣାର ସବୁ ଆବରଣ ଛାଡ଼ି ମୁଁ କେତେଜାଗାରେ ଆପଣାକୁ ସମର୍ପି ଦେଇଚି । ସେହିସବୁ ଅଭିଜ୍ଞତା ମୋର ଗୋଟିଏ ଗୋଟିଏ କରି ମନେ ରହିଥିବ । ପୃଥିବୀର ଏପାଖରେ ମୁଁ ଯେ କେତେଜଣଙ୍କ ସହିତ ଅବାଧରେ ମିଶିପାରିଲି, ନିର୍ବିକାରରେ ଦାନକରି ଓ ନିର୍ବିକାରରେ ଗ୍ରହଣ କରିପାରିଲି, ଏହାହିଁ ମୋ’ ଆଖିରେ ସବୁଠାରୁ ବଡ଼ କଥା । ବିଶ୍ଵବିଦ୍ୟାଳୟର ପଣ୍ଡିତମାନେ ମୋଟାମୋଟା ବହିରୁ ତଥ୍ୟ ବାହାର କରି ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତି ମଧ୍ୟରେ ରହିଥିବା ବ୍ୟବଧାନକୁ ପ୍ରମାଣକରି ବସନ୍ତି, ଆପଣାର ମୁଗ୍‌ଧ ବିଶ୍ଵାସକୁ ଏକମାତ୍ର ସତ୍ୟ ବିଶ୍ଵାସ ବୋଲି ଗ୍ରହଣ କରିଥିବା Theology ର ବୂହ୍ୟରକ୍ଷକମାନେ ହୁଏତ ଅନ୍ୟବିଶ୍ଵାସ ବା ଅନ୍ୟ ଦୃଷ୍ଟି-ସମ୍ପନ୍ନ ମଣିଷକୁ ମଣିଷ ବୋଲି ଗ୍ରହଣ କରି ପାରନ୍ତିନାହିଁ । ପିଲାଦିନୁଁ କେବଳ ଗୋଟାଏ ସଂସ୍କୃତି, ଗୋଟାଏ ଧର୍ମ ବା ଗୋଟାଏ ଜୀବନ ପ୍ରଣାଳୀରେ ଦୀକ୍ଷିତ ହୋଇ ଆସିଥିବା ସନ୍ଦେହୀ ଯୁବକ ହୁଏତ ଅନ୍ୟ ସଂସ୍କୃତି, ଅନ୍ୟ ଧର୍ମ ବା ଅନ୍ୟ ଜୀବନ ପ୍ରଣାଳୀକୁ ସୁସ୍ଥ ଓ ଶ୍ରଦ୍ଧାସମ୍ପନ୍ନ ଭାବରେ ଗ୍ରହଣ କରିପାରେ ନାହିଁ । ତେଣୁ ରାତି ତିନିଟା ପର୍ଯ୍ୟନ୍ତ ନାନା ପୁସ୍ତକର ସାହାଯ୍ୟ ନେଇ ନାନା ଯୁକ୍ତି କରି ବସିଲେ ମଧ୍ୟ ତଥାପି କଥା ଛିଣ୍ଡେନାହିଁ । କିନ୍ତୁ କୌଣସିପ୍ରକାର ଯୁକ୍ତି କରିବା ଆଗରୁ ବା ଧର୍ମର ଶିର ଓ ଶୋଣିତକୁ ନିକୁଟି ପରୀକ୍ଷା କରି ବଡ଼ସାନ ବାଛିବା ଆଗରୁ କେବଳ ଶ୍ରଦ୍ଧାର ସହିତ ନିଜର ପରିଚୟଟି ଦେଇପାରିଲେ ମଣିଷ ପ୍ରତ୍ୟେକ ଧର୍ମ ଓ ପ୍ରତ୍ୟେକ ସଂସ୍କୃତିର ବ୍ୟବଧାନକୁ ଦୂରକରି ସବୁରି ଅନ୍ତରର ସ୍ନେହ ଅର୍ଜ୍ଜନ କରିପାରିବ, ସବୁରି ଦୁଆରେ ଜଣେ ପରିଚିତ ଆପଣାର ମଣିଷପରି ତାକୁ ଘର ଭିତରକୁ ଡାକି ନେବାଲାଗି କଦାପି ମଣିଷର ଅଭାବ ହେବନାହିଁ । ଗତ କେତୋଟି ସପ୍ତାହରେ କେତୋଟି ପରିବାରର ସମ୍ପର୍କରେ ଆସି ମୁଁ ଏହି ସତ୍ୟଟିର ପ୍ରମାଣ ପାଇଚି ।

 

୮ । ୧ । ୫୨

 

କାଲି ରାତି ଦୁଇଟା ଯାଏ ଆମେ କେତେଜଣ ଛାତ୍ର ଓ ଜଣେ ଶିକ୍ଷକ ଗଣବିଦ୍ୟାଳୟ ସମ୍ବନ୍ଧରେ ଆଲୋଚନା କରିଥିଲୁ । ଧର୍ମ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଧର୍ମ ବୋଇଲେ ଯେଉଁମାନେ ବାଇବେଲ ଛଡ଼ା ଅନ୍ୟ କିଛି ସ୍ଵୀକାର କରନ୍ତି ନାହିଁ, ସେମାନଙ୍କର ମତାମତ ମଧ୍ୟ ବେଶ୍ ଶୁଣିବାକୁ ମିଳିଲା । ବାଇବେଲ୍ ଭିତରେ ଥିବା କେଉଁ ମହାପୁରୁଷଙ୍କର ବାଣୀ ଖ୍ରୀଷ୍ଟଧର୍ମରେ କେତେଦୂର ଗ୍ରହଣୀୟ ବା ଗ୍ରହଣୀୟ ନୁହେଁ, ଏହି ବିଷୟରେ ଭାରି କଥା କଟା କଟି ଚାଲିଥିଲା । ବିଜ୍ଞାନ ଆମ ପୃଥିବୀକୁ ଏକାଠି କରିଚି, ଦୂରତାକୁ ଜୟ କରିଚି, ନାନପ୍ରକାର ମନୋଦୃଷ୍ଟି ଓ ବିଚାରଧାରାକୁ ଏକତ୍ର କରାଇଚି, ବୋଲି ଆଜି ଭାରି ଶୁଣିବାକୁ ମିଳେ । ଏହି ବୃହତ୍ତର ପୃଥିବୀରେ ଆମେ ପରସ୍ପରକୁ ଜାଣିବାଲାଗି ଏତେବଡ଼ ପ୍ରଶସ୍ତ କ୍ଷେତ୍ର ପାଇଥିଲା ବେଳେ କିପରି ଯେ ଜଗତର ଆଉସବୁ ଧର୍ମକୁ ସ୍ଵୀକାର କରିବୁନାହିଁ, ଆମ ନିଜ ଧର୍ମଟାକୁ ହିଁ କିପରି ଏକମାତ୍ର ଧର୍ମ ବୋଲି ଯୁକ୍ତି କରିବାକୁ ଯିବୁ, ମୁଁ ଏକଥା ବୁଝି ପାରିଲି ନାହିଁ ।

 

କିନ୍ତୁ କେବଳ ଚାହାକଫି କ୍ଳବର ଆଲୋଚନା ଦ୍ଵାରା ଯଦି ଧର୍ମର ସାର ଓ ଗଭୀରତାକୁ ବୁଝି ହେଉଥାନ୍ତା ! ଖାଲି ଯୁକ୍ତି ଦେଖାଇ ଯଦି ସବୁ ଧର୍ମ ଓ ସବୁ ବିଚାରକୁ ସମ୍ମାନ ଦେଖାଇବାଲାଗି ମଣିଷକୁ ଉଦ୍‌ବୁଦ୍ଧ କରାଯାଇ ପାରୁଥାନ୍ତା ! ଧର୍ମ ହେଉଚି ଏକ ଜୀବନ-ପଥ; ଯିଏ ଆପଣା ଜୀବନପଥର ଆଗେ ଆଗେ ଧର୍ମର ଦୃଷ୍ଟି ରଖି ପାରିନାହିଁ, ସିଏ ଆପଣାର ଧର୍ମକୁ ମଧ୍ୟ ସତ୍ୟ ଓ ଗଭୀରରୂପେ ଗ୍ରହଣ କରି ପାରିବନାହିଁ । ଅନ୍ୟ ଧର୍ମକୁ ବୁଝିବାର ପ୍ରଶ୍ନ ହିଁ ଉଠୁ ନାହିଁ । ମଣିଷ ଯେଉଁଦିନ ଆପଣାର ଭଗବାନ ଓ ଆପଣାର ଜୀବନ ମଧ୍ୟରେ ଧର୍ମକୁ ସେତୁପରି ବାନ୍ଧି ପାରିବ, ସେଇଦିନ ସେ ବଡ଼ ହେବ, ସେଇଦିନ ତା’ର ହିରଣ୍ମୟ ପାତ୍ର ଅପସରି ଯିବ ।

 

୧୧ । ୧ । ୫୨

 

ଡେନ୍‍ମାର୍କର ଆଉଗୋଟିଏ ଗଣ ବିଦ୍ୟାଳୟରେ ମୋର ପ୍ରଥମ ସକାଳ । କାଲି ଏଠାରେ ପହଞ୍ଚି କେତେ ନୂଆ ବନ୍ଧୁଙ୍କ ସହିତ ପରିଚୟ ହେଲା, ଘଣ୍ଟାକ ଭିତରେ କେତେ ଆଳାପ-ପରିଚୟର ନୂଆ ସଂସାର ଗଢ଼ିଉଠିଲା । ନୂଆ ପରିବେଶଟିକୁ ଆପଣାର କରି ନେବାକୁ ଯେପରି କୌଣସି ପ୍ରକାରେ ଅସଜ ଲାଗିଲାନାହିଁ । ପୁରୁଣାକୁ ଛାଡ଼ି, ନୂଆକୁ ଗ୍ରହଣ କଲାବେଳେ ଏହି ସହଜତା ହିଁ ମୋର ସବୁଦିନର ସମ୍ପଦ ହୋଇ ରହିଥାଉ । ଛାଡ଼ି ଆସିବା ଓ ଗ୍ରହଣ କରିବାର ସହଜତା, ଦେବା ଓ ନେବାର ସହଜତା ମୋତେ ଚିରଦିନ କ୍ଷେତ୍ରରୁ, କ୍ଷେତ୍ରାନ୍ତରକୁ ପ୍ରେରିତ କରୁଥାଉ ।

 

ଗତ ଦେଢ଼ମାସ କାଳ ମୁଁ ଯେଉଁ ଗଣବିଦ୍ୟାଳୟଟିରେ ଥିଲି, ସେଠି ଛାତ୍ରସଂଖ୍ୟା ପ୍ରାୟ ତିନିଶହରୁ ବେଶି । କେତେ ଯୁକ୍ତି ଓ କେତେ ଆଲୋଚନାରେ ସେଠି ରାତି ତିନିଟା ବାଜି ଯାଉଥିଲା-। ଅଥଚ ଜଣକ ସହିତ ନିକଟ ପରିଚୟରେ ଆସି ଜଣେ ବ୍ୟକ୍ତି ହିସାବରେ ତା’ର ଭିତରଟାକୁ ଜାଣିବାଲାଗି ସେଠି ସବୁବେଳେ ସୁବିଧା ମିଳୁନଥିଲା । ତେଣୁ ଅନେକ ସମୟରେ ଆଲୋଚନାଗୁଡ଼ାକ ଭାରି କୃତ୍ରିମ ଲାଗୁଥିଲା । ଆପେ କିଏ କିପରି ଭାବୁଚି, ଆପେ କିଏ କିପରି ବିଶ୍ଵାସ କରୁଚି, ସେ ସବୁକୁ ଘୋଡ଼ାଇରଖି ସେଠି ସମସ୍ତେ ଯେପରି ସାଧାରଣତଃ ଏକ class-room ଆଲୋଚନା କରିବାକୁ ଭାରି ଭଲ ପାଉଥିଲେ । ଆଜିଠାରୁ ଯେଉଁ ବିଦ୍ୟାଳୟଟିରେ ମୋର ଦୁଇସପ୍ତାହ କଟିବ, ସେଠିକାର ଛାତ୍ରସଂଖ୍ୟା ଅପେକ୍ଷାକୃତ ଅନେକ କମ୍ । ତେଣୁ ଭାରି ସାହସ ହେଉଚି ଯେ ମୁଁ ଏଠାରେ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନିବି, ପ୍ରତ୍ୟେକର ମନକଥା, ତା’ର ଅତୀତ ଓ ଆଶାର କାହାଣୀମାନ ଶୁଣିବି । ଜଣ ଜଣ କରି ପ୍ରତ୍ୟେକର ଅଭିଜ୍ଞତା ଓ ପ୍ରତ୍ୟେକର ଦୃଷ୍ଟିଭଙ୍ଗୀଟିକୁ ଜାଣିପାରିଲେ ତାହାହିଁ ସବୁଠାରୁ ବଡ଼ ପରିଚୟ ହେବ ।

 

୧୨ । ୧ । ୫୨

 

ଦୁଇଦିନ ହେଲା ଗୋଟାଏ ଆତ୍ମଗ୍ଳାନି ମୋତେ ମାଡ଼ିବସି ଅବଶ କରି ରଖିଚି । ଆପେ ଅଯତ୍ନଶୀଳ ଭାବରେ ମୁଁ ଅନେକ ଭାଙ୍ଗିଚି, ଅନେକ ହଜାଇଚି, ଅନେକ ହରାଇଚି; କିନ୍ତୁ ଏଥରକ ପରି ସେହି ସବୁ ବିଷୟରେ ଭାବିଭାବି ଆଉ କେବେ ମୁଁ ଆପଣକୁ ଏତେଦୂର କ୍ଷୁନ୍ନ କରିନଥିଲି । ଜାଣେନା, ମନଭିତରେ କେବେ ଗ୍ଳାନିର ପରିପୂରଣ ହେବ, ପ୍ରାଣ ତା’ର ନିଜସ୍ଵ ଆନନ୍ଦରେ ପୁଣି କେବେ ସରସ ହୋଇ ଉଠିବ ! ଗୁରୁଦେବଙ୍କର ଗୋଟିଏ କବିତା ଆଜି ଭାରି ମନେପଡ଼ୁଚି, ଏପର୍ଯ୍ୟନ୍ତ ମୁଁ ରଖିବାର ଯୋଗ୍ୟ ହୁଏତ କିଛି ରଖି ପାରିନାହିଁ, ପରମ ସମ୍ପଦକୁ ମୁଁ ହୁଏତ ଆପଣାର ସମ୍ପଦ ପରି ଧରି ପାରିନାହିଁ । ସେଇଥିଲାଗି ସାଇତି ରଖିଥିବା ମାଟି ଗୋଡ଼ିରୁ ତିଳେ କୋଉଠି ହଜାଇ ପକାଇଲେ, କୋଉଠି ସଂଖ୍ୟା ଗୋଟାଏ କମ୍ ହୋଇଗଲେ ମୋର ପ୍ରାଣ ହାହାକାର କରି ଉଠୁଚି । ଯିଏ ପ୍ରକୃତରେ ପାଇଚି, ସିଏ ହଜାଇବାର ଦୁଃଖ ଓ ଗ୍ଳାନିକୁ ମହଦୟା ଜୟ କରିପାରିଚି । ଯିଏ ପ୍ରକୃତରେ ସାଇତି ରଖିଚି, ସିଏ ସକଳ କାର୍ପଣ୍ୟ ଭୁଲି ଆପଣାର ସବୁ ଦୁଆର ଖୋଲିଦେଇ ପାରିଚି ।

 

ଏଠି ଏ ପର୍ଯ୍ୟନ୍ତ ବିଦେଶୀ ପରି ମନେହେଉଚି । ଏପର୍ଯ୍ୟନ୍ତ ମୁଁ ଏଠାରେ ମୋର ପ୍ରତିବେଶିମାନଙ୍କର ସ୍ଵାଭାବିକ କଥା ଶୁଣିନାହିଁ, ସେମାନଙ୍କ ସ୍ଵାଭାବିକ ଆନନ୍ଦରେ ଭାଗି ହୋଇ ପାରିନାହିଁ । ହୁଏତ ମୋର ଦୁଆରଟିକୁ ମୁଁ ଏପର୍ଯ୍ୟନ୍ତ ଯଥାର୍ଥରୂପେ ଖୋଲିଦେଇ ପାରିନାହିଁ, ତାହାହିଁ ଏକମାତ୍ର କାରଣ । ସହଜରେ ଗ୍ରହଣ କରିପାରିବା ଓ ସହଜରେ ଦେଇପାରିବା,—ଏହାହିଁ ହେଉଚି ମଣିଷ ସହିତ ବା ସୃଷ୍ଟିର ଜୀବନ ସହିତ ସମ୍ମିଳିତ ହୋଇପାରିବାର ପ୍ରଥମ ମନ୍ତ୍ର । ଆପଣାକୁ ଗୂଢ଼ ଓ ଅବଗୁଣ୍ଡିତ କରି ରଖିବାର ଲାଳସା ଯେତିକି ଜମିବ, ଆପଣାର ପ୍ରତିବେଶ ସହିତ ପରିଚୟ ସେତିକି ଗଭୀର ହୋଇପାରିବ ।

 

୧୩ । ୧ । ୫୨

 

ଦକ୍ଷିଣ ଭାରତର ଅନେକ ଗାଆଁରେ ମୁଁ ଭଜନ ମନ୍ଦିର ଦେଖିଚି । ଅବଶ୍ୟ କେବଳ ଉଚ୍ଚଜାତିମାନେ ସେହି ଭଜନ ମନ୍ଦିରରେ ଏକତ୍ରିତ ହେବାର ବିଶେଷ ସୁବିଧା ପାଇଥାନ୍ତି । ଡେନ୍‍ମାର୍କର ଅନେକ ଗାଆଁରେ ଏହିପରି ସଭାଘର (Forsamlingshus)ମାନ ରହିଚି । ଏହି ସଭାଘର ପ୍ରତ୍ୟେକ ଗାଆଁକୁ ବୃହତ୍ତର ସମାଜ ଓ ବୃହତ୍ତର ବିଶ୍ଵସହିତ ସମ୍ପୃକ୍ତ କରି ରଖିଚି । ଏଇ ଘରେ ଏକାଠି ହୋଇ ଏକାଠି ନାନା ଆଲୋଚନା ଶୁଣି, ଏକାଠି ବିନୋଦନ-ଅନୁଷ୍ଠାନର ଆୟୋଜନ କରି ଡେନ୍‍ମାର୍କର ଅଧିବାସୀ ଏକ ସମୃଦ୍ଧ ଲୋକସଂସ୍କୃତ ଗଢ଼ିପାରିଚି । ଆଜି ଗୋଟିଏ ବକ୍ତୃତାରେ ସେଇକଥା ଶୁଣୁଥିଲି । ବର୍ତ୍ତମାନ ଶିଳ୍ପ ଉଦ୍ୟୋଗ ଓ ଯୁଦ୍ଧ ପ୍ରମାଦର ଜଟିଳତା ବଢ଼ିବା ସଙ୍ଗେସଙ୍ଗେ ଏକ ଅଶୁଭ ଦୃଷ୍ଟିଭଙ୍ଗୀ ମଣିଷକୁ ଗ୍ରାସ କରିବାକୁ ବସିଚି, ସଂସାର ଓ ସମାଜରେ ତାକୁ ଯୁକ୍ତିକରି ରଖିଥିବା ନାନା ଅନୁଷ୍ଠାନର ଡୋର ଛଡ଼ାଇ ମଣିଷ କ୍ରମେ ଏକାନ୍ତ ବ୍ୟକ୍ତିବାଦର ଆବରଣ ଭିତରେ ସଙ୍କୁଚିତ ହୋଇଯାଉଚି । ଲୋକମନକୁ ଏହି ସଙ୍କୁଚନରୁ ବଞ୍ଚାଇ ରଖିବାକୁ ହେଲେ, ମଣିଷପଣିଆକୁ ବଞ୍ଚାଇରଖିବାକୁ ହେଲେ ଡେନ୍‍ମାର୍କର ସଭାଘରଗୁଡ଼ିକ ଶକ୍ତିଶାଳୀ ଭାବରେ ବଞ୍ଚାଇ ରଖିବାକୁ ହେବ, ଏହାହିଁ ବକ୍ତୃତାଟିର ପ୍ରଧାନ ମର୍ମ ଥିଲା ।

 

ଆମ ଗାଆଁ ଭାଗବତ-ଆଖଡ଼ା କଥା ମନେ ପଡ଼ିଗଲା । ପ୍ରତି ଗୁରୁବାର ମହାଦେବଙ୍କ ପାଖରେ କେତେଜଣ ବୁଢ଼ା ଏକାଠି ହୋଇ ଭାଗବତ ପଢ଼ନ୍ତି । ସେମାନଙ୍କର ପିଲାଦିନେ ଏହି ଭାଗବତ-ଆଖଡ଼ାରେ ହୁଏତ ପିଲା, ଟୋକା ଓ ବୁଢ଼ା ସମସ୍ତେ ଯୋଗ ଦେଉଥିଲେ । ଏହି ଆଖଡ଼ା ହୁଏତ ଲୋକଶିକ୍ଷା ଲାଗି ଏକ ପ୍ରଧାନ ସାଧନ ରୂପେ କାର୍ଯ୍ୟ କରୁଥିଲା । ନଈକୂଳ ବାଉରୀ ସାହିରେ ମଧ୍ୟ କେତେବର୍ଷ ତଳେ ଭାଗବତ-ଆଖଡ଼ା ଗଢ଼ା ହୋଇଥିଲା । ପ୍ରତିଦିନ କାମଧନ୍ଦାରୁ ଫେରି ଅଧ୍ୟାୟେ ଭାଗବତ ପଢ଼ିବା ନାଆଁରେ ସେମାନେ ଏକାଠି ହୋଇ କେତେ କଅଣ ଆଲୋଚନା କରୁଥିଲେ, ପୂର୍ଣ୍ଣିମାକୁ ପୂର୍ଣ୍ଣିମା ଏକ ଭୋଜିର ବ୍ୟବସ୍ଥା ମଧ୍ୟ ହେଉଥିଲା । ଏହି ଭାଗବତ ଘରଟି ସତେଅବା ଏକ ଅଦୃଶ୍ୟ ଡୋରରେ ବାଉରୀ ସାହିର ସଭିଙ୍କୁ ଏକାଠି କରି ବାନ୍ଧି ରଖିଥିଲା ।

 

୧୪ । ୧ । ୫୨

 

ଏହି ଦେଶରେ, ହୁଏତ ଏହି ସଭ୍ୟତାକୁ ଖ୍ରୀଷ୍ଟଧର୍ମର ସଭ୍ୟତା ବୋଲି କହୁଥିବା ପ୍ରତ୍ୟେକ ଦେଶରେ ପ୍ରତ୍ୟେକ ରବିବାର ଦିନ ପ୍ରତ୍ୟେକ ଗୀର୍ଜାରେ ଖ୍ରୀଷ୍ଟଧର୍ମକୁ ପୃଥିବୀର ଏକମାତ୍ର ଧର୍ମ ବା ଖ୍ରୀଷ୍ଟପଥକୁ ପୃଥିବୀର ଏକମାତ୍ର ପଥବୋଲି ଘୋଷଣା କରାଯାଉଥିବ । ତେଣେ ବଡ଼ବଡ଼ ସହରରେ ଆନ୍ତର୍ଜାତିକ ଶାନ୍ତି ଓ ଆନ୍ତର୍ଜାତିକ ପ୍ରୀତିର ପ୍ରଚାର ହେଉଥିଲାବେଳେ ଏଣେ ପ୍ରତ୍ୟେକ ଗୀର୍ଜାରେ ବିଦେଶରେ ଯାଇ ଆପଣା ଧର୍ମାଚାରକୁ ଅପର ଆଚାର ଉପରେ ଲଦି ଦେଉଥିବା ପାଦ୍ରୀମାନଙ୍କର ଶୁଭକାମନା କରାଯାଉଥିବ । ସ୍ଵେଚ୍ଛାଚାର ଅର୍ଥାତ୍ ଆପଣାର ଆଚାର ଓ ଆପଣାର ବିଶ୍ଵାସକୁ ଏକମାତ୍ର ଶ୍ରେୟ ବୋଲି ମାନୁଥିବା ଏହି ଅନ୍ଧ ବିଶ୍ଵାସର ଅନ୍ତ ଯେ ପ୍ରକୃତରେ କେଉଁଠି, ସେ କଥା ଭାବିଲା ବେଳକୁ ଆମ ପୃଥିବୀର ଭବିଷ୍ୟତ ବିଷୟରେ ନାନା ଆଶଙ୍କା କରିବାକୁ ହୁଏ ।

 

ଆମ ଘରର ଭାଗବତ ଗାଦୀ କଥା ମନେପଡ଼ିଲା । ପ୍ରତିଦିନ ସେଠାରେ ସଞ୍ଜବତୀ ଜଳିବାପରେ ଅଧ୍ୟାୟେ ଭାଗବତ ପଢ଼ିବାକୁ ବାପା ଓ ବୋଉ ଏପର୍ଯ୍ୟନ୍ତ ଏକ ଅବଶ୍ୟ କର୍ତ୍ତବ୍ୟ ବୋଲି ପାଳି ଆସିଚନ୍ତି । ବିଦେଶୀ ସରକାରକୁ ସାଥୀ କରି ବିଦେଶୀ ଧର୍ମାଚାର ଆଚାର ଓ ଉଦାର ଦୃଷ୍ଟିକୁ ଗ୍ରାସ କରିବାକୁ ବସିଥିଲା ବେଳେ ଭାରତର ଲକ୍ଷଲକ୍ଷ ଗାଆଁରେ ଏହି ଭାଗବତ ଗାଦୀ ହୁଏତ ଦେଶର ମନ ଓ ଦେଶର ସାଂସ୍କୃତିକ ରକ୍ଷା କରିବାରେ ସହଯୋଗ କରି ଆସିଚି । ହୁଏତ ଯେତେ ମ୍ଳାନ ଓ ଯେତେ ଅକିଞ୍ଚନ ହେଲେ ମଧ୍ୟ ସେହିପରି ଗୋଟିଏ ଗୋଟିଏ ଅନୁଷ୍ଠାନ ଏପର୍ଯ୍ୟନ୍ତ ଆମର ନିଜସ୍ଵକୁ ସାଇତି ଆଣିଚି । ସେଥି ସକାଶେ ପାଶ୍ଚାତ୍ୟ ଶାସନ ଓ ପାଶ୍ଚାତ୍ୟ ଧର୍ମପ୍ରସାର କେତେକେତେ ସଭ୍ୟତାକୁ ମାରି ଦେଇଥିବା ବେଳେ ମୋ’ଦେଶରେ ଏପର୍ଯ୍ୟନ୍ତ ମଧ୍ୟ ନାନାକ୍ଷେତ୍ରରେ ମୋ’ଦେଶର ସଂସ୍କୃତି ନ ମରି ବଞ୍ଚି ରହିଚି ।

 

୧୫ । ୧ । ୫୨

 

ମଣିଷ ମୂଳତଃ ଏକ, ତେଣୁ ସବୁ ମଣିଷ ଆପଣା ଆପଣାକୁ ଶ୍ରଦ୍ଧା ଓ ସମ୍ମାନ କରିବେ, ଜାତିଧର୍ମ ନିର୍ବିଶେଷରେ ସବୁ ମଣିଷ ଆପଣାର ବିକାର ଲାଗି ଅନୁକୂଳ ସ୍ଵାଧୀନତା ପାଇବେ, କେତେ ପ୍ରସଙ୍ଗ କେତେ କ୍ଷେତରେ ଯୁଗଯୁଗ ଧରି ଏହିକଥା କୁହାହୋଇ ଆସିଚି । ଦ୍ଵିତୀୟ ମହାଯୁଦ୍ଧ ପରେ ଏହି ମୂଳନୀତିକୁ କେନ୍ଦ୍ରକରି କେତେ ଅନୁଷ୍ଠାନ ମଧ୍ୟ ଗଢ଼ାଯାଇଚି । ସାରା ପୃଥିବୀ ଗୋଟିଏ ଶାସନରେ ରହୁ, ଏହିପରି ଏକ ଆନ୍ଦୋଳନ ବିଷୟରେ ମଧ୍ୟ ଆଜିକାଲି ଶୁଣାଯାଉଚି । ଜାତୀୟତା, ଅର୍ଥାତ୍ ଆପଣାର ଜନ୍ମଭୂମିକୁ ପିତୃଭୂମି ବା ମାତୃଭୂମି ବୋଲି ବିଶ୍ଵାସ କରି ମଣିଷ ଯେ ଅପରଜାତି ଓ ଅପରଭୂମିକୁ ଘୃଣାକରି ଶିଖୁଚି, ଆପଣାକୁ ନାନାପ୍ରକାରେ ସଂକୀର୍ଣ୍ଣ କରି ରଖୁଚି, ଏହା ଅନେକଙ୍କର ମତ । ତେଣୁ ସକଳ ଜାତୀୟ ସରକାର ଉପରେ ଏକ ବିଶ୍ଵ ସରକାର ସ୍ଥାପିତ ହେଉ, ପ୍ରତ୍ୟେକ ଦେଶଲାଗି ସେହିଠାରୁ ଶାସନର ମୂଳନୀତିମାନ ନିର୍ଦ୍ଦିଷ୍ଟ ହେଉ, ଏହି କଥାଟିକୁ ଆଜି ଭାରି ପ୍ରଚାର କାରାଯାଉଚି । ଏପରି ଗୋଟିଏ ଅନୁଷ୍ଠାନ ବି କାଗଜ ପତ୍ରରେ ଗଢ଼ା ହୋଇସାରିଲାଣି । ଅର୍ଥାତ୍ ମଝିରେ ମଝିରେ ଗୋଟାଏ ଗୋଟାଏ ସଭା ବା ସମ୍ମିଳନୀ ଡକାଇ ପ୍ରସ୍ତାବ ପାସ୍ କରିବା ଓ ପ୍ରଚାର ପତ୍ର ଛାପିବା ବ୍ୟତୀତ ଏହି ଅନୁଷ୍ଠାନ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ଯୋଜନା ଗ୍ରହଣ କରିନାହିଁ । ପୃଥିବୀ ଗୋଟିଏ ଶାସନ ନୀତିରେ ଚଳୁ, ଏପରି କହିଲାବେଳେ ସେମାନେ ପ୍ରକୃତରେ କି ଅର୍ଥ କରନ୍ତି, ତାହା ମୁଁ ଜାଣେ ନାହିଁ । କିନ୍ତୁ ଯେଉଁ ଅନୁଷ୍ଠାନଟି ଉପରୁ ଆନ୍ତର୍ଜାତିକ ସ୍ତରରୁ ଆରମ୍ଭ ହୋଇ ଦେଶଦେଶ ବୁଲି ସଭ୍ୟସଂଗ୍ରହ ଓ ଶାଖାଗଠନ କରେ, ତା’ଉପରେ ମୋର ଖୁବ୍ ବେଶି ବିଶ୍ଵାସ ନାହିଁ । ଜାତୀୟତାକୁ ଗଣ୍ଠିକର ଇତିହାସରେ ପ୍ରଧାନତଃ fanatics ହିଁ ବାହାରିଚନ୍ତି; କଥାରେ ଓ ପ୍ରଚାରରେ ଏକ ଉଡ଼ା ଆନ୍ତର୍ଜାତୀୟତାକୁ ଗଣ୍ଠିକର ମଧ୍ୟ ମଣିଷ fanatics ହୋଇପାରେ । ଜଗତରେ ଏପରି fanaticsଙ୍କ ସଂଖ୍ୟା ଆଜି ଆଦୌ କମ୍ ହେବନାହିଁ ।

 

୧୬ । ୧ । ୫୨

 

କାର୍ଲମାର୍କସ୍‌ ଧର୍ମକୁ ଅଫିମ ବୋଲି କହିଚନ୍ତି । ହୁଏତ ସେଇଥିରୁ ଅନେକ ସମୟରେ ପ୍ରଚାର କରାଯାଏ ଯେ ଜଗତରୁ ଓ ସମାଜରୁ ଧର୍ମକୁ ବହିଷ୍କୃତ କରିଦେବା ହେଉଚି ସାମ୍ୟବାଦ ବା ମାର୍କସ୍‌ବାଦର ପ୍ରଥମ ଉଦ୍ଦେଶ୍ୟ । ଧର୍ମ ନାମରେ ଏହି ପୃଥିବୀରେ ଭଲଭେଲ କେତେ ଅଭିନୟ ହୋଇଗଲାଣି, କେତେ ରକ୍ତ ଢଳାହେଲାଣି । ଆମର ଏହି ଆନ୍ତର୍ଜାତୀୟତାର ଯୁଗରେ ମଧ୍ୟ ନାନା ରୂପ ଓ ନାନା ଢଙ୍ଗରେ ଧର୍ମକୁ ବ୍ୟବାହାର କରି ସେହି ଅଭିନୟ ବନ୍ଦ ହୋଇନାହିଁ । ଏଠୁ ପଇସା ଖରଚ ହୋଇ ଧର୍ମନାମରେ ବିଦେଶରେ ଧର୍ମକୁ ଜୟ କରିବା ସକାଶେ ମଣିଷ ପଠାଯାଉଚନ୍ତି । ଆଜି ଧର୍ମ ନାମରେ ଗୋଟାଏ ସଂସ୍କୃତି ଆଉ ଗୋଟାଏ ସଂସ୍କୃତିକୁ ଗ୍ରାସ କରୁଚି, ପୃଥିବୀର ସବୁ ରାଜାକୁ ଜୟକରି ଆପଣାର ସାମ୍ରାଜ୍ୟ ଭିତରକୁ ଆଣିବାର ମୋହ ପରି ଆପଣା ଧର୍ମର ଆୟତନ ଭିତରକୁ ଅନ୍ୟ ସକଳ ଧର୍ମର ମଣିଷଙ୍କୁ ଟାଣିବା ଲାଗି ମଧ୍ୟ ଆଜି ଭଗବାନ ଓ ଭଗବତ୍ ସନ୍ଦେଶର ସାହାଯ୍ୟ ନିଆଯାଉଚି । ଗୀର୍ଜାମାନଙ୍କରେ ଦେଶ, ସରକାର ଓ ଦେଶର ସ୍ଵାର୍ଥଲାଗି ଭଗବାନଙ୍କର ଆଶୀର୍ବାଦ ଭିକ୍ଷା କାରାଯାଉଚି । ଏସବୁ ଯେପରି ଅତି ସ୍ପଷ୍ଟ ଭାବରେ ପ୍ରମାଣ କରିଦେଉଚି ଯେ Tribal Godରେ ବିଶ୍ଵାସ କରିବାର ପର୍ଯ୍ୟାୟଟି ଆଜି ମଧ୍ୟ ସରିନାହିଁ । ଆପଣାର ସମାଜରେ, ଆପଣାର ସାମାଜିକ ଓ ରାଜନୀତିକ ଶାସନ କ୍ଷେତ୍ରରେ ଓ ଆପଣାର ଅନ୍ତର ଭିତରେ ମଣିଷ ଭଗବାନଙ୍କ ଆଡ଼କୁ ଉନ୍ନୀତ ହୁଅନ୍ତା ସିନା, ମାତ୍ର ଆମ ଯୁଗରେ ଓଲଟି ଭଗବାନଙ୍କୁ ତଳକୁ ଟାଣିଆଣି ଆପଣାର ରାଜ୍ୟ, ସମାଜ ଓ ବ୍ୟକ୍ତିଗତ ସ୍ଵାର୍ଥକୁ ସମର୍ଥନ କରିବାରେ ବ୍ୟବହାର କରାଯାଉଚି । ମୁଁ କହିବି, ଏହା ଧର୍ମ ନୁହେଁ, ଏହା ଅଫିମ । ଧର୍ମକୁ ମଣିଷର ଅଫିମ ବୋଲି କହିଲାବେଳେ କାର୍ଲ୍‌ମାର୍କସ୍‌ ହୁଏତ ଧର୍ମର ଏହି ଅଫିମ-ଦିଗଟାକୁ ହିଁ ଅଧିକ ସ୍ପଷ୍ଟ କରିଦେବାକୁ ଇଚ୍ଛା କରିଥିଲେ । ଆମର ବ୍ୟକ୍ତିଗତ, ଅନୁଷ୍ଠାନିକ ତଥା ଜାତୀୟ ଜୀବନରେ ଆମେ ଯେତେଦିନ ପର୍ଯ୍ୟନ୍ତ ଏହି ଅଫିମଗୁଡ଼ାକୁ ସାଇତି ରଖିଥିବା, ସେତେଦିନ ପର୍ଯ୍ୟନ୍ତ ମାର୍କସ୍‌ଙ୍କର ଅଭିମତଟିକୁ ସତ୍ୟ ବୋଲି ସ୍ଵୀକାର କରିବାକୁ ହିଁ ପଡ଼ିବ ।

 

୧୯ । ୧ । ୫୨

 

ମଝିରେ ଦୁଇଦିନ ଫାଙ୍କା ପଡ଼ିଗଲା । ଆପଣାକୁ ଯୋଚି, ବାନ୍ଧି ବସାଇଥିଲେ ଅବଶ୍ୟ ଏହି ଖାତାରେ ଫାଳେ ନିଶ୍ଚୟ ପୂରିଥାନ୍ତା । କିନ୍ତୁ ମୁଁ ଜାଣିଶୁଣି ସେହି ବାଧ୍ୟ ପରିଶ୍ରମରୁ ନିବୃତ୍ତ ହୋଇଚି । ମୁଁ ଖୁବ୍ ଭଲକରି ଜାଣେ ଯେ ସାହିତ୍ୟ ଲେଖିବାକୁ ବା ଭାଷାରେ ଅଭ୍ୟାସ ରଖିବାକୁ ମୁଁ ଏ ଖାତା ପୂରାଉନାହିଁ । ଏହି କେତେବର୍ଷ ଧରି ମୁଁ ଏଠି ଯାହାସବୁ ଲେଖିଚି, ସାହିତ୍ୟ ବା ଭାଷା ଦୃଷ୍ଟିରୁ ତାହା ହୁଏତ ଅତି ନଗଣ୍ୟ ହୋଇଯିବ । ମୋର ପ୍ରାତ୍ୟହିକ ଜୀବନରେ ଆପଣାକୁ ହଠାତ୍ ଉଛୁଳାଇ ଦେଲାପରି ଯେଉଁସବୁ ଭାବନା ମୋର ମନକୁ ଆସିଚି, ସାହିତ୍ୟ ଓ ଭାଷା ପ୍ରତି କୌଣସି ସଚେତ ଲକ୍ଷ୍ୟ ନରଖି ମୁଁ ସବୁଦିନେ ସେହି ଭାବନାଗୁଡ଼ିକୁ ଏହି ଖାତାରେ ଲିପିବଦ୍ଧ କରି ରଖିଚି, ମୋର ଆନନ୍ଦଲବ୍‌ଧ ସାଇତା ଧନ ପରି । ଜବରଦସ୍ତି ଆପଣାକୁ ଏଠାରେ ଆଣି ବସାଉଥିଲେ ହୁଏତ ପ୍ରତ୍ୟେକ ଦିନର ସ୍ଥାନ ପୂରିବାରେ କୌଣସି ତ୍ରୁଟି ହେଉନଥାନ୍ତା;—କିନ୍ତୁ ସେହି ସ୍ଥାନ ପୂରଣ କରିବାରେ ହୁଏତ କୌଣସି ଜୀବନ ବି ନଥାନ୍ତା, ସେଥିରୁ ସମସ୍ତ ସ୍ଵାଭାବିକତା ମରିଯାଉଥାନ୍ତା, ଭଲଭଲ ଶବ୍ଦ ଓ ଭଲଭଲ ବାକ୍ୟବିନ୍ୟାସରେ କେତେପଦ ମନଗଢ଼ା କଥାକୁ ରୂପବେଢ଼ଣ ଦେଇ ସଜାଇବାର ଅଭିମାନ କରାଯାଉଥାନ୍ତା । ମାତ୍ର ସେଥିରେ ପ୍ରକାଶ କରିବାର କୌଣସି ଆନନ୍ଦ ରହୁ ନଥାନ୍ତା ।

 

ପ୍ରତିଦିନ ଏହି ଖାତାରେ ଅଧଫାଳ କରି ଲେଖୁଥିଲେ ଏହି ଖାତା କୋଉଦିନୁଁ ପୂରି ଆଉ ଗୋଟାଏ ଖାତା ଆରମ୍ଭ ହୋଇସାରନ୍ତାଣି । ତେଣୁ ଅନେକ ସମୟରେ ପରିମାଣଲାଳସା ମନଟା ହଠାତ୍ ବଡ଼ ଅତୃପ୍ତ ହୋଇ ଆପଣାର ଅବହେଳାକୁ ଭର୍ତ୍ସନା କରିବାରେ ଲାଗିଯାଏ । କିନ୍ତୁ ତଥାପି ମୁଁ କହିବି, ରୁଟିନ୍ ପରି ଖାତା ପୂରାଇବାର ଦାସତ୍ଵ କରିବସିଲେ ମୁଁ ଲେଖିବାର ସକଳ ଆନନ୍ଦକୁ ହରାଇ ବସିବି । ଭବିଷ୍ୟତର କେଉଁ ନୀରସ ସମୟରେ ମୁଁ ଯେଉଁଦିନ ଆପଣା ଜୀବନର ଏହି କଥାଗୁଡ଼ାକୁ ହୁଏତ ଘାଣ୍ଟି ଦେଖିବାକୁ ମନ କରିବି, ସେତେବେଳେ ମୁଁ ସେଥିରୁ କୌଣସି ପ୍ରକାଶ ଓ କୌଣସି ଜୀବନ୍ତତା ପାଇ ପାରିବି ନାହିଁ । ତେଣୁ ଫାଙ୍କା ପଡ଼ିଥିବା ଦିନଗୁଡ଼ିକ ସକାଶେ ମୁଁ କୌଣସି ଦୁଃଖ କରିବିନାହିଁ । ଯେତେବେଳେ ଯେଉଁପରି ଫୁଲ ଫୁଟିବାର କଥା, ସମୟ ଅନୁସାରେ ତାହା ଫୁଟି ଚାଲିଥିବ । ତାକୁ ମୁଁ ମୋ’ ସମୟ ବା ମୋ ଅଭିଳାଷର କୃତ୍ରିମ କାଚଘରେ ଆଣି ବନ୍ଦକରି ରଖି ବରାଦମୁତାବକ ଫୁଲ ଫୁଟାଇବାର ଚେଷ୍ଟା କରିବି ନାହିଁ ।

 

୬ । ୩ । ୫୨

 

ମୁଁ ୟା’ ଭିତରେ ପ୍ରାୟ ଦୁଇଟା ମାସ ଡେଇଁ ସାରିଲିଣି, ଅଥଚ ଦିନେହେଲେ ଏହି ଖାତାକୁ ଖୋଲି ପଦେ ଲେଖିବାର ସମୟ କରିପାରିନାହିଁ । ଚାରିମାସ ପରେ ମୁଁ ପୁଣି ଛୋଟିଆ ଘରଟିକୁ ଫେରିଆସିଚି । ବାର ତୀର୍ଥ ଓ ବାର ବାଟରେ କେତେ ସାଥୀ-ବାଟୋଇଙ୍କ ସହିତ ମୋ’ର ପରିଚୟ ହୋଇଚି । ସେହି ପରିଚୟରୁ ସାଉଁଟି ଆଣିଥିବା ସମ୍ପଦକୁ ଏଠି ମୋ’ ନିଜଘରେ ତଉଲି ଦେଖିବାକୁ ସମୟ ମୁଁ ବର୍ତ୍ତମାନ ପାଇବି । ଏହି ଦୁଇମାସ କାଳ ନାନା ଚର୍ଚ୍ଚା ଓ ଆଲୋଚନା କରି ପ୍ରତିଦିନ ରାତି ପ୍ରାୟ ଦୁଇଟା ବାଜିଚି, ଆପଣାଲାଗି କିଛି ସଂଗ୍ରହ କରିବାର ସବୁ ଲାଳସା ଛାଡ଼ିଦେଇ ମୁଁ ସଭିଙ୍କ ପାଖରେ ଆପଣାକୁ କେବଳ ଖୋଲିଦେଇଚି । ହଠାତ୍ ଅନ୍ୟ ମତର ପ୍ରତିବାଦ କରି ବା ଅନ୍ୟ ଉପରେ ଆପଣା ମତର ବୋଝ ଥୋଇଦେଇ ମୁଁ କେବେହେଲେ କୌଣସି ଆଲୋଚନାରେ ବାଧା ସୃଷ୍ଟି କରିନାହିଁ । ଏହାଦ୍ୱାରା ଅନ୍ୟମାନଙ୍କର ମନ ଓ ଅନ୍ୟମାନଙ୍କର ଚିନ୍ତାଧାରା ଜାଣିବା ଲାଗି ମୋର ଭାରି ସୁଯୋଗ ହୋଇଚି ।

 

ପ୍ରତିଦିନ ଏହି ଖାତାରେ ଲେଖିବା ସକାଶେ ଯେଉଁ କେତେମିନିଟ୍‍ ସମୟ ଦରକାର, ଆପଣାକୁ ଆଉ ଟିକିଏ ଶାସନ କରି ପାରିଥିଲେ ମୁଁ ପ୍ରତିଦିନ ସେହି ସମୟତକ ନିଶ୍ଚୟ ପାଇ ପାରୁଥାନ୍ତି । ତାହା କରିଥିଲେ ଏ ଖାତା ସରି ଆଉ କେତେଟା ବି ସରନ୍ତାଣି । କିନ୍ତୁ ଖାତାପରେ ଖାତା ଗଣିବା ସହିତ ଜୀବନ ବଞ୍ଚିବାର, ଜୀବନକୁ ଓ ମଣିଷକୁ ଜାଣିବାର ସବୁ ପ୍ରଶ୍ନର ଯଦି ପ୍ରକୃତରେ ସମାଧାନ ହୋଇ ଯାଉଥାନ୍ତା ! ନା, —ଯେଉଁଦିନ ମୋର କିଛି ଲେଖିବା କଥା, ସେଦିନ ସହସ୍ର ବ୍ୟସ୍ତତା ଭିତରୁ ଆବଶ୍ୟକ ସମୟ ବାହାରିଆସିବ ! ମାତ୍ର ଯେଉଁଦିନ କିଛି ନ ଲେଖିବାର କଥା, ସେଦିନ ସହସ୍ର ପ୍ରକାର ଛଳରେ ଆପଣାକୁ ସାଧ୍ୟକରି ବସାଇଲେ ମଧ୍ୟ କେବଳ ମିଛକଥା ହିଁ ଲେଖିବାକୁ ପଡ଼ିବ ।

 

୭ । ୩ । ୫୨

 

ଗାଡ଼ି, ଘୋଡ଼ା, ମଟର ଓ ମଣିଷ ପଲରେ ବ୍ୟସ୍ତ ହୋଇ ରହିଥିବା ଏହି ରାଜଧାନୀରେ ମୁଁ ଚାରିମାସ ପରେ ପୁଣି ଜୀବନ ଆରମ୍ଭ କରୁଚି । ବାହାରେ ସହରର ଜୀବନରେ ଦିନମାନ ଏହି ପ୍ରବଳ ବ୍ୟସ୍ତତା ଲାଗି ରହିଥିଲାବେଳେ ଏହି ସହରକୁ ଆସିଲେ ମୁଁ ଏପରି ଅଳସୁଆ ହୋଇପଡ଼େ କାହିଁକି ? ନାନାବେଗ ଓ ଉଦବେଗରେ ସହରର ପ୍ରାଣ ଅସ୍ଥିର ହୋଇ ପଡ଼ିଥିବାବେଳେ ଏଠାକୁ ଆସି ମୁଁ ଯେପରି ମୋର ସବୁ ବେଗ ହରାଇବସେ । କୌଣସି କଥା ଲେଖିବାର ବା କୌଣସି କାର୍ଯ୍ୟ କରିବାର ସ୍ପୃହା ସବୁ କୁଆଡ଼େ ଚାଲିଯାଏ । କୌଣସି ମୁହୂର୍ତ୍ତରେ ବା କୌଣସି ଉପଲକ୍ଷରେ ଚିତ୍ତର ଦୁଆର ଯେପରି ଖୋଲିବାକୁ ହିଁ ଚାହେନାହିଁ । ସବୁବେଳେ ବାରପ୍ରକାରର ଛଳଦାବୀ କରି ଅନ୍ତରଟା ନିକିମା ହୋଇ ବସି ରହିବାକୁ ଭଲପାଏ, ସବୁ ଅତୃପ୍ତି ଓ ଅପୂର୍ଣ୍ଣତାକୁ ଏକାଠି ମିଶାଇ ଗୋଟାଏ ବଡ଼ ବୋଝ କରି ଧରି ମନ ଭାରି କ୍ଳାନ୍ତ ହୋଇପଡ଼େ । ମୋର ସବୁ ଚଞ୍ଚଳତା ଓ ସବୁ ସ୍ପନ୍ଦନକୁ କିଏ ଯେପରି ଅପହରଣ କରି ନେଇଯାଏ ।

 

ବରଷେ ହେଲା ଏହି ସହରରେ ରହିବା ପରେ ଏହି କଥାଟା ଆଜି ଭାରି ପରିଷ୍କାର ଭାବରେ ବୁଝିପାରୁଚି । ମୋର ସ୍ଵାଭାବିକ ପ୍ରାଣ ଓ ସ୍ଵାଭାବିକ ତତ୍ପରତା ଯେପରି କୁଆଡ଼େ ମରି ଉଡ଼ିଗଲାଣି । ସବୁ କାମରେ ଆପଣାକୁ ଧରି ବାନ୍ଧି ଶାସନ କରି ବସାଇବାକୁ ପଡ଼ୁଚି । କିଛି କହିବି, କିଛି ଲେଖିବି, ସେଥିଲାଗି ଶାସନ ଦରକାର; ଆପଣା ମନର ଉତ୍ସାହରେ କିଛି ଆରମ୍ଭ କରିବି, ସେଥିଲାଗି ମଧ୍ୟ ଶାସନ ଦରକାର । ମୋର ସବୁ ସ୍ଵାଭାବିକତା ଯେପରି କୁଆଡ଼େ ପଛରେ ପଡ଼ି ରହିଲାଣି । ମୋର ସବୁ ଆଗ୍ରହ ଓ ସବୁ ସରସତାକୁ କିଏ ଯେପରି ମୋ’ଠାରୁ ଛଡ଼ାଇ ନେଇଗଲାଣି । ତେଣୁ ଆପଣାକୁ ସବୁବେଳେ ଭାରି କ୍ଳାନ୍ତ ଲାଗୁଚି, ସଂସାରରେ ଆପଣାକୁ ବଡ଼ ଏକୁଟିଆ ଲାଗୁଚି, ଗୋଟାଏ ନୀରସ ବୋଝ ପରି ଜୀବନଟା ମୋର ମୁଣ୍ଡ ଉପରେ ବସିରହିଚି । ଫୁଲ ଟୋକେଇ ମୁଣ୍ଡ ଉପରେ ବୋଝକରି ଲଦିଥିବା ଭାରୁଆ କେବଳ ଏକ ବୋଝ ଛଡ଼ା ଫୁଲକୁ ଆଉ କୌଣସି ପ୍ରକାରେ ଗ୍ରହଣ କରି ପାରେନାହିଁ । ବର୍ତ୍ତମାନର ମୋର ଦଶା ଠିକ୍ ସେହିପରି ହୋଇଚି ।

 

୮ । ୩ । ୫୨

 

କାଲି ଫୁଲ ଟୋକେଇର ବୋଝ ବୋହିବା ଜନିତ ଦୈନ୍ୟ ବିଷୟରେ ଲେଖିଥିଲି । ଫୁଲକୁ ଯିଏ ବୋଝ କରି ମୁଣ୍ଡ ଉପରେ ଲଦି ବାଟ ଚାଲେ, ଫୁଲକୁ ସିଏ କେବଳ ବୋଝ ବୋଲି ଗ୍ରହଣ ହିଁ କରିଥାଏ । ଠିକ୍ ସେହିପରି ଯିଏ ଦୈନନ୍ଦିନ ଜୀବନକୁ ମୁଣ୍ଡ ଉପରେ ଲଦି ଜୀବନ ବଞ୍ଚେ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ତାକୁ କେବଳ କ୍ଳାନ୍ତ ଓ ଅବସନ୍ନ କରି ରଖିଥାଏ । ବାହାରୁ ଦେଖିଲେ ଏଇ ବଡ଼ ସହରର ଜୀବନ ଭାରି ବେଗରେ ଛୁଟିଚି, ସହସ୍ର ମଣିଷର ସକଳ ଶ୍ରମକୁ ଆତ୍ମସାତ୍ କରି ଏଠାରେ ଏଡ଼େବଡ଼ ବିପଣି ଚାଲିଚି । କାରଖାନାର କଳ ପରି ସହରର କଳ ବିଲିକୁଲ ଠିକ୍ ଚାଲିଚି; ରେଡ଼ିଓ, ସିନେମା ଓ ଖବର କାଗଜରେ ଏହି ଚାଲିବାର ସୂଚନାକୁ ଘୋଷଣା କରାଯାଉଚି । କିନ୍ତୁ କଳ ଚଳାଉଥିବା ମଣିଷ ଦିନ ଶେଷରେ କ୍ଳାନ୍ତ ହୋଇ ପଡ଼ିରହୁଚି । ସକାଳ ପାଞ୍ଚଟା ନବାଜୁଣୁ ଆପଣାର ଦିନ ଆରମ୍ଭ କରିବାର ଅସ୍ଥିରତାରେ ଯିଏ ବ୍ୟସ୍ତ ହୋଇପଡ଼ୁଚି, ଦିନମାନର ବୋଝ ବୋହିଲା ପରେ ସେ ଦିନଶେଷରେ ଖାଲି ମନ ଓ ଖାଲି ପାତ୍ର ନେଇ ଫେରି ଆସୁଚି । ସିଏ ପଇସା କମାଉଚି, ଆପଣାର ପେଟ ପୂରାଉଚି, ନାନା ବିନୋଦନରେ ଆଖି ଓ କାନର ଆବଶ୍ୟକତା ମେଣ୍ଟାଉଚି । କିନ୍ତୁ, ତାର ପ୍ରାଣ ପୂରି ପାରୁନାହିଁ, ତା’ ଭିତରର ମଣିଷଟା ଯୋଉ ଉପାସୀକୁ ସେହି ଉପାସୀ ହୋଇ ପଡ଼ିରହୁଚି । ନାନା ରାଜନୀତିକ ଓ ସାମାଜିକ ବୁଦ୍ଧିଘନ ପ୍ରଶ୍ନର ଖବରକାଗଜ ଆଲୋଚନା ପଢ଼ି ମଧ୍ୟ ସେ ଶାନ୍ତି ପାଇ ପାରୁନାହିଁ !

 

ଆପଣା ଶରୀରର ବୋଝଟାକୁ ଯଦି ମଣିଷକୁ ଆପଣାର ମୁଣ୍ଡ ଉପରେ ବୋହିବାକୁ ପଡ଼ୁଥାନ୍ତା, ତେବେ ମଣିଷ ଯେ କି ଦୁର୍ଦ୍ଦଶା ଭୋଗ କରୁଥା’ନ୍ତା, ତାହା ସହଜରେ ଅନୁମାନ କରାଯାଇପାରିବ । ଶରୀର ଆଉ ଶରୀର ବୋଝର ଅଭିନ୍ନ ସୃଷ୍ଟି ଆମ ଜୀବନରେ କେତେବଡ଼ ଏକ ସମସ୍ୟାର ସମାଧାନ କରିପାରିଚି ! ଠିକ୍ ସେହିପରି ଫୁଲ ମଧ୍ୟ ଆପଣାର ବୋଝ ବହନ କରୁଚି ବୋଲି କଦାପି ବ୍ୟସ୍ତ ବା କ୍ଳାନ୍ତ ହୋଇ ପଡ଼ୁନଥିବ ।

 

୧୩ । ୩ । ୫୨

 

ଅନ୍ତରକୁ ମୁକ୍ତ କରି ରଖିପାରିଲେ ପୁରୁଣା ଗୀତରୁ ମଧ୍ୟ ନୂଆ ରସ ଗ୍ରହଣ କରିବା ସମ୍ଭବ ହେବ । ଆପଣାର ଦୁଆରକୁ ଯିଏ ଖୋଲି ରଖିପାରିବ, ପୁରୁଣା ପବନ ମଧ୍ୟ ତା’ର ଭବନରେ ନୂତନ ଉଦ୍ୟମ ଓ ନୂତନ ଆନନ୍ଦ ସୃଷ୍ଟି କରି ଦେଇପାରିବ ।

 

ଶାନ୍ତିନିକେତନରେ ମୁଁ କେତେ ଗୀତ ଗାଇଚି ! କେତେକେତେ ସନ୍ଧ୍ୟାରେ ସେଠି ଏକାକୀ ବନ ଓ ଏକାକୀ ପ୍ରାନ୍ତର ଉପରେ ମୁଁ କେତେ ସମୟ ବିତାଇ ଦେଇଚି । କେତେଥର ଅନ୍ଧାର ରାତିର ଆଶ୍ରୟରେ ଆପଣାକୁ ସମର୍ପି ଦେଇ ଗୁରୁଦେବଙ୍କର ସଙ୍ଗୀତରେ ମୁଁ ପ୍ରାଣକୁ ସ୍ପନ୍ଦନମୟ କରିରଖିଚି ! ସେଇ ପୁରୁଣା ଶିଖା ଗୀତ ! ବାହାର ଦୃଷ୍ଟିରୁ ଦେଖିଲେ ସେଇ ପୁରୁଣା ଜଣାଭାଷା ସେଇ ପୁରୁଣା ସ୍ଵର ! କିନ୍ତୁ ତଥାପି ପାଣ ଖୋଲି ସେହି ପୁରୁଣାର ଆବୃତ୍ତି କରିବାରେ ମଧ୍ୟ ପ୍ରକୃତରେ କି ଆନନ୍ଦ ନ ମିଳେ ! ସତେଯେପରି କେଉଁ ଅନ୍ଧାର ଆବଦ୍ଧ ଗୁମ୍ଫା ଭିତରେ ପବନ ଆସି ବାଜେ, ନୂଆ ଆଲୋକର ସମ୍ପାତ ହୁଏ । ଅତି ଚିହ୍ନା ସେହି ସଙ୍ଗୀତ ମୋତେ ଯେପରି ପ୍ରାଣର ଏକ ଅପରିଚିତ ଗଭୀର ପରିଚିତ କରି ଦେଇଯାଏ ।

 

ଏହି ବଡ଼ ସହରରେ ଆପଣାକୁ ବଡ଼ ଖାଲିଖାଲି ମନେ ହେଉଥିଲା ବେଳେ ମୁଁ ଆଗରୁ ଶିଖିଥିବା ପୁରୁଣା ଗୀତ ଯେ ମୋତେ ଏତେ ବଡ଼ ନିର୍ଭର ଦେଇପାରିବ, ଏହି କେତେଦିନ ହେଲା ମୁଁ ସେକଥା ଭାରି ଅନୁଭବ କରୁଚି । ଅତିଥି ହିସାବରେ ଅପରର ଅନୁରୋଧ ଓ ବରାଦ ରକ୍ଷା କରି ମୁଁ ଏଠି କେତେଥର ଗୀତ ଗାଇଚି; —କିନ୍ତୁ ସେ କେବଳ ଯନ୍ତ୍ରବତ୍, ଶୁଣିବା ଲୋକକୁ କେବଳ ଟିକିଏ ଆପ୍ୟାୟିତ କରିବାର ଚେଷ୍ଟା ମାତ୍ର ! ମାତ୍ର ଆପଣାର ମନଭିତରୁ ଆପେ ଉଚ୍ଛୁଳି ପଡ଼ି ଓ ଆପଣାର ଆଖିଭିତରୁ ଆପେ ଡେଇଁପଡ଼ି ଗୀତ ଗାଇବାର ମନ ଏଠି ମୋ’ ଭାଗ୍ୟରେ ଖୁବ୍ କମ୍ ଘଟିଚି । ସବୁଦିନ ସକାଳେ ଗୋଟିଏ ଗୋଟିଏ ଗୀତ ଗାଇ ଫୁଲ ଫୁଟିଲାପରି ମୁଁ ମୋର ଦିନ ଆରମ୍ଭ କରିବି, ରାତିରେ କର୍ମଶେଷର ଆଉ ଗୋଟିଏ ଗୀତଗାଇ ମୁଁ ରାତିର ଆଶ୍ରୟ ଭିତରକୁ ଫେରିଯିବ । ଏହି ସହରର ଫମ୍ପା ଜୀବନକୁ ଜିଣିବାଲାଗି ଏହି ସଙ୍ଗୀତର ଅସ୍ତ୍ର ଓ ଏହି ଖୋଲାମନ ମୋର ଭାରି ଆବଶ୍ୟକ ।

 

୧୪ । ୩ । ୫୨

 

ଜର୍ମାନୀ ପୁଣି ଅସ୍ତ୍ରଶସ୍ତ୍ର ଦ୍ଵାରା ସଜ୍ଜିତ ହୋଇ ଯୁଦ୍ଧବଳରେ ଆପଣାକୁ ରକ୍ଷା କରିବାଲାଗି ପଶ୍ଚିମ ଇଉରୋପର ମେଣ୍ଟ ସହିତ ମିଶି ପ୍ରସ୍ତୁତ ହେବ କି ନାହିଁ, ଏହି କଥାଟିର ନିର୍ଣ୍ଣୟ କରିବାକୁ ଜର୍ମାନୀର ଗୋଟିଏ ପ୍ରଦେଶରେ ଏବେ ଭୋଟ ନିଆଯାଇଥିଲା । ଭୋଟର ଫଳାଫଳ ଜଣାପଡ଼ିବା ପରେ ଦେଖାଯାଉଚି ଯେ ପ୍ରାୟ ଅଧେ ଲୋକ ଅସ୍ତ୍ରସଜ୍ଜାର ସପକ୍ଷରେ ଭୋଟ ଦେଇଚନ୍ତି ।

 

ରାଜନୀତି ମୋର ମୂଳ ଧନ୍ଦା ନୁହେଁ । ଜଣେ ସାଧାରଣ ମଣିଷର ଦୃଷ୍ଟିରୁ ଦେଖିଲେ ମଧ୍ୟ ଜର୍ମାନୀର ଏହି ଭୋଟ ଫଳ ମୋତେ ବଡ଼ ବିସ୍ମିତ କରି ପକାଉଚି । ମହାଯୁଦ୍ଧ ଆରମ୍ଭ ହେବାର ପୂର୍ବବର୍ତ୍ତୀ ଦଶବର୍ଷ ଯାକ ଜର୍ମାନୀ ଏହି ଅସ୍ତ୍ରାନ୍ଧତା ଲାଗି ନିଜର ଶାସକ ପଛରେ ଆପଣାକୁ ବିସର୍ଜନ ଦେଇଚି । ଜର୍ମାନୀ ଜାତି ବଡ଼ ହେବ, ଏହି ପୃଥିବୀର ଶାସକ ହେବ । ଏହିପରି ଏକ ମୋହ ତାକୁ ପାଗଳ କରିଦେଇଚି । ସେହି ମୋହ ସକାଶେ କେତେ ମଣିଷ ମରାଯାଇଚନ୍ତି, କେତେ ଫାଶୀ ଦିଆଯାଇଚି, ଘରେ ତଥା ବିଦେଶରେ କେତେ କୁଟିଳ ଷଡ଼ଯନ୍ତ୍ର କରାଯାଇଚି । ଏହିପରି ପ୍ରସ୍ତୁତି ପରେ ଭିଆଯାଇଥିବା ମହାଯୁଦ୍ଧ ଅନ୍ୟାନ୍ୟ ଅନେକ ଦେଶ ସଙ୍ଗେସଙ୍ଗେ ଜର୍ମାନୀର ମଧ୍ୟ ସତ୍ୟାନାଶ କରିଦେଇ ଯାଇଚି । ସେହି ଯୁଦ୍ଧର କ୍ଷତ ହୁଏତ ଆଗାମୀ ଶହେବର୍ଷ ଭିତରେ ଲିଭିବ କି ନାହିଁ ସନ୍ଦେହ । ଜର୍ମାନୀର ପିଲା, ଜର୍ମାନୀର ମାଆ, ଜର୍ମାନୀର ଯୁବକ ଓ ଜର୍ମାନ ଜାତିର ଭାଗ୍ୟ ସମସ୍ତେ ଆଜି ଭାରି ହତଶ୍ରୀ ହୋଇ ପଡ଼ିଚନ୍ତି ।

 

ତଥାପି ତୃତୀୟ ଯୁଦ୍ଧର ମୋହ ଯୋଜନାରେ ସଜ ହେଉଥିବା ପୃଥିବୀ ସହିତ ଜର୍ମାନୀ ମଧ୍ୟ ସାଙ୍ଗ ହୋଇ ବାହାରିବାକୁ ଯାଉଚି । ପରର ଅର୍ଥ ସାହାଯ୍ୟରେ ଆପଣାର ଅସ୍ତ୍ରଶସ୍ତ୍ର ବଢ଼ାଇବା ଅପେକ୍ଷାକୃତ ସହଜ ହେଲେ ମଧ୍ୟ ତାହା ଅଧିକ ବିପଜ୍ଜନକ । ଏତେ ଭୋଗି, ଏତେ ସହି ଓ ଏତେ ଅଙ୍ଗେନିଭାଇ ଇଉରୋପର ମଣିଷ ତଥାପି ଯେ ଯୁଦ୍ଧବାଟରୁ ବିଶ୍ୱାସ ହରାଇନାହିଁ, ଜର୍ମାନୀର ଭୋଟ ଏହି କଥାଟିକୁ ପ୍ରମାଣ କରିଦେଉଚି ।

 

୧୫ । ୩ । ୫୨

 

ପୃଥିବୀକୁ ନିରାପଦ କରିବାପାଇଁ, ଯୁଦ୍ଧ ଓ ଆକ୍ରମଣରୁ ପୃଥିବୀକୁ ରକ୍ଷା କରିବାପାଇଁ ଆଜି ମଣିଷର ଯେତେ ଧନ ଓ ଶକ୍ତି ଖରଚ ହେଉଚି, ସେତିକି ଧନ ଓ ସେତିକି ଶକ୍ତିକୁ ଯଦି ସିଏ ଆପେ ଆପଣାକୁ ଓ ଆପଣାର ପିଲାକୁ ଗଢ଼ିବାଲାଗି ଖର୍ଚ୍ଚ କରୁଥାନ୍ତା, ତା’ହେଲେ ପୃଥିବୀର ଅନେକ ତ୍ରାସ ଓ ଅନେକ ତ୍ରୁଟି ଦୂର ହୋଇଯାଇପାରନ୍ତା । ଜୀବନବିଜ୍ଞାନର ପରୀକ୍ଷାଗାରରେ ଆଜି ବଡ଼ବଡ଼ ପରୀକ୍ଷାମାନ କରାଯାଉଚି । ବାପର ସାହାଯ୍ୟ ନନେଇ ପିଲା ଜନ୍ମ କରିବାରେ ଓ ଜନ୍ମ କରିବାବେଳୁ ପିଲାର ମସ୍ତିଷ୍କକୁ ଅଧିକ ଶକ୍ତିଶାଳୀ କରି ତିଆରି କରିବାରେ ବଡ଼ବଡ଼ ବୈଜ୍ଞାନିକମାନେ ଆଜି ଭାରି ମଥା ଖରଚ କରୁଚନ୍ତି । କେବଳ ମସ୍ତିଷ୍କ ହେତୁ ଯେ ସଂସାରର ଏତେ ସମସ୍ୟା ମଣିଷକୁ ସଙ୍କୁଳ କରି ରଖିଚି, ତାହା ଠିକ୍ କରି କହି ହେବନାହିଁ । ମଣିଷର ସମାଜ ବା ସମଷ୍ଟି ଜୀବନ ମଧ୍ୟ ମଣିଷ ଓ ଜଗତର ଜୀବନରେ ଏକ ବଡ଼ କଥା । ମଣିଷ ମଣିଷ ଭିତରେ ସମ୍ପର୍କ, ମଣିଷ ତଥା ଜଗତର ବିଭିନ୍ନ ଗୋଷ୍ଠୀପ୍ରତି ବ୍ୟକ୍ତିଗତ ଭାବରେ ମଣିଷର ଦୃଷ୍ଟିଭଙ୍ଗୀ ଓ ଦାୟିତ୍ଵବୋଧ,—ଏ ସବୁ ମଧ୍ୟ ସଂସାରର ଭାଗ୍ୟକୁ ବହୁପରିମାଣରେ ନିର୍ଣ୍ଣୟ କରୁଚି । ପରିବାରଠାରୁ ଆରମ୍ଭ କରି ଦେଶ, ଧର୍ମ ଓ ମତବାଦ ପର୍ଯ୍ୟନ୍ତ ନାନା ସମଷ୍ଟିରେ ମଣିଷ ଆପଣାର ସ୍ଥାନ ଓ ଆପଣାର ଦାୟିତ୍ଵକୁ ପୂର୍ଣ୍ଣସଚେତ ଭାବରେ ଉପଲବ୍‌ଧି କରିନାହିଁ । ଆପଣାକୁ ଏକ ବିରାଟ ବା ବୃହତ୍ତର ଗୋଷ୍ଠୀଭିତରେ ସଂଯୁକ୍ତ କରିବା ଓ ତଥାପି ବ୍ୟକ୍ତି ବା ଏକକ ହିସାବରେ ଆପଣାର ସ୍ଥାନ ଓ ଦାୟିତ୍ଵ ବୁଝି ଗୋଷ୍ଠୀ ଜୀବନରେ ନୂତନ ସୃଷ୍ଟି ସମ୍ଭବ କରିବାର ଜୀବନପ୍ରଣାଳୀ କେବଳ ମସ୍ତିଷ୍କଟାକୁ ଶକ୍ତିଶାଳୀ କରି ତିଆରି କଲେ ଯେ କିପରି ସମ୍ଭବ ହୋଇଯିବ, ତାହା ନିଶ୍ଚିତକରି କହି ହେବନାହିଁ । ବିଜ୍ଞାନର ପରୀକ୍ଷାଗାରରେ କରାଯାଉଥିବା seasoning ମଣିଷଲାଗି ଯଥେଷ୍ଟ ନୁହେଁ ।

 

୧୭ । ୩ । ୫୨

 

ସଂସାରର ସବୁ ଦୈନ୍ୟ ଓ ସବୁ ସମସ୍ୟାର ସମାଧାନଲାଗି ଯେଉଁମାନେ କୌଣସି Messiah ବା ପରିତ୍ରାଣକର୍ତ୍ତାଙ୍କର ଅବତାରକୁ ଅପେକ୍ଷା କରି ବସିଥାନ୍ତି, ଆପଣାର ମୋହଦ୍ୱାରା ସେମାନେ ଅନେକ ସମୟରେ ସଂସାରରେ ନାନା ବାଧା ସୃଷ୍ଟି କରନ୍ତି । ଯେତେବେଳେ ମଣିଷ ଆପଣା ବ୍ୟକ୍ତିଗତ ଦାୟିତ୍ଵର ବନ୍ଧନରୁ ପଳାଇଯିବାକୁ ଚାହେଁ, ଯେତେବେଳେ ଆପଣାର ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ସିଏ ଆପଣାର ଧର୍ମକୁ ବଞ୍ଚିବାର ଶକ୍ତି ହରାଇବସେ, ସେତିକିବେଳେ Messiah କୁ କେନ୍ଦ୍ର କରି ସେ ଏକ ଦୁର୍ବଳ ତତ୍ତ୍ଵ ଓ ଦର୍ଶନର ସୃଷ୍ଟି କରେ । ଦିନେ ଭବିଷ୍ୟତରେ ସେହି Messiahଙ୍କର ଅବତାର ହେବ, ସ୍ୱର୍ଗରେ ସୁନାଆସନରେ ଭଗବାନଙ୍କର ଦକ୍ଷିଣପାର୍ଶ୍ଵରେ ବସିଥିବା Messiah ଜଗତକୁ ଓହ୍ଲାଇଆସି ଜଗତର ମଣିଷକୁ ସକଳ ପାପରୁ ତ୍ରାଣ କରିଦେବେ; ମଣିଷ କେବଳ ତାଙ୍କରି ଉପରେ ବିଶ୍ଵାସ କରିବ, ନିଜର ପାପ ଓ ନିଜର ଆଚରଣ ଉପରେ ମଣିଷର କୌଣସି ହାତ ନାହିଁ—ଏହିପରି ଏକ ଧର୍ମତତ୍ତ୍ଵ ମଣିଷଠାରୁ ତା’ର ସକଳ ବ୍ୟକ୍ତିଗତ ଦାୟିତ୍ଵକୁ ଅପହରଣ କରି ନେଇଯାଏ । ଏହା ମଣିଷର ଧର୍ମକୁ ରବିବାରର ମନ୍ଦିର-ପ୍ରାର୍ଥନାରେ ସୀମାବଦ୍ଧ କରିରଖେ, ଅନ୍ଧବିଶ୍ଵାସ ଓ ମୋହାବରଣରେ ଜୀବନର ସତ୍ୟାନୁସନ୍ଧାନକୁ ଏହା ଅବଗୁଣ୍ଠିତ କରି ରଖେ । ଭୟ ଓ ଅକିଞ୍ଚନତା ପ୍ରଭୃତି ଅଭାବତୁକ ଭୂମିଉପରେ ଏହି ତତ୍ତ୍ଵ ମଣିଷକୁ ତା’ର ସକଳ ପ୍ରଶ୍ନର ଉତ୍ତର ଦେବାର ମାୟାଜାଲ ସୃଷ୍ଟି କରେ । ଧର୍ମ କେବଳ ରୁଗ୍‌ଣ ଆତ୍ମାର ଧର୍ମରୂପେ ଅବଶିଷ୍ଟ ରହେ ।

 

ଆଜି ପୃଥିବୀରେ ସବୁଠି ଲୋକମାନେ ଶାନ୍ତି ଚାହାନ୍ତି । ମାତ୍ର ଶାନ୍ତିପ୍ରତିଷ୍ଠା କରିବାର ଦାୟିତ୍ଵକୁ କୌଣସି ଆଦର୍ଶବାଦ ବା କୌଣସି ରାଜନୀତିକ ଶକ୍ତି ଉପରେ ସମର୍ପିଦେଇ ଆଜି ଆମ ଭିତରୁ ଅନେକେ ଜଗତର ଶାନ୍ତିସମ୍ଭାବନାକୁ ଆହୁରି ବିପନ୍ନ କରି ଦେଉଚନ୍ତି । Messiahକୁ କେନ୍ଦ୍ର କରି ବସିଥିବା ଏହି ମନୋବୃତ୍ତି ଦୁର୍ବଳ ମନର ନିଷ୍କ୍ରିୟତାକୁ ଭାରି ସାହାଯ୍ୟ କରେ ସତ, ହଠାତ୍ ଏକ ନିରାପଦ ଆଶ୍ରୟର ଆଚ୍ଛନ୍ନତା ସୃଷ୍ଟି କରିଦିଏ ସତ, ମାତ୍ର ତାହା ମଣିଷକୁ ପରସ୍ପରର ବ୍ୟୂହଭିତରେ ଖାଲି ଆବଦ୍ଧ ହିଁ କରିରଖେ ।

 

୧୮ । ୩ । ୫୨

 

ବିଗତ ଦିନଗୁଡ଼ିକର ସବୁ ମିଥ୍ୟା, ସବୁ ମୋହ ଓ ସବୁ କପଟ ଆଜି ଇନ୍ଧନ ହୋଇ ଜଳିବାକୁ ଆରମ୍ଭ କରିଚି । ସେଇ ଦାହ ମୋତେ ପୂର୍ଣ୍ଣଭାବରେ ଦଗ୍‌ଧ କରି ଦେଇଯାଉ । ଆଜିଯାଏ ଯେତେ ମାଇଲ ଓ ଯେତେ ମ୍ଳାନତା ମୋତେ ଏକ ମିଛ ଗୌରବର ମୋହଭିତରେ ବୁଡ଼ାଇ ରଖିଥିଲା, ସେସବୁ ଆଜି ଏକାବେଳେକେ ଜଳିଯାଉ । ଉପରର ଯେଉଁ ବେଶ ପିନ୍ଧି ମୁଁ ଭଦ୍ରସମାଜରେ ନିଜକୁ ଭଲ ବୋଲି ପରିଚୟ ଦେଇ ଆସିଥିଲି, ଆଜି ସେହି ବେଶ ମୋର ଅନ୍ତରଦହନରେ ପଣ୍ୟ ହୋଇପଡ଼ୁ । ମୋ’ଭିତରେ ଯେତିକି ସୁନା, ଯେପରି ସେତିକିକୁ ମୁଁ ଉଜ୍ଜ୍ଵଳ କରି ଦେଖିବାକୁ ଚାହେଁ । ଜୀବନରେ ଯେତିକି ସାର ଓ ଯେତିକି ଶ୍ରେୟ, ତାହାକୁ ମୁଁ ଆହରୁ ଆପଣାର କରି ଚିହ୍ନେ, ଆହୁରି ଆପଣାର କରି ଧରି ରଖିବାକୁ ସମର୍ଥ ହୁଏ । ମଣିଷକୁ, ସଂସାରକୁ ଓ ଜୀବନକୁ ମୁଁ ସେଇ ନିଆଁ ପରଖା ସୁନାର କାଠିରେ ଓଜନ କରି ଶିଖେ ! ସ୍ନେହ, ପ୍ରେମ ଓ ପରିଚୟକୁ ଆହୁରି ଗଭୀରଭାବରେ ବୁଝେ । ଅନେକଥର ଆପଣାର ସ୍ଵାର୍ଥ, ଅର୍ଥାତ୍ ଆପଣାର ଉଦ୍ଦେଶ୍ୟଟାକୁ ହିଁ ପୂର୍ଣ୍ଣ କରିବାର ଲୋଭକୁ ମୁଁ ଆପଣା ଲେଲୁପତାରେ ସ୍ନେହପ୍ରେମ ବୋଲି ଗ୍ରହଣ କରିଥିଲି । ତେଣୁ ହାତରେ ଧରିରଖିବା, ଅଣ୍ଟିରେ ଆବୋରି ରଖିବା ହିଁ ଯେପରି ମୋର ସବୁଠାରୁ ବଡ଼ ବ୍ୟବସାୟ ହୋଇ ରହିଥିଲା । ନାନା କୃତ୍ରିମ ଆକର୍ଷଣର ସୃଷ୍ଟି କରି ମୁଁ ସତେଅବା କେଉଁ ଶିକାରୀ ପରି ଚଢ଼େଇ ଶିକାର କରି ବାହାରିଥିଲି । ଯେକୌଣସି ପ୍ରକାରେ ହେଉ ପଛକେ, ଏହି ଆଚରିତ ଜୀବନରେ ଆଜି ଗୋଟାଏ ବଡ଼ ଧକ୍‌କା ଆସି ପହଞ୍ଚିଚି । ଏହି ଧକ୍‌କା ମୋତେ ଜାଗ୍ରତ କରିଦେଉ ! ଜୀବନର ସବୁ ଗ୍ରାହ୍ୟ ଓ ସବୁ ଆସ୍ପଦକୁ ମୁଁ ଉଚିତ ମୂଲ୍ୟଦେଇ ଗ୍ରହଣ କରିବାର ଯୋଗ୍ୟ ହୁଏ !

 

ଦୁଃଖଲାଗି ମୋର ଦୁଃଖ ନାହିଁ, ଲାଜ୍ଜ ସହିବାକୁ ମୁଁ ଲଜ୍ଜିତ ହେବିନାହିଁ । କିନ୍ତୁ ଏହି ଦୁଃଖ ଓ ଲାଜ ମୋତେ ଯଦି ଯଥାର୍ଥଭାବରେ ଦଗ୍‌ଧ କରି ନପାରେ, ଯଦି ତାହା ମୋତେ ଆହୁରି ଉଜ୍ଜ୍ଵଳ କରି ନପାରେ, ତେବେ ତାହାହିଁ ଜୀବନରେ ସବୁଠାରୁ ବଡ଼ ଦୁଃଖ ଓ ବଡ଼ ଲଜ୍ଜାର କଥା ହେବ ।

 

୧୯ । ୩ । ୫୧

 

ମଣିଷ ଭିତରେ ଯାହା ଭଲ ଓ ଯାହା ଶ୍ରେୟ, ତାହାରି ମୂଲ୍ୟରେ ହିଁ ମୁଁ ମଣିଷକୁ ଗ୍ରହଣ କରିବି । କାରଣ ମୁଁ ଭଲକରି ଜାଣିଚି ଯେ ପୂର୍ଣ୍ଣ ମଣିଷ ଖୋଜିବାକୁ ଗଲେ ଜଗତରେ ମୋତେ ଭାରି ନିରାଶ ହେବାକୁ ପଡ଼ିବ । ମୋର ଅପୂର୍ଣ୍ଣତା, ମୋର ଗ୍ଳାନି ଓ ମୋର ମଳିନତାର ବିଚାର ଯଦି ମୁଁ ଆଜି କରିବସେ, ତେବେ ଆପଣାକୁ ଘୃଣା କରିବାର ହୁଏତ ସୀମା ହିଁ ରହିବନାହିଁ । ତଥାପି ମୁଁ ମୋ’ଭିତରେ ରହିଥିବା କଣାଏ ଆଲୋକକୁ ଭଲକରି ଚିହ୍ନିଚି । ମୋ’ଭିତରେ ଯେଉଁଟିକକ ସବୁବେଳେ ଆଗକୁ ଯିବାକୁ ଚାହେଁ, ଆପଣାର ଦ୍ଵାର ଖୋଲିଦେଇ ସବୁରି ଭିତରେ ପ୍ରୀତି ଓ ଶ୍ରଦ୍ଧାର ସହିତ ସମ୍ମିଳିତ ହେବାକୁ ଚାହେଁ, ଧରିରଖିବାର ସମସ୍ତ ଆସ୍ପର୍ଦ୍ଧା ଛାଡ଼ି ଯିଏ ଦ୍ଵାରେଦ୍ଵାରେ ଆପଣକୁ ସମର୍ପଣ କରିଦେଇ ଆସେ, ସେଇ ଟିକକ ପରମାର୍ଥକୁ ମୁଁ ମୋ’ ଜୀବନର ପ୍ରକୃତ ଭୂମିରୂପେ ଗ୍ରହଣ କରିଚି । ମୁଁ ସେଇଠାରୁ ହିଁ ବଞ୍ଚିବି, ସେଇଠୁ ମୁଁ ଏହି ବିଶ୍ଵର ବିରାଟ ସମ୍ପଦର ଅଧିକାରୀ ହେବି, ତାହାକୁ ହିଁ ଶ୍ରଦ୍ଧାକରି ମୁଁ ସବୁ ମଳିନତା ଓ ସବୁ ଅନ୍ଧକାରକୁ ଅସ୍ଵୀକାର କରିପାରିବି । ଯେତେ ଅଳ୍ପ, ଯେତେ ଅସ୍ପଷ୍ଟ ଓ ଯେତେ ମୁହୂର୍ତ୍ତକର ହେଲେ ମଧ୍ୟ ଏହି ଆଲୋକଟିକୁ ଚିହ୍ନି ରଖିବା ଲାଗି ମୋତେ ଯିଏ ଆଖି ଦେଇଚି, ମୋର ସହସ୍ର ଭ୍ରମ ଓ ଭ୍ରାନ୍ତି ସତ୍ତ୍ୱେ ମୋତେ ସେହି ପଥରେ ଅଗ୍ରସର ହେବାକୁ ଯିଏ ସତେ ଉତ୍ସାହୀ କରି ରଖିଚି, ସେଇ ହେଉଚି ମୋର ଭଗବାନ, ସେଇ ମୋର ଏକମାତ୍ର ଗୁରୁ ।

 

ସବୁ ମଣିଷଭିତରେ ଏହି ଆଲୋକମୟ ଭୂମି ରହିଚି । ଯେତେ କ୍ଷେତ୍ରରେ ଓ ଯେତେ କ୍ଷଣରେ ମୁଁ ମଣିଷର ସମ୍ପର୍କରେ ଆସିବି, ତା’ର ସେହି ଭୂମିକୁ ମୁଁ ସର୍ବପ୍ରଧାନ କରି ଚିହ୍ନିବି । ସହସ୍ର ଅପଚୟ ସତ୍ତ୍ୱେ ସିଏ ଆପଣାର ଆଲୋକଟିକୁ ସଞ୍ଚୟ କରି ରଖିବାଲାଗି ନିୟତ ଉଦ୍ୟମ କରୁଥିବ, ସହସ୍ର ଶୃଙ୍ଖଳସତ୍ତ୍ୱେ ଯିଏ ସବୁ ଶୃଙ୍ଖଳ ଛିଡ଼ାଇ ଆହୁରି ସମ୍ମିଳିତ ଓ ଆହୁରି ବ୍ୟାପ୍ତ ହେବାପାଇଁ ବିଦ୍ରୋହ କରୁଥିବ, ତାହାକୁ ହିଁ ମୁଁ ସଂସାରରେ ଆପଣାର ସାଥି ବୋଲି ଗ୍ରହଣ କରିନେବି ।

 

୨୦ । ୩ । ୫୨

 

ମିଛକୁ ଅସ୍ଵୀକାର କରିବା ଏବଂ ସତ୍ୟର ସ୍ଵାଗତ କରିବା ଏକ କଥାନୁହେଁ । ଅନ୍ଧକାରକୁ ଅସ୍ଵୀକାର କରିବା ଏବଂ ଆଲୋକର ସ୍ଵାଗତ କରିବା ଏକ କଥାନୁହେଁ । ଯିଏ ପରମ ସତ୍ୟ ଉପରେ ବିଶ୍ଵାସ କରିପାରେ, ସବୁରି ଉପରେ ଯିଏ ଆଲୋକକୁ ବିଶ୍ଵାସ କରିପାରେ, କେବଳ ସେଇ ମିଛ ଓ ଅନ୍ଧକାରକୁ ଅସ୍ଵୀକାର କରିପାରେ । କିନ୍ତୁ ମିଛ ବା ଅନ୍ଧକାରକୁ ପ୍ରଶ୍ରୟ ଦେବାରେ ବିଶ୍ଵାସ ବା ନିର୍ଭରର କୌଣସି ସ୍ଥାନ ନାହିଁ ।

 

ଏହି ବିଶ୍ଵାସରୁ ହିଁ ମଣିଷର ଯାତ୍ରା ଆରମ୍ଭ ହେବ । ଏହି ବିଶ୍ଵାସର positive ଆଶ୍ରୟ ହିଁ ମଣିଷଙ୍କୁ ମିଛ ଓ ଅନ୍ଧକାରକୁ ଜୟ କରିବାର negative ଜୀବନନୀତିକୁ ଗଭୀରତର କରିପାରିବ । ବିଶ୍ଵାସ ନଥାଇ, ପରମ ଆଶ୍ରୟକୁ ସ୍ଵୀକାର ନକରି ଯିଏ ମିଛ ଆଉ ଅନ୍ଧକାରକୁ ଜୟ କରିବାକୁ ଯିବ, ଏକ କୁଟିଳ ଓ କଠୋର ଶାସନଦ୍ଵାରା ଯିଏ ଆପଣାକୁ ମିଛ ଓ ଅନ୍ଧକାରରୁ ସତର୍କ କରି ରଖିବ, ଧର୍ମ ଓ ଜୀବନର ସାଧନାରେ ମୁଁ ତାକୁ କେବଳ ରୋଗୀ ବୋଲି କହିବି । କାରଣ ତା’ର ସାଧନା ଫୁଲ ଫୁଟିବାର ସାଧନା ନୁହେଁ । ଆଲୋକ ଓ ପବନର ବ୍ୟାପ୍ତିକୁ ସ୍ଵୀକାର କରି ହିଁ ଫୁଲ ଫୁଟିବାର ସାଧନା । ମାତ୍ର ଅପରନ୍ତୁ ଏହି ସ୍ଵୀକାର ଓ ନିର୍ଭରର ଅଭାବ ରହିଥିଲେ ଯାବତୀୟ ସାଧନାରେ ଅନ୍ଧାର, ସତ ଓ ମିଛ ଭଗବାନ ଓ ସଇତାନ, ଏହିପରି ଏକ ଦ୍ଵୈତ ଧର୍ମର କଳ୍ପନା କରି ଆର୍ତ୍ତ ସାଧକ ଆପଣାକୁ କେବଳ ଆତୁର ଓ ଆଚ୍ଛନ୍ନ କରି ରଖିବ । ତେଣୁ ତାର ସାଧନାକୁ ମୁଁ ମୂଳତଃ sick soul ବା ରୋଗୀର ସାଧନା ବୋଲି କହିବି ।

 

ନାଇଁ, କେତେ ବ୍ୟତିକ୍ରମ ଆସିବ, ହୁଏତ କେତେ ଅବାଞ୍ଛିତ ମୁହୂର୍ତ୍ତରେ ଆପଣା ଦୃଷ୍ଟିପଥ ଆଲୋକ ଉଢ଼ୁଆଳ ହୋଇରହିବ । ମୁଁ କେତେ କାନ୍ଦିବି, ଅପମାନର ଆଶଙ୍କାରେ ଆପଣାକୁ କ୍ଷୁଦ୍ର କରି ବସିବାଲାଗି ହୁଏତ କେତେ ପ୍ରଲୋଭନ ଆସିବ । ତଥାପି ସବୁ ମିଛକୁ ଅସ୍ଵୀକାର କରି ମୁଁ କହିବି, ‘ମୋତେ ଅନ୍ଧକାରରୁ ଆଲୋକକୁ ନେଇଯାଅ, ମୃତ୍ୟୁରୁ ମୋତେ ଅମୃତମୟ ରାଜ୍ୟକୁ ନେଇଯାଅ ।’ ମୋ’ ସାଧନା ରୀତିଟି ଠିକ୍‍ ଏହିପରି ହେବ । ମୋର ବିଶ୍ଵାସ, ମୋର ଆଶ୍ରୟ ଓ ମୋର ବାଟ କେତେବେଳେ କେହି କାହାକୁ ବାଦ ଦେବେନାହିଁ ।

 

୨୧ । ୩ । ୫୨

 

ପ୍ରତିଦିନ ସକାଳୁ ଉଠି ଯଦି ସମ୍ମୁଖରେ ଦିନଟି ଗୋଟାଏ ବୋଝପରି ମନେହୁଏ, ତେବେ ତାହାକୁ ଦୁର୍ଭାଗ୍ୟ ବୋଲି କହିବାକୁ ହେବ । ଯେତେବେଳେ ଜୀବନ ଆପଣାର ସ୍ଵାଭାବିକତା ଭୁଲିଯାଏ, ଯେତେବେଳେ ସେ ସ୍ଵାଭାବିକ ଭାବରେ ଦାନ ଓ ଗ୍ରହଣ କରିପାରେ ନାହିଁ, ସେତେବେଳେ ସମୟ ବୋଝପରି ହୋଇ ତାକୁ ମାଡ଼ିବସେ ।

ଏହିପରି ଗୋଟାଏ ବୋଝ ବୋହିବାରେ ଦୁର୍ଦ୍ଦଶା ଏଇ କେତେଦିନ ହେଲା ମୋତେ ଭାରି ମ୍ରିୟମାଣ କରି ରଖିଚି । ମୁଁ ଠିକ୍ ଯେଉଁ କ୍ଷେତ୍ରଟି ଖୋଜୁଚି, ଏଠି ସେହି କ୍ଷେତ୍ରଟି ପାଇବା ଯେପରି କ୍ରମେ ଭାରି ଅସମ୍ଭବ ହୋଇପଡ଼ୁଚି । ମୁଁ ଆପଣାକୁ ଯେତିକି ବ୍ୟାକୁଳ ହୋଇ ଅଜାଡ଼ି ଦେବାକୁ ଇଚ୍ଛା କରୁଚି, ମୋତେ ସେତିକି କ୍ଷୁଧାର୍ତ୍ତ ହୋଇ ଫେରି ଆସିବାକୁ ପଡ଼ୁଚି । ରାଜନୀତି, ସମାଜନୀତି, ମଣିଷ ଓ ପୃଥିବୀର ନାନାସମସ୍ୟା ବିଷୟରେ ମୁଁ କେତେ ମଣିଷଙ୍କ ସହିତ କେତେ ଆଲୋଚନା କରୁଚି, କିନ୍ତୁ ଜୀବନ ବଞ୍ଚିବାର ଯଥାର୍ଥ ଆନନ୍ଦ ପାଇବାକୁ ହେଲେ କ୍ଷେତ୍ରସହିତ ଯେଉଁ ସଂଯୋଗ ରହିବା ଦରକାର, ଏଠି ତାହା ଯେପରି ଭାରି ଦୁରୂହ ହୋଇପଡ଼ିଚି । ଏଠି ସବୁ କ୍ଷେତ୍ରରେ ଓ ସବୁ ସମ୍ବନ୍ଧରେ ସତେଯେପରି ଅନେକ ସତର୍କତା ଭର୍ତ୍ତିହୋଇ ରହିଚି । ସମସ୍ତେ ପରସ୍ପର ସହିତ ମିଶୁଚନ୍ତି, ସମସ୍ତେ କଥା କହୁଚନ୍ତି, ତଥାପି ଏହି ସମ୍ମିଳନ ଓ ସମ୍ଭାଷଣ ସତ୍ତ୍ୱେ ଯେପରି ଗୋଟାଏ ସତର୍କ ସଚେତତା କାହାରିକୁ ଯଥାର୍ଥ ଭାବରେ ଏକତ୍ର କରାଇ ପାରୁନାହିଁ । ଏତେବଡ଼ ସହରରେ ହଜାର ହଜାର ମଣିଷଙ୍କର ଏହି ଭିଡ଼ ଭିତରେ ମୁଁ ତଥାପି ଏକୁଟିଆ ହୋଇ ରହୁଚି, ତଥାପି ନାନା ଅପରିତୃପ୍ତିର ସନ୍ତାପ ମୋତେ ଭାରି ଅସ୍ଥିର କରି ରଖୁଚି । ଯିଏ ମୋର ଆଲୋକଟିକୁ ବୁଝିବ, ଯିଏ ମୋର ଅନ୍ଧାରକୁ ଅସ୍ଵୀକାର କରିବ, ମୋର ସବୁ କଣ ଓ ଭାଙ୍ଗର ଉପରକୁ ଉଠି ଯିଏ ଶ୍ରଦ୍ଧାର ଏକ ବିସ୍ତୃତ ଦୃଷ୍ଟିରେ ମୋତେ ଗ୍ରହଣ କରିପାରିବ, ସେହିପରି ବନ୍ଧୁ ଏଠି କାହିଁ ?

 

୨୨ । ୩ । ୫୨

 

ଯିଏ ଯେଉଁଠି ରହିଛି, ସେହିସ୍ତରରୁ ହିଁ ତା’ର ସାଧନା ଯାତ୍ରା ସେ ଆରମ୍ଭ କରିବ । ବାଇବେଲର ସେଇ କାହାଣୀଟି ଆଜି ଏକ ଜଳଜଳ ଦୃଷ୍ଟାନ୍ତ ପରି ମୋର ମନେ ପଡ଼ିଯାଉଚି । ସମାଜର ଅନୁମୋଦିତ ଆଚରଣରୁ ବାହାରକୁ ଯାଇ ଆପଣାର କାମନା ଚରିତାର୍ଥ କରିଥିବା ସେହି ନାରୀକୁ ମାରିବାଲାଗି ଯେତେବେଳେ ଜେରୁଜୁଲମ୍‌ର ଜନତା ଉତ୍‌କ୍ଷିପ୍ତ ହୋଇପଡ଼ିଚି, ଯୀଶୁ ସେତିକି ବେଳେ ନାରୀର ପକ୍ଷ ଗ୍ରହଣ କରିଚନ୍ତି । “ତୁମଭିତରୁ ଯିଏ କଦାପି କୌଣସି ପାପାଚରଣ କରିନାହିଁ, ସେଇ ପ୍ରଥମ ପଥର ଉଠାଉ ।” ଏହି କାହାଣୀଟି ପଛରେ କେତେକେତେ ଗଭୀର ସତ୍ୟ ନିହିତ ହୋଇରହିଚି । ଗପଟିରୁ କେହି ଯେପରି ଧାରଣା ନକରନ୍ତି ଯେ ନାରୀର ଅସଦାଚରଣକୁ ପ୍ରଶ୍ରୟ ଦେବାଲାଗି ଯୀଶୁ ଏପରି କରିଚନ୍ତି ।

 

ନା,—ଯୀଶୁଙ୍କର ଉଦ୍ଦେଶ୍ୟ ତାଙ୍କର ଭାଷାରୁ ଅତ୍ୟନ୍ତ ସ୍ପଷ୍ଟ ହୋଇଉଠୁଚି । ଯିଏ ଯେଉଁ ସ୍ତରରେ ଅଛି, ତାକୁ ଯାଇ ସେହି ସ୍ତରରୁ ଉପରକୁ ଉଠାଇବାକୁ ପଡ଼ିବ । ମଣିଷ ଯେତେ ନୀଚକୁ ଯାଇଥିଲେ ମଧ୍ୟ ବା ଯେତେ ତଳେ ପଡ଼ିଯାଇଥିଲେ ମଧ୍ୟ ତାକୁ ଫୋପାଡ଼ିଦେବା ବା ଘୃଣା କରିବା ଧର୍ମ ନୁହେଁ । ନା,—ମଣିଷକୁ ଉପରକୁ ଉଠାଇବାକୁ ହେଲେ, ତାକୁ ନାନା ସଂଶୟର ଜାଲଭିତରୁ ବିଶ୍ଵାସ ଓ ସ୍ଵୀକାରର ଆଶ୍ରୟକୁ ଆଣିବାକୁ ହେଲେ, ପ୍ରଥମେ ମଣିଷପ୍ରତି ଅଜସ୍ର ଶ୍ରଦ୍ଧା, ଅଜସ୍ର କ୍ଷମା ଓ ଅଜସ୍ର ସହାନୁଭୂତି ଅର୍ଜନ କରିବାକୁ ହେବ । ମୋର ଆପଣାର ମଧ୍ୟ ସହସ୍ର ଦୋଷ ଓ ସହସ୍ର ଦୁର୍ବଳତା ରହିଚି । ତଥାପି ମୁଁ ଯେପରି ସେହି ଫାଙ୍କଭିତରେ ଆପଣାର ଦୃଷ୍ଟିକୁ ଆଲୋକଆଡ଼କୁ ପ୍ରସାରିତ କରିବାର ଉଦ୍ୟମରେ ଲାଗିଚି, ପ୍ରତ୍ୟେକ ମଣିଷକୁ ମୁଁ ମୂଳତଃ ତାର ଦୃଷ୍ଟି ଦେଇ ବିଚାର କରିବି । ସହାନୁଭୂତି ଓ ଶ୍ରଦ୍ଧା ସହିତ ମୁଁ ତାକୁ ତାହାରି ସ୍ତରକୁ ଯାଇ ଆଲିଙ୍ଗନ କରିବି । ମଣିଷର ସଙ୍ଗଲାଭ କରିବାକୁ ହେଲେ, ମଣିଷକୁ ଆପଣାର ସାଥୀରୂପେ ପାଇବାକୁ ହେଲେ ସଂସାରରେ କୌଣସି ସ୍ଥାନ ବା କୌଣସି ସ୍ତର କଦାପି ନୀଚ ନୁହେଁ, କୌଣସି ଜୀବନ ଘୃଣ୍ୟ ନୁହେଁ । ଯିଏ ଯୋଉ ମୁହୂର୍ତ୍ତରେ ଆଲୋକଆଡ଼କୁ ଆପଣାର ଦୃଷ୍ଟି ମୁହାଁଇ ପାରିବ, ସେହି ମୁହୂର୍ତ୍ତରେ ହିଁ ତାର ସୂର୍ଯ୍ୟୋଦୟ ହେବ । ଅନ୍ଧକାର କେବଳ କ୍ଷଣିକ, କେବଳ negative ! ପାପ ହେଉଚି କେବଳ ଏକ privation,—ପୁଣ୍ୟର ନକରାତ୍ମକ ସୂଚକ ମାତ୍ର । ଖ୍ରୀଷ୍ଟଧର୍ମରେ ସୂଚିତ ହୋଇଥିବା ‘ପାପରାଶିର ମାର୍ଜନା’କୁ ମୁଁ ଏହିପରି ବୁଝିଚି ।

 

୨୩ । ୩ । ୫୨

 

ମୋ’ ଭିତରେ ପାପ ଅଛି ବୋଲି, ମୋ’ ବାଟରେ ମିଥ୍ୟାର କଳଙ୍କ ରଟିଚି ବୋଲି ମୁଁ କଦାପି ଆପଣାକୁ ଘୃଣା କରିବିନାହିଁ । ଆପଣା ଦୁରାଚାରର ବ୍ୟସ୍ତଭାରର ଯେତେବେଳେ ମୁଁ ଆପଣା ଭିତରେ ଆପଣାକୁ ପରିତ୍ୟକ୍ତ ପରି ମନେକରିଚି, ସେତେବେଳେ ସେହି ଅନ୍ତରଭିତରୁ କିଏ ଅବିକଳ ଶିଶୁଟିଏ ପରି ଜୀବନ ବିଧାତାର ସିଂହାସନ ପାଖରେ ସତେଅବା ଅବନତ ହୋଇପଡ଼ିଚି । ଆପଣାର ସକଳ ପାପଭାର ସତ୍ତ୍ୱେ ସିଏ ଯେପରି କେଉଁ ଜନନୀର ଉଦାର କ୍ରୋଡ଼ ଦାବି କରିବାକୁ ଯାଇଚି । ତା’ର ବ୍ୟାକୁଳତା, ତା’ର ଆଖିଲୁହ ଓ ତାର ସରଳ ସମର୍ପଣ ତା’ର ସମସ୍ତ ଗ୍ଳାନି ଓ ମଳିନତାକୁ ନିର୍ମଳ କରି ଧୋଇ ନେଇଚି । ସେହି ଲୁହର ସଙ୍ଗେ ସଙ୍ଗେ ପୁରୁଣା କୁଆଡ଼େ ଭାସି ଚାଲିଯାଇଚି, ଉଜ୍ଜ୍ଵଳ ସନ୍ତର୍ପଣରେ ନୂଆ ଜନ୍ମଲାଭ କରିଚି । ମୋର ସେଇ ସବୁଦିନର ମୁହଁ ଉପରେ ସତେଯେପରି କେଉଁ ନୂଆ ଧନ ବା ନୂଆ ପଥ ପାଇଥିବାର ଆନନ୍ଦ ଉଦ୍‌ଭାସିତ ହୋଇଉଠିଚି । ଜୀବନରେ ଏହି ଶିଶୁର ସ୍ମୃତି ହେଉଚି ମୋର ସବୁଠାରୁ ଅଧିକ ମୂଲ୍ୟବାନ ସ୍ମୃତି ।

 

ମଣିଷ ଭିତରେ ପାପ ରହିଚି ବୋଲି ମଣିଷର ଦୁର୍ବଳକ୍ଷଣ ତା’ର ବାଟରେ ପାପ ରଟାଇଚି ବୋଲି ମୁଁ ମଣିଷକୁ ଘୃଣା କରିବି ନାହିଁ । ମୋର ଆପଣା ଦୁର୍ବଳତାକୁ ସହାନୁଭୂତି ସହିତ ସ୍ୱୀକାର କରି ଯେମିତି ମୁଁ ମୋ’ ଭିତରେ ଜନ୍ମ ସମ୍ଭବ କରାଇପାରିବି, ଅପରର ଦୁର୍ବଳତାକୁ ମଧ୍ୟ ଠିକ୍ ସେହି ସହାନୁଭୂତି ସହିତ ଦେଖିବି, ତାହାରି ପରି କୋମଳ ହୋଇ ମୁଁ ତାହାରି ସହିତ କାନ୍ଦିବି ତା’ର ଜୀବନ ପଥରେ ପୁଣି ନୂଆ ଶିଶୁଟିପରି ଠିଆ ହେବାଲାଗି ମୁଁ ତାକୁ ସାହାଯ୍ୟ କରିବି । ଜୀବନରେ ଥରକୁଥର ପରିତ୍ୟକ୍ତ ଓ ଆହତ ହୋଇ ମୁଁ ପ୍ରଧାନତଃ ଏହି ଶିକ୍ଷା ପାଇଚି । ମୁଁ ଭାରି ଦୁର୍ବଳ କିନ୍ତୁ ଆଖିର ଲୁହ ଦେଇ ଶିଶୁଟି ପରି ବାରବାର ଫେରି ଆସିବାର ସାହାସ ମୋର ଅଛି । ମଣିଷକୁ ଓ ଜଗତକୁ ମାପିବାଲାଗି ଏହି ଶିଶୁ ହିଁ ମୋତେ ବାଟ ଦେଖାଉ ।

 

୨୪ । ୩ । ୫୨

 

ଶାନ୍ତିନିକେତନର ଆଶ୍ରମରେ ମୋର ଯେଉଁ ପାଞ୍ଚବର୍ଷ କଟିଚି, ଗୁରୁଦେବଙ୍କର ସଙ୍ଗୀତ ହେଉଚି ସେହି ପାଞ୍ଚବର୍ଷରେ ମୋର ପ୍ରଥମ ଲାଭ । ସେହି ସଙ୍ଗୀତର ପରିବେଶ ଓ ସ୍ମରଣ ମୋ’ ହୃଦୟ ଭିତରେ ଆଶ୍ରମକୁ ସବୁବେଳେ ଜୀବିତ କରି ରଖିଚି । ଆଜି ଭାରି ମନେପଡ଼ୁଚି ସେହି ଆଶ୍ରମର ରାସ୍ତାରେ କେତେଥର ବାଉଳା ହୋଇ ମୁଗ୍‌ଧ ହୋଇ ବୁଲିଲାବେଳେ ସଙ୍ଗୀତର ଆବୃତ୍ତି କରି ମୁଁ କାହାର ପଦଚିହ୍ନ ଖୋଜି ବୁଲୁଚି । ଏହି ସଙ୍ଗୀତର ମାଧ୍ୟମରେ ସେଠିକାର ସବୁ ଗଛ, ସବୁ ଫୁଲ ଓ ନୀଳ ଆକାଶରେ ସବୁ ଉଡ଼ାମେଘ ସହିତ ମୁଁ କଥା କହିପାରିଚି । ଏହି ବଡ଼ ସହରରେ ପଡ଼ିଥିବା ଉପବାସୀ ମନ ଆଜି ପଛର ସେହି ସଫଳ ଦିନଗୁଡ଼ିକୁ ଭାରି ଆଶାରେ ଓ ଭାରି ଉନ୍ମାଦରେ ଅନାଇ ରହିଚି ।

 

ଟ୍ରାମ୍, ମଟର ଓ ମଣିଷର ଚଳିତ ଭିଡ଼ ଭିତରେ ଆପଣା ବାସ୍ତବିକତାର ବାଟ କଟାଇ ଚାଲିଗଲାବେଳେ ବେଳେବେଳେ ଗୋଟାଏ ଶିଶୁ ମୋ’ ଭିତରେ ଭାରି ଅସ୍ଥିର ହୋଇଉଠୁଚି । ଏଇ ଭିଡ଼, ଯାହା ଭିତରେ ମୁଁ କାହାକୁ ଚିହ୍ନେ ନାହିଁ, ମନ ହେଉଚି ମୁଁ ସେଇ ଭିଡ଼କୁ ଆପଣାର କରିବି । ଏହି ଦେଶର ଯୁବକ ଯୁବତୀଙ୍କୁ ଏକାଠି କରି ସେହିମାନଙ୍କ ମେଳରେ ମୁଁ ଗୁରୁଦେବଙ୍କର ସଙ୍ଗୀତ ଗାଇବି, ରାଜନୀତି ଓ ଯୁଦ୍ଧ ଭୟରେ ସଂତ୍ରସ୍ତ ହୋଇ ରହିଥିବା ଏଠିକାର ମଣିଷକୁ ମୁଁ ଗୀତ ଗାଇ ଉଶ୍ଵାସ କରିବି । ତା’ର ସବୁ ଭୟ, ତା’ର ସବୁ ଘୃଣାକୁ ମୁଁ ଆଖିର ଲୁହ କରି ବୁହାଇଦେବି । ଏଠିକାର ପିଲାଙ୍କୁ ନେଇ ମୁଁ ନୂଆକରି ପୁଣି ଥରେ Hans Christian Ance sonଙ୍କର ପରୀଗପ ପଢ଼ିବି, ସେମାନଙ୍କୁ ଦେଖୁଦେଖୁ ମୋ’ ବୁଢ଼ାମନର ପଡ଼ିଆରେ ପୁଣି ଘାସର କଅଁଳ ଗଜା ଅଙ୍କୁରି ଉଠିବ । ମୁଁ ସେହିପରି ଏକ ସାନ୍ନିଧ୍ୟ ଚାହେଁ, ମଣିଷକୁ ଆହୁରି ପାଖକୁ ଟାଣିଆଣି ମୁଁ ଏଠିକାର ଦୁର୍ବହ ଶୂନ୍ୟକୁ ଜୟ କରିବାକୁ ଚାହେଁ । ହସରେ, ଗୀତରେ ଓ ଆଖିଲୁହରେ ମଣିଷ ସହିତ ମିଶି ମୁଁ ମୋ’ ଏକାକୀ ଚିତ୍ତର ଉଚ୍ଚ ପାଚେରୀଗୁଡ଼ାକୁ ଭାଙ୍ଗିଦେବାକୁ ଚାହେଁ । ମୁଁ ଜାଣେନା, ପିଲାମନ ବଜାୟ ରଖିପାରିଲେ ହୁଏତ ତାହା ଦିନେ ସମ୍ଭବ ହୋଇପାରିବ ।

 

୨୫ । ୩ । ୫୨

 

ଆଜି ରାତିର ଶେଷ ପହରରୁ ବରଫ ପଡ଼ିବା ଆରମ୍ଭ ହୋଇଚି । ସକାଳୁ ଉଠିଲାବେଳକୁ ଗଛଡାଳ ଓ କୋଠାଛାତ ସବୁ ବରଫରେ ଧଳା ହୋଇଯାଇଚି । ଶାନ୍ତିନେକତନର ବର୍ଷା ପରି ଏହି ସହରର ବରଫ ମତେ ସବୁଦିନେ ସମ୍ମୋହିତ କରିଦେଇଚି । ଏଠିକା ବ୍ୟସ୍ତ ଜୀବନର ସମସ୍ତ ଉତ୍ତପ୍ତତାକୁ ଶାନ୍ତକରି ଏହି ବରଫ ପ୍ରାଣରେ କେତେଦୂର ବ୍ୟାପ୍ତି ଓ କେତେ ତଳର ଗଭୀରତା ଆଣିଦେଇଚି ।

 

ଅଚିରେ ବସନ୍ତ ଆସୁଚି, ବସନ୍ତ ମଧ୍ୟ ମୋତେ ଆନନ୍ଦ ଦେବ । କିନ୍ତୁ ଶୀତ ଓ ବରଫକୁ ବିଦାୟ ଦେଲାବେଳେ ମୁଁ ଏହି ବରଫରୁ ପାଇଥିବା ଆନନ୍ଦର ପରିକଳନା କରି ବସିଚି । ବରଷେ ବା ଦେଢ଼ବରଷ ପରେ ବରଫକୁ ଏତେ ଉପଭୋଗ୍ୟ କରି ଦେଖିବାଲାଗି ମୁଁ ହୁଏତ କୌଣସି ସୁଯୋଗ ହିଁ ପାଇବି ନାହିଁ । ଆଜି ଭାରି ମନେପଡ଼ୁଚି, ଡେନ୍‍ମାର୍କରେ ମୋର ପ୍ରଥମ ସକାଳର ବରଫ ବୃଷ୍ଟି ପ୍ରାୟ ଦେଢ଼ବରଷ ତଳେ ମୋତେ କିପରି ସମ୍ମୋହିତ କରି ଦେଇଥିଲା । ସତେଅବା ମୁଁ ଆଉ ଗୋଟାଏ ପୃଥିବୀରେ ଆସି ପହଞ୍ଚିଚି, ଏହିପରି ଏକ ସ୍ଵପ୍ନାବେଶ ସେଦିନ ମୋର ମନକୁ ଘାରି ରଖିଥିଲା । ସେହିଦିନଠାରୁ ଆଜିଯାଏ ମୁଁ ଯେତେଥର ପ୍ରକୃତିର ଏହି ଶ୍ଵେତ ସୁନ୍ଦର ରୂପ ଦେଖିଚି, ମୁଁ ସେତେଥର ସମ୍ମୋହିତ ହୋଇପଡ଼ିଚି । ବରଫ ପଡ଼ିଥିବା ମୋର ଖୋଲା ବିଲ ଓ ଖୋଲା ପଡ଼ିଆରେ କେତେଥର ଠିଆ ହୋଇ ମୁଁ ଦୂରଦୂରକୁ ମୋର ଦୃଷ୍ଟି ପ୍ରସାରିତ କରିଦେଇଚି, କେତେଥର ଜହ୍ନରାତିରେ ବରଫ ଶଯ୍ୟା ଉପରେ ଭ୍ରମଣ କରି ମୁଁ ଆପଣାର ମନଉପରେ ପ୍ରକୃତିର ଶୁଭ୍ର ପ୍ରତିଫଳନ ଦେଖିଚି, କେତେଥର ଏଠିକା ପିଲାଙ୍କ ସହିତ ପିଲାଟିଏ ହୋଇ ମୁଁ ବି ବରଫ ଖେଳ ଖେଳିଚି । ଆପଣାର ମନ ଉପରେ ପ୍ରକୃତିର ଆନନ୍ଦରୂପକୁ ପ୍ରତିଫଳିତ କରିପାରିଲେ ପ୍ରକୃତିର ବୈଚିତ୍ର୍ୟ ମଣିଷର ଆନନ୍ଦକୁ ଆହୁରି ଅଧିକ ଦଶଗୁଣ କରି ବଢ଼ାଇ ଦିଏ । ଶୀତ, ବସନ୍ତ ଓ ବର୍ଷାକୁ ମଣିଷ ପରିପୂର୍ଣ୍ଣ ରୂପେ ଗ୍ରହଣ କରିବାକୁ ସମର୍ଥ ହୁଏ ।

 

୨୬ । ୩ । ୫୨

 

କମୁନିଷ୍ଟ ରୁଷିଆର ପ୍ରମାଦରୁ ଇଉରୋପକୁ ବଞ୍ଚାଇବା ଲାଗି ପୃଥିବୀରେ କେତେ ମଥା ଓ କେତେ ପଇସା ଖରଚ ହେଉଚି । କେତେ ଦାନ, କେତେ ବଦାନ୍ୟତା, କେତେ ପ୍ରଚାର ଓ ଖବରକାଗଜ ଜରିଆରେ ରୁଷିଆକୁ ଘୃଣା କରିବା ଲାଗି ସାଧାରଣ ମଣିଷକୁ ଶିକ୍ଷା ଦିଆଯାଉଚି । ଆଉ ଅଳ୍ପଦିନ ପରେ ରୁଷିଆର ଅଧିବାସୀଙ୍କୁ ସମୂହ ଭାବରେ ଘୃଣା କରିବା ଆରମ୍ଭ ହୋଇଯିବ ।

 

ଆମ ପୃଥିବୀ ଲାଗି ଏହାହିଁ ସବୁଠାରୁ ବଡ଼ ପ୍ରମାଦ । ଭ୍ରାନ୍ତ ଆଦର୍ଶବାଦର ଫାଶରେ ଗୁନ୍ଥା ହୋଇ ଆମର ଘୃଣା ଯେତେବେଳେ କୌଣସି ଦେଶ ବା ଜାତି ପ୍ରତି ନିର୍ଦ୍ଦେଶିତ ହୁଏ, ସେତେବେଳେ ଆମର ବାଟ ଓ ଆମର ଆଚରଣ ବଡ଼ ପ୍ରମାଦପୂର୍ଣ୍ଣ ହୋଇପଡ଼େ । ନାତ୍‌ସୀ ଜର୍ମାନୀ ଓ କମୁନିଷ୍ଟ ରୁଷିଆ ବିରୁଦ୍ଧରେ ପାଟି କଲାବେଳେ, ଜଗତର ମହାଜନଠାରୁ ପଇସା ଓ କମାଣ ନେଇ ତାହାରି ବରାଦମୁତାବକ ସଜ ହେଲାବେଳେ ଆମରି ଭିତରେ, ଅର୍ଥାତ୍ ଆମ ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରାରେ ମଧ୍ୟ ଯେ ସେହି ନାତ୍‌ସୀବାଦ ବା ରୁଷବାଦର ବିଷମଞ୍ଜି ଅଙ୍କୁରିବାରେ ଲାଗିଚି, ଯୁଦ୍ଧ ଓ ଭୟର ଉତ୍ତାପରେ ଉତ୍ତପ୍ତ ହୋଇ ରହିଥିବା ଏକ ଦେଶକୁ ସେକଥା ବୁଝାଇପାରିବା ନିଶ୍ଚୟ କଷ୍ଟକର ହେବ ।

 

ମୋର ଧର୍ମ, ମୋର ସଭ୍ୟତା ଏକମାତ୍ର ଧର୍ମ ଓ ଏକମାତ୍ର ସଭ୍ୟତା । ମୋର ଭଗବାନ ଏକମାତ୍ର ଭଗବାନ । ଏପରିକି ଭଗବାନଙ୍କୁ ସୂଚାଇ ଦେବାଲାଗି ମୁଁ ଯେଉଁ ବ୍ୟକ୍ତିତ୍ଵର ପୁତ୍ତଳିଟି ଗଢ଼ି ମୋର theologyକୁ ଠିଆ କରାଇଚି, ତାହାହିଁ ହେଉଚି ସମସ୍ତ ଜଗତର ଏକମାତ୍ର ଗ୍ରହଣୀୟ ପୁତ୍ତଳି । ତେଣୁ ମୋର ଆପଣା ଦେଶରେ ମୋ’ ଧର୍ମ ଉପରେ ସବୁ ବିଶ୍ଵାସ ଲୁପ୍ତ ହୋଇଯାଉ ପଛକେ ମୋ’ର ଧର୍ମକୁ ମୁଁ ଆପଣା ଜୀବନରୁ ନିର୍ବାସିତ କରି ରଖିଥାଏ ପଛକେ, ପଇସା ଓ ଅନ୍ଧ ସମର୍ଥନ ଦେଇ ମୋ’ରି theologyକୁ ଅନ୍ୟ ଧର୍ମ ଓ ଅନ୍ୟ ଜାତିଉପରେ ମଡ଼ାଇ ଦେବାକୁ ମୁଁ ଫଉଜ ପଠାଇବି, ମଣିଷର ମନ ଓ ମଣିଷର ବିଚାରକୁ ଦୋହଲାଇ ଦେବାଲାଗି ମୁଁ ସବୁପ୍ରକାର ପ୍ରଲୋଭନ ଓ ସବୁପ୍ରକାର ପ୍ରମାଦ ସୃଷ୍ଟି କରିବି । ଦରକାର ପଡ଼ିଲେ ମୁଁ ସେଥିଲାଗି ରାଜନୀତି ଓ ଶାସନର ସାହାଯ୍ୟ ମଧ୍ୟ ଗ୍ରହଣ କରିବି । ଆଜି ଇଉରୋପର ପ୍ରତ୍ୟେକ ଗୀର୍ଜାରେ ପ୍ରତି ରବିବାର ଦିନ ହୁଏତ ଏହି ଶପଥ ନିଆଯାଉଚି, ଏକ ସମୁଗ୍‌ଧ ବିଶ୍ଵାସରେ ଏଠିକାର ମଣିଷ ହୁଏତ ଅନ୍ୟ ମଣିଷଙ୍କ ପ୍ରତି ତାର ସମ୍ମାନ ବସୁଚି । କେବଳ ମୋହରି ଧର୍ମ, ମୋହରି ମତବାଦ ଓ ମୋହରି ସଭ୍ୟତାର means ବା ବାହନ କରି ଦେଖିବାଦ୍ଵାରା ହିଁ ସମ୍ଭବତଃ ନାତ୍‌ସୀବାଦର ପ୍ରଥମ ମୂଳପତ୍ତନ ହୋଇଚି ।

 

୨୭ । ୩ । ୫୨

 

ମୋ’ ଧର୍ମ ପୃଥିବୀର ଏକମାତ୍ର ଧର୍ମ, ତେଣୁ ମୁଁ ମୋ ଯୁବକକୁ ଅଫିମ ଖୁଆଇ ଅନ୍ୟଧର୍ମକୁ ନ୍ୟୂନ କରି ଦେଖିବାକୁ ଶିଖାଇବି;–ମୋହରି ସ୍ଵାର୍ଥ ହେଉଚି ମୋ’ ଲାଗି ସବୁଠାରୁ ବଡ଼ କଥା, ଏହି ସଂସାରରେ କେବଳ ମୋହରି ମତଲବ କାୟମ ହେବ, ସବୁପ୍ରକାର କଳକୌଶଳ ଓ ସଲାସୁଯୋଗ ନେଇ ସମସ୍ତଙ୍କୁ ମୁଁ ଏହି ମତଲବ କାୟମ କରିବାରେ ହିଁ ଲଗାଇବି,—ଏହିଭଳି ଏକ ଅତ୍ୟାଚାରୀ ଦୃଷ୍ଟିଭଙ୍ଗି ସହିତ ନାତ୍‌ସୀବାଦ ଓ ଏକଛତ୍ର କମୁନିଷ୍ଟବାଦର ଏକ ମନୋବୈଜ୍ଞାନିକ ସମ୍ବନ୍ଧ ନରହିଚି, ସେକଥା କିଏ କହିପାରିବ ? ନାନା ଘୃଣା, ନାନା ଲାଳସାର ପାଚେରୀ ଠିଆ କରି ଆପଣାର ବାଟଟିକୁ ଅତି ସଂକୀର୍ଣ୍ଣ କରିଦେବା ଲାଗି ଆମ ପୃଥିବୀରେ ଆଜି ଏତେ ଉତ୍ସାହ କାହିଁକି ? ଆପଣା ଭଗବାନ ଓ ଆପଣାର ଧର୍ମଦୃଷ୍ଟିକୁ ମଧ୍ୟ ଯଥା ସମ୍ଭବ ସଂକୀର୍ଣ୍ଣ କରି ସେଗୁଡ଼ିକୁ ଆପଣାର ବାଟ ସହିତ ଅନୁକୂଳିତ କରାଇ ରଖିବାକୁ ମଣିଷ ସବୁଠାରେ ଏତେ ତତ୍ପର ହୋଇପଡ଼ିଚି କାହିଁକି ?

 

ଧର୍ମ ନାମରେ ଚଉଦ ପନ୍ଦର ବରଷରୁ ପୁଅଝିଅଙ୍କୁ ଅଫିମ ଖୁଆଇ ଜୀବନ ହୀନ କରିଦେବା ଅପେକ୍ଷା ସେମାନଙ୍କୁ ଆଦୌ କୌଣସି ଧର୍ମ ଶିକ୍ଷା ଦେଉନଥିଲେ ହୁଏତ କମ୍ କ୍ଷତି ହେଉଥାନ୍ତା । କୌଣସି theology ବା କୌଣସି ପୁତ୍ତଳିକୁ ଚରମ ବିଧାୟକ ବୋଲି ବିଶ୍ଵାସ କରିବା ଆଗରୁ ଯେଉଁ ଯୁବଶକ୍ତି ଆପଣା ସମାଜର ସବୁ ମଣିଷଙ୍କୁ ସମ୍ମାନ କରି ଶିଖେ, ଅପରର ଅଧିକାରକୁ ସେ ଠିକ୍ ଆପଣାର ଅଧିକାର ବୋଲି ସମାନ ମୂଲ୍ୟ ଦିଏ ଓ ସେହି ଅନୁସାରେ ସମାଜରେ ଓ ମନୁଷ୍ୟ ଗୋଷ୍ଠୀରେ ଆପଣାର ଆଚରଣ ଓ ଆପଣାର ସମ୍ବନ୍ଧଗୁଡ଼ିକୁ ନିର୍ଣ୍ଣୟ କରି ଶିଖେ, ସେହି ଯୁବଶକ୍ତିଠାରେ ଓ ସେହି ସମାଜରେ ଅଧିକ ଧର୍ମ ଅଛି ବୋଲି ମୁଁ କହିବି । ସମ୍ମାନ, ଶ୍ରଦ୍ଧା ଓ ଭକ୍ତି,– ଏହାହିଁ ହେଉଚି ଧର୍ମର ସବୁଠାରୁ ବଡ଼ ମାପକାଠି । ଏହି ମାପକାଠିଟିକୁ ହରାଇ ବସିଲେ theology ଅନେକ ସମୟରେ ଅଫିମଠାରୁ ବି ଅଧିକ ବିଷମୟ ହୋଇପଡ଼େ ।

 

୨୮ । ୩ । ୫୨

 

ଗାନ୍ଧୀ ଆଉ ଶ୍ରୀ ଅରବିନ୍ଦଙ୍କର ଯୋଗଜୀବନର ପାର୍ଥକ୍ୟ ସମ୍ବନ୍ଧରେ କାଲି ଗୋଟାଏ ଲେଖା ପଢ଼ିଲି । ଅବଶ୍ୟ ଶ୍ରୀ ଅରବିନ୍ଦଙ୍କର ଜଣେ ଶିଷ୍ୟ ଏହି ଲେଖାଟିକୁ ଲେଖିଚନ୍ତି । କେବଳ ଗାନ୍ଧୀଙ୍କୁ ହିଁ ସବୁ ଦୃଷ୍ଟି ଓ ସବୁ ସାଧନାର ଗୁରୁ ବୋଲି ମାନୁଥିବା ସେହିପରି ଜଣେ ଦୃଢ଼ ଶିଷ୍ୟ ଏହି ଲେଖାଟି ଲେଖିଥିଲେ ପ୍ରବନ୍ଧଟି ହୁଏତ ଏକାବେଳେକେ ଭିନ୍ନ ପ୍ରକାରର ହୋଇଥାନ୍ତା ।

 

ଶ୍ରୀ ଅରବିନ୍ଦଙ୍କର ଯୋଗସାଧନା ସମଗ୍ର ଜୀବନଭୂମି ଓ ଜୀବନଦୃଷ୍ଟିକୁ ଉଚ୍ଚତର ପର୍ଯ୍ୟାୟରେ ଅବସ୍ଥାପିତ କରିବାର ସାଧନା । ଶାରୀରିକ, ଦୈବ ଓ ମାନସିକ,–ସକଳ ଭୂମିକୁ ସମଗ୍ରଭାବରେ ଉତ୍ତୋଳିତ କରି ମହାମାନସିକ ଦୃଷ୍ଟି ବା ଉତ୍‍କ୍ରାନ୍ତ ଯୋଗଦୃଷ୍ଟି ଲାଭ କରିବାକୁ ହେବ, ଆପଣାର ଜୀବନକୁ ବର୍ତ୍ତମାନର ସ୍ଥିତିରୁ ଉଚ୍ଚତର ଏକ ସ୍ଥିତିକୁ ନେଇଯିବାକୁ ହେବ, ଏକ ଭିନ୍ନ ଜଳବାୟୁମଣ୍ଡଳ ଭିତରକୁ ଉତ୍‌ଥିତ ହୋଇଯିବାକୁ ପଡ଼ିବ । ଲେଖକଙ୍କର ମତରେ ଏହା ହେଉଚି ଅରବିନ୍ଦ ଯୋଗଦର୍ଶନର ମୂଳକଥା ଓ ଏହି ଦୃଷ୍ଟିରୁ ବିଚାର କଲେ ଜଗତର ଯୋଗଧାରାରେ ଶ୍ରୀ ଅରବିନ୍ଦ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିବେ । ଗାନ୍ଧିଜୀଙ୍କ ସମ୍ବନ୍ଧରେ ମତଦେଇ ଲେଖକ ଲେଖିଚନ୍ତି ଯେ ଗାନ୍ଧିଜୀ ଆପଣାକୁ କେବଳ ମାନସିକ ଜୀବନସୀମାରେ ହିଁ ସୀମିତ କରି ରଖିଚନ୍ତି । ନାନା କଠୋର ଅଧ୍ୟବସାୟ ସନ୍ତପ୍ତ ଶୃଙ୍ଖଳା ଓ ନିୟମ ଦ୍ଵାରା ଗାନ୍ଧିଜୀ ଆପଣାର ମନକୁ ଅତ୍ୟନ୍ତ ସାବଧାନତା ସହକାରେ ବାନ୍ଧି ପାରିଚନ୍ତି । ହୁଏତ ସେହି ବଳରେ ସେ ସାଧାରଣ ମଣିଷର ତୁଳନାରେ ଅନେକ ଉଚ୍ଚତର ସ୍ତରକୁ ଉଠିପାରିଚନ୍ତି । କିନ୍ତୁ ତାଙ୍କର ଯୋଗ ଏକ ସଂପୂର୍ଣ୍ଣ ଯୋଗ ନୁହେଁ, ତାଙ୍କର ଯୋଗଜୀବନ-ବିଜ୍ଞାନ truth-consciousness କୁ ଆପଣାର ପରମ ସ୍ଵତଃସିଦ୍ଧ ରୂପେ ଗ୍ରହଣ କରି ପାରିନାହିଁ ।

 

ବୁଦ୍ଧିର ସାହାଯ୍ୟ ନେଇ ଦୁଇ ଯୋଗୀଙ୍କର ଯୋଗକୁ ତଉଲି ବସିଲେ କେବଳ ପ୍ରଭେଦ ଦେଖିବା ହିଁ ସାର ହେବ । ବିଶେଷତଃ ଗୋଟାଏ ପକ୍ଷର ଶିଷ୍ୟ ଯେତେବେଳେ ବୁଦ୍ଧି ଓ ଯୁକ୍ତି ଦେଇ ଆପେ ଏହି ତଉଲିବାର ପରିଶ୍ରମ କରିବସିବ, ପ୍ରଭେଦ ବାହାର କରିବାର ପ୍ରମାଦ ସେତେବେଳେ ଆହୁରି ଅଧିକ ବଢ଼ିଯିବ ।

 

୨୯ । ୩ । ୫୨

 

ଶ୍ରୀ ଅରବିନ୍ଦଙ୍କ ସମ୍ବନ୍ଧରେ ମୁଁ କିଛି ଜାଣିନାହିଁ କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ । ତାଙ୍କର ଲେଖା କେବଳ କେତୋଟି ଚିଠି ବ୍ୟତୀତ ତାଙ୍କର କୌଣସି ଲେଖା ମୁଁ ପଢ଼ିନାହିଁ । ଅବଶ୍ୟ ଶାନ୍ତିନିକେତନରେ ତାଙ୍କ ବିଷୟରେ ବକ୍ତୃତାମାନ ଶୁଣିଚି । ତେଣୁ ତାଙ୍କର ଜଣେ ଶିଷ୍ୟ ଲେଖିଥିବା ଲେଖାଟିଏ ପଢ଼ି ତାଙ୍କ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ମତାମତ ପୋଷଣ କରିବା ମୋ’ ପକ୍ଷରେ ଦୁଃସାହସ ମାତ୍ର ।

 

କିନ୍ତୁ ସାଧନାଶାସ୍ତ୍ରର ଆଲୋଚକ ଯେତେବେଳେ ଦୁଇ କ୍ଷେତ୍ରରେ ଦୁଇଜଣ ମହାପୁରୁଷଙ୍କର ତୁଳନା କରିବସେ, ସେତେବେଳେ ଅତି ସ୍ଵାଭାବିକ ଭାବରେ ମୋ’ ଭିତରେ ତୀବ୍ର ପ୍ରତିବାଦ ଜାଗିଉଠେ । ଯେତେ ବୁଦ୍ଧି ଖରଚ କରାଯାଇ ସେହି ତୁଳନାତ୍ମକ ଆଲୋଚନାକୁ ଠିଆ କରାଯାଇଥାଉ ପଛକେ, ସେଥିରେ ମୁଁ ଆଦୌ ସନ୍ତୁଷ୍ଟ ହୋଇ ପାରେନାହିଁ । ବିଶେଷତଃ ଜଣେ ସାଧକଙ୍କର ଶିକ୍ଷା ବୋଲାଉଥିବା ଜଣେ ଉତ୍ସାହୀ ପଣ୍ଡିତ ସତେଅବା alchemist ପରି ଯେତେବେଳେ ଦୁଇକ୍ଷେତ୍ରରେ ଥିବା ଦୁଇ ବ୍ୟକ୍ତିତ୍ୱର ମୂଲ୍ୟ ତଉଲିବସେ, ସେତେବେଳେ ମୁଁ ଆପଣା ମନଭିତରେ ଆହୁରି ଚଞ୍ଚଳ ଓ ଅଶ୍ୱସ୍ତ ଅନୁଭବ କରେ । ଜାଣେନା, ଗାନ୍ଧିଜୀ ଓ ଶ୍ରୀ ଅରବିନ୍ଦ ଆପେ ଏହିପ୍ରକାରେ ତଉଲିବାର ମନୋଭାବଟିକୁ କେତେଦୂର ପସନ୍ଦ କରନ୍ତେ !

 

ପ୍ରତ୍ୟେକ ବ୍ୟକ୍ତିତ୍ଵ ଓ ପ୍ରତ୍ୟେକ ସାଧନାରେ ପଥ ମୋ’ ଲାଗି ଏକ ସମ୍ପୂର୍ଣ୍ଣ ପଥ । ପ୍ରତ୍ୟେକ ସାଧକର ଦୃଷ୍ଟିକୁ ମୁଁ କେବଳ ଏକ ସଂପୂର୍ଣ୍ଣ ଦୃଷ୍ଟିଭାବେ ଦେଖି ଆସିଚି । ତେଣୁ ଦୁଇ ସାଧକଙ୍କର ସାଧନା ଓ ସାଧନା କ୍ଷେତ୍ରରେ ଆଲୋଚନା କଲାବେଳେ ମୁଁ ସାଧନା ଜଗତର ବୈଚିତ୍ରକୁ ହିଁ ସବୁଠାରୁ ବଡ଼ ସତ୍ୟ ବୋଲି ଗ୍ରହଣ କରିବି । କିନ୍ତୁ ମୋର ଆପଣା ମାପକାଠି ପକାଇ ମୁଁ କଦାପି ଜଣକୁ ବଡ଼ ଓ ଆଉଜଣକୁ ଛୋଟ ବୋଲି କହିବାକୁ ଯିବିନାହିଁ । ଶାସ୍ତ୍ରଜ୍ଞାନର ମାପକ ନେଇ ଆମେ ଯେଉଁମାନେ ଧର୍ମଦୃଷ୍ଟିକୁ ଓଜନ କରିବାକୁ ଯାଉ, ଅନେକ ସମୟରେ ଆମ ଦୃଷ୍ଟିର ଅଭାବଟାକୁ ହିଁ ଆମେ ପଦାରେ ପକାଇଦେଉ । ମାତ୍ର ଯଥାର୍ଥ ଧର୍ମଦୃଷ୍ଟି ଲାଭକରିଥିବା ସାଧକ ଅନ୍ୟାନ୍ୟ ସାଧକମାନଙ୍କ ସହିତ କୌଣସି ପ୍ରତିଯୋଗିତା କରିଥିବାର କାହାଣୀ ମୁଁ କେବେହେଲେ ଶୁଣିନାହିଁ । ଆପଣା ଆପଣାର ସାଧନା କ୍ଷେତ୍ରକୁ ଏକକ ଓ ସଂପୂର୍ଣ୍ଣରୂପେ ପ୍ରସ୍ତୁତ କରି ହିଁ ସେମାନେ ଆପଣା ଆପଣାର ଦୃଷ୍ଟି ପଥରେ ଅଗ୍ରସର ହୋଇଚନ୍ତି ।

 

୩୦ । ୩ । ୫୨

 

“ଜଗତରେ ଯେତେ ଯୋଗୀ ଋଷି ଯେଉଁଠି ଯେତେ ଯଜ୍ଞଯାଗ କରିଚନ୍ତି, ମୁଁ ସେଥିରେ ଅଂଶଗ୍ରହଣ କରିଚି ।”–ଗାନ୍ଧୀ ଓ ଅରବିନ୍ଦଙ୍କୁ ତଉଲି ବସିଲାବେଳକୁ ଗୁରୁଦେବଙ୍କର ଏହି କଥାଟା ହିଁ ମନେ ପଡ଼ିଯାଉଚି । ଅବଶ୍ୟ ଯଜ୍ଞଯାଗକୁ ଏଠି ଗୀତାର ଅର୍ଥରେ ବୁଝିବାକୁ ହେବ । ପୂର୍ବବଙ୍ଗର ଜଣେ ବାଉଲ୍‍ ଏହି ଯଜ୍ଞ ଶବ୍ଦଟିକୁ ବୁଝାଇବାକୁ ଯାଇ ଏକ ସଙ୍ଗୀତ ରଚନା କରିଚନ୍ତି । ଯଜ୍ଞର ଅର୍ଥକୁ ଏତେ ନିବିଡ଼ ଅଥଚ ଏତେ ସହଜ ଭାବରେ ମୁଁ ଆଉ କେଉଁଠୁ ବୁଝିଚି ବୋଲି ମୋର ମନେ ପଡ଼ୁନାହିଁ । ଫୁଲର ଯଜ୍ଞ ଫୁଟିବାରେ, ପବନର ଯଜ୍ଞ ବହିବାରେ, ନଦୀର ଯଜ୍ଞ ବୋହି ଯିବାରେ,–ବାଉଲ୍‍ କଳ୍ପନାରେ ଯଜ୍ଞର ଏହି ସହଜ ବର୍ଣ୍ଣନାଟି ଭାରି ଚମତ୍କାର ।

 

ଏହି ଯଜ୍ଞର ଭୂମିଉପରେ ହିଁ ମୁଁ ଗାନ୍ଧିଜୀ, ଶ୍ରୀ ଅରବିନ୍ଦ ତଥା ଜଗତର ସବୁ ସାଧକ ଓ ମହାପୁରୁଷମାନଙ୍କୁ ଗ୍ରହଣ କରିବି । ଆପଣା ଆପଣା ପଥରେ ଅଗ୍ରସର ହୋଇ ସେମାନେ ଶେଷରେ ଆପଣାର ସବୁକିଛିକୁ ଯଜ୍ଞପରି ଆହୁତି ଦେଇଚନ୍ତି । କିଏ କିପ୍ରକାର ଡଙ୍କାରେ ଆହୁତି ଦେଇଚି, କିଏ କି ମନ୍ତ୍ର ପଢ଼ି ଆହୁତି ଦେଇଚି, ସେକଥା ଭାବିବାକୁ ବା ତଉଲି ବସିବାକୁ ବେଳ କାହିଁ-? ଏଠାରେ ଆହୁତି ହିଁ ସବୁଠାରୁ ବଡ଼କଥା । ଆଜି ସେଇ ଆହୁତିକୁ ଯିଏ ଆପଣା ଜୀବନର ପରମ ତପ ରୂପେ ଗ୍ରହଣ କରିବ, ସିଏ ନିଶ୍ଚୟ ସମାନ ସମ୍ମାନ ଓ ସମାନ ଶ୍ରଦ୍ଧା ଦେଇ ସବୁ ମହାତ୍ମାଙ୍କୁ ଗ୍ରହଣ କରିପାରିବ, ସିଏ ଅନାଦିକାଳରୁ ଅଗଣିତ ମହାପୁରୁଷଙ୍କର ଜୀବନ ମଧ୍ୟଦେଇ ହୋଇଆସିଥିବା ଯଜ୍ଞରେ ଅବଶ୍ୟ ଭାଗ ନେଇପାରିବ, ସବୁ ଆହୁତି ସହିତ ଆପଣାର ଆହୁତିଟିକୁ ମିଶାଇବା ଲାଗି କେବଳ ସେଇ ସ୍ପର୍ଦ୍ଧା କରିପାରିବ, ସଭିଙ୍କ ସହିତ ଏକତ୍ର ସମ୍ମିଳିତ ହୋଇ କେବଳ ସେଇ ଏକ ସଂପୂର୍ଣ୍ଣ ଆହୁତିର ପ୍ରଶସ୍ତି ଗାଇପାରିବ ।

 

ମହାତ୍ମା ଓ ସାଧକମାନଙ୍କର ଜୀବତ୍କାଳ ପରେ ସେଇମାନଙ୍କର ନାମ ନେଇ ଶିଷ୍ୟମାନେ କେତେ ଶଙ୍ଖମର୍ମର ପାହାଚ ଓ କେତେ ଦେଉଳ ଗଢ଼ିବେ, କେତେ ପ୍ରକାରର ମେଳାମଉଚ୍ଛବ କରିବେ, ଭକ୍ତିର ନାମ ନେଇ ସେମାନେ କେତେ ଘୃଣା କରିବେ, ଆପଣା-ତିଆରି ବଟକରାଗୁଡ଼ାକୁ ନେଇ ସେମାନେ ଧର୍ମଦୃଷ୍ଟିକୁ କେତେପ୍ରକାରେ ତଉଲିବାକୁ ଯିବେ । ପ୍ରତ୍ୟେକ ଧର୍ମରେ ଏହି ଘୃଣା, ଏହି ତଉଲିବା ଓ ଏହି ଆତ୍ମସନ୍ତୋଷର ଭୁରିଭୁରି କାହାଣୀ ରହିଚି । ମାତ୍ର ସାଧନାର ଜୀବନରେ ଆହୁତି ଯେ ସବୁଠାରୁ ବଡ଼ କଥା, ଏହି ସତ୍ୟଟିକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ମଣିଷ କୌଣସି ଧର୍ମ ଓ ଧର୍ମଦୃଷ୍ଟିରେ କେବେହେଲେ ସାର୍ଥକ ଅଂଶ ଗ୍ରହଣ କରି ପାରିବନାହିଁ ।

 

୩୧ । ୩ । ୫୨

 

ବାଟର ଭଲମନ୍ଦ ବାରି ଧର୍ମର ଇତିହାସ ଆପଣାଲାଗି ଅନେକ ଗ୍ଳାନି ଅର୍ଜନ କରିଚି । ଯେତେବେଳେ କୌଣସି ନା କୌଣସି ସାଧକକୁ କେନ୍ଦ୍ରକରି ଏକ ଶିଷ୍ୟଗୋଷ୍ଠୀର ସୃଷ୍ଟି ହୋଇଚି, ସେତେବେଳେ ସେମାନେ ଆପଣାର ନିର୍ଦ୍ଦିଷ୍ଟ ବାଟଟିକୁ ହିଁ ଶ୍ରେଷ୍ଠ ବାଟ ବୋଲି କହିବାର ମୋହରେ ପଡ଼ିଯାଇଚନ୍ତି । ଏ ଦଶା ଠିକ୍ ଦିଅଁଙ୍କୁ ଭୁଲି ଦେଉଳକୁ ଆବୋରି ଧରିବାର ଦଶା ପରି । ଧର୍ମ ଜୀବନକୁ ଭୁଲି ଯେଉଁଠି ଯେତେକ୍ଷେତ୍ରରେ ଧର୍ମସନ୍ତକ ବା ଧର୍ମବାଟକୁ ଅଧିକ ଗୁରୁତ୍ଵ ଦିଆଯାଇଚି, ସେଠି ଶିଷ୍ୟମାନଙ୍କର ସଂଖ୍ୟା ଯେଡ଼େ ପ୍ରବଳଭାବରେ ବଢ଼ିଥାଉ ପଛକେ, ଶହ ବା ହଜାର ଖରଚ କରି ଶିଷ୍ୟମାନେ ଆପଣାର ଧର୍ମପ୍ରମତ୍ତତାକୁ ଯେତେ ପ୍ରଚାର କରି ବୁଲୁଥାନ୍ତୁ ପଛକେ, ସେମାନଙ୍କ ଜୀବନରେ ଧର୍ମ କେବଳ ଅଫିମ ପରି କାର୍ଯ୍ୟ କରିଚି । ସେମାନଙ୍କର ଜୀବନ ଓ ସମାଜର ଆଲୋଚନା କଲାବେଳେ ଆମେ କାର୍ଲ୍‍ମାର୍କସ୍‌ଙ୍କର ନୀତି ଗ୍ରହଣ କଲେ ଆଦୌ ଅନ୍ୟାୟ ହେବନାହିଁ ।

 

Mysticism ଓ Theology ଭିତରେ ସବୁଠାରୁ ବଡ଼ ପାର୍ଥକ୍ୟ ଏଇଠି । Mysticism ର ବାଟ ହେଉଚି ଆପଣା ସାଧନାଦ୍ଵାରା ଆପଣାର ଇପ୍‌ସିତକୁ ଲାଭ କରିବାର ବାଟ । କୌଣସି ସୁସ୍ଥ Mysticism ବା ଦେବଦୃଷ୍ଟିରେ ପ୍ରତିଯୋଗିତା କରିବାର, ଛୋଟବଡ଼ ବା ଭଲମନ୍ଦ ବାଛିବାର କୌଣସି ସ୍ଥାନ ନାହିଁ । ଆପଣାକୁ କେବଳ ଦୀପଟିଏ କରି ଜାଳିଦେବାର ବାଟ ଏ । କିନ୍ତୁ theologyର ରୀତି ଠିକ୍ ଓଲଟା । ଈଶ୍ଵରଙ୍କର ଏକ ବର୍ଣ୍ଣନା ବା ଯୁକ୍ତିମୂଳକ ତତ୍ତ୍ଵକୁ ପରମସତ୍ୟ ବୋଲି ମାନି ମଣିଷ ଏଠି ଆପଣାର ସାଧନାକ୍ଷେତ୍ରରେ ଆପଣାର ଦାୟିତ୍ଵ ଭୁଲିଯାଏ, ତତ୍ତ୍ଵ ଓ ଗୋଷ୍ଠୀର ମୋହରେ ପଡ଼ି ସେ ଆପଣାର ଦୀପଟି ଜାଳିବାର ପରିଶ୍ରମକୁ ପଛରେ ପକାଇଦିଏ, ଆପଣାକୁ ଏକ ନିର୍ଦ୍ଦିଷ୍ଟ ପଥ ଓ ଶିଷ୍ୟଗଣର ଅନ୍ତର୍ଭୁକ୍ତ କରି ଆପଣାପଥର ଯଥାର୍ଥତା ଓ ସାରବତ୍ତା ବିଷୟରେ ଗୋଟାଏ କ୍ରୂର Complacency ପୋଷଣ କରିବାକୁ ସେ ଯଥେଷ୍ଟ ଉତ୍ତେଜନା ପାଏ । ଏହି ଉତ୍ତେଜନା ତାକୁ ଧର୍ମନାମରେ ଘୃଣା କରି ଶିଖାଏ, ଭଗବାନଙ୍କ ନାମରେ ମଣିଷ ମାରି ଶିଖାଏ ।

 

୧ । ୪ । ୫୨

 

ପ୍ରତ୍ୟେକର ବିଶ୍ଵାସ ପ୍ରତ୍ୟେକର ଆପଣା ସମ୍ପଦ । ମାଟିପିତୁଳାରେ ପରମ ପୁରୁଷର ଆରୋପ କରି ଆପଣାର ବିଶ୍ଵାସକୁ ସେହି ଆରୋପ ଉପରେ ପର୍ଯ୍ୟବେସିତ କରିପାରିଲେ ମଧ୍ୟ ମଣିଷ ତା’ର ଧର୍ମ ଜୀବନରେ ଅନେକଦୂର ଅଗ୍ରସର ହୋଇପାରିବ, ପିତୁଳା ମଧ୍ୟଦେଇ ସେ ପିତୁଳାର ସୀମାକୁ ଅତିକ୍ରମି ଯାଇ ପାରିବ । ରାମକୃଷ୍ଣ ପରମହଂସଙ୍କର ସାଧନାଚରିତ ଏହି ମାର୍ଗର ସବୁଠାରୁ ବଡ଼ ଦୃଷ୍ଟାନ୍ତ ।

 

କିନ୍ତୁ ଆପଣାର ବିଶ୍ଵାସକୁ ନେଇ ଅପର ଉପରେ ଲଦିବାର ପ୍ରୟାସ ଆରମ୍ଭ ହେଲେ ଧର୍ମଜଗତରେ ତଥା ଲୋକଜୀବନରେ ଭାରି ପ୍ରମାଦମାନ ଆସି ପହଞ୍ଚିବ । କାଳୀପନ୍ଥୀ, ଶୈବ, ବୈଷ୍ଣବ ଓ ଶାକ୍ତଙ୍କ ଭିତରେ ଯେଉଁସବୁ କଳହଦିବାଦ ଲାଗିଚି, ହିନ୍ଦୁଧର୍ମର ଇତିହାସ ପଢ଼ିଲେ ତାହାର ଭୁରିଭୁରି ପ୍ରମାଣ ମିଳିବ । ଆପଣା ମନ ଓ ଆପଣା ଅନୁଧ୍ୟାନର ପରମ ସମ୍ପଦରୁ ମଣିଷ ଯେ କାହିଁକି ହଠାତ୍ ପରଉପରେ ଲଦିଦେବାର ସ୍ଵେଚ୍ଛାଚାର ଆରମ୍ଭ କରେ, ମୁଁ ଏପର୍ଯ୍ୟନ୍ତ ତା’ର କାରଣ ଖୋଜି ପାଇନାହିଁ ।

 

ଆପଣାର ବିଶ୍ଵାସକୁ ଅପର ଉପରେ ଲଦିବାର ପ୍ରୟାସ ପଶ୍ଚିମ ସଭ୍ୟତାକୁ ବାରବାର କଳଙ୍କିତ କରି ଆସିଚି । ନାନା ଗୃହଯୁଦ୍ଧ, ଘୃଣା ଓ ବିଦ୍ଵେଷଦ୍ଵାରା ଦେଶର ସଂଖ୍ୟାଧିକ ଗୋଷ୍ଠୀ ଆପଣାର ବିଶ୍ଵାସକୁ ପ୍ରଥମ ଜାତୀୟ ବିଶ୍ଵାସ ବୋଲି ଘୋଷଣା କରିଚନ୍ତି । ଆପଣାର ଧର୍ମମାର୍ଗକୁ ସେମାନେ ରାଜ୍ୟର ସ୍ଵୀକୃତ ଓ ପୋଷିତ ଧର୍ମମାର୍ଗରେ ପରିଣତ କରିବାକୁ ଯେକୌଣସି ଅସମ୍ମାନକର ଉପାୟର ସାହାଯ୍ୟ ନେଇଚନ୍ତି । ତା’ପରେ ଜାତୀୟ ଅର୍ଥନୀତି ଓ ଜାତୀୟ ବାଣିଜ୍ୟର ବିପଣୀ ଆପଣାର ସଂହାରଯାତ୍ରା ଆରମ୍ଭ କରିବା ସଙ୍ଗେ ସଙ୍ଗେ ଜାତୀୟ ବିଶ୍ଵାସ ମଧ୍ୟ ଅପରର ବିଶ୍ଵାସକୁ ଗିଳିବାଲାଗି ସମୁଦ୍ର ଡେଇଁଯାଇଚି । କେତେ ସଭ୍ୟତା ଓ କେତେ ଲୋକପଦ ଯେ ଏହି ତ୍ରାସରେ ପଡ଼ିଚି, ହୁଏତ ତାହାର ଇତିହାସ କୌଣସିଦିନ ମଧ୍ୟ ସମ୍ପୂର୍ଣ୍ଣଭାବେ ଲେଖାହୋଇ ପାରିବନାହିଁ । ବିଶ୍ଵାସ ହିଁ ଖ୍ରୀଷ୍ଟଧର୍ମର ସବୁଠାରୁ ବଡ଼କଥା, ଯୀଶୁଖ୍ରୀଷ୍ଟଙ୍କୁ ଭଗବାନଙ୍କର ଏକମାତ୍ର ପୁତ୍ର ବୋଲି ବିଶ୍ଵାସ କରିବା ହିଁ ଅସଲ ଖ୍ରୀଷ୍ଟତ୍ଵର ପରିଚାୟକ,—ଏଥିରେ ମୋର ପ୍ରତିବାଦ କରିବାର କିଛି ନାହିଁ । କିନ୍ତୁ ଶାସକ, ସଂହାରକ ଓ ବଣିକର ସାହାଯ୍ୟ ନେଇ ସେହି ବିଶ୍ଵାସକୁ ଅପର ଉପରେ ମଡ଼ାଇବାରେ ପଶ୍ଚିମ ସଭ୍ୟତା ଯେ ଆପଣାର ବିଶ୍ଵାସଟିକକୁ ମଧ୍ୟ ଅପବିତ୍ର କରିଦେଉଚି, ଏକଥା ମୁଁ ସବୁବେଳେ କହିବି । ମଣିଷର ଧର୍ମ ଓ ମଣିଷର ଭଗବାନକୁ ଅସମ୍ମାନିତ କରିବାରେ ଏହି ଘଟଣା ଭାରି ବଡ଼ ଅଂଶ ଗ୍ରହଣ କରିଚି ।

 

୨ । ୪ । ୫୨

 

ଧର୍ମ ଭିତରେ ଯେଉଁଦିନ ଯାହା ସାରବସ୍ତୁ ଥିଲା, ଲୋକଜୀବନରୁ ତାହା କୋଉଦିନକୁ କୁଆଡ଼େ ମରିଉଡ଼ି ଗଲାଣି । ଆଜି କେବଳ ସନ୍ତକରେ ଓ ସନ୍ତକଗୁଡ଼ାକୁ ନେଇ ପରସ୍ପରକୁ ଘୃଣା କରିବାରେ ଏବଂ ଯାବତୀୟ ସୁଯୋଗ ନେଇ ଅପରକୁ ମାଡ଼ିଦଳି ଦେବାରେ ହିଁ ଜଗତର ଧର୍ମଜୀବନ ଆବଦ୍ଧ ହୋଇରହିଲାଣି । ଆଜି ଗୋଟାଏ ପାଖରେ ଦେଶର ପାଇସା ଓ ପୋଷାକତା ପାଇ ପାଦ୍ରୀ ଧର୍ମସନ୍ତକ ପ୍ରଚାର କରିବାର ଧ୍ଵଜାକୁ ହାତରେ ଧରି ଯାଉଚି, ଆଉ ଗୋଟାଏ ପାଖରେ କରଜ ଟଙ୍କାରେ କମାଣ ବନ୍ଧୁକ କଣାହୋଇ ମଣିଷ ମାରିବାକୁ ଫୌଜ ମଧ୍ୟ ପଠାଯାଉଚି-। ଏହି ଉଭୟ ନୀତିର paradox ଆଜି ଆମ ପୃଥିବୀରେ ଭାରି ଦେଖିବାକୁ ମିଳିଲାଣି । କଥାରେ ସମସ୍ତେ ଭାରି ଧର୍ମବନ୍ତ; କିନ୍ତୁ ସେହି ଅନୁସାରେ କର୍ମବନ୍ତ ହୋଇପାରିବାର ଦାୟିତ୍ଵ ଓ ମୂଲ୍ୟକୁ କିଏ ବୁଝୁଚି ?

 

ମୋ’ ନିଜଦେଶରେ ମଧ୍ୟ ମୁଁ ଧର୍ମବିଷୟରେ ଅନେକ ବକ୍ତୃତା ଶୁଣିଚି, ଗୀତା ଓ ଉପନିଷଦରୁ ସାରମାନ ଛାଣିଆଣି ଶ୍ରୋତା ସମାଜକୁ ଚେତେଇ ଦେଇଥିବା ପଣ୍ଡିତମାନଙ୍କର ସମ୍ପର୍କରେ ବି ଆସିଚି । କିନ୍ତୁ ସେହି ଧର୍ମାବର୍ତ୍ତ ଓ ବ୍ରହ୍ମାବର୍ତ୍ତ ଭାରତବର୍ଷରେ ବି ଆଜି ଧର୍ମ କାହିଁ ? କୌଣସି ଡିଗ୍ରୀ ବା କୌଣସି ଉପଢ଼ୌକନର ଲାଳସାରେ ସେଠି ହୁଏତ କେତେକେତେ ଛାତ୍ର ଆମର ପୁରୁଣା ପୋଥିଗୁଡ଼ାକୁ ଖେଳାଇ, ନାନା ଶାସ୍ତ୍ରର ତୁଳନା ଓ ସମାଲୋଚନା କରି କେତେ ନୂଆ ତଥ୍ୟ ଓ ନୂଆ ଦର୍ଶନ ବାହାର କରୁଚନ୍ତି । କିନ୍ତୁ ଦେଶର ଲେକଜୀବନରେ ଧର୍ମ ଆଉ କୋଉଠି ଅବଶିଷ୍ଟ ରହିଚି ? ଗୋଟାଏ ଦୁର୍ବଳ ଓ ନକାରାତ୍ମକ ଦର୍ଶନର ଭେଳକି ଲଗାଇ ଦୁର୍ବଳକୁ ଦୁର୍ବଳ ଓ ଦରିଦ୍ରକୁ ଦରିଦ୍ର କରି ରଖିବାର ପ୍ରଚେଷ୍ଟା ବି ଅନେକେ କରିଚନ୍ତି । ମଣିଷର ସବୁ ଶକ୍ତି ଆଜି ମରିଯାଇଚି । ଏପରିକି ଜୀବନର ସବୁଠାରୁ ନ୍ୟୂନକଥା ଆପଣାର ଭାତମୁଠାକ ଦାବି କରିବାର ନିର୍ଭୟତାକୁ ମଧ୍ୟ ମୋ’ ଦେଶର ମଣିଷ ହରାଇ ବସିଲାଣି ।

 

୩ । ୪ । ୫୨

 

ଯେଉଁଦିନଠାରୁ ମୁଁ ଧର୍ମ ବିଷୟରେ ଗଭୀରଭାବରେ କିଛି ବୁଝିବାକୁ ଆରମ୍ଭ କରିଚି, ସେ ଦିନଠାରୁ ମୁଁ ମୋର ଧର୍ମଦୃଷ୍ଟିରେ କୌଣସି ଶାସକ ଭଗବାନର ଆରୋପ କରି ମୋ’ ଧର୍ମଜୀବନର ଆୟତନକୁ କେବେହେଲେ ସୀମିତ ବା ସଂକୀର୍ଣ୍ଣ କରି ଦେଇନାହିଁ । ମୋ’ ଭିତରେ ରହି ଯେଉଁ ଶକ୍ତି ମୋତେ ଆଗକୁ ଆଗକୁ ବାଟ କଢ଼ାଇ ଚାଲିଚି, ସହସ୍ତ କ୍ଷତି ଓ ଗ୍ଳାନି ସତ୍ତ୍ୱେ ଯିଏ ମୋତେ ତଥାପି ତିନିକାଳକୁ ସଂଯୁକ୍ତ କରି ଜୀବନର କଳ୍ପନା କରିବାଲାଗି ଅଗ୍ରସର କରାଇଚି, ସଂସାରରେ ନାନା ଅପବାଦ ଓ ଆପଦ ସହିବାସତ୍ତ୍ୱେ ଲଜ୍ଜା ବା ଭୟରେ ଟଳି ନପଡ଼ିବାକୁ ମୋ’ ଭିତରର ଯେଉଁ ଚିରଶୁଦ୍ଧ ଓ ଚିରସଜୀବ ପ୍ରାଣ ମୋତେ ଅବିରତ ପ୍ରେରଣା ଦେଇଚି ମୁଁ ତାହାକୁ ହିଁ ଭଗବାନ ବୋଲି ମାନି ନେଇଚି । ଜାଣେନା, ପୃଥିବୀର କୋଉ ଧର୍ମର theology ମୋର ଏହି ଦୃଷ୍ଟିକୁ ଧର୍ମଦୃଷ୍ଟି ବୋଲି ସ୍ଵୀକାର କରିବ କି ନାହିଁ । କିନ୍ତୁ କେହି ସ୍ଵୀକାର ନକଲେ ମଧ୍ୟ ସେଥିଲାଗି ମୋର ଏତେ ଟିକିଏ ଖେଦ ନାହିଁ । କାରଣ ମୁଁ ଯାହା ପାଇଚି, ତାହା କୌଣସି ଶାସ୍ତ୍ର, ଶିକ୍ଷକ ବା ଅନୁଶାସନରୁ ଲବ୍‌ଧ କୌଣସି ବସ୍ତୁ ନୁହେଁ । ଜୀବନର ନାନା ବିଚିତ୍ର ଅନୁଭୂତି ଦ୍ଵାରା ଦିନଦିନର ପ୍ରତ୍ୟେକ ଘଟଣା ଓ ମୋ’ ସମ୍ପକରେ ଆସିଥିବା ପ୍ରତ୍ୟେକ ମଣିଷ ଓ ସାମଗ୍ରୀର ମର୍ମପ୍ରବେଶ କରି ମୁଁ ଏହି ‘ଚରୈବେତି’ର ପରମ ସମ୍ପଦ ଲାଭ କରିଚି । ଏହା ହେଉଚି ମୋ’ ଜୀବନର ମୂଳକଥା ମୋ’ ଜୀବନର ସ୍ଥାପନା, ଚାଳନା ଓ ସମ୍ଭାବନାକୁ ମୁଁ ଏହି ଶକ୍ତିଠାରେ ସମର୍ପଣ କରିଦେଇଚି । ତେଣୁ ଏହାହିଁ ମୋର ଧର୍ମ । ଜୀବନର ଶ୍ରେୟ ବୋଲି ଗ୍ରହଣ କରିଥିବା ଏହି ସମ୍ପଦକୁ ମୁଁ କଦାପି ଅଫିମ କରି ବସିବି ନାହିଁ । ତା’ର ଚତୁର୍ଦ୍ଦିଗରେ କୌଣସିପ୍ରକାର ଆକୃତି ବିଶିଷ୍ଟ କୁହୁଡ଼ିଜାଲର ସୃଷ୍ଟି କରି ମୁଁ ମୋ’ ଦୃଷ୍ଟିର ଆୟତନକୁ ନାମରେ ବା ରୂପରେ ସଂକୀର୍ଣ୍ଣ କରି ଦେବିନାହିଁ । ଜୀବନରେ ଦିନଦିନର ଲାଭକ୍ଷତିରେ ମୁଁ ଯେଉଁ ଅବସାଦ ଓ ଆନନ୍ଦ ପାଉଚି, ନାନାକ୍ଷେତ୍ରରେ ପ୍ରଧାନତଃ ଆଗକୁ ଯିବାର ପ୍ରେରଣା ପାଖରେ ମୁଁ ସେହି ଅବସାଦ ଓ ଆନନ୍ଦକୁ ସମର୍ପଣ କରିଦେବି । କାରଣ ଏହି ଆଗକୁ ଯିବାହିଁ ମୋର ଆନନ୍ଦ । ଭବିଷ୍ୟତରେ ଆଉ କେଉଁଠି ଗୋଟାଏ ସ୍ଵର୍ଗ ବା ଈଶ୍ଵରୀୟ ଆଶୀର୍ବାଦ ଲାଭ କରିବାର ଲାଳସାକୁ ମୁଁ ମୋର ଜୀବନପାଞ୍ଜିରୁ କୋଉଦିନକୁ ପୋଛି ଦେଇସାରିଚି-। ଆଗକୁ ଯିବା ହିଁ ଆଗକୁ ଯିବାର ପୁରସ୍କାର, ଜୀବନ ହିଁ ଜୀବନ ବଞ୍ଚିବାର ପୁରସ୍କାର-

 

୪ । ୪ । ୫୨

 

ମୋତେ ଅସତ୍ୟରୁ ସତ୍ୟକୁ ନେଇଯାଅ, ଅନ୍ଧକାରରୁ ଆଲୋକକୁ ନେଇଯାଅ, ମୃତ୍ୟୁରୁ ଅମୃତର ରାଜ୍ୟକୁ ନେଇଯାଅ !’ —ଧର୍ମ ଇତିହାସରେ ଏହି ତିନୋଟି ବାକ୍ୟକୁ ମୁଁ ମୋ’ ଲାଗି ପ୍ରଥମ ଓ ପରମ ସତ୍ୟ ବୋଲି ଗ୍ରହଣ କରିବି । ଅନ୍ଧକାରର ମୁଦ ଫିଟାଇ ଯୋଉଠି ଯିଏ ମୋତେ ଆଲୋକକୁ ବାଟ କଢ଼ାଇନେବ, ପୁରୁଣା ସୀମା ଭାଙ୍ଗି ମୋତେ ଯିଏ ନୂତନ ଓ ବିସ୍ତୃତତର ଜଗତ ସହିତ ସଂଯୁକ୍ତ କରାଇବ, ଅଳ୍ପର ମୋହ ଡିଆଁଇ ଯେଉଁଠି ଯିଏ ମୋତେ ଭୂମାର ବ୍ୟାପ୍ତି ଭିତରକୁ ଆଣିପାରିବ, ମୁଁ ତାକୁ ସେଇଠି ମୋର ପରମ ଗୁରୁ ରୂପେ ପ୍ରଣାମ କରିଆସିବି । ସେଠି ମୁଁ ଦେଶ, ଜାତି ବା ଧର୍ମ ମାର୍କା ବାଛିବାରେ ଆଦୌ ସମୟ ନଷ୍ଟ କରିବିନାହିଁ । ସେଠି, ଅର୍ଥାତ୍ ହୃଦୟ ଖୋଲିବାର ଓ ଦୃଷ୍ଟି ପ୍ରସାରି ଦେବାର ସେହି ଉତ୍ସବରେ ମୁଁ ଜଗତରେ କାହାରିକୁ ଅନାହୂତ ବୋଲ ମଣି ଏଡ଼ି ଦେବିନାହିଁ । ସେଠି କୁରୁକ୍ଷେତ୍ରର କୃଷ୍ଣ, ଶ୍ରାବସ୍ତି ଉପବନର ସିଦ୍ଧାର୍ଥ ଓ ପର୍ବତ ଉପରର ଯୀଶୁଖ୍ରୀଷ୍ଟ, ସଭିଙ୍କୁ ମୁଁ ମୋର ନମସ୍କାର ଜଣାଇ ଆସିବି । ମୋର ଧର୍ମକ୍ଷେତ୍ରର ସୀମାକୁ ମୁଁ ସେଇଯାଏ ଉନ୍ମୋଚିତ କରି ରଖିବି ।

 

କିନ୍ତୁ ଯେଉଁଠି କୃଷ୍ଣ, ସିଦ୍ଧାର୍ଥ ବା ଯୀଶୁଙ୍କର ଗୋଟାଏ ଗୋଟାଏ ସନ୍ତକକୁ ନେଇ ମନ୍ଦିର, ବିହାର ବା ଗୀର୍ଜାର ଆଡ଼ମ୍ବର ତଳେ ମଣିଷ ଆପଣାକୁ ଆବଦ୍ଧ କରି ରଖିବାର ଆୟୋଜନ କରୁଥିବ, ଯେଉଁଠି ଜଣେ ମଣିଷ, ଗୋଟାଏ ତତ୍ତ୍ୱ ବା ଗୋଟାଏ ବହିକୁ ଶେଷ ସତକଥା ବୋଲି ଗ୍ରହଣ କରି ଜୀବନର ସବୁ ଦୁଆରକୁ ମୁଦିଦେବାର ପ୍ରଚାର କରାଯାଉଥିବ, ସେହି ଦେଉଳ, ବିହାର ବା ଗୀର୍ଜା ଶଙ୍ଖମର୍ମର ପଥରର ଗଢ଼ା ହୋଇଥାଉ ପଛକେ, ମୁଁ ତାକୁ କଦାପି ଦେବାଳୟ ବୋଲି ସ୍ଵୀକାର କରିବି ନାହିଁ ।

 

୫ । ୪ । ୫୨

 

ମଣିଷର ଜୀବନ ଲାଗି ଧର୍ମ ହେଉଚି ସବୁଠାରୁ ବଳିଷ୍ଠ ଭୂମି । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଘଟଣା ତଥା ସମ୍ଭାବନାଗୁଡ଼ିକୁ ଏକ ମୂଲ୍ୟବୋଧ ଓ ଏକ ଦୃଷ୍ଟି ସଚେତନତାରେ ସଂଯୁକ୍ତ କରାଏ ଏହି ଧର୍ମ । ତେଣୁ ଧର୍ମରେ କାଳାନୁପାତିକ ବିଚ୍ଛେଦ ଲାଗି କୌଣସି ସ୍ଥାନ ନାହିଁ । ଇତିହାସର ସବୁ ଧର୍ମରେ ରହିଥିବା ଅମୃତତ୍ଵର କଳ୍ପନା ପଛରେ କାଳର, ଜଗତ ଓ ଜୀବନର, ଦୃଷ୍ଟିର ଓ ଦର୍ଶନର ଏହି ଅମୃତତ୍ୱ ଘୋଷଣା କରାଯାଇଚି । ଏହି ଅମୃତତ୍ଵ ବା ସମୂହ ସଂଯୋଗର ଭୂମି ଉପରେ ଧର୍ମର ସକଳ ଦେବଦେବୀ–କଳ୍ପନା ଠିଆ ହୋଇରହିଚି । ମୁହୂର୍ତ୍ତକୁ ଯୁଗର ସହିତ, କ୍ଷଣକ୍ଷଣକୁ ଏକ Comtinunity ବା କାଳାତୀତତା ସହିତ ସଂଯୁକ୍ତ କରି ଜୀବନ ବଞ୍ଚିବାର ସନ୍ଦେଶ ହେଉଚି ମଣିଷଲାଗି ଧର୍ମର ସର୍ବଶ୍ରେଷ୍ଠ ଦାନ ।

 

ସେଇଥିଲାଗି ଧର୍ମର ଜୀବନ ସର୍ବୋପରି ଆଶା, ଉତ୍ସାହ ଓ ଅଗ୍ରଗତିର ଜୀବନ । ଆଶାବାଦର ବିସ୍ତୃତତମ ଭୂମି ହେଉଚି ଏଇ ଧର୍ମ । ଏଠି ମୃତ୍ୟୁ ନାହିଁ, ବିପଦ ବା ବିଚ୍ଛେଦ ନାହିଁ, ଅସ୍ଥାୟୀ କିମ୍ବା କ୍ଷଣିକର ପ୍ରମାଦରେ ଆଶଙ୍କିତ ଓ ତ୍ରସ୍ତ ହୋଇ ରହିବାର ଆଚ୍ଛନ୍ନତା ଧର୍ମରେ ନାହିଁ । ମଣିଷଜୀବନର ସକଳ ଲାଭକ୍ଷତି, ମଣିଷର ଭାବନାକୁ ଚହଲାଇ ଦେଉଥିବା ସକଳ ସଂଶୟ ଓ ସନ୍ଦେହକୁ କେବଳ ଏକ ଉଦ୍‌ଭବ ମାର୍ଗ (Process of Becomine) ସହିତ ଗୁନ୍ଥିଦେଇ ଧର୍ମ ଯେ ଆମ ଜୀବନର କେତେବଡ଼ ଏକ ସମସ୍ୟାର ସମାଧାନ କରାଇପାରିଚି, ତାହା ଭାବିଲେ ବିସ୍ମିତ ହେବାକୁ ହୁଏ । ଜୀବନର ଗୋଟିଏ ଗୋଟିଏ ଘଟଣାକୁ ସମଗ୍ର ଜୀବନରୁ ବିଚ୍ଛିନ୍ନ କରି ଦେଖିଲେ ଜଗତରେ କେବଳ ନିରାଶ ହେବାକୁ ହୁଏ, କିନ୍ତୁ ଏକ ବୃଦ୍ଧିକ୍ରମ ବା ବିକାଶକ୍ରମ ଭିତରେ ଦେଖିଲେ ସବୁ ଗ୍ଳାନି ସବୁ କ୍ଷତ ଓ କ୍ଷତି ଯେପରି ପରିପୂର୍ଣ୍ଣ ଏକକ ଭାବରେ ଦେଖାଦିଏ, ଜୀବନର ପରିପୂରକ ହିସାବରେ ସବୁଗୁଡ଼ିକୁ ବୁଝିବାରେ ଓ ଗ୍ରହଣ କରିବାରେ ମଣିଷ ଯେପରି ଏକ ପରମ ପଥ ପାଇଯାଏ !

 

୬ । ୪ । ୫୨

 

ଧର୍ମନାମରେ ମଣିଷ ଅନେକଥର ଅଫିମ ଖାଇଚି । ସେ ଧର୍ମନାମରେ ମଣିଷମାରି ଆତ୍ମସନ୍ତୋଷ ଲାଭ କରିଚି । ଧର୍ମନାମରେ ମଣିଷର ପଶୁପ୍ରବୃତ୍ତି ଗୁଡ଼ାକୁ କେତେ ପ୍ରଶ୍ରୟ ଦିଆଯାଇଚି, ଏହି ଧର୍ମର ମୋହାଚ୍ଛନ୍ନତା ଦ୍ଵାରା କେତେ ଜାତି, କେତେ ଜନପଦ ଓ କେତେ ଜନସଂସ୍କୃତିର ସତ୍ୟାନାଶ କରାଯାଇଚି । ଆଜି ମଧ୍ୟ ମୁଗ୍‌ଧ ଅଫିମ ଖିଆ ବନ୍ଦ ହୋଇନାହିଁ । ନାନା ନୂଆ ନାମ ନେଇ ନାନା ନୂଆ ଆଦର୍ଶବାଦର ଧୂଆଁ କାଶ ମାରି ଆଜି ମଧ୍ୟ ମଣିଷର ସର୍ବନାଶ–ଯାତ୍ରା ଚାଲିଚି ।

 

ଏହିସବୁ ବିଦ୍ଵେଷ ଓ ବ୍ୟତିକ୍ରମ ସତ୍ତ୍ୱେ ମୁଁ ତଥାପି କହିବି ଯେ ଧର୍ମ ହିଁ ମଣିଷର ଏକମାତ୍ର ପଥ । କେବଳ ଏହି ଧର୍ମର ବିସ୍ତୃତତମ ଭୂମିଉପରେ ହିଁ ମଣିଷ ଯେଉଁଦିନ ଆପଣାକୁ, ଆପଣାର ପଡ଼ୋଶୀକୁ ବିଶ୍ଵଜୀବନକୁ ଦେଖିପାରିବାର ଦୃଷ୍ଟି ଲାଭକରି ପାରିବ ଓ ଆପଣାର ଜୀବନରେ ସେହି ଦୃଷ୍ଟିକୁ ସ୍ଵୀକୃତି ଦେଇପାରିବ, ସେଇଦିନ ଯାଇ ସେ ଆପଣାର ଜୀବନକୁ ପରିପୂର୍ଣ୍ଣ କରି ପାଇପାରିବ । ରାଜନୀତି, ଅର୍ଥନୀତି ଓ କୂଟନୀତି ପ୍ରଭୃତି ନାନା ବିଶେଷ ନୀତିର ଆଜି ଭାରି ପ୍ରଚାର କରାଯାଉଚି । ବଡ଼ବଡ଼ ଶାସ୍ତ୍ର ପଢ଼ି ଆପାଣାର ଦୃଷ୍ଟିକୁ କେବଳ ଗୋଟାଏ ମାର୍ଗର ଆୟତନ ଭିତରେ ସଂକୀର୍ଣ୍ଣ କରିଦେଇଥିବା ପଣ୍ଡିତମାନେ ପୃଥିବୀକୁ ତ୍ରାଣ କରିବାର ମହୌଷଧି ବରାଦ କରିବାରେ ଆଜି ଭାରି ପାଟି କରୁଚନ୍ତି । କେତେ ପ୍ରୟୋଗଶାଳାରେ ଆଜି କେଡ଼େ ବଡ଼ବଡ଼ ମୁଣ୍ଡର ଗବେଷଣା ଚାଲିଚି, ଗୋଟାଏ କିଛି ଯାଦୁ ଉପାୟ ବା miracle ପାଇଲେ ଯେପରି ସାରା ପୃଥିବୀର ସବୁ କ୍ଷତ ଏକାବେଳେ ଭଲ ହୋଇଯିବ ! ନା,-ଯେତେ ଉତ୍ସାହ ଓ ଉଦ୍ୟମ ଦେଖାଇଲେ ମଧ୍ୟ ମଣିଷ ସେହି ବାଟରେ ଯେ ବେଶିଦୂର ଯାଇ ପାରିବନାହିଁ, ଏହା ଅତି ସତକଥା । କେବଳ ସମଗ୍ରକୁ ଜୀବନ ବଞ୍ଚିବାର ସର୍ବୋତ୍ତମ ଭୂମିରୂପେ ସ୍ଵୀକାର କରିବାର ଧର୍ମଦୃଷ୍ଟି ସେ ଯେଉଁଦିନ ଲାଭ କରିପାରିବ, ହୁଏତ ସେଇଦିନ ଯାଇ ମଣିଷ ପାଦେ ଉପରକୁ ଉଠି ଏକ ନୂତନ Plane ରେ ଉପନୀତ ହୋଇପାରିବ ।

 

୭ । ୪ । ୫୨

 

ଦେବାର ବଦାନ୍ୟତା ସଙ୍ଗେସଙ୍ଗେ ଗ୍ରହଣ କରିବାର ନମ୍ରତା ମଧ୍ୟ ରହିଥିବା ଦରକାର ଜଗତର ସବୁ କ୍ଷେତ୍ରରେ କେବଳ ଏକ ଶିକ୍ଷକର ମନୋଭାବ ନେଇ ଯିଏ ପ୍ରବେଶ କରିବ, ତାହାର ଶିକ୍ଷକତା ଯେ ଅଳ୍ପକେ ପ୍ରମାଦପୂର୍ଣ୍ଣ ହୋଇଉଠିବ, ଏଥିରେ କୌଣସି ସନ୍ଦେହ ନାହିଁ ।

 

ମୋ’ ଦେଶପରି ତୁମଦେଶରେ ଏତେ ମଟର ଅଛି, ଏତେ ଟ୍ରାକ୍ଟର ଅଛି, ଆଧୁନିକ ଉପକରଣରେ ଭାରି ରହିଥିବା ଏପରି ବୈଠକଖାନାମାନ ଅଛି, ତୁମ ଦେଶରେ ଗାଈ ଦୁହିଁବାରେ କଳ ଅଛି, ତୁମ ଦେଶରେ ଏତେ ବଡ଼ ଘୋଡ଼ା ଅଛନ୍ତି ?–ଘଣ୍ଟାଘଣ୍ଟା ବ୍ୟାପି ଯେଉଁ ମଣିଷ କେବଳ ଏହିପରି ଅନୁସନ୍ଧାନ କରିବସେ, ଆପଣାର ସଞ୍ଚିତ ଓ ଅର୍ଜିତ ସାମଗ୍ରୀଗୁଡ଼ିକ ସ୍ଵମନ୍ଧରେ ତା’ର ପ୍ରମତ୍ତତା ଦେଖିଲେ ପ୍ରଥମେ ଆଶ୍ଚର୍ଯ୍ୟ ହେବାକୁ ହୁଏ ।

 

ଧର୍ମ ଓ ରାଜନୀତି କ୍ଷେତ୍ରରେ ମଧ୍ୟ ଏହି ପ୍ରମତ୍ତତା ଜଗତରେ ଆଜିଯାଏ ବଡ଼ ପ୍ରବଳ ହୋଇରହିଚି । ଲକ୍ଷଲକ୍ଷ ଖରଚ କରି ଆପଣା ଗୀର୍ଜା ଓ ଆପଣାର ଧର୍ମପୋଥିକୁ ନେଇ ଦୂରଦୂର ଦେଶର ଧର୍ମ ଉପରେ ମଡ଼ାଇବାର ବାହାଦୁରି ଆଜିଯାଏ ଚାଲିଚି । ପଇସା ଓ ପ୍ରଚାର ଦ୍ଵାରା ଆପଣାର ରାଜନୀତିକୁ ଜଗତର ଏକମାତ୍ର ରାଜନୀତିରେ ପରିଣତ କରିବାର ପ୍ରାଦୁର୍ଭାବ ଆମ ମଣିଷ ସମାଜରେ ପ୍ରାୟ ସବୁଦିନ ଶୁଣିବାକୁ ମିଳୁଚି । ସବୁକ୍ଷେତ୍ରରେ ଏହିପରି ଏକ ପ୍ରମତ୍ତତା ପ୍ରାୟ ସବୁଦିନ ଶୁଣିବାକୁ ମିଳୁଚି । ସବୁକ୍ଷେତ୍ରରେ ଏହିପରି ଏକ ପ୍ରମତ୍ତତା ଦେଖାଇବାର, ମୁଁ ଯାହା ଅର୍ଜିଚି କେବଳ ତାହାରି ପ୍ରଚାର କରି ବୁଲିବା ପଛରେ ପ୍ରକୃତରେ କେଉଁସବୁ ମନୋବୈଜ୍ଞାନିକ କାରଣ ରହିଚି ?

 

ନା,-ଯିଏ, ବିନୀତ ହୋଇ ସବୁକ୍ଷେତ୍ରରୁ ଓ ସବୁ ସମ୍ପର୍କରୁ ଶିଖିବାର ଶାଳୀନତା ରଖିପାରିବ, ଜଗତରେ କେବଳ ସେଇ ଉଚିତ ଶିକ୍ଷକ ହୋଇପାରିବ, କେବଳ ସେଇ ବାଟ ଦେଖାଇ ପାରିବ ।

 

୮ । ୪ । ୫୨

 

ନାନା ଖଣ୍ଡଦର୍ଶନ ଓ ମୁଗ୍‌ଧ ଆବରଣରେ ଜୀବନକୁ ଏକ ଆବଦ୍ଧ ଜଳାଶୟ ପରି କରିଦେଲେ ମଣିଷ ଭିତରେ ସମଗ୍ର ଜଗତକୁ ଖାଲି ଦେବାର ଓ ଖାଲି ଶିଖାଇବାର ଗୋଟାଏ ପାଗଳାମି ଆସେ । ତା’ର ଜୀବନରେ ଯାହା ହେବାର ଥିଲା, ଯେପରି ସେ ତାହା ସମ୍ପୂର୍ଣ୍ଣଭାବେ ହୋଇଗଲା, ଏଣୁ ପଛରେ ପଡ଼ିଥିବା ଅନ୍ୟମାନଙ୍କୁ ଯେପରି କେବଳ ଟାଣି ଓଟାରି ଶିଖାଇ ଦେଖାଇ ସମକକ୍ଷ କରିବାଟା ହିଁ ବାକି ରହିଚି ! ଏହିପରି ଏକ ଭୁଲ୍‍ ଦର୍ଶନକୁ ଆପାଣାର ଜୀବନଦର୍ଶନ ବୋଲି ଗ୍ରହଣ କରି ସେ କେବଳ ପ୍ରଚାର କରେ, ବାହାର ବାରଲୋକଙ୍କୁ ଡାକି ଆପଣାର ସୁଖ ସମୃଦ୍ଧି ଦେଖାଏ, ନଈବାଲି ପରି ଜମାକରି ରଖିଥିବା ଆପଣାର ଅର୍ଜିତ ସକଳ ସାମଗ୍ରୀ ବିଷୟରେ ନାନା ପ୍ରଗଳ୍‌ଭତା କରେ । ଜୀବନରେ ସନ୍ତୁଷ୍ଟ ହେବାଠାରୁ, ବଢ଼ିବାର ସତତ ଚଞ୍ଚଳତାରୁ ଆପଣାକୁ ବଞ୍ଚିତ କରି ରଖିବାଠାରୁ ବୋଧହୁଏ ଆଉ ଅଧିକ ବଡ଼ ପ୍ରମାଦ ଆଉ କିଛି ନାହିଁ । ଆଜି ଯିଏ ସନ୍ତୁଷ୍ଟ ହୋଇବସିଚି, ଆଉ କିଛି ହେବାର ନାହିଁ ବୋଲି ଧରିନେଇ ଯିଏ ବର୍ତ୍ତମାନକୁ ଚିରସ୍ଥାୟୀ କରି ରଖିବାର ମୋହରେ ପଡ଼ିଚି, ମୁଁ କହିବି ସେ ମରିବାକୁ ଆରମ୍ଭ କଲାଣି-

 

କିନ୍ତୁ ଜୀବନପଥରେ ଯିଏ ସତେ ବାଟୋଇ, ତା’ ଭାଗ୍ୟରେ ସନ୍ତୁଷ୍ଟ ହୋଇ ବସି ରହିବାର ଦୁର୍ଦ୍ଦଶା ଭୋଗ କରିବାର ଅବସର କେବେହେଲେ ଆସେ ନାହିଁ । ଗୋଟିଏ ଦୁଆର ଖୋଲିବା ସଙ୍ଗେସଙ୍ଗେ ସିଏ ଆଉଏକ ମୁଦା ଦୁଆରର ତୋରଣ ପାଖରେ ଆସି ପହଞ୍ଚିଯିବ, ଗୋଟାଏ ସମ୍ଭାବ୍ୟକୁ ସମ୍ଭବ କରୁକରୁ ହୁଏତ ସେ ଆଉ କେତେ କ୍ଷେତ୍ରରେ ଆହୁରି କେତେ ସମ୍ଭାବ୍ୟଲାଗି ଉଦ୍ୟମ ହୋଇପଡ଼ିବ । ଯେତିକି ପାଇବ, ସେ ସେତିକି ଆଶା କରିବ । ଜଗତର ଆଉ ସମସ୍ତଙ୍କୁ ସିଏ ସେହିପରି ଜଣେ ଜଣେ ବାଟୋଇ ପରି ହିଁ ଦେଖିବ । ଆପଣାର ଆଶା ଅଭିଳାଷ ସାଧନା ଓ ସ୍ଵପ୍ନପରି ସିଏ ସମସ୍ତଙ୍କର ଆଶା ଅଭିଳାଷ ସାଧନା ଓ ସ୍ଵପ୍ନକୁ ଯଥାର୍ଥ ସମ୍ମାନର ଦୃଷ୍ଟିରେ ଦେଖିବ, ବର୍ଦ୍ଧନ୍ତ ଜଗତରେ ତା’ର ଶିଖିବା ଓ ତା’ର ବଢ଼ିବା କେବେହେଲେ ବନ୍ଦ ହୋଇ ଯିବନାହିଁ ।

 

୯ । ୪ । ୫୨

 

ସମାଜକୁ ବାଦ ଦେଇ ବ୍ୟକ୍ତିର ବା ବ୍ୟକ୍ତିକୁ ବାଦଦେଇ ସମାଜର କଳ୍ପନା କରିବସିଲେ ଆମେ ସମାଜ ବା ବ୍ୟକ୍ତି କାହାରି ସମ୍ବନ୍ଧରେ ବି ଯଥାର୍ଥ ସତ୍ୟ ପାଇପାରିବା ନାହିଁ । ସମାଜକୁ ଏଡ଼ି ଧର୍ମ ଓ ଆଦର୍ଶବାଦର ଦ୍ଵାହି ଦେଇ ଆପଣା ଜୀବନସହିତ କେତେଲୋକ କେତେ Experiment କରିଚନ୍ତି, ବ୍ୟକ୍ତିର ସବୁ ବିଶିଷ୍ଟତାକୁ ପାଣି ଛଡ଼ାଇଦେଇ କେବଳ ସମାଜ ଓ ସାମାଜିକ ଆଚରଣକୁ ଏକମାତ୍ର ଭୂମିରୂପେ ଗ୍ରହଣ କରି ଆମ ଏଯୁଗରେ ଅନେକ ଶାସ୍ତ୍ର ଲେଖା ମଧ୍ୟ ହୋଇଚି । କିନ୍ତୁ ଏହି ଉଭୟ ମାର୍ଗ ଯେ ପ୍ରଧାନତଃ କେବଳ ଏକ ଅସୁସ୍ଥ ଆଲୋଚନାର ପରିଚୟ ଦେଇଚି, ପୃଥିବୀର ଇତିହାସରେ ତାହାର ଏକାଧିକ ପ୍ରମାଣ ମିଳିବ । ସମାଜକୁ ଅପେକ୍ଷା ନକରି ଗତ ଶତାବ୍ଦୀର ଅର୍ଥନୈତିକ ଯୁଗରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସ୍ଵାଧୀନ ପ୍ରତିଯୋଗିତାକୁ Laissoz Faireକୁ ଏକମାତ୍ର ଆଦର୍ଶବାଦ ରୂପେ ଗ୍ରହଣ କରାଯାଇଥିଲା । ପୃଥିବୀର ଇତିହାସରୁ ସେହି ପ୍ରତିଯୋଗିତା ଓ ଛକାପଞ୍ଝା ନୀତିର କଳଙ୍କ ଏପର୍ଯ୍ୟନ୍ତ ନିଭିନାହିଁ । ବ୍ୟକ୍ତି ବ୍ୟକ୍ତି ଭିତରେ ପ୍ରଶ୍ରୟ ଦିଆଯାଇଥିବା Lassiez Faire ନୀତି ଆଜି ସମାଜ ସମାଜ ଓ ଦେଶ ଦେଶ ଭିତରେ ଚାଲିଥିବା Laissez Faire ନୀତିରେ ପରିଣତ ହୋଇଚି । ବ୍ୟକ୍ତିକୁ ବୁଡ଼ାଇଦେଇ ଅନେକ ଶାସନରେ ଓ ଅନେକ ରାଜ୍ୟରେ ମଣିଷକୁ ପିମ୍ପୁଡ଼ିଧାର ପରି ସମାଜର ହୁଙ୍କା ତିଆର କରିବାରେ ବ୍ୟବହାର ବି କରାଯାଇଚି । ମଣିଷକୁ ଭାତ, ଲୁଗା ଓ ଭୁରିବିଳାସରେ ମୋହ ଯୋଗାଇ ଦେଇ ଶାସକ ବା ଚାଳକ ସମାଜରୁ ସକଳ Intiative ଓ ବ୍ୟକ୍ତିବିଶେଷର ଅବଦାନ ଦୁଆରରେ ମୁଦ ବସାଇ ଦେଇଚି । ଏହିପରି ଏକ Mass ମନୋଭାବ ହିଁ ଜଗତର ଗତିକୁ ଅତିରିକ୍ତ ପରିମାଣରେ ନିୟନ୍ତ୍ରିତ କରୁଚି, ସଂଖ୍ୟାଗରିଷ୍ଠ ମତକୁ ଆଜି ଯଥାର୍ଥ ବା ଏକମାତ୍ର ସୁସ୍ଥ ମତ ବୋଲି ଗ୍ରହଣ କରାଯାଉଚି ।

 

ଦୁଇଟିଯାକ ମାର୍ଗ କେବଳ ରୁଗ୍‌ଣ ମନର ମାର୍ଗ । ଏହି ମାର୍ଗ କେବଳ ଫୁଲକୁ ଛାଡ଼ି ଡାଳର ଓ ଡାଳକୁ ଛାଡ଼ି ଫୁଲକୁ ସ୍ଵୀକାର କରିବାର ମାର୍ଗ ।

 

୧୦ । ୪ । ୫୨

 

ବ୍ୟକ୍ତି ଆଉ ସମାଜର ସମ୍ବନ୍ଧକୁ ମୁଁ ପ୍ରଧାନତଃ ପୁତ୍ର ଓ ପିତୃତ୍ଵର ସମ୍ବନ୍ଧ ବୋଲି କହିବି । ପିତୃତ୍ଵର ଆଶ୍ରୟ ପାଇ ପୂତ୍ରର ବିକାଶ ହୁଏ । ପୁତ୍ର ଆପେ ଯୋଗ୍ୟ ହୋଇ, ଆପଣାର ସମସ୍ତ ସମାଧାନର ବିକାଶଲାଗି ଉପଯୁକ୍ତ କ୍ଷେତ୍ର ପାଇ ଆପଣାର ରଚନାତ୍ମକ ଶକ୍ତିଗୁଡ଼ିକୁ ପରିପକ୍ଵ ଓ ପରିପୂର୍ଣ୍ଣ କରେ, ସେହି ଶକ୍ତି ତାକୁ ଆପଣାର ପିତୃତ୍ଵକୁ ନୂତନ ସୃଷ୍ଟିଦ୍ଵାରା ସମୃଦ୍ଧ କରିବାଲାଗି ପ୍ରେରିତ କରେ ।

 

ବ୍ୟକ୍ତି ଆଉ ସମାଜର ସମ୍ବନ୍ଧ ଯେଉଁଠି ଅଜ୍ଞାନ ବାଳକ ଓ ପୋଲିସ୍‌ର ସମ୍ବନ୍ଧ ହୋଇରହେ, ସେଠି ସମାଜର ବିକାଶ ସମ୍ଭବ ହୋଇପାରେନାହିଁ । କାରଣ ଏକ ଆବଦ୍ଧ ଶାସନବିଧାନ ଓ ନୀତିନିୟମକୁ ଗଣ୍ଠି କରି ଧରି ତାହାରି ଅନୁସାରେ ସମସ୍ତଙ୍କୁ ତିଆର କରିବାର ଉଦ୍ୟମ କରାଗଲେ ବ୍ୟକ୍ତି ସ୍ଵୀଧୀନଭାବରେ ସମାଜକୁ କିଛି ଦେଇପାରିବାର ଶକ୍ତି ହିଁ ହରାଇ ବସିବ-। ସେ ଆପଣା ଆଗରେ କେବଳ ଦୁଇଟି ପଥ ଦେଖିପାରିବ । ଗୋଟିଏ ହେଉଚି ସଂଖ୍ୟାଗରିଷ୍ଠଙ୍କ ଦ୍ଵାରା ସ୍ଵୀକୃତ ଓ ଆଚରିତ ସକଳ ମାନ ଓ ସକଳ ଆଚରଣକୁ ବାଧ୍ୟ ପରି ସ୍ଵୀକାର କରିନେବା-। ଏହିପରି ବାଧ୍ୟ ହେବାରେ ଆପଣାକୁ ମଣାଇ ନେଇପାରିଲେ ଯେ ସମାଜର ସକଳ ସୁଯୋଗ ଲାଭ କରିବାର Promise ମଧ୍ୟ ତାକୁ ମିଳିବ, ଏଥିରୁ ସେ ଅନେକ ସମୟରେ ବେଶ୍ ଉତ୍ସାହ ପାଇଥାଏ । ତେଣୁ ପ୍ରଥମ ଯୌବନରେ ସେ ଯେଉଁମାନେ ଓ ସାମାଜିକ ଆଚରଣକୁ ହୁଏତ ଭାରି ସଂଶୟୀ ଚକ୍ଷୁରେ ଦେଖେ, ବଡ଼ ହୋଇ ସିଏ ସେହି ସବୁର ସଂରକ୍ଷଣ ହୋଇ ବାହାରେ, ଆପଣାକୁ ସଂଖ୍ୟାଗରିଷ୍ଠର ଦଳଭିତରେ ହଜାଇ ଦେଇ ଏକ ପ୍ରତୀତ କ୍ଷମତାର ଛତ୍ର ଧରି ସାନ୍ତ୍ଵନା ପାଏ-

 

ମାତ୍ର ସମାଜ ଓ ବ୍ୟକ୍ତି ଯେତେବେଳେ କେବଳ ଅନାସକ୍ତିର ମାର୍ଗକୁ ଆପଣା ଆଚରଣର ପ୍ରଥମ ନୀତିରୂପେ ଗ୍ରହଣ କରି ପାରିବେ, ସେତେବେଳେ ଯାଇ ସମାଜ ଓ ବ୍ୟକ୍ତି ଭଉୟଙ୍କର ଯଥାର୍ଥ ବିକାଶ ସମ୍ଭବ ହୋଇପାରିବ । ଆପଣାର ସ୍ଵତନ୍ତ୍ରତା ଓ ସାଧନା ସମ୍ଭାବନାକୁ ସମ୍ମାନ ଦେଖାଇବା ସଙ୍ଗେସଙ୍ଗେ ସମାଜର ପିତୃତ୍ଵକୁ ମଧ୍ୟ ବ୍ୟକ୍ତି ସ୍ଵୀକାର କରିନେବ । ଆପଣାର କ୍ଷେତ୍ରଟିକୁ ବ୍ୟକ୍ତିଲାଗି ଉନ୍ମୁକ୍ତ କରିରଖିବା ସଙ୍ଗେସଙ୍ଗେ ସମାଜ ପ୍ରତ୍ୟେକ ବ୍ୟକ୍ତିର ବିଶିଷ୍ଟ ଦାନ ଓ ରଚନାମୟ ଜୀବନରେ ମଧ୍ୟ ଗୌରବ ଅନୁଭବ କରି ଜାଣିଥିବ ।

 

୧୧ । ୪ । ୫୨

 

ଧର୍ମକୁ ଅଫିମ ବୋଲି ଘୋଷଣା କରି ଯେଉଁଠି ସମାଜ ଧର୍ମକୁ ବର୍ଜନ କରିଚି, ସେଠି ସେ ଆଉ ଗୋଟାଏ ନୀତି ବା ଆଉ ଗୋଟାଏ ଉନ୍ମତ୍ତତାକୁ ଆପଣାର ଧର୍ମ ପରି ଗ୍ରହଣ କରିଚି । ଏହି ନୂତନ ଧର୍ମ ତାହାର ସକଳ କାର୍ଯ୍ୟକଳାପ ଓ ପ୍ରମତ୍ତତାର ବେଶ୍ ସମର୍ଥନ ପାଇଚି । କୌଣସି ଯୁଗର କୌଣସି ସମାଜ ଧର୍ମକୁ ବାଦ ଦେଇ ପାରିନାହିଁ । ଏଠାରେ ଅବଶ୍ୟ ଧର୍ମକୁ ଅତି ବିସ୍ତୃତ ଅର୍ଥରେ ଗ୍ରହଣ କରିବାକୁ ପଡ଼ିବ । ଆପଣାର ଜୀବନ, ଆପଣାର ପରିବେଶ ଓ ଆପଣା କାଳଜ୍ଞାନର ସମସ୍ତ କ୍ରିୟା, ପ୍ରକ୍ରିୟା ଉଦ୍ୟମ ଓ ଉଦ୍ଭାବନାକୁ ଆବୋରି ଧରି ପାରିବାର ଭୂମି ହେଉଚି ଧର୍ମ, ଯେଉଁଠି ମଣିଷ ନିଜକୁ ପରିପୂର୍ଣ୍ଣ ଭାବରେ ପରିପୂର୍ଣ୍ଣ ନିର୍ଭର ସହିତ ସମର୍ପି ଦେଇପାରିବ । ଗ୍ରହଣ କରିବାପରି ଏହି ସମର୍ପି ଦେବାର ପ୍ରବୃତ୍ତି ମଧ୍ୟ ମଣିଷ ଜୀବନର ଏକ ଚିରନ୍ତନ ପ୍ରବୃତ୍ତି । ଏହି ପ୍ରବୃତ୍ତିଟି ଥିବାଯାଏ ଏକ ବା ଅପର ଭୂମିକୁ ଧର୍ମବୋଲି ଗ୍ରହଣ କରି ମଣିଷ ସାନ୍ତ୍ଵନା ପାଇବାକୁ ଚେଷ୍ଟା କରୁଥିବ । ରାଜା, ଶାସକ, ସମାଜ, ଅର୍ଥଶୋଷଣ, ଏସବୁ ପ୍ରତ୍ୟେକଟି ଧର୍ମର substitute ରୂପେ ବ୍ୟବହୃତ ହୋଇପାରେ ।

 

ତେଣୁ ମଣିଷ ଧର୍ମଠାରୁ ଅଫିମକୁ ଅଲଗାକରି ବାଛିପାରିବ କିପରି ? ପ୍ରଶ୍ନ ଧର୍ମ ବା ଅଧର୍ମର ପ୍ରଶ୍ନ ନୁହେଁ । ପ୍ରଶ୍ନ ହେଉଚି କାହାର ଧର୍ମ କେତେ ପ୍ରଶସ୍ତ, କାହାର ଭୂମି କେତେ ବିସ୍ତୃତ । ଆପଣାର ସ୍ଵୀକୃତ ଆଦର୍ଶ ବା ଧର୍ମଭୂମି ଯେତେବେଳେ ଆପଣାର ସକଳ ଗ୍ରହଣ ଦ୍ଵାରକୁ ମୁଦିଦେଇ ଆପଣକୁ ଏକ ଆବଦ୍ଧ ଆଶ୍ରୟ ଭିତରେ କିଳି ରଖିବ, ସେଠି ସେହି ଧର୍ମକୁ ମୁଁ ଅଫିମ ବୋଲି କହିବି । ମାତ୍ର ଯେଉଁଠି ଫୁଲ ଫୁଟିଲାପରି ଏହି ଭୂମିର ପବନ ଓ ଆଲୋକ ପାଇ ଜୀବନ ଅବିଶ୍ରାନ୍ତ ଓ ଅନାବଦ୍ଧ ଭାବରେ ଫୁଟି ଚାଲୁଥିବ, ଯେଉଁଠି ବ୍ୟାପ୍ତି Becoming ସଂଯୋଗ ଓ ସମ୍ମିଳନ ମଣିଷର ସର୍ବପ୍ରଧାନ ଆସ୍ପଦ ହୋଇରହିଥିବ, ମୁଁ ତାହାକୁ ହିଁ ଧର୍ମ ବୋଲି ଗ୍ରହଣ କରିବି-

 

୧୨ । ୪ । ୫୨

 

କୌଣସି ଆଲମ୍ବନ ବା କୌଣସି ତତ୍ତ୍ଵକୁ ପିତୁଳିଟିଏ ପରି କରି ସେଇଠି ଆପଣାର ଧର୍ମ ଓ ଆପଣାର ବିକାଶକୁ ଉଜାଡ଼ି ଦେବାର ମୋହ ଯେଉଁଠି ମଣିଷକୁ ଘାରିବ, ସେହି ଆଲମ୍ବନ ଓ ତତ୍ତ୍ଵ ଯେତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଉ ପଛକେ, ସେଇଠୁ ତା’ର ଅଫିମଖିଆ ଆରମ୍ଭ ହେବ । ଧର୍ମ ଆମକୁ ଦୁଆର ପାରେ ଅଶେଷ ଦୁଆର ଖୋଲିବାର ମନ୍ତ୍ର ଦେଇଯାଏ, ବିକାଶ ପରେ ବିକାଶର ସ୍ଵପ୍ନ ଦେଖାଏ, ପରସ୍ତପରେ ପରସ୍ତ ଫିଟାଇ ସତେଅବା କେଉଁ ଫୁଲ ଫୁଟିବାର ସମ୍ଭାବନାକୁ ସମ୍ଭବ କରି ଦେଇଯାଏ । ତାହାହିଁ ମଣିଷର ଧର୍ମ;—ସେଇ ହେଉଚି ମଣିଷ ଜୀବନରେ ସବୁଠାରୁ ବଡ଼ ଭୂମି ! ଯେତେପ୍ରକାର Theologyର ଭ୍ରାନ୍ତିକୁ ସମର୍ଥନ କରି ଯିଏ ଯେତେପ୍ରକାର ଯୁକ୍ତି ଦେଖାଉଥାଉ ପଛକେ, ମଣିଷର ଧର୍ମକୁ ସବୁପ୍ରକାର ଅଫିମରୁ ମୁକ୍ତ କରିବାକୁ ହେଲେ ଧର୍ମକୁ କେବଳ ସମଗ୍ର ଜୀବନର ଭୂମିରୂପେ ହିଁ ଗ୍ରହଣ କରିବାକୁ ପଡ଼ିବ । ଏହି ଦୃଷ୍ଟିରୁ ଦେଖିଲେ ପ୍ରତ୍ୟେକର ଧର୍ମଭୂମି ଓ ଧର୍ମପଥ ଏକକ, ସମାନ ପିତୁଳି ବା ପୁରୋହିତଗୋଷ୍ଠୀର କଳ୍ପନା ଦେଇ ମଣିଷକୁ ପଲପଲ କରି କୌଣସି ଉଦ୍ଦେଶ୍ୟର ପୂରଣ ଲାଗି କଦାପି ବ୍ୟବହାର କରା ଯାଇପାରିବନାହିଁ । ଧର୍ମରେ ପ୍ରତ୍ୟେକ ପ୍ରତ୍ୟେକର ପଥକୁ ସମ୍ମାନ କରିବ ଓ ସ୍ଵୀକୃତି ଦେବ, ଅପରକୁ ଟାଣି ଆପଣାପଥରେ ମଡ଼ାଇଦେବା ଲାଗି ଏଥିରେ କୌଣସି ଲାଳସା ରହିବନାହିଁ, ପାପ ଓ ପ୍ରମାଦର କଳ୍ପନାକୁ Theologyର ଦଉଡ଼ିରେ ବାନ୍ଧି ତାହାକୁ ମଣିଷଜୀବନର ଏକ positive ଅଙ୍ଗ ବୋଲି ଦେଖାଇବାର ସବୁ ଭ୍ରାନ୍ତି ଏଥିରୁ ଅପସରିଯିବ । ପ୍ରତ୍ୟେକ ମଣିଷ ତା’ ଆପଣାର theology ତିଆରି କରିବ, ତା’ର ଆପଣା ବିକାଶ ବା ଫୁଲଫୁଟାଇ ସ୍ଵତନ୍ତ୍ର ରୀତି ଅନୁସାରେ ସେ ତା’ର ଆପଣା ବିଶ୍ଵାସ ଓ ଆପଣା କର୍ମଭୂମିକୁ ଗଢ଼ିବ, ସମଗ୍ର ବିଶ୍ଵ ଓ ଲୋକସମୂହ ମଧ୍ୟରେ ସେ ଆପଣାର ଦାୟିତ୍ଵପୂର୍ଣ୍ଣ ଅଥଚ ସମ୍ମାନଜନକ ସ୍ଥାନ ଠିକ୍ କରିନେବ ।

 

ଆପଣାର ସ୍ଵୀକୃତ ବିକାଶକୁ ଅପରର ବିଶ୍ଵାସ ଉପରେ ମଡ଼ାଇଦେବା ଲାଗି କେତେଦେଶରେ କେତେ ଆୟୋଜନ ହେଉଚି, ଏଥିଲାଗି କେତେ କୌଶଳରେ ମଣିଷର ଶକ୍ତିକୁ ବ୍ୟବହାର କରାଯାଉଚି । କିନ୍ତୁ ସବୁ ଅଫିମକୁ ବାଦ ଦେଇ କେବଳ ଧର୍ମର ଗୌରବରେ ଗୌରବାନ୍ମିତ ହେବାକୁ ଆଜି କେତେଜଣ ଆପଣାକୁ ପ୍ରସ୍ତୁତ କରୁଚନ୍ତି ?

 

୧୩ । ୪ । ୫୨

 

ମୋ’ ଦେଶକୁ ନେଇ Myth ରଚନା କରିବାର ଅଭ୍ୟାସ ମୋର ନାହିଁ ଛବିବହିର ପରୀରାଇଜ-କଳ୍ପନାକୁ ମୁଁ ମୋ’ ଦେଶର ଦର୍ପଣ ଉପରେ ଦେଖିବାଲାଗି କେବେହେଲେ ଚେଷ୍ଟା କରିନାହିଁ । ମୋ’ ଦେଶର ପ୍ରକୃତି, ମୋ’ଦେଶର ଇତିହାସ–ଭୂଗୋଳ ଓ ମୋ ଦେଶର ମଣିଷ ପୃଥିବୀରେ ସବୁଠାରୁ ଶ୍ରେଷ୍ଠ ବୋଲି ମୁଁ ଅଳସୁଆ ହୋଇ କେବେ ଭାବିନାହିଁ । ମଲା ଅତୀତର କାହାଣୀ ସହିତ ସମସ୍ୟାମୟ ବର୍ତ୍ତମାନକୁ ଗୁନ୍ଥିଦେଇ ଏକ ଆତ୍ମପୋଷିତ ଗୌରବର ଭାବାତୁରତାରେ ମୋ’ର ବୁକୁ କେବେହଲେ ଫୁଲି ଉଠିନାହିଁ, ଦାୟିତ୍ଵବୋଧ ଆପଣାଙ୍କୁ କେବେହେଲେ relaxed ଦେଇନାହିଁ ।

 

କିନ୍ତୁ ଆଜି ହଜାର ହଜାର ମାଇଲ ବ୍ୟବଧାନରେ ମୁଁ ଆଜି ଏପାଖରେ ବସି ଭାବୁଚି, ମୁଁ ସେହି ଦେଶଟିକୁ ହିଁ ସବୁଠାରୁ ଅଧିକ ଭଲ କରି ଚିହ୍ନେ, ଭଲକରି ଜାଣେ । ସେହି ଦେଶର ସଭିଙ୍କୁ ଭଲପାଇ ମୁଁ ସବୁଠାରୁ ବେଶି ପରିତୃପ୍ତି ପାଏ । ସେହି ଦେଶର ପ୍ରତ୍ୟେକଟି ଫୁଲ, ପ୍ରତ୍ୟେକଟି ମୁହଁ ମୋ’ ଆଖିରେ ଆଉ ସବୁ ମୁହଁଠାରୁ ଯେପରି ଭାରି ଭିନ୍ନ । ସେହି ଦେଶର ପାଣି, ପବନ ଓ ଜୀବନକୁ ମୁଁ ଯେଡ଼େ ସ୍ଵାଭାବିକ ଭାବରେ ଗ୍ରହଣ କରିପାରେ, ଅନ୍ୟାନ୍ୟ ଦେଶ ବେଳକୁ ତାହା ଆଦୌ ସମ୍ଭବ ହୋଇ ପାରେନାହିଁ । Saint Exupery ଙ୍କର ଶିଶୁ ରାଜକୁମାର’ର ସନ୍ଦେହମୋଚନ ପରି ମୋ’ର ସବୁ ସଂଶୟ ଓ ସବୁ ପ୍ରତିପକ୍ଷଯୁକ୍ତି ସେହି ଦେଶର ସ୍ମରଣରେ ଯେପରି କୁଆଡ଼େ ମିଳାଇ ମିଳାଇ ଯାଏ ।

 

ମୁଁ ସେହି ଦେଶର ଧୂଳି ଓ ଆକାଶର ଆଶ୍ରୟ ପାଇ ବଢ଼ିଚି, ସେହି ଦେଶର ତାରା ତଳେ ବସି ମୁଁ ସେହି ଦେଶର ଆପଣା ଭାଷାରେ ସ୍ଵପ୍ନ ଦେଖିଛି । ସେହି ଧୂଳି ଓ ଆକାଶକୁ ନେଇ ମୁଁ ସୌଧ ଗଢ଼ି ବାହାରିଛି, ସେହି ଦେଶର ମଣିଷକୁ ମୁଁ ମୋ’ ସ୍ଵପ୍ନର ଆଦରଣୀୟ କରି ରଖିବି । ସେଇଠି ମୋ’ ସାଧନାର ଧୂପଦୀପ ଜାଳି ସମଗ୍ର ବିଶ୍ଵର ଆକାଶରେ ମୁଁ ଗନ୍ଧ ଓ ଆଲୋକ ବିତରଣ କରିବି, ସେହି ଦେଶର ମଣିଷ ସାଥିରେ ବାଟସାଥୀ ହୋଇ ମୁଁ ବିଶ୍ଵବାଟରେ ବାଟୋଇ ହେବି ।

 

୧୪ । ୪ । ୫୨

 

ହଜାର ହଜାର ମାଇଲ ବ୍ୟବଧାନରେ ଥିବା ସେହି ଦେଶଟି ଆଜି ମୋ’ ଆଗରେ ଅତି ଆପଣାର ହୋଇ ପ୍ରତିମୂର୍ତ୍ତ ହୋଇଉଠୁଛି । ତା’ର କୋଟି କୋଟି ମଣିଷ, ତା’ର ଯୁଗଯୁଗର ସବୁ ମାଲିକ ଓ ମ୍ଳେଚ୍ଛ, ସବୁ ସମ୍ପଦ ଓ ମଳିନତା ଯେପରି ଏକ ଏକକ ସମୂହରେ ମୋ’ ଜୀବନର ମାନଚିତ୍ର ଉପରେ କେନ୍ଦ୍ରବିନ୍ଦୁ ପରି ବଡ଼ ସ୍ପଷ୍ଟ ହୋଇଉଠୁଛି । ତା’ର ସବୁ ଦୈନ୍ୟ, ସବୁ ଦୀନତାକୁ ମୁଁ ଆଜି ଯେପରି ଅନେକ ସ୍ନେହ, ଅନେକ ଅଶ୍ରୁ ଦେଇ ଆପଣାର କରି ସ୍ଵୀକାର କରି ନେଉଛି; ବାର ବାଟ ବାର ଆଦର୍ଶର ଖଣ୍ଡିତ ଜୀବନନେଇ ବୁଲି ବୁଲି ବାଉଳା ପୁଅ ପୁଣି ଜନୀନକୁ ସ୍ଵୀକାର କରିନେଲା ପରି ।

 

ଇଉରୋପ ଆଉ ଆମେରିକାରୁ ଅନେକ ଶିକ୍ଷିତ ମଣିଷ ମୋ’ର ସେଇ ଦେଶଟି ସମ୍ବନ୍ଧରେ ନାନା ଅବକାଶରେ ନାନା କଥା କହୁଚନ୍ତି, ନାନା କଥା ଲେଖିଚନ୍ତି । ଭାରତବର୍ଷରେ ଦୁର୍ଭିକ୍ଷ ଓ ଦୁର୍ଭିକ୍ଷପ୍ରପୀଡ଼ିତ ମଣିଷକୁ ପୃଥିବୀର ଶାନ୍ତି ଲାଗି ପ୍ରମାଦ ବୋଲି ଗଣି କେତେ ବଡ଼ ଲୋକ ଭାରତକୁ ଦୟା ଦେଖାଇ ଲକ୍ଷ ଲକ୍ଷ ସୁନାମୋହର ଦାନ କରିବାର ସ୍ଵପ୍ନ ଦେଖିଛନ୍ତି । ଭାରତବର୍ଷୀୟ ସମାଜରେ ରହିଥିବା ଅଶିକ୍ଷା ଓ ଅନ୍ଧବିଶ୍ଵାସରେ ବିଚଳିତ ହୋଇପଡ଼ି ଧର୍ମ ଓ ନୂଆ ସମାଜର ପତାକା ଧରି କେତେ ଲୋକ ଦେଶଟାଯାକକୁ ଏକ ନୂଆ ଛାଞ୍ଚରେ ମଡ଼ାଇବାର ଓ ଏକ ନୂଆ ଜାଲରେ ଧରି ପାରିବାର ବିଚାର କରୁଛନ୍ତି । ମୋ’ର ଆପଣା ପଥ ଏହିସବୁ ପଥଟରୁ ଏକାବେଳେକେ ଭିନ୍ନ । ଯିଏ ସବୁ କାଳ ଓ ସବୁ କଳନାକୁ ଏକତ୍ର କରି ଦେଶକୁ ଏକ ବିକାଶପ୍ରବଣ ସମୂହ ଭାବେ ଦେଖି ଶିଖିବ, ସେ କେବେହେଲେ ଶହେ କୋଟି ମୋହରରେ ଦେଶର ସବୁ ସମସ୍ୟାକୁ ଦୂର କରିଦେବାର ଦମ୍ଭ କରିବ ନାହିଁ । ଯିଏ ଆଗ ସେହି ଦେଶକୁ ବୁଝିବ, ଆପଣାର କରି ଭଲ ପାଇବ, ସିଏ କଦାପି କୌଣସି ନିର୍ଦ୍ଦିଷ୍ଟ ଛାଞ୍ଚ ଧରି ସେଠାକୁ ଯାଇ କୌଣସି ସ୍ଵେଚ୍ଛାଚାର କରିବାକୁ ଭାବିବ ନାହିଁ ।

 

୧୫ । ୪ । ୫୨

 

ପ୍ରାୟ ଅଢ଼େଇବର୍ଷ ତଳେ ମୁଁ ଏହି ଖାତା ଆରମ୍ଭ କରିଥିଲି । ଆଜି ନବବର୍ଷରେ ଖାତା ସରିଲା । ଗତ ଅଢ଼େଇ ବର୍ଷ ଭିତରେ ମୁଁ କେତେ ତାତିଛି, କେତେ ମାତିଛି, କେତେ ବଢ଼ିଛି ଓ କେତେ ସଢ଼ିଛି । ଜାଣେନା, କଲମ ଓ କାଳି ଦେଇ ଏହି ଖାତା ଉପରେ ସେହି ବେଦନାର ଇତିହାସକୁ ମୁଁ ଲିପିବଦ୍ଧ କରି ରଖି ପାରିଚି କି ନାହିଁ । ଏହିପରି ଗୋଟାକୁ ଗୋଟା ଖାତା ପୂର୍ଣ୍ଣ ହୋଇ ଚାଲିଥିବ, ପୁରୁଣାକୁ ପାଞ୍ଜି କରି ନୂଆ ଜୀବନର ଗୁଣାପୋଚ୍ଛା ହେଉଥିବ । ଏହି ଖାତାଗୁଡ଼ିକୁ ସତେଅବା ମୋ’ର ଏକାନ୍ତ ଜୀବନର ସବୁଠାରୁ ଆପଣାର । ଦିନଦିନର ନାନା ବିଫଳତା ଓ ବିକଳତାର ନାନା ଦହନ ଦେଇ ଜୀବନରେ ମୁଁ ଯାହା ସାର କରି ପାଇଛି, ଏହି ଆକାଶତଳେ ମୁଁ ଆପଣାର ସୃଷ୍ଟି ବୋଲି ଏକ ସ୍ଵକୀୟ ଅନୁରାଗ ସହିତ ଯେତିକି ଗଢ଼ିଛି, ସେଗୁଡ଼ିକୁ ଯେ ମୁଁ ଏହି ଖାତା ଗୁଡ଼ିକରେ ଜୀବନ୍ତ ଅକ୍ଷରରେ ଲେଖି ରଖିପାରୁଛି, ଏହାହିଁ ମୋ’ ଲାଗି ସବୁଠାରୁ ବଡ଼ କଥା ।

 

ଆଜି ନବବର୍ଷରେ ଶାନ୍ତିନିକେତନ ଆନନ୍ଦରେ ଉଛୁଳି ଉଠୁଥିବ । କେତେ ବିନୋଦନ ଓ ବନ୍ଧୁମିଳନରେ ସେହି ଶିକ୍ଷାତୀର୍ଥ ଆଜି ଯେପରି ପ୍ରାଣ ଭରାଇ ହସି ଉଠୁଥିବ । ଶାନ୍ତିନିକେତନକୁ ଆସିବା ପୂର୍ବରୁ ମୁଁ ନବବର୍ଷକୁ ଏହିପରି ଏକ ଉତ୍ସାହ ଏବଂ ଆନନ୍ଦର ଦିନ ରୂପେ କେବେ ଦେଖିନଥିଲି । ଗୋଟିଏ ଗୋଟିଏ ଦିନକୁ ଗୋଟିଏ ଗୋଟିଏ ବିଚିତ୍ର ritual ସହିତ ଯୁକ୍ତ କରି ମଣିଷ ଯେ କେତେ ଆନନ୍ଦରେ ଅଧିକାରୀ ହୋଇପାରେ, ମୁଁ ସେକଥା ନବବର୍ଷର ଏକ ଉତ୍ସବଟିରୁ ଶିକ୍ଷା କରିଛି ।

 

ମୋ’ର ଅତୀତ, ମୋ’ର ଭବିଷ୍ୟତ, ମୋ’ର ପରିଚିତ ଓ ଅପରିଚିତ, ମୋ’ର ଦୂର ଓ ନିକଟର ସଭିଙ୍କୁ ଓ ସମସ୍ତ ପରିବେଶକୁ ମୁଁ ନବବର୍ଷର ପ୍ରମାଣ ଜଣାଉଛି । ମୋ’ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ନବଜନ୍ମ ଓ ନବନବ ଉଦ୍ୟମରେ ଭରିଉଠୁ, ପ୍ରତ୍ୟେକ ମୁହୂର୍ତ୍ତର ନବନବ ସରସତା ଓ ନବନବ କ୍ଷେତ୍ର ପ୍ରବେଶରେ ବାର୍ଦ୍ଧକ୍ୟର ସବୁଯାକ ପାଚିଲା ପତର ଆଜି ପୁଣି ସବୁଜପତ୍ରରେ ରୂପାନ୍ତରିତ ହୋଇଉଠୁ ।

Image